ଚିତ୍ତ ଯେଉଁଠି ଭୟପୂର୍ଣ୍ଣ, ଅବନତ ଯହିଁ ଶିର

3 Min Read

[box type=”shadow” align=”” class=”” width=””]ଉକ୍ତ ପ୍ରବନ୍ଧର ଲେଖକ ପ୍ରଫେସର ଭାଗବତ ପ୍ରସାଦ ଯିଏକି ଆମ ଗହଣରୁ ଦୁଇବର୍ଷ ହେଲା ଚାଲିଗଲେଣି, ସେ ସବୁବେଳେ କୁହନ୍ତି ନାରୀମାନେ ହିଁ ଆଜିର ବିଧ୍ୱଂଶରୁ ଭାରତକୁ ଓ ବିଶ୍ଵକୁ ରକ୍ଷା କରିପାରିବେ । ସେମାନେ ଭବିଷ୍ୟତ ଭାରତର ନେତୃତ୍ୱ ନେବେ । ସାହିନବାଗରେ ଓ ସମଗ୍ର ଦେଶରେ ନାରୀମାନଙ୍କ ଦ୍ୱାରା ଏନଆରସି ଓ ସିଏଏ ବିରୁଦ୍ଧରେ ଯେଉଁ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହୋଇଛି ତାଙ୍କର ସେହି କଥାଟିକୁ ପୁଣିଥରେ ମାନେପକାଇଦିଏ । ସବୁ ପ୍ରତିକୂଳ ପରିସ୍ଥିତିକୁ ସାମନାକରି ନାରୀ ସମାଜ ଭବିଷ୍ୟ ବଂଶଧର ମାନଙ୍କର ସୁରକ୍ଷାର ପ୍ରସଙ୍ଗରେ ଆଜି ରାଜରାସ୍ତାରେ ଦଣ୍ଡାୟମାନ । ରବିନ୍ଦ୍ରନାଥଙ୍କର ସେହି କଥାଟି ଏଠି ପ୍ରାସଙ୍ଗିକ ଯେ; ‘ଜୀବନ ଯେଉଁଠି ଭୟଶୂନ୍ୟ, ଉନ୍ନତ ଯହିଁ ଶିର’ – ସମ୍ପାଦକ[/box]

ପରାଧୀନ ଭାରତର ଚିନ୍ତକମାନେ କିଭଳି ସ୍ୱାଧୀନ ଭାରତକୁ ଗଢ଼଼ିବାକୁ ଚାହୁଁଥିଲେ, ତାହା ରବି ଠାକୁରଙ୍କ ‘ଜୀବନ ଯେଉଁଠି ଭୟଶୂନ୍ୟ, ଉନ୍ନତ ଯହିଁ ଶିର’ କବିତାରେ ସ୍ପଷ୍ଟ ହୋଇଯାଇଛି । ଆଜିର ଭାରତରେ ଜୀବନ ଭୟପୂର୍ଣ୍ଣ, ଶିର ଅବନତ । ହେତୁବାଦୀମାନେ ଏଠାରେ ଅସୁରକ୍ଷିତ ।

କଥା ଓ ଲେଖାର ସ୍ୱାଧୀନତା ଧୀରେ ଧୀରେ ଉଭାଇ ଯାଉଛି । ଯେଉଁ ଦେଶର ପ୍ରଧାନ ମୂଲ୍ୟବୋଧ ହେଉଛି ଅହିଂସା, ସେ ଦେଶରେ ହିଂସା ଓ ହତ୍ୟାକୁ ପ୍ରଧାନ ସ୍ଥାନ ଦିଆଯାଉଛି । ଏହାଠୁ ଅଧିକ ଦୁରବସ୍ଥା ଆଉ କଣ ହୋଇପାରେ? କେଉଁ ଯୋଗର କଥା ପ୍ରଚାର କରୁଛନ୍ତି ଆଚାର୍ଯ୍ୟ ରାମଦେବ?

ଯୋଗର ପ୍ରଧାନ ମୂଲ୍ୟବୋଧଗୁଡ଼ିକ ତ ଅହିଂସା, ମୈତ୍ରୀ, କରୁଣା, ମୁଦିତା । ଏସବୁ ଛାଡ଼ି କେବଳ ଆସନ, ପ୍ରାଣାୟମ କଲେ କଣ ଯୋଗ ସାଧନ ହୋଇଗଲା?

ଗୀତାରେ ତ ପରିଷ୍କାର କୁହାଯାଇଛି ସମତ୍ୱଂ ଯୋଗ ଉଚ୍ୟତେ । ପାତଞ୍ଜଳି ଯୋଗ ଦର୍ଶନରେ ଲେଖା ଅଛି ଯୋଗଃ ଚିତ୍ତ ବୃତ୍ତି ନିରୋଧଃ । ଚିତ୍ତ ବୃତ୍ତି ନିରୋଧ କେବଳ ଚିତ୍ତର ସମତ୍ୱ ଓ ଉଚିତ୍ ମୂଲ୍ୟବୋଧର ସାଧନା ଦ୍ୱାରା ସମ୍ଭବ । ବିଶ୍ୱର ସବୁଦେଶରେ ଦୁଇଟି ସଂସ୍କୃତିର ଅବସ୍ଥାନ ଦେଖିବାକୁ ମିଳୁଛି ।

ଗୋଟିଏ ହେଉଛି ଯୋଦ୍ଧା ସଂସ୍କୃତି । ଆରଟି ହେଉଛି ଯୋଗୀ ସଂସ୍କୃତି । ଯୋଦ୍ଧା ସଂସ୍କୃତିର ଚରମ ବିକାଶ ଦେଖିବାକୁ ମିଳେ ଆମେରିକା, ୟୁରୋପ ଓ ଇସ୍‌ଲାମୀୟ ଦେଶମାନଙ୍କରେ । ଯୋଗୀ ସଂସ୍କୃତିର ଚରମ ବିକାଶ ଘଟିଥିଲା କେବଳ ଅତୀତର ଅବେଦୀୟ ଭାରତବର୍ଷରେ । କୌଟିଲ୍ୟ ଯୋଗୀ ସଂସ୍କୃତିକୁ ପୃଥବୀର ଶ୍ରେଷ୍ଠ ସଂସ୍କୃତି କହନ୍ତି (ଅର୍ଥଶାସ୍ତ୍ର) । ଏହା ପୂର୍ଣ୍ଣମାତ୍ରାରେ ହେତୁବାଦୀ (ଅର୍ଥଶାସ୍ତ୍ର) ।

ଯୋଦ୍ଧାସଭ୍ୟତା ପୂର୍ଣ୍ଣ ଭାବରେ ଶକ୍ତିବାଦୀ (ବୀର ଭୋଗ୍ୟା ବସୁନ୍ଧରା) । ବୁଦ୍ଧ, ମହାବୀର, ଗାନ୍ଧୀ ଯୋଗୀସଭ୍ୟତାର ଶ୍ରେଷ୍ଠଦାୟାଦ । ବୁଦ୍ଧଙ୍କ ଉପଦେଶ ଥିଲା ଯୋଦ୍ଧା ସଭ୍ୟତାର ଅତ୍ୟାଚାରରୁ ଯୋଗୀସଭ୍ୟତାକୁ ରକ୍ଷା କରିବାପାଇଁ ଆତ୍ମରକ୍ଷାମୂଳକ ଯୁଦ୍ଧ ଲଢ଼ିବା ଦୋଷାବହ ନୁହେଁ, କିନ୍ତୁ କୌଣସି ପରିସ୍ଥିତିରେ ଆକ୍ରାମକ ଯୁଦ୍ଧ ଲଢ଼ିବା (ଅନ୍ୟଦେଶକୁ ନିଜ ଦଖଲକୁ ଆଣିବା) ଉଚିତ୍ ନୁହେଁ । ମହାଭାରତ କହେ ପ୍ରାଚୀନ ଭାରତୀୟ ସଂସ୍କୃତିର ମୁଖ୍ୟ ଉପାଦାନ ହେଉଛି ଯୋଗ ।

ମହାଭାରତର ଶାନ୍ତି ପର୍ବରେ ଲେଖାଅଛି ସତ୍ୟଯୁଗରେ ଯଜ୍ଞ ନଥିଲା, କିନ୍ତୁ ଯୋଗଥିଲା । ଯଜ୍ଞର ବ୍ୟବହାର ଆରମ୍ଭ ହୋଇଥିଲା ତ୍ରେତା ଯୁଗରେ । ଜାତିପ୍ରଥା ମଧ୍ୟ ତ୍ରେତା ଯୁଗରେ ଆରମ୍ଭ ହୋଇଥିଲା । ଯୋଗ ଯୁଗର (ସତ୍ୟ ଯୁଗ) ଲୋକାୟତ ଦର୍ଶନ ଜାତି ପ୍ରଥାର ଘୋର ବିରୋଧୀ ଥିଲା ।

ହିନ୍ଦୁତ୍ୱବାଦୀମାନେ ଯୋଦ୍ଧା (ହିଟ୍‌ଲରୀୟ) ସଂସ୍କୃତିର ଅନୁକରଣ କରି ପ୍ରକୃତ ଭାରତୀୟ ସଂସ୍କୃତିକୁ ପ୍ରଚଣ୍ଡ ଧକ୍କା ଦେଉଛନ୍ତି । ପ୍ରାୟ ସବୁ ଯୋଦ୍ଧାସଭ୍ୟତା ଭୋଗବାଦୀ ଓ ନାରୀଲୋଭୀ ।

ବର୍ତ୍ତମାନ ପୃଥିବୀର ସର୍ବନାଶ କରୁଥିବା ଦୁଇ ଭୟଙ୍କର ଉପାଦାନ ହେଉଛନ୍ତି ଜଳବାୟୁ ନଷ୍ଟହେବା ଓ ସମରସଜ୍ଜାରେ ଅର୍ଥ ବରବାଦ କରିବା । ଏହି ଦୁଇଟି କେବଳ ଯୋଦ୍ଧାସଭ୍ୟତାର ଅବଦାନ ।

ଯୋଗୀ ସଭ୍ୟତାରେ ଅପରିଗ୍ରହ ଓ ଅହିଂସା ଦୁଇଟି ମୁଖ୍ୟ ମୂଲ୍ୟବୋଧ ।

ସୌଜନ୍ୟ – ସମଦୃଷ୍ଟି

Photo credit- https://www.google.co.in/search?q=where+the+mind+is+without+fear&safe=active&biw=1366&bih=657&tbm=isch&sxsrf=ACYBGNRfBPxBK6nPmqo4HYBtOx5Z-reoWQ:1581002646858&source=lnms&sa=X&ved=0ahUKEwjVjJ7pnb3nAhXOSH0KHXF0B_AQ_AUICigB#imgrc=ySc6Wba2iADMyM
Share This Article
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ