Home / କଳା ସଙ୍ଗୀତ / ସଙ୍ଗୀତ / ପଶ୍ଚିମ ଓଡ଼ିଶାର ଲୋକଗୀତରେ ଧାର୍ମିକ ଭାବଧାରା

ପଶ୍ଚିମ ଓଡ଼ିଶାର ଲୋକଗୀତରେ ଧାର୍ମିକ ଭାବଧାରା

Share Samadhwani

ଲୋକଗୀତ ଭିତରେ ଲୋକ ଜୀବନ ହେଉଛି ମଣିଷର ଅତି ପୁରାତନ ସଂସ୍କୃତିର ଗୋଟିଏ ପରିଚୟ । ସେ ଓଡ଼ିଶା ହେଉ କି ଭାରତର ଯେକୌଣସି ଅଞ୍ଚଳ, ସମସ୍ତଙ୍କର ଜୀବନ ସହ ଯୋଡ଼ି ହୋଇ ରହିଛି ସଙ୍ଗୀତ । ଅନେକ ସ୍ଥାନରେ ଏହା ଧର୍ମକୁ ମଧ୍ୟ ଜୀବନ ସହ ଯୋଡ଼ି ପରିପ୍ରକାଶ କରିଆସିଛି । ଲୋକଙ୍କର ସେହି ଧାର୍ମିକ ଭାବଧାରାଟି ପରିବ୍ୟାପ୍ତ, ସଂକୀର୍ଣ୍ଣ ନୁହଁ । ଏଠାରେ ନିଶାନ ପୂଜାର ଯେଉଁ ଚିତ୍ର ଦିଆଯାଇଛି ତାହାର ଏକ ଉଦାହରଣ ଅଟେ । ନିଶାନ ଗଁଡାବଜାରେ ଯାହାକୁ ଏତେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି ପଶ୍ଚିମ ଓଡ଼ିଶାର ଲୋକେ ସେହି ନିଶାନକୁ ମା ନିଶାନୀ କହି ପୂଜା କରନ୍ତି । ଜୀବନ ସହ ଯୋଡ଼ି ହୋଇ ରହିଥିବା ସମ୍ପର୍କକୁ ଏହିପରି ଅନେକ ଉଦାହରଣ ସେମାନଙ୍କ ଧାର୍ମିକ ଭାବଧାରର ପରିବ୍ୟାପ୍ତିକୁ ପରିପ୍ରକାଶ କରିଥାଏ ।  -ସମ୍ପାଦକ

ପଶ୍ଚିମ ଓଡ଼ିଶା ଏମିତି ଅନେକ ଲୋକଗୀତରେ ପରିପୁର୍ଣ୍ଣ ଏକ ଗନ୍ତାଘର । ଯଦି ପଶ୍ଚିମ ଓଡ଼ିଶାର ଲୋକ ଗୀତରେ ଲୋକଙ୍କର ଧାର୍ମିକ ଭାବନା ଓ ଲୋକ ଜୀବନକୁ ଖୋଜିବା ତାହେଲେ, ପଶ୍ଚିମ ଓଡ଼ିଶାର ଲୋକେ ଯେଉଁ ଦେବାଦେବୀଙ୍କୁ ପୂଜା କରିଥାନ୍ତି ସେମାନେ ଶାସ୍ତ୍ରୀୟ ପୁରାଣ, ବେଦ, ଉପନିଷଦର ବର୍ଣ୍ଣିତ ଦେବଦେବୀ ନୁହଁନ୍ତି । ଆଦିମ କାଳରୁ ମଣିଷ ପ୍ରକୃତିକୁ ପୂଜା କରି ଆସିଛି। ବୈଦିକ ଓ ପୌରାଣିକ ଦେବଦେବୀ ସୃଷ୍ଟି ପୂର୍ବରୁ ମଣିଷର ଆରାଧ୍ୟ ଥିଲା ପ୍ରକୃତି । ପ୍ରକୃତିର ବିଭିନ୍ନ ସ୍ୱରୂପ ଯଥା – ବୃକ୍ଷ, କାଠ, ବିଭିନ୍ନ ପ୍ରକାର ଧାତୁର ପ୍ରତୀକ, ପାହାଡ଼, ଡଂଗର, ବନଦେବୀ, ଝାର୍‌କୁଆଁରୀ, ବନଦୁର୍ଗା ଇତ୍ୟାଦିକୁ ଲୋକମାନେ ଲୋକ ଦେବତା ଭାବେ ଗ୍ରହଣ କରିଥାନ୍ତି ।

ଡ. କୁଞ୍ଜବିହାରୀ ଦାଶଙ୍କ ମତରେ, “ତାଙ୍କର ମନ୍ଦିର ଅଟ୍ଟାଳୀ ନାହିଁ, ଖଞ୍ଜପଡ଼ା ନାହିଁ , ଭାରତୀୟ ଦାରିଦ୍ୟର ମୂର୍ତ୍ତି ପ୍ରତୀକ ହୋଇ ମୁ୍‌କ୍ତ ପ୍ରାନ୍ତରରେ, ନଦୀ ବା ପୁଷ୍କରିଣୀ ତଟରେ, ବୃକ୍ଷମୂଳରେ ବା ରାସ୍ତାଧାରାରେ ସେ ପଡ଼ିଥାନ୍ତି”୧ ବୈଦିକ ଓ ପୌରାଣିକ ଦେବତାଙ୍କ ପୂଜା ଆରାଧନା ପାଇଁ ବ୍ରାହ୍ମଣ, ପଣ୍ଡିତ ସାଧାରଣ ଜନତାଙ୍କ ପାଇଁ ମଧ୍ୟସ୍ଥି ସାଜିଥାନ୍ତି । ମାତ୍ର ଲୋକ ଦେବଦେବୀଙ୍କର ପୂଜା ଆରାଧନା ପାଇଁ କୌଣସି ମନ୍ଦିର କିମ୍ବା ନିର୍ଦ୍ଦିଷ୍ଟ ସ୍ଥାନର ଆବଶ୍ୟକତା ନାହିଁ । ବ୍ରାହ୍ମଣ ପଣ୍ଡିତଙ୍କ ଆବଶ୍ୟକତା ନାହିଁ । ଏମାନେ ସାଧାରଣ ଲୋକଙ୍କ ଦ୍ୱାରା ପୂଜିତ ।

ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଭକ୍ତ ପୂଜା କିମ୍ବା ଆହ୍ୱାନ କରିଥାନ୍ତି ଲୋକେ । ବିଲରେ ହଳ କରୁଥିବା ସମୟରେ ହଳିଆ ମଧ୍ୟ ନିଜ ଗୀତରେ ଦେବୀ ସାରଳାଙ୍କୁ ବନ୍ଦନା କରୁଥିବା ଆଭାସ ମିଳେ କିଛି ଗୀତରେ ।

ବଏଲାରେ …

ଜୟ ମା ସାରଳା ବନ୍ଦନା କରେଁ ତତେ

ବନ୍ଦନା କରୁଛେଁ ମାତ ଗୋ ସରଳା

ହଲିଆ ଗୀତେ ତତେ ଗୋ ।୨

ଏହି ଲୋକ ଦେବଦେବୀଙ୍କୁ ପୂଜା କରିବାର ମୂଳରେ ଥାଏ ବିଶ୍ୱାସ । ବିଭିନ୍ନ ପ୍ରକାର ଲୋକ ଦେବତାଙ୍କୁ ଭିନ୍ନ ଭିନ୍ନ ବିଶ୍ୱାସରେ ପୂଜା କରାଯାଏ । ମନୋକାମନା ପୂର୍ଣ୍ଣ, ଗାଁର ମଙ୍ଗଳ କାମନା, ଉତ୍ତମ ଚାଷ ହେବା, ରୋଗ ଆଦି ଦୂର ହେବା ଆଦି ବିଶ୍ୱାସର ମୂଳରେ ଥାଏ। ଡ. ଦ୍ୱାରିକା ନାଥ ନାୟକଙ୍କ ମତରେ, “ଲୋକ ପାଇଁ ଲୋକ-ଦେବତା ହେଉଛି ଅଭିଭାବକ; ଯାହା ନିକଟରେ ନିଜର ସୁଖ ଦୁଃଖ, ହାନି ଲାଭ ସଂପର୍କରେ ଅନ୍ତରଙ୍ଗ ଭାବରେ ଜଣେଇ ଥାଏ ।”୩

ଲୋକ ନିଜ ସୀମିତ ପରିବେଶରେ ନିଜ ସାମର୍ଥ୍ୟ ମତେ ଲୋକ ଦେବତାଙ୍କ ଠାରେ ପ୍ରସାଦ ଲଗାଇଥାନ୍ତି । ବୈଦିକ ଦେବଦେବୀଙ୍କ ଠାରେ ଦିଆଯାଇଥିବା ପ୍ରସାଦ ଲୋକ ଦେବତାଙ୍କୁ ଦିଆଯାଏ ନାହିଁ । କ୍ଷୀରୀପିଠା ବଦଳରେ ଏମାନଙ୍କୁ ଦିଆ ଯାଏ ବଳି । ଘିଅ ବଦଳରେ ମଦର ଅଖଣ୍ଡ ଦୀପ ଜଳାଯାଏ । ସନ୍ତାନ ପ୍ରାପ୍ତି, ଭଲ ଚାଷ, ଭଲ ବର୍ଷା, ରୋଗ ଆଦି ନହେବା ପାଇଁ ଲୋକମାନେ ମନାସୀ (ବଦିଆଁ) କରିଥାଏ ବୋଦା, କୁକୁଡ଼ା । ଲୋକ ଦେବଦେବୀଙ୍କୁ ଭୋଗରାଗ ପ୍ରଦାନ କଲେ ସୁଫଳ ମିଳିଥାଏ ବୋଲି ସାଧାରଣ ଲୋକଙ୍କର ପ୍ରଚଣ୍ଡ ବିଶ୍ୱାସ ।

ଲୋକଗୀତ ହେଉଛି ଆଞ୍ଚଳିକତାର ବାର୍ତ୍ତାବହ । ସ୍ଥାନ ବିଶେଷରେ ପୂଜିତ ଦେବଦେବୀଙ୍କର ବନ୍ଦନା ଓ ପ୍ରାର୍ଥନା ବାର୍ତ୍ତା ପ୍ରଦାନର ସହାୟକ ।

ତେତେଲ୍ ପତର୍ ସୁରୁ

ବୁଢ଼ାରଜା ଦେବ୍‌ତା ଆମର୍ ଗୁରୁ

ତାକେ ଜୁହାର୍ କରୁଛୁଁ ଦୂରୁ ସଜନୀରେ ୪… (ସଜନୀ ଗୀତ)

ହୁମୋ ବଉଲୀ, ସଜନୀ, କର୍‌ମା, ଡାଲ୍‌ଖାଇ, ଢାପ ଆଦି ନୃତଗୀତର ଆରମ୍ଭରୁ ଇଷ୍ଟ ଦେବଦେବୀଙ୍କୁ ସ୍ମରଣ କରି ଗୀତ ପରିବେଷଣ କରିଥାନ୍ତି । ଲୋକ ବିଶ୍ୱାସ ଅଛି ଏହା ଦ୍ୱାରା ଗୀତ ପରିବେଷଣ/ସୃଷ୍ଟିରେ ବାଧା ଉପୁଜେ ନାହିଁ ।

ଚାଲୁ ହେଲା ହୁମୋ ଖେଲା ବଉଲୀରେ ଚାଲୁ ହେଲା ହୁମେ ଖେଲା

ଜୁହାର୍ ଜୁହାର୍ ସର୍ବମଙ୍ଗଲା, ଜୁହାର୍ ଜୁହାର୍ ସର୍ବମଙ୍ଗଲା

ପଦ ଆସୁ କୁଲାକୁଲା ବଉଲୀରେ ପଦ ଆସୁ କୁଲା କୁଲା ।୫

ପର୍ଥମୁ ଗାଉଛୁଁ ଗୀତ ବଉଲୀରେ ପର୍ଥମୁ ଗାଉଛୁଁ ଗୀତ

ଜୁହାର୍ ଜୁହାର୍ ଚଣ୍ଡାଲିପାଟ, ଜୁହାର ଜୁହାର୍ ଚଣ୍ଡାଲିପାଟ

ପଦ ଆସୁ ଝଟ ଝଟ ବଉଲୀରେ ପଦ ଆସୁ ଝଟ ଝଟ ।୬

(ହୁମୋ ଗୀତ)

ଗ୍ରାମର ଗୋଟିଏ ମୁଣ୍ଡରେ ବୁଢାରଜା, ଆଉ ଗୋଟିଏ ମୁଣ୍ଡରେ ମାହେଶ୍ୱରୀ ଗୁଡ଼ି, ଗୋଟିଏ ଦିଗରେ ସମଲେଶ୍ୱରୀ, ଅନ୍ୟ ଦିଗରେ ଗ୍ରାମପତି । ଗ୍ରାମର ସବୁ ସୁଖ ଦୁଃଖ ସମୟରେ ଏମାନେ ସାହା ହୋଇଥାନ୍ତି । ସେଥିପାଇଁ ଘରେ ଥିଲେ କି ବାହାରେ ଥିଲେ ସେମାନଙ୍କୁ ସ୍ମରଣ କରାଯାଏ । ହୁମୋ ଗୀତରେ ଦେବଦେବୀଙ୍କୁ ସ୍ମରଣ କରି ଗାନ କରାଯାଏ ।

ପ୍ରଥମେ ଗୀତ ଗାଆନ୍ତି ବଉଲୀରେ, ପ୍ରଥମେ ଗୀତ ଗାଆନ୍ତି

ପହେଲା ଜୁହାର୍ ସେ ଗ୍ରାମପତି, କଣ୍ଠେ ବସୁ ସରସ୍ୱତୀ

ବଉଲୀରେ ପ୍ରଥମେ ଗୀତ ଗାଆନ୍ତି ।୭

ମାଆଁ ବଲିକରି କରୁଛେଁ ଅର୍‌ଦଲି ଇ ମାଟିର୍ ଛୁଆ ମୁଇଁ

ସଂସାର ଯାକର୍ ଗୁହାରୀ ଶୁନୁଛୁ

ମୋର୍ ବେଲେ ଯିବୁ କାହିଁଗୋ ମାତ ସମଲେଶ୍ୱରୀ

ତୋର୍ ହାତେ ଦେବୁ ଧୁଲିଝାରି ଗୋ ମାତ ସମଲେଶ୍ୱରୀ ।୮

(ନଚନିଆ ଗୀତ)

ଦଶହରା ମାସ ହେଉଛି ଦେବୀ ମାସ । ଦଶହରା ମାସରେ ମାଁ ଦୁର୍ଗାଙ୍କୁ ସ୍ମରଣ କରି ଲୋକକବି ଡାଲ୍‌ଖାଇ ଗୀତରେ ଗାଇଥାଏ :–

ଡାଲ୍‌ଖାଇରେ …

ଭୁଦୋ ମାସ୍ ଗଲା ଦଶରା ହେଲା

ଗୁଡ଼ିଥିଁ ଢୋଲ୍‌ ନିଶାନ୍ ବାଜ୍‌ଲା

ମାଆଁ ଦଶଭୂଜା, ମାଆଁ ଦଶଭୂଜା

ଘରେ ଘରେ ରହି ପାଉଛନ୍ ପୂଜା

ସରବ ମଙ୍ଗଲା ମାତ ବିରଜା

ଶଙ୍କର ଘରନୀ ମହିଷା ମରନୀ

ଉମା ଗଉରୀ ମାଁ ଶାକମ୍ବରୀ

ଗିରି କୁମାରୀ କାଏଁ  ଡାଲ୍‌ଖାଇରେ… ୯

(ଡାଲ୍‌ଖାଇ)

ଧର୍ମ ଆଧାରିତ ପୌରାଣିକ କଥାବସ୍ତୁ ମନୁଷ୍ୟର ସଚେତନ ମନକୁ ନୂଆ ସାହସ ଦେଇଥାଏ । ଭଗବାନ ରାମ ଓ କୃଷ୍ଣ ଅବତାର ନେଇ ମର୍ତ୍ତ୍ୟରେ ଜନ୍ମ ନେଇଥିଲେ । ତାଙ୍କର ମହିମା ଓ ଚଳଣି ଆମ ଜୀବନକୁ ଚେତେଇବା ପାଇଁ ବହୁତ ସାହାଯ୍ୟ କରିଥାଏ । ସେଥିପାଇଁ ରାମ ଲକ୍ଷ୍ମଣଙ୍କ କଥା ହୁମୋ ବଉଲୀ ଗୀତରେ ବହୁତ ଶୁଣିବାକୁ ମିଳିଥାଏ ।

ତେର୍‌ତୟା ଯୁଗ ଚରିତ ବଉଲୀରେ ତେରତୟା ଯୁଗ ଚରିତ

ଅଯୋଧ୍ୟାନଗରେ ରାଜା ଦଶରଥ, ରାଣି ସାତସ ପଚାସ

କୌଶଲ୍ୟା ଗରଭୁଁ ରାମଙ୍କ ଜାତ ଲକ୍ଷ୍ମନ-ଶତ୍ରୁଘ୍ନ ସୁମିତ୍ରା ସୁତ

କୈକେୟୀରୁ ଯେ ଭରତ ବଉଲୀରେ ।୧୦

ରାମଚନ୍ଦ୍ର କେଡ଼େ ଲୁକ ରାମଚନ୍ଦ୍ର କେଡ଼େ ଲୁକ

ସୀତାକୁ ହରାଇ ପାଇଲେ ଦୁଃଖ, ସୀତାଙ୍କୁ ହରାଇ ପାଇଲେ ଦୁଃଖ

ଦେଖ ରାମଚନ୍ଦ୍ରର ଦୁଖ ବଉଲୀରେ ଦେଖ ରାମଚନ୍ଦ୍ର ଦୁଖ ।୧୧

ରାମ ମୋର ଏକାର୍ ବଲା ବଉଲୀରେ ରାମ ମୋର ଏକାର୍ ବଲା

ସାହା ହୋଇଥିବ ସର୍ବମଙ୍ଗଲା, ସାହା ହୋଇଥିବ ସର୍ବମଙ୍ଗଲା

ମୁଁ ଦେବି ମନ୍ଦାର ମାଲା ବଉଲୀରେ ମୁଁ ଦେବି ମନ୍ଦାର ମାଲା ।୧୨

ରାମ ବନବାସ ସମୟରେ ରାବଣ ସୀତାଙ୍କୁ ଚୋରାଇ ନେଲା । ଦୁଷ୍ଟ ରାବଣକୁ ମାରି ରାମ ସୀତାକୁ ଫେରାଇ ଆଣିଲେ । ରାମ ବନବାସ, ସୀତାକୁ ଅପହରଣ, ରାମ ରାବଣ ଯୁଦ୍ଧ, ସୀତାକୁ ଉଦ୍ଧାର ଇତ୍ୟାଦିକୁ ଆଧାର କରି ଅନେକ ଲୋକଗୀତ ଲୋକମୁଖରେ ପ୍ରଚଳିତ।

ଲୋକଗୀତରେ ଲୋକ ତାର ସୀମିତ ଜ୍ଞାନରେ ପ୍ରଭୁଙ୍କ ବର୍ଣ୍ଣନା କରିଥାଏ । ତାଙ୍କ ଲୀଳା ଚିତ୍ରଣ କରିଥାଏ । ହଳିଆ ଗୀତରେ ରାମାୟଣର ଚିତ୍ର ଅନେକ ଦେଖିବାକୁ ମିଳେ । ଅଯୋଧ୍ୟାର ଚିତ୍ର, ରାମ ରାବଣର ଯୁଦ୍ଧର ଚିତ୍ରକୁ ଗୀତ ଆକାରରେ ଖଞ୍ଜି ହଳ କରିବା ସମୟରେ ଅତି ବିଭୋର ହୋଇ ଗାଇଥାଏ ହଳିଆ ।

“ରାମ ରାବଣର ଭରିଆ ଯୁଦ୍ଧ ବେଲେ

ବାଜିଲା ନାରାଜ ଲଖନର ବୁକୁ ତଲେ ରେ ହ

କି ଧାରା ଧାର ହୋଇ ରୂଧିର ଗଲା ବହି

ଦେଖି ରଘୁନାଥ ମନେ ଗୋ ବିକଲ… ହ ।”୧୩

ତାସିନି ତାସିନି ସର ବଉଲୀରେ ତାସିନି ତାସିନି ସର

ପଛରେ ଖାଇଲେ ଲକ୍ଷ୍ମଣ ବୀର, ପଛରେ ଖାଇଲେ ଲକ୍ଷ୍ମଣ ବୀର

ସୀତାଙ୍କ ସାନ ଦିଅର ବଉଲୀରେ ସୀତାଙ୍କ ସାନ ଦିଅର

ତାଲ ପତ୍ର ଅଗି ମଲା ବଉଲୀରେ ତାଲ ପତ୍ର ଅଗି ମଲା

ସୀତାଙ୍କୁ ରାବଣ ଚୁରାଇ ନେଲା, ସୀତାଙ୍କୁ ରାବଣ ଚୁରାଇ ନେଲା

ଲଙ୍କା ଗଡ଼େ ଯୁଧ କଲା ବଉଲୀରେ ଲଙ୍କା ଗଡ଼େ ଯୁଧ କଲା ।୧୪

କଁଷି ବାଉଁଷର ଧନୁ ବଉଲୀରେ କଁଷି ବାଉଁଷର ଧନୁ

ସେ ଧନୁ ଧଇଲେ ରାମ ଲକ୍ଷ୍ମଣ, ସେ ଧନୁ ଧଇଲେ ରାମ ଲକ୍ଷ୍ମଣ

ନିଶ୍ଚେ ମରିବ ରାବଣ ବଉଲୀରେ ନିଶ୍ଚେ ମରିବ ରାବଣ ।୧୫

ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରି ଅନେକ ଲୀଳା ରଚନା କରିଥିଲେ । ଗୋପୀ ଗୋପାଳଙ୍କ ସଙ୍ଗେ ତାଙ୍କର ବାଲ୍ୟଲୀଳା ଓ ପ୍ରେମଲୀଳା ଅମୃତ ଠାରୁ ମଧ୍ୟ ମିଠା ଅଟେ । ସେଥିପାଇଁ ବଉଲୀ ଗୀତରେ ତାଙ୍କର ମୋହନୀ ରୂପକୁ ଚିତ୍ରିତ କରାଯାଇଛି:

ମହାପୁରୁ ଜନ୍ମ ନେଲେ ବଉଲୀରେ ମହାପୁରୁ ଜନ୍ମ ନେଲେ

ଆଜି ରାତିରେ ତ ସପନା ଦେଲେ, ବଡ଼ଦାଣ୍ଡେ ଖେଲୁ ଥିଲେ

ସୁବର୍ଣ୍ଣ ଥାଲିରେ ନାହି କାଟିଲେ, ରତ୍ନ ଖଟେଁ ଶୁଆଇଲେ ।୧୬

ମୁନୁଗା ଶାଗ କେରାକ ବଉଲୀରେ ମୁନୁଗା ଶାଗ କେରାକ

ବାହାରେ ବସିଛେ କଳା ମାଣିକ, ଉଡ଼ୁଛେ ବାଲ କେରାକ ।୧୭

ମଲିଫୁଲ ନାଲି ନାଲି ବଉଲୀରେ ମଲିଫୁଲ ନାଲି ନାଲି

କାଁ ବଲି ଡାକିମି ହାକୃଷ୍ଣ ବଲି ଆସୁ ଅଛନ ଢଲି ଢଲି ।୧୮

ବୁରୋ ଗଛ ଝୁଁପୁରେଇ ବଉଲୀରେ ବୁରୋ ଗଛ ଝୁଁପୁରେଇ

ସତ୍ୟଭାମା ଗଲେ ଅର୍ଘ୍ୟ ବନ୍ଦାଇ, ଯଶୋଦା ପୁଅ କହ୍ନାଇ ।୧୯

ଓଡ଼ିଶାର ଲୋକମାନେ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ଭାବେ ମାନି ଚଳି ଆସୁଛନ୍ତି । ଏମାନଙ୍କ ବିଶ୍ୱାସ ଅଛି ଯେ ଜଗନ୍ନାଥଙ୍କ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ । ଜଗନ୍ନାଥଙ୍କ ସାଜସଜ୍ଜା ତଥା ଦର୍ଶନର ମୋହକୁ ଲୋକକବି ନିଜ ଗୀତରେ ଗାଇ ଚାଲେ ।

ଏ…

ଚାଲ୍ ତ କୁଇଲିରେ ଉଡ଼ୁଶା କେ ଯିମା

ଜଗନ୍ନାଥ ପ୍ରଭୁଙ୍କର ଦର୍ଶନ କରିମା

ମାଲ ପଡିଥିବାରେ ଗଲାରୁ ପାଦ ଯାଏ

କର ଦରଶନ କାଉ ହେଲେରେ କୁଇଲି

ସକଲ ପାପ କ୍ଷୟେ ହୋ… ।୨୦               (ଶ୍ରମ ଗୀତ)

ଜଗନ୍ନାଥ ଜଗନ୍ନାଥ

ସବୁ କାମ କର ନାଇ ହାଥ

ଗୁଡ଼ ନାଇଁ ଥାଇ ଚଢ଼ ରଥ ସଜନୀରେ ।୨୧                (ସଜନୀ ଗୀତ)

ଭାରତୀୟ ସଂସ୍କୃତିରେ ଐଶ୍ୱର୍ଯ୍ୟର ପ୍ରତୀକ ହେଉଛନ୍ତି ଲକ୍ଷ୍ମଦେବୀ । ଶସ୍ୟ ମଧ୍ୟରେ ଧାନ ହେଉଛି ଶ୍ରେଷ୍ଠ । ଧାନରେ ଲକ୍ଷ୍ମୀଦେବୀଙ୍କ ମୂର୍ତ୍ତି, ଖଟୁଲୀ ଓ ଅନ୍ୟାନ୍ୟ ପୂଜା ସରଞ୍ଜାମ ତିଆରି କରାଯାଏ । ଦେବଗୁନିଆଁ ବା ଦେବଗୁରୁମାନେ ଲକ୍ଷ୍ମୀଦେବୀଙ୍କର ଚାରଣ ବା ଭାଟ । ପିତ୍ତଳ, କୁମ୍ଭ ଓ ମୁଠିରେ ବାଦ୍ୟ ଯନ୍ତ୍ର ତିଆରି କରି ସେମାନେ ଲକ୍ଷ୍ମୀଦେବୀଙ୍କର ବନ୍ଦନା କରନ୍ତି ଓ ଦେବୀଙ୍କର ଆବିର୍ଭାବ ସଂପର୍କରେ ବୟାନ କରିଥାନ୍ତି ।

ଚଣ୍ଡାଲ୍ ଘରେ ଅରନ୍ ଥିସି ବାମ୍‌ହନ୍ ଘରେ ଅରନ୍‌

ଅରନ୍ ଲକ୍ଷ୍ମୀ ନାଇଁ ବାରନ୍ ଜାତି ପାତି ବାରନ୍ ।୨୨

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଲକ୍ଷ୍ମୀଦେବୀ ସମସ୍ତଙ୍କ ମା । ତେଣୁ ସେ ଜାତି ଧର୍ମକୁ ଆଧାର କରି ପକ୍ଷପାତ ନ କରିବାକୁ ପ୍ରଭୁଙ୍କୁ ଚେତାଇ ଦେଇଛନ୍ତି । ଲୋକଗୀତରେ –

ଛତିଶ ପାଟକ ଯାକ ମୋର ଠାନୁ ଜାତ

ମତେ ଅନ୍ନ ବଲି ସଭେ ଲମେଇଛନ୍ ହାତ

ମୁଇଁ ଅନ୍ନ ମୁଇଁ ବ୍ରହ୍ମ ମୁଇଁ ତ ଆନନ୍ଦ

ମୋର ଆଖି ଜାତି ପାତି ନାଇଁ ଭଲମନ୍ଦ

ବାମ୍‌ହନ୍ ଘରେ ମୁଇଁ ପ୍ରଭୁ ଶୁଦ୍ର ଘରେ ମୁଇଁ

ଉତ୍‌ପତି ଛପନ ପୁଟି ଖାଉଛି ଗୁସେଇଁ

ସବୁ ସୃଷ୍ଟି ଏକା କୀଟ ଠାନୁ ବ୍ରହ୍ମ ପତେ

ଜାତି ଛାଡ଼ି ନାଇଁ ପାର୍‌ଲେ ଛାଡ଼ି ଦିଅ ମତେ ।୨୩

କର୍‌ମା ହେଉଛି ଏକ ବାଦ୍ୟ ଭିତ୍ତିକ ନୃତ୍ୟ । ଏଥିରେ ନୃତ୍ୟ ସଙ୍ଗୀତରେ ରାତି ପାହିଯାଏ । ପତ୍ର ପୁଷ୍ପରେ ସଜ୍ଜିତ ପୀଠରେ କରମ୍‌ସାନୀ ଦେବୀଙ୍କୁ ପୂଜା କଲେ ମନୋକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।

“ଜୁହାର୍ ମାଗୋ କରମ୍‌ସାନୀ

ଅପୁତ୍ରିକେ ପୁତ୍ରଦାନୀ

ତୋର୍ ପାଦେ କରୁଛେ ଜୁହାର୍ ଗୋ ମାଁ କରମ୍‌ସାନୀ

ଧନେ ଜନେ ଭରି ଦେବୁ ଘର…”୨୪

ଲୋକକବି ଯେ ଶୂନ୍ୟ ସତ୍ତାଙ୍କ ରହସ୍ୟ ପରି ଜୀବନ ଦର୍ଶନର ଚିତ୍ର ତାର ଗୀତରେ ଦେଇପାରେ ତାହା ବେଳେବେଳେ ଅବିଶ୍ୱସନୀୟ ହୋଇ ପଡ଼େ । ପ୍ରଭୁଙ୍କୁ ପାଇବାର ମାର୍ଗ ଖୋଜି ବସେ ସାଧାରଣ ଲୋକକବି । ଶୂନ୍ୟ ସତ୍ତାକୁ ପାଇବା ତଥା ତାଙ୍କ ସ୍ଥିତିର ବର୍ଣ୍ଣନା ହଳିଆ ଗୀତରେ ଦେଖାଯାଏ ।

“ଛନ୍‌କିଲା ମନରେ ଚନ୍ଦନ ଚିତାକୁ

ଚାହିଲେ ପାଇବୁ ଶୂନ୍ୟ ପରୁଷକୁ

ଶୂନ୍ୟ ପୁରୁଷର ଗାଦି ଉତ୍ତମ ବ୍ୟଭାର

କାଉଁରୀ ମଣ୍ଡଳ ରଥ ଉପରେ ଭ୍ରମର ଗୁନ୍ଥାଘର

ଭ୍ରମରରେ ଗୁନ୍ଥାଘରେ ମୟୂର କରେ ନାଚ ।”୨୫

ଈଶ୍ୱରଙ୍କୁ ଲୋକକବି ଏତେ ନିଜର ଭାବିଥାଏ ଯେ ତାଙ୍କୁ ଅଲୌକିକ ସ୍ତରରୁ ଲୌକିକ ସ୍ତରକୁ ନେଇଆସେ । ତାଙ୍କ ସହିତ ହାସ ପରିହାସ ମଧ୍ୟ କରିଥାଏ । ଥଟ୍ଟା ପରିହାସ କରି ତାକୁ ଆଲୋଚନା ମଧ୍ୟ କରିଥାଏ ଯାହା ନିମ୍ନ ଗୀତରୁ ଜଣା ପଡ଼େ :

“କଂସକୁ ମାରିଣ ସେ ରଖିଲ ପିତା ମାତା

ରଖି ନପାରିଲ ନିଜ ଘରୁଣୀ ହଜାଇ ଦେଇ ସୀତା

ହଜାଇ ଦେଇ ସୀତା…ହ ।”୨୬

ଲୋକଗୀତରେ ସଂପ୍ରଦାର ସ୍ଥାନ ସ୍ୱତନ୍ତ୍ର । ସଂପ୍ରଦାରେ ସଙ୍ଗୀତ ସାଙ୍ଗକୁ ବାଦ୍ୟ ଶୈଳୀର ଉତ୍କର୍ଷ ପ୍ରତି ଅଧିକ ଧ୍ୟାନ ଦିଆଯାଏ । ମୁଖ୍ୟ ବାଦ୍ୟ ମୃଦଙ୍ଗ । ରାତି ପାହିବା ପର୍ଯ୍ୟନ୍ତ ନୃତ୍ୟ ସଙ୍ଗୀତ ବାଦ୍ୟର ଆବୃତ୍ତି ଚାଲିଥାଏ । ଏଥିରେ ବାର୍ତ୍ତା ମଧ୍ୟ ସଂପୂର୍ଣ୍ଣ ଧର୍ମ ଭିତ୍ତିକ ଓ ସାଂପ୍ରଦାୟିକ ସଦ୍‌ଭାବନା ମୂଳକ:

“ଗୁଡ଼ି ମସ୍‌ଜିଦ୍ ଗିର୍‌ଜା ଖୁତି

ଖୁଜି ବୁଲି ନାଇଁ ପଡ଼ୁଛେ ଭୂତି

ମନ ଚଏତନ୍ ପର୍‌ଛା କଲେ

ଭଗବାନ୍ କେ ପାର୍‌ବୁ ଦେଖି ।୨୭”

ସାମାଜିକ ଜୀବନର ଶୃଙ୍ଖଳା ପାଇଁ ଲୋକ ଦେବଦେବୀଙ୍କର ମୁଖ୍ୟ ଭୂମିକା ରହିଛି । ଲୋକମାନଙ୍କର ପ୍ରତ୍ୟେକଟି ପର୍ବପର୍ବାଣୀ, ଲୋକଯାତ୍ରା ଆଦିର ସୃଷ୍ଟି ଏହି ଲୋକ ଦେବଦେବୀମାନଙ୍କୁ ନେଇ ତଥା ଲୋକ ବିଶ୍ୱାସ ଉପରେ ଆଧାରିତ । ଏହା ଦ୍ୱାରା ଲୋକର ସାମାଜିକ ଓ ସାଂସ୍କୃତିକ ଜୀବନର ଅଭିବୃଦ୍ଧି ଘଟେ ।

ସହାୟକ ସୂଚୀ :

୧)           ଦାଶ, ଡ. କୁଞ୍ଜବିହାରୀ               –              ‘ଓଡ଼ିଆ ଲୋକଗୀତ ଓ କାହାଣୀ’, ଶାନ୍ତିନିକେତନ, ବିଶ୍ୱଭାରତୀ, ପ୍ରଥମ ପ୍ରକାଶ, ୧୯୫୮, ପୃଷ୍ଠା – ୩୩୧

୨)           ନିଜସଂଗ୍ରହ, ପବିତ୍ର ମହାନନ୍ଦ     –              ବୁର୍ଲା, କର୍ମ∙ରୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ

୩)           ନାୟକ, ଡ. ଦ୍ୱିରିକାନାଥ             –              “ସମ୍ବଲପୁରୀ ଲୋକଗୀତରେ ସମାଜ ଜୀବନର ସ୍ୱରୂପ” ଓଡ଼ିଶା ବୁକ୍‌ଷ୍ଟୋର, ବିନୋଦ ବିହାରୀ, କଟକ, ୭୫୩୦୦୨, ପ୍ରଥମ ପ୍ରକାଶ, ୧୯୯୮, ପୃଷ୍ଠା – ୧୮୫

୪)           ନିଜସଂଗ୍ରହ, କମଳା ବାଗ          –              ଦେକୁଲ୍‌ବା ବରଗଡ଼

୫)           ସାହୁ, ପୂର୍ଣ୍ଣଚନ୍ଦ୍ର,

ପ୍ରଧା, ଗୌରଚରଣ, ଭୋଇ, ସୁକୁମାର      –              ‘ହୁମୋଗୀତ୍‌’, ସଂକଳନ, ଶିଳ୍ପ ବିକାଶ, ମେନରୋଡ଼, ସୋହେଲା, ବରଗଡ଼

୬)           ତତ୍ରୈବ     –              ପୃଷ୍ଠା – ୧

୭)           ନିଜ ସଂଗ୍ରହ, ତେଜୁରୁ ବାରିକ     –              ଶିକ୍ଷକ, ଖୁଣ୍ଟପାଲି ଉଚ୍ଚବିଦ୍ୟାଳୟ, ବରଗଡ଼ ।

୮)           ତତ୍ରୈବ

୯)           ତତ୍ରୈବ

୧୦)        ତତ୍ରୈବ

୧୧)        ତତ୍ରୈବ

୧୨)        ପବିତ୍ର ମହାନନ୍ଦ        –              କର୍ମଚାରୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ।

୧୩)        ନିଜ ସଂଗ୍ରହ, ତେଜୁରୁ ବାରିକ     –              ଶିକ୍ଷକ, ଖୁଣ୍ଟପାଲି ଉଚ୍ଚବିଦ୍ୟାଳୟ, ବରଗଡ଼ ।

୧୪)        ତତ୍ରୈବ

୧୫)        ତତ୍ରୈବ

୧୬)        ତତ୍ରୈବ

୧୭)        ତତ୍ରୈବ

୧୮)        ତତ୍ରୈବ

୧୯)        ନିଜ ସଂଗ୍ରହ, ଗୋପ ବନଚ୍ଛୋର୍‌,                –              କୁର୍ଲା, ବରଗଡ଼ ।

୨୦)        ନିଜ ସଂଗ୍ରହ, ଟୁନି ପାଢ଼ୀ            –              ଜ୍ୟୋତି ବିହାର କେମ୍ପସ୍‌, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୁର୍ଲା ।

୨୧)        ତତ୍ରୈବ

୨୨)        ତତ୍ରୈବ

୨୩)        ନିଜ ସଂଗ୍ରହ, କୁମ୍ପଟିଆ ବନଚ୍ଛୋର୍‌,             –              କୁର୍ଲା, ବରଗଡ଼ ।

୨୪)        ନିଜ ସଂଗ୍ରହ, ଗୋପକାହ୍ନୁ ଭୋଇ                –              ତାଲମେଣ୍ଡା, ବରଗଡ଼ ।

୨୫)        ତତ୍ରୈବ

୨୬)        ତତ୍ରୈବ

୨୭)        ନିଜ ସଂଗ୍ରହ, ତେଜୁରୁ ବାରିକ

–              ଶିକ୍ଷକ, ଖୁଣ୍ଟପାଲି ଉଚ୍ଚବିଦ୍ୟାଳୟ, ବରଗଡ଼ ।

ଲୋକଯାତ୍ରା ଆଦିର ସୃଷ୍ଟି ଏହି ଲୋକ ଦେବଦେବୀମାନଙ୍କୁ ନେଇ ତଥା ଲୋକ ବିଶ୍ୱାସ ଉପରେ ଆଧାରିତ । ଏହା ଦ୍ୱାରା ଲୋକର ସାମାଜିକ ଓ ସାଂସ୍କୃତିକ ଜୀବନର ଅଭିବୃଦ୍ଧି ଘଟେ ।

ଡଃ ପଦ୍ମନାଭ ପ୍ରଧାନ


Share Samadhwani
Support Samadhwani

About ଡଃ ପଦ୍ମନାଭ ପ୍ରଧାନ

Check Also

ଭୀମଭୋଇ : ଭୂମି ଓ ବିଭା(ପୁସ୍ତକର ସମୀକ୍ଷା)

Share Samadhwaniଭୀମଭୋଇଙ୍କ ଜୀବନୀ : ନୂଆ ଆଲୋକ କୌଣସି ଏକ ଉପନ୍ୟାସ ପାଇଁ ସଂଗୃହୀତ ଉପାଦାନ ଯେତେବେଳେ ଅନ୍ୟ ଏକ …