ବରଗଡ଼ ଧନୁଯାତ୍ରାର ସେନାପତି ହଂସଧ୍ୱଜ

ସୁଦାମ ଭୋଇ
2 Min Read

ବରଗଡ଼ ଧନୁଯାତ୍ରାର ସେନାପତି ହଂସଧ୍ୱଜ । ଯାତ୍ରାର ମୁଖ୍ୟ ନାୟକ ମହାରାଜ କଂସଙ୍କ ସେନାପତି ହଂସଧ୍ୱଜ ଭୂମିକାରେ ବୃନ୍ଦାବନ ପ୍ରଧାନ ବେଶ କିଛି ବର୍ଷ ହେବ ଅଭିନୟ କରି ଆସୁଛନ୍ତି । ବଳିଷ୍ଠ ଚେହେରା ସାଙ୍ଗକୁ ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ବେଶ ପସନ୍ଦ କରିଥାନ୍ତି । ବୃନ୍ଦାବନଙ୍କ ଘର ବରଗଡ଼ ନିକଟସ୍ଥ ଜମୁର୍ଡ଼ା ଗାଁରେ । ବରଗଡ଼ ଅଂଚଳର ପରିବା ହବ୍ ଭାବରେ ଜମୁର୍ଡ଼ା ଗାଁର ନାଁ ରହିଛି । ଏହି ଗାଁର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି । ଜମୁର୍ଡ଼ା ଚାଷୀଙ୍କ ଉତ୍ପାଦିତ କୋବିର ନାଁ ସାରା ରାଇଜରେ ରହିଛି । ବୃନ୍ଦାବନ ପେଷାରେ ଜଣେ ପରିବା ଚାଷୀ । କୋବି, ବାଇଗଣ, ଆଳୁ, ପୋଟଳ, ମୁଗ, ରାଶି ଆଦି ଚାଷ କରି ନିଜ ପରିବାର ପରିପୋଷଣ କରିଥାନ୍ତି ।

ପତ୍ନୀ ଆରତୀ, ପୁଅ ମୁକେଶ ଏବଂ ଝିଅ ଛବିକୁ ନେଇ ତାଙ୍କ ସଂସାର । ପରିବାରର ସମସ୍ତ ସଦସ୍ୟ ବୃନ୍ଦାବନଙ୍କୁ ଚାଷ କାମରେ ସାହାଯ୍ୟ କରିଥାନ୍ତି । ଜଣେ ମଂଚ କଳାକାର ଭାବରେ ବୃନ୍ଦାବନଙ୍କ ସୁଖ୍ୟାତି ରହିଛି । ପୁରାଣର ଖଳ ଚରିତ୍ର ଭୂମିକାରେ ଅଭିନୟ କରିବାକୁ ବୃନ୍ଦାବନ ବେଶି ପସନ୍ଦ କରିଥାନ୍ତି । ବରଗଡ଼ ଧନୁଯାତ୍ରାରେ ସେ ଦଶବର୍ଷ ହେବ ସେନାପତି ହଂସଧ୍ୱଜ ଭୂମିକାରେ ଅଭିନୟ କରି ଆସୁଥିବା ବେଳେ ରାଉତପଡ଼ା ଏବଂ ମଦନପୁର ରାମପୁର ଧନୁଯାତ୍ରାରେ ମହାରାଜ କଂସ, ବରଗାଁରେ ଜଳନ୍ଧର, ତାଳଶ୍ରୀଗିଡ଼ାରେ ତାରକାସୁର, ଅତାବିରାରେ ରାବଣ, ତୋରାରେ ମହିଷାସୁର ଏବଂ କର୍ଡ଼ୋଲାରେ ମୁରାସୁର ଭୂମିକାରେ ଅଭିନୟ କରିଛନ୍ତି । ସାଧାରଣତଃ ଅସୁର ଏବଂ ଖଳ ଚରିତ୍ରକୁ ସମସ୍ତେ ଘୃଣା କରୁଥିବା ବେଳେ ଏହି ଚରିତ୍ରରେ ସେ ଅଭିନୟ କରିବାକୁ ବେଶି ଭଲ ପାଆନ୍ତି । ଅଭିନୟ କ୍ଷେତ୍ରରେ ଦେବ, ବଳରାମ ପ୍ରଧାନ, ବୈଷ୍ଣବ ପ୍ରଧାନ ଓ ହୃଷିକେଶ ଭୋଇଙ୍କୁ ସେ ଗୁରୁ ଭାବରେ ସମ୍ମାନ ଦିଅନ୍ତି ।

Samadhwani Support us

ଚାଷବାସରେ ତାଙ୍କର ପରିବାର ପରିପୋଷଣ ହୁଏ । ଖାଇବାକୁ ଦାନା ଏବଂ ପିନ୍ଧିବାକୁ ଖଣ୍ଡେ ହେଲେ ତାଙ୍କ ପାଇଁ ଯଥେଷ୍ଟ । ପରିବା ଚାଷ କରି ସେ ବେଶ ଖୁସି ଅନୁଭବ କରନ୍ତି । ପାଖରେ ପାଏନଛତର ପରିବା ବଜାର ଥିବାରୁ ପରିବା ବିକ୍ରୀ ପାଇଁ ସୁବିଧା ହୁଏ ତେବେ ବଜାରରେ ଦଲାଲ ମାନଙ୍କ ଉପଦ୍ରବ ଦେଖାଦେଉଥିବାରୁ ଚାଷୀମାନଙ୍କ ମନରେ ଆଶଙ୍କା ଭରିରହିଥାଏ । ଶୀତଳଭଣ୍ଡାରଟିଏ ଥିଲେ ହୁଏତ ଏହି ଆଶଙ୍କା ଦୂର ହୋଇପାରନ୍ତା ବୋଲି ତାଙ୍କର ମନକଥା କହନ୍ତି ବୃନ୍ଦାବନ ।

ସୁଦାମ ଭୋଇ

Share This Article