ଧ୍ରୁପଦ ଗାୟନର ଏକ ମନୋରମ ସନ୍ଧ୍ୟା (କଳ୍ପ ସ୍ୱର ସିରିଜ୍ 4)

Samadhwani Cultural Organization
2 Min Read

ଜାନୁଆରୀ ୨୨ତାରିଖ ଦିନ ଭୁବନେଶ୍ୱରର ଖଣ୍ଡଗିରି ଠାରେ ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେସନ(DMF) ଗୁରୁକୁଳରେ କଳ୍ପ ସ୍ୱର ଧାରାବାହିକ କାର୍ଯ୍ୟକ୍ରମର ଚତୁର୍ଥ ଅଧ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣର ଏକ ମନୋରମ ପରିବେଶ ସୃଷ୍ଟି ହୋଇଥିଲା। ପୁରୁଣା ବୈଠକୀ ଶୈଳୀର ପ୍ରଦର୍ଶନ ଉପରେ ଆଧାରିତ ଥିଲା ଏହି କାର୍ଯ୍ୟକ୍ରମ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସବୁଠାରୁ ପ୍ରାଚୀନ ପରମ୍ପରା “ଧ୍ରୁପଦ”ର ପ୍ରଚାର ଓ ପ୍ରସାର କରାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ, ଯେଉଁଠାରେ କଳାକାର ଏବଂ ଦର୍ଶକ ଏକ ଘନିଷ୍ଠ, ଆଧ୍ୟାତ୍ମିକ ସଂଯୋଗରେ ବାନ୍ଧି ହୋଇପାରିବେ ।

ସନ୍ଧ୍ୟାର ଆରମ୍ଭ ହୋଇଥିଲା DMF ର ପ୍ରତିଷ୍ଠାତା ଓ ଗୁରୁ ଶ୍ରୀ ମୁକୁନ୍ଦ ଦେବ ସାହୁଙ୍କ ଦ୍ୱାରା। ଶ୍ରୀ ସାହୁ ତାଙ୍କର ସୂକ୍ଷ୍ମ କଣ୍ଠସ୍ୱର, ଭାବ ଏବଂ ରାଗର ଗଭୀର ଅନୁସନ୍ଧାନରେ ଦର୍ଶକମାନଙ୍କୁ ମୋହିତ କରିଥିଲେ। ଧ୍ରୁପଦ ପରମ୍ପରାକୁ ସଂରକ୍ଷଣ କରିବା ପାଇଁ ତାଙ୍କର ଆନ୍ତରିକତା ଓ ଗଭୀର ଉଦ୍ୟମ ପାଇଁ ସେ ପ୍ରସଂଶିତ ।

ପଖାୱାଜରେ ତାଙ୍କ ସହିତ ଥିଲେ ପ୍ରସିଦ୍ଧ ପଣ୍ଡିତ ହରିଶ ଚନ୍ଦ୍ର ପତି, ଯିଏ ଏହି ଅବସରରେ ନୂଆ ଦିଲ୍ଲୀରୁ ଆସିଥିଲେ। ତାଳ ଉପରେ ତାଙ୍କର ପାରଦର୍ଶିତା ପ୍ରଦର୍ଶନ ସମୟରେ ଅନୁଭବ କରିହେଉଥିଲା। ତାନପୁରା ଏବଂ କଣ୍ଠସ୍ୱରରେ ଶ୍ରୀ ବବୁନ କୁମାର ପରିଡା ଏବଂ ଶ୍ରୀ ସୂର୍ଯ୍ୟନାରାୟଣ ପାଣି ସହଯୋଗ କରିଥିଲେ ।

Samadhwani Support us

କଳ୍ପ ସ୍ୱର ହେଉଛି ଧୃପଦ ମ୍ୟୁଜିକ ଫାଉଣ୍ଡେସନ (DMF) ଦ୍ଵାରା ପରିକଳ୍ପିତ ଏକ ଧାରାବାହିକ କାର୍ଯ୍ୟକ୍ରମ । ଏଥିରେ ବୈଠକୀ ଶୈଳୀରେ ନିମଜ୍ଜିତ ଭାବରେ ସଙ୍ଗୀତ ପ୍ରଦର୍ଶନ କରାଯାଇଥାଏ ।  ବୈଠକୀ ଶୈଳୀକୁ ପୁନର୍ଜୀବିତ ଏବଂ ପ୍ରୋତ୍ସାହିତ କରିବାପାଇଁ ଧୃପଦ ମ୍ୟୁଜିକ ଫାଉଣ୍ଡେସନ ଏହି ପ୍ରୟାସ ଚତୁର୍ଥଥର ପାଇଁ  ଭୁବନେଶ୍ୱରରେ ଆୟୋଜନ କରିଥିଲା ।

ଜାନୁଆରୀ ୨୨ ତାରିଖର ଏହି କାର୍ଯ୍ୟକ୍ରମକୁ ସଂଗୀତ ଉତ୍ସାହୀ, ଛାତ୍ର ଏବଂ ବିଶେଷଜ୍ଞଙ୍କ ସମେତ ଦର୍ଶକମାନେ ବହୁତ ପ୍ରସଂଶା କରିଥିଲେ ଓ ଧ୍ରୁପଦଙ୍କ ଐତିହ୍ୟକୁ ବଜାୟ ରଖିବା ପାଇଁ କଳାକାରମାନଙ୍କ ପ୍ରୟାସକୁ ଉତ୍ସାହିତ କରିଥିଲେ । ସନ୍ଧ୍ୟାଟି ସମସ୍ତ କଳାକାର ଏବଂ ଆୟୋଜକଙ୍କ ପ୍ରତି କୃତଜ୍ଞତାର ସହିତ ଶେଷ ହୋଇଥିଲା । ଭାରତର ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାର ଉତ୍କୃଷ୍ଟ ଅନୁଭବ ପାଇବା ପାଇଁ ଧୃପଦ ମ୍ୟୁଜିକ ଫାଉଣ୍ଡେସନର କଳ୍ପ ସ୍ୱର କାର୍ଯ୍ୟକ୍ରମ ଏକ ଆଲୋକବର୍ତ୍ତିକା ହେବ ବୋଲି ଆଶା ।

Share This Article