ନଟି ବିନୋଦିନୀଙ୍କର ଜୀବନ କଥା

Dr. Samidha Vedabala
Dr. Samidha Vedabala 230 Views
18 Min Read

ଇତିହାସରେ ଏମିତି କିଛି ଅନନ୍ୟ ଚରିତ୍ର ଅଛନ୍ତି ଯାହାଙ୍କୁ ସେ ସମୟର ସମାଜ କମ୍ ବୁଝିଛି । ନିଜ ଅଜାଣତରେ ସେମାନେ ନିଜର ପ୍ରତିଭା ମାଧ୍ୟମରେ ସମାଜରେ କିଛି ଧାରା ସୃଷ୍ଟି କରି ଚାଲିଯାଇଥାନ୍ତି । ବଙ୍ଗଳାର ନାଟ୍ୟ ଇତିହାସରେ ଏକଦା ଚହଳ ପକାଇ ଦର୍ଶକମାନଙ୍କର ହୃଦୟ ଜିଣିଥିବା ‘ବିନୋଦିନୀ’ ସେଭଳି ଏକ ଚରିତ୍ର । ତାଙ୍କ  ଅଭିନୟ ଦେଖି ବିମୋହିତ ହେଉଥିବା ଦର୍ଶକମାନେ ହୁଏତ ବହୁତ କମ୍ ଜାଣିଥିବେ ବିନୋଦିନୀଙ୍କର ବ୍ୟକ୍ତିଗତ ଜୀବନର ସଂଘର୍ଷମୟ ଦିଗଗୁଡ଼ିକ । ତାଙ୍କ ଜୀବନ କାହାଣୀର ପ୍ରତିଟି ପାଖୁଡ଼ାରେ ସତେଯେମିତି ଭରିରହିଛି ନିଜକୁ ଅସହାୟ ମନେକରୁଥିବା ନାରୀ ସମାଜ ପାଇଁ ଅଜସ୍ର ଆଶା ଓ ସମ୍ଭାବନା । ଆମେ ତାଙ୍କୁ ଜଣେ ବନ୍ଧୁଙ୍କ ସୌଜନ୍ୟରୁ ଜାଣିବାର ଓ ବୁଝିବାର ସୁଯୋଗଟିଏ ପାଇଲୁ । ସେଇ ବୁଝାମଣାଟି ପାଠକମାନଙ୍କ ଭିତରେ ବାଣ୍ଟିବା ପାଇଁ ଆଉ ଜଣେ ବନ୍ଧୁଙ୍କର ସହଯୋଗ ନେଲୁ । ଉଭୟଙ୍କ ନିକଟରେ ଆମେ କୃତଜ୍ଞ । ନଟୀ ବିନୋଦିନୀ ନାମରେ ପରିଚିତ ଏହି ମହାନ କଳାକାରଙ୍କୁ ଆମେ ଜଣେ ନାରୀ ହିସାବରେ ଉପସ୍ଥାପନ କରିବାପାଇଁ ଚାହୁଁନୁ । ତାଙ୍କର ଜୀବନ କାହାଣୀ ପ୍ରତିଟି ମଣିଷ ପାଇଁ ପ୍ରେରଣା ଯୋଗାଇବ ଏହା ହିଁ ଆମର ଆଶା ।    – ସମ୍ପାଦକ

Support Samadhwani

(୧)

‘ମୁଁ ଏ ଜଗତ ପାଇଁ କଳଙ୍କିନୀ, ପତିତା । ମୋର କେହି ଆତ୍ମୀୟ ନାହାନ୍ତି, ସମାଜ ନାହିଁ, ବନ୍ଧୁ ନାହିଁ, ବନ୍ଧନ ନାହିଁ, ଏଇ ପୃଥିବୀରେ ମୋର ନିଜର ବୋଲି କେହି ନାହାନ୍ତି ।’ – ବିନୋଦିନୀ ଦାସୀ ।

Support Samadhwani

ନଟୀ ବିନୋଦିନୀଙ୍କର ଜୀବନ ଯଥାର୍ଥରେ ହିଁ ଗୋଟିଏ ଦୀର୍ଘାୟିତ ଟ୍ରାଜିକ୍ ନାଟକ । ଆଲୁଅ-ଅନ୍ଧକାର, ଖ୍ୟାତି-ଅଖ୍ୟାତି, ସୁଖ-ଦୁଃଖ, ଆଶା ପୁରଣ ଓ ଆଶା ଭଙ୍ଗର ଅଭାବିତ ସମ୍ମିଳନରେ ଏକ ବିଷାଦର ଘନ ଆଖ୍ୟାୟିକା ।

ଊନବିଂଶ ଶତାବ୍ଦୀର ସେଇ ସ୍ୱର୍ଣ୍ଣଯୁଗ ବର୍ଷ ୧୮୬୩ରେ ବିନୋଦିନୀଙ୍କର ଜନ୍ମ, କଲିକତାର – ୧୪୫, କର୍ଣ୍ଣୱାଲିସ୍ଷ୍ଟ୍ରିଟ୍ର ନିଷିଦ୍ଧପଲ୍ଲୀରେ । ନିଜେ ନିଜର ଆତ୍ମକଥାରେ ନିଜକୁ ସେ ପରିଚୟ କରାଇଛନ୍ତି ସମାଜ ପତିତା, ଘୃଣିତା ବୋଲି । ସେଠି ଆଇଙ୍କ ଘରେ, ଆଇ, ମାଁ ଓ ଦୁଇ ଭାଇଭଉଣୀ – ଏଇ ଥିଲା ବିନୋଦିନୀଙ୍କର ପରିବାର । ଘର ମାନେ ଗୋଟିଏ ପକ୍କା ଏକ ତାଲା ଘର ଆଉଗୁଡ଼ିଏ ଘର । ସେଇ ଘରଗୁଡ଼ାକରେ ରହୁଥିଲେ କିଛିଟା ଗରିବ ଭଡ଼ାଟିଆ । ସେମାନଙ୍କର ଭଡ଼ା ହିଁ ଥିଲା ଏକମାତ୍ର ଆୟ ।

ବିନୋଦିନୀଙ୍କର ଶୈଶବର କିଛି କଥା ଏଠି ପ୍ରାସଙ୍ଗିକ । ‘ଦାରିଦ୍ର୍ୟ ଦୁଃଖ’ ବଢ଼ିବାରୁ ‘ମୋର ମାତା ଜଣେ ମାତୃହୀନା ଅଢ଼େଇ ବର୍ଷର ବାଳିକା ସହିତ ମୋର ପଞ୍ଚମ ବର୍ଷୀୟ ଶିଶୁ ଭ୍ରାତାର ବିବାହ କରିଦେଲେ ଏବଂ ତାଙ୍କ ମାତାଙ୍କର ଯତ୍କିଞ୍ôଚତ ଅଳଙ୍କାର ଘରକୁ ନେଇଆସିଲେ । ସେଇ ଅଳଙ୍କାର ବିକ୍ରି କରି ଜୀବିକା ନିର୍ବାହ କରିବାକୁ ପଡ଼ିଛି ।

ବିନୋଦିନୀଙ୍କର ବିବାହ ବି ଶୈଶବରେ ହୋଇଛି – ତାଙ୍କ ଠାରୁ ଟିକେ ବଡ଼ ଏବଂ ସୁନ୍ଦର ଜଣେ ପିଲାଙ୍କ ସାଙ୍ଗରେ । ତାକୁ ଆଣି ଘରେ ରଖିବାର ଚେଷ୍ଟା କରିଥିଲେ ବିନୋଦିନୀଙ୍କର ଆଈ କିନ୍ତୁ ପିଲାଟିର ମାଉସୀ ତାଙ୍କୁ ଆସିବାର ଅନୁମତି ଦେଲେନାହିଁ, ସେଠି ସେଇ ବାଲ୍ୟବିବାହର ଇତି ଘଟିଲା । ପୁଣି ଶିଶୁ ବୟସରେ ପ୍ରାୟ ବିନା ଚିକିତ୍ସାରେ ଏକ ଦାତବ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଲା ବିନୋଦିନୀଙ୍କର ସେଇ ଭାଇଙ୍କର ।

ଏତିକିବେଳେ ଜଣେ ଗାୟିକା ଆସି ରହିଲେ ବିନୋଦିନୀଙ୍କର ପକ୍କା ଏକତାଲା ଘରେ । ସିଏ ଷ୍ଟାର ଥିଏଟରର ପ୍ରସିଦ୍ଧ ଗାୟିକା ଅଭିନେତ୍ରୀ ଗଙ୍ଗମଣୀ, ଗଙ୍ଗା ବାଇଜୀ । ତାଙ୍କରି ପାଖରେ ହିଁ ବିନୋଦିନୀଙ୍କର ଗୀତ ତାଲିମ । ସେତେବେଳେ ତାଙ୍କ ବୟସ ସାତ-ଆଠ । ବାଇଜୀଙ୍କ ଘରେ ଯେଉଁମାନଙ୍କର ଯାତାୟତ ଥିଲା ସେମାନଙ୍କ ପାଖରେ ବୁଦ୍ଧିମତୀ ବାଳିକା ବୋଲି ବିନୋଦିନୀ ଥିଲେ ସେମାନଙ୍କର ସ୍ନେହର ପାତ୍ରୀ । ଏ ସମ୍ପର୍କରେ ପରବର୍ତ୍ତୀ ଜୀବନରେ ଆତ୍ମଚରିତ ‘ମୋ କଥା’ (ଆମାର କଥା)ରେ ତାଙ୍କ ଉକ୍ତି ପ୍ରଣିଧାନଯୋଗ୍ୟ : ‘ସେତେବେଳେ ବାଳିକା ସୁଲଭ ଚପଳତା ବଶତଃ ସେମାନଙ୍କର ଆଦର ମୋତେ ଭଲ ଲାଗୁଥିଲା ।… କିନ୍ତୁ ବେଶି ମିଶୁ ନଥିଲି ।… କାହିଁକି ନା ମୋର ବାଲ୍ୟକାଳରୁ ଆମ ଘରେ ଭଡ଼ାଟିଆମାନଙ୍କର ଚାଲିଚଳଣୀ ପ୍ରତି କେମିତିକା ଏକ ବିତୃଷ୍ଣା ଭାବ ଥିଲା । ଯେଉଁମାନେ ଆମ ଘରେ ଭଡ଼ାଥିଲେ, ସେମାନେ ଯଦିଓ ବିବାହିତ ସ୍ତ୍ରୀ-ପୁରୁଷ ନୁହନ୍ତି, ତଥାପି ସ୍ତ୍ରୀ-ପୁରୁଷ ପରି ଘରସଂସାର କରି ରହୁଥିଲେ… ସେମାନଙ୍କର ବ୍ୟବହାର ଦେଖି ଭୟ ଓ ବିସ୍ମୟ ଅଭିଭୂତ ହୋଇଯାଉଥିଲି । ଭାବୁଥିଲି, ମୁଁ କେବେ ଏମିତି ଘୃଣିତ ହେଇଯିବିନି ତ?’

ଶୈଶବ ଓ କୈଶୋରର ଏଇ ଚରମ ପ୍ରତିକୂଳ ପରିବେଶ ଓ ପରିସ୍ଥିତି ଭିତରେ ଅତିବାହିତ କରିବି ବିନି ବା ବିନୋଦ କେବଳ ଆତ୍ମଶକ୍ତି ବଳରେ ଯଶସ୍ୱିନୀ ନଟି ବିନୋଦିନୀ ହେଇ ପାରିଛନ୍ତି । ଲକ୍ଷ୍ୟ ପ୍ରତି ତାଙ୍କର ଏହି ନିଷ୍ଠାକୁ ବା କିଏ ପ୍ରଣାମ ନକରିବ?

କେବଳ ସଙ୍ଗୀତ ଶିକ୍ଷା ନୁହେଁ, ଗଙ୍ଗାମଣୀଙ୍କ ପାଇଁ ଅନ୍ଧକାର ସୁରଙ୍ଗର ଶେଷରେ ବିନୋଦିନୀ ଦେଖିଲେ ଆଲୋକ । ସେତେବେଳର ଷ୍ଟାର ଥିଏଟର ଜଗତର କିଛି ଲୋକ ଆସୁଥିଲେ ଗଙ୍ଗା ବାଇଜୀଙ୍କର ଗୀତ ଶୁଣିବାକୁ । ସେମାନଙ୍କ ଭିତରୁ ଜଣେ ପୂର୍ଣ୍ଣଚନ୍ଦ୍ର ମୁଖପାଧ୍ୟାୟ । ସେ ପରିବାରଟିର ଆର୍ଥିକ ଦୂରାବସ୍ଥାର ପ୍ରତ୍ୟକ୍ଷଦର୍ଶୀ । ତାଙ୍କରି କଥାରେ ବିନୋଦିନୀ ପାଦଦେଲେ ଥିଏଟରରେ । ବାଳିକା ବିନୋଦ ଦଶଟଙ୍କା ଦରମାରେ ଭୂବନମୋହନ ନିୟୋଗୀଙ୍କର ‘ଗ୍ରେଟ ନ୍ୟାସନାଲ ଥିଏଟର’ ରେ ଯୋଗ ଦେଲେ ।

‘ଏଠୁ ଆରମ୍ଭ ହେଲା ମୋର ଗୋଟିଏ ନୂଆ ଜୀବନ । ଯଥାର୍ଥରେ ନୂଆ ଜୀବନ ।’ କେବଳ ନୂଆ ଜୀବନ ନୁହେଁ, ସମ୍ପୂର୍ଣ୍ଣ ଭିନ୍ନ ପରିବେଶରେ ଆରମ୍ଭ ହେଲା ନିଜକୁ ରୂପାନ୍ତରିତ କରିବାର ଏକ ସୁକଠିନ ସାଧନା । ବିନୋଦିନୀଙ୍କ ମଧ୍ୟରେ ନବୀନ ଶିକ୍ଷାର୍ଥୀର ଗୁଣାବଳି – ନିଷ୍ଠା, ଆଗ୍ରହ, ମାନସିକ ଦୃଢ଼ତା – କାହାର ଅଭାବ ନଥିଲା । କୁହନ୍ତି – ‘କିଛି ବୁଝିପାରୁ ନଥିଲି, କିଛି ଜାଣିନଥିଲି, ତଥାପି ଯାହା ଶିକ୍ଷା ପାଉଥିଲି, ପ୍ରାଣପଣେ ଯତ୍ନ ସହକାରେ ତାହା ଶିଖୁଥିଲି । … ମାଁ’ର ଦୁଖିନୀ ଚେହେରାଟିକୁ ମନେ ପକେଇ ଆହୁରି ଉତ୍ସାହ ପାଉଥିଲି ।’

ବିନୋଦିନୀଙ୍କର ପ୍ରଥମ ଅଭିନୟ ‘ବେଣୀସଂହାର’ (ମତାନ୍ତରେ ଶତ୍ରୁସଂହାର) ନାଟକରେ ଦ୍ରୌପଦୀର ସଖୀ ଚରିତ୍ର । ୧୨ ଡିସେମ୍ବର ୧୮୭୪ରେ ପରବର୍ତ୍ତୀ ଅଭିନୟ ‘ହେମଲତା’ ନାଟକରେ ହେମଲତା ଚରିତ୍ର । ତା ପରଠାରୁ ସୁଖୀ ଚରିତ୍ରାଭିନେତ୍ରୀ ହିସାବରେ ବିନୋଦିନୀଙ୍କର ପ୍ରତିଷ୍ଠା ଏକରକମ ନିଶ୍ଚିନ୍ତ ହୋଇଗଲା । ନାଟ୍ୟଦଳ ଗ୍ରେଟ ନ୍ୟାସନାଲ ଥିଏଟର ସାଙ୍ଗରେ ତିନିମାସ କାଳ ବୁଲି ବୁଲି ଲକ୍ଷେ୍ନø, ଦିଲ୍ଲୀ, ଲାହୋର, ପ୍ରଭୃତି ସ୍ଥାନରେ ବିଭିନ୍ନ ନାଟକ ଯେପରି ‘ସତୀ ନା କଳଙ୍କିନୀ’, ‘ନବୀନ ତପସ୍ୱିନୀ’, ‘ସଧବାର ଏକାଦଶୀ’, ‘ଜିୟେପାଗୋଲ ବୁଡ଼େ଼ା’, ‘ନୀଲଦର୍ପଣ’ ଇତ୍ୟାଦିରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ।

ଗ୍ରେଟ-ନ୍ୟାସନାଲ ଥିଏଟର ବନ୍ଦ ହୋଇଗଲା, ବେଙ୍ଗଲ ଥିଏଟରର କର୍ଣ୍ଣଧାର ଶରତଚନ୍ଦ୍ର ଘୋଷ ବିନୋଦିନୀଙ୍କୁ ନେଇଆସିଲେ ୧୮୭୯ମସିହାରେ । ଏଇଠାରୁ ହିଁ ବିନୋଦିନୀଙ୍କର ଅଭିନେତ୍ରୀ ଜୀବନର ପ୍ରକୃତ ଉତ୍ଥାନର ଆରମ୍ଭ । ‘ମେଘନାଦ ବଦ୍ଧ’ରେ ଏକା ସାଙ୍ଗରେ ସାତ-ସାତଟି ଚରିତ୍ରରେ ଅଭିନୟ କରିଛନ୍ତି । ‘ମୃଣାଳିନୀ’, ‘କପାଳକୁଣ୍ଡଳା’ ଓ ‘ଦୂର୍ଗେଶନନ୍ଦିନୀ’ରେ ତାଙ୍କର ଅଭିନୟ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ୱୟଂ ଗିରିଶଚନ୍ଦ୍ର ଘୋଷ ତାଙ୍କୁ ନିର୍ବାଚିତ କରିଛନ୍ତି ତାଙ୍କ ଥିଏଟରରେ ଯୁକ୍ତ ହେବାକୁ ।

ସେତେବେଳେ ଗ୍ରେଟ ନ୍ୟାସନାଲ ଥିଏଟର, ନ୍ୟାସନାଲ ଥିଏଟର, ବେଙ୍ଗଲ ଥିଏଟର ଏବଂ ଷ୍ଟାର – ଏଇ ସବୁ ରଙ୍ଗାଳୟଗୁଡ଼ିକ ବହୁ ସମସ୍ୟା, ଭଙ୍ଗା ଗଢ଼ା ଆଦି ସବୁ ମଧ୍ୟ ଦେଇ ଚାଲୁଥିଲେ । ବିନୋଦିନୀ ଅଭିନେତ୍ରୀ ହେବା ଠାରୁ ସଂଯୁକ୍ତ ଥିଲେ ଏଇସବୁ ଥିଏଟରମାନଙ୍କ ସହିତ । ତା’ପରେ ଦିନେ ମାତ୍ର ବାରବର୍ଷ ଅଭିନୟ ଜୀବନର ଶେଷ (ଡିସେମ୍ବର ୧୮୭୪ରୁ ଜାନୁଆରୀ ୧୮୮୭) ସାଫଲ୍ୟର ଊଦ୍ଧ୍ୱର୍ରୁ ସେ ବିଦାୟ ଗ୍ରହଣ କଲେ । ତାଙ୍କର ଏଇ ସିଦ୍ଧାନ୍ତ ଟ୍ରାଜିକ ନାଟକର ବିୟୋଗାନ୍ତ ପରିଣତି ଭଳି ଦୁଃଖଦାୟକ । ଏଇ ରଚନାର ବାକି ଅଂଶ ତାଙ୍କ ଜୀବନଯାତ୍ରା ସଙ୍ଗେ ଯୁକ୍ତ କିଛି ଘଟଣା, ତା’ର ସାଫଲ୍ୟ ଓ ତାଙ୍କ ଯନ୍ତ୍ରଣାର କଥା ଏବଂ କିଛି ପ୍ରଶ୍ନର ମୀମାଂସା ପ୍ରୟାସୀ ।

(୨)

ବିନୋଦିନୀଙ୍କର ଜୀବନ କଥାର ଭିତ୍ତି ମୂଳତଃ ତାଙ୍କରି ଆତ୍ମଚରିତ ‘ଆମାର କଥା’ (ମୋ କଥା) ଯାହା ସେ ଲେଖିଛନ୍ତି ତାଙ୍କ ଅଭିନୟ ଜୀବନର ପ୍ରଧାନ ଶିକ୍ଷାଗୁରୁ ଗିରିଶଚନ୍ଦ୍ର ଘୋଷଙ୍କର ପ୍ରେରଣାରେ । କଥା ଥିଲା ଆତ୍ମଚରିତର ଭୂମିକା ଲେଖିବେ ଗିରିଶ ଘୋଷ ସେକଥା ସିଏ ରଖିଲେ ବି । କିନ୍ତୁ ସେଇ ଭୂମିକା ବିନୋଦିନୀଙ୍କର ମନମାନିଲାନି, ‘କାରଣ ସେଥିରେ ଅନେକ ସତ୍ୟ ଘଟଣାର ଉଲ୍ଲେଖ ନଥିଲା ।’ ‘ସତ୍ୟ ଯଦି ଅପ୍ରିୟ ଓ କଟୁ ହୁଏ, ତାହା ସବୁ ସମୟରେ ପ୍ରକାଶ କରିବା ଉଚିତ ନୁହେଁ ।’ ଗିରିଶଚନ୍ଦ୍ର ଏଇଭାବେ ବିନୋଦିନୀଙ୍କୁ ନିବୃତ କରିବାକୁ ଚାହିଁଥିଲେ । କିନ୍ତୁ ପରେ ଆଉଥରେ ତାଙ୍କ ହିସାବରେ ଭୂମିକା ଲେଖିବାକୁ ସେ ରାଜି ହୋଇଯାଆନ୍ତି । କିନ୍ତୁ ତାଙ୍କର ସେ ଇଚ୍ଛା ପୂର୍ଣ୍ଣହେଲାନି । ୧୯୧୨ମସିହରେ ତାଙ୍କର ମୃତ୍ୟୁ ଘଟେ । ‘ଆମାର କଥା’ ର ପ୍ରଥମ ସଂସ୍କରଣ ‘ଭୂମିକା’ ଛଡ଼ା ପ୍ରକାଶିତ ହୁଏ ୧୯୧୩ମସିହାରେ ଗିରିଶଚନ୍ଦ୍ରଙ୍କ ମୃତ୍ୟୁପରେ ପୁରୁଣା ଲେଖା ଭୂମିକାଟିକୁ ଖୋଜି ‘ଆମାର କଥା’ ସାଙ୍ଗରେ ଯୁକ୍ତ କରି ନବସଂସ୍କରଣ ପ୍ରକାଶ କରନ୍ତି ବିନୋଦିନୀ ।

ଏ ସମ୍ପର୍କରେ ବିନୋଦିନୀଙ୍କର ବକ୍ତବ୍ୟ ଉଲ୍ଲେଖ କରି ପ୍ରସଙ୍ଗାନ୍ତରେ ଯିବି : ‘ରଙ୍ଗାଳୟରେ ମୁଁ ଗିରିଶବାବୁ ମହାଶୟଙ୍କର ଦକ୍ଷିଣହସ୍ତରୂପେ ଥିଲି ।’ ମୋର ଶିକ୍ଷାଗୁରୁ ଓ ସମସାମୟିକ ଶ୍ରେଷ୍ଠ ଅଭିନେତା ଯଦି ସବୁ ଘଟଣା ଭୂମିକାରେ ଉଲ୍ଲେଖ ନ କରନ୍ତି, ମୋ ଆତ୍ମକାହାଣୀ ଅସମ୍ପୂର୍ଣ୍ଣ ରହିବ ।… କିନ୍ତୁ ମୋ ଗୁରୁ ଭୂମିକା ଲେଖା ଅସମ୍ପୂର୍ଣ୍ଣ ରଖି ମୋତେ ଏଇ ଶିକ୍ଷା ଦେଇଗଲେ ଯେ ସଂସାରରେ ସବୁକିଛିି ସମ୍ପୂର୍ଣ୍ଣ ହୋଇପାରେନା ।

୧୮୭୭ମସିହାରୁ ବିନୋଦିନୀ ଗିରିଶଚନ୍ଦ୍ରଙ୍କ ସଂସ୍ପର୍ଶରେ ଆସନ୍ତି ଏବଂ ସେବେଠାରୁ ନାଟ୍ୟାଳୟ ଗୁଡ଼ିକର ଭଙ୍ଗାଗଢ଼ା ଦେଇ ୧୮୮୬ପର୍ଯ୍ୟନ୍ତ ତାଙ୍କର ଗୁରୁ ସଙ୍ଗେ ସମ୍ପର୍କ ଅକ୍ଷୁର୍ଣ୍ଣ ଥିଲା । ୧୮୮୭ ଜାନୁଆରୀ ଏକ ଅଭିନୟ ପରେ ବିନୋଦିନୀ ରଙ୍ଗମଞ୍ଚ ସାଙ୍ଗରେ ସମସ୍ତ ସମ୍ପର୍କ ଛିନ୍ନ କରି ସ୍ୱଆରୋପିତ ନିର୍ବାସନରେ ଚାଲିଯାଆନ୍ତି । ପରିଶ୍ରମ ଓ ପ୍ରତିଭାର ଏଭଳି ସମନ୍ୱୟ ଯେମିତି ଦୁର୍ଲ୍ଲଭ, ଆକାଶଚୁମ୍ବୀ ସାଫଲ୍ୟର ସମସ୍ତ ଆକର୍ଷଣ ତୁଚ୍ଛ କରି ଏଭଳି ବିଦାୟ ନେବାଟା ବି ଅଭୂତପୂର୍ବ ।

ନାଟ୍ୟଶିକ୍ଷକ ହିସାବରେ ଗିରିଶଚନ୍ଦ୍ରଙ୍କର ଦକ୍ଷତା ଓ କୁଶଳତାର କଥା ବାରମ୍ବାର ଉଲ୍ଲେଖ କରିଛନ୍ତି ବିନୋଦିନୀ । ନିଜେ ବି କେବେ ଅଭିନୟ ବିଷୟରେ ଅମନଯୋଗୀ ହୋଇନାହାନ୍ତି, ‘ଅଭିନୟ ହିଁ ମୋ ଜୀବନର ଶେଷ ସମ୍ପଦ ଥିଲା ।’ ଗିରିଶଚନ୍ଦ୍ରଙ୍କର ଯତ୍ନରେ ହିଁ ତାଙ୍କର ପ୍ରକୃତ ଅଭିନୟ ଶିକ୍ଷାର ଆରମ୍ଭ । ବିନୋଦିନୀ କହିଛନ୍ତି – ‘ଆଗୁରୁ ଯାହା ଶିଖିଥିଲି ତାହା ଘୋଷା ପକ୍ଷୀର ଚତୁରତାର ନ୍ୟାୟ… କୌଣସି ବିଷୟ ତର୍କ ବା ଯୁକ୍ତି ଦ୍ୱାରା କିଛି କହି ବା ବୁଝିପାରୁ ନଥିଲି । ଏବେ ନିଜର ଭୂମିକା ବୁଝିପାରୁଛି ।’

ଗିରିଶଚନ୍ଦ୍ର ତାଙ୍କ ‘ଭୂମିକା’ରେ ବିନୋଦିନୀଙ୍କର ଅଭିନୟ କୁଶଳତାର କଥା ଦ୍ୱିଧାହୀନ ଚିତ୍ତରେ ସ୍ୱୀକାର କରିଛନ୍ତି । ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ସମସ୍ତ ଧରଣର, ଚରିତ୍ରର ଅଭିନୟରେ ତାଙ୍କର ପାରଦର୍ଶିତା ଥିଲା ବିସ୍ମୟକର । ବୁଦ୍ଧଦେବ ଚରିତରେ ଗୋପା, ପ୍ରହଲ୍ଲାଦ ଚରିତ୍ରରେ ପ୍ରହଲ୍ଲାଦ, ଚୈତନ୍ୟ ଲୀଳାରେ ଚୈତନ୍ୟ ଇତ୍ୟାଦି ଭାବ ଗମ୍ଭୀର ଚରିତ୍ରରେ ଯେମିତି, ସେମିତି ‘ବୁଢ଼ୋ ଶାଲିକେର ଘାଡ଼େ ବୋଁ, ‘ବିବାହ ବିଭ୍ରାଟ’, କିମ୍ବା ଚାଟୁ ଜ୍ୟେ – ବାଁ ଡୁଯୋ’ ଭଳି ପ୍ରହସନର ହାଲ୍କା ଚରିତ୍ରରେ ପୁଣି ‘କପାଳକୁଣ୍ଡଳା, ଦୁର୍ଗେଶନନ୍ଦିନୀ, ମୃଣାଳିନୀ ଭଳି ସାହିତ୍ୟ ସମୃଦ୍ଧ ନାଟକରେ ବିନୋଦିନୀଙ୍କର ଆଶ୍ଚର୍ଯ୍ୟ ମନନଶୀଳ ଅଭିନୟ ଦର୍ଶକଙ୍କର ଆକୁଣ୍ଠ ପ୍ରଶଂସା ଲାଭ କରିଛି । ଗିରିଶଚନ୍ଦ୍ର କହିଛନ୍ତି – ‘ନିଜକୁ ଭୁଲି ଶିକ୍ଷା ଲାଭ କରିବା ଅଭିନୟର ପ୍ରଧାନ ଅଙ୍ଗ, ଏ ଶିକ୍ଷାରେ ବିନୋଦିନୀ ବିଶେଷ ନିପୁଣା । ବିନୋଦିନୀ ଭିନ୍ନ ଭିନ୍ନ ଭୂମିକା ଦ୍ୱାରା ନିଜକୁ ଏଭାବେ ପରିବର୍ତ୍ତିତ କରିଦିଅନ୍ତି ଯେ, ତାଙ୍କୁ ଗୋଟିଏ ଭୂମିକାରେ ଦେଖିଲେ ଅନ୍ୟ ଭୂମିକାରେ ଯେ ସେଇ ଅଭିନେତ୍ରୀ ସେକଥା ଦର୍ଶକମାନେ ବୁଝିପାରନ୍ତିନି ।’

ଅନେକ ନାଟକରେ ବିନୋଦିନୀ ଗିରିଶଚନ୍ଦ୍ରଙ୍କର ବିପରୀତରେ ଅଭିନୟ କରିଛନ୍ତି । ବିନୋଦିନୀ ଲେଖିଛନ୍ତି: ‘ମୃଣାଲିନୀରେ ଗିରିଶବାବୁ ପଶୁପତି ମୁଁ ମନୋରମା, ଦୁର୍ଗେଶନନ୍ଦିନୀରେ ଗିରିଶବାବୁ ଜଗତସିଂହ ମୁଁ ଆୟେଶା, ବିଷବୃକ୍ଷରେ ଗିରିଶଚନ୍ଦ୍ର ନଗେନ୍ଦ୍ରନାଥ ମୁଁ କୁଳନନ୍ଦିନୀ ପଲାଶିଯୁଦ୍ଧରେ ଗିରିଶବାବୁ ଫ୍ଲାଇଭ ମୁଁ ବ୍ରିଟାନିୟା । ଅଭିନିତ ଚରିତ୍ର ସାଙ୍ଗରେ ବିନୋଦିନୀ ନିଜକୁ ଏକାତ୍ମ କରି ନେଉଥିଲେ । ଗିରିଶଚନ୍ଦ୍ରଙ୍କ ଭାଷାରେ,‘ଅଭିନୟ କରି କରି ସେ ତନ୍ମୟ ହୋଇଯାଆନ୍ତି । ନିଜର ଅସ୍ତିତ୍ୱ ଭୁଲି ଏମିତି ଏକ ଅନିର୍ବଚନୀୟ ପବିତ୍ରଭାବ ଉଦ୍ଦୀପ୍ତ ହୋଇଉଠେ ତାଙ୍କ ଭିତରେ ଯେ ଅଭିନୟ ଭଳି ମନେ ହୁଏନା, ସତ୍ୟ ଘଟଣା ଭଳି ଅନୁଭୂତ ହୁଏ । (ଗିରିଶଚନ୍ଦ୍ର – ‘କେମିତି କେହି ଏତେ ବଡ଼ ଅଭିନେତ୍ରୀ ହୁଅନ୍ତି?’) ବିନୋଦିନୀଙ୍କର ଅପୂର୍ବ ଅଭିନୟ କ୍ଷମତାକୁ ସ୍ୱୀକୃତି ଦେଇଛନ୍ତି ଏହିଭଳି ଭାବରେ! ‘ମୁଁ ମୁକ୍ତକଣ୍ଠରେ କହୁଛି ଯେ, ରଙ୍ଗମଞ୍ଚରେ ବିନୋଦିନୀଙ୍କର ଉକ୍ରର୍ଷ ମୋର ଶିକ୍ଷା ଅପେକ୍ଷା ତାଙ୍କର ନିଜ ଗୁଣ ଅଧିକ ।’

ବିନୋଦିନୀ ତାଙ୍କର ସ୍ୱଳ୍ପ ଦୀର୍ଘ ନାଟ୍ୟଜୀବନରେ ନାନା ଧରଣର ପ୍ରାୟ ୮୦ଟି ନାଟକରେ ବା ୯୦ଟି (ବା ତାଠୁ ବେଶୀ) ଚରିତ୍ରରେ ଅଭିନୟ କରିଛନ୍ତି ।

(୩)

କଲିକତାର ରଙ୍ଗମଞ୍ଚର ଭଙ୍ଗାଗଢ଼ା କଥା ଆଗରୁ ଉଲ୍ଲେଖ କରାଯାଇଛି । ଏଇ ପରିସ୍ଥିତିର ପରିଣାମରୁ ହିଁ ଗିରିଶଚନ୍ଦ୍ର ୧୮୮୩ମସିହାରେ ନ୍ୟାସନାଲ ଥିଏଟର ଛାଡ଼ି ଚାଲିଯାଆନ୍ତି ବିନୋଦିନୀଙ୍କ ସହ ଅନ୍ୟ କିଛି କଳାକାରଙ୍କୁ ନେଇ । ଆଉ ଗୋଟିଏ ନୂଆ ଥିଏଟରର ପ୍ରୟୋଜନ ଅନୁଭୂତ ହେଲା ଇତିହାସ ନିର୍ଦ୍ଦେଶିତ ପଥରେ । ରାଜସ୍ଥାନର ଜଣେ ଧନୀ ଯୁବକ ଗୁମୁର୍ଖ ରାୟ ଆଗେଇ ଆସିଲେ ଦାୟିତ୍ୱ ନେବାକୁ । ଏହା ପୂର୍ବରୁ ନ୍ୟାସନାଲରେ ସେ ବିନୋଦିନୀଙ୍କର ଅଭିନୟ ଦେଖି ବିମୁଗ୍ଧ ହୋଇଯାଇଥିଲେ। ଗିରିଶଚନ୍ଦ୍ର, ଅମୃତଲାଲ ଏମାନଙ୍କୁ ସେ ପ୍ରସ୍ତାବ ଦେଲେ ବିନୋଦିନୀ ତାଙ୍କର ଆଶ୍ରିତ ହେଲେ ସେ ନୂଆ ଥିଏଟର ନିର୍ମାଣର ସମ୍ପୂର୍ଣ୍ଣ  ଖର୍ଚ୍ଚ ଦେବେ । ଏକକାଳୀନ ପଚାଶ ହଜାର ଟଙ୍କା ଦେଇ ସେ ସବୁଦିନ ପାଇଁ ବିନୋଦିନୀଙ୍କୁ କିଣିବାକୁ ଚାହିଁଥିଲେ, କିନ୍ତୁ ବିନୋଦିନୀ ତାହା ପ୍ରତ୍ୟାଖ୍ୟାନ କରନ୍ତି । ବିନୋଦିନୀ ଲେଖିଛନ୍ତି: ‘ମୁଁ ଥିଏଟର ଭଲପାଉଥିଲି, ସେଇ ନିମିତ୍ତ ଘୃଣିତା ବାର୍ନାରୀ ହେବାର ଅର୍ଥ ଲକ୍ଷ ଟଙ୍କା ପ୍ରଲୋଭନ ସେହିକ୍ଷଣି ତ୍ୟାଗ କରିଥିଲି ।’ ବିନୋଦିନୀ ଏହା ସ୍ପଷ୍ଟ କରିଦେଇଥିଲେ ଯେ ‘ଥିଏଟର ଘର ପ୍ରସ୍ତୁତ ନକଲେ ମୁଁ କୌଣସି ମତେ ତାଙ୍କର ବାଧ୍ୟତା ମାନିବିନି ।’

ବୁଦ୍ଧିମାନ ଗୁମୁର୍ଖ ରାୟ ଆଉ ଡେରି କଲେନି । ବିଡ଼ନ ଷ୍ଟ୍ରିଟରେ ଜମି ଲିଜ୍ ନେଇ ଥିଏଟର ନିର୍ମାଣ ପାଇଁ ଅକାତରେ ଅର୍ଥବ୍ୟୟ କରିବାରେ ଲାଗିପଡ଼ିଲେ । ଦିନରାତି ଏକ କରି ନିର୍ମାଣକାର୍ଯ୍ୟ ଶେଷ କରିବା ଲକ୍ଷରେ ତତ୍ପରତାରେ ବିନୋଦିନୀ ନିଜେ ‘ଝୁଡ଼ିରେ ମାଟି ବୋହି ନିଜ କାନ୍ଧରେ, ବ୍ୟାକ୍ ସିଟର ସ୍ଥାନ ପୂର୍ଣ୍ଣ କରିଛନ୍ତି । ଠିକ୍ ହେଲା ତାଙ୍କ ଅବଦାନକୁ ସ୍ୱୀକୃତି ଦେବା ପାଇଁ ବିନୋଦିନୀଙ୍କର ନାଁ ଯୁକ୍ତ ହେବ ଅର୍ଥାତ ଏଇ ଥିଏଟରର ନାଁ ହେବ ‘ବି-ଥିଏଟର’ । କିନ୍ତୁ ହେଲାନି । ରେଜିଷ୍ଟ୍ରି ହବାପରେ ଦେଖାଗଲା ନୂଆ ଥିଏଟରର ନାଁ ହେଇଛି ‘ଷ୍ଟାର’ । ବିନୋଦିନୀଙ୍କ ପକ୍ଷେ ଏଇ ବିଶ୍ୱାସଘାତକତାର ଅଭିଜ୍ଞ୍ୟତା ମାରାତ୍ମକ ହେଲା । ତାଙ୍କ ବିରୋଧୀମାନେ ନୂଆ ଥିଏଟରରେ ଯେମିତି ସେ ବେତନଭୋଗୀ ଅଭିନେତ୍ରୀ ହିସାବରେ ବି ନରହି ପାରିବେ ସେଇ ଚେଷ୍ଟା ବି କରିଛନ୍ତି । ଗିରିଶଚନ୍ଦ୍ର ସେତେବେଳେ ମ୍ୟାନେଜର । ସେ ଅବଶ୍ୟ ବିନୋଦିନୀଙ୍କୁ ଛାଡ଼ିନାହାନ୍ତି । ମାଲିକ ଥିଲେ ଗୁର୍ମୁଖ ରାୟ ।

ପ୍ରସଙ୍ଗତ, ଷ୍ଟାରର ପ୍ରଥମ ନାଟକ ଗିରିଶଚନ୍ଦ୍ରଙ୍କର ‘ଦକ୍ଷଯଜ୍ଞ’ ଅଭିନୀତ ହୁଏ ୧୮୮୩, ୨୧ ଜୁଲାଇ – ଦକ୍ଷ ଭୂମିକାରେ ନାଟ୍ୟକାର ନିଜେ, ନଟୀ ବିନୋଦିନୀ ।

ଷ୍ଟାର୍ ଚାଲିବାର କିଛିମାସ ଭିତରେ ଗୁର୍ମୁଖ ନାନା କାରଣରୁ ଥିଏଟରର ସ୍ୱତ୍ୱ ତ୍ୟାଗ କରନ୍ତି । ତାଙ୍କ ସର୍ତ୍ତ ଥିଲା, ବିନୋଦିନୀଙ୍କୁ ହିଁ ସେ ସ୍ୱତ୍ୱ ହସ୍ତାନ୍ତର କରିବେ, ଅନ୍ତତଃ ଅଧା ତାଙ୍କର ହେବ, ତା ନ’ହେଲେ ସେ ସ୍ୱତ୍ୱ ହସ୍ତାନ୍ତର କରିବେନି ।

ମ୍ୟାନେଜର ଗିରିଶଚନ୍ଦ୍ର ଆଗେଇ ଆସିଲେ । ବିନୋଦିନୀ ଜଣେ ସ୍ୱତ୍ୱାଧିକାରୀ ହେବେ, ସେଥିରେ ତାଙ୍କର ଆପତ୍ତି ଥିଲା । ସେ ବିନୋଦିନୀଙ୍କ ମାଁ’ଙ୍କୁ ବୁଝେଇଲେ ‘ତମେମାନେ ସ୍ତ୍ରୀ ଲୋକ ଏତେ ଝିଞ୍ଜଟ ସମ୍ଭାଳି ପାରିବନି । ତମ ଝିଅକୁ ଛାଡ଼ିଦେଇ ମୁଁ କେବେ ଅନ୍ୟ କୋଉଠି କାମ କରିବିନି ।… ଆମେ କାମ କରିବୁ, ବୋଝ ନବା ଦରକାର ନାହିଁ ।’

ଗିରିଶଚନ୍ଦ୍ରଙ୍କୁ ବିନୋଦିନୀଙ୍କର ମା’ ଅତ୍ୟନ୍ତ ଭକ୍ତି କରୁଥିଲେ, ସେ ଆଉ ବିନୋଦିନୀଙ୍କୁ ଥିଏଟରର ସ୍ୱତ୍ୱାଧିକାରୀ ହେବାକୁ ଦେଲେ ନାହିଁ ।

୧୮୮୪ ମସିହା ଆରମ୍ଭରେ ମାଲିକ ବଦଳିଗଲେ, ଗୁର୍ମୁଖ ରାୟ ବାଟକାଟି ନେଲେ । ବିନୋଦିନୀ କେବଳ ଅଭିନେତ୍ରୀ, ମ୍ୟାନେଜର ହେଲେ ଗିରିଶଚନ୍ଦ୍ର । ‘ଆମେ ସମସ୍ତେ ଏକ ହେଲୁ’, ‘ନଲ-ଦମୟନ୍ତୀ’, ‘ଧ୍ରୁବଚରିତ୍ର, ଶ୍ରୀବତ୍ସ-ଚିନ୍ତା, ପ୍ରହଲ୍ଲାଦ-ଚରିତ୍ର, ଚୈତନ୍ୟ-ଲୀଳା ଭଳି ସଫଳ ନାଟ୍ୟ ପ୍ରଯୋଜନା ନେଇ ଷ୍ଟାରର ସେତେବେଳେ ସୂବର୍ଣ୍ଣଯୁଗ । ଚୈତନ୍ୟଲୀଳାରେ ଅଭିନୟ ବେଳେ ଏକାଧିକବାର ରାମକୃଷ୍ଣ ଦେବଙ୍କ ସଙ୍ଗେ ବିନୋଦିନୀଙ୍କର ସାକ୍ଷାତ ହୁଏ । ତାଙ୍କର ଆଶୀର୍ବାଦ- ‘ମା ତମର ଚୈତନ୍ୟ ହେଉ’ – ସେତେବେଳେ ପ୍ରେକ୍ଷାପଟର ସାମାଜିକ ମଣିଷ ହିସାବରେ ତାଙ୍କୁ ଏଇ ସ୍ୱୀକୃତିଦାନ ଏକ ଐତିହାସିକ ଘଟଣା । ବିନୋଦିନୀଙ୍କ ଉପରେ ଏଇ ଘଟଣାର ପ୍ରଭାବର ଗୁୁରୁତ୍ୱ ଅସ୍ୱୀକାର କରିହେବନି ।

୧୮୮୭- ଜାନୁଆରୀ ୧, ଶେଷଥର ପାଇଁ ମଞ୍ଚ ଉପରକୁ ଗଲେ ବିନୋଦିନୀ, ପ୍ରଥମେ ନଳ-ଦମୟନ୍ତୀ ଓ ପରେ ‘ବେଲ୍ଲିକବାଜାର’ ନାଟକରେ । ରଙ୍ଗମଞ୍ଚରୁ ତାଙ୍କର ବିଦାୟ ସମ୍ପକର୍ପରେ ବିନୋଦିନୀ କହିଛନ୍ତି : ‘ମତେ ଅନେକ ଭାବେ ପ୍ରଲୋଭିତ କରି କାର୍ଯ୍ୟ ଉଦ୍ଧାର କରିବା ପାଇଁ ମୋ ସହିତ ଯାହା ଛଳନା (ସଂଶ୍ଳିଷ୍ଟ ବ୍ୟକ୍ତିମାନେ) କରିଛନ୍ତି ସେଇଟା ମୋତେ ବହୁତ କଷ୍ଟ ଦେଇଛି । ଥିଏଟରକୁ ଭଲପାଏ ସେଥିପାଇଁ ଏ କାମ କରୁଥିଲି । କିନ୍ତୁ ଛଳନାର ଆଘାତ ଭୁଲିପାରୁନି । ସେଥିପାଇଁ ଅବସର ବୁଝି ଅବସର ନେଲି ।

(୪)

ବିନୋଦିନୀଙ୍କର ‘ଅବସର’ ସମ୍ପର୍କରେ ଇତିହାସ ପ୍ରାୟ ନିରବ । ଗିରିଶଚନ୍ଦ୍ର, ଅମୃତଲାଲ, ଅର୍ଧେନ୍ଦୁଶେଖର, ଅମରେଶଚନ୍ଦ୍ର ପ୍ରମୁଖ ନାଟ୍ୟଜଗତର ପ୍ରଧାନ ପୁରୁଷମାନେ ଏଇ ବିଷୟରେ ମୌନ ରହିବାଟା ଶ୍ରେୟ ମନେକରିଛନ୍ତି । ଯାହା ହେଉ, ଗୁରୁତ୍ୱ ଦେଲେ ଗିରିଶଚନ୍ଦ୍ରଙ୍କର କଥା ପ୍ରଥମେ ଆସେ । ‘ଆମାର କଥା’ର ଭୂମିକାରେ ‘ଅନେକ ସତ୍ୟ ଘଟଣାର ଉଲ୍ଲେଖ ନଥିଲା’ କହିଛନ୍ତି ବିନୋଦିନୀ । ପୁଣି ‘ସତ୍ୟ ଅପ୍ରିୟ ଓ କଟୁ’ ହେଲେ ତା’ର ଉଲ୍ଲେଖ ଅଭିପ୍ରେତ ନୁହେଁ, ଏଭଳି ମତ ବି ପ୍ରକାଶ କରିଛନ୍ତି ଗିରିଶଚନ୍ଦ୍ର । ନୂଆ ଥିଏଟର ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କଲେ ବି ବିନୋଦିନୀଙ୍କର ନାଁ ଛାଡ଼ି କାହିଁକି ‘ଷ୍ଟାର’ ରଖାହେଲା ତା’ର କୌଣସି ବ୍ୟାଖ୍ୟା ରମେଶଚନ୍ଦ୍ରଙ୍କର ଭୂମିକାରେ ନାହିଁ । ତା’ହେଲେ କ’ଣ ଧରିନେଲେ ଭୁଲ୍ ହେବ ଯେ, ‘ସତ୍ୟ ଅପ୍ରିୟ ଓ କଟୁ’ ବୋଲି ଗିରିଶଚନ୍ଦ୍ର ତାହା ପରିହାର କରିଛନ୍ତି? ବିନୋଦିନୀ ବାରାଙ୍ଗନା ଏଇ ସତ୍ୟ ସାର ସତ୍ୟ ହୋଇଥିବାରୁ ବିନୋଦିନୀଙ୍କର ନାଁ ବାଦ ଦିଆଯାଇଛି । ଅର୍ଥାତ କାମ ହେବା ପର୍ଯ୍ୟନ୍ତ ତାଙ୍କୁ ବ୍ୟବହାର କରି ତାଙ୍କୁ ପ୍ରବଞ୍ଚନା କରାଯାଇଛି । ଏହାହିଁ ଏଇ ଘଟଣାର ଶେଷକଥା । ରାମକୃଷ୍ଣ ବିବେକାନନ୍ଦଙ୍କର ସ୍ନେହ ସ୍ନାତ ମଣିଷଟି ନାମବିଲୋପର ଏଇ ଷଡ଼ଯନ୍ତ୍ର କେମିତି ନୀରବରେ ସହିଗଲେ ତାହା ବୁଝିବା କଠିନ ।

ଗୁର୍ମୁଖ ରାୟ ବିନୋଦିନୀଙ୍କୁ ସ୍ୱତ୍ୱ ଦାନ କରିବାକୁ ଚାହିଁଥିଲେ, ଗିରିଶଚନ୍ଦ୍ର ଭିନ୍ନ ଭୂମିକା ଗ୍ରହଣ କଲେ । ବିନୋଦିନୀ ବା ତାଙ୍କ ମା କାଳେ ଅଧା ସ୍ୱତ୍ୱ ନେଇଯିବେ (ବା ନପାନ୍ତୁ) ସେଥିପାଇଁ ତାଙ୍କ ମାଁ’ଙ୍କୁ ପ୍ରବାହିତ କରିଥିଲେ । ସେ ଜାଣିଥିଲେ ବିନୋଦିନୀଙ୍କ ମାଁ ତାଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ, ତାଙ୍କ କଥା କେବେ ଅମାନ୍ୟ କରିପାରିବେ ନାହିଁ । ଏହାର କୌଣସି ଯୁକ୍ତିଯୁକ୍ତ ବ୍ୟାଖ୍ୟା ନାହିଁ । ଥିଏଟର ନିର୍ମାଣରେ ବିନୋଦିନୀଙ୍କର ଐତିହାସିକ ଅବଦାନକୁ ଅସ୍ୱୀକାର କରିବାର ନୀଚ୍ଚତା କାହିଁକି ଗିରିଶଚନ୍ଦ୍ରଙ୍କୁ ଗ୍ରାସ କଲା ତାହା ବି ଏକ ରହସ୍ୟ ।

ଗୁର୍ମୁଖ ରାୟ ସ୍ୱତ୍ୱ ହସ୍ତାନ୍ତର କରିବା ପରେ ଷ୍ଟାରର ମାଲିକ ହୁଅନ୍ତି ଅମୃତଲାଲ ବସୁ, ଅମୃତଲାଲ ମିତ୍ର, ହରିପ୍ରସାଦ ବସୁ ଓ ଦାସୁଚରଣ ନିୟୋଗୀ, ମ୍ୟାନେଜର ଗିରିଶଚନ୍ଦ୍ର ଘୋଷ । ଅର୍ଥାତ ଘୋଷ-ବୋଷ-ମିତ୍ରମାନଙ୍କର ଏଇ ସମାବେଶରେ ‘ପତିତା’ ବିନୋଦିନୀ କେମିତି ସ୍ଥାନ ପାଇବେ? ବିନୋଦିନୀ ସ୍ୱତ୍ୱାଧିକାରୀ ହେଲେ ସେ ବି ଜଣେ ମାଲିକ ହୋଇଥାନ୍ତେ । ଏଇଟା ନିଶ୍ଚୟ ମାନିବା ସହଜ ନୁହେଁ ।

ତେବେ ହେମେନ୍ଦ୍ରନାଥ ଦାଶଗୁପ୍ତଙ୍କର ଭାରତୀୟ ନାଟ୍ୟମ (୨ୟ ଖଣ୍ଡ) ଗ୍ରନ୍ଥରେ ଘଟଣାଟି ଅନ୍ୟରକମ ଉଲ୍ଲେଖ ଦେଖାଯାଏ । ବିଶ୍ୱମଣ୍ଡଳ ନାଟକରେ ଚିନ୍ତାମଣି ଭୂମିକା ଅଭିନୟ ପରେ ‘… ବିନୋଦିନୀଙ୍କର କିଛି କିଛି ବିଷୟରେ ଅଭିମାନ ଗିରିଶଚନ୍ଦ୍ରଙ୍କୁ ବି ଉତ୍ୟକ୍ତ କରିଦେଉଥିଲା ।’କିଛି ବିବାଦୀୟ ଭୂମିକା ଯୋଗୁଁ ବିନୋଦିନୀଙ୍କ କ୍ଷୋଭ ଓ ଅଭିମାନ ବଢ଼ିଲା । ସେ ଭାବିଲେ ଗିରିଶଚନ୍ଦ୍ର ଜାଣିଶୁଣି ତାଙ୍କ ଭୂମିକାରୂପ ଏଭଳି କରିଛନ୍ତି । ଅଭିମାନ କରି ବିନୋଦିନୀ ଥିଏଟର ଛାଡ଼ିଦେଲେ । … ଗିରିଶଚନ୍ଦ୍ର ଆଗରୁ ହିଁ ବିନୋଦିନୀଙ୍କର ମନଭାବ ବୁଝିପାରିଥିଲେ ଭିତରେ ଭିତରେ କିରଣମାଳା ଓ ଅନ୍ୟ ଅଭିନେତ୍ରୀଙ୍କୁ ତାଙ୍କର ଭୂମିକା ଗୁଡ଼ିକ ଦେବାପାଇଁ ରଖିଥିଲେ । ସୁତରାଂ ରଙ୍ଗମଞ୍ଚ ପକ୍ଷରେ ବିନୋଦିନୀଙ୍କର ଅଭାବ ଅପୂର୍ଣ୍ଣ ରହିଲେ ବି ଷ୍ଟାର ଥିଏଟର ଚଳିବା ପାଇଁ କୃତପକ୍ଷଙ୍କର ଆଉ ଅସୁବିଧା ହେଲାନି ।…ମନ୍ତବ୍ୟ ସେ ନିଷ୍ପ୍ରୟୋଜନ ।

ତାଙ୍କ ଜୀବନର ପ୍ରଥମ ପ୍ରେମ ଥିଏଟର ତ୍ୟାଗ କରିବା ପରେ ବିନୋଦିନୀ ୫୫ବର୍ଷ ବଞ୍ôଚଥିଲେ । ପ୍ରିୟତମ କନ୍ୟା ଶକୁନ୍ତଳା ଓ ତାଙ୍କର ଆଶ୍ରୟଦାତାକୁ ଅବଲମ୍ବନ କରି ଚାଲିଥିଲା ତାଙ୍କ ଜୀବନ । କିନ୍ତୁ ୧୯୦୩ମସିହାରେ ୧୩ବର୍ଷ ବୟସର କନ୍ୟା ଓ ୧୯୧୨ମସିହାରେ ପରମ ସଦାଶୟ ଆଶ୍ରୟଦାତାର ମୃତ୍ୟୁ ତାଙ୍କର ଚଲାପଥକୁ ବେଦନା-ବିଧୁର କରିଦିଏ । ତାଙ୍କର ବିଶେଷ ସାମାଜିକ ଅବସ୍ଥାନ ପାଇଁ ଝିଅକୁ ବିଦ୍ୟାଳୟରେ ପଠେଇ ନପାରିବାର ମର୍ମବେଦନା ତାଙ୍କୁ ବୋହିବାକୁ ପଡ଼ିଛି ସାରା ଜୀବନ । ଏ ବ୍ୟାପାରରେ ବିନୋଦିନୀଙ୍କର ବନ୍ଧୁସ୍ଥାନୀୟ ପର୍ଯ୍ୟନ୍ତ ତାଙ୍କୁ ସାହାଯ୍ୟ ନକରି ବାଧା ଦେଇଛନ୍ତି । ଏ ମାନସିକ ଯନ୍ତ୍ରଣା ତାଙ୍କୁ ଆହୁରି ବେଶୀ ପୀଡ଼ା ଦେଇଛି ଏବଂ ‘ଆମାର କଥା’ରେ ବି ତାହାର ଉଲ୍ଲେଖ ଅଛି । ଗିରିଶଚନ୍ଦ୍ର ଏଇ ଉଲ୍ଲେଖକୁ ‘କଟାକ୍ଷ’ କରି କହିଛନ୍ତି ଏବଂ ତାଙ୍କର ‘ଭୂମିକା’ରେ ଏହାର ସମାଲୋଚନା କରିଛନ୍ତି । ବିନୋଦିନୀ କ’ଣ ଏ ପ୍ରଶ୍ନରେ ତାଙ୍କ ପାଖରୁ ଟିକେ ଉଦାର ମନୋଭାବନା ପ୍ରତ୍ୟାଶା କରିପାରି ନଥାନ୍ତେ? ଗିରିଶଚନ୍ଦ୍ର ଅବଶ୍ୟ ଏଇ ଘଟଣାକୁ ଶୁଣା ଘଟଣା (ଶୁଣିଥିଲି) ବୋଲି ବର୍ଣ୍ଣନା କରିଛନ୍ତି।

ଥିଏଟର ସହିତ ସମ୍ପର୍କ ଛେଦର ୧୬ବର୍ଷ ପରେ ‘ଆମାର କଥା’ ପ୍ରକାଶିତ ହୁଏ । ଏଇ ଆତ୍ମଚରିତର ମୁଖ୍ୟ ଆକର୍ଷଣ ବିନୋଦିନୀଙ୍କର ଅକପଟ ଆତ୍ମ-ଉନ୍ମୋଚନ । ଅଜସ୍ର ପ୍ରତିକୁଳତାର ମୁହାଁ ମୁହିଁ ହୋଇ ବି ନିଜକୁ ପ୍ରତିପାଦିତ କରିବା ବିଷୟରେ ତାଙ୍କର ମାନସିକ ଦୃଢ଼ତାର ତୁଳନା ନାହିଁ । ଦେହ ବ୍ୟବସାୟକୁ କୁହାଯାଏ ଆଦିମ ବ୍ୟବସାୟ । ବିନୋଦିନୀ ସେଇ ସମ୍ପର୍କରେ ସାହସର ସହ ପ୍ରଶ୍ନ ଉଠେଇଛନ୍ତି । ଶହେ ବର୍ଷ ତଳେ ଲେଖା ଏଇ ଆତ୍ମଚରିତ ଏବେବି ପାଠ୍ୟ ଏବଂ ପ୍ରାସଙ୍ଗିକ ।

ଏଇ ପ୍ରତିବେଦନ ପାଠ କରି ପାଠକ ଯଦି ‘ଆମାର କଥା’ ସମ୍ପର୍କରେ ଆଗ୍ରହୀ ହୁଅନ୍ତି ତା’ହେଲେ ତାହା ହିଁ ମୋର ପାଉଣା ।

ମୂଳଲେଖା- ଅମଲକୁମାର ରାୟ

ଭାଷାନ୍ତର- ସମିଧା ବେଦବାଳା

Share this Article
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ) Samidha Vedabala (Ph.D., Rabindra Bharati University, Kolkata), a performer and researcher of Indian Classical Music, Sitar. She has been working as an assistant professor of music in the Department of Music at Sikkim University since 2011. Along with performance in music, she is actively involved in academic research in Indian music. She has published two books and many academic journals. Her professional and academic association with Sitar inspires her to continue writing on the instrument and its various aspects. Her book titled "Sitar Music: The Dynamics of Structure and Its Playing Techniques" is one of them. Her work has been the source of information for one of the documentaries on Sitar in the UK. She has also attended many national and international seminars on sitar music. As a writer, Dr. Samidha has been associated with Samadhwani for over a decade.