“କଳାକାର ସହାୟତା ପାଣ୍ଠି” ଗଠନ କରିବା ଜରୁରୀ କାହିଁକି?

Swayamprava Parhi (Chief Editor)
4 Min Read

ବିଗତ ଦୁଇମାସ ଧରି ରାଜ୍ୟରେ ଓ ସମଗ୍ର ଦେଶରେ ତାଲାବନ୍ଦ ପରିସ୍ଥିତି ଲାଗି ରହିଛି । ବିଭିନ୍ନ ସ୍ଥାନରେ ଅଟକିଯାଇଥିବା ଶ୍ରମିକ ଓ ବିଭିନ୍ନ କର୍ମଜୀବୀ ମଣିଷ ଘରକୁ ଫେରିବା ଆରମ୍ଭ କଲେଣି । ଧିରେ ଧିରେ ରାଜ୍ୟବାସୀ ଚଳଚଞ୍ଚଳ ହେଲେଣି । ଏମିତି ଏକ ବିପତ୍ତି ସମୟରେ ସୋସିଆଲ ମିଡ଼ିଆ ପୃଷ୍ଠାରେ ଘନ ଘନ କିଛି ସ୍ୱରର ଗୁଞ୍ଜରଣ ଭାସି ଆସୁଛି । ଏହି ଲାଳିତ୍ୟଭରା ସ୍ୱର ଓ ବାଦ୍ୟ ସମୁହ ଆଉ କାହାର ହୋଇପାରେ କୁହନ୍ତୁ ତ? ଆମ କଳକାର ଭାଇ ଭଉଣୀ ମାନଙ୍କର । ସମସ୍ତଙ୍କ ମୁହଁରେ ହସ ଫୁଟାଇବାପାଇଁ ଓ ମନରେ ଆଶା ଭରିଦେବାପାଇଁ ଯେଉଁ ସ୍ୱରର ଗୁଞ୍ଜରଣ ସବୁଦିନେ ଆମ ସମସ୍ତଙ୍କର ଅତି ଆପଣାର ହୋଇ ଆସିଥିଲା ଆଜି ସେହି କଳାକାର ଭାଇ ଭଉଣୀମାନେ ସଙ୍ଗୀତ ମାଧ୍ୟମରେ ଦୁଃଖଭରା ସ୍ୱରରେ ନିବେଦନ କରୁଛନ୍ତି ସରକାରଙ୍କୁ ସହଯୋଗ ପାଇଁ । ଏମିତି ଅନେକ ସଙ୍ଗୀତ ସୋସିଆଲ ମିଡ଼ିଆରେ ବାରମ୍ବାର ଶୁଣିବାପରେ ମନରେ କିଛି ପ୍ରଶ୍ନ ଆନ୍ଦୋଳିତ ହେଉଛି । ସେ ଗାଁ’ର ଲୋକକଳାର କଳାକାର ହୁଅନ୍ତୁ କିମ୍ବା ମଞ୍ଚର ଦୁଃସ୍ଥ କଳାକାର ହୁଅନ୍ତୁ, ମାସ ମାସ ଧରି ଏମାନେ ଭୋକରେ ଦିନ କାଟିବା ଅତ୍ୟନ୍ତ ଅମାନବୀୟ ଏବଂ ଅନ୍ୟାୟ ନୁହଁ କି? ଆମେମାନେ ଯେଉଁମାନେ ସଂସ୍କୃତି ପ୍ରେମୀ ଓ କଳାପ୍ରେମୀ ବୋଲି ଦାବୀ କରୁ ସେମାନେ ଏହିଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଶ୍ନ କରିବା କଥା ନୁହେଁ କି? କରୋନା ଚାଲିଯିବା ପରେ ରାଜ୍ୟର କଳା ସଂସ୍କୃତି କ’ଣ ଶେଷ ହୋଇଯିବ? ଆମ ସଂସ୍କୃତି, ପରମ୍ପରାର ସୁରକ୍ଷା କରିବାପାଇଁ ଓ  ଆମ ମନେନାରଞ୍ଜନ କରିବା ପାଇଁ ପୁଣିଥରେ ସେତେବେଳେ କ’ଣ ଏହି କଳାକାରମାନଙ୍କୁ ଆମେ ପରିବେଷଣ କରିବାପାଇଁ ଡ଼ାକି ପାରିବା? ଏହିସବୁ ପ୍ରଶ୍ନର ଉତ୍ତର କିଏ ଦେବ?

କଳାକାର ଭାଇ ଭଉଣୀମାନେ ଲଗାତାର ଭାବରେ ସରକାରଙ୍କୁ ଗୁହାରୀ କରିଛନ୍ତି ତାଙ୍କ ସମସ୍ୟା ଟିକେ ବୁଝନ୍ତୁ ବୋଲି । ପ୍ରକୃତରେ ରାଜ୍ୟ ସରକାର ଏ ବିଷୟଟି ସମ୍ପର୍କରେ ଅବଗତ ହୋଇଛନ୍ତି ନା ଏ ଯାଏଁ ଏହି ଗୁହାରୀ ସମ୍ପର୍କରେ ରାଜ୍ୟ ସରକାରଙ୍କୁ କେହି ଅବଗତ କରାଇ ନାହାଁନ୍ତି?

ତାଲାବନ୍ଦ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସେମାନଙ୍କ ନିଜ ନିଜ କ୍ଷେତ୍ରକୁ ନେଇ କାର୍ଯ୍ୟରତ ଓ ବ୍ୟସ୍ଥ, ଠିକ ସେମିତି ରାଜ୍ୟ ସଂସ୍କୃତି ବିଭାଗ କ’ଣ ନିଜର ଉତ୍ତର ଦାୟିତ୍ୱଟି ତୁଲାଇବା ଆବଶ୍ୟକ ମନେକରୁନାହାଁନ୍ତି କି?

ରାଜ୍ୟରେ କେତେ କଳାକାର ଅଛନ୍ତି ଏବଂ ସେମାନେ କେଉଁସବୁ କଳାକାରୀତାରେ ନିପୁଣ ତାହାର ଏକ ସଠିକ ବୀବରଣୀ ପ୍ରସ୍ତୁତ କରିବା ରାଜ୍ୟ ସଂସ୍କୃତି ବିଭାଗର ଦାୟିତ୍ୱ ନୁହଁ କି? ସବୁ କଳାକାରମାନଙ୍କ ତାଲିକା ଆମ ରାଜ୍ୟରେ ପ୍ରସ୍ତୁତ ହୋଇପାରିଛି କି?

Samadhwani Support us

ରାଜ୍ୟରେ କେତେ ଦୁଃସ୍ଥ କଳାକାର ଅଛନ୍ତି, ସେମାନେ କେଉଁଭଳି ଅବସ୍ଥାରେ ଅଛନ୍ତି ଏବଂ ସରକାର କେତେ କଳାକାରଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି ତାହାର ଏକ ବୀବରଣୀ ପ୍ରସ୍ତୁତ କରାଯିବା ବର୍ତ୍ତମାନ ପରିପ୍ରେକ୍ଷୀରେ ଅତି ଜରୁରୀ ମନେହଏ ନାହିଁ କି?

ଏହିଭଳି ବିପତ୍ତି ସମୟରେ କଳାକାରମାନଙ୍କ ସହଯୋଗ ପାଇଁ ରାଜ୍ୟ ସରକାର କିଛି ତାତ୍କାଳିକ ପଦକ୍ଷେପ ନେବା ପାଇଁ ଆମେ ଅନୁରୋଧ କରୁଛୁ ।

ପ୍ରତ୍ୟେକବର୍ଷ ରାଜ୍ୟର କଳାସଂସ୍କୃତିର ଉନ୍ନତି ପାଇଁ ରାଜ୍ୟ ସରକାର ଏକ ମୋଟା ଅଙ୍କର ଅର୍ଥ ବ୍ୟୟ କରନ୍ତି । ଚଳିତ ବର୍ଷ ‘କରୋନା’ ପରିସ୍ଥିତିରେ ସେହି ଅର୍ଥକୁ ସରକାର ଏକ ‘କଳାକାର ସହାୟତା ପାଣ୍ଠି’ ଗଠନ କରି ରାଜ୍ୟର ଦୁଃସ୍ଥ କଳାକାରମାନଙ୍କ ସୁରକ୍ଷାପାଇଁ ଏକ ବର୍ଷ ଯାଏ ଏଥିରୁ ସହାୟତା ରାଶି ପ୍ରଦାନ କରିବା ଆବଶ୍ୟକ ବୋଲି ଅନେକ ଜ୍ଞାନୀ, ଗୁଣି, ସଂସ୍କୃତି ସମୀକ୍ଷକ ଓ କଳାକାରଙ୍କ ମତ । ‘ସମଧ୍ୱନି’ର ଏହି ଅନୁରୋଧକୁ କଳାକାର ସମୁଦାୟ(ଲୋକକଳା ଓ ମଞ୍ଚ ଉଭୟ)ଙ୍କ ସହ ବସି ରାଜ୍ୟ ସଂସ୍କୃତି ବିଭାଗ ତର୍ଜମା କରନ୍ତୁ ଏବଂ ଯଥା ଶୀଘ୍ର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ରାଜ୍ୟରେ ବିଗତ ଦିନମାନଙ୍କରେ ଅନେକ ସମସ୍ୟା ଆସିଛି, ଅନେକ ସାଧାରଣ ମଣିଷ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଗାତର ସ୍ୱର ଉତ୍ତ୍ୱଳନ କରିଛନ୍ତି ସେ ଚାଷୀ ହୁଅନ୍ତୁ କି ଶ୍ରମିକ, ଆଦିବାସୀ, ନାରୀ ହୁଅନ୍ତୁ । କୌଣସି ମାନବୀୟ ସମ୍ବେଦନଶୀଳ ପ୍ରସଙ୍ଗରେ ତଥାକଥିତ ମୁଖ୍ୟ ସ୍ରୋତର କଳାକାରମାନେ କେବେ ସହଯୋଗର ହାତ ବଢ଼ାଇବାର ଦୃଷ୍ଟାନ୍ତ ଓଡ଼ିଶାରେ ଦେଖିବାକୁ ମିଳିନି । କିନ୍ତୁ ଆଜି ଯେତେବେଳେ ଦୁଃସ୍ଥ, ନିଷ୍ପେଷିତ, ଦଳିତ କଳାକାରମାନେ ବିପତ୍ତିର ସମ୍ମୁଖିନ ହେଉଛନ୍ତି ସେମାନଙ୍କ ସହଯୋଗପାଇଁ ଅନ୍ୟ ବର୍ଗର ମଣିଷମାନଙ୍କୁ ଆହ୍ୱାନ ଯେ, ସେମାନେ ମିଳିମିଶି ସଙ୍ଗଠିତ ପ୍ରତିବାଦ ମାଧ୍ୟମରେ ଏମାନଙ୍କର ଦୁଃଖ ଦୁର୍ଦ୍ଦଶାର ଉପସମ ପାଇଁ ରାଷ୍ଟ୍ର ନିକଟରେ ଦୃଢ଼ ସ୍ୱରରେ ଦାବୀ କରନ୍ତୁ ।

ଆମେ ଆଶାକରିବୁ ଭବିଷ୍ୟତରେ ସମସ୍ତ ମାନବୀୟ ପ୍ରସଙ୍ଗରେ ପରସ୍ପରକୁ ସହଯୋଗ କରିବାପାଇଁ ସବୁ ବର୍ଗର କଳାକାରମାନେ ଅନ୍ୟ ମେହେନତି ଓ ସଂଘର୍ଷରତ ମଣିଷ ସହ ଏକାଠି ହୋଇ ମିଳିତ ସଂଗ୍ରାମ କରିବାପାଇଁ ପ୍ରୟାସ କରିବେ । ସମସ୍ୱରରେ ପ୍ରତିବାଦ ହିଁ ସରକାରଙ୍କର ଆଖି ଖୋଲି ଦେଇପାରିବ ।

ଶେଷରେ ସରକାରଙ୍କୁ ବିଶେଷ ଅନୁରୋଧ ତୁରନ୍ତ ପଦକ୍ଷେପ ହିସାବରେ ସରକାର ପୂର୍ବରୁ ଆମେ ଉଠାଇଥିବା ପ୍ରସଙ୍ଗଟି ଯଥା ‘କଳାକାର ସହାୟତା ପାଣ୍ଠି’ ଗଠନ କରି ଦୁଃସ୍ଥ କଳାକାରମାନଙ୍କୁ ଖୁବଶୀଘ୍ର ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଅନ୍ତୁ ଯାହାଫଳରେ ସେମାନେ ଅନ୍ତତଃ ଏହି ପରିସ୍ଥିତିରେ ବଞ୍ଚି ପାରିବେ ଏବଂ ସମ୍ମାନର ସହ ନିଜର ବୃତ୍ତିକୁ ବି ବଞ୍ଚାଇ ରଖିପାରିବେ ।

ସ୍ୱୟଂପ୍ରଭା ପାଢ଼ୀ

(ସମ୍ପାଦକ)

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.