ତା ପରେ ମୁଁ ସେଇ ଛୋଟ ପିଲାଟିକୁ ଚିହ୍ନିନଥିବା ଜଣେ ସ୍ତ୍ରୀ ଲୋକ ହାତରେ ଦେଇ ଚାଲିଆସିଲି । ତା ସଙ୍ଗରେ ଛାଡ଼ି ଆସିଲି ମଦୁଆକୁ । କିନ୍ତୁ ଝିଅ ମୋ ମନ ସବୁବେଳେ ତୋ ପାଖରେ ଥାଏ । କିଛି ବି ଭଲ ଲାଗେ ନାହିଁ । ନା ଖାଇବା ନା ପିଇବା ନା ନାଚିବା। ରାତିରେ ଉଠିକି ବସିଯାଏ । ଲାଗେ ତୁ କାନ୍ଦୁଛୁ । ତୋ ପାଇଁ ମୋ ଛାତିରେ କ୍ଷୀର ଭରିଯାଏ । ତାକୁ ନାଳରେ ଚିପୁଡ଼ି ପାଉଡ଼ର ଲିପଷ୍ଟିକ୍ ଲଗେଇ ନାଚିବା ପାଇଁ ପ୍ରସ୍ତୁତ ହୁଏ । ଦିନେ ତ ମୁଁ ପାଗଳ ହୋଇଗଲି । କ’ଣ ହେଲା କେଜାଣି ଲାଗିଲା ତୁ ଠିକରେ ନାହୁଁ। ତୋର କ’ଣ ହୋଇଗଲାଣି । ମୁଁ ସଙ୍ଗେ ସଙ୍ଗେ କପୁର ସାହେବ ପାଖକୁ ଦୌଡ଼ିଲି ।
(ନାଚୁଣି ମଞ୍ଚ ଉପରକୁ ଦୈଡ଼ିଲା)
ନାଚୁଣୀ କୁହେ ମୋ ଝିଅକୁ କ’ଣ ହୋଇଗଲା । ମୁଁ ଯିବି, କିଛି କର ।
କପୁର – କ’ଣ କିଛି ଖବର ଆସିଛି? କ’ଣ ହେଲା ତୋ ପିଲାକୁ?
ନାଚୁଣୀ – ନା କିଛି ଖବର ନାହିଁ । ତାକୁ କିନ୍ତୁ କିଛି ହୋଇଛି, ମୁଁ ଜାଣି ପାରୁଛି । ମତେ ପଠେଇ ଦିଅ, ମତେ ପଠେଇ ଦିଅ ।
କପୁର ପିଲାକୁ କିଛି ହୋଇନାହିଁ । ବେକାର ତମର ମନର ଭ୍ରମ ହୋଇଛି ।
ନାଚୁଣି – ନା କପୁର ସାହେବ ମନର ଭ୍ରମ ନୁହେଁ । ନିଶ୍ଚେ ମୋ ଝିଅକୁ କିଛି ହୋଇଛି, ତମେ ମତେ ଯିବାକୁ ଦିଅ ।
କପୁର – ଠିକ୍ ଅଛି ସକାଳେ ମୁଁ ତମକୁ ବସରେ ବସେଇ ଦେବି ।
ନାଚୁଣୀ – ସକାଳେ ନୁହେଁ ଏବେ ଯିବି ।
କପୁର – ବସ୍ ସକାଳେ ଯାଏ, ଏବେ ତ ସନ୍ଧ୍ୟା ହେଲାଣି । ‘ଶୋ’ର ବି ଟାଇମ୍ ଏବେ । ଏବେ କେମିତି ଯିବ? କମ୍ ସେ କମ୍ ତ ପନ୍ଦର କୋଶର ବାଟ । ଆଉ ରାସ୍ତା ବି ଠିକ୍ ନାହିଁ ।
ନାଚୁଣୀ – କିଛି ବି ହଉ, ମୁଁ ଏବେ ଯିବି । ମୁଁ ଗୋଟିଏ ମିନିଟ ବି ରହିପାରିବି ନାହିଁ ।
କପୁର – ଆଚ୍ଛା, ଆଚ୍ଛା ‘ଶୋ’ ପରେ ଦେଖିବା ।
ନାଚୁଣୀ – ଝିଅ, ଶୁଣ ସେ ସଂନ୍ଧ୍ୟାଟା ମୋ ପାଇଁ କେତେ ବଡ଼ ଥିଲା । ଏବେ ବର୍ଣ୍ଣନା ବି କରିପାରୁନାହିଁ । ବହୁତ ଲମ୍ବା ଓ ବିଭିଷିକାମୟ ସଂନ୍ଧ୍ୟା । କେତେବେଳେ ତ ହାତ ପାଦ ବିଲକୁଲ ଥଣ୍ଡା ପଡ଼ି ଯାଉଥିଲା, ଲାଗୁଥିଲା ମୁଁ ବେହୋସ ହୋଇ ପଡ଼ିଯିବି । କେତେବେଳ ଭିତରେ ଭିତରେ ନିଆଁ ଲାଗିଲା ଭଳି ଲାଗେ ଯେ ମୁଁ ସବୁ ଭାଙ୍ଗି ଭୁଙ୍ଗି ଦେଇ ପଲେଇ ଯିବି ଭଳି ଲାଗେ । ଏଇ ଅବସ୍ଥାରେ ଜଣେ କେହି ମତେ ମଞ୍ଚ ଆଡ଼କୁ ଠେଲି ଦେଲେ ।
ମୁଁ ଜାଣି ପାରିଲି ନାହିଁ । ମୁଁ କ’ଣ ନାଚିଲି ଓ କ’ଣ କ’ଣ କଲି । ମୋ ଚାରିଆଡ଼େ ଅନ୍ଧାର । ତୁ ଦୂରରେ କେଉଁଠି କାନ୍ଦୁଥିଲୁ । ଆଉ ମୁଁ ଚେତା ହରେଇ ଦୈଡ଼ୁଥିଲି ତୋ ପାଖକୁ । ହଁ ଝିଅ ସତରେ ମୁଁ ଦୌଡ଼ୁଥିଲି । ସତରେ ଘୋଡ଼ା ଗାଡ଼ି ଆଣି ଆସିଲେ କପୁର ସାହେବ ଓ କଂପାନିର ଜଣେ ଲୋକ ।
ମୁଁ ତ ଜାଣି ପାରିନି ମଞ୍ଚରୁ ଓହ୍ଲେଇ ମୁଁ କେତେବେଳେ ତମ୍ବୁ ବାହାରକୁ ଆସିଲି ଆଉ ଦୌଡ଼ିଲି । ନିର୍ଜନ ରାସ୍ତାରେ ମୁଁ ପାଗଳ ହୋଇ ଯାଇଥିଲି । କପୁର ସାହେବ ଯେତେବେଳେ ଗାଲରେ ଗୋଟିଏ ଥାପଡ଼ ମାରିଲେ ମୋର ଜ୍ଞାନ ଆସିଲା । ସେ ନିଜ ସହିତ ଘୋଡ଼ା ଗାଡ଼ିରେ ବସେଇଲେ । ମୁଁ ନାଚର କପଡ଼ା ପିନ୍ଧିଥିଲି । ପାଦରେ ଘୁଙ୍ଗୁରବି ପିନ୍ଧିଥିଲି । ନର୍ଜନ ଜଙ୍ଗଲରେ ଘୋଡ଼ା ଗାଡ଼ି ଦୌଡ଼ୁଥିଲା ସେଇ ଘୋଡ଼ାରେ ପାଦରେ ବି ଘୂଙ୍ଗୁର ଥିଲା । ତେଣୁ ମତେ ଲାଗୁଥିଲା ମୁଁ ହଁ ଦୌଡ଼ୁଛି ଟାଙ୍ଗାଟାକୁ ଧରି ।