କଳା ସଙ୍ଗୀତ

ଲୋକ ନୃତ୍ୟ : ଧୁଡ଼ୁକିନାଚ

Folk Dance : Dhuduki Nacha

ପ୍ରହଲ୍ଲାଦ ଦଳେଇ ଓରଫ ଧୁଡ଼ୁକିନାଚ ପହଲି ପ୍ରାୟ ୩୦/୪୦ବର୍ଷ ଧୁଡ଼ୁକି ନାଚ ପରିବେଶଣ କରିଛନ୍ତି । ପହଲି ଶବରବେଶ ଓ ତା ସାଙ୍ଗକୁ ସବରାଣୀ । ସେ ଦୁହେଁ ନାଗର ନାଗରୀ ଭାବେ ଅଭିନୟ କରନ୍ତି । ଟୋକା ବେଳର ପହଲି । ଖୁନ୍ଦି ହେଲାଭଳି ଦିହ । ହାତ ଗୋଡ଼ ବଳିଲା ପରି । ଓସାରିଆ ଛାତି । ତେବେ ୫୬ଇଂଚ ନୁହେଁ । ଗୋଲିଆ ମୁହଁ । ଧରି ପକାଇଛିତ ବୋପାକୁ ମଉସା ଡ଼କାଇଦବ । କାଠିଏ ବଳ । ସାବନ ବର୍ଣ୍ଣ । ସବରଣୀ ଓରଫ ନାଗରୀ ୧୫/୨୦ ବର୍ଷର ଝିଅ । ସଫା ରଙ୍ଗ । ଓଡ଼ିଶୀ ଢାଞ୍ଚାରେ ଶାଢ଼ୀ ପିନ୍ଧିଥିବ । ଦିହରେ ଚକମକ ବ୍ଲାଉଜ । ମୁଣ୍ଡରେ ଉର୍ବଶୀ ଭଳି ଯୁଡ଼ା । ରଙ୍ଗ ବେରଙ୍ଗ ପକ୍ଷୀ ଖୋସା ହେଇଥିବ । ସବରାଣୀ ପରା । ଗହଣା ଗାଣ୍ଠି କାନ, ନାକ, ବେକ, ହାତ, ଅଣ୍ଟାରେ ଭର୍ତ୍ତୀ । ଦିଗୋଡ଼ରେ ଦିଦିମାଳ ଘୁଙ୍ଗୁର । ଦି ହାତରେ ଖଣ୍ଡେ ୨ଫୁ୍୨ଫୁ ସିଲ୍କ ରୁମାଲ । ନାଚର ତାଳେ ତାଳେ ରୁମାଲ ହଲୁଥିବ । ଆଉ ପହଲି ଓରଫ ସବର ଓରଫ ନାଗର । ଗୋଟେ ରଙ୍ଗିନ ଧୋତି ଭିଡ଼ି ଭାଡ଼ି ହୋଇ ପିନ୍ଧିଥିବ । ଦିହରେ ଗୋଟେ ଝଲମଲ ଫତେଇ । ବଡ଼ ବଡ଼ କାଚ ମାଳି ବେକରେ ୩/୪ ସରି, କହୁଣୀରେ ମାଳି, କଚ୍ଚୋଟିରେ ମାଳି, ଦୁଇ କାନରେ ମାଳିର ଦୁଲ୍ । ମୁଣ୍ଡରେ ଘେରେଇ ଥବ ମାଳି, ଖୋସିଥବ ରଂଗ ବିରଂ ପର । ଦିହେଁ ଯାକ ମୁହଁରେତ ବୋଳି ଦେଇଥେବେ ପାଉଡ଼ର । ଆଜିକା ବିଉଟି ପାର୍ଲ୍ଲର କଳାଝିଅବି ଗୋରା ରଙ୍ଗ ହଉଛନ୍ତି । ତାକୁ ନାଗରୀ ଗିଳି ପକାଇବ, ସତେ ଯେମିତି ଶୋହଳ ବୟସି । ବେଶ ପୋଷାକ ହେଇ ଦିହେଁ ଦିହିଁକି ଚାହିଁ ଯାଉଥିବେ । ଦର୍ଶକ ଆଡ଼କୁ ଆଖି ପାକାଉଥିବେ । ଦର୍ଶକତ ପୁଅ, ଝିଅ ଅଛନ୍ତି । ପୁଅ ମାନଙ୍କର ଆଖି ସବରଣୀ ଉପରେ । ପିଇତ ଯାଉଛନ୍ତି । ଝିଅମାନେ ଶବରକୁ ଆଖି ତଳିଆ କରି ଚାହିଁଛନ୍ତି । ଶାଶୁ, ଦେଢ଼ ଶାଶୁଙ୍କ ଆଖି ପଡ଼ିଯିବ । ଡ଼ର । ବରମାନଙ୍କର ଆଖି ପଡ଼ିବାର ନାହିଁ । ସେମାନଙ୍କ ଆଖିତ ସବରଣୀ ପାଖେ ଲାଖି ଯାଇଛି । ଦର୍ଶକ ବନ୍ଧୁ ମାନେ ବିରକ୍ତ ହେବେଣି । ଆରେ ଏ ବେଶ ପୋଷାକରୁ କ’ଣ ମିଳିବ? ନାଚ ଗୀତ କାହିଁ । ଗଛକୁ ଫୁଲ ସୁନ୍ଦର । ଫୁଲକୁ ପତର ସୁନ୍ଦର । ଫୁଲ ତୋଡ଼ା ଦିଆନିଆ ଦେଖିଥିବେ । ଫୁଲ ସହିତ ପତ୍ରକୁ ସଜାଇ ବନ୍ଧା ହୋଇନଥାଏ? ବେଶ, ପୋଷାକ ଆଉ ନାଚ ଗୀତ ନଖକୁ ଚମ ଭଳି ।

ଧୂଡ଼ୁକି ବାଜିଲା ବାଜିଲା । ରାହା ଦେଇ ବାଜୁଛି । ସବରୀ ନାଚରେ ମାଟି ଦୁହୁଲି ଯାଉଛି । ମତେ ସେତେବେଳକୁ ୧୩/୧୪ ବର୍ଷ ହବଣି । ଆମ ସାଙ୍ଗରେ ପାକୁ ବାବୁଙ୍କ ଝିଅ ହେନା ବାଲା ରାୟ ପଢ଼ୁଥାଏ । ଝିଅ ସଙ୍ଗେ କଥା ହବ! ଇଲୋ ବୋପାଲୋ, ଗୋବିନ୍ଦ ବାବୁଙ୍କ ଆଖି ପଡ଼ିଗଲେ ପିହ୍ଲେଇ ପାଣି ହେଇଯିବ । କଟମଟ ଆଖି । ଗୋଲିଆ ମୁହଁ ରାଗରେ ନାଲି ପଡ଼ି ଯାଇଥିବ । ଗୋରା ତକ ତକ ଚେହେରାତ । ମତେ ମାରନା ମୁଁ ମଲାଣି । ଖେଳ ଛୁଟି, ପିରିୟଡ଼ରେ ସାର୍ ନ ଆସିଲେ ଭାସ୍କର, ତିଳ ହେନା ସାଙ୍ଗେ ଟୁପଟାପ ହୁଅନ୍ତି । ମୁଁ ଟିକେ ଲାଜରା ପିଲା । ମୁଁ କଣ ପଚାରିବି ଭାବିଲା ବେଳକୁ ଛାତି ଦମ୍ ଦମ୍ ପଡ଼ିଲାଣି । ହେଲେ ଧୂଡ଼ୁକି ନାଚରେ ଶବରୀର ନାଚ ଦେଖି ମୁଁ ତ ପିଇଯାଉଛି । ହଠାତ୍ ପଛରୁ କିଏ ଠେଲାଟେ ମାଇଲା । ଚାହିଁଲା ବେଳକୁ ଚିଲ । ସେ ସବୁ ପୁଡ଼ାରେ ଥାଏ । ସବର, ସବରଣୀ ବେଶ ପୋଷାକ ହଉଛନ୍ତି । ତିଳ ସେଠାରେ ହାଜର । ଶବରଣୀ ମୁଣ୍ଡରେ କ୍ଲିପ୍ ମାରି ଦଉଥାଏ । ଆଖିରେ କଳାଗାର ଆଂକି ଦଉଥାଏ । ମୁଁ ତ ଶୋଡ଼ଷୀକୁ ଏକ ଲୟ ଚାହିଁଛି । ତିଳତ କଥା ଫିଟାଇ ଦେଲା । ଆରେ ନଟ ମାମୁଁ ତାକୁ କ’ଣ ଏତେ ଚାହୁଁଛୁ । ସେ ପୁଅଟେ, ଝିଅ ବେଶ ହେଉଛି । ହୋସ୍ ଆସିଗଲାରେ ଭଗିଆ । ଆରେ ଟୋକାଟେ ଏତେ ଛୋପରା ହଉଛି । ଆରେ ତ଼ିଳ ତୋରତ ଭାରି ଧାପ । ତୁ ତାଙ୍କ ବେଶଘରେ ହାଜର, ଆରେ ତୁମେତ ହେନା ସାଙ୍ଗରେ ଲୁଚି ଛପି ହସଖୁସି ହୁଏ । ମୁଁ ତ ମୁହଁ ଟେକି ତାକୁ ଚାହିଁଲା ବେଳକୁ ଗୋବିନ୍ଦ ବାବୁଙ୍କ ନାଲି ଆଖି ଦେଖାଯାଏ । ଆରେ ଏ ଟୋକାଟା ଏତେ ଠାଣି ମାଣିରେ ସଜ ହୋଇଛି, ମୁଁ କି ତାର ଟେର ପାଉଛି ।

ସମୟ ୪ଟା ୫ଟା ହେବ । କାଙ୍ଗାଳି ମକଦ୍ଦମଙ୍କ ଦାଣ୍ଡରେ ଆସର । ଲୋକ ଗଦା ହେଇ ଗଲେଣି । ନାଚତ ସରିଲା । ଗୀତ କାହିଁ । ନକୁଳ ଭାଇନା ‘ଇନ୍ କୋର ଇନ୍ କୋର’ ହେଲାଣି । ଷଷ୍ଠ ଣ୍ରେଣୀରେ ପଢ଼େ । ଇଂରାଜୀର ୨୬ ଅକ୍ଷର ଲେଖି ପାରିବନି । ସେ କହିଲାଣି ‘ଇନ୍ କୋର, ଇନ୍ କୋର’ । ଧୁଡ଼ିକି ନାଚରେତ ପହଲି ବାବୁ ଓସ୍ତାତ୍ । ସେ କେଉଁ ହଦେଇ ଯିବେ । ଧୂଡ଼ିକି ବଜା ପୁଣି ଚାଲିଲା । ନାଗରୀ ନାଚୁଛନ୍ତି । ମୁଁ ତ ଚାହିଁଛି । ପହଲି ଟିକେ ଆଖି ମାରିଦେଲେ । ସବରାଣୀ ପଦ ଛାଡ଼ିଲେକି । “ନାରୀ ଚାରି ଜାତି କହରେ ନାଗର ନାରୀ ଚାରିଜାତି କହ । କହି ନପାରିଲେ ଖୁଡ଼ୁମୁଷା ପାଇଁ ତିଆର ରହ ରେ ନାଗର ଖଡ଼ୁମୁଷା ଖଡ଼ୁମୁଷା ନାଗରରେ ଖଡ଼ୁମୁଷା । ନାଗର ସ୍ୱର ଛାଡ଼ିଲେ” ଛୋପରା ହଉଛୁ ନାଗରୀଲୋ ଭୁଆଁ ବୁଲାଉଛୁ ମୋତେ । ବାପ ଘରକୁ ଗଲୁ ଦିନେ । କୋଉ ନାଗର ପାଖରେ କଟାଇଲ ଚାରିଦିନ କହ ପଚାରୁଛି ତୋତେ । କେଳାର ପଦେକୁ କେଳୁଣୀରେ ପଦେ । କଥା କଟାକଟି ଚାଲିଲା ଚାଲିଲା ଅବତରିଲା ଭଳି ଦିହେଁ ଡ଼େଇଁଲେ । ବହି ମଲାଟ ସୁଧା ଜଳିଗଲାଣି । ହସ ଲହଃଡ଼ି ଭାଙ୍ଗିଯାଉଛି । ନକୁଳ ଭାଇନାଙ୍କୁତ ଥଟ୍ଟା ଲାଗିଛି । ପୁଣି ରଡ଼ି ପକାଇଲାଣି “ଇନ୍ କୋର ଇନ୍ କୋର” । ଝିଅ ବୋହୂଙ୍କ ମନକୁ ଢ଼ଗ ପାଇଯାଉଛି । ପଇସା ପଡ଼ିଲା ପଡ଼ିଲା ଜାଣ ବର୍ଷା । ୨ ପଇସା, ୪ ପଇସା (ଅଣାଏ) । ଦୋଣୀ, ସୁକି । ପହଲି ଟାଉଟାଉ କରି ଗୋଟାଇ ପକାଇଛି । ସବର ସବରଣୀ ଠାର ଠୁରା ଅଛି । ସବରଣୀ ବାହାରି ପଡ଼ିଲା । “ମା ମାଉସୀ ସବରଣୀ ପାଉଣା କାହିଁ । ସବରତ ସବୁ ବାଂଧିଲା । ମୋ ଗୋଡ଼ ଉଠୁନାହିଁ ।” ଗୁଡ଼ାଏ ନାଚିଲାଣିତ, ଗୋଡ଼ ଭାଙ୍ଗି ନଇଁ ପାରୁନଥିବ । ସତ କେତେ ମିଛ କେତେ । ଆମର ସେଥିରେ ଚାଷ କାହିଁ । ତିଳତ, ମାଇଚିଆ, ସବୁ ପୁଡ଼ାରେ ଥାଏ । ମାଇପିଙ୍କ ଆଡ଼େ ବୁଲିଆସିଲା । ୧୦/୧୨ଜଣ ପଇସେ, ଦୁଇ ଚାରି ପଇସା ଲେଖାଏଁ ଦେଲେ । ସବରଣୀକୁ ପଇସା ତକ ଧରେଇ ଦେଇ ତା ଓଠରେ ଟିକେ ହାତ ମାରିଦେଲା । ହସ ତ ପୁଣି ଖଇ ଫୁଟିଗଲା । ଏଭିତରେ ଅନ୍ଧାର ହେଲାଣି । ଗୋପାଳ ଭାଇନା ଧୁଡ଼ିକି ନାଚ ବୁଝାସୁଝା କରୁଥାନ୍ତି । ସବର ସବରଣୀ ନାଚ ଗୀତରେ ଗୁଡ଼ାଏ ମାନ୍ୟ ଢ଼ାଳି ପକେଇଲେ । କାହାକୁ ପୁଅ ଦେଲେଣି ଓ କାହାକୁ ଧନ ସମ୍ପତ୍ତି । ବୋଇ ଥେଲା ଥେଲା କହିଲା, “ପହଲି ଟିକେ ଧୁଡ଼ୁକି ମୋ ପୁଅ ମୁଣ୍ଡରେ ଛୁଆଁଇ ଦବଟି । ମନ ଦେଇ ପାଠ ପଢ଼ିବ ।” ପହଲି ଆଉ ହେଳା କରିବ ନା କ’ଣ । ତା ଧୁଡ଼ିକି ଏଇଲେ ଟଙ୍କେ ଦିଟଙ୍କା ରୋଜଗାର କରିବ । ପହଲି ତା କାମ କରିଦେଲା । ବୋଉ ନନାଙ୍କ ଆମ୍ବ ବିକ୍ରି ଟଙ୍କାରୁ ଖେଣ୍ଟିଥିବ। ପହଲିକୁ ସତକୁ ସତ ଦିଟଙ୍କା ଧରେଇ ଦେଲା । ପହଲି ଆଉ ସେ ସବରଣୀ ଟୋକା ବୋଉକୁ ମାନ୍ୟ କଲେ । ମାଗୁଣିକୁ ଛାଡ଼ି ଗୋପାଳ ଭାଇନା ୧୦ଟଙ୍କା ଆଉ ୪ ଗୌଣୀ ଚାଉଳ ଧରେଇ ଦେଲେ । ସେତେବେଳେ ଟଙ୍କା ପଇସା ମହରଗ, ଚାଉଳ ଶସ୍ତା । ପହଲି ତା ସବରଣୀ ପାଇଁ କାଙ୍ଗାଳି କକେଇଙ୍କ ଘରେ ଖାଇବା ବରାଦ ହୋଇଥାଏ । ଦିହେଁ ଖାଇଲେ । ଅନ୍ଧାର ପକ୍ଷ । ଜଙ୍ଗଲ ବାଟ । ବାଟ ଉଣ୍ଡି ଉଣ୍ଡି ମାଲ ମତା ଧରି ଚାଲିଲେ ।

ପହଲିର ଧୁଡ଼ୁକି ନାଟ ପାଇଁ ନାଁ ଅଛି ୧୦/୧୨ ବର୍ଷ ତଳେ ଖବର ନେଇଥିଲି ତାଙ୍କୁ ଓଡ଼ିଶା ସରକାର କଳାକାର ଭତ୍ତା ମାସକୁ ୧୨୦୦ ଟଙ୍କା ଦଉଥିଲେ । ତା ସବରଣୀ ଟୋକାକୁ ବି ସେଇ ପରିମାଣ ଭତ୍ତା । କିନ୍ତୁ ଏତିକି ପଇସାରେ ସେ କ’ଣ ବଞ୍ଚିବ । ତାପିଲା ମାଇପଙ୍କୁ ଢ଼ୋକ ଦବ । ଲକ୍ଷେ ଛୁଞ୍ଚିରେ ଦା ନାହିଁ କି ଲକ୍ଷେ ଅଗମଳାରେ ଗୌଣୀ ପୁରିବାର ନାହିଁ । ସାଉଁଟିଲା କାଣ୍ଡ ଯୁଝୁକୁ ପାଏନି । ପିଲାଦିନେ ମୁଁ ବୋଉ ସାଙ୍ଗରେ ପହଙ୍ଗା ଯାଇଥିଲି । ମୋ ନନାଙ୍କ ପିଇସି ପୁଅ ଭାଇ ଆର୍ତ୍ତ ଦଦେଇଙ୍କ ଘର । ଆମକୁ ଦେଖି ଦଦେଇ ଦେଠେଇଙ୍କ ଗୋଡ଼ ଦିହାତରେ ପଡ଼ୁଛି । ଧୋଇୟା ଅଞ୍ଚଳ । ନାଲି ବଗଡା ଭାତ । ପାଖରେ ବଡ଼ ନଈ । ଜୁଆର ଆସେ । ଜୁଆରିଆ ମାଛ ୨/୩ ସେର ଆଣିଥାନ୍ତି । ଦଦେଇଙ୍କ ପୁଅ ବାବାଜି । ମୋ ଠାରୁ ସାନ । ପଖାଳ ଭାତ ମାଛ ଭଜା ପେଟେ ଚଢେଇ ଦେଲି । ବାବାଜିକୁ ଧରି ଚାଲିଲି ପହଲି ସନ୍ଧାନରେ । ଭଙ୍ଗା ତିନି ସେଣିଆ ଘର ବଖରାଏ । ପହଲି, ତା ସ୍ତ୍ରୀ, ବୁଢ଼ାବାପ, ପହଲିର ୨ଟି ପିଲା ସେ ଘରେ ରୁହନ୍ତି । ବାରଣ୍ଡାରେ ରୋଷେଇ, ପହଲିକୁ ଖୋଜିଲି । ତା ସ୍ତ୍ରୀ କହିଲେ, “ସେ କାମକୁ ଯାଇଛନ୍ତି ।” ବାବାଜୀ ବୁଝାଇ ଦେଲା ପହଲି ସାଆନ୍ତଙ୍କ ଘରେ ମଜୁରୀ ଲାଗେ । ଦିନକୁ ୪ ସେର ଧାନ ମଜୁରୀ । “ଆରେ ପହଲି କଳାକାର, ଦଶ କୋଷରେ ତା ନାଁ । ୪ ସେର ଧାନ ମଜୁରୀରେ ବିଲ କାମ କରୁଛି । ଓଡ଼ିଶାରେ ଗ୍ରାମ୍ୟ କଳାକାରର କି ଦୟନୀୟ ଅବସ୍ଥା!” ପହଲିର ସବରଣୀ ଟୋକା ଘରକୁ ଯାଇ ପାରିନି । ଧନ୍ୟ ଓଡ଼ିଶା! ଧନ୍ୟ ତାର ଗ୍ରାମ୍ୟ କଳାକାର!

photo credit-https://bit.ly/3uq5QPs

Please support atleast Rs 20/- , Rs 50/- , Rs 100/- for a story.

ନଟବର ଷଡ଼ଙ୍ଗୀ

ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)

Related Articles

Leave a Reply

Your email address will not be published.

Back to top button