Home / ସାହିତ୍ୟ ସଂସ୍କୃତି / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଶ୍ରୀମତୀ ମାଳତୀ ଚୈାଧୁରୀ-୨

ଶ୍ରୀମତୀ ମାଳତୀ ଚୈାଧୁରୀ-୨

Share Samadhwani

ବଂଗ ଦେଶରେ ଜୀବନର ପ୍ରଥମ ୨୩ ବର୍ଷ

୧୯୦୪ ମସିହା ୨୬ ଜୁଲାଇ ଦିନ ଏକ ସମ୍ପନ୍ନ , ପ୍ରତିଷ୍ଠିତ ବଂଗଳୀ ପରିବାରରେ ମାଳତୀ ଦେବୀଙ୍କର ଜନ୍ମ ହୋଇଥିଲା । ପିତା ଥିଲେ ଜଣେ ବାରିଷ୍ଟର, ଅଜା ଥିଲେ ଆଇ ସି ଏସ ଅଫିସର, ଏକଦା କଟକରେ ଥିଲେ ଜିଲ୍ଲା ଜଜ । କିନ୍ତୁ ୬ଜଣ ଭାଇ ଭଉଣୀ ଭିତରେ ସବୁଠାରୁ କନିଷ୍ଠ ଥିଲେ ମିନୁ । ମିନୁ ତିନି ବର୍ଷ ବୟସର ହେଲା ବେଳକୁ ହୋଇଗଲେ ପିତୃହରା । ପିଲା ବେଳେ ମିନୁ ବେଶ ଚଂଚଳ ଥିଲେ, ଚପଳ ଥିଲେ, ଅମାନିଆ ଥିଲେ-ଏହି ଅର୍ଥରେ ଯେ ସେ ପ୍ରଶ୍ନ କରୁଥିଲେ । ଯେପରି ମା ଯେତେବେଳେ ତାଙ୍କର ଦୁଷ୍ଟାମୀ ପାଇଁ ଦଣ୍ଡ ଦେଇ କହୁଥିଲେ “ଯା, ସେଇ ଘର କୋଣରେ ଚୁପ କରି ଦଶ ମିନିଟ ଠିଆ ହେବୁ ।” ସେ ଯାଇ କୋଣରେ ଠିଆ ହୋଇ ଦାଦା ଝିଅ ଭଉଣୀକୁ କହୁଥିଲେ, “ଯା, ମାଙ୍କୁ ପଚାରିବୁ କୁଆଡକୁ ମୁଁହ କରି ଠିଆ ହେବି, କାନ୍ଥ ଆଡକୁ ନା ବାହାରକୁ ।” ଭୁଲ ଅଭିଯୋଗ ବିରୋଧରେ ଜବାବ ଦେବାର ଅଭ୍ୟାସ ମିନୁଙ୍କର ଥିଲା, ଏପରି କି ଜେଜେମାଙ୍କୁ ମଧ୍ୟ । ତେଣୁ ଶୁଣିବାକୁ ହେଉଥିଲା ମାଙ୍କ ତାଗିଦ, “ଜମା ଜବାବ ଦେବୁ ନାହିଁ ।” ଯାହା ପୁଅ ପିଲା ମାନେ ସାଧାରଣତଃ କରନ୍ତି ଯେପରି ଗଛ ଚଢିବା, ଧନୁଶର ମାରିବା, ଲାଠି ଖେଳିବା, ରଣପା ଚଢି ବୁଲିବା ଏ ସବୁ ସେ କରୁଥିଲେ । ହୁଏତ ସେ ଶୁଣୁ ଥିବେ ଯେ ଝିଅଟା ଅଣ୍ଡିରାଚଣ୍ଡି । ଜେଜେମା ତ କହୁଥିଲେ, “ଝିଅଟାର କୌଣସି ଦିନ ବୁଦ୍ଧି ହେବ ନାହିଁ । ଲୋକଙ୍କ ସାଂଗରେ କେମିତି ଚଳିବ ? ତା ଯୋଗୁଁ ଲଜ୍ଜାରେ ମୁଣ୍ଡ ତଳକୁ ହୋଇଯିବ । ” (ମିନୁ ରୁ ନୁମା ,କୃଷ୍ଣା ମହାନ୍ତି, ବହ୍ନିବଳାକା, ପୃ ୨୩) ମିନୁଙ୍କର ଏହି ଦିଗଟି ତାଙ୍କୁ ତାଙ୍କ ସମସାମୟିକ ବାଳିକାଙ୍କ ଭିତରେ ଆକର୍ଷଣୀୟ କରି ଦେଇଥିଲା । ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନଙ୍କ ମାତା ଅମିତା ସେନ କୁହନ୍ତି, “ମିନୁଦି ଓ ମଂଜୁଦି ଥିଲେ ଆମ ଆଶ୍ରମ ବାଳିକାମାନଙ୍କର ସବୁକିଛି-ଖେଳକୁଦ ଆନନ୍ଦ ଉତ୍ସବ ସବୁଥିରେ ସେମାନେ ଥିଲେ ଆମର ପଥପ୍ରଦର୍ଶକ ।…ଛାତ୍ରୀମାନଙ୍କ ଭିତରେ ମିନୁଦି ଓ ମଂଜୁଦି, ଏ ଦୁଇଜଣ ଥିଲେ ଆମର ଲିଡର, ଆମେ ସମସ୍ତେ ସେମାନଙ୍କୁ ଭାରି ପସନ୍ଦ କରୁଥିଲୁ । ମିନୁଦି ଖୁବ ହେ ଚେ କରିପାରୁଥିଲେ । ତାଙ୍କର ସ୍ୱାବଲମ୍ବୀ ମନୋଭାବ ଆମକୁ ଅବାକ୍ କରୁଥିଲା ।” (ମାଳତୀ ଚୈାଧୁରୀ-ଆଶ୍ରମ କନ୍ୟା ମିନୁ ଦି, ଅମିତା ସେନ, ନୁମା ଶତବାର୍ଷିକୀ ସ୍ମୃତି ଚାରଣ, ପୃ ୮୯) ଅମିତା ସେନଙ୍କର ଏହି ଅଭିଜ୍ଞତା ଶାନ୍ତିନିକେତନରେ ମାଳତୀ ଦେବୀଙ୍କର ଛାତ୍ରୀ ସମୟର ।

ଶାନ୍ତିନିକେତନରେ ପ୍ରବେଶ

କିପରି ମାଳତୀ ଦେବୀ ଶାନ୍ତିନିକେତନକୁ ଆସିଲେ, ତାହା ଜାଣିବା ବେଶ ରୋଚକ ହେବ । ଏହା ହୋଇପାରେ ତାଙ୍କର ସ୍ୱାଧୀନ ମନୋବୃତ୍ତି ପ୍ରକାଶ କରିବାର ଏକ ଆଦ୍ୟ ଦୃଷ୍ଟାନ୍ତ । ଘଟଣାଟି ସମ୍ପର୍କରେ ମାଳତୀ ଦେବୀଙ୍କ ଝିଅ କୃଷ୍ଣା ମହାନ୍ତି ଲେଖନ୍ତି, “୧୯୨୦-୧ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧୀଜୀଙ୍କ ନେତୃତ୍ୱର ଅଭୂତପୂର୍ବ ଉନ୍ମାଦନା ଓ ପ୍ରଭାବ । ସଚେତନ ଯୁବକ ଯୁବତୀମାନେ ସରକାରୀ ସ୍କୁଲ କଲେଜ ଛାଡିଲେ । ମିନୁ ମଧ୍ୟ ମାଟ୍ରିକର ଶେଷ ବର୍ଷରେ ପାଠ ପଢିବ ନାହିଁ କି ପରୀକ୍ଷା ଦେବନାହିଁ ବୋଲି ଠିକ କରି ରଂଗପୁରରେ ରହୁଥିବା ଖୁଡୀଙ୍କ ପାଖକୁ ଚାଲିଗଲା । ତା ମା ଅନେକ ବୁଝାଇବାରୁ ଏଇ ସର୍ତ୍ତରେ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ରାଜି ହେଲା ଯେ ସେ କଲେଜରେ ପଢିବ ନାହିଁ, ଶାନ୍ତିନିକେତନରେ ରବୀନ୍ଦ୍ରନାଥ ଠାକୁରଙ୍କ ପାଖରେ ରହି ଶିକ୍ଷା ଲାଭ କରିବ । ସେତେବେଳେ ଶାନ୍ତିନିକେତନରେ ଝିଅ ମାନଙ୍କର ରହିବାର ବ୍ୟବସ୍ଥା ହୋଇ ନ ଥିଲା ।….ମିନୁର ସର୍ତ୍ତ ଓ ଅଭିଳାଷ ଜଣାଇ (ମିନୁଙ୍କ ମା)ସ୍ନେହଲତା ରବୀନ୍ଦ୍ରନାଥଙ୍କୁ ଏକ ପତ୍ର ଲେଖିଲେ । ରବୀନ୍ଦ୍ରନାଥ ଚିଠି ପାଇବା ମାତ୍ରେ ଉତ୍ତର ଦେଲେ ଯେ ସ୍ନେହଲତା ଯଦି ଆସି ପିଲାଙ୍କ ପଢାଇବାର ଦାୟିତ୍ୱ ନେବେ ଖୁବ ଭଲ ହେବ । ସ୍କୁଲ ପିଲାଙ୍କୁ ଇଂରାଜୀ ପଢାଇବା କାମକୁ ଆନନ୍ଦରେ ଗ୍ରହଣ କରି ମାଳତୀଙ୍କୁ ସାଂଗରେ ନେଇ ସ୍ନେହଲତା ଶାନ୍ତିନିକେତନରେ ରହିଲେ । ମାଳତୀର ଆଗ୍ରହ ଦେଖି ଗୁରୁଦେବ ରବୀନ୍ଦ୍ରନାଥ ଆଉ ୮/୯ ଜଣ ଝିଅକୁ ଏକାଠି କରି ପ୍ରଥମ କନ୍ୟାଛାତ୍ରାଳୟ ଆରମ୍ଭ କଲେ ଓ ସ୍ନେହଲତା ହେଲେ ସେ ଛାତ୍ରାଳୟର ପ୍ରଥମ ପରିଚାରିକା ….” (ମିନୁରୁ ନୁମା, କୃଷ୍ଣା ମହାନ୍ତି, ବହ୍ନିବଳାକା, ପୃ୨୩)

ସଂଗୀତଜ୍ଞ ମିନୁ

ଶାନ୍ତିନିକେତନରେ ମିନୁଙ୍କର ସଂଗୀତ ଓ କଳାରେ ଆଗ୍ରହର ପରିସ୍ଫୁଟନ ହୋଇଥିଲା । ସେ “ସଂଗମେଶ୍ୱର ଶାସ୍ତ୍ରୀଙ୍କ ଠାରୁ ବୀଣା ବାଦନ ଶିଖି” ପାରଦର୍ଶିତା ଲାଭ କରିଥିଲେ । ଗୁରୁଦେବଙ୍କ ରଚିତ ବହୁ ନାଟକରେ ସେ ଅଭିନୟ କରିଥିଲେ । ଅଭିନୟ କରିଥିବା ଶେଷ ନାଟକଟି ଥିଲା ‘ନଟୀର ପୂଜା’ ଯେଉଁଥିରେ ତାଙ୍କର ରାଣୀ ଲେକେଶ୍ୱରୀର ଭୂମିକାରେ ଅଭିନୟ ବେଶ ପ୍ରଶଂସାଭାଜନ ହୋଇଥିଲା ।(ମିନୁରୁ ନୁମା, କୃଷ୍ଣା ମହାନ୍ତି, ବହ୍ନିବଳାକା, ପୃ୨୪) ନିଜେ ରବୀନ୍ଦ୍ରନାଥ କହିଥିଲେ, “ମିନୁ , ତୁଇ ଆଜକେ ମାତ୍ କରେ ଦିଲି ।” ସଂଗୀତରେ ପାରଦର୍ଶିତା ଯୋଗୁଁ ରବୀନ୍ଦ୍ରନାଥ ମିନୁଙ୍କୁ ‘ସୁରେର ସ୍ମାରକୀ’ ବୋଲି ସମ୍ବୋଧନ କରୁଥିଲେ । (ବହ୍ନିମାନ, ପ୍ରଫୁଲ୍ଲ ଦାସ, ପୃ୪୩)

…କ୍ରମଶଃ

Photo credit-https://bit.ly/3EvKDXJ

https://bit.ly/2Y0Ck6G


Share Samadhwani
Support Samadhwani

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ଅବିସ୍ମରଣୀୟ ପ୍ରତିଭା କେଶବ କବିଙ୍କ ସ୍ମରଣେ

Share Samadhwaniଯେପରି ବଣ ମଲ୍ଲୀ ଅରଣ୍ୟ ବନାନୀ ରେ ପ୍ରସ୍ଫୁଟିତ ହୋଇ ଵୃନ୍ତ ଚ୍ୟୂତ ହୋଇଯାଇ ବନ ଭୂମିରେ ଖସିପଡେ …