କଳା ସଙ୍ଗୀତନାଟକ

ସାପୁଆ କେଳା

Sapua Kela

“କାଳିରେ ବନମାଳି ତୋ ପୟରେ ନଲାଗଇ ଧୂଳି । ବାହାରିଆ, ବାହାରିଆ । ଆରେ ନାଗ ବଚା ଅଛୁତ ବାହାରିଆ ।” ସେଦିନ ରବିବାର । ଦାଣ୍ଡରେ ସାପୁଆ କେଳା । କେଳୁଣୀ, ତାର ୨ଟା ଛୋଟପିଲା । ଆସ୍ଥାନ ଜମେଇଛନ୍ତି । କେଳା ପଦ୍ମତୋଳା ବୋଲୁଛି । ଗୀତ ଶୁଣି ଦୌଡ଼ିଲି ଦାଣ୍ଡକୁ । ସେତବେଳକୁ ନକୁଳ ଭାଇନା, ନୀଳ, ପଦ, ଆର୍ତ୍ତ, ହାର, ତିଳ ପହଞ୍ଚିଗଲେଣି । ସାପୁଆ କେଳା ୨/୩ଟି ପେଡ଼ି ଖୋଲି ଦଉଛି । ଗୋଟାକପରେ ଗୋଟେ ସାପ ବାହାରି ଆସୁଛନ୍ତି । ଗୋଟେ ପେଡ଼ିରୁ କଟକଟ ଭେଣ୍ଡା ନାଗ ବାହାରି ଆସି ଫଣା ଟେକି ସୁସୁ ଶବ୍ଦ କଲାଣି । ମୋତେ ଡ଼ର । ପାଖରେ ତିଳ ଥାଏ । ତାକୁ କୁଣ୍ଡେଇ ଧରିଲାଣି । କେଳା ଆଣ୍ଠୁ ହଲାଇ ପଦ୍ମତୋଳା ବୋଲୁଛି । ହାତ ଦୂରକୁ ନେଇ ଯାଇ ପୁଣି ଲହର ଦେଇ ବୋଲୁଛି । “ରହିଯା, ରହିଯା ବଚ୍ଚା, ମାରି ପାରିବୁନି ବଚ୍ଚା, ଗଦ ଅଛି , ଶୁଂଘାଇ ଦେବି ।” ବୁଝୁ ବୁଝୁ ଏଗୁଡ଼ାକ ପୋଷା ହୋଇଗଲେଣି । ବିଶ ଦାନ୍ତ କେଳା ଭାଙ୍ଗି ଦେଇଛି । ସାପ ମାଇଲେବି ମରିବାର ନାହିଁ । ଲୋକ ଗଦା ହୋଇ ପଡ଼ିଲେଣି । ନକୁଳ ଭାଇନାର ତ ଆଗ ଚଲା ପ୍ରକୃତି । ଖଣ୍ଡେ ବାଡ଼ି ଧରିଥିଲେ । ଧିରେ କିନା ଗୋଟେ ସାପକୁ କେଞ୍ଚି ଦେଇଛିକି । ସାପତ ନାଗ । ୨ ହାତ ଉଚ୍ଚକୁ ଫଣା ଟେକି ସୁସୁ ହେଲାଣି । କେଳାତ ଗରିବ ଲୋକ, ଅଛୁଆଁ । ବ୍ରାହ୍ମଣ ଗାଁ । ସାପ ଖେଳଉଛି । ମାଗୁଣି ନେଲେ ଦିଟା ଫୁଟେଇବ । ନକୁଳ ଭାଇନାକୁ ଉଁ କି ଚୁଁ ନକହି ସାପର ଲାଞ୍ଜଧରି ଧୀରେ ଧୀରେ ପେଡ଼ି ଭିତରେ ଛାଡ଼ିଦେଇ ପେଡ଼ି ଡ଼ୋରରେ ବାନ୍ଧି ଦେଲା । ସାପ ଜବତ । ନିଧିଆ ବାପାଙ୍କର ଦୁଇଟା କୋଠି । ମୂଷା ପଶିଥାନ୍ତି । ମୂଷାକୁ ସାପ ବାଇ । ଗୋଟେ ଭେଣ୍ଡିଆ ନାଗ କୋଠୀରେ ପଶିଛି । ଧାନ କଢ଼ା ବନ୍ଦ । କେଳାକୁ ଡ଼ାକିଲେ ସାପ ଧରିବ । କେଳା ସବୁ ସାପଙ୍କୁ ପେଟିରେ ଭର୍ତ୍ତିକଲା । କେଳୁଣୀ ପଇସା ପତ୍ର, ଚାଉଳ ଆଦାୟ କରୁଛି । କେଳା ହାତରେ ଗଦ ଧରି ଚାଲିଲା ନିଧିଆବାପାଙ୍କ ଘରକୁ । ଆମେ ସବୁ ଲାଇନ୍ ଲଗେଇଲୁ ।

“କାଳୀରେ ବନମାଳି । ତୋ ପୟରେ ନ ଲାଗଇ ଧୂଳି…. । ବାହାରିଆ, ବାହାରିଆ, ନାଗ ବଚ୍ଚା ଅଛୁତ ବାହାରିଆ ।” ସତକୁ ସତ ବାହାରି ଆସିଲାକି । ହଳଦି ଗଣ୍ଠି ପରି ଦିହ । ନିକଟରେ କାତି ଛାଡ଼ିଛି । ମାଡ଼ିତ ଆସିଲା କେଳା ଆଡ଼କୁ । ନାଇଁ ନାଇଁ । ଆରେ ଗଦ ଅଛି ଶୁଂଘାଇ ଦେବି । କହି ବାଡ଼ିଟା ସାପ ଉପରେ ପକାଇ ମୁଣ୍ଡଟାକୁ ଜାବୁଡ଼ି ଧରିଲା । ସାଙ୍ଗେ ସାଙ୍ଗେ ଅପରେସନ୍ । ପାଟିକୁ ଆଁ କରାଇ ବିଶ ଦାନ୍ତ ଭାଙ୍ଗି ଦେଲା । ସାପ ସଁ ସଁ ହଉଥାଏ । ଆଉ ପାରିବୁନିରେ । ତୋ ବିଷଦାନ୍ତ ନାହିଁ । ନିଧିଆ ବାପାଙ୍କ ଦାଣ୍ଡରେବି କିଛି ଲୋକ ଗଦା ହୋଇ ପଡ଼ିଲେ । ସାପର ରାଗ ବେଳ । ଏବେ ବୋଲ ମାନିବନି । କହି ସାପକୁ ଧରି ଗୋଟେ ଖାଲି ପେଡ଼ିରେ ପୁରାଇ ବାଂଧିଲା । ନିଧିଆ ବାପା ସାଙ୍ଗେ ବୋଧେ କ’ଣ ଦରଦାମ କଲା । ସେ ଏଯୁଗର କାମ୍ପି ନୁହଁନ୍ତି । ଦିହରୁ ମଳି ଦେବା ଲୋକ ନୁହଁନ୍ତି । ଆଣିଲେ । ଗୌଣୀଏ ଉସୁନା ଚାଉଳ ଟ.୨.୦୦ । ୨ ଟଙ୍କାବି ସେତେବେଳେ ବହୁତ ପଇସା । କିମିତି ମୁର୍ଚ୍ଛିଲେ କେଜାଣି । ଦୁଇ ତିନିଦିନ ଝୁରିଥେବେ ।

କେଳା ଚାଉଳ, ପଇସା, ସାପ ଧରି ଗାଁ ମଝିକି ଗଲା । କେଳୁଣୀବି ଚାଉଳ, ମୁଗ, ବିରି, କୋଳଥ, ଆମ୍ବ ତିନି ଚାରି ଟଙ୍କା ଏକାଠି କରିଥାଏ । ପିଲା ଦିଟା ରାହାଛାଡ଼ି କାନ୍ଦିଲେଣି । ଭୋକ । ଆସେଲି ମାଉସି କଂସାଏ ଭାତ, ୨/୩ ଖଣ୍ଡ ଆସ୍ମୁଲ ଆଣି କେଲୁଣୀ ହାଣ୍ଡିରେ ଢ଼ାଳି ଦେଲା । ବାପ, ମା, ପିଲାଏ ୨/୪ ଗୁଣ୍ଡା ଲେଖାଏଁ ଖାଇ ତୋରାଣୀ ତକ ପିଇଦେଲେ । ଢ଼େରା ଉଠାଇଲେ । ‘ନକୁଳ ଭାଇନା, ତୁମେ ସାପ ଲାଂଜରେ ହାତ ମାରିଦେଲ । ଭଲ ବେଳା । କେଳା ସାପକୁ ଅକ୍ତିୟାର କରିଦେଲା । ନହେଲେ କ’ଣ ଅବସ୍ଥା ହୋଇଥାନ୍ତା କହିଲ ।’ ମୋର ସରିନି ନକୁଳ ଭାଇନା ମୁହଁ ତୋଡ଼ ବାହାର କଲା, ଆରେ ଏ ସାପ ମୋ ବାଁ ହାତର ଖେଳ । ମୋ ପାଖ ମାଡ଼ିବନି । ହାଁ ସେମିତି ବାଗ ଅଛି ନା ।’ ଫଟା ମାଠିଆର ଶବ୍ଦ ବେଶି । ଦିନେ କ୍ଲାସରେ ଗୋଟିଏ ସୋରିସିଆ ବିଛା ତାଙ୍କ ସିଟ୍ ପାଖେ ବାହାରିଲା । “ବିଚ୍ଛା ବିଚ୍ଛା ବି… ବି…” ପାଟି ପଡ଼ିଗଲାଣି । ରଘୁବାବୁ ଅଫିସକୁ ଦୌଡ଼ି ଆସି ଦେଖନ୍ତିତ ଗୋଟେ ସୋରିଶିଆ ବିଛା । ଏମାନେ ପ୍ରାୟ କାମୁଡ଼ନ୍ତିନି । କାମୁଡ଼ିଲେ ବିଷ ନଥାଏ ।’ ନକୁଳ ଭାଇନା । ତୁମେ ଏ ବାହାପିଆ କଥା କୋଉଠୁ ଶିଖିଲ । ଚାଲ୍ । ଗାଧେଇବା, ଖାଇବା । ମୋରତ ଟିକେ ବୁଝିବା ଶକ୍ତି ହେଲାଣି । କେଳା, କେଳୁଣୀ, ତାଙ୍କ ପିଲାଙ୍କୁ ଦେଖି ମୁଁ ଖାଲି ଭାବୁଥାଏ କେତେଦିନ ସାପ ଖେଳେଇ ଏମାନେ ପେଟ ପୋଷିବେ!

ସାପୁଆ କେଳା କଥା କ’ଣ ସରୁଛି । ସେ ଦିନ ଶନିବାର । ଆମେ ସବୁ ସ୍କୁଲରୁ ଫେରୁଛୁ । ହାଟ ଚାଳିଆ ପାଖେ ଗୋଟେ ସାପ ଖେଳ ଚାଲିଛି । କାନରେ ପଡ଼ିଲା । ଠିଆ ହୋଇଗଲୁ । ଶହେ ପଣେ ଲୋକ । କେଳା ପଦ୍ମତୋଳା ବୋଲୁଛି । ସାପ ଖେଳାଉଛି । କେଳୁଣୀ ପଦ ଧରିଛି । ନାଗ,ତମ୍ପ, କଳା ନାଗ ୪/୫ଟା ସାପ । ମୋତେ ଆଜିବି ସାପକୁ ଭାରି ଡ଼ର । ମୁଁ ଜଗିହେଇ ପଛକୁ ଠିଆ ହୋଇଥାଏ । କେଳାତ ପଦ୍ମତୋଳା ଚଳାଇଛି । ହାତ ମୁଠା ଦେଖାଇ ସାପଙ୍କୁ ଖେଳଉଛି । ହଠାତ୍ ସର, ସର୍ ଶବ୍ଦ କରି ଗୋଟେ ୩/୪ ହାତର ନାଗ ହାଟ ଚାଳି ପଥର ତଳୁ ଫସ୍ କିନା ବାହାରି ଆସିଲା । ‘ହାଁ ହାଁ ରହ, ରହ ଗଦ ଅଛି ଶୁଂଘାଇ ଦେବି ।’ ସାପ କ’ଣ ଫୁରସତ ଦଉଛି । ରାଗରେତ ଫୁଲିଗଲା କେଳା ପଦ୍ମତୋଳା ବୋଲି ଚାଲିଛି । ନାଗତ ଫଣା ଟେକି କେଳା ଡ଼ାହାଣ ହାତକୁ ମାରି ଦେଲା ଚୋଟ, ତିରିଶ ପଇଁତିରିଶ ବର୍ଷର ଗଜାଟୋକା, ଚେଙ୍ଗା । ବଳିଲାଭଳି ହାତ ଗୋଡ଼ । ଗରିବ ହେଲେ କ’ଣ ହେଲା । ବୟସରତ ଗୋଟେ ଚିହ୍ନ ଅଛି । ତେଜିୟାନ୍ ମୁହଁ । ନାକ ତଳେ ଲମ୍ବା କଳା ନିଷ । କାଠିଏ ବଳ ହବ । କେଳୁଣୀ ବୟସ ୨୦/୨୫ ହେବ । ସଫା ରଂଗ । ଖାଇବା ପିଇବା ନାହିଁତ । ଚେହେରାରେ ତେଜ ନାହିଁ । ଦିହ ଘୋଡ଼ାଇ ବାବୁ ଲୁଗା ନାହିଁ । ଛୋଟ କସ୍ତା ଖଣ୍ଡେ । ଅଂଟାରେ ଘେରେଇ ଛାତି ଘୋଡ଼ାଇବାକୁ ପାଉନି । ସେମାନେତ ଅଚ୍ଛବ । ବାଡ଼ି ଗୋବରେ ଗୋବେ ମାଟି ନାହିଁ । ବାରଂଗ ପାଖେ ଜମିଦାରଙ୍କ ଇଲାକାରେ କୁଡ଼ିଆ ଖଣ୍ଡେ ଲେଖାଏଁ କରି ୫/୩ ପ୍ରାଣୀ ରୁହନ୍ତି । ସାପ ଧରିବା, ଖେଳାଇବା, ବିଷ ବାହାର କରିବା ଏମାନଙ୍କର କାମ । କେଳାକୁ କେଳୁଣୀ ଗଦ ଦେଲା । ପାଟିରେ ପକାଇଲା । ହେଲେ ଗଦ ଧରୁନି । କେଳା ପଡ଼ିଗଲା । ଚାରିକାତ ହାତ ଗୋଡ଼ ଲମ୍ବାଇ ପଡ଼ିଛି । କେଳୁଣୀ ରାହାଧରି କାନ୍ଦୁଛି । ନୂଆ ସାପଟି କାମୁଡ଼ିଦେଇ ଚୁଟ କିନା ପଳାଉଛି । କେଳୁଣୀ ଡ଼ରି ଡ଼ରି ଅନ୍ୟ ସାପ ଗୁଡ଼ାକୁ ପେଡ଼ିରେ ବାଂଧି ପକାଇଲାଣି । କେଳା ଉଠୁନି, ବଡ଼ ମଣିଷ ଠିଆ ହେଇଛନ୍ତି । ଆହା କହୁଛନ୍ତି, ହେଲେ କେହି କେଳାକୁ ଛୁଉଁ ନାହାଁନ୍ତି । ଛୁଆଁ ହୋଇଯିବନି? ଗୋବିନ୍ଦ ବାବୁ ଓରଫ ଆମ ଗାଁ ଗୋବିନ୍ଦ ଚନ୍ଦ୍ର ଷଢ଼ଙ୍ଗୀ । ନିଆଳି ହାଇସ୍କୁଲର ହେଡ଼ମାଷ୍ଟର ଛୁଟି କରି ଘରକୁ ଫେରୁଛନ୍ତି । କେଳୁଣୀର କାନ୍ଦ କାନରେ ପଡ଼ିଛି ବୋଧେ । ବାଟଭାଙ୍ଗି ଯାଗା ଉପରେ ଠିଆ ହୋଇଗଲେ । କ’ଣ ସବୁ ଦେଖୁଛ । କେଳା ଆଉ ନାହିଁ । ନଟ, ଯା କୋକୋକୁ ମୋ ପାଖକୁ ଡ଼ାକିଦେ । କୋକ ଆସିଲା । ସାର୍ ସବୁ ବରାଦ କଲେ । ସିଂହ ସାହି ଅଭି, କୋକ ଆଉ ୪/୫ ଆସି ଶବକୁ ମଶାଣୀକୁ ନେଲେ । ଶବଦାହ ହେଲା । କେଳୁଣୀ କାନ୍ଦି ଗଡ଼ିଯାଉ ଥାଏ । ସାର୍ ତାକୁ କିଛି ଟଙ୍କା ଦେଲେ । ଡ଼େରି ହେଲାଣି । ମୁଁ ଘରକୁ ଚାଲିଲି । ବୋଉକୁ ସବୁକଥା କହିଲି । ବୋଉ କେଳା, କେଳୁଣୀଙ୍କୁ ଆଗରୁ ଜାଣେ । ଖୁବ୍ ମନ ଖରାପ କଲା । ନେତକୁ ଭସାଇ ଦେଇ ଗଣେଶ ଚାଲିଗଲା । ହଁ, ଗରିବ ପରିବାର । ନେତ ତ ପିଲାଟାଏ । କାହାକୁ କାଚ ଖଡ଼ୁ ହେଇଗଲେ ବଞ୍ଚିଯିବ । ଚାଲ ଗାଧେଇବୁ ଖାଇବୁ’ । ବୋଉ କଥା ଗୁଡ଼ାକ ମୁଁ ଶୁଣୁଥାଏ । ଲାଞ୍ଜ ଗୋଡ଼ ପାଉନଥାଏ । କାଚ ଖଡ଼ୁ ଜିନିଷ କ’ଣ? ମୁଁ କଲେଜକୁ ଗଲା ବେଳକୁ ୧୯୫୧-୫୨କୁ କାଚ ଖଡ଼ୁ ମହତ୍ୱ ଜାଣିଲି ।

ଗଣେଶ ନାଗ ସାପ ଚୋଟରେ ମରିଗଲା । ଗଦ, ଜାଲମହୁରା ତା ଜୀବନ ରକ୍ଷା କରିପାରିଲା ନାହିଁ । ସାପ କାମୁଡ଼ିଲେ ବହୁ ଗୁଣିଗାରେଡ଼ି କରାଯାଏ । ମାତ୍ର ବିଷଧର ସାପ କାମୁଡ଼ିଥିଲେ ମରିବା ଥୟ । ସାପ ମାରିଥିବା ରୋଗୀକୁ ମହାଦେବ ମନ୍ଦିରକୁ ଲୋକେ ନେଇଯାନ୍ତି । ଢାଳନ୍ତି ପାଣି । ସେ ମରିବା ପର୍ଯ୍ୟନ୍ତ । ଆମର ଅନ୍ଧବିଶ୍ୱାସ ମହାଦେବ ତ ବିଷ ପିଇ ସବୁବେଳେ ତାଙ୍କ ଦିହ ଗରମ । ପାଣି ଢ଼ଳା ହୁଏ । ସାପ କାମୁଡ଼ା ରୋଗୀଟି ପାଣି ଢ଼ାଳିଲେ ବଞ୍ଚିଯିବ । ଭୂଲ୍ । ବରଂ ରୋଗୀର ସ୍ନାୟୁ ଅବଶ ହୋଇ ସେ ଶିଘ୍ର ମରିଯାଏ । ଗୁଣିଆ ମାନେ ଦାବି କରନ୍ତି ସାପ ବିଷଝାଡ଼ି ରୋଗୀକୁ ଆରୋଗ୍ୟ କରିବେ । ଭୂଲ, ଜନ ହପକିନସ ଇନଷ୍ଟିଚ୍ୟୁଟ ଗୋଟିଏ ପୁରସ୍କାର ବହୁଦିନରୁ ଘୋଷଣା କରିଛି । ବିଷଧର ସାପ କାମୁଡ଼ା ରୋଗୀକୁ ଯେଉଁ ଗୁଣିଆ ସୁସ୍ଥ କରି ଦେବ ସେ ପୁରସ୍କାର ପାଇବ । ୩୦/୪୦ ବର୍ଷ ତଳେ ସେ ପୁରୁସ୍କାରର ମୂଲ୍ୟ ଏକ ଲକ୍ଷ ଟଙ୍କା ଥିଲା । ଏବେ ଶୁଣୁଛି ଏହାକୁ ଏକ କୋଟିକୁ ବଢ଼ାଇ ଦିଆଯାଇଛି, ମାତ୍ର ଏପର୍ଯ୍ୟନ୍ତ କୌଣସି ଗୁଣିଆ ଏହି ପୁରୁସ୍କାର ପାଇବାକୁ ଯୋଗ୍ୟ ହେଇ ନାହାଁନ୍ତି ।

ବିଷଧର ସାପ କାମୁଡ଼ା ଲୋକ ପାଇଁ ଏକମାତ୍ର ଚିକିତ୍ସା ଆଣ୍ଟି ଭେନମ୍ ସିରମ୍ ଇଞ୍ଜେକ୍ସନ । ସାପ ବିଷରୁ ଏହି ସିରମ ପ୍ରସ୍ତୁତ ହୋଇଥାଏ । ଠିକ୍ ସମୟରେ ଚିକିତ୍ସା କଲେ ଶତକଡ଼ା ୯୦ ରୋଗୀ ସୁସ୍ଥ ହୋଇଥାନ୍ତି । ପଢ଼ା ଶୁଣା ଲୋକେବି ଏହି କୁସଂସ୍କାର ପଛରେ ଅଛନ୍ତି । ରୋଗୀକୁ ଡ଼ାକ୍ତରଖାନାକୁ ତୁରନ୍ତ ନେଇ ଚିକିତ୍ସା କରି ଜୀବନ ବଞ୍ଚାଇବା ଆମର କାମ ହେଉ । ଶିକ୍ଷା ଓ ବିଜ୍ଞାନ ଅନୁସରଣ କରି ଲକ୍ଷ ଲକ୍ଷ ସାପ କାମୁଡ଼ା ରୋଗୀଙ୍କ ଜୀବନ ରକ୍ଷା କରାଯାଇ ପାରିବ । ଭାଗ୍ୟ, ଭଗବାନ, ଗୁଣି ଗାରେଡ଼ି ଭଳି ଅବାସ୍ତବ ମନଗଢ଼ା କଥା ଛାଡ଼ି ହେତୁବାଦ ଉପରେ ଭରସା କରିବା।

ଆମେ ସାପୁଆ କେଳାର ସାପ ଖେଳାଇବା ଦେଖୁଥିଲେ ପଦ୍ମତୋଳା ବୋଲିବା ଶୁଣୁଥିଲେ । ସେମାନଙ୍କର ଜୀବିକା ଆମ ସରକାର ମାରିଦେଲେ । ସାପର ସୁରକ୍ଷା ପାଇଁ ସେମାନଙ୍କ ଠାରୁ ଜୀବିକା ଛଡ଼ାଇ ନିଆଗଲା ସାପ ପ୍ରାୟ ସୁରକ୍ଷିତ । କେଳା ବାରଦୁଆର ଶୁଣ୍ଢିପିଣ୍ଡା । ନିଜେ ନମଲେ ସ୍ୱର୍ଗ ଦେଖି ହୁଏନା । କେଳାମାନେ ମେଳି ହୋଇ ରାଜ ରାସ୍ତାକୁ ବାହାରନ୍ତୁ । ବାରଂଗରୁ ଭୁବନେଶ୍ୱର । ଡ଼ାକେ ବାଟ । ଜମି, ଜୀବିକା ପାଇଁ ଦାବୀ କରନ୍ତୁ ।

photo credit- https://bit.ly/3DbmzKt

Please support atleast Rs 20/- , Rs 50/- , Rs 100/- for a story.

ନଟବର ଷଡ଼ଙ୍ଗୀ

ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)

Related Articles

Leave a Reply

Your email address will not be published.

Back to top button