Home / ସାହିତ୍ୟ ସଂସ୍କୃତି / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ସାକ୍ଷାତକାର : ପଣ୍ଡିତ କୈଳାଶ ପାତ୍ର (ବେହେଲା ବାଦକ)

ସାକ୍ଷାତକାର : ପଣ୍ଡିତ କୈଳାଶ ପାତ୍ର (ବେହେଲା ବାଦକ)

Share Samadhwani

ଓଡ଼ିଶାରେ ଅନେକ ସାଧକ କଳାକାର ଅଛନ୍ତି ଯେଉଁମାନେ ସମଗ୍ର ବିଶ୍ଵରେ ନିଜର କଳାର ପ୍ରଦର୍ଶନ କରି ପ୍ରସିଦ୍ଧି ପାଇଛନ୍ତି ଓ ଭାରତରେ ସେମାନେ ଏକ ସମ୍ମାନୀୟ ସ୍ତରର କଳାକାର ଭାବରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି । କିନ୍ତୁ ଦୁଃଖର ବିଷୟ ଆମ ରାଜ୍ୟରେ ସେମାନଙ୍କୁ ଆମେ ଆପଣେଇବା ତ ଦୂରର କଥା ସେମାନଙ୍କର କଳାକାରିତାକୁ ଜାଣିବାରେ ମଧ୍ୟ ଅକ୍ଷମ ହୋଇଛୁ । ଏମିତି ଜଣେ ଶ୍ରେଷ୍ଠ ସାଧକ କଳାକାର ହେଉଛନ୍ତି ଭାରତର ବିଶିଷ୍ଟ ଭାୟୋଲିନ ବାଦକ ପଣ୍ଡିତ କୈଳାଶ ପାତ୍ର। ସେ ଗୋଆଲିୟର ଓ ଜୟପୁର ଘରାନାର କଳାକାର।  ପଣ୍ଡିତ କୈଳାଶ ପାତ୍ର ସର୍ବଭାରତୀୟ ସ୍ତରରେ ହିନ୍ଦୁସ୍ଥାନୀ ଶୈଳୀରେ ଭାୟୋଲିନ ବାଦନ କରି କେବଳ ଭାରତ ନୁହଁ ସମଗ୍ର ବିଶ୍ଵର ଦୃଷ୍ଟି ଆକର୍ଷଣ କରିଛନ୍ତି। ଚଳିତ ବର୍ଷ ଆମ ରାଜ୍ୟରେ ଆୟୋଜିତ ରାଜାରାଣୀ ଶାସ୍ତ୍ରୀୟ ସଂଗୀତ ମହୋତ୍ସବରେ ଯେଉଁମାନେ ତାଙ୍କୁ ଶୁଣିଛନ୍ତି ସେମାନେ ହୁଏତ କଳନା କରିପାରିବେ ତାଙ୍କର ମନ୍ତ୍ରମୁଗ୍ଧ ବାଦନର ଯାଦୁକୁ । ତେବେ ଗୋଟିଏ କଥା ମନରେ ପ୍ରଶ୍ନ ଆସେ, ରାଜ୍ୟରେ  ଦୁଇ ଦୁଇଟି ସଙ୍ଗୀତର ଉଚ୍ଚ ଶିକ୍ଷା କେନ୍ଦ୍ର (ଉତ୍କଳ ସଂଗୀତ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ) ଥାଇ ଏହିଭଳି ଗୁଣି ସାଧକ ଓ ସର୍ବଭାରତୀୟ ସ୍ତରର କଳାକାରଙ୍କୁ ଶିକ୍ଷା ଦାନ ପ୍ରକ୍ରିୟା ଭିତରେ ସାମିଲ କରାଯାଉନାହିଁ କାହିଁକି ? ଏହି ଗୁଣି କଳାକାରଙ୍କୁ ରାଜ୍ୟର ଯୁବ କଳାକାର ମାନଙ୍କ ସହ ପରିଚିତ କରିବାର ଦାୟିତ୍ୱ କ’ଣ ଆମର ନୁହେଁ କି? ଯେଉଁମାନେ ରାଜ୍ୟରେ କଳା ସଙ୍ଗୀତର ମଙ୍ଗ ଧରିଛନ୍ତି ସେମାନେ ନିଜ ରାଜ୍ୟର କଳାକାରମାନଙ୍କୁ ପ୍ରାଥମିକତା ଦେବାପାଇଁ ପ୍ରୟାସ ଆରମ୍ଭ କରୁନାହାନ୍ତି କାହିଁକି ? ଯେତେବେଳେ ଜଣେ କଳାକାର ରାଜ୍ୟପାଇଁ ଉପଯୋଗୀ ହୋଇପାରନ୍ତେ ତାଙ୍କ ସାଧନା ତଥା ତାଙ୍କର ଅନୁଭବକୁ ପୁଞ୍ଜି କରି ରାଜ୍ୟ ସଙ୍ଗୀତ ଓ କଳା କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରନ୍ତା ସେତେବେଳେ ଯେଉଁମାନେ ଉପଯୁକ୍ତ ସ୍ଥାନରେ ଅଛନ୍ତି ସେମାନଙ୍କର ଏହି ଉଦାସୀନତା ଆମର ଅପାରଗ ପଣିଆକୁ ସୂଚିତ କରୁନାହିଁ କି ? ହୁଏତ ସେଦିନ କୃଷ୍ଣଚନ୍ଦ୍ର ବସୁ (1934 ମସିହାରେ ‘ଡଗର’ ପୃଷ୍ଠାରେ) ଆମର ଏହି ଉଦାସୀନତାକୁ ପ୍ରଶ୍ନ କରିଥିଲେ । ପଣ୍ଡିତ କୈଳାଶ ପାତ୍ରଙ୍କୁ ଓ ଓଡ଼ିଶାର ଅନ୍ୟାନ୍ୟ ସବୁ ଗୁଣୀ ସଙ୍ଗୀତ ସାଧକମାନଙ୍କୁ ଓଡ଼ିଶାର ଜନଗଣ ଜାଣିବା ଜରୁରୀ ଓ ତାଙ୍କର ଅନୁଭବ ଓ ଅନୁଭୂତିକୁ ରାଜ୍ୟର କଳା ସଙ୍ଗୀତର ଶିକ୍ଷା କ୍ଷେତ୍ରରେ ପ୍ରୟୋଗ କରାଯିବା ଜରୁରୀ, ଏଭଳି ଏକ ବୁଝାମଣା ନେଇ ସମଧ୍ୱନି ଉକ୍ତ ସାକ୍ଷାତକାରଟିକୁ ଏଠାରେ ଉପସ୍ଥାପନ କରିଛି। ସାକ୍ଷାତକାରଟି ତାଙ୍କ ନିକଟରୁ ସଂଗ୍ରହ କରି ଏଠାରେ ଉପସ୍ଥାପନ କରିଛନ୍ତି ଓଡ଼ିଶାର ଜଣେ ଯୁବ କଳାକାର ତଥା ଭାୟୋଲିନ ବାଦକ( ଆକାଶବାଣୀ) ଜ୍ୟୋତିପ୍ରକାଶ ସାହୁ । ଜ୍ୟୋତିପ୍ରକାଶ ସମଧ୍ୱନି ସହ ଆରମ୍ଭରୁ ଯୋଡିହୋଇଛନ୍ତି ଓ ସଙ୍ଗୀତ କ୍ଷେତ୍ରରେ ଅନେକ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ପରିଚିତ କରାଇବା କାମରେ ସେ ସମଧ୍ୱନିକୁ ସହଯୋଗ କରୁଛନ୍ତି। – ସ୍ୱୟଂପ୍ରଭା ପାଢ଼ୀ (ସମ୍ପାଦକ )

ସାକ୍ଷାତକାର:

ପଣ୍ଡିତ କୈଳାଶ ପାତ୍ର ଙ୍କ ସହ ଜ୍ୟୋତିପ୍ରକାଶ ସାହୁ

ନିଜ ସଂପର୍କରେ

ପ୍ରଶ୍ନ : ପିଲାବେଳରୁ ସଂଗୀତ ପ୍ରତି ଆଗ୍ରହ କେମିତି ଆସିଲା?

ଯେତେବେଳେ ମୁଁ ଜନ୍ମହୋଇଥିଲି ସେତେବେଳୁ ଆମ ଗ୍ରାମରେ ରାମଲୀଳା ହେଉଥିଲା । ଯେତେବେଳେ ୨-୩ ମାସର ହେଲି ସେତେବେଳେ ମୋତେ ରାମ କରି ମଞ୍ଚକୁ ନେଇ ଯାଇଥିଲେ । ପ୍ରତି ବର୍ଷ ଗୋଟିଏ ମାସ ଧରି ରାମଲୀଳା ଆମ ଗ୍ରାମରେ ହୁଏ, ରାମ ଜନ୍ମ ଠାରୁ ରାବଣ ବଧ ପର୍ଯ୍ୟନ୍ତ । ପାରମ୍ପାରିକ ଓ ଓଡ଼ିଶୀ ଗୀତ ସେଥିରେ ଗାୟନ କରାଯାଇଥାଏ । କଟକ ଜିଲ୍ଲାର କିଶୋର ନଗର ମୋର ଏକ ଛୋଟ  ଗାଁ, ଓଡ଼ିଶୀ ପ୍ରାବଲ୍ୟ ଗାଁ । ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଭଜନ ଓ ଜଣାଣ ଇତ୍ୟାଦି ଗାଁରେ ଚାଲେ । ମୁଁ ୨, ୩ ବର୍ଷ ବେଳକୁ ଟିକେ ଟିକେ ଗୀତ ଗାଇଲି । କିନ୍ତୁ ପ୍ରତିବର୍ଷ ରାମ ଭୂମିକାରେ ଅଭିନୟ କରୁଥାଏ । କେତେବେଳେ ମଞ୍ଚକୁ ମୋତେ ଚଲାଇକି ନେଉଥିଲେ ତ କେତେ ବେଳେ କାନ୍ଧରେ ବସାଇ ନେଇ ଯାଉଥିଲେ । ‘ଠୁମକ ଚଲତ ରାମ ଚନ୍ଦ୍ର’ ଗୀତ ପରି ଓଡ଼ିଆରେ ମଧ୍ୟ ଗାଁରେ ଗୀତ ଥିଲା । ସେହି ଗୀତ ଗାଇ ମୁଁ ମଞ୍ଚକୁ ଯାଉଥିଲି ଯାହା ଶୁଣି ବହୁତ ଲୋକ ମୋର ଉଚ୍ଚ ପ୍ରଶଂସା କରୁଥିଲେ ।

ଧିରେ ଧିରେ ବଡ଼ ହେଲି ଏବଂ ଗୀତ ଗାଇବାକୁ ଲାଗିଲି । ଯେତେବେଳେ ମୋତେ ୩-୪ ବର୍ଷ ହେଇଥିଲା ସେତେବେଳେ ମଞ୍ଚରେ ଏକ ଟେବୁଲ ପକାଇ ତା’ ଉପରେ ମୋତେ ବସାଇ ଦେଉଥିଲେ ଓ ମୁଁ ଗୀତ ଗାଉଥିଲି । ମୋର ଗୁରୁ ଅଭୟ ମହାରଣା ଟେବୁଲ୍ ପାଖରେ ହାରମୋନିୟମ୍ ଧରୁଥିଲେ ଏବଂ ପ୍ରାୟ ଘଣ୍ଟାଏ ଦୁଇଘଣ୍ଟା ଧରି ମୁଁ ଗୀତ ଗାଉଥିଲି । ଓଡ଼ିଶୀ ଗୀତ, ଲତା ମଂଗେସ୍କର୍, ମହମ୍ମଦ ରଫି, କିଶୋର କୁମାରଙ୍କର ବି ପୁରୁଣା ପୁରୁଣା ଗୀତ ଗାୟନ କରୁଥିଲି ଏବଂ ତା’ ପରେ ରାମଲୀଳା ଆରମ୍ଭ ହେଉଥିଲା । ମୋର ପ୍ରଥମ ଗୀତ ଗୁରୁ ଶ୍ରୀମତୀ ହାରାମଣୀ ପାତ୍ର (ମୋ ମା’) । ତାଙ୍କ ଠାରୁ ପ୍ରଥମେ ଗୀତ ଶିଖିଲି । ପରେ ମୋ ଗାଁର ଜଣେ ଗୀତଗୁରୁ ଶ୍ରୀଯୁକ୍ତ ଅଭୟ ମହାରଣା ମୋର ଗୀତ ଗାଇବା ଶୁଣି ପ୍ରଶଂସା କଲେ ଏବଂ ତାଙ୍କ ପାଖେ ଗୀତ ଶିଖିବା ପାଇଁ କହିଲେ । ମୁଁ ତାଙ୍କ କୋଳରେ ବସି ଗୀତ ଶିଖିଲି ।

ଯେତେବେଳେ ମୁଁ ୫ ବର୍ଷର ହେଲି ସେତେବେଳେ ମୁଁ ତାଙ୍କ ଠାରୁ ହାରମୋନିୟମ ଶିକ୍ଷା କଲି ।  ମୋ ଘରେ ଗୋଟେ ଛୋଟିଆ ହାରମୋନିୟମ୍ ଥିଲା । ମୋ ମା ସେହି ହାର୍ମୋନିୟମର ବେଲ ଦେଉଥିଲେ ଏବଂ ମୁଁ ଟିକେ ଟିକେ ବଜାଉଥିଲି । ଗାଁରେ ଯେତେ ପାରମ୍ପାରିକ ସ୍ୱର ଥିଲା ସେ ସବୁକୁ ବଜାଉଥିଲି ଏବଂ ରାମଳୀଳାର ରାମଙ୍କ ଗୀତ ଓ ରାବଣଙ୍କ ଗୀତ ମଧ୍ୟ ବଜାଉଥିଲି । ପରବର୍ଷ ଯେତେବେଳେ ରାମଲୀଳା ହେଲା ମୁଁ ସେଥିରେ ହାର୍ମୋନିୟମ୍ ବଜାଇଲି । ସେତେବେଳେ ମୋର ହାତ ହାରମୋନିୟମ୍ ବେଲକୁ ପାଉନଥିଲା । ତେଣୁ ମୋ ଗାଁ ଗୁରୁ ଅଭୟ ମହାରଣା ହାରମୋନିୟମ ର ବେଲ ଦିଅନ୍ତି ଆଉ ମୁଁ ବଜାଏ । ଏହିପରି ରାମ ଓ ରାବଣଙ୍କ ଗୀତ ମୁଁ ବଜାଏ ରାମଲୀଳା ସମୟରେ । ଯେତେବେଳେ  ମୋତେ ୬ ବର୍ଷ ହେଲା ମୋ ଉପରେ ଗୁରୁଙ୍କର ବହୁତ ବିଶ୍ୱାସ ଆସିଲା । ସେ ଜଣେ ଲୋକଙ୍କୁ ମୁଁ ହାରମୋନିୟମ୍ ବଜାଇବା ବେଳେ ବେଲ ମାରିବାକୁ ରଖିଲେ ଏବଂ ସେ ନିଜେ ସେଥିରେ ଅଭିନୟ କରୁଥିଲେ । ଏହିପରି ଭାବେ ମୁଁ ରାମଲୀଳା ସମ୍ଭାଳୁଥିଲି ।

ପ୍ରଶ୍ନ : ଆପଣ ଭାୟୋଲିନ୍ କୁ କେମିତି ଆସିଲେ?

ଆମ ଗାଁରେ ସତ୍ୟନାରାୟଣ ପୂଜା ହୁଏ, ଭାଗବତ ଟୁଙ୍ଗିରେ ଭାଗବତ ଚର୍ଚ୍ଚା ହୁଏ,  ଭଜନ, କୀର୍ତ୍ତନ ହୁଏ, ଅଷ୍ଟପ୍ରହରି ବହୁତ ହୁଏ । ସବୁଥିରେ ମୁଁ ହାରମୋନିୟମ ବଜାଇ ଗୀତ ଗାଏ । ଯେତେବେଳେ ଅନ୍ୟ ଜଣେ ଗୀତ ଗାଆନ୍ତି ସେତେବେଳେ ସେ ମୋ ଠାରୁ ହାରମୋନିୟମ୍ ନେଇ ଗୀତ ଗାଆନ୍ତି । ମୁଁ ଖାଲି ବସିରହେ ତାଙ୍କ ଗୀତ ଶେଷ ହେବା ଯାଏ । ଯାହା ମୋ ମନରେ ଗୋଟେ ଚିନ୍ତା ଚାଲିଲା କି, ଏମିତି ଏକ ବାଦ୍ୟଯନ୍ତ୍ର ବଜାଇବି ଯେପରି ମୋ ଠାରୁ କେହି ଟାଣି ନେଇ ବଜାଇ ପାରିବେ ନାହଁ । ଆମ ଗାଁରେ ପ୍ରତିବର୍ଷ  ୭ ଦିନ ଧରି ଜାଗର ଯାତ୍ରା ହୁଏ । ବହୁତ ବଡ଼  ବଡ଼ ଯାତ୍ରା ପାର୍ଟି ଆସନ୍ତି ଯାତ୍ରା କରିବାକୁ । ଯାତ୍ରାରେ ମ୍ୟୁଜିକ୍ ଦେଉଥିବା କଳାକାରମାନଙ୍କ ପାଖରେ ଯାଇ ମୁଁ ବସିରହେ । ମୁଁ ଦେଖିଲି ଜଣେ ଭାୟୋଲିନ୍ ବାଦକଙ୍କୁ, ତାଙ୍କ ନାମ ଗୁଣନିଧି ସାହୁ, ସେ ଅତ୍ୟନ୍ତ ସୁନ୍ଦର ବାଦନ କରୁଥିଲେ । ମୁଁ ତା’ଙ୍କୁ ଦେଖି ପୁରା ପାଗଳପରି ହୋଇଗଲି । ଏତେ ବଢ଼ିଆ ବାଦ୍ୟଯନ୍ତ୍ର ବାଜୁଛି, କଣ ଏ ଜିନିଷ! ତାଙ୍କ ଭାୟୋଲିନକୁ ବସି ରାତିସାରା ଦେଖିଲି, ଅନୁକରଣ କଲି କେମିତି ସେ ବାଦନ କରୁଛନ୍ତି । ମୋର ଏପରି ଆଗ୍ରହ ଦେଖି ସେ ମୋତେ ଭାୟୋଲିନ୍ ଶିଖିବାକୁ ଚାହୁଁଛ କି ବୋଲି ପଚାରିଲେ । ସେ ମୋର ଆଗ୍ରହ ଦେଖି ତା’ଙ୍କ ଭାୟୋଲିନ୍ ଟି ମୋତେ ଛୁଇଁବାକୁ ଦେଲେ ଓ କିପରି ବାଦନ ହୁଏ କହିଲେ ।

ଯାତ୍ରା ସରିବା ପରେ ସେ ଚାଲିଗଲେ ଏବଂ ମୁଁ ଘରକୁ ପଳାଇ ଆସିଲି । କିନ୍ତୁ ମୋ ପାଖରେ ଭାୟୋଲିନ୍ ନ ଥିବାରୁ ମୋତେ ବିଚଳିତ ଲାଗିଲା । ଭାୟୋଲିନର ଛବି ମୋ ମନରେ ଆସିଲା ଏବଂ କେମିତି ବାଦନ ହୁଏ ମୋର ମନେଥିଲା । ତେଣୁ ମୁଁ ଚେଷ୍ଟାକରି ମାଟିରେ ଗୋଟେ ଭାୟୋଲିନ୍ ବନାଇଲି । ଯେତେବେଳେ ଯୋଗୀମାନେ କେନ୍ଦରା ନେଇ ଗାଁକୁ ଆସୁଥିଲେ ସେତେବେଳେ ତାଙ୍କ କେନ୍ଦରା ଆଣି ବଜାଉଥିଲି । ଭାୟୋଲିନ୍ ସ୍ୱର ପରି ଏକ ମଧୁର ସ୍ୱର ମୁଁ ନିଜେ ମୁହୁଁରୁ ବାହାର କରୁଥିଲି । ସେ ସମୟରେ ୧୦୦, ୨୦୦ ଟଙ୍କାର ମୂଲ୍ୟ ବହୁତ ଥିଲା । ଏତେ ଟଙ୍କା ମୋତେ କେହି ଦେବେନି ଓ ମୁଁ କାହାକୁ ମାଗି ପାରୁନଥିଲି ଭାୟୋଲିନ୍ କିଣିବା ପାଇଁ । ମୁଁ ମାଟିରେ ତିଆରି କରିଥିବା ଭାୟୋଲିନ୍ ପାଇଁ ମୋର ବଡ଼ ଭାଇ ଥରେ ଏକ ଗୀଟାର ତାର ଆଣିଲେ କଟକରୁ | ମୁଁ ତା’କୁ ମାଟିରେ ତିଆରି କରିଥିବା ଭାୟୋଲିନ୍ ରେ  ଲଗାଇଲି । କିନ୍ତୁ ଭାୟୋଲିନ୍ ବଜାଇବା ପାଇଁ ‘ବୋ’ ଦରକାର । ତାହା ନ ଥିଲା ମୋ ପାଖେ । ତେଣୁ ଗିଟାର ପରି ବଜାଇବାକୁ ଚେଷ୍ଟା କଲି ।

ଏପରି କିଛି ବର୍ଷ ଗଲା । କଣ କରିବି ବୋଲି ଚିନ୍ତା କଲି । ଭାୟୋଲିନ୍ କିଣିବା ପାଇଁ ଯାହାକୁ ପଇସା ମାଗିଲି, ଏତେ ପଇସା କିଏ ଦେବ ବୋଲି କହିଲେ । ଥରେ ବଡ଼ଭାଇଙ୍କ ସହିତ ସାଇକେଲ୍ ରେ ବସି କଟକ ଗଲି ଏବଂ ସେଠାରେ ଥିବା ଭାୟୋଲିନ୍ ଦୋକାନ ଦେଖାଇବା ପାଇଁ ଅନୁରୋଧ କଲି । ସେ ମୋତେ ସେଠାକୁ ନେଇଗଲେ । ଦେକାନଟିର ନାମ ଥିଲା ସାଖାନାଥ, ଯାହା ଜଣେ ବଙ୍ଗାଳି ଲୋକ କରିଥିଲେ । ଭାୟୋଲିନର ଦାମ୍ ଥିଲା ୧୨୦ ଟଙ୍କା । ମୋ ମୁଣ୍ଡରେ ସେହି ୧୨୦ ଟଙ୍କା ଟାର୍ଗେଟ ପଶିଲା । କେମିତି ୧୨୦ ଟଙ୍କା ଜମା କରିବି ସେଥିପାଇଁ ଚିନ୍ତା କଲି । ଯେତେବେଳେ ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଥିଲି ସ୍କୁଲରେ ଖାଇବା ପାଇଁ ଘରେ ମୋତେ ୧୦ ପଇସା ଲେଖାଏ ଦିଅନ୍ତି । ମୁଁ ସେ ପଇସାରେ ନ ଖାଇ ଗୋଟେ କୁମ୍ପିରେ ସଂଚୟ କରବା ଆରମ୍ଭ କଲି । ଏ ବିଷୟରେ ମୁଁ କାହାକୁ କିଛି ଜଣାଇଲି ନାହିଁ । ଯେତେବେଳେ କୁମ୍ପିରେ ୧ ଟଙ୍କା ହେଉଥିଲା ସେତେବେଳେ ଭାଇଙ୍କୁ ଖୁଚୁରା ପଇସା ଦେଇ ଟଙ୍କାକିଆ ନୋଟ ଆଣୁଥିଲି । ମୁଁ ସାଇକେଲ୍ ଦୋକାନ କରିଥିଲି କିଛି ପଇସା ରୋଜଗାର କରି ଭାୟୋଲିନ କିଣିବା ପାଇଁ ଓ  ମାଟିର ମୂର୍ତ୍ତି ମଧ୍ୟ ତିଆରି କରୁଥିଲି । ଏହିପରି ଯେଉଁଦିନ ୯୦ ଟଙ୍କା ହୋଇଗଲା ମୋର ଆଉ ଧୈର୍ଯ୍ୟ ରହିଲା ନାହିଁ । ପଇସା ପାଇଁ ମୁଁ ମୋ ବଡ଼  ଭାଇଙ୍କୁ ଧାର ମାଗିଲି । ଶେଷରେ ୧୨୦ ଟଙ୍କା ଯୋଗାଡ଼ କରି ଭାୟୋଲିନ୍ କିଣିବା ପାଇଁ ଗଲି ଏବଂ ମୁଁ ଦେଖିଥିବା ଭାୟୋଲିନ୍ ଟି ବିକ୍ରି ନହୋଇ ସେହିପରି ଥିଲା । ମୁଁ ତାକୁ କିଣି ନେଇ ଆସିଲି ।

ପୁର୍ବରୁ ସେହି ଭାୟୋଲିନ୍କୁ ଦେଖିବା ପାଇଁ ବାପାଙ୍କ ୧୮ ଇଂଚିର ସାଇକେଲ୍ ଚଢ଼ି ମୁଁ କଟକ ଆସୁଥିଲି । ସ୍କୁଲ ସମୟରେ ଆସୁଥିଲି  ଭାୟୋଲିନ୍ ଦେଖିବାକୁ ୪୦ କିଲୋମିଟର । ଯେପରି ଘରେ ଭାବିବେ କି ମୁଁ ସ୍କୁଲ ଆସି ସ୍କୁଲରୁ ଫେରୁଛି । ଭାୟୋଲିନ୍ ମୁଁ ନେଇ ଆସିଲି କିନ୍ତୁ ଏହାର ତାର ଗୁଡ଼ିକୁ କେଉଁ ସ୍ୱରରେ ବନ୍ଧାଯାଏ ମୋତେ ଜଣା ନଥିଲା । ପରେ ଭାୟୋଲିନର ମୋଟା ତାର (ଜି)  କୁ ‘ସା’ ସ୍ୱର କରି ଅନ୍ୟ ସ୍ୱରକୁ ‘ପା’ ସ୍ୱର କରି ବଜାଇବା ଆରମ୍ଭ କଲି ଯାହା ୱେଷ୍ଟର୍ଣ୍ଣ ଭାୟୋଲିନ୍ ଟ୍ୟୁନ (ଇ -ଏ -ଡି -ଜି) ପରି ଆପେ ଆପେ ହୋଇଗଲା । ହାରମୋନିୟମ୍ ସାହାଯ୍ୟରେ ସ୍ୱର ମିଳାଉଥିଲି । ମୋ ଆଖିରେ ନିଦ ନଥିଲା ଭାୟୋଲିନ୍ ଆଣିବା ପରେ ଏବଂ ସଦାସର୍ବଦା ବଜାଇବାକୁ ଚେଷ୍ଟା କରୁଥିଲି । ଯେଉଁ ଗୀତ ମୋତେ ଜଣାଥିଲା ସେ ସବୁ ଗୀତକୁ ଭାୟୋଲିନ୍ରେ ବଜାଇବାକୁ ଚେଷ୍ଟା କଲି । ମୋର ମା ମଧ୍ୟ ମୋତେ ଗାଇଡ଼୍ କରୁଥିଲେ । କିଛି ଦିନ ପରେ ମୁଁ ଗୀତ ସବୁ ବଜାଇବାକୁ ଲାଗିଲି । ପୁଣି ରାମଲିଳା ଆସିଲା, ମୁଁ ବଜାଇଲି । ଲୋକମାନେ ମୋତେ ଦେଖିବା ପାଇଁ ପାଗଳ । ସେମାନେ ଖୁସି ହୋଇ ମୋ ଉପରେ ପଇସା ବର୍ଷା କଲେ। ଏହି ପରି ୨ ବର୍ଷ ବିତିଗଲା । ମୁଁ ବଜାଇବାକୁ ଲାଗିଲି ଏବଂ ଆଖ ପାଖ ଗାଁରେ ଛୋଟ ବଡ ସବୁ ସାଂଗୀତିକ କାର୍ଯ୍ୟକ୍ରମ ରେ ମୋତେ ଭାଗନେବାର ସୁଯୋଗ ମିଳିଲା । ମୋର ଡିମାଣ୍ଡ୍ ବହୁତ ବଢ଼ିଗଲା । ମୋତେ ୨୦, ୩୦ ଟଙ୍କା ଦେଉଥିଲେ । ଏକା ସମୟରେ ଗୀତ ଗାଉଥିଲି, ହାରମୋନିୟମ୍ ଏବଂ ଭାୟୋଲିନ୍ ମୁଁ ବଜାଉଥିଲି ।

ଏହି ପରି କିଛି ବର୍ଷଗଲା। ଥରେ ମୁଁ ରେଡ଼ିଓରେ ବିଶିଷ୍ଟ ଭାୟୋଲିନ୍ ବାଦକ ପଣ୍ଡିତ ଡି.କେ. ଦତାରଙ୍କ ଭାୟୋଲିନ୍ ଶୁଣିଲି । ମୋର ଭାଇ ତ ଜଣେ ତବଲା ବାଦକ । ମୁଁ ରେଡ଼ିଓରେ ଶୁଣିଥିବା ଭାୟୋଲିନ୍ ଓ ମୁଁ ବଜାଉଥିବା ଭାୟୋଲିନ୍ କାହିଁକି ଏପରି ଶୁଭୁଛି ବୋଲି ତାଙ୍କୁ ପଚାରିଲି । ଭାଇ ମୋତେ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କଲେ ହେବ ବୋଲି କହିଲେ। ମୁଁ ସେହି ଖୋଜରେ ରହିଲି। ଥରେ ‘ଉତ୍ତର କୂଳ’ ନାମକ ଏକ ଯାତ୍ରାପାର୍ଟି ମୋର ଭାୟୋଲିନ୍ ବଜାଇବା ଦେଖି ମୋତେ ଗୋଟେ ପେଟିରେ ପୁରାଇ ତାଙ୍କ ସହିତ ନେଇ ଚାଲିଗଲେ । ମୁଁ ମଧ୍ୟ ତା’ଙ୍କ ପାଖେ ଶିଖିବି ବୋଲି ପେଟି ଭିତରେ ପଶି ପଳାଇଲି। ପରେ ମୋ ବାପା ଓ ଭାଇ, ଅନ୍ୟ ଲୋକମାନଙ୍କୁ ନେଇ ପୋଲିସ୍ ସହାୟତାରେ ମୋତେ ନେଇ ଆସିଲେ । ସେ ସମୟରେ ମୋର ପାଠ ପଢ଼ାପଢ଼ି ଭଲ ହେଉନଥିଲା। ବାପା ମହାଜନ ଲୋକ ଥିଲେ । ତେଣୁ ସ୍କୁଲରେ ମୋତେ କୌଣସି କ୍ଳାସରେ କେହି ଫେଲ୍ କରୁ ନଥିଲେ । ଏପରି ଅଷ୍ଟମ ଶ୍ରେଣୀ ଯାଏ ଚାଲିଗଲି । ଥରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ଜଣେ ଗୀତ ଶିଖୁଥିବା ବଙ୍ଗାଳୀ ଲୋକ କଟକ ଆସିଥିଲେ । ମୋତେ ଜଣେ ଲୋକ ତାଙ୍କ ପାଖକୁ ଡାକିନେଲେ ଏବଂ ମୋର ବାଦନ ଶୁଣିବାକୁ ତା’ଙ୍କୁ କହିଲେ । ସେ ମୋର ବହୁତ ପ୍ରଶଂସା କଲେ ଏବଂ ଉତ୍କଳ ସଂଗୀତ ମହାବିଦ୍ୟାଳୟ ରେ ଶିଖିବାକୁ କହିଲେ । ସେ ମୋର ଉକ୍ତ ମହାବିଦ୍ୟାଳୟରେ ଆବେଦନ ପାଇଁ ଫର୍ମ ଆଣିଦେଲେ ଏବଂ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ମ୍ୟାଟ୍ରିକ୍ ହୋଇଥିବା ଦରକାର ବୋଲି କହିଲେ । ମୋର ଇଚ୍ଛାଶକ୍ତି ପ୍ରବଳ ଥିବାରୁ ମୁଁ ବହୁତ ଚେଷ୍ଟା କଲି ମ୍ୟାଟ୍ରିକ୍ ପାସ୍ କରିବାକୁ ଏବଂ ଶେଷରେ ଏକ ମାତ୍ର ମୁଁ ଆମ ଗାଁରୁ ପାସ୍ କଲି ।

ତା’ ପରେ ମୁଁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ନ ଯାଇ କଟକ ସ୍ଥିତ କଳାବିକାଶ କେନ୍ଦ୍ରରେ ନାମ ଲେଖାଇଲି । ସେଠାରେ ଶ୍ରୀମତି ପଦ୍ମିନୀ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଭାୟୋଲିନ୍ ଶିଖିବା ଆରମ୍ଭ କଲି । ପିଲାବେଳେ ମଧ୍ୟ ରେଡ଼ିଓରେ ଶିଶୁ ସଂଗୀତ ପରିବେଷଣ କରିଥିଲି । ମୁଁ ହାଫପ୍ୟାଣ୍ଟ ପିନ୍ଧି କଟକ ଆସୁଥିଲି ଏବଂ ମୋ ଭାୟୋଲିନ୍ ଶୁଣି ସମସ୍ତେ ମୋର ପ୍ରଶଂସା କରୁଥିଲେ । ୧-୨ ବର୍ଷ ଶିଖିବା ପରେ ସେ ମୋତେ ବହୁତ ଆଦର କରିବାକୁ ଲାଗିଲେ ଏବଂ ପ୍ରତ୍ୟେକ ଦିନ ଆସି ଶିଖିବାକୁ କହିଲେ । ଘର ଠୁ ଦୀର୍ଘ ୪୦ କିଲୋମିଟର ମୋତେ ଅଧିକାଂଶ ସମୟରେ ଆସି ଶିଖିବାକୁ ପଡ଼ୁଥିଲା । ପଦ୍ମିନୀ ଖୁଣ୍ଟିଆ ସମସ୍ତଙ୍କୁ ଡାକି ଆଣି ମୋର ବାଦନ ଶୁଣାଉଥିଲେ ଯାହା ମୋତେ ବହୁତ ଉତ୍ସାହିତ କରୁଥିଲା ।

ତା’ ପରେ ଓଡ଼ିଶାର  ଜଣେ ବିଦ୍ୱାନ ଭାୟୋଲିନ୍ ବାଦକ  ପଣ୍ଡିତ ସୁନାକର ସାହୁଙ୍କୁ ଭେଟିଲି | ତାଙ୍କର ସୁନ୍ଦର ବାଦନ ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି । ତାଙ୍କ ପାଖେ ଶିକ୍ଷା ପାଇଁ ରାସ୍ତା ଖୋଜିଲି । ମୁଁ ଭଲ ବଜାଉଥିବାରୁ ଅନେକ ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ କଳାବିକାଶ କେନ୍ଦ୍ରକୁ ଆସି ମୋର ବାଦନ ଶୁଣି ମୋତେ ଚଳଚ୍ଚିତ୍ରରେ ବଜାଇବାକୁ ସୁଯୋଗ ଦେଲେ । ତା’ ପରେ ବହୁତ ଲୋକ ମୋତେ ଜାଣିଲେ |  ସେ ସମୟରେ କଟକରେ ଇଭାଞ୍ଜେଲ ଷ୍ଟୁଡିଓ ଓ ଜେ.ଇ ଷ୍ଟୁଡିଓ ଏବଂ ଭୁବନେଶ୍ୱରରେ କଳିଙ୍ଗ ଷ୍ଟୁଡିଓ ପ୍ରମୁଖ ଷ୍ଟୁଡିଓ ଥିଲା । ମୁଁ ୫, ୭ ବର୍ଷ ମଧ୍ୟରେ ରାଗ ସଂଗୀତର ମସିତଖାନୀ  ଓ ରାଜାଖାନୀ ଗତ୍ ଭାୟୋଲିନ୍ କୁ “ପା ସା ପା ସା” ସ୍ୱରରେ ବାନ୍ଧି ବଜାଉଥିଲି । ଦକ୍ଷିଣ ଭାରତର ପ୍ରଖ୍ୟାତ ଭାୟୋଲିନ୍ ବାଦକ ପଣ୍ଡିତ ଦ୍ୱାରମ ଭେଙ୍କଟସ୍ୱାମୀ ନାଇଡୁଙ୍କ ଶିଷ୍ୟ ପଣ୍ଡିତ ଭୁବନେଶ୍ୱର ମିଶ୍ର, ତାଙ୍କ ଶିଷ୍ୟ ଥିଲେ ଉସ୍ତାତ ମହମ୍ମଦ ହମିଦ୍ ଆହାଦ ଏବଂ ତାଙ୍କର ଶିଷ୍ୟା ଥିଲେ ଶ୍ରୀମତି ପଦ୍ମିନୀ ଖୁଣ୍ଟିଆ ଯାହାଙ୍କ ପାଖେ ମୁଁ ଶିଖୁଥିଲି ।

କିନ୍ତୁ ମୁଁ ପରବର୍ତ୍ତୀ ସମୟରେ ଗାୟକୀ ଶୈଳୀରେ ବାଦନ ପାଇଁ ଇଚ୍ଛା ପ୍ରକାଶ କଲି । ତେଣୁ ମୋତେ ଶାସ୍ତ୍ରୀୟ ସଂଗୀତର ଖେୟାଲ ଶିଖିବାକୁ ପଡ଼ିବ ବୋଲି ଭାବିଲି । ମୁଁ କଟକ ରେଡ଼ିଓ ସେଣ୍ଟରକୁ ଯାଉଥିଲି ବଜାଇବା ପାଇଁ । ସେ ସମୟରେ ସମସ୍ତେ କହୁଥିଲେ କି ଜଣେ ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତଜ୍ଞ ପଣ୍ଡିତ ସୁରେଶ ରାମଚନ୍ଦ୍ର କୁଲକରନି ରେଡ଼ିଓ ଷ୍ଟେସନ ରେ  କର୍ମଚାରୀ ଅଛନ୍ତି । ମୁଁ ତାଙ୍କ ପାଖେ ଶିକ୍ଷା ଗ୍ରହଣ ପାଇଁ ଇଚ୍ଛା ପ୍ରକାଶ କଲି ଏବଂ ମୋର ଅତ୍ୟନ୍ତ ଆଗ୍ରହ ଦେଖି ମୋତେ ସେ ତାଙ୍କ ପାଖେ ଶିଖିବାର ସୁଯୋଗ ଦେଲେ । ସେ ସମୟରେ ମୁଁ ରେଡ଼ିଓର ଅଡ଼ିସନ୍ ପାସ୍ କରି ସାରିଥାଏ । ୧୯୮୭ ରୁ ପ୍ରାୟ ୧୦ ବର୍ଷ ତାଙ୍କ ପାଖେ ଶିକ୍ଷା ଗ୍ରହଣ କଲି ଯାହା ମୋ ଜୀବନର ଧାରାକୁ ବଦଳାଇ ଦେଲା । ତାଙ୍କ ପାଖେ ଆହୁରି ଶିଖିବା ପାଇଁ ଚେଷ୍ଟା କଲି ଏବଂ ଘର ଛାଡ଼ି ପଳାଇ ଆସିଲି । କଟକରେ ଗୋଟେ  ଭଡ଼ା ଘର ନେଇ ରହିଲି ଏବଂ ପଇସା ପାଇଁ ଅକ୍ଷୟ ମହାନ୍ତି ଓ ସୁବାଷ ଦାସ୍ ମ୍ୟୁଜିକାଲ୍ ବ୍ୟାଣ୍ଡରେ କିବୋର୍ଡ଼ ବଜାଇବା ଆରମ୍ଭ କଲି । ସେହି ସମୟରେ ଗୋଟିଏ ପ୍ରୋଗ୍ରାମ ପାଇଁ ୧୦୦ ରୁ ୧୫୦ଟଙ୍କା ଯାଏ ମିଳୁଥିଲା । ସେଥିରେ ମୁଁ ଚଳୁଥିଲି ଏବଂ ଭାୟୋଲିନ୍ ସାଧନା କରୁଥିଲି । ପଣ୍ଡିତ ସୁରେଶ ରାମଚନ୍ଦ୍ର କୁଲକରନି ଜଣେ ମହାନ୍ କଠୋର୍ ଗୁରୁଥିଲେ । ସେ ସକାଳ ୫ ରୁ ଦିନ ୧୧ ଏବଂ ପୁଣି ସଂଧ୍ୟା ୫ ରୁ ରାତି ୧୧ ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ  ମୋତେ ଶିକ୍ଷା ଦେଲେ । ସେ ଜଣେ ସଂସ୍କୃତରେ ବିଦ୍ୱାନ ଥିଲେ, ପଦାର୍ଥ ବିଜ୍ଞାନ ବି ତା’ଙ୍କୁ ଜଣାଥିଲା ଏବଂ ସେ ସୁନ୍ଦର ଶାସ୍ତ୍ରୀୟ ସଂଗୀତ ଗାୟନ କରିପାରୁଥିଲେ । ତାଙ୍କ ଠାରୁ ଗାୟନ ମଧ୍ୟ ଶିଖିଲି ଓ ତାକୁ ଭାୟୋଲିନ୍ ରେ ନିଖୁଣ ଭାବେ ବାଦନ କଲି । ଏପରି ଗୁରୁଙ୍କୁ ପାଇ ମୋ ଜୀବନରେ ଆଉ କିଛି ଆବଶ୍ୟକ ନାହିଁ ବୋଲି ମନେ କରୁଥିଲି । ପରେ ୧୯୯୮ରେ ତାଙ୍କର ଦେହାନ୍ତ ଘଟିଲା ।

ପ୍ରଖ୍ୟାତ ଗାୟକ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ନୃତ୍ୟଶିଳ୍ପୀ ପଦ୍ମବିଭୁଷଣ କେଳୁଚରଣ ମହାପାତ୍ର ମୋର ବାଦନ କୁ ବୋହୁତ ପ୍ରସଂଶା କରୁଥିଲେ। ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର, ଅକ୍ଷୟ ମହାନ୍ତି ଏବଂ ସେହି ସମୟର ସମସ୍ତ ସଂଗୀତ ନିର୍ଦ୍ଦେଶକମାନେ ମୋ ବାଦନର ବହୁତ ପ୍ରସଂଶା କରୁଥିଲେ ।

ସେ ସମୟରେ ଶ୍ରୀକାନ୍ତ ଦାସ ନାମକ ଜଣେ ବ୍ୟକ୍ତି ଜୟପୁର ରେଡ଼ିଓ ଷ୍ଟେସନ୍ ନିର୍ଦ୍ଦେଶକ ଥିଲେ ଏବଂ ସେ ମୋ ପାଇଁ ରେଡ଼ିଓ ଷ୍ଟେସନରେ ଏକ ପୋଷ୍ଟ କ୍ରିଏଟ୍ କରିଥିଲେ । ସେଠାରେ ମୁଁ ନିଯୁକ୍ତି ପାଇଲି । ମୁଁ ନିଯୁକ୍ତି ପାଇବା ପରେ ଆକାଶବାଣୀରେ ପୋଷ୍ଟ ବାହାରିବା ବନ୍ଦ ହୋଇଗଲା । ୧ ବର୍ଷ ପରେ ମୁଁ କଟକ ଆକାଶବାଣୀ କେନ୍ଦ୍ର କୁ ଆସିଲି । ଚଳଚ୍ଚିତ୍ର ଏବଂ ସବୁ ବଡ ବଡ ଅନୁଷ୍ଠାନମାନଙ୍କରେ ମୋତେ ସଂଗୀତ ପରିବେଷଣକରିବାର  ସୁଯୋଗ ପ୍ରାପ୍ତ ହେଲା । ଯେତେବେଳେ ମୁଁ କଟକରେ ଜେ.କେ.ବି.କେ କଲେଜରେ ପଢ଼ୁଥିଲି ସେତେବେଳେ ମାଡ଼୍ରାସ୍ ର ଜଣେ ପାଶ୍ଚତ୍ୟ ଶୈଳୀର ଭାୟୋଲିନ୍ ବାଦକ ଆନ୍ଟୋନି ଫ୍ରାନ୍ସିସ୍ କଟକ ଆସିଥିଲେ । ମୁଁ ତାଙ୍କ ଠାରୁ ବହୁତ ଶୈଳୀ ଶିଖିପାରିଲି । ମୁଁ ଉଭୟ ଶାସ୍ତ୍ରୀୟ ସଂଗୀତ ଏବଂ ଉପଶାସ୍ତ୍ରୀୟ ସଂଗୀତ ଭଲଭାବେ ବାଦନ କରୁଥିବା ସମସ୍ତଙ୍କୁ ହୃଦୟଙ୍ଗମ ହେଲା, ଆଉ ସମସ୍ତେ ମୋତେ ବାହାରକୁ ଯାଇ ସଂଗୀତ ପରିଵେଷଣ ପାଇଁ ପରାମର୍ଶ ଦେଲେ । ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀମାନଙ୍କ  ମଧ୍ୟରେ ବିଦୂଷୀ ଶ୍ୟାମାମଣି ଦେବୀ , ଡ଼ ସୁଚିତ୍ରା ମହାପାତ୍ର, ସଂଗୀତା ଗୋସାଇଁ, ଗୀତା ପଟ୍ଟନାୟକ, ତୃପ୍ତି ଦାସ, ସୁବାଷ ଦାସ, ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ, ସିକନ୍ଦରା ଆଲାମ୍ , ରାମହରି ଦାସ, ସଂଗୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ଅକ୍ଷୟ ମହାନ୍ତି,  ରାଖାଲ ମହାନ୍ତି, ରାଧାକୃଷ୍ଣ ଭଞ୍ଜ , ଓମ ପ୍ରକାଶ ମହାନ୍ତି, ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର , ପଣ୍ଡିତ ହରମୋହନ ଖୁଣ୍ଟିଆ ଏବଂ ପ୍ରଖ୍ୟାତ ମର୍ଦ୍ଦଳ ବାଦକ ପଣ୍ଡିତ ବନମାଳୀ ମହାରଣା ଙ୍କ ସମେତ  ଅନ୍ୟ ସମସ୍ତ କଳାକାରଙ୍କ  ସହିତ  ମୋର ବହୁତ ଅତ୍ମୀୟତା ଥିଲା ଓ ରହିଛି ।

ପ୍ରଶ୍ନ : ଆପଣ ରେଡ଼ିଓରେ କେବେ ଯୋଗଦେଲେ ?

ଉତ୍ତର : ୧୯୯୩ ରେ ମୁଁ ଜୟପୁର ରେଡ଼ିଓ ଷ୍ଟେସନ ରେ ଯୋଗ ଦେଲି ଏବଂ ୧୯୯୪ ରେ ମୁଁ କଟକ ଆସିଲି । ୨୦୦୩ ପର୍ଯ୍ୟନ୍ତ ମୁଁ କଟକରେ ରହିଲି ଏବଂ ତା’ ପରେ ଆକାଶବାଣୀ ଦିଲ୍ଲୀର  ‘ନେସନାଲ ଅର୍କେଷ୍ଟ୍ରା’ କୁ ଆସିଲି , ଯେଉଁଠି  ପଣ୍ଡିତ ରବିଶଙ୍କର ଏବଂ ପଣ୍ଡିତ ରାମନାରାୟଣଜୀ ଙ୍କ ପରି ବଡ ବଡ ବିଦ୍ୱାନ କଳାକାର ସେଠାରେ କାର୍ଯ୍ୟରତ ଥିଲେ । ସେଠାରେ ମୁଁ କାମ  କରିବାର ସୁଯୋଗ ପାଇଥିବାରୁ ନିଜକୁ ଗର୍ବିତ ଅନୁଭବ କରେ |

ମୋର ଗୁରୁଜୀ ପଣ୍ଡିତ ସୁରେଶ ରାମଚନ୍ଦ୍ର କୁଲକର୍ଣ୍ଣି ମୋତେ ଉପଦେଶ ଦେଇଥିଲେ ଯେ, ମୋ ପରେ ଯଦି କାହା ପାଖେ ଶିଖିବୁ ତେବେ ଦିଲ୍ଲୀରେ ପଣ୍ଡିତ ଏଲ୍.କେ.ପଣ୍ଡିତଙ୍କ ଠାରୁ ଶିଖିବୁ । ସେ ଗ୍ୱାଲିୟର ଘରାନାର ମହାନ ଗାୟକ । ମୁଁ ତାଙ୍କ ଠାରୁ ସଂଗୀତ ଶିକ୍ଷା  କରିବାର ସୁଯୋଗ ପ୍ରାପ୍ତ କଲି । ପରେ ୨୦୦୪ରେ ବିଶିଷ୍ଟ ବେହେଲା ବାଦକ ପଣ୍ଡିତ ଡି.କେ ଦତାର ଙ୍କ ସହିତ ଭେଟ ହେଲା । ୨୦୦୪ ରୁ ୨୦୧୮ ପର୍ଯ୍ୟନ୍ତ ମୁଁ ତାଙ୍କ ସହିତ ବହୁତ ଜଡ଼ିତ ଥିଲି । ମୁଁ ବମ୍ବେ ଆସିବା ଆବଶ୍ୟକ ବୋଲି ସେ ହୃଦୟଙ୍ଗମ କଲେ ଏବଂ ତା ପରେ ମୁଁ ବମ୍ବେ  ଆସିଲି ଓ ତାଙ୍କ ପାଖେ ରହି ସଂଗୀତ ଜ୍ଞାନ ଆହରଣ କଲି ।

ପ୍ରଶ୍ନ : ସାଧାରଣତଃ ଗୋଟିଏ ରେଡିଓ ଷ୍ଟେସନରେ ସର୍ଭିସ କରି ଅନ୍ୟ ଏକ ରେଡିଓ ଷ୍ଟେସନ କୁ ବଦଳିହୋଇ ଆସିବା ଏତେ ସହଜ ହୋଇନଥାଏ ବୋଲି ଆମେ ଶୁଣିଛୁ, କିନ୍ତୁ ଆପଣ ଜୟପୁର ରେଡିଓ ଷ୍ଟେସନ ରୁ କଟକ, ପୁଣି କଟକ ରୁ କ୍ରମାଗତ ଭାବେ ବଡ ବଡ ଜାଗାକୁ ପୁଣି ଦିଲ୍ଲୀ ଆକାଶବାଣୀ ନାସନାଲ ଅର୍କେଷ୍ଟ୍ରା ଓ ପରେ ବମ୍ବେ ଆକାଶବାଣୀ କୁ ଅତି ସହଜରେ ବଦଳିହୋଇ ଆସିପାରିଲେ ଏବଂ ସଂଗୀତ ଯାତ୍ରାରେ ସଫଳତାର ଶୀର୍ଷତମ ସ୍ଥାନରେ ପହଂଚି ପାରିଲେ କେମିତି, ସେ ସମ୍ପର୍କରେ କିଛି କୁହନ୍ତୁ।

ଉତ୍ତର : ଜଣେ ବ୍ୟକ୍ତିର ସଫଳତା ତଥା ତାର ସମସ୍ତ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବା ପଛରେ ଜଣେ କେହି ନା କେହି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କର ସାହାଯ୍ୟ ଓ ସହଯୋଗ ରହିଥାଏ | ସେହିପରି ଆକାଶବାଣୀ ଜୟପୁର ଠାରୁ ଆରମ୍ଭ କରି ବମ୍ବେ ପର୍ଯ୍ୟନ୍ତ ଅତି ସହଜରେ ହୋଇଥିବା ମୋର ସମସ୍ତ ଟ୍ରାନ୍ସଫର ପାଇଁ ଓଡିଶାର ଜଣେ ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ଅଲ ଇଣ୍ଡିଆ ରେଡିଓ ର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ତଥା ଉପ – ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ହୃଷିକେଶ ପାଣି ଙ୍କ ସମ୍ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ ମୁଁ କେବେ ବି ଭୁଲି ପାରିବି ନାହିଁ| ମୋର ବାଦନ ପାଇଁ  ମୋ ପ୍ରତି ତାଙ୍କର ବହୁତ ସ୍ନେହ ଓ ଭଲପାଇବା ରହିଛି ଏବଂ ସଂଗୀତରେ ମୁଁ ଆଗକୁ ବଢିବା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି |

 ପ୍ରଶ୍ନ : ଓଡ଼ିଶାରେ ଥିବା ସମୟରେ କେଉଁ କେଉଁ ପ୍ରଖ୍ୟାତ ସଙ୍ଗୀତଜ୍ଞମାନଙ୍କ ସହିତ ବେହେଲା ବାଦନ କରିଛନ୍ତି?

ଉତ୍ତର : ଯେତେବେଳେ ବଡ଼ ବଡ଼ ପ୍ରଖ୍ୟାତ କଳାକାରମାନେ କଟକ ଆକାଶବାଣୀ କେନ୍ଦ୍ରକୁ ଆସୁଥିଲେ ସେତେବେଳେ ତାଙ୍କର ସଂଗୀତକୁ ରେକର୍ଡ଼ କରାଯାଉଥିଲା, ସଂଗୀତର ପ୍ରସାର ପ୍ରଚାର ନିମନ୍ତେ । ଏହି ସମସ୍ତ କଳାକାରମାନଙ୍କ ରେକଡ଼ିଂ ସମୟରେ ମୁଁ  ଭାୟୋଲିନ୍ ବହୁଥର ବାଦନ କରିଛି । ଏମାନଙ୍କ ମଧ୍ୟରେ ବିଖ୍ୟାତ ସଙ୍ଗୀତଜ୍ଞ ପଣ୍ଡିତ ଏଲ୍.କେ.ପଣ୍ଡିତ, ପଣ୍ଡିତ ଜେ.ଭି.ଏସ୍. ରାଓ, ମାନାଦେ, ପଣ୍ଡିତ ଦାମୋଦର ହୋତା, ବିଦୁଷୀ ବୀଣାପାଣି ମିଶ୍ର, ବିଦୁଷୀ ସୁନନ୍ଦା ପଟ୍ଟନାୟକ, ଅନୁପ ଜଲୋଟା, ହରିହରନ, ଅନୁରାଧା ପଡ଼ୁଆଲ ଓ ସୁରେଶ ୱାର୍ଡ଼େକର ଏବଂ ଆହୁରି ଅନେକ…। ଭାୟୋଲିନକୁ ଓଡ଼ିଶାରେ ମୁଁ ନୂତନ ଶୈଳୀ ରେ ବଜାଇବାକୁ ପ୍ରଚେଷ୍ଟା କରିଛି ଏବଂ ଓଡିଶାର ସମସ୍ତ ବଡ ବଡ କଳାକାରମାନଙ୍କର ସ୍ନେହର ପାତ୍ର ହୋଇପାରିଛି। ଓଡ଼ିଶାରେ ଥିବାବେଳେ ଲଘୁ ସଂଗୀତ ମଞ୍ଚରେ ସଂଗୀତ ପରିବେଷଣ ପାଇଁ କିଛିଦିନ କିବୋର୍ଡ଼ ବଜାଇଛି, ଯାହାପାଇଁ ମୋତେ ବମ୍ବେ ହିନ୍ଦୀ ଚଳଚ୍ଚିତ୍ର ର ବହୁତ ଗୀତ ଶୁଣି ଶିଖିବାର ସୁଯୋଗ ପ୍ରାପ୍ତ ହୋଇଥିଲା |

 ପ୍ରଶ୍ନ : ଆପଣ କେତୋଟି ଶୈଳୀରେ ଭାୟୋଲିନକୁ ଟ୍ୟୁନ କରି ବାଦନ କରନ୍ତି ?

ଉତ୍ତର :  ଭାୟୋଲିନକୁ ମୁଁ ୩, ୪ ପ୍ରକାର ଶୈଳୀରେ ଟ୍ୟୁନ କରି ବଜାଇ ପାରେ ।

 ପ୍ରଶ୍ନ : ‘ଟପ୍’ ଗ୍ରେଡ଼୍ କଳାକାରର ମାନ୍ୟତା କେବେ ପାଇଲେ ଏବଂ ଶାସ୍ତ୍ରୀୟ ସଂଗୀତ ପରିବେଷଣ  କରିଥିବା ଜାତୀୟ ଓ ଆର୍ନ୍ତଜାତୀୟ ମଞ୍ଚ ସମ୍ପର୍କରେ କହିବେ?

ଉତ୍ତର : ମୋତେ ଆକାଶବାଣୀ  ଓ ଦୂରଦର୍ଶନ  ର ‘ଏ’ ଗ୍ରେଡ଼୍  ୨୦୦୬ରେ ପ୍ରାପ୍ତ ହେଲା  ଓ ୨୦୧୯ ରେ  ‘ଟପ୍’ ଗ୍ରେଡ଼୍ ପ୍ରାପ୍ତ ହେଲା । ବାବା ହରିବହ୍ଲଭ ସଂଗୀତ ସମାରୋହ ଯାହା ଭାରତର ସବୁଠାରୁ ବଡ଼ ଶାସ୍ତ୍ରୀୟ ସଂଗୀତ ସମାରୋହ ସେଠାରେ ମୁଁ ପରିବେଷଣ କରିଛି । ନାନା ସାହେବ ପାନସେ ସଂଗୀତ ସମାରୋହ, ବାବା ଆଲାଦିଆ ଖାଁ ସାହେବ ସଂଗୀତ ସମାରୋହ, ସଂକଟ ମୋଚନ ସଂଗୀତ ସମାରୋହ, ବହୁ ଜାତୀୟ ପ୍ରୋଗ୍ରାମ୍, ରାଜାରାଣୀ ଶାସ୍ତ୍ରୀୟ ସଂଗୀତ ସମାରୋହ ଓ ରେଡ଼ିଓ ସଂଗୀତ ସମ୍ମିଳନୀ ଇତ୍ୟାଦି ସହ ବିଦେଶରେ ଅନେକ ମଞ୍ଚରେ ପ୍ରଦର୍ଶନ କରିଛି ।

 ପ୍ରଶ୍ନ : ଭାୟୋଲିନ୍ ପରି ବାଦ୍ୟଯନ୍ତ୍ର କୁ ଏତେ ସହଜ ଓ ସୁନ୍ଦର ଭାବେ କିପରି ବାଦନ କରିପାରୁଛନ୍ତି ?

ଉତ୍ତର : ଭାୟୋଲିନ୍ ସବୁଦିନ ମୋ ପାଇଁ ନୂଆ । ନୂଆର ଅର୍ଥ ମୁଁ ଯାହା ବଜାଉଛି ସେଥିରେ ମୁଁ ନୂତନତ୍ତ୍ୱ ଦେଖେ । ମୁଁ କାହାର ଭାୟୋଲିନ୍ ବାଦନ ଶୈଳୀକୁ କପି କରି ବଜାଇବାକୁ ଚେଷ୍ଟା କରେନାହିଁ । ମୁଁ ଯେଉଁ ଗୀତ ଶିଖିଲି ତାକୁ ମୁଁ ଭାୟୋଲିନ୍ ରେ ପ୍ରୟୋଗ କରୁଛି । ଭାୟୋଲିନ୍ ର ଫିଙ୍ଗର ପୋଜିସନ୍ ଜାଣିବାକୁ ହେଲେ ପାଶ୍ଚତ୍ୟ ମ୍ୟୁଜିକ୍ ଶିଖିବାକୁ ପଡ଼େ । ମୁଁ ପାଶ୍ଚତ୍ୟ ମ୍ୟୁଜିକ୍ ଜାଣିଥିବାରୁ ମୋତେ ବହୁତ ସୁବିଧା ହେଲା |

ପ୍ରଶ୍ନ : ବମ୍ବେ ଚଳଚ୍ଚିତ୍ର ଜଗତର କେଉଁ ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ନାମ ଆପଣ ନେବେ?

ଉତ୍ତର : ବମ୍ବେ ଆସିବାପରେ ପ୍ୟାରେଲାଲଜୀ (ଲକ୍ଷ୍ମୀକାନ୍ତ ପ୍ୟାରେଲାଲ)ଙ୍କ ସହ ମୋର ଭେଟ ହେଲା ଏବଂ ତାଙ୍କଠୁ ମୋ ବାଦନର ପ୍ରଶଂସା ଶୁଣି  ମୁଁ ଆତ୍ମବିଭୋର ହୋଇଗଲି । ସୁରେଶ ଲାଲବାନୀ, ଅମର ହଲଦୀପୁର ପ୍ରମୁଖ ବମ୍ବେ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ପାଶ୍ଚାତ୍ୟ ଭାୟୋଲିନ୍ ବାଦକ ଯାହାଙ୍କ ସହିତ ମୋର ଅତି ଉତ୍ତମ ସଂପର୍କ ରହିଛି। ପ୍ରଖ୍ୟାତ ଶାସ୍ତ୍ରୀୟ ବେହେଲା ବାଦିକା ବିଦୁଷୀ ଡ଼.ଏନ୍.ରାଜମ୍ ଙ୍କର ମୋ ଉପରେ ବହୁତ ଆଶୀର୍ବାଦ ରହିଛି  ।

ପ୍ରଶ୍ନ : ବମ୍ବେ ଚଳଚ୍ଚିତ୍ରରେ ଆପଣ ବଜାଇଥିବା କିଛି ଚଳଚ୍ଚିତ୍ର ର ନାମ ?

ଉତ୍ତର : ମୁଁ ବଲିଉଡ଼ରେ ବଜାଇଥିବା କିଛି ଚଳଚିତ୍ର ନାମ- ଦ୍ର୍ରିସିୟମ , ମଦାରୀ, ଫିବର, ସଂଜୁ ଇତ୍ୟାଦି । ଏତତ୍ ବ୍ୟତୀତ କୋକ ଷ୍ଟୁଡିଓ  ଏବଂ  ଅନେକ ଗୀତରେ ମୁଁ ବାଦନ କରିଛି | ଆମେରିକାର ଡ଼ିସନି କାର୍ଟୁନ ଫିଲ୍ମ ରେ ଭାୟୋଲିନ୍ ବାଦନ କରିଛି ଯାହାର ସଂଗୀତ ନିର୍ଦ୍ଦେଶକ ଥିଲେ ନିକୋଲାସ ଭ୍ୟାନ |

ପ୍ରଶ୍ନ : ଆଜିର ଯୁବ କଳାକାର ମାନଙ୍କପାଇଁ ପଦେ କହିବେ?

ଉତ୍ତର : ପ୍ରଥମତଃ ଯୁବକମାନଙ୍କୁ ଚିନ୍ତା କରିବା ଉଚିତ ଯେ ମ୍ୟୁଜିକ୍ ରେ  ସଟ୍ ଟର୍ମ ର କଥା ନାହିଁ । ଆଜି ଶିଖି କାଲି ବଜାଇବା କଥା ନାହିଁ । ନିଜକୁ ଏକ ମାପଦଣ୍ଡ ମଧ୍ୟରେ ସୀମିତ କରି ରଖିବା ଉଚିତ୍ ନୁହଁ। ପ୍ରଥମ କଥା ଯୁବକମାନଙ୍କୁ ଚିନ୍ତା କରିବା ଉଚିତ୍ ଯେ, ଜଣେ  ଗୋଟିଏ ଲାଇନ୍ ଲେଖିବା ଓ ପଢିବା ପାଇଁ କେତେ ବର୍ଷ ଲାଗେ , ସେହିପରି ସଂଗୀତରେ ଗାଇବା ବା ବଜାଇବା ପାଇଁ ସମୟ ଲାଗିଥାଏ। ଆଜି ଶିଖିବି କାଲି ବଜାଇ ଦେବି ତାହା ସମ୍ଭବନୁହଁ । ପ୍ରତିଯୋଗିତା ରହିବା ଉଚିତ | ଏହାର ୨ ଗୋଟି ମାର୍ଗ ଅଛି |  ଗୋଟିଏ ହେଲା ନିଜକୁ ବଡକରିବା ଓ ଅନ୍ୟ ଟି ହେଲା ଅନ୍ୟକୁ ଛୋଟ କରିବା ବା ହରାଇବା | ପ୍ରତିଯୋଗୀ ର ମନୋବୃତ୍ତି ସବୁବେଳେ ନିଜକୁ ଯୋଗ୍ୟ ବନାଇବାରେ ସାହାଯ୍ୟ କରିଥାଏ | ଏହା ସାହାଯ୍ୟରେ ଜ୍ଞାନ ପ୍ରାପ୍ତ ହୋଇଥାଏ |

ନିଜକୁ ଗୋଟେ ମାପଦଣ୍ଡ ଭିତରେ ରଖିବାକୁ ପଡ଼ିବ ବା ନିଜର ସ୍ଥିତି ଜାଣିବାକୁ ପଡିବ । ମୁଁ ଶିଖୁଛି କ’ଣ ଓ ମୁଁ ଶିଖୁଛି କେଉଁଠି?  କ୍ୟାସେଟ୍ ଓ ସିଡ଼ି ଶୁଣି କ’ଣ ସଂଗୀତ ହେବ? ସବୁ ଜିନିଷର ଗୋଟେ କଠୋର ତପସ୍ୟା ଅଛି । ସାମାନ୍ୟ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିବା ପାଇଁ ଜଣେ ପିଲା କେତେ ପରିଶ୍ରମ କରୁଛି? କାହିଁକିନା ପିଲାମାନେ ଶୁଣିଛନ୍ତି ମ୍ୟାଟ୍ରିକ୍ ପାସକଲେ କାଳେ କେଉଁଠି ଗୋଟେ ସର୍ଭିସ୍ କରିଯିବି । କିନ୍ତୁ ସେହି ଜିନିଷଟା ସଂଗୀତ ପାଇଁ କେହି ଭାବୁନାହାନ୍ତି କାହିଁକି ?  ସେତିକି ଗୁରୁତ୍ୱ ସଙ୍ଗୀତ ପାଇଁ ଦେଉନାହାନ୍ତି, ଯେତିକି ହେଲେ ହେବ ନହେଲେ ନାହିଁ ।  ଯେଉଁ ମନୋବୃତ୍ତିରେ ମୋତେ ଯେମିତି ବି ହେଉ ମାଟ୍ରିକ ପାସ କରିବାର ଅଛି, ଠିକ୍ ସେମିତି  ମୋତେ ଯେମିତି ବି ହେଉ ସଂଗୀତ କରିବାର ଅଛି, ଯଦି ଜଣେ ଭାବିବ କାହିଁକି ସଂଗୀତ ହେବନାହିଁ । କାରଣ ସଂଗୀତ ହେଉଛି ଐଶ୍ୱରୀୟ  ବିଦ୍ୟା। ଦୁଇଟି ଜିନିଷ ସଂଗୀତରେ ଅଛି ; ସଂଗୀତ ଅଭ୍ୟାସ କଲେ ହୁଏ, ଆଉ ସଂଗୀତ ଗୋଟେ ଐଶ୍ୱରୀୟ ଦାନ ଅଟେ। ସାଧାରଣ ଲୋକମାନେ କଳାକାର ହୋଇପାରିବେ ନାହିଁ। ଯଦି ତାଙ୍କର ତାଳ, ଲୟ ଓ ସ୍ୱର ଜ୍ଞାନ ଥିବ ତା’ ହେଲେ ସେ ଶିକ୍ଷା ଗ୍ରହଣ ଓ ସାଧନା କରି କଳାକାରଟିଏ  ହୋଇପାରିବେ ।

ପ୍ରଶ୍ନ : ଭାରତୀୟ ଶାସ୍ତ୍ରୀୟ ସଂଗୀତର ପରିବେଷଣ ଶୈଳୀ କୁ ଆପଣ କିପରି ତର୍ଜମା କରନ୍ତି ?

ଉତ୍ତର : ଆମ ଭାରତୀୟ ସଂଗୀତ ଶୈଳୀରେ ଏକଲା ବାଦନ ଓ ଗାୟନକୁ ପ୍ରାଧାନ୍ୟ ଦିଆଯାଇଥାଏ । ଯେପରି ସମସ୍ତ ମନୁଷ୍ୟ ଭିତରେ ବିଭିନ୍ନତା ଦେଖାଯାଏ, ସେହିପରି ଭାରତୀୟ ସଂଗୀତରେ ମଧ୍ୟ ଦେଖାଯାଏ । ତେଣୁ ପାଞ୍ଚଜଣ ଗୋଟିଏ ରାଗକୁ ବଜାଇଲେ ବା ଗାଇଲେ ମଧ୍ୟ ଭିନ୍ନତା ପରିଲକ୍ଷିତ ହେବ । ସମାନ ପ୍ରକାର ବଜାଇ ପାରିବେ ନାହିଁ । ତେଣୁ କମ୍ପିଟିସନ୍ ର ସବାଲ୍ ହିଁ ଉଠୁନାହିଁ ।

ପ୍ରଶ୍ନ : ସଂଗୀତ ଶିକ୍ଷା କ୍ଷେତ୍ରରେ ଗୁରୁଙ୍କର କିପରି ଆବଶ୍ୟକତା ରହିଛି?

ଉତ୍ତର : ସାଧାରଣତଃ ସଂଗୀତକୁ ବୁଝିବା ପାଇଁ ଜଣେ ଭଲଗୁରୁ ଦରକାର । ଭଲଗୁରୁ ବାଛିବା ହିଁ ଜୀବନର ସବୁଠାରୁ ବଡ଼ ଚେଷ୍ଟା ହେବା ଉଚିତ ।  ଜ୍ଞାନ ତ ତୁମ ଭିତରେ ନାହିଁ, ଗୁରୁ ହିଁ ତୁମକୁ ଜ୍ଞାନ ଦେବେ । ସେହି ଜ୍ଞାନକୁ ତୁମେ କେନ୍ଦ୍ରିତ କରି ନିଜର ଅନୁଭବ ବଢ଼ାଇବ । ଅନୁଭବ ବଢ଼ାଇବା ପରେ ଅନୁଭବୀ ହେବ । ଅନୁଭବୀ ହେବା ପରେ ଯେତେବେଳେ ଅନୁଭବକୁ ତର୍ଜମା କରି ଗୋଟିଏ ଜିନିଷ ବାହାରିବ ସେହି ଭାବନା ଯାହାକୁ ତୁମେ ଲେଖିପାରିବନି କି କହିପାରିବନି ତାହା ହିଁ ହେଉଛି ତୁମର ପ୍ରକୃତ  ଜ୍ଞାନ । ସେ ଜ୍ଞାନ ତୁମେ କେବଳ ଗୁରୁଙ୍କ ପାଖରୁ ହିଁ ପାଇବ । ଆମେ ସମସ୍ତେ କହୁଛୁ ଗୁରୁ ଗୁରୁ ବୋଲି, କିନ୍ତୁ କେହି କେବେ ଚେଷ୍ଟା କରିଛି କି ବୁଝିବା ପାଇଁ ଗୁରୁ କ’ଣ? ଗୁରୁ ର ଅର୍ଥ ଯିଏ ତୁମଠୁ ବହୁତ ଜ୍ଞାନୀ । ସେହିପରି ସଂଗୀତରେ ଜଣେ ବଡ ଗୁରୁ ପ୍ରାପ୍ତ ହେବେ, ତୁମେ ତା’ଙ୍କ ପାଖକୁ ଯିବ ଯିଏ ତୁମଠୁ ବହୁତ ଓଜନଦାର, ଏହା ନିଜର ମୂଳ ମନ୍ତ୍ର ହେବା ଦରକାର । ଗୁରୁ ପରିବର୍ତ୍ତନ ର ସମୟ ସେ ଗୁରୁ ହିଁ ସ୍ଥିର କରିବେ। ତୁମେ ବହିରେ ଯେଉଁ ରାଗ ରାଗିଣୀ ଦେଖୁଛ, ସିଡ଼ି ଓ କ୍ୟାସେଟରେ ଯେଉଁ ସବୁ ରାଗ ରାଗିଣୀ ଶୁଣୁଛ,  ସେଇଟା ଗୁରୁ ନୁହଁ, ସେଇଟା ଚଳଚ୍ଚିତ୍ର ଗୀତ ଭଳିଆ । ତୁମେ ଗୋଟେ ଫିଲ୍ମ ଗୀତ ଭାୟୋଲିନ୍ ରେ  ଉଠାଇ ବଜାଇଲ ଓ ସେତିକିରେ ଲୋକ ଖୁସି ହୋଇଗଲେ,  ଯେ ଲତା ମଂଗେସ୍କର୍ ଗାଉଥିଲେ, ତୁମେ ତା’କୁ ବଜାଇଦେଲ । ଫିଲ୍ମ ଗୀତ ବଜାଇବା ଯାହା, କ୍ୟାସେଟ୍ରୁ ରାଗ ରାଗିଣୀ ଶୁଣି ବଜାଇବା ସେଇଆ । ମନେରଖ ରାଗ ରାଗିଣୀ ଆଉ ରାଗ ରାଗିଣୀର ସୁଗନ୍ଧ ମଧ୍ୟରେ ବହୁତ ଅନ୍ତର ରହିଛି । ସୁଗନ୍ଧ ବା ଖୁସବୁ ଯାହାକୁ କୁହନ୍ତି |ରାଗ କଲ୍ୟାଣ ଗାଇବ ବା ବଜାଇବ , ତା’ର ଆରୋହ ଅବରୋହ ହେଉଛି- ନ ରେ ଗା ମା ଧା ନି ସା, ସା ନି ଧା ପା ମା ଗା ରେ ସା , ଏଇଟା ଗାଇଲେ କଲ୍ୟାଣ ହୋଇ ଯିବନି । ଏହି ସ୍ୱର ଭିତରେ କଳ୍ୟାଣ ଲୁଚି ରହିଛି ଅଛି, ସେହି ସୁଗନ୍ଧ କୁ ପାଇବାକୁ ହେଲେ ତୁମକୁ ସେ ରାଗକୁ ମନ୍ଥନ କରିବାକୁ ପଡ଼ିବ । ଦିନେ  ଅଧେ ନୁହଁ ୧୦ ବର୍ଷ, ୨୦ ବର୍ଷ, ୬୦ ବର୍ଷ ପର୍ଯ୍ୟନ୍ତ । ପ୍ରତ୍ୟେକ ଦିନ ୧୦ ଘଣ୍ଟା , ୧୫ ଘଣ୍ଟା, ତେବେ ଯାଇ ତା’ର ବାସ୍ନା ପାଇବ । ଏଣୁ ସ୍ୱଳ୍ପସମୟ ମଧ୍ୟରେ ଶାସ୍ତ୍ରୀୟ ସଂଗୀତ ପ୍ରାପ୍ତ ହେବ ନାହିଁ । ଶାସ୍ତ୍ରୀୟ ସଂଗୀତମାନେ ଶାସ୍ତ୍ର, ଶାସ୍ତ୍ରକୁ ପଢ଼ିବାକୁ ପଡ଼େ, ଆଉ ଶାସ୍ତ୍ର ଜାଣିଥିବା ଗୁରୁ ତାଙ୍କୁ ତାଙ୍କୁ ପଢ଼ାଇବେ । କ୍ୟାସେଟ୍, ସିଡ଼ି ଶୁଣି, ଆଠୁ ତା’ଠୁ ଟିକେ ଶିଖି ଶାସ୍ତ୍ରୀୟ ସଂଗୀତ ଶିଖିହେବ ନାହିଁ ।

 ପ୍ରଶ୍ନ : ଭାରତୀୟ ଶାସ୍ତ୍ରୀୟ ସଂଗୀତ ବାଦନ ପାଇଁ କେତେ ପ୍ରକାର ପଦ୍ଧତି ରେ ଭାୟୋଲିନ କୁ ଟ୍ୟୁନ୍ କରାଯାଇଥାଏ  ଏବଂ ଭଲ ବାଦନ ପାଇଁ ପାଶ୍ଚତ୍ୟ ଓ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଉଭୟ ଶିଖିବା ଜରୁରୀ କି ?

ଯେତେବେଳେ ଦକ୍ଷିଣ ଭାରତର  ପ୍ରସିଦ୍ଧ ସଙ୍ଗୀତଜ୍ଞ  ବିଦ୍ୱାନ ମୁଥୁସ୍ୱାମୀ ଦିକ୍ଷିତର ଏବଂ ବିଦ୍ୱାନ ବାଲୁସ୍ୱାମୀ ଦିକ୍ଷିତର ୨ ଭାଇ ଯିଏକି ଆର୍ମୀ ବ୍ୟାଣ୍ଡର ମ୍ୟୁଜିକ୍ କମ୍ପୋଜର ଥିଲେ, ସେମାନେ ଭାୟୋଲିନ୍ ବିଷୟରେ ପ୍ରଥମେ ଜାଣିଲେ ଏବଂ ଭାରତୀୟ ଶାସ୍ତ୍ରୀୟ ସଂଗୀତ ବଜାଇବା ପାଇଁ ଭାୟୋଲିନ୍ ର  ଟ୍ୟୁନ୍ ପଦ୍ଧତି “ସା- ପା -ସା -ପା” ରଖିଲେ  ଯାହାକୁ  ପୁରା ସାଉଥ୍ ଇଣ୍ଡିଆ ଗ୍ରହଣ କଲା । ତ୍ୟାଗରାଜଙ୍କ ଭଳି ଦକ୍ଷିଣ ଭାରତର ବହୁ ବଡ ବଡ ସଂଗୀତ ବିଦ୍ୱାନମାନଙ୍କର ଯେତେ କ୍ରିତୀ ଥିଲା ସେ ସବୁକୁ ଭାୟୋଲିନ୍ ରେ ବାଦନ କରାଗଲା । ପାଶ୍ଚାତ୍ୟ ସଂଗୀତ ପରି ଦକ୍ଷିଣ ଭାରତୀରେ ମଧ୍ୟ  କମ୍ପୋଜର ପ୍ରାଧାନ୍ୟ |  ତେଣୁ ସାଉଥ୍ ଇଣ୍ଡିଆନ୍ ମ୍ୟୁଜିକ୍ ରେ ଜଣେ କମ୍ପୋଜରଙ୍କ ଗୁରୁତ୍ୱ, ଉତ୍ତର ଭାରତୀୟ ବା ହିନ୍ଦୁସ୍ଥାନୀ ସଂଗୀତରେ  ଜଣେ କମ୍ପୋଜରଙ୍କ ଗୁରୁତ୍ୱଠାରୁ ଅଧିକ ।  ପାଶ୍ଚାତ୍ୟ  ସଂଗୀତରେ ବେଥୋଭେନ୍, ମୋଜାର୍ଟଙ୍କ ଦ୍ୱାରା କମ୍ପୋଜିସନ୍ ହୋଇଥିବା ମ୍ୟୁଜିକ୍ ସେମାନଙ୍କ ନିଜ ନାମରେ ଆଧାରିତ । କିନ୍ତୁ ଉତ୍ତର ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ସେପରି ହୋଇନଥାଏ । ହିନ୍ଦୁସ୍ଥାନୀ ସଂଗୀତରେ କମ୍ପୋଜରଙ୍କ ଗୁରୁତ୍ୱ ଅପେକ୍ଷା ରାଗାଙ୍ଗକୁ ଅଧିକ ମହତ୍ତ୍ୱ ଦିଆଯାଏ । ହିନ୍ଦୁସ୍ଥାନୀ ସଂଗୀତରେ ମଞ୍ଚସ୍ଥ କଳାକାର  ହିଁ ସବୁକିଛି । ଯେତେବେଳେ ହିନ୍ଦୁସ୍ଥାନୀ ସଂଗୀତକୁ ଭାୟୋଲିନ୍ ଆସିଲା ଏବଂ ତାକୁ ହିନ୍ଦୁସ୍ଥାନୀ ସଂଗୀତରେ ବଜାଯିବା ପାଇଁ ଲୋକମାନେ ଚେଷ୍ଟାକଲେ ସେତେବେଳେ ପୂର୍ବ ଭାରତରେ ଥିବା କିଛି ପାଶ୍ଚାତ୍ୟ ବେହେଲା ବାଦକ ଙ୍କ ସଂପର୍କରେ ଆସି (କଲିକତାର ଇଷ୍ଟଇଣ୍ଡିଆ କମ୍ପାନୀରେ ଥିବା)  ପାଶ୍ଚାତ୍ୟ ଟ୍ୟୁନରେ ହିନ୍ଦୁସ୍ଥାନୀ ବଜାଇବା ଆରମ୍ଭ କରିଦେଲେ । ଭାରତରେ ବାଦ୍ୟଯନ୍ତ୍ର କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ କୌଣସି ଟ୍ରେନିଂ ନାହିଁ । ଯଦି କୌଣସି ବାଦ୍ୟ ଯନ୍ତ୍ରରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ରାଗ ସଂଗୀତ ବାଦନ ହୋଇପାରିବ ତେବେ ତାହା ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ର ମାନ୍ୟତା ପାଇବ । ଆମର ରାଗ ଗୋଟିଏ ,ଯେମିତି ୧ ଓମ୍ କାର । କିନ୍ତୁ ବିଦେଶରେ ଭିନ୍ନ ଭିନ୍ନ  ବାଦ୍ୟଯନ୍ତ୍ରର ମ୍ୟୁଜିକ୍ ଭିନ୍ନ ଭିନ୍ନ ପ୍ରକାର କମ୍ପୋଜ କରାଯାଇଥାଏ । କିନ୍ତୁ ହିନ୍ଦୁସ୍ଥାନୀ ସଂଗୀତରେ ସେମିତି ନାହିଁ । ସେହି କଲ୍ୟାଣ ରାଗ ସୀତାରରେ ବାଜିବ, ସାରଂଗୀରେ ବାଜିବ, ସରୋଦରେ ବାଜିବ, ଭାୟୋଲିନରେ ବାଜିବ ଓ  ବଂଶୀରେ ବାଜିବ । ଯେକୌଣସି ବାଦ୍ୟଯନ୍ତ୍ରରେ ଏହି ରାଗ ବାଜି ପାରିବ, ଲୋକେ ତାକୁ ଶାସ୍ତ୍ରୀୟ ମାନିନେବେ । ଉତ୍ତର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ନିର୍ଦ୍ଦିଷ୍ଟ ଭାବେ ବାଦ୍ୟଯନ୍ତ୍ର ଶୈଳୀରେ କୌଣସି ଟ୍ରେନିଂ ନାହିଁ । ଉତ୍ତର ଭାରତରେ ପାଶ୍ଚାତ୍ୟ ସଂଗୀତ ବାଦନ କରୁଥିବା କିଛି ଭାୟୋଲିନ୍ ବାଦକ ହିନ୍ଦୁସ୍ଥାନୀ ରାଗକୁ ଶୁଣିଶୁଣି ସେହି ଭାୟୋଲିନ୍ କୁ  ପାଶ୍ଚତ୍ୟ ଟ୍ୟୁନ୍ ଇ.-ଏ.-ଡ଼ି.-ଜି. ରେ ବଜାଇବା ଆରମ୍ଭ କଲେ , ସୁବିଧା ହେଉ ବା ଅସୁବିଧା ହେଉ । ହିନ୍ଦୁସ୍ଥାନୀ ବାଦନ ପାଇଁ ଭାୟୋଲିନକୁ ୫ ପ୍ରକାର ଶୈଳୀରେ ଟ୍ୟୁନ କରାଯାଇଥିବାର ଦେଖିବାକୁ ମିଳେ । ଏହି ୫ ପ୍ରକାର ଶୈଳୀରେ ଥିବା  କନଫ୍ୟୁଜନ୍ ପାଇଁ ନର୍ଥ ଇଣ୍ଡିଆ ବା ହିନ୍ଦୁସ୍ଥାନୀ ଭାୟୋଲିନ୍ ଏତେ ଲୋକପ୍ରିୟ  ହୋଇପାରିନାହଁ । ଯେଉଁଠି ବି ପପୁଲାର ହୋଇଛି ତାହା ସାଉଥ୍ ଇଣ୍ଡିଆର କିଛି ଭାୟୋଲିନ୍ ବାଦକମାନେ ହିଁ କରିଛନ୍ତି । ହିନ୍ଦୁସ୍ଥାନୀ ଭାୟୋଲିନକୁ ପପୁଲାର କରାଇଥିବା ବାଦକ ହେଉଛନ୍ତି ପଣ୍ଡିତ ଭି.ଜି.ଯୋଗ । ସେ ସୀତାରଖାନୀ ଅଂଗରେ ବାଦନ କରନ୍ତି ଯାହା ଧିରେ ଧିରେ ଲୋପ ହେବାକୁ ବସିଲାଣି । ମସିତଖାନୀ ଗତ, ରାଜାଖାନୀ ଗତ, ଆଳାପ, ଜୋଡ଼୍ ଓ ଝାଲା ଇତ୍ୟାଦି ଆଜିକାଲି ଭାୟୋଲିନରେ କେହି ବଜାଉ ନାହାନ୍ତି । ସମସ୍ତେ ଗାୟକୀ ଶୈଳୀ ପଛରେ ଲାଗିଛନ୍ତି । ହିନ୍ଦୁସ୍ଥାନୀ ସଂଗୀତରେ ଯେଉଁ ୫ ପ୍ରକାର ଶୈଳୀରେ ଭାୟୋଲିନ୍ ତାରକୁ ବାନ୍ଧାଯାଇ ବାଦନ କରାଯାଉଛି ତା’ହା ହେଉଛି :

(୧) ମା-ସା-ପା-ରେ

(୨) ପା-ସା-ପା-ରେ

 (୩) ପା-ସା -ପା-ସା

(୪ ) ‘ମା-ସା-ପା-ସା’

(୫)  ‘ସା-ପା-ସା-ପା’ (ଯାହାକି  କର୍ଣ୍ଣାଟକୀ ତଥା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ଗାୟକୀ ଶୈଳୀରେ ବହୁଳ ଭାବେ ଆଜିକାଲି ବାଦନ କରାଯାଉଛି )

ଏହି ୫ ପ୍ରକାର ଟ୍ୟୁନ୍ ରେ ଭାୟୋଲିନକୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ବାଦନ କରାଯାଉଛି । ମୁଁ ଯେଉଁ ଭାୟୋଲିନର  ପାଞ୍ଚ ପ୍ରକାର ଟ୍ୟୁନ କହିଲି, ଏ ସବୁର ଆଙ୍ଗୁଠି ଚାଳନା ପଦ୍ଧତି ଅଲଗା ଅଲଗା । କୌଣସି ଟ୍ୟୁନ୍ ରେ କୌଣସି ଅଙ୍ଗୁଠି ଚାଳନା ମିଶିବ ନାହିଁ । ଯେତେବେଳେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତର ଜଣେ ଛାତ୍ର ହୁଏ ସେତେବେଳେ ସେ ଶୂନ୍ୟ ମସ୍ତିଷ୍କ ନେଇ ଗୁରୁଙ୍କ ପାଖକୁ ଶିଖିବାକୁ ଆସିଥାଏ । ଧରାଯାଉ ସେ ‘ପା-ସା-ପା-ସା’ ଟ୍ୟୁନ୍ ରେ  ଭାୟୋଲିନ୍ ବାଦନ କରୁଥିବା ଜଣେ ଗୁରୁଙ୍କ ପାଖରେ ଶିଖିଲା ଓ ସେ  ୫ ବର୍ଷ ସାଧନା କଲା ସେହି  ‘ପା-ସା-ପା-ସା’ ଟ୍ୟୁନ୍ ରେ । ଯଦି ପରେ ସେ ଆଉଜଣେ ଗୁରୁଙ୍କ ପାଖକୁ ଯାଏ   ଏବଂ  ଟ୍ୟୁନ୍ ପଦ୍ଧତି ଅଲଗା ହୋଇଯାଏ ତେବେ ତାକୁ ବଜାଇବାପାଇଁ ବହୁତ କଷ୍ଟ ହେବ |  ତାର ସମୟ ନଷ୍ଟ ହୋଇଯିବ ଓ ସେ ସଠିକ ଭାବେ ଶିକ୍ଷା ପାଇପାରିବନାହିଁ |

ପ୍ରଶ୍ନ : ଓଡ଼ିଶାରେ ଭାୟୋଲିନ୍ ଶିକ୍ଷା ସମ୍ପର୍କରେ କିଛି କହିବେ କି?

ଉତ୍ତର : ଓଡ଼ିଶାରେ ଭାୟୋଲିନ୍ ଶିକ୍ଷା ସମ୍ପର୍କରେ କିଛି କହିଲାବେଳେ ମୁଁ କହିପାରିବି ଯେ, ଓଡ଼ିଶାର ଭାୟୋଲିନ୍ ଶିକ୍ଷାର୍ଥୀମାନେ ବହୁତ ଟ୍ୟାଲେଣ୍ଟେଡ କିନ୍ତୁ ଯଦି ସେମାନଙ୍କୁ ସଂଗୀତରେ ଉଚ୍ଚ ଶିକ୍ଷାର ସୁଯୋଗ ମିଳନ୍ତା ତେବେ ଦେଶ ବିଦେଶରେ ବହୁତ ସୁନାମ ପାଇପାରନ୍ତେ।  ତେବେ ଓଡ଼ିଶାରେ ସେଭଳି ସୁଯୋଗ କାହିଁ? ଶିଖାଇବ କିଏ ସେ ବିଷୟଟି ମଧ୍ୟ ଅତି ଜରୁରୀ । ଭାୟୋଲିନ ର  ସବୁଠୁ ବଡ଼ ଜିନିଷ ହେଉଛି ଟୋନ ବା ଧ୍ଵନି। କେଉଁ ଆଂଗୁଠି କେଉଁଠି ରଖିଲେ ଟୋନ୍ ଆସିବ ଏହି ଜ୍ଞାନ ଜଣେ ଗୁରୁହିଁ ପ୍ରଦାନ କରିପାରିବେ । ଟୋନ୍ ବହୁତ ଇମ୍ପୋଟାଣ୍ଟ ରୋଲ ରଖେ ଭାୟୋଲିନରେ । ଟୋନ୍ କାହାକୁ କୁହନ୍ତି, ଅକଟେଭ କାହାକୁ କୁହନ୍ତି, ପ୍ଲେଇଂ କାହାକୁ କୁହନ୍ତି, ପୋଜିସନ୍ କାହାକୁ କୁହନ୍ତି ଇତ୍ୟାଦି ଜାଣିବା ଅତ୍ୟନ୍ତ ଆବଶ୍ୟକ । ଯେତେବେଳେ ହିନ୍ଦୁସ୍ଥାନୀ ସଂଗୀତକୁ ଭାୟୋଲିନରେ  ଠିକଭାବେ ମିଣ୍ଡ ଓ ଗମକ କରି  ବଜାଯିବ ସେତେବେଳେ ଯାଇ ତାହାର ବାସ୍ତବିକ ରୂପ  ବାହାରିବ  ଓ ଏହା ସମସ୍ତଙ୍କୁ ବିଭୋର କରିବ । ପ୍ରତ୍ୟେକ ପ୍ରକାର ମ୍ୟୁଜିକର ଅଲଗା ଅଲଗା ଶୃତି ଅଛି (Placement of Notes) | ଓଡ଼ିଶୀ ସଂଗୀତ,  କର୍ଣ୍ଣାଟକୀ ସଂଗୀତ , ପାଶ୍ଚତ୍ୟ ସଂଗୀତ ଓ ହିନ୍ଦୁସ୍ଥାନି ସଂଗୀତ ଇତ୍ୟାଦି ର ଶୃତିର ସ୍ଥାନ ଓ ଗାୟନ ଶୈଳୀ ଅଲଗା ଅଲଗା ହୋଇଥାଏ |

ପ୍ରଶ୍ନ : ଓଡିଶା ର ଯୁବ କଳାକାର ମାନେ କିପରି ସଂଗୀତ ରେ ଆଗକୁ ବଢ଼ିପାରିବେ ?

ଉତ୍ତର :  ଓଡ଼ିଶାର ପିଲାମାନେ ବହୁତ ଟ୍ୟାଲେଣ୍ଟେଡ । କାରଣ ଓଡ଼ିଶା ହେଉଛି ଗୋଟେ ସାଂସ୍କୃତିକ ରାଜ୍ୟ । ଓଡ଼ିଶା ରାଜ୍ୟର ନିଜସ୍ୱ ସ୍ୱତନ୍ତ୍ର ଗୀତ ଅଛି ଯାହା ଅନେକ ରାଜ୍ୟରେ ନାହିଁ । ଓଡ଼ିଶାରେ ସମସ୍ତଙ୍କ ରକ୍ତରେ ସଂଗୀତ ରହିଛି । କିନ୍ତୁ ସେମାନଙ୍କୁ ପ୍ରୋସାହନ ଦେବା ବହୁତ ବଡ କାର୍ଯ୍ୟ |   ଭଲ ଭଲ ଟ୍ୟାଲେଣ୍ଟଟେଡ଼ ଯୁବ କଳାକାର  ୫, ୭ ବର୍ଷ ପରେ ଧୀରେ ଧୀରେ ଲୁପ୍ତ  ହୋଇଯାଉଛନ୍ତି  ନିର୍ଦ୍ଦିଷ୍ଟ ମାର୍ଗଦର୍ଶନର  ଅଭାବ ଯୋଗୁ । ତା’ ପାଇଁ  ଓଡ଼ିଶା ସରକାରଙ୍କୁ ଚିନ୍ତା କରିବାକୁ ପଡ଼ିବ କି  ସଂଗୀତ  ଓ କଳାକାର ଙ୍କ  ଉନ୍ନତି ପାଇଁ କଣ କଣ ପଦକ୍ଷେପ ନେବାକୁ ହେବ? ମ୍ୟୁଜିକ ରେ କମରସିଆଲାଇଜେସନ୍ କେଉଁଠି ଅଛି? କିଛି କଳାକାରଙ୍କୁ ଫୁର୍ସତ ନାହିଁ, ଆଉ କିଛି କଳାକାରଙ୍କୁ କିଛି ବି କାମ ନାହିଁ । ତାର କାରଣ କ’ଣ କେହି ବିଚାର କରିଛନ୍ତି କି?  ଗୋଟେ ଗୋଟେ ରାଗର ୧୦-୧୫ଟି ବନ୍ଦିସ୍ ବା ଖେୟାଲ ଜାଣିବାକୁ ପଡ଼େ । ପିଲାମାନଙ୍କୁ ବହୁତ ଟ୍ରେନିଂ ଆବଶ୍ୟକ ହେଉଛି । ଦକ୍ଷିଣ ଭାରତରେ  ଘରେ ଘରେ  ଭାୟୋଲିନ୍ ବାଜୁଛି । ସେଠି ଘରେ ଘରେ ବଡ଼ ବଡ଼ ଗୁରୁ । ତାଙ୍କ ସରକାରଙ୍କ ବହୁତ ଅବଦାନ ରହିଛି । ଭାରତର ବିଭିନ୍ନ ରାଜ୍ୟ ସରକାରମାନେ ସାଂସ୍କୃତିକ ମଞ୍ଚର ଆୟୋଜନ କରୁଛନ୍ତି ଏବଂ ସେଠି ତାଙ୍କର  ନିଜ ପିଲାମାନଙ୍କୁ ଆଗ ସୁଯୋଗ ଦେଉଛନ୍ତି ।  କିନ୍ତୁ ଓଡ଼ିଶାରେ କଳାକାର ବିଦ୍ୟାର୍ଥୀ ମାନେ ନିଜେ ଷ୍ଟ୍ରଗଲ କରି ମଣିଷ ହେବାକୁ ଚେଷ୍ଟା କରୁଛନ୍ତି । ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସ୍ତରରେ ଓ ରାଜ୍ୟ ସରକାରଙ୍କ ସ୍ତରରେ ବ୍ୟାପକ ଭାବରେ ଆଲୋଚନା ହେବା ଓ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ପ୍ରଶ୍ନ : ଆପଣଙ୍କ ବଜାଇବା ଶୈଳୀକୁ ନେଇ କଣ କହିବେ ?

ମୁଁ ସାଧାରଣତଃ ଦୁଇ ପ୍ରକାର ଶୈଳୀରେ ଭାୟୋଲିନ୍ ବଜାଏ | ଶାସ୍ତ୍ରୀୟ ସଂଗୀତ ଓ ଲଘୁ ସଂଗୀତ | ଏ ଦୁଇଟିଯାକ ବାଦନ ଶୈଳୀ ଭିତରେ ମୋତେ ସମନ୍ୱୟ ରଖିବାପାଇଁ ପଡ଼ିଛି । ଉଦାହରଣ ଦେବି କି ମୋର ଶାସ୍ତ୍ରୀୟ ସଙ୍ଗୀତର ଶ୍ରୋତାମାନେ ଜାଣନ୍ତିନି କି ମୁଁ ପାଶ୍ଚାତ୍ୟ ଶିଖିଛି , ଠିକ  ସେପରି ଫିଲ୍ମ ଇଣ୍ଡ୍ରଷ୍ଟିର  ମ୍ୟୁଜିସିଆନ ମାନେ  ଜାଣନ୍ତିନି କି ମୁଁ ଶାସ୍ତ୍ରୀୟ ସଙ୍ଗୀତ ବାଦନ କରେ ବୋଲି। କେବଳ ସାଧନା ଦ୍ୱାରା ହିଁ ଏହା ସମ୍ଭବ ହୋଇପାରେ।|

ଯେଉଁ ଓଡ଼ିଆ କଳାକାର କିଛି ବାହାରେ ଅଛନ୍ତି, ନାଁ କରିଛନ୍ତି, ସେମାନଙ୍କୁ ବାହାରେ ବହୁତ ସମ୍ମାନ ମିଳୁଛି । ଓଡ଼ିଶାର ଲୋକମାନେ ସେମାନଙ୍କୁ ଜାଣୁନାହାନ୍ତି କିମ୍ବା ସେମାନଙ୍କ ନିକଟରେ କିଛି ଜାଣିବାର ସୁଯୋଗ ନାହିଁ । ଜଣେ କଳାକାର କ’ଣ ନିଜ ମୁହଁରେ କହିବୁଲିବ କି ଯେ, ସେ ବହୁତ ଭଲ ବଜାଉଛି ବୋଲି? ଏହା ଅସମ୍ଭବ କଥା ନା । ଲୋକମାନେ ବାହାରୁ ଶୁଣିବେ ଯେ ସେ ଭଲ ବାଜଉଛି । ତେବେ ଯାଇକି ସେମାନେ ମାନିବେ ଓ ଗ୍ରହଣ କରିବେ । ଅନେକ ରାଜ୍ୟରେ ବିଭିନ୍ନ  ସ୍ଥାନରେ ଛୋଟ ଛୋଟ ପିଲାମାନଙ୍କୁ ମଞ୍ଚ ଦେଇ ଏପରି ପ୍ରୋତ୍ସାହିତ କରାଯାଉଛି ଯେ ସେମାନେ ବହୁତ ବଡ଼ ବଡ଼ କଳାକାର ହୋଇପାରୁଛନ୍ତି । ଆମ ରାଜ୍ୟରେ ସେହିଭଳି ପଦକ୍ଷେପ ନିଆଯାଇ ଯୁବ କଳାକାରମାନଙ୍କୁ ପ୍ରୋତ୍ସାହିତ  କରିବା ଆବଶ୍ୟକ ହେଉଛି ।

ପ୍ରଶ୍ନ : ଆପଣତ ଅନେକ ବଡ ବଡ ମଞ୍ଚରେ ବାଦନ କରିଛନ୍ତି, ଆପଣଙ୍କୁ ବହୁତ ଭଲ ଲାଗିଥିବା କିଛି ମଞ୍ଚ, କାର୍ଯ୍ୟକ୍ରମ ଓ ସମ୍ମାନ ସମ୍ପର୍କରେ କିଛି କହିବେ କି ?

 ଉତ୍ତର : ଦିଲ୍ଲୀରେ ହୋଇଥିବା “ଆର୍ଟ ଅଫ ଲିଭିଂ” କାର୍ଯ୍ୟକ୍ରମ ପାଇଁ  ପୁରା ଭାରତରେ ଭାୟୋଲିନ୍ ପ୍ଳେୟାର ଭାବେ ମୋତେ ଚୟନ କରାଗଲା । ୨ ଥର ମୁଁ ଏପରି କାର୍ଯ୍ୟକ୍ରମ କରିଛି  । ଥରେ ୧୫୦୦ ସୀତାର ବାଦକଙ୍କ ସହ ମୁଁ ଏକମାତ୍ର ଭାୟୋଲିନ୍ ବାଦକ ଥିଲି ଓ  ଆଉ ଥରେ ୬୫,୦୦୦  ହଜାର କଳାକାର ମାନଙ୍କୁ ନେଇ କାର୍ଯ୍ୟକ୍ରମ ହୋଇଥିଲା । ନୃତ୍ୟଶିଳ୍ପି , କଣ୍ଠଶିଳ୍ପି ଓ ସବୁପ୍ରକାର ବାଦ୍ୟଯନ୍ତ୍ର ର କଳାକାରମାନେ ଥିଲେ । ସେଥିରେ ମୁଁ ଏକ ମାତ୍ର ଭାବେ  ଭାୟୋଲିନ୍ ବାଦନ କରିଥିଲି । ଦୁଇଥର “ଗିନିସ୍ ବୁକ୍ ଅଫ ରେକର୍ଡ଼” କୁ ନାଁ ଯାଇଛି । ମ୍ୟୁଜିକ କମ୍ପୋଜର ହିସାବରେ ମୁଁ ଦୁଇ ଥର ଆକାଶବାଣୀର  ଜାତୀୟ ପୁରସ୍କାର ପାଇଛି ।  ବମ୍ବେରେ ମୁଁ ୫୦ ଜଣ ଭାୟୋଲିନ୍  ପ୍ଳେୟାର ଓ ଅନ୍ୟ ବାଦ୍ୟଯନ୍ତ୍ର ପ୍ଳେୟାର ମାନଙ୍କୁ ନେଇ ମୋ ସଂଗୀତ ନିର୍ଦ୍ଦେଶନାରେ କାମ କରିଛି । ଜଣେ ସଂଗୀତ ବିଦ୍ୟାର୍ଥୀ କେମିତି ଜାଣିବେ ଯେ, ୫୦ ଭାୟୋଲିନ୍ ଏକା ସାଂଗରେ କେମିତି ବାଜିପାରିବ? ୨ଟା ଭାୟୋଲିନ୍ ଏକା ସାଂଗରେ ବାଜି ପାରୁନି, ୫୦ଟା କେମିତି ବାଜିପାରିବ ? ତା’ର ଟେକ୍ନିକ୍ କ’ଣ ଦେଖିଲେ ଓ ଜାଣିଲେ ହିଁ ସିନା ଶିଖିବେ |

ପ୍ରଶ୍ନ : ଆପଣଙ୍କର ସଫଳତାର ଶ୍ରେୟ ଆପଣ କାହାକୁ ଦେବେ?

ଉତ୍ତର : ଶ୍ରେୟ ପରିବାରକୁ ଦେବି । ଯେତେବେଳେ ପିଲାବେଳେ ସାଧନା କରୁଥିଲି ସେତେବେଳେ ଘରେ ସମସ୍ତେ ଭାବୁଥିଲେ କି ମୁଁ ଖୁସିରେ ବଜାଉଛି । ତା’ ପରେ ମୁଁ କଟକ ପଳାଇ ଆସିଲି । ବିବାହ ପରେ ପରିବାରର ବହୁତ ବଡ଼ ଭୂମିକା ରହିଛି ମୁଁ ଭଲ କଳାକାର ହେବା ପାଇଁ । ମୋର ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ପାତ୍ର ମୋତେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଛନ୍ତି ଓ  ସେଥିପାଇଁ ମୁଁ ଭଲ ବଜାଇ ପାରୁଛି ।  ମୋର ଦୁଇଟି ଝିଅ – କ୍ରୀତି ପାତ୍ର ଆଉ କୌଶିକି ପାତ୍ର । ଦୁଇଜଣ ମଧ୍ୟ ଭଲ ଭାୟୋଲିନ ବଜାଉଛନ୍ତି । ଦୁଇଜଣ ଯାକ ରେଡ଼ିଓର ଶିଶୁ କଳାକାର ।

ମୁଁ ଜାତୀୟ ସ୍ତରରେ ବଡ଼ ବଡ଼ ଅର୍କେଷ୍ଟ୍ରା ପରିଚାଳନା କରିଛି । ମୋର ବହୁ ଶିଷ୍ୟମାନେ ବଡ଼ ବଡ଼ ପଦ ପଦବୀରେ ନିଯୁକ୍ତ ହୋଇଛନ୍ତି । “ନ୍ୟାସ୍ନାଲ ଅରକେଷ୍ଟ୍ରା ଅଲଇଣ୍ଡିଆ ରେଡ଼ିଓ” ରେ ମୁଁ ସଂଗୀତ ପରିଚାଳନା କରିଛି । ରାଷ୍ଟ୍ରପତି ଭବନ ଏବଂ ଅନ୍ୟ ବଡ଼ ବଡ଼ ଜାଗାରେ ବଜାଇଛି । ଫୋକ୍ ମ୍ୟୁଜିକ୍, ଟ୍ରାଡିସନାଲ ମ୍ୟୁଜିକ୍, ଟ୍ରାଇବାଲ୍ ମ୍ୟୁଜିକ୍ ଏବଂ ପାଶ୍ଚତ୍ୟ ମ୍ୟୁଜିକରେ ମୋର ଆଗ୍ରହ ଓ ଦଖଲ ରହିଛି ।  ସରକାରୀ ନିଯୁକ୍ତି ସ୍ତରରେ ଜଜ୍ ଭାବରେ ମୁଁ ବହୁତ ଭାୟୋଲିନ୍ ବାଦକ ଓ ଅନେକ ମ୍ୟୁଜିସିଆନ୍ ମାନଙ୍କୁ ଚୟନ କରି  ବଡ ବଡ ଅନୁଷ୍ଠାନରେ ନିଯୁକ୍ତ କରାଇବା ଇତ୍ୟାଦି ଅନେକ କାର୍ଯ୍ୟରେ ସହଭାଗୀ ହୋଇଛି ।

ଶେଷରେ, ସଂଗୀତ ସମ୍ପର୍କରେ ଆଲୋଚନାର ତ ଶେଷ ନାହିଁ ତଥାପି ସଂଗୀତ ପାଇଁ ପଦେ କହିବି, ସଂଗୀତ ଆକାଶ ଭଳି ବ୍ୟାପକ ଏବଂ ଅସୀମ। ସଂଗୀତ ଏକ ପ୍ରବହମାନ ଧାରା । ଏହି ପ୍ରାଣମୟ ସଙ୍ଗୀତର ସ୍ପର୍ଶରେ ସମଗ୍ର ଜୀବଜଗତ ହୁଅନ୍ତି ଜୀବନ୍ତ ଓ ରୋଗ,ଶୋକ, ବ୍ୟାଧିର ଯନ୍ତ୍ରଣାରୁ ମୁକ୍ତ।  ପ୍ରକୃତିର ଦୁର୍ଲଭ ଏହି ସଂଗୀତ ଯେତେବେଳେ ପ୍ରବାହମାନ ହୁଏ ସମଗ୍ର ପ୍ରାଣୀଜଗତ ଓ ବିଶ୍ଵକୁ ଆନନ୍ଦରେ ଭରିଦିଏ। ସେଥିପାଇଁ ତ ସଙ୍ଗୀତର ଗୁଣଗାନ କରିବା ପାଇଁ ଯୋଗୀମାନେ  ହୋଇଉଠୁଥିଲେ ଶତମୁଖ ।

Photo credit-

https://bit.ly/2XffVxY

https://bit.ly/3cKxkp5


Share Samadhwani
Support Samadhwani

About ଜ୍ୟୋତିପ୍ରକାଶ ସାହୁ

ଯୁବ କଳାକାର ତଥା ଭାୟୋଲିନ ବାଦକ( ଆକାଶବାଣୀ)

Check Also

ଅବିସ୍ମରଣୀୟ ପ୍ରତିଭା କେଶବ କବିଙ୍କ ସ୍ମରଣେ

Share Samadhwaniଯେପରି ବଣ ମଲ୍ଲୀ ଅରଣ୍ୟ ବନାନୀ ରେ ପ୍ରସ୍ଫୁଟିତ ହୋଇ ଵୃନ୍ତ ଚ୍ୟୂତ ହୋଇଯାଇ ବନ ଭୂମିରେ ଖସିପଡେ …

11 comments

  1. Thank you Jyotiprakash for this wonderful interview. Odisha expects more from you like artists. Keep it up

  2. Beautiful. Its a great attempt by Samadhwani. We Odisha artist fraternity congratulate you. Please do more interviews and encourage us. Thanks.

  3. Dr.Durga Prasad Mishra

    Very good work done by our Music sir (Jyoti sir)of OAV bellaguntha ganjam.Pranam to Guru Sri kailas sir for his time.Very thankful to Swayamprabha madam for her editorial notes.
    Thanks samadhwani family and wishing a grand success of all

  4. Thanks a lot with wholeheartedly to dear Jyoti Prakash Sahu,violinist for having a special musical interview with Pundit Kailash Patra,an eminent Violinist with great personality of our state Odisha as well as our nation.Your keen interest brings us a glory to our state Odisha as well as to our nation.I have come in contact with you many times that brings me a great pleasure today.. Hope,very soon a day your hard work of trial brings us success and dwells you the best among the best violinists and stands pride to our nation…Wishing you all the best..🌹🌹❤️❤️😊😊

  5. ସୁଧୀର

    ବହୁତ ସୁନ୍ଦର ସାକ୍ଷାତକାର ଟିଏ । କୈଳାଶ ବାବୁଙ୍କ ଜୀବନ ଓ ସଙ୍ଗୀତ ଯାତ୍ରା ପ୍ରେରଣା ଦାୟକ। ଅନେକ ଶୈଳୀ ଓ ଗୁରୁ ମନଙ୍କ ସମ୍ପର୍କରେ ମଧ୍ୟ ଜାଣିବାକୁ ମିଳିଲା। ଜ୍ୟୋତି ପ୍ରକାଶ ଙ୍କ ପ୍ରଶ୍ନ ଗୁଡିକ ବି ଭଲ ଲାଗିଲା ଯାହା କୈଳାଶ ବାବୁଙ୍କୁ ସହୋଜଗ କଲା ଅନେକ କଥା କହିବାକୁ।ସମସ୍ତଙ୍କୁ ଅଭିନନ୍ଦନ!

  6. Manoj Kumar Mati

    Khub sundar sakshyatkar ti. Bahut preranadayee Sangeeta sadhana karuthiba chhatra mananka pain. Bahut kichhi sikhibaku milila aau aama Odisha ra garva o gaurava Pt. Kailash Patra nka bisayare bahut kichhi janibaku milila. Bahut bahut dhanyabad Debi “Samadhwani” ku aau mo bandhu Jyotiprakash ku. Mo bandhu Jyotiprakash madhya eka bahut bhala violin badaka. Bhagban nka pakhe prarthana karibi tankara badana re aahuri urnnati hau bahut paradarshita labha karantu . Tanka namara jatharthata ku pratipadana karantu etiki Jane bandhu hisabare mora kamana. Bahut bahut dhanyabad from. (Manoj Mati)

  7. Surendra Kumar Tripathy Odishi Sangita guru

    Very excellent interview. Pt Kailash Patra is great artist of india. Koti koti pranam Pt ji nku. 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼jagannath tanku asribada karantu se ahuri agaku jantu.. Mate bahutu khusi lagila interview dekhi thank you so much Jyoti 👍👍👍👍👍👍👍👍👍👍👍👍👍👍🏼👍👍

  8. Surendra Kumar Tripathy Odishi Sangita guru

    Very very excellent interview. Pt Kailash Patra is great artist of india. Koti koti pranam Pt ji nku 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼jagannath tanku asribada karantu se ahuri agaku agaku jantu. Mote bahutu khusi lagila interview dekhi. Thank you so much Jyoti. 👍👍👍👍👍👍👍👍👍👍👍👍👍🏼👍👍👍👍👍👍

  9. Manmath Kumar Sahu

    Great Violinist Pt. Kailash Patra. Odisha is proud of u. Very beautiful interview by Jyotiprakash ji. Thanks to The Editor of Samadwani for publishing such type of interview. It will help to all artists to go ahead. Thanks a lot to all for this special initiative….

  10. Kesha Ranjan Pradhan

    Very nice interview. Informative and interesting.

  11. ଅତ୍ୟନ୍ତ ପ୍ରେରଣାଦାୟୀ ସାକ୍ଷାତ କାର । ସମଧ୍ୱନି ପରିବାରକୁ ଧନ୍ୟବାଦ୍। ଏଭଳି ଏକ website r ବ୍ୟାପକ ପ୍ରଚାର ହୋଇ ନଥିବା ଦୁଃଖର ବିଷୟ। ଏହାର ବ୍ୟାପକ ପ୍ରଚାର କରିବାରେ ଅବଶ୍ୟ ଆମ ସମସ୍ତଙ୍କର ସହଯୋଗ ରହିବା ଜରୁରୀ। ମୋ ତରଫରୁ ମୁଁ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଉଛି।