କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ପରିକ୍ରମା

17 Min Read

ଚମ୍ପୂ ରଚନା ଯଦିଓ ଆକାରରେ କ୍ଷୁଦ୍ର ଓ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନାରେ ଭରି ହୋଇଛି ଏହା ଓଡ଼ିଶାର ପୁରପଲ୍ଲୀର ଜନଜୀବନରେ ସ୍ଥାନ ପାଇଆସିଛି। ଓଡ଼ିଶାର ଲୋକମାନେ ଧର୍ମ ପରାୟଣ ହୋଇଥିବାରୁ ଚମ୍ପୂର ଗଭୀର ବୈଷ୍ଣବୀୟ ପ୍ରେମତତ୍ତ୍ୱ ଓ ସରଳ ଭାଷା ଓଡ଼ିଶାର ସାଧାରଣ ଲୋକଙ୍କ ଭିତରେ ଚାମ୍ପୁର ଆଦରକୁ ବହୁତ ଭାବରେ ବଢାଇପାରିଛି । ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଏହା ଉଚ୍ଚସ୍ଥାନ ଗ୍ରହଣ କରିଆସିଛି । ଓଡ଼ିଶୀ ସଙ୍ଗୀତରେ ରାଗାଙ୍ଗ ପର୍ଯ୍ୟାୟ ପରେ ପରେ ଚମ୍ପୂ ଗାୟନ ପ୍ରକ୍ରିୟା ଆସିଥାଏ । ଚମ୍ପୂର ବିଶେଷତ୍ୱ ହେଲା ଏହାର ଭାଷା, ଭାବ, ରସ ଓ ଭକ୍ତି । ଲେଖିକା ଗବେଷିକା ଡ. ହିମାଦ୍ରୀ ତନୟା ମିଶ୍ର “କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ପରିକ୍ରମା” ଶୀର୍ଷକରେ ଚମ୍ପୂ ସମ୍ପର୍କରେ ଏକ ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରିଛନ୍ତି । – ସମ୍ପାଦକ

 ସଙ୍ଗୀତ ଯୁଗ ଭାବରେ ଅଭିହିତ ରୀତିଯୁଗର ଶେଷ ଭାଗରେ ରଚିତ ଚମ୍ପୂ ସଙ୍ଗୀତ ଓ ସାହିତ୍ୟର ସମନ୍ୱିତ ରୂପ । ଉକ୍ତି-ପ୍ରତ୍ୟୁକ୍ତି ଶୈଳୀରେ ରଚିତ ହେତୁ ଚମ୍ପୂ କାବ୍ୟରେ ନାଟ୍ୟ ଧର୍ମିତା ସଂରକ୍ଷିତ । ରାଧା-କୃଷ୍ଣ ମଧ୍ୟରେ ଗଢ଼ି ଉଠିଥିବା ଅପ୍ରାକୃତ ପ୍ରେମ ସହ ବୈଷ୍ଣବତତ୍ତ୍ୱର ବୈଶିଷ୍ଟ୍ୟ  ରହିଛି । ଆକାରରେ କ୍ଷୁଦ୍ର ଏବଂ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନାରେ ଏହା ପ୍ରାଣବନ୍ତ ହୋଇଛି । ଗଭୀର ବୈଷ୍ଣବୀୟ ପ୍ରେମତତ୍ତ୍ୱକୁ ବର୍ଣ୍ଣନା କଲାବେଳେ ଚମ୍ପୂକାରମାନେ ସରଳ ଭାଷା ଓ ସଙ୍ଗୀତର ମଧୁର ସମନ୍ୱୟକୁ ପ୍ରାଧାନ୍ୟ ଦେଇଛନ୍ତି । ମହାକାବ୍ୟ, ଦୂତକାବ୍ୟ, ଶତକ, ମୁକ୍ତକ, ନାଟକ ପ୍ରଭୃତି ପରି ଚମ୍ପୂ ମଧ୍ୟ ସଂସ୍କୃତ ସାହିତ୍ୟରେ ଏକ ଲୋକପ୍ରିୟ ରଚନା । ଏହା ଗଦ୍ୟ-ପଦ୍ୟ ଉଭୟର ସମିଶ୍ରଣରେ ରଚିତ । ସଂସ୍କୃତ ଆଳଙ୍କାରିକମାନେ ଏହାର ଲକ୍ଷଣ ନିର୍ଦ୍ଦେଶ କରିବାକୁ ଯାଇ ଲେଖିଛନ୍ତି- ‘ଗଦ୍ୟପଦ୍ୟମୟଂ କାବ୍ୟଂ ଚମ୍ପୂରିତ୍ୟଭିଧୀୟତେ’ । ଏଥିରେ ପଦ୍ୟର କୋମଳତା ଓ ସାଙ୍ଗୀତିକତା ସହିତ ଗଦ୍ୟର ଗୁରୁଗମ୍ଭୀରତା ପାଠକୀୟ ଦୃଷ୍ଟି ଆକର୍ଷଣ କରିଛି । ପଦ୍ୟ ଭାବରେ ମୂଳଭାବ ବା କଥାବସ୍ତୁର ଅବତାରଣା କରିଥିବା ବେଳେ ଗଦ୍ୟ ଭାଗରେ ବର୍ଣ୍ଣନା ବା ବିବରଣୀ କରିଥାଏ । ଚମ୍ପୂର ଆକାର କରିବା ବେଳେ ଗଦ୍ୟ ଭାଗରେ ବର୍ଣ୍ଣନା ବା ବିବରଣୀ ରହିଥାଏ । ଚମ୍ପୂର ଆକାର ସମ୍ପର୍କରେ କୌଣସି ଆଳଙ୍କାରିକ ଅନୁଶାସନ ନାହିଁ । ଏହା କ୍ଷୁଦ୍ର ବା କିଛି ସ୍ଥଳରେ ବୃହତ ହୋଇପାରେ ମାତ୍ର  ଏହା ବିଭିନ୍ନ ଉଚ୍ଛ୍ୱାସରେ ବିଭକ୍ତ ହେବା ବିଧେୟ । ମୁଖ୍ୟତଃ ଶୃଙ୍ଗାର ବା ବୀର ରସର ଉଦ୍‌ବୋଧନ ପାଇଁ ଚମ୍ପୂ କାବ୍ୟରେ ଉଦ୍ୟମ କରିଥାନ୍ତି । ସ୍ଥଳ ବିଶେଷରେ ଶାନ୍ତ ରସର ବର୍ଣ୍ଣନା ମଧ୍ୟ ରହିଥାଏ । ଚମ୍ପୂର ଅନ୍ୟାନ୍ୟ ସବୁ ଲକ୍ଷଣ ଖଣ୍ଡକାବ୍ୟର ଲକ୍ଷଣ ସଦୃଶ । ଅର୍ଥାତ୍ ଏହାର ଘଟଣା, ଚରିତ୍ର ଚିତ୍ରଣ, ଦୃଶ୍ୟ- ରୂପାଦିର ବର୍ଣ୍ଣନା ଖଣ୍ଡକାବ୍ୟର ସେହି ସେହି ବିଭାବ ଭଳି ହୋଇଥାଏ ।

ପ୍ରଥମେ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଚମ୍ପୂ ରଚନା ଆରମ୍ଭ ହୋଇଥିଲା । ବିଶେଷତଃ ଭକ୍ତି ଆନ୍ଦୋଳନ ଚମ୍ପୂ କାବ୍ୟର ଉନ୍ମେଷ ଓ ବିକାଶ ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛି । ପରେ ସମ୍ପୂର୍ଣ୍ଣ ସାହିତ୍ୟିକ ଅଭିମୁଖ୍ୟରୁ ଏହାର ସୃଷ୍ଟି ସମ୍ପଦ ସମୃଦ୍ଧ ହୋଇଛି । ଖ୍ରୀଷ୍ଟୀୟ ୬ଷ୍ଠ-୭ମ ଶତାବ୍ଦୀରୁ ଧାରାବହିକ ଭାବରେ ଶତାଧିକ ଚମ୍ପୂ ରଚିତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ ଉତ୍ତର ଭାରତରେ ପ୍ରାୟ ୪୨ ଖଣ୍ଡ ଚମ୍ପୂ ରଚିତ ଏବଂ ବାକି ସମସ୍ତ ଦକ୍ଷିଣ ଭାରତରେ ରଚିତ ହୋଇଛି ଗବେଷକ ଓ ପଣ୍ଡିତ ଗଣଙ୍କ ମତ । ଏହି ଅଞ୍ଚଳଗୁଡ଼ିକରେ ଭକ୍ତିଧାରାର ସୁପ୍ରସାର ଏବଂ ରାଜା ମହାରାଜା ପ୍ରମୁଖଙ୍କର କବିମାନଙ୍କ ପ୍ରତି ପୃଷ୍ଠପୋଷକତା ପ୍ରଦର୍ଶନ । ସଂସ୍କୃତ ଚମ୍ପୂମାନଙ୍କ ମଧ୍ୟରେ ୯ମ ଓ ୧୦ମ ଶତାବ୍ଦୀରେ ରଚିତ ‘ନଳ ଚମ୍ପୂ’ ପ୍ରାଚୀନତମ ଚମ୍ପୂ ଭାବେ ଆଲୋଚକମାନେ ଗ୍ରହଣ କରିଛନ୍ତି । ଚମ୍ପୂ ରଚନାର ଲକ୍ଷ୍ୟ ଶ୍ରୀ ବେଙ୍କଟାଧ୍ୱରୀ ସ୍ୱୀୟ ‘ବିଶ୍ୱଗୁଣାଦର୍ଶ’ ଚମ୍ପୂର ଉପୋଦଘାତରେ ଅତି ଚମତ୍କାର ବର୍ଣ୍ଣନା କରିଛନ୍ତି ।

“ପଦ୍ୟଂ ଯଦ୍ୟପି ବିଦ୍ୟତେ

ହୃଦ୍ୟଂ ବିଗଦ୍ୟଂ ନ ତତ୍‌

ଗଦ୍ୟ ଚ ପ୍ରତିପଦ୍ୟତେ ନ

ବିଜହତ୍ ପଦ୍ୟଂ ବୁଧାସ୍ପାଦ୍ୟତାମ୍‌

ଆଦତ୍ତେ ହି ତୟୋଃ ପ୍ରୟୋଗ

ରୁଭୟୋ-ରାମୋଦଭୂମୋଦୟଂ

ସଙ୍ଗଃ କସ୍ୟ ହି ନ ସ୍ୱଦେତ ମନସେ

ମା ଧ୍ୱୀକମୃଦ୍‌ବୀକୟୋଃ”

ଅର୍ଥାତ୍ ଯଦିଓ ପଣ୍ଡିତମାନଙ୍କର ମନୋହରିଣୀ ପଦ୍ୟକାବ୍ୟ ରହିଛି ତଥାପି ସେଗୁଡ଼ିକ ଗଦ୍ୟ ରହିତ ହେତୁ ରସିକମାନଙ୍କର ହୃଦ୍ୟ ହୋଇପାରୁ ନାହିଁ । ଗଦ୍ୟ ମଧ୍ୟ ପଦ୍ୟ ରହିତ୍ୟ ହେତୁ ପଣ୍ଡିତମାନଙ୍କର ମନୋରଞ୍ଜନ କରିପାରୁ ନାହିଁ । ତେଣୁ ସେହି ଗଦ୍ୟ ଓ ପଦ୍ୟର ସମ୍ମିଶ୍ରଣରେ ଏହି ଚମ୍ପୂ ରଚନା କରିବା ପାଇଁ ମୁଁ ଚେଷ୍ଟା କରି ଅଛି । ମଧୁ ଓ ଦ୍ରାକ୍ଷାର ସମନ୍ୱୟ ଯେପରି ରୁଚିକର ସେହିପରି ପଦ୍ୟ ଗଦ୍ୟ ମିଶ୍ରଣରେ ଚମ୍ପୂ ସାହିତ୍ୟ ଭିନ୍ନ ସ୍ୱାଦ ପାଠକକୁ ପ୍ରଦାନ କରିଥାଏ । ତ୍ରିବିକ୍ରମ ଭଟ୍ଟଙ୍କ ଚରିତ ସାତଗୋଟି ଉଚ୍ଛ୍ୱାସ-ବିଶିଷ୍ଟ ‘ନଳଚମ୍ପୂ’ ପ୍ରଣୟ କାହାଣୀ ଉପରେ ଆଧାରିତ । ତ୍ରିବିକ୍ରମ ଭଟ୍ଟଙ୍କ ଅନ୍ୟ ଏକ ଚମ୍ପୂ କାବ୍ୟ ‘ମଦାଳସା ଚମ୍ପୂ’ ଦିଗମ୍ବର ଜୈନ ସୋମଦେବଙ୍କ ପ୍ରଣୀତ ‘ଯଶସ୍ତିଳକ ଚମ୍ପୂ’ (ଏଥିରେ ଅଦ୍ଭୁତ ଯଜ୍ଞର ବର୍ଣ୍ଣନା ରହିଛି), ଭୋଜରାଜଙ୍କ ଦ୍ୱାରା ରଚିତ ‘ଭୋଜଚମ୍ପୂ’ ବା ‘ରାମାୟଣ ଚମ୍ପୂ’ ଖୁବ୍ ଉଚ୍ଚକୋଟୀର ସୃଜନ ସୃଷ୍ଟି । ଅଭିନବ କାଳିଦାସଙ୍କ ରଚିତ ‘ଭାଗବତ ଚମ୍ପୂ’ ଛଗୋଟି ଉଚ୍ଛ୍ୱାସରେ ବିଭକ୍ତ । ନାଗକନ୍ୟା ଉଦୟସୁନ୍ଦରୀ ଏବଂ ରାଜପୁତ୍ର ମଳୟ ବାହନଙ୍କ ପ୍ରଣୟ ଭିତ୍ତିକ) । ଅନନ୍ତ ଭଟ୍ଟଙ୍କର ‘ଭାରତ ଚମ୍ପୂ’ (ମହାଭାରତର କଥାବସ୍ତୁ ଆଧାରିତ) ।

ଶେଷକୃଷ୍ଣଙ୍କ ଦ୍ୱାରା ରଚିତ ‘ପାରିଜାତ ହରଣ ଚମ୍ପୂ’ (ପାଞ୍ଚଟି ଅଧ୍ୟାୟ ବିଶିଷ୍ଟ) ସ୍ୱର୍ଗରୁ ପାରିଜାତ ହରଣ ଘଟଣା ଉପରେ ଆଧାରିତ, ଜୀବ ଗୋସ୍ୱାମୀଙ୍କର ‘ଗୋପାଳ ଚମ୍ପୂ’, କର୍ଣ୍ଣପୁରଙ୍କ ରଚିତ ‘ଆନନ୍ଦ ବୃନ୍ଦାବନ ଚମ୍ପୂ’ (ବୈଷ୍ଣବମାନଙ୍କ ଆଦରଣୀୟ କାବ୍ୟ), ନୀଳକଣ୍ଠ ଦୀକ୍ଷିତଙ୍କର ‘ନୀଳକଣ୍ଠ ବିଜୟ ଚମ୍ପୂ’ (ପାଞ୍ଚ ଅଧ୍ୟାୟ ବିଶିଷ୍ଟ ଶିବଙ୍କର ମହତ୍ତ୍ୱ ଏଥିରେ ପ୍ରତିପାଦିତ), ଜୈନକବି ଜୀବନ୍ଧରଙ୍କ ‘ଜୀବନ୍ଧର ଚମ୍ପୂ’ ସୋମେଶ୍ୱର ଦେବଙ୍କ ‘କୀର୍ତ୍ତି କୌମୁଦୀ ଚମ୍ପୂ’, ବାସୁଦେବ ରଥଙ୍କ ‘ଗଙ୍ଗବଂଶାନୁ ଚରିତ ଚମ୍ପୂ’ ତିରୁମଲ୍ଲାମ୍ବାଙ୍କ ‘ବରଦାମ୍ବିକା ପରିଣୟ ଚମ୍ପୂ’, ମିତ୍ର ମିଶ୍ରଙ୍କର ‘ଆନନ୍ଦକନ୍ଦ ଚମ୍ପୂ’ ଚିଦାମ୍ବରଙ୍କର ଭାଗବତ ଚମ୍ପୂ’ ଚକ୍ର କବିଙ୍କର ‘ଦ୍ରୌପଦୀ ପରିଣୟ ଚମ୍ପୂ’, ବେଙ୍କଟାଧ୍ୱରୀଙ୍କର ‘ବରଦାଭ୍ୟୁଦୟ ଚମ୍ପୂ, ଉତ୍ତର ଚମ୍ପୂ, ଶ୍ରୀନିବାସ ଚମ୍ପୂ, ବାଣେଶ୍ୱରଙ୍କର ‘ଚିତ୍ର ଚମ୍ପୂ’, ସଦାଶିବ କାବ୍ୟକଣ୍ଠଙ୍କର ‘ଚନ୍ଦନ ଚମ୍ପୂ’, ଚକ୍ରପାଣି ପଟ୍ଟନାୟକଙ୍କର ‘ଗୁଣ୍ଡିଚା ଚମ୍ପୂ’ ଆଦି ଧାରାବାହିକ ଭାବେ ସଂସ୍କୃତ ସାହିତ୍ୟରେ ଚମ୍ପୂ ରଚିତ ହୋଇ ଆସିଥିବାର ଜଣାଯାଏ । ସଂସ୍କୃତ ସାହିତ୍ୟର ଏହି ପ୍ରକାର ଚମ୍ପୂ ରଚନାଶୈଳୀ ଦ୍ୱାରା ପ୍ରଭାବିତ ହୋଇ କେତେକ ଉତ୍କଳୀୟ ସଂସ୍କୃତଜ୍ଞ ପଣ୍ଡିତ ମଧ୍ୟ ବିଭିନ୍ନ ଚମ୍ପୂ ରଚନା କରିଥିବା ଦେଖାଯାଏ । ପ୍ରାଥମିକ ଚମ୍ପୂ ରଚୟିତାମାନଙ୍କ ମଧ୍ୟରେ ଅଷ୍ଟାଦଶ ଶତାବ୍ଦୀର ଗଞ୍ଜାମ ଅଞ୍ଚଳସ୍ଥ କବି ଚକ୍ରପାଣି ପଟ୍ଟନାୟକ ଅନ୍ୟତମ । ତାଙ୍କ ରଚନାରେ କଥନ ରୀତିରେ ବକ୍ରୋକ୍ତି ପୁରି ରହିଥିବାରୁ ତାକୁ ‘ବକ୍ରବାକ୍‌’ ନାମରେ ଅଭିହିତ କରାଯାଇଥିଲା ।

ଏଥି ସହିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ରଚିତ ‘ଗୁଣ୍ଡିଚା ଚମ୍ପୂ’ ସେ ସମୟର ଏକ ଚମତ୍କାର ଚମ୍ପୂ ରଚନା ଭାବେ ପରିଚିତ । ଏହା ବ୍ୟତୀତ ଓଡ଼ିଶାର ଅନ୍ୟାନ୍ୟ ସଂସ୍କୃତ ଚମ୍ପୂ ରଚନା ମଧ୍ୟରେ ବାସୁଦେବ ରଥ ସୋମଯାଜୀଙ୍କ ଦ୍ୱାରା ଲିଖିତ ‘ଗଙ୍ଗବଂଶାନୁ ଚରିତ ଚମ୍ପୂ’ (୧୮ଶ ଶତାବ୍ଦୀ), ନୀଳକଣ୍ଠ ମିଶ୍ରଙ୍କ ରଚିତ ‘ଭଞ୍ଜ ମହୋଦୟ ଚୂମ୍ପ’ (୧୮ଶ ଶତାବ୍ଦୀ), କବିରାଜ ଭଗବାନ ବ୍ରହ୍ମାଙ୍କ ରଚିତ ‘ମୃଗୟା ଚମ୍ପୂ’ ଏବଂ ‘ଗୁଣ୍ଡିଚା ବିଜୟ ଚମ୍ପୂ’ (୧୮ଶ ଶତାବ୍ଦୀ), ନୀଳାମ୍ବର ଆଚାର୍ଯ୍ୟଙ୍କ ଦ୍ୱାରା ରଚିତ ‘ଚନ୍ଦନ ଯାତ୍ରା ଚମ୍ପୂ’ (୧୮ଶ ଶତାବ୍ଦୀ), ଭୁବନେଶ୍ୱର ମିଶ୍ର ବଡ଼ପଣ୍ଡାଙ୍କ ଦ୍ୱାରା ରଚିତ ‘ଆନନ୍ଦ ବୃନ୍ଦାବନ ଚମ୍ପୂ (୧୯ଶ ଶତାବ୍ଦୀ), ପୁରୁଷୋତ୍ତମ ରଥଙ୍କ ଦ୍ୱାରା ଲିଖିତ ବାମନ ଚମ୍ପୂ (୧୮୯୬ ଶତାବ୍ଦୀ), ଯଦୁନାଥ ସିଂହଙ୍କ ‘ପ୍ରେମସାଗର ଚମ୍ପୂ (୧୮୯୬ ଶତାବ୍ଦୀ), ସଦାଶିବ ମିଶ୍ରଶର୍ମାଙ୍କ ରଚିତ ‘ଚନ୍ଦନ ଚମ୍ପୂ’ (୧୯୦୦), ସୁଦର୍ଶନ ମିଶ୍ର ନ୍ୟାୟରତ୍ନଙ୍କ ପରିଣୟ ଚମ୍ପୂ (୧୯୧୩), ଭାଗୀରଥୀ ମିଶ୍ରଙ୍କ ପ୍ରଣୀତ ନବକିଶୋର ଚମ୍ପୂ (୧୯୧୩) ଆଦି ରଚିତ ଚମ୍ପୂଗୁଡ଼ିକ ସଂସ୍କୃତ ଚମ୍ପୂ ରଚନାର ଶ୍ରେଷ୍ଠ ନିଦର୍ଶନ ।

ଓଡ଼ିଆ ସାହିତ୍ୟରେ ଚମ୍ପୂ ରଚନାର ପରମ୍ପରା ସଂସ୍କୃତ କାବ୍ୟ ଶୈଳୀର ଆଂଶିକ ଅନୁସରଣରେ ରଚିତ ହୋଇଥିଲେ ମଧ୍ୟ ମାତୃଭାଷାକୁ ଗୁରୁତ୍ୱ ଦେଇଛନ୍ତି ପ୍ରାଚୀନ କବିମାନେ । ଓଡ଼ିଆ ଚମ୍ପୂର ଆଦି ପ୍ରବର୍ତ୍ତକ ରୂପେ କବିସୂର୍ଯ୍ୟ ବଳଦେବ ରଥ (୧୭୮୯-୧୮୪୫) ହିଁ ଗ୍ରହଣୀୟ । ଲୋକପ୍ରିୟତା ଏହାଙ୍କ ରଚିତ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ ପ୍ରଥମ ଓଡ଼ିଆ ଜାତୀୟ ଚମ୍ପୂ ରଚନା ଭାବରେ ଆଲୋଚକମାନେ ମତ ଦିଅନ୍ତି । ମାତ୍ର କବିସୂର୍ଯ୍ୟ ବଳଦେବଙ୍କ ପୂର୍ବରୁ ଏବଂ ପରେ ରଚିତ ହୋଇଥିବା ବିଭିନ୍ନ ଓଡ଼ିଆ ଚମ୍ପୂର ସୂଚନା । କବି ଉପେନ୍ଦ୍ର ଭଞ୍ଜଙ୍କ (ଚଉପଦୀ ଭୂଷଣ ୧୮ଶ ଶତାବ୍ଦୀ), ବନମାଳୀଙ୍କ (ରାମାୟଣ ଚମ୍ପୂ, ୧୭୫୪), କିଶୋର ଚନ୍ଦ୍ରଙ୍କ (ଝୁଲଣ ଚମ୍ପୂ, ୧୯ଶ), ଗୋବିନ୍ଦ ରାୟଗୁରୁ (ବୃନ୍ଦାବନ ଚନ୍ଦ୍ରାନନ୍ଦ ଚମ୍ପୂ, ୧୯ଶ), ଦାମୋଦର ପଟ୍ଟନାୟକ (ଜୀବନ ଚମ୍ପୂ, ୧୮୮୮), ମହେନ୍ଦ୍ର ସିଂହ ସାମନ୍ତ (ବୃନ୍ଦାବନ ଚନ୍ଦ୍ର ବିନୋଦ ଚମ୍ପୂ, ୧୮୯୫), ସାମନ୍ତ ଶ୍ୟାମବନ୍ଧୁ ଦାସ (ଜାତୀୟ ଚମ୍ପୂ, ୧୯୦୮), ନିତ୍ୟାନନ୍ଦ ପ୍ରକାଶ ବ୍ରହ୍ମଚାରୀଙ୍କ (ମୋହନାନନ୍ଦ ଚମ୍ପୂ, ୧୯୭୩), ଅନନ୍ତ ଚରଣ ବାବା (ମହିମା ଭଜନ ଚମ୍ପୂ, ୧୯୩୨), ନବକିଶୋର ମହାନ୍ତି (କିଶୋର ବିଳାସ ଚମ୍ପୂ, ୧୯୩୩), ନିର୍ଧୂମ ଧୂମକେତୁଙ୍କ (ସାମନ୍ତ ସମ୍ବାହନ ଚମ୍ପୂ, ୧୯୩୬), ହନୁମନ୍ତ ନବିସ୍ (କାନ୍ତକବି ଲକ୍ଷ୍ମୀକାନ୍ତ)ଙ୍କ (ଚଟକ ଚନ୍ଦ୍ରହାସ ଚମ୍ପୂ, ୧୯୪୩), ଲାଲ ମୋହନ ପଟ୍ଟନାୟକଙ୍କ (ଜୀବନ ଚମ୍ପୂ, ୧୯୪୩), ସୁନ୍ଦରମଣି ପଟ୍ଟନାୟକଙ୍କ (କିଶୋରୀ ଚନ୍ଦ୍ରାନନ୍ଦ ଚମ୍ପୂ, ୧୯୫୩) ପ୍ରଭୃତି ରଚିତ, ଓଡ଼ିଆ ସାହିତ୍ୟରେ ଚଉପଦୀ, ଚଉତିଶା, ଷୋଡ଼ଶା, କୋଇଲି ବୋଲି, ପୋଈ, ପଦିଆ ପ୍ରଭୃତି ପରି ଚମ୍ପୂ ପ୍ରାଚୀନତମ ରଚନା ନୁହେଁ । ଓଡ଼ିଆ ଚମ୍ପୂ ଗୁଡ଼ିକ ସାଧାରଣତଃ ଉଚ୍ଛ୍ୱାସ । ଅଧ୍ୟାୟ ଭାବରେ ବିଭକ୍ତ ହୋଇ ନାହିଁ । ଅଧିକାଂଶ ଚମ୍ପୂ ପଦ୍ୟମୟ ରଚନା। ଏହାର ବ୍ୟତିକ୍ରମରେ ‘ବୃନ୍ଦାବନ ଚନ୍ଦ୍ର ବିନୋଦ ଚମ୍ପୂ’ରେ ରାଧା, କୃଷ୍ଣ, ଲଳିତା, ମଧୁମଙ୍ଗଳ ପ୍ରମୁଖଙ୍କର ଉକ୍ତି-ପ୍ରତ୍ୟୁକ୍ତି ସହ ୩୪ଗୋଟି ସଙ୍ଗୀତ ରହିଛି ଏବଂ ସଂଗୀତ ପୂର୍ବରୁ ପଦ୍ୟାଂଶ ମଧ୍ୟ ରହିଛି । ସେହିପରି ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ତଥା ‘ସାମନ୍ତ ସମ୍ବାହନ ଚମ୍ପୂ’ରେ ପାତ୍ର-ପ୍ରାତ୍ରୀ ଭିନ୍ନ ହେଲେ ହେଁ ଗଦ୍ୟାଂଶ ସ୍ଥାନ ପାଇଛି ଚମ୍ପୂ କାବ୍ୟରେ ।

କବିସୂର୍ଯ୍ୟ ବଳଦେବ ରଥ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ :

ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀର ୮ମ-୯ମ ଶତକ ମଧ୍ୟରେ କବିସୂର୍ଯ୍ୟଙ୍କ ଜନ୍ମ । ଊନବିଂଶ ଶତାବ୍ଦୀର ପଞ୍ଚମ ଦଶକ ମଧ୍ୟରେ ଇହଧାମ ତ୍ୟାଗ କରିଥିଲେ । ‘କବିସୂର୍ଯ୍ୟ ଗ୍ରନ୍ଥାବଳୀ’ର ସମ୍ପାଦକ ପଣ୍ଡିତ କୁଳମଣି ଦାସ କବିସୂର୍ଯ୍ୟଙ୍କ ସମୟସୀମା (୧୩୮୯-୧୮୪୫) ମସିହା ଭାବେ ନିରୂପଣ କରିଛନ୍ତି ମାତ୍ର ଗବେଷକ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର ତାଙ୍କ ଜନ୍ମ ସମୟକୁ (୧୭୭୯-୧୮୪୦) ମସିହା ଭାବେ ଉପସ୍ଥାପନ କରିଛନ୍ତି । କବିସୂର୍ଯ୍ୟଙ୍କ ପୂର୍ବପୁରୁଷ ବାଣପୁରସ୍ଥ ମଣିପୁର ଗ୍ରାମରୁ ଆସି ଗଞ୍ଜାମ ଅଞ୍ଚଳରେ ବ୍ରାହ୍ମଣ-କର୍ମାନୁଷ୍ଠାନ ଦ୍ୱାରା ଜୀବିକା ନିର୍ବାହ କରି ଆସୁଥିଲେ । ଗଞ୍ଜାମର ବଡ଼ଖେମୁଣ୍ଡି  ମଠ ଠାରେ ପଣ୍ଡିତ ଉଜ୍ଜ୍ୱଳ ରଥଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବହୁଶାସ୍ତ୍ରଦର୍ଶୀ ସଂସ୍କୃତ ପଣ୍ଡିତ ଥିଲେ । ‘ସଜ୍ଜନାନନ୍ଦ ଚମ୍ପୂ’ ଓ ‘ରାମଚମ୍ପୂ’ ରଚନା କରି ବଡ଼ଖେମୁଣ୍ଡି ରାଜ ସଭାରେ ସଭାପଣ୍ଡିତ ସ୍ଥାନ ଅଳଙ୍କୃତ କରି ରାଜାଙ୍କ ଠାରୁ ‘କବିରାଜ ବ୍ରହ୍ମା’ ଉପାଧି ପାଇଥିଲେ । କବିସୂର୍ଯ୍ୟ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପିଲାଟି ବେଳରୁ ଶାସ୍ତ୍ର ଜ୍ଞାନ ଅଧ୍ୟୟନରେ ମନ  ରଖିଥିଲେ । ମାତାଙ୍କୁ ହରାଇବା ପରେ ଅଜା ତ୍ରିପୁରାରୀ ହୋତାଙ୍କ ପାଖରେ ରହି ଶିକ୍ଷାଦୀକ୍ଷା ପ୍ରାପ୍ତ କରିଥିଲେ ।

କବିସୂର୍ଯ୍ୟ ଓଡ଼ିଆ ବଙ୍ଗଳା ଏବଂ ସଂସ୍କୃତ ଭାଷାରେ ଧୂରୀଣ ଥିଲେ । ସାଙ୍ଗୀତିକ ଛନ୍ଦରେ ବହୁ କବିତା ଜଳନ୍ତର ରାଜାଙ୍କ ନାମରେ ଭଣିତା କରିବା ସହ ଭଞ୍ଜୀୟ ରୀତିରେ ‘ଚନ୍ଦ୍ରକଳା’ କାବ୍ୟ ରଚନା କରି ସେ ଜଳନ୍ତରର ରାଜା ରାମଚନ୍ଦ୍ର ଛୋଟରାୟଙ୍କ ଠାରୁ କବିସୂର୍ଯ୍ୟ ଉପାଧି ପାଇଥିଲେ । ପରବର୍ତ୍ତୀ ସମୟରେ କବିସୂର୍ଯ୍ୟ ଗଞ୍ଜାମର ଆଠଗଡ଼ ରାଜ୍ୟକୁ ଯାଇ ସେଠାରେ ରାଜା ବାଲୁଙ୍କେଶ୍ୱର ହରିଚନନ୍ଦନ ଜଗଦେବଙ୍କ ପୃଷ୍ଠ ପୋଷକତାରେ ରାଧା-କୃଷ୍ଣ ଲୀଳାକୁ ଭିତ୍ତି କରି ବହୁ ଚଉପଦୀ ଓ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ଭଳି ସୁପ୍ରସିଦ୍ଧ ପଦାବଳୀ ସାହିତ୍ୟ ରଚନା କରିଥିଲେ । ଏହା ବ୍ୟତୀତ ବ୍ୟଙ୍ଗ କବିତା, ଡୁମ୍ପା, ଚଉତିଶା, ମନାସ ଗୀତ, ହାସ୍ୟ କଲ୍ଲୋଳ ମଧ୍ୟ ରଚନା କରିଛନ୍ତି । ଶେଷରେ ସେ ପୁରୀ ଯାଇ ତତ୍‌କାଳୀନ ରାଜା ଦ୍ୱିତୀୟ ମୁକୁନ୍ଦଦେବଙ୍କ ରାଜ ସଭାରେ ସମ୍ମାନ ଓ ସ୍ୱୀକୃତି ଲାଭ କରି ‘କବିସୂର୍ଯ୍ୟ ରାୟଗୁରୁ ମହପାତ୍ର’ ଉପାଧିରେ  ଭୂଷିତ ହୋଇଥିଲେ ।

 କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର କଥାବସ୍ତୁ :

ଏହାର କଥାବସ୍ତୁ କୃଷ୍ଣ ସାହିତ୍ୟ ଅନ୍ତର୍ଗତ । ଶ୍ରୀଚୈତନ୍ୟଙ୍କର ବହୁ ପୂର୍ବରୁ ଓଡ଼ିଶାରେ କୃଷ୍ଣ-ଉପାସନା ପ୍ରବର୍ତ୍ତିତ ହୋଇଥିବାରୁ ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀ ଠାରୁ ଓଡ଼ିଆରେ ବିଧିବଦ୍ଧ ଭାବରେ କୃଷ୍ଣ-ସାହିତ୍ୟ ସୃଷ୍ଟି ହୋଇଥିବାର ଦେଖାଯାଇଛି । ଦ୍ୱାଦଶ ଶତାବ୍ଦୀର କବି ଶ୍ରୀଜୟଦେବଙ୍କ ରଚିତ ‘ଶ୍ରୀ ଗୀତଗୋବିନ୍ଦ’ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ । ମହାଭାରତ, ଭାଗବତ, ପଦ୍ମପୁରାଣ ପ୍ରଭୃତିରେ ବର୍ଣ୍ଣିତ କୃଷ୍ଣ ଚରିତର ବିଭିନ୍ନ ଲୀଳା-ଗୋପ, ମଥୁରା ଓ ଦ୍ୱାରିକା ଲୀଳା ଇତ୍ୟାଦିରୁ ବିଭିନ୍ନ ଘଟଣା ବା ଉପାଖ୍ୟାନକୁ ଆଧାର କରି କବିସୂର୍ଯ୍ୟ କିଶୋର ଚନ୍ଦ୍ରନନ୍ଦ ଚମ୍ପୂର କାହାଣୀ କରିଛନ୍ତି । କୃଷ୍ଣ-ସାହିତ୍ୟ ପରମ୍ପରାରେ ଶ୍ରୀକୃଷ୍ଣଙ୍କର ମୁଖ୍ୟତଃ ଦୁଇଟି ରୂପ ପ୍ରକାଶିତ- ଐଶ୍ୱର୍ଯ୍ୟମୟ ରୂପ (ଶ୍ରୀକୃଷ୍ଣ ଚକ୍ରଧର ଏବଂ ଦୁଷ୍ଟ ବିନାଶକାରୀ) ପୂତନା, ଅଘାସୁର, ବକାସୁର, କଂସ, ଜରାସନ୍ଧ, ଶିଶୁପାଳ, ପ୍ରଭୃତିକ ନାମ ରହିଥିବା ବେଳେ ଅନ୍ୟ ରୂପଟି ମାଧୁର୍ଯ୍ୟମୟ ରୂପ (ମୂରଲୀଧର ଓ ରାଧାବଲ୍ଲବ) ବିଭିନ୍ନ ଭଙ୍ଗୀରେ ବଂଶୀ ବାଦନ କରି ସେ ରାଧା ତଥା ଗୋପୀମାନଙ୍କ ମନ ମୋହିଛନ୍ତି ଏବଂ ପ୍ରତ୍ୟେକ ଜୀବମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଛନ୍ତି । ଶ୍ରୀକୃଷ୍ଣ ଆବିର୍ଭାବର ମୂଳ ତାତ୍ପର୍ଯ୍ୟ ହେଉଛି ପ୍ରେମରସ ଆସ୍ପାଦନ ଏବଂ ରାଗାନୁଗା ଭକ୍ତିର ପ୍ରଚାର ।

କୃଷ୍ଣ-ସାହିତ୍ୟର କବିମାନେ ଶ୍ରୀକୃଷ୍ଣଙ୍କ ମାଧୁର୍ଯ୍ୟ ଲୀଳାର ଅଧିକ ବର୍ଣ୍ଣନା କରିଛନ୍ତି ଯେଉଁ ପରମ୍ପରାକୁ କବିସୂର୍ଯ୍ୟ ମଧ୍ୟ ଅନୁସରଣ କରିଛନ୍ତି ତାଙ୍କ ସୃଜନ ସୃଷ୍ଟି ସମ୍ଭାରରେ । ଏହି କଥାବସ୍ତୁରେ କବି ସୂର୍ଯ୍ୟ ରାଧାକୃଷ୍ଣଙ୍କ ଲୀଳାକୁ ଦେବାୟିତ କରିବା ସହିତ ଶ୍ରୀକୃଷ୍ଣଙ୍କୁ ପରମବ୍ରହ୍ମ ପୁରୁଷ ଏବଂ ରାଧାଙ୍କୁ ପ୍ରକୃତି ଭାବରେ ନେଇ ଶ୍ୟାମ-ଗୌରୀ ମହାତେଜର ମିଳନ କରାଇଛନ୍ତି । ଏଥିରେ ନାୟକ-ନାୟିକା ଭାବରେ ରାଧା-କୃଷ୍ଣ ଲୀଳାକୁ ମାନବୀୟ ଲୌକିକ ଓ ସ୍ୱାଭାବିକ କରାଇଛନ୍ତି । ଏଥି ସହିତ ଲଳିତା ଓ ମଧୁମଙ୍ଗଳ ଚରିତ୍ରଙ୍କ ମାଧ୍ୟମରେ ହାସ-ପରିହାସର ସାନ୍ନିଧ୍ୟ ମଧ୍ୟ ପାଠକକୁ ଆକର୍ଷିତ କରିଛି । ଚମ୍ପୂର କଥାବସ୍ତୁ ଅତ୍ୟନ୍ତ ସରଳ । ଘଟଣାର ବିସ୍ତୃତ ବର୍ଣ୍ଣନା ନାହିଁ । ଉପ-କହାଣୀର ସ୍ଥାନ ରହି ନାହିଁ । ସରଳ କଥାବସ୍ତୁ ଚମତ୍କାରିତା ବେଶ୍ ଅନୁଭବ ରହିଛି । ପ୍ରାରମ୍ଭରେ କବିସୂର୍ଯ୍ୟ ରାଧା-କୃଷ୍ଣଙ୍କୁ ନମସ୍କାର ଜଣାଇ ମଙ୍ଗଳାଚରଣ କରି କବିସୁଲଭର ବିନମ୍ରତା ପ୍ରକାଶ କରିଛନ୍ତି । ଚଉତିଶା ରୀତିରେ ବ୍ୟଞ୍ଜନ ବର୍ଣ୍ଣାଗୁଡ଼ିକର କ୍ରମାନ୍ୱୟ ପରିଲକ୍ଷିତ ହୋଇଛି । କେବଳ ମାତ୍ର ଶ-ଷ-ସ ବର୍ଣ୍ଣ ପ୍ରୟୋଗରେ ବ୍ୟତିକ୍ରମ ସ୍ୱଳ୍ପ ଦେଖାଯାଇଛି ମାତ୍ର କଥାବସ୍ତୁର ଗତି ଅକ୍ଷୁର୍ଣ୍ଣ ରହିଛି । ‘ଷ’-ଗୀତରେ ଏହି ବର୍ଣ୍ଣ ଥରେ ମାତ୍ର ବ୍ୟବହାର ହୋଇଥିବା ବେଳେ ‘ସ’-ଗୀତରେ ‘ସ’ ବର୍ଣ୍ଣଟି ଆଦ୍ୟରେ ରହି ପରେ ‘ଶ’ ବର୍ଣ୍ଣର ବହୁଳ ବ୍ୟବହାର ରହିଛି ।

କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ନାମକରଣ ଚରିତ୍ର ଚିତ୍ରଣ :

କାବ୍ୟଟି ଶ୍ରୀକୃଷ୍ଣଙ୍କର ଆନନ୍ଦ ପ୍ରଦାନକାରୀ ହୋଇଥିବାରୁ ଏହାର ଏପରି ନାମକରଣ ଯଥାର୍ଥ ମନେ ହୁଏ । ଚରିତ୍ର ଚିତ୍ରଣ ଅପେକ୍ଷା ରସର ପ୍ରାଧାନ୍ୟ କାବ୍ୟର ଉପଜୀବ୍ୟ ହୋଇଛି । ନାରୀ ଓ ପରୁଷ ଚରିତ୍ରଗୁଡ଼ିକ କେତେକ ନିର୍ଦ୍ଦିଷ୍ଟ ସୀମା ଭିତରେ ରହିଛନ୍ତି । ଧୀରୋଦାତ୍ତ, ଧୀର-ଲଳି ତ, ଧୀର-ପ୍ରଶାନ୍ତ, ଧୀରୋଦ୍ଧତ-ଏହି ଚାରିପ୍ରକାର ନାୟକ ଚରିତ୍ର । ଶୃଙ୍ଗାରିକ ଦୃଷ୍ଟି କୋଣରୁ ଏଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ପୁଣି ଦକ୍ଷିଣ, ଧୃଷ୍ଟ, ଅନୁକୂଳ ଓ ଶଠ – ଏହିପରି ଚାରି ଭାଗରେ ବିଭକ୍ତ ହୋଇପାରନ୍ତି । ସେହିପରି ନାରୀ ଚରିତ୍ର ସ୍ୱୀୟା, ପରକ୍ରୀୟା ଓ ସାଧାରଣୀ ଭେଦରେ ତିନି ପ୍ରକାର ଅବସ୍ଥା ଭେଦରେ ସ୍ୱାଧୀନ-ଭର୍ତ୍ତୃକା, ଖଣ୍ଡିତା, ଅଭିସାରିକା, ବିପ୍ରଲବ୍ଧା, ବାସକସଜ୍ଜା ଏହିପରି ଆଠ ଭାଗରେ ବିଭକ୍ତ ହୋଇଥାନ୍ତି । ପ୍ରାଚୀନ କବିମାନେ ଏହି ରୀତି ଅନୁସାରେ କାବ୍ୟର ଚରିତ୍ର ଚିତ୍ରଣ କରିଥାନ୍ତି । ତେଣୁ ଚରିତ୍ରଗୁଡ଼ିକ ଏକ ନିର୍ଦ୍ଧାରିତ ସୀମା ଭିତରେ ଆତଯାତ କରିଛନ୍ତି । ଚମ୍ପୂର ଚରିତ୍ର ଚିତ୍ରଣରେ କବିସୂର୍ଯ୍ୟ ମଧ୍ୟ ମଧ୍ୟଯୁଗୀୟ ସାହିତ୍ୟର ରୀତିକୁ ଅନୁସରଣ କରିଛନ୍ତି ଏବଂ ନିଜସ୍ୱ ଶୈଳୀରେ ଗତାନୁଗତିକତାକୁ ବହୁ ପରିମାଣରେ ପରିହାର କରିଛନ୍ତି । କାବ୍ୟର କଥାବସ୍ତୁରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଭାବରେ ଲଳିତାଙ୍କ ରଚିତ୍ର ରୂପାୟନ ହୋଇଛି । ଚମ୍ପୂର ‘ଭ’ ଭଣିତା ପର୍ଯ୍ୟନ୍ତ ଲଳିତାଙ୍କ ଚରିତ୍ରର ଚମତ୍କାର ଚିତ୍ରଣ ରହିଛି । ଅତ୍ୟନ୍ତ ଜୀବନ୍ତ ଓ ପ୍ରଭାବଶାଳୀ ତାଙ୍କ ଚରିତ୍ର ଚିତ୍ରଣ ହୋଇଛି । ରାଧାଙ୍କ ଚରିତ୍ରର ଅନୁରୂପ ଗୁରୁତ୍ୱ ଉପଲବ୍ଧ କରିହୁଏ ନାହିଁ । ରାଧା ପ୍ରଣୟିନୀ ନାୟିକା ଭାବରେ ମାନବୀୟ ରୂପରେ ଆସିଛନ୍ତି । କେବଳ ‘ମ’ ଗୀତରେ ତାଙ୍କର ଦେବାୟିତ ଓ ତାତ୍ତ୍ୱିକ ରୂପ ସୂଚୀତ ହୋଇଛି । ରାଧାଙ୍କର ବିଦଗ୍ଧ ପ୍ରେମିକ ଭାବରେ ଶ୍ରୀକୃଷ୍ଣଙ୍କ ଚରିତ୍ର ରୂପାୟନ ସାର୍ଥକ ହୋଇଛି । ମଧୁମଙ୍ଗଳ ଏବଂ ସଖୀଗଣ ଗୌଣ ଚରିତ୍ର ଭାବରେ ଆସିଛନ୍ତି । ରାଧା ଓ ଶ୍ରୀକୃଷ୍ଣଙ୍କ ଚରିତ୍ରକୁ ସୁପରିସ୍ଫୁଟ କରିବା ପାଇଁ ଉଭୟଙ୍କ ମିଳନକୁ ବୈଚିତ୍ରମୟରେ ମଣ୍ଡିତ କରିବା ଉଦ୍ଦେଶ୍ୟରେ ଏମାନଙ୍କର ଅବତାରଣା କରାଯାଇଛି । ଥଟ୍ଟା ଓ ପରିହାସ ଭିତରେ କାବ୍ୟର ଗତିଶୀଳାତା ଅଧିକ ରସାଣିତ କରିଅଛି ।

 ରସ ଉଦ୍ବୋଧନ ଆଳଙ୍କାରିକତା :

କବିସୂର୍ଯ୍ୟ ରାଧାକୃଷ୍ଣ ପ୍ରଣୟ-ଲୀଳା ପରିବେଷଣରେ ବିରହ ଓ ମିଳନର ଚିତ୍ର ଅଙ୍କନ କରିବା ସହ ଅଧିକନ୍ତୁ ସମ୍ଭୋଗ ଶୃଙ୍ଗାର ଏବଂ ସଂକ୍ଷିପ୍ତ ଭାବରେ ବିପ୍ରଲମ୍ଭ ଶୃଙ୍ଗାର ବିଷୟରେ ଧ୍ୟାନ ଦେଇଛନ୍ତି । ଅଳଙ୍କାରର ପ୍ରୟୋଗ ଆଧିକ୍ୟ ପ୍ରାୟ ବର୍ଣ୍ଣନା କବିସୂର୍ଯ୍ୟ କରିନାହାନ୍ତି । କାବ୍ୟକୁ ସରସ ସୁନ୍ଦର କରିବା ପାଇଁ ଯେତିକି ଆଳଙ୍କାରିକତା ଆବଶ୍ୟକ ସେ ପ୍ରୟୋଗ କରିଛନ୍ତି । ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ସୁଷମ ବ୍ୟବହାର ଚମ୍ପୂର କାବ୍ୟିକ ମର୍ଯ୍ୟାଦା ବୃଦ୍ଧି କରିଛି । ଉଦାହରଣ ସ୍ୱରୂପ : – ଖରାପ ତୁ ହେଲୁରେ, ଗଙ୍ଗାରୁ ବିଶଦ ଗଭୀର ତୋ ହୃଦ, ଡାଳିମ୍ବ ମଞ୍ଜି ଦଶନା, ବଲ୍ଲୀ-ନିଳୟ ବିହାର ଲୋଳା, ତରା ଭରା-କିରଣ ବରାବର ଚରଣ-ନଖାଂଶୁ ସୁରଗଣ ଶିଖା ଭରଣ ପ୍ରଭୃତି ବହୁ ଅଳଙ୍କାରର ମଧୁର ପ୍ରୟୋଗ ରହିଛି । ଏଥି ସହିତ କବିସୂର୍ଯ୍ୟ ଚମ୍ପୂର ବିଭିନ୍ନ ସଙ୍ଗୀତରେ ଭାବୋପଯୋଗୀ ରାଗ-ରାଗିଣୀମାନ ସନ୍ନିବେଶିତ କରିଛନ୍ତି । ସଙ୍ଗୀତ ଶାସ୍ତ୍ର ନିୟମକୁ ଧରି ରଖି କବିସୂର୍ଯ୍ୟ ସାବେରୀ, ତୋଡ଼ି, ପରଜ, କେଦାର, ଶଙ୍କରାଭରଣ, କାଫି ଆଦି ରାଗରେ ଚମ୍ପୂର ବିଭିନ୍ନ ଗୀତ ରଚନା କରିଛନ୍ତି ।

 ଭାଷା ବିନ୍ୟାସ ବର୍ଣ୍ଣନା ଶୈଳୀ :

ଓଡ଼ିଆ ଶବ୍ଦମାନଙ୍କୁ ସଂସ୍କୃତ ଶବ୍ଦମାନଙ୍କ ସଙ୍ଗେ ବ୍ୟବହାର କରି ସେ ଭାଷାକୁ ନୂତନ ଭାବରେ ଗଢ଼ି ତୋଳିଛନ୍ତି ଉଦାହରଣ ସ୍ୱରୂପ :- ଖମଣିମଣ୍ଡଳ, ଗତାଳସନାଟପଟୁ, ଘସ୍ରନାଥ ନନ୍ଦନା, ଆନୀଳଶତ ପତ୍ରନେତ୍ରା, ଜମ୍ଭାରାତିମଣି, ଟଷଧ୍ୱଜପୀଡ଼ା, ଢବାତନାବି, ନିର୍ଦ୍ଧୁମଶିଖ, ମୃଢନୟନ ସଂଖ୍ୟକ, ବିରୂପାକ୍ଷ ଦେବ ବିଷୟ ପ୍ରଭୃତି ବହୁ ପଦ ବିନ୍ୟାସର ଶବ୍ଦର ବର୍ଣ୍ଣାଢ଼୍ୟ ସୂଚନା ମିଳେ । ଏଥି ସହିତ ବହୁ ଯାବନିକ ଶବ୍ଦର ପ୍ରୟୋଗ ମଧ୍ୟ ରହିଛି : ଖିଆଲ (ଆରବୀ), ଦରଦୀ (ଫାରସୀ) । ବାଦସା (ଫା), ହୁକୁମ (ଆ), ଜହର (ଫା), ନଜର (ଆ), ଫରସମାସ (ଫା), ଆବୁର (ଫା), ତାଜ (ଫା), ଫତୁରିଖୋର (ଆ), ଆଖର (ଆ), ଫରିଆଦ (ଫା), ସରଦାର (ଫା) ପ୍ରଭୃତି ଶବ୍ଦର ସୁନ୍ଦର ସଂଯୋଜନା ଚମ୍ପୂରେ ଦୃଶ୍ୟମାନ ରହିଛି । ଚମତ୍କାର ବର୍ଣ୍ଣନା ଶୈଳୀ କବିସୂର୍ଯ୍ୟଙ୍କ ଚମ୍ପୂକାବ୍ୟକୁ ରୁଦ୍ଧିମନ୍ତ କରିଛି । ଦୃଶ୍ୟ, ଘଟଣାର ସୁନ୍ଦର ବର୍ଣ୍ଣନା କବିଙ୍କର ପରିବେଷଣ ଶୈଳୀକୁ ସ୍ୱତନ୍ତ୍ର କରିଛି । ‘ଙ’ ଗୀତ ତଥା ‘ଭ’ ଗୀତରେ ଲଳିତାଙ୍କ କଣ୍ଠରେ କୃଷ୍ଣଙ୍କ ରୂପ ବର୍ଣ୍ଣନା, ‘ମ’ ଗୀତରେ ରାଧାକୃଷ୍ଣଙ୍କର ମିଳନ ବର୍ଣ୍ଣନା, ‘ଷ’ ଗୀତ ଏବଂ ‘ହ’ ଗୀତରେ ଗୋପୀମାନଙ୍କ ମୁଖରେ ଯମୁନା କୂଳର ସଖା-ପରିବେଷ୍ଟିତ ଶ୍ରୀକୃଷ୍ଣଙ୍କ ବର୍ଣ୍ଣନା ବେଶ୍ ମନମୁଗ୍ଧ କରିଛି । ଉ:- ସଞ୍ଚରଣଶୀଳ ନବ ତମାଳଭୂରୁହ / ସଙ୍ଗେ ଘେନି ଆସୁଅଛି ସଖା-ଶାଖି ବ୍ୟୂହ ।

ରୀତିକବି କବିସୂର୍ଯ୍ୟଙ୍କର ଚମ୍ପୂ ରଚନା ହେଉଚି ଅମର କୃତି । ଓଡ଼ିଶୀ ସଙ୍ଗୀତରେ ଏହାର ଉଚ୍ଚସ୍ଥାନ ରହିଛି । ଓଡ଼ିଶୀ ସଙ୍ଗୀତ ପଦ୍ଧତିର ରାଗାଙ୍ଗ ପର୍ଯ୍ୟାୟ ପରେ ପରେ ଚମ୍ପୂ ଗାୟନ ପ୍ରକ୍ରିୟା ଆସିଥାଏ । ଭକ୍ତି ତତ୍ତ୍ୱର ସମ୍ପୂର୍ଣ୍ଣ ପରିପ୍ରକାଶ ହୋଇଥାଏ ଚମ୍ପୂର ପ୍ରତିଟି ସ୍ଥଳ ବିଶେଷରେ । ମହାନ କାବ୍ୟ ଚମ୍ପୂ ହେଉଛି ଅପ୍ରାକୃତ ବିଭୂଲୀଳାର ଅପୂର୍ବ ସମାବେଶ । ସାହିତ୍ୟ ଦୃଷ୍ଟିରୁ ଏହାର କାହାଣୀ ଚଳଚଞ୍ଚଳ ହୋଇଛି ଉପଯୁକ୍ତ ଚରିତ୍ର ଚିତ୍ରଣ ମାଧ୍ୟମରେ । ଭାବର ଗଭୀରତା, ବର୍ଣ୍ଣନାର ଐଶ୍ୱର୍ଯ୍ୟରେ ସୁଲଳିତ ଛନ୍ଦର ଝଙ୍କାରରେ କବିସୂର୍ଯ୍ୟଙ୍କ ଏହି କାବ୍ୟ ଅତୁଳନୀୟ ସାହିତ୍ୟିକ ବିଶେଷତ୍ୱ ରଖିଥିବାବେଳେ ରାଗ ଏବଂ ତାଳବଦ୍ଧ ଭାବେ ଗାୟନ ପ୍ରକ୍ରିୟା ମାଧ୍ୟମରେ ସାଙ୍ଗୀତିକ ବିଶେଷତ୍ୱ ପ୍ରକାଶ କରିଛି । ଏହା ନିର୍ଦ୍ଦିଷ୍ଟ ପାରମ୍ପରିକ ସ୍ୱରରେ ଗାୟନ କରାଯାଇଥାଏ । ଆଳାପ ଓ ପଦବିନ୍ୟାସ ବ୍ୟତୀତ ରାଗାଙ୍ଗ ପର୍ଯ୍ୟାୟର କୌଣସି କ୍ରିୟା ଅନୁସୃତ ହୋଇ ନ ଥିଲେ ମଧ୍ୟ ସଙ୍ଗୀତ କ୍ଷେତ୍ରକୁ ଯେତିକି ପ୍ରଭାବଶାଳୀ କରିଛି ସାହିତ୍ୟ କ୍ଷେତ୍ରରେ ସେତିକି ଭାବଗର୍ଭକ ଓ ସୁମଧୁର ସ୍ୱର ସମ୍ବଳିତ ରଚନା ଶୈଳୀ ମାଧ୍ୟମରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଳକୃତ କରିପାରିଛି ।

Share This Article
ସହଯୋଗୀ ଗବେଷିକା,ଓଡିଆ ଭାଷା ଉତ୍କର୍ଷ ଗବେଷଣା କେନ୍ଦ୍ର, ଭାରତ ସରକାର