ଅଡ଼ିଓ ଭିଡିଓନାଟକ

ସମର୍ପିତ କଳାକାର ସୁନ୍ଦରମଣି

ବରଗଡ଼ ଜିଲ୍ଳା ଅତାବିରା ଥାନା ମନାପଡ଼ା ଗାଁର ସୁନ୍ଦରମଣି ସାହୁ । ବୟସ ଅଶୀ ବର୍ଷ ପାଖାପାଖି । ବାରବର୍ଷ ବୟସରେ ନିଜ ଗାଁର ନାଟକ ଦଳରେ ରାମ ଚରିତ୍ରରେ ଅଭିନୟ କରି କଳାକାର ଜୀବନର ମୂଳଦୁଆ ପକାଇଥିଲେ ସୁନ୍ଦରମଣି । ଦ୍ୱିତୀୟ ଶ୍ରେଣୀ ପାଠପଢୁଥିବା ବେଳେ ଗାଁର ପ୍ରସିଦ୍ଧ କଳାକାର ଶଙ୍କର ସାହୁ ଏବଂ ଗୌରୀ ଭୋଇ ତାଙ୍କୁ ପ୍ରଥମେ ନାଟକ ଦଳରେ ମିଶାଇଥିଲେ । ଗାଁର ଗୌନ୍ତିଆଙ୍କ ଘରେ ଆଖଡ଼ା ହେଉଥିଲା । ପରେ କୁଶବର୍ଜନ, ମହିରାବଣ ବଧ, ଜୟଯାତ୍ରା, ଅଲିଭାଦାଗ ଆଦି ନାଟକରେ ଅଭିନୟ ଏବଂ ସଙ୍ଗୀତ ପରିବେଷଣ କରିଥିଲେ । ମନାପଡ଼ାର ପ୍ରସିଦ୍ଧ ନାଟକ ଦଳରେ ଦୀର୍ଘ ୫୦ ବର୍ଷ ଧରି ପ୍ରଚ୍ଛଦପଟ ଗାୟକ ଭାବରେ ବେଶ ସୁନାମ ଅର୍ଜନ କରିପାରିିଥିଲେ ।

ପ୍ରଥମେ ପ୍ରଥମେ ନାଟକର ସଙ୍ଗୀତରେ ଢୋଲକ, ମର୍ଦ୍ଦଳ ଏବଂ ମଞ୍ଜରା ବ୍ୟବହାର ହେଉଥିଲା । ପରେ ହାରମୋନିଅମ ଆସିଲା । ସୁନ୍ଦରମଣି ନିଜେ ନିଜେ ଅଭ୍ୟାସ କରି ହାରମୋନିଅମ ବଜାଇବା ଶିଖିଲେ । ମନାପଡ଼ା ସମେତ ପ୍ରତିଗାଁରେ ନାଟକ ଦଳ ଗୁଡ଼ିକ ଗଢି ଉଠିଥିଲା । ସେତେବେଳେ ବିଜୁଳି ଆଲୁଅ ନଥିଲା, ମଂଚରେ ପୋଟ୍ରୋମାକ୍ସ ଲାଇଟର ବ୍ୟବସ୍ଥା କରାଯାଉଥିଲା । ଯାତାୟତର ସୁବିଧା ନଥିଲା । ଆଜିକାଲି ପରି ମନୋରଞ୍ଜନର ସାଧନ ବି ନଥିଲା । ପାଦରେ ଚାଲି ଚାଲି ତ କେତେବେଳେ ଶଗଡ଼ଗାଡ଼ିରେ ବିଭିନ୍ନ ଗାଁକୁ ସାଥି କଳାକାର ମାନଙ୍କ ସହିତ ଯାଇ ସେଠାରେ ନାଟକ ଗୀତ ମାଧ୍ୟମରେ ହଜାର ହଜାର ଲୋକଙ୍କ ମନୋରଞ୍ଜନ କରିଥିଲେ । ରାତିକ ୩୦ ଟଙ୍କାରୁ ଆରମ୍ଭ କରି ୮୦ ଟଙ୍କା ପର୍ଯ୍ୟନ୍ତ ପାଉଣା ମିଳୁଥିଲା ନାଟକ ଦଳକୁ ।

ନାଟକ ଶିଖାଇବା ପାଇଁ ଗାଁ ମାନଙ୍କୁ ଗୁରୁ ମାନେ ଆସୁଥିଲେ । ଗଞ୍ଜାମ ଅଂଚଳରୁ ମଧ୍ୟ ଏହି ଅଂଚଳକୁ ଗୁରୁମାନେ ଆସି ନାଟକ ଶିଖାଉଥିଲେ । ମନାପଡ଼ା ନାଟ୍ୟଦଳରେ ମଧ୍ୟ ଗଞ୍ଜାମ ଅଂଚଳରୁ ଆସିଥିବା ଗର ଶିବ ତାଣ୍ଡବ ନୃତ୍ୟ ଯାହାକୁ ପରବର୍ତୀ ସମୟରେ ଶବ୍ଦ ନୃତ୍ୟ ଭାବରେ ପରିଚିତ ହେଲା ତାହା ଶିଖାଇଥିଲେ ।

ନାଟକ ଆରମ୍ଭରୁ ଶିବ ତାଣ୍ଡବ ନୃତ୍ୟ ପରିବେଷଣ କରାଯାଉଥିଲା । ସୁନ୍ଦରମଣି ମଧ୍ୟ ବରଗଡ଼ ଜିଲ୍ଳାର ହଲଦିପାଲି, ସୋଢାପାଲି, ଅମଲିପାଲି, ଡ଼ୁମେରପାଲି ଆଦି ଗାଁରେ ନାଟକ ଦଳ ଗଢି ନିର୍ଦ୍ଦେଶନା ଦେଇଥିଲେ । ଗୋଟିଏ ବର୍ଷ ଅମିନ ଚାକିରି କରିଥିବା ଏବଂ ବ୍ରହ୍ମପୁରରେ କେନ୍ଦ୍ର ସରକାରଙ୍କ ରାଜସ୍ୱ ବିଭାଗରେ ଚାକିରୀ ମିଳିଥିଲେ ମଧ୍ୟ ନାଟକ ଏବଂ ସଙ୍ଗୀତର ନିଶା ଯୋଗୁଁ ସେ ଚାକିରୀ ରେ ଯୋଗ ଦେଲେନାହିଁ ବୋଲି କହନ୍ତି । ଆରମ୍ଭରୁ ହାରମୋନିୟମ ବଜାଇବା ପାଇଁ କୌଣସି ଗୁରୁ କରିନଥିଲେ ମଧ୍ୟ ପରବର୍ତି ସମୟରେ ସମ୍ବଲପୁରର ଅନନ୍ତରାମ ସରାଫଙ୍କ ଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ ।

କାଳକ୍ରମେ ନାଟକ ଦଳ ଗୁଡ଼ିକ ବନ୍ଦ ହୋଇଯିବା ପରେ ସୁନ୍ଦରମଣି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାମାୟଣ ଦଳ ଗଠିତ ହୋଇଥିଲା। ବିଗତ ୩୦ ବର୍ଷ ହେବ ଏହି ରାମାୟଣ ଦଳ ବରଗଡ଼ ଜିଲ୍ଳା ସମେତ ପଡ଼ୋଶୀ ଛତିଶଗଡ଼ ଅଂଚଳର ବିଭିନ୍ନ ଗ୍ରାମରେ ରାମାୟଣ ଗାନ କରୁଛନ୍ତି । ଏବେ ସେ ବିଶିଷ୍ଟ କବିସ୍ୱର୍ଗତ ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ଦ୍ୱାରା ସମ୍ବଲପୁରୀ ଭାଷାରେ ରଚିତ ରାମାୟଣ “ରାମରାହା’ ର ପ୍ରଚାର କରି ସମ୍ବଲପୁରୀ ଭାଷା ଆନ୍ଦୋଳନକୁ ଆଗକୁ ନେବାରେ ସକ୍ରୀୟ ପଦକ୍ଷେପ ନେଇଛନ୍ତି । ସଙ୍ଗୀତ ସାଧନା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କୃତ ଓ ସମ୍ମାନୀତ ମଧ୍ୟ ହୋଇଛନ୍ତି । ଗ୍ରାମାଂଚଳରେ ବଣମଲ୍ଲୀ ପରି ଫୁଟି ନିଜ କଳାକୁ ବିକଶିତ କରି ପାରୁନଥିବା ଏଭଳି କଳାକାରମାନେ ପ୍ରକୃତରେ ଓଡ଼ିଶାର ସାଂସ୍କୃତିକ ସୁରକ୍ଷାର ମଙ୍ଗ ଧରିଛନ୍ତି ।

‘ସୁନ୍ଦରମଣି’, କେବଳ ଜଣେ କଳାକାର ନୁହଁନ୍ତି ସେ ହେଉଛନ୍ତି ଓଡ଼ିଶାର ଲୋକକଳାର ଜଣେ ପ୍ରତୀକ । ବରଗଡ଼ ଜିଲ୍ଲାର ଏହି କଳାକାରଙ୍କୁ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଲା କଳାକାରମାନଙ୍କର ତ୍ୟାଗମୟ ଜୀବନକୁ ଉଦାହରଣ ଭାବରେ ଗ୍ରହଣ କରିବା। ବ୍ରହ୍ମପୁରରେ ମିଳିଥିବା କେନ୍ଦ୍ରସରକାରୀ ଚାକିରୀ ଯେ ଜଣେ ସେହି ସମୟରେ ସଙ୍ଗୀତ ପାଇଁ ଛାଡ଼ିଥିଲେ ଏବଂ କଳାକାର ଜୀବନ କଟାଇବା ଲକ୍ଷ୍ୟରେ ସେ ଆଜିଯାଏ ବିଭିନ୍ନ ମଞ୍ଚରେ ନିଜର ଗାୟନ ପ୍ରଦର୍ଶନ କରିଚାଲିଛନ୍ତି ଏହା ନିଶ୍ଚିତଭାବରେ ଏକ ଉଦାହରଣ । ଯେଉଁ ସମୟରେ ସେ ଚାକିରୀ ଛାଡ଼ିଥିଲେ ସେତେବେଳେ ଓଡ଼ିଶାରେ କଳା ଓ କଳାକାରଙ୍କୁ ନେଇ କେଉଁଭଳି ଧାରଣା ଥିଲା ଏବଂ ଏଥିପାଇଁ ସେହି ସମୟର କଳାକାରମାନଙ୍କୁ କ’ଣ ସବୁ କଷ୍ଟ ସହିବାକୁ ପଡ଼ୁଥିଲା ପରବର୍ତ୍ତୀ ସାକ୍ଷାତକାରମାନଙ୍କରେ ସେ ବିଷୟ ଗୁଡ଼ିକ ନିଶ୍ଚୟ ସମୀକ୍ଷା ହେବ। କିନ୍ତୁ ଆଜିଭଳି ଦିନରେ ଯେତେବେଳେ ସଙ୍ଗୀତର ଏତେ ମଞ୍ଚ, ଏତେ ଚାହିଦା ସୃଷ୍ଟି ହୋଇଛି ବହୁତ କମ୍ କଳାକାର କେବଳ କଳାକୁ ପେଶା ଓ ନିଶାଭାବରେ ଗ୍ରହଣ କରି ବଞ୍ଚୁଛନ୍ତି । ସେହି ଦୃଷ୍ଟିଭଙ୍ଗୀରୁ ଏହିସବୁ ଲୋକକଳାର କଳାକାରମାନେ ଆମପାଇଁ ବଡ଼ ବଡ଼ ଉଦାହରଣ ହୋଇଛନ୍ତି । – ସମ୍ପାଦକ
Please support atleast Rs 20/- , Rs 50/- , Rs 100/- for a story.

ଉମେଶ ଚନ୍ଦ୍ର ବିଶ୍ୱାଳ

ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା

Related Articles

Leave a Reply

Your email address will not be published.

Back to top button