ଗଁଡ଼ାବଜା ହେଉଛି ପଶ୍ଚିମ ଓଡ଼ିଶା ଲୋକ ସଂସ୍କୃତିର ତଥା ଗଁଡ଼ା ସଂପ୍ରଦାୟର ଏକ ସାମୂହିକ ସଂପତ୍ତି । ହଜାରେ ବର୍ଷ ପୂର୍ବରୁ ଏହି ଗଁଡ଼ା ବଜାକୁ ବିଭିନ୍ନ ଦେବାଦେବୀଙ୍କ ସେବା ତଥା ମାନବ ଜାତିର ରୀତିନୀତି, ବିବାହ, ଇତ୍ୟାଦି… ଜନ୍ମୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରଥାରେ ବ୍ୟବହାର ହୋଇ ଆସୁଛି । ଏହା ଅନ୍ୟ ଜାତିର କାର୍ଯ୍ୟକ୍ରମଗୁଡ଼ିକରେ ସେବା କରିବା ପାଇଁ ନିର୍ଦ୍ଧାରିତ ହୋଇଛି ।
ବର୍ତ୍ତମାନ କିନ୍ତୁ ଏହି ଆଧୁନିକ ଯୁଗରେ ଓ ବିଶ୍ୱିକରଣ କାରଣରୁ ଏହି ବଜା ଓ ବଜନିଆଁ ମାନେ ବିପଦାମୁଖୀ । ତଥାପି ତାଙ୍କର ପୈତୃକ ସମ୍ପତ୍ତି ଗଁଡ଼ାବଜାକୁ ବଞ୍ଚେଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ବିଭିନ୍ନ କାର୍ଯ୍ୟକ୍ରମରେ ପରିବେଷଣ କରିବା ସମୟରେ ଏହି ବଜନିଆମାନେ ଅସମ୍ମାନିତ ହେଉଛନ୍ତି ଓ ଉଚିତ୍ ପାରିଶ୍ରମିକ ପାଉ ନାହାନ୍ତି । ଯେହେତୁ ସେମାନେ ମଧ୍ୟ ଦେବାଦେବୀଙ୍କ ପୂଜାରୀ, କାରଣ ତାଙ୍କ ଦ୍ୱାରା ବାଜୁଥିବା ବାଦ୍ୟଯନ୍ତ୍ରର ଶବ୍ଦ ତରଙ୍ଗରେ ହିଁ ଦେବାଦେବୀ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଆସିଛି, ସେହି ବିଶ୍ୱାସପାଇଁ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଏ। ସେମାନେ ମଧ୍ୟ ଆନନ୍ଦରେ ନିମନ୍ତ୍ରଣକୁ ସମ୍ମାନ ଦେଇ ବିଧି ବିଧାନ ତଥା ପରଂପରା ଅନୁସାରେ ପୂଜାପାର୍ବଣ ବିବାହ ଉତ୍ସବ, ଯାନିଯାତରାକୁ ଆସି ବାଦ୍ୟଦ୍ୱାରା ଧର୍ମୀୟ ଭାବନାକୁ ଓ ସାମାଜିକ ପ୍ରଥାକୁ ବଞ୍ଚାଇ ରଖିଥାନ୍ତି।
ଏହି ଜାତିର କୌଳିକ ବୃତ୍ତି ଓ ପ୍ରଥାକୁ ସରକାର ମାନ୍ୟତା ଦେଲେ ସେମାନେ ଅଧିକ ଉତ୍ସାହିତ ହେବେ ଓ ବଜା ବଂଚି ରହିବ । ସରକାରୀ ସ୍ତରରେ ଗଁଡ଼ାବଜାକୁ ମାନ୍ୟତା ଦିଆଗଲେ ଯାଇ ଗଁଡ଼ା ସମ୍ପ୍ରଦାୟ ଭିତରେ ଆତ୍ମା ବିଶ୍ୱାସ ଫେରିବ ।
ସବୁଠାରୁ ଦୁଃଖର କଥା ହେଲା ଆମ ଅଂଚଳର ବଜା ପାର୍ଟି ମାନେ ଛତିଶଗଡ଼୍ ବଜାରରେ ମୁଳଦାମ୍ରେ ବଜେଇବା ପାଇଁ ବିକ୍ରି ହେଉଛନ୍ତି ଯଥା ରାୟପୁର, ବିଲାସପୁର, ଚାଁପା ଇତ୍ୟାଦି ଜାଗାରେ ପନିପରିବା ଭଳିଆ ବଜାକୁ ରଖି ଦଳଗୁଡ଼ିକ ଗାଁ ଗାଁ ଯାଇଥାନ୍ତି ।
ଖୁସିର କଥା ହେଲା ଏହି ବଜାଦଳ ଦୀପାବଳୀରେ ଯେତେବେଳେ ଛତିଶଗଡ଼ ଯିବେ ତାଙ୍କ ପାଇଁ ଛତିଶଗଡ଼ ସରକାର ରହିବାର, ଖାଇବାର ବ୍ୟବସ୍ଥା କରି ଉଚିତ୍ ପାରିଶ୍ରମିକ ବ୍ୟବସ୍ଥା କରୁଛନ୍ତି ଓ ତା ସହ ଉଚିତ ସମ୍ମାନ ମଧ୍ୟ ଦେଉଛନ୍ତି । ତେଣୁ କଳାକାରମାନେ ପ୍ରତି ବର୍ଷ ଛତିଶଗଡ଼ର ବଜାର ବଜାର ଯିବା ପାଇଁ ମାସକ ପୂର୍ବରୁ ତାଙ୍କର ଆଖଡ଼ା ଚାଲୁ କରନ୍ତି । ଗଁଡ଼ା ବଜାର ମହତ୍ୱ ଅନ୍ୟ ରାଜ୍ୟରେ ବେଶି ରହୁଛି ତେଣୁ ସେମାନେ ଯିବାପାଇଁ ଆଗ୍ରହପ୍ରକାଶ କରୁଛନ୍ତି । ସେଠି ସରକାର ଓ ଲୋକେ ବଜନିଆଁଙ୍କ ପରଂମ୍ପରାକୁ ଉଚିତ୍ ସମ୍ମାନ ଦେଉଛନ୍ତି ।
ସରକାରଙ୍କୁ ଏଠାରେ ଏତିକି ଅନୁରୋଧ ଯେ;
୧) ପଶ୍ଚିମ ଓଡ଼ିଶାରେ ଗଁଡ଼ା ବଜାର ମହତ୍ୱ ବାବଦରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ କରନ୍ତୁ ।
୨) ସରକାରୀ ଭାବରେ କନଫ୍ରେନ୍ସ ସେମିନାର, ପାରମ୍ପରିକ ‘ଗଁଡ଼ାବଜା’ ଉତ୍ସବ (ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ଓ ପଞ୍ଚାୟତ ସ୍ତରୀୟ କରି ତାଙ୍କୁ ସମ୍ମାନିତ କରାଯାଉ ।)
୩) ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମରେ ‘ଗଁଡ଼ାବଜା’ କୁ ସାମିଲ କରାଯାଉ
୪) ଗଁଡ଼ାବଜା ବଜାଇବାର କୌଶଳ ଶିକ୍ଷାଦାନ (ବଜନିଆଁ ଗୁରୁ ଓ ବଜନିଆଁ ଜାତିର ଶିଷ୍ୟଙ୍କୁ ନେଇ ) । ପ୍ରତ୍ୟେକ ବ୍ଲକରେ ଏକ ‘ଗଁଡ଼ାବଜା’ ବା ପାରମ୍ପରିକ ବଜାର ମିଟିଂ ହଲ ବା ଅଫିସ କରାଯାଉ ।
୫) ‘ଗଁଡ଼ାବଜା’ ଉତ୍ସବ ପ୍ରେସେନିଅମ୍ ଷ୍ଟେଜରେ ନୁହଁ ମଣ୍ଡଳିରେ ଉତ୍ସବ ପାଳନ ହେଉ ।
ଅଉ ଥରେ ନିବେଦନ ଏ ବଜାକୁ ଓ ବଜନିଆଁକୁ ବଞ୍ଚାଇବାପାଇଁ ଉଦ୍ୟମ ହେଉ ।
ଧନ୍ୟବାଦ
ସରେନ୍ଦ୍ର ସାହୁ