ଲୋକମଞ୍ଚ

ରାମ ଜନ୍ମ : ରାମ ପରିଚୟ

ମହର୍ଷି ବାଲ୍ମିକୀ ତପୋନିରତ ସ୍ୱାଧ୍ୟାୟସଂପନ୍ନ ବେଦବିଦିଗରେ ଅଗ୍ରଗଣ୍ୟ ମୁନିବର ନାରଦଙ୍କୁ ସଂବୋଧନପୂର୍ବକ ନିବେଦନ କଲେ,ହେ ଦେବର୍ଷି ! ଏକ୍ଷଣ ଏହି ପୃଥିବୀରେ କେଉଁ ବ୍ୟକ୍ତି ଗୁଣବାନ,ବିଦ୍ୱାନ, ମହାବଳ ପରାକ୍ରାନ୍ତ,ମହାତ୍ମା,ଧର୍ମ ପରାୟଣ,ସତ୍ୟବାଦୀ,କୃତଜ୍ଞ,ଦୃଢବ୍ରତ ଓ ସଚ୍ଚରିତ୍ର ରୂପରେ ଅବସ୍ଥାନ କରୁଛନ୍ତି ? କେଉଁ ବ୍ୟକ୍ତି ସକଳ ପ୍ରାଣୀକୂଳର ହିତ ସାଧନ ସଂପାଦନ କରୁଛନ୍ତି ? କେଉଁ ବ୍ୟକ୍ତି ଲୋକବ୍ୟବହାରକୁଶଳ,ଅଦ୍ୱିତୀୟ,ସୁଚତୁର ଏବଂ ପ୍ରିୟଦର୍ଶନ ? କେଉଁ ବ୍ୟକ୍ତି ରୋଷ ଅଥବା ଅସୂୟାର ବଶବର୍ତ୍ତୀ ନୁହଁ ? ରଣସ୍ଥଳରେ ଜାତକ୍ରୋଧ ହୋଇଲେ କାହାକୁ ଦେଖିବାମାତ୍ରକେ ଦେବଗଣ ଭୀତ ହୁଅନ୍ତି ? ହେ ତପୋଧନ ! ଏତାଦୃଶ ରୂପ ଗୁଣ ସଂପନ୍ନ ମନୁଷ୍ୟ କିଏ ଉପସ୍ଥିତ ରହିଅଛି,ସେ ସମସ୍ତ ବିବରଣୀ ବିଲକ୍ଷଣ ଆପଣଙ୍କୁ ହିଁ ଗୋଚର । ଏକ୍ଷଣ କହିବା ହୁଅନ୍ତୁ ହେ ମୁନିବର,ଯାହାର ଶ୍ରବଣ ନିମନ୍ତେ ଅଧୀନର ଏକାନ୍ତ ଅପରିସୀମ କୌତୁହଳ ଉପସ୍ଥିତ ହେଉଅଛି ।

ତ୍ରିଲୋକଦର୍ଶୀ ମହର୍ଷି ନାରଦ ବାଲ୍ମିକୀଙ୍କ ଏସମସ୍ତ ବାକ୍ୟ ଶ୍ରବଣ କରନ୍ତେ ତାହାଙ୍କୁ ସମ୍ଭାଷଣପୂର୍ବକ ପୁଲକିତ ମାନସରେ ବ୍ୟାଖ୍ୟାନ କରି କହିଥିଲେ,ହେ ତାପସ,ତୁମ୍ଭେ ଯେଉଁ ସମସ୍ତ ଗୁଣର କଥା ଉଲ୍ଲେଖ କରିଅଛ ତତ୍ସମୁଦୟ ସାମାନ୍ୟ ମନୁଷ୍ୟ କ୍ଷେତ୍ରରେ ନିତାନ୍ତ ସୁଲଭ ନୁହଁଇ । ସେ ଯାହାହେଉ ,ଏହିରୂପ ଗୁଣବାନ ମନୁଷ୍ୟ ଏହି ପୃଥିବୀରେ କିଏ ଅଛି ,ଏକ୍ଷଣ ତାହାକୁ ସ୍ମରଣ କରି ମୁଁ ତମକୁ କହୁଅଛି,ଏହାକୁ ଶ୍ରବଣ କରିବା ହୁଅ ।

ରାମ ନାମରେ ଇକ୍ଷ୍ୱାକୁବଂଶଜ ସୁବିଖ୍ୟାତ ଜଣେ ନରପତି ଅଛନ୍ତି । ତାଙ୍କର ବାହୁଯୁଗଳ ଆଜାନୁଲମ୍ବିତ,ସ୍କନ୍ଧ ଅତି ଉନ୍ନତ,ଗ୍ରୀବାଦେଶ ରେଖାତ୍ରୟରେ ଅଂକିତ,ବକ୍ଷସ୍ଥଳ ବିଶାଳ,ମସ୍ତକ ସୁଗଠିତ, ଲଲାଟ ଅତି ସୁନ୍ଦର,ନେତ୍ର ଆକର୍ଣ୍ଣବିସ୍ତୃତ ଓ ବର୍ଣ୍ଣ ଶ୍ୟାମଳ । ସେ ନାତିଦୀର୍ଘ ଓ ନାତିହ୍ରସ୍ୱ ; ତାଙ୍କର ଅଂଗପ୍ରତ୍ୟଙ୍ଗ ପ୍ରମାଣାନୁରୂପ ଓ
ବିରଳ । ସେହି ସର୍ବସୁଲକ୍ଷଣସମ୍ପନ୍ନ ସର୍ବାଙ୍ଗସୁନ୍ଦର,ମହାବୀର ରାମ ଅତିଶୟ ବୁଦ୍ଧିମାନ ଏବଂ ସଦବକ୍ତା । ସେ ଧର୍ମଜ୍ଞ, ସତ୍ୟପ୍ରତିଜ୍ଞ,ବିନୀତ ଓ ନୀତିପରାୟଣ ; ତାଙ୍କର ଚରିତ୍ର ଅତି ପବିତ୍ର; ସେ ଯଶସ୍ୱୀ ,ଜ୍ଞାନବାନ,ସମାଧୀସମ୍ପନ୍ନ ଓ ଜୀବଲୋକର ପରିପାଳକ ଏବଂ ବର୍ଣ୍ଣାଶ୍ରମ ଧର୍ମ ଏବଂ ସ୍ୱଧର୍ମର ରକ୍ଷକ । ସେ ଆତ୍ମୀୟସ୍ୱଜନ ସକଳର ରକ୍ଷାବିଧାନ କରିଥାନ୍ତି । ସେ ପ୍ରଜାପତିସଦୃଶ ଏବଂ ଶତ୍ରୁନାଶକ । ସେ ଅନୁରକ୍ତ ଭକ୍ତକୁ ଆଶ୍ରୟ ପ୍ରଦାନ କରିଥାଆନ୍ତି । ସେ ବେଦ ବେଦାଙ୍ଗରେ ପାରଦର୍ଶୀ,
ଧନୁର୍ବିଦ୍ୟାବିଶାରଦ,ମହାବୀର୍ଯ୍ୟ,
ଧୈର୍ଯ୍ୟଶୀଳ ଏବଂ ଜୀତେନ୍ଦ୍ରୀୟ । ସେ ସର୍ବଶାସ୍ତ୍ରଜ୍ଞ,ପ୍ରତିଭାସଂପନ୍ନ ଓ ସ୍ମୃତିଶକ୍ତି-ଯୁକ୍ତ।
ଲୋକ ସକଳ ତାହାଙ୍କ ପ୍ରତି ପ୍ରୀତି ପ୍ରଦର୍ଶନ କରିଥାଏ।ସେ ଶତ୍ରୁ-ମିତ୍ର ଉଭୟଙ୍କୁ ପ୍ରତି ସମଦର୍ଶୀ ଏବଂ ଅତିଶୟ ପ୍ରିୟଦର୍ଶନ । ସେଇ କୌଶଲ୍ୟାଗର୍ଭସମ୍ଭୂତ ଲୋକପୂଜିତ ରାମ ଗାମ୍ଭୀର୍ଯ୍ୟରେ ସମୁଦ୍ରର ନ୍ୟାୟ,ଧୈର୍ଯ୍ୟରେ ହିମାଳୟର ନ୍ୟାୟ,ବଳବୀର୍ଯ୍ୟରେ ବିଷ୍ଣୁର ନ୍ୟାୟ,ସୌନ୍ଦର୍ଯ୍ୟରେ ଚନ୍ଦ୍ରର ନ୍ୟାୟ,କ୍ଷମାରେ ପୃଥିବୀର ନ୍ୟାୟ,କ୍ରୋଧରେ କାଳାନଳର ନ୍ୟାୟ,ବଦାନ୍ୟତାରେ କୁବେରର ନ୍ୟାୟ ଓ ସତ୍ୟନିଷ୍ଠାରେ ଦ୍ୱିତୀୟ ଧର୍ମର ନ୍ୟାୟ ପ୍ରକୀର୍ତ୍ତିତ ହୋଇ ଅଛନ୍ତି । ସେ ରାଜା ଦଶରଥଙ୍କ ସର୍ବଶ୍ରେଷ୍ଠ ଓ ଗୁଣ-ଶ୍ରେଷ୍ଠ ପୁତ୍ର ।ମହୀପାଳ ଦଶରଥ ଏହିରୂପ ସର୍ବ ଗୁଣ ସଂପନ୍ନ ପ୍ରଜାଗଣର ହିତାର୍ଥୀ ରାମଚନ୍ଦ୍ରଙ୍କୁ ପ୍ରଜାଗଣର ପ୍ରିୟକାର୍ଯ୍ୟ ସାଧନାର୍ଥେ ପ୍ରୀତମନରେ ଯୌବରାଜ୍ୟରେ ଅଭିଷେକ କରିବାପାଇଁ ଅଭିଳାଷୀ ହୋଇଥିଲେ ।

ପ୍ରଥମ ସର୍ଗ,ବାଳକାଣ୍ଡ,
ମହର୍ଷି ବାଲ୍ମୀକିକୃତ ରାମାୟଣ।

ଭାରତବର୍ଷ ଏବଂ ଭାରତବର୍ଷର ବାହାରେ ରାମକାହାଣୀର ର ଶତ ଶତ ଧାରା ବର୍ତ୍ତମାନ। ସ୍ୱଦେଶରେ ପୁଣି ବିଭିନ୍ନ ପ୍ରାଦେଶିକ କବିଙ୍କ ହାତରେ ଏହା ଏମିତି ଆଶ୍ଚର୍ଯ୍ୟରୂପ ନେଇଛି ଯେ ,ରାମାୟଣ କୁ ବାଲ୍ମିକୀ କେବେ ରଚନା କରିଥିଲେ ,ଏଇ କଥା ଅନେକ ଜାଣନ୍ତି ନାହିଁ।ପ୍ରାଦେଶିକ କବିମାନଙ୍କର ମୂଳଧନ ଯେହେତୁ ଅନେକକ୍ଷେତ୍ରରେ ଭକ୍ତିରସ,ତେଣୁ ରାମଚରିତ୍ରର ଅତିମାନବିକତା ଏବଂ ଅଲୌକିକତା ସବୁସମୟରେ ସେମାନଙ୍କୁ ସାହାଯ୍ୟ କରିଅଛି । ଜନଗଣ ମଧ୍ୟ ନିଜର ମୁହଁରେ ନିଜ କହିବା ଭାଷାରେ ଏଇଭଳି ଆକୁଳବେଦନାର କାହାଣୀ ପାଇଯିବା କାରଣରୁ ଖୁବ୍ ବ୍ୟାକୁଳ ହୋଇଯାଆନ୍ତି । ରାମାୟଣର ମୁଖ୍ୟ ଚରିତ୍ରଗୁଡିକର ଯେଉଁ ଚେହେରା ,ଯେଉଁ ଭଳି ତାହା ବାଲ୍ମିକୀଙ୍କ କଳ୍ପନାରେ ଥିଲା,ତାହା ଉପରେ ପ୍ରାଦେଶିକ ତୂଳୀର ରଙ୍ଗ-ବେରଙ୍ଗର ପ୍ରଲେପ ପଡିବା କାରଣରୁ ସେହି ଚରିତ୍ରଗୁଡିକ ଅନେକ ସମୟରେ ଏହିଭଳି ପାଲଟି ଯାଇଛନ୍ତି ଯେ,ମୂଳତଃ ସେଇ ଚରିତ୍ର ଗୁଡିକ କେଉଁ ଭଳି ଥିଲା ତାହା ବସ୍ତୁତଃ ହଜିଯାଇଅଛି । ଏଥିରେ ଲାଭ କିମ୍ବା କ୍ଷତି କ’ଣ ହୋଇଛି ସେ ବିଚାର ଆମର ନୁହଁ । ସାହିତ୍ୟରେ ମୌଳ ଉପାଦାନର ଶୁଦ୍ଧତା କୁ ନେଇ ଯେଉଁମାନେ ଆସ୍ପର୍ଦ୍ଧା କରିଥାନ୍ତି ସେମାନେ ଅନେକ ପରିମାଣରେ ସେହି ପର୍ଯ୍ୟାୟଭୂକ୍ତ ଯେଉଁମାନେ ରକ୍ତର ଶୁଦ୍ଧତାକୁ ନେଇ ଜନ୍ମ ସଂସ୍କାରରେ ବିଶ୍ୱାସୀ। ମୁଁ ସେ ଭିତରକୁ ଯିବାକୁ ଚାହିଁବି ନାହିଁ । ମୋର ବକ୍ତବ୍ୟ କେବଳ ଏତିକି,ବାଲ୍ମିକୀ ରାମାୟଣରେ ଏଇଟି ଥିଲା,ଅନ୍ୟତ୍ର ଏଇଟି ହୋଇଛି ।

କଥାମୁଖ, ବାଲ୍ମିକୀଙ୍କ ରାମ ଓ ରାମାୟଣ,ପ୍ରଫେସର ନୃସିଂହ ପ୍ରସାଦ ଭାଦୁଡି।

ଆଜି ତାଙ୍କର ଜନ୍ମଦିନ।

ମହାରାଜା ଦଶରଥଙ୍କ ଭଳି ଆମର ଯୌବରାଜ୍ୟରେ ଲୋକବ୍ୟବହାରକୁଶଳ,ପ୍ରିୟଦର୍ଶନ ଏବଂ କ୍ଷମା ରେ ପୃଥିବୀର ନ୍ୟାୟ ଏହି ମର୍ଯ୍ୟଦା ପୁରୁଷୋତ୍ତମଙ୍କୁ ଅଭିଷିକ୍ତ କରିବା ନିମନ୍ତେ ଆଉ ଅଧିକ ବିଳମ୍ବ କରିବା ନାହିଁ।

ସଂଲଗ୍ନ ଛବିର ଶୀର୍ଷକ ରାଗ ରାମ।ଏହା ଊନବିଂଶ ଶତାବ୍ଦୀର ଦାକ୍ଷିଣାତ୍ୟର “ରାଗମାଳା” ପର୍ଯ୍ୟାୟର ଛବି ।

ରାଗ ଦୀପକ ପରିବାର ର ରାଗ ହେଉଛି ରାଗ ରାମ ।

https://www.facebook.com/100007106400968/posts/3139262869653896/

From the Facebook page of Jyoti Nanda

Please support atleast Rs 20/- , Rs 50/- , Rs 100/- for a story.

Related Articles

Leave a Reply

Your email address will not be published.

Back to top button