[box type=”shadow” align=”” class=”” width=””]ଲୋକନାଟକ ଗୁଡିକ ଆଦିବାସୀ ଓ ଦଳିତବର୍ଗ ମାନଙ୍କ ଜୀବନ, ଜୀବିକା, କଳାତ୍ମକ ପରିପ୍ରକାଶରୁ ଜନ୍ମ ନେଇଥିବା ବେଳେ ପାରମ୍ପରିକ ଲୋକନାଟକ ଗୁଡ଼ିକ ମନ୍ଦିର, ପୂଜକ, ଗାଁ ଜମିଦାର, ପୁରୋହିତ କିମ୍ବା ଗଡ଼ଜାତ ରାଜାମାନଙ୍କ କଳାତ୍ମକ ରୁଚି ଓ ପ୍ରବୃତ୍ତିରୁ ସୃଷ୍ଟି ହୋଇ ନାଟକର ମାନ୍ୟତା ହାସଲ କରିବାରେ ସକ୍ଷମ ହୋଇପାରିଛି । ଉଭୟ କ୍ଷେତ୍ରରେ କିନ୍ତୁ ଭରିରହିଛି ଅସଂଖ୍ୟ କଳାତ୍ମକତା ଯାହା ଉପରେ ଅଧିକ ଗବେଷଣା ଓ ତର୍ଜମାର ଆବଶ୍ୟକତା ରହିଛି । ଲେଖକ ଅଜିତ କୁମାର ମୁନୀ ଜଣେ ଲୋକକଳାର ଗବେଷକ ତଥା କଳା ଶିକ୍ଷକ(ନାଟ୍ୟକାର) ହୋଇଥିବାରୁ ଲୋକ ନାଟକ ତଥା ପାରମ୍ପରିକ ଲୋକନାଟକ ସମ୍ପର୍କରେ ଏକ ଗବେଷଣାତ୍ମକ ନିବନ୍ଧ ଏଠାରେ ଉପସ୍ଥାପନ କରିଛନ୍ତି । – ସମ୍ପାଦକ[/box]
ଉପକ୍ରମ :
ସମଗ୍ର ବିଶ୍ୱରେ ଭାରତ ଯେଉଁଭଳି ନାଟକ, କଳା, ସାହିତ୍ୟ ଓ ସଂସ୍କତି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଠିକ୍ ସେହିଭଳି ସମଗ୍ର ଭାରତ ବର୍ଷରେ ଓଡ଼ଶା ମଧ୍ୟ ଏ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଲାଭ କରିଆସିଛି । ଏହା ସମାଜକୁ ବିମଳ ଆନନ୍ଦ ପ୍ରଦାନ କରିବା ସହ ନୈତିକ ଶିକ୍ଷାର ପ୍ରମୁଖ ମାଧ୍ୟମ ଭଳି କାର୍ଯ୍ୟ କରିଆସୁଛି । ପ୍ରାଚୀନ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଭିନ୍ନ ଧାରା ମାଧ୍ୟମରେ ପ୍ରବାହିତ ହୋଇ ଆସିଛି ଯଥା :-(୧) ସଂସ୍କୃତ ଶାସ୍ତ୍ରୀୟ ନାଟକ, (୨) ଲୋକ ନାଟକ, (୩) ପାରମ୍ପାରିକ ଲୋକ ନାଟକ, (୪) ଆଧୁନିକ ନାଟକ । ଭାରତର ପ୍ରାଚୀନ ଯୁଗୀୟ ପ୍ରଥିତଯଶା ନାଟ୍ୟକାରମାନଙ୍କ ପ୍ରଭାବରେ ଏବଂ ନାଟ୍ୟଶାସ୍ତ୍ରର ନାଟ୍ୟରଚନା ବ୍ୟାକରଣର ଆଧାରରେ ଓଡ଼ିଶାର ସାଂସ୍କୃତିକ ପଟ୍ଟଭୂମିରେ ଯେଉଁ ନାଟ୍ୟ ପରମ୍ପରା ଜନ୍ମ ନେଲା ତାକୁ ଶାସ୍ତ୍ରୀୟ ନାଟକ କୁହାଗଲା । ସମାଜର ସାଧାରଣ ବର୍ଗର ଲୋମାନଙ୍କର ଜୀବନ, ଜୀବିକା, ସଂସ୍କୃତି ଓ ପରମ୍ପରାକୁ ଆଧାର କରି ଯେଉଁ ମୌଳିକ ନାଟ୍ୟ ପରମ୍ପରା ଜନ୍ମ ଲାଭ କଲା ତାକୁ ଲୋକ ନାଟକର ପର୍ଯ୍ୟାୟଭୁକ୍ତ କରାଗଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଲୋକ ନାଟ୍ୟ ପରମ୍ପରାର ଭିତ୍ତିଭୂମି ଉପରେ ଆମ ଧର୍ମ, ପରମ୍ପରା, ଲୋକାଚାର ଓ ପୂରାଣ ସାହିତ୍ୟକୁ ଆଧାର କରି ନାଟ୍ୟଶାସ୍ତ୍ରର ଆଂଶିକ ପ୍ରଭାବରେ ଯେଉଁ ଧର୍ମୀୟ ଓ ପାରମ୍ପରିକ ମୂଲ୍ୟବୋଧ ଆଧାରିତ ଲୋକନାଟକର ଅଭ୍ୟୁଦୟ ଘଟିଲା ତାକୁ ପାରମ୍ପରିକ ଲୋକନାଟକର ମାନ୍ୟତା ପ୍ରଦାନ କରାଗଲା । ସବା ଶେଷରେ ନବଜାଗରଣର ପ୍ରତ୍ୟକ୍ଷ ପ୍ରଭାବରେ ଆଧୁନିକ ଶିକ୍ଷା ତଥା ସମାଜ ସଂସ୍କାରର ଚିନ୍ତା ଚେତନା ଭିତରୁ ଯେଉଁ ସୁସମୃଦ୍ଧ ସାମାଜିକ ନାଟ୍ୟ ପରମ୍ପରାର ଉନ୍ମେଷ ଘଟିଲା ତାକୁ ଆଧୁନିକ ନାଟକ ଭାବରେ ନାମିତ କରାଗଲା । ଉପର ବର୍ଣ୍ଣିତ ଏ ସମସ୍ତ ନାଟ୍ୟ ପରମ୍ପରା ମାନଙ୍କ ମଧ୍ୟରୁ ଲୋକନାଟକ ଓ ପାରମ୍ପରିକ ଲୋକନାଟକର ଗୁରୁତ୍ୱକୁ କେହି ଅସ୍ୱୀକାର କରିପାରିବେନି ।
ଓଡ଼ିଶାର ସାଂସ୍କୃତିକ ପୃଷ୍ଠଭୂମିରେ ଶତାଧିକ ଲୋକକଥା ଦେଖାଯାଉଥିଲେ ସୁଧା ସେମାନଙ୍କର ବିଷୟ ବସ୍ତୁ ତଥା ପରିବେଷଣକୁ ଆଧାର କରି ସେମାନଙ୍କୁ ଅଦ୍ୟାବଧି ପର୍ଯ୍ୟାୟଭୁକ୍ତ କରାଯାଇପାରିନାହିଁ । ତେଣୁ ଏବେବି ଆମେ ଲୋକ ନାଟକ ଓ ପାରମ୍ପରିକ ଲୋକନାଟକ କହିଲେ ଆମେ ଆମର ସମସ୍ତ କଳାକୁ ବୁଝିଥାଉ । ଏ କ୍ଷେତ୍ରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏକ ଶହ ଛତିଶ ଗୋଟି ଓଡ଼ିଆ ଲୋକକଳାକୁ ଆବିଷ୍କାର କରିବାରେ ସକ୍ଷମ ହୋଇପାରିଛନ୍ତି । ସମସ୍ତଙ୍କୁ ନାଟକ ଭଳି ଲାଗୁଥିବା ଏ ସମସ୍ତ ଲୋକକଳାକୁ ଆମେ ନାଟକର ମାନ୍ୟତା ପ୍ରଦାନ କରି ପାରିବା ନାହିଁ । କାରଣ ପରିବେଷଣ ଉପଯୋଗି ଯେକୌଣସି କଳାକୁ ତାର ନାଟକୀୟ ଗାଠନିକତା ଏବଂ ସାହିତ୍ୟିକ ତଥା ପରିବେଷଣଗତ ଉପାଦାନମାନଙ୍କୁ ଆଧାର କରି ହିଁ ନାଟକର ମାନ୍ୟତା ପ୍ରଦାନ କରାଯାଇ ପାରିବ । ନାଟକର ଗଠନ କହିଲେ ଆମେ ନାଟ୍ୟଶାସ୍ତ୍ରରେ ବର୍ଣ୍ଣିତ ପଞ୍ଚସନ୍ଧି (ମୁଖ, ପ୍ରତିମୁଖ, ଗର୍ଭ, ବିମର୍ଷ ଓ ନିର୍ବହଣ), ପଞ୍ଚ ଅର୍ଥ (ବୀଜ, ବିନ୍ଦୁ, ପତାକା, ପ୍ରକରୀ ଓ କାର୍ଯ୍ୟ) ଏବଂ ପଞ୍ଚ ପ୍ରକୃତି (ପ୍ରାରମ୍ଭ, ପ୍ରଯତ୍ନ, ପ୍ରାପ୍ତ୍ୟାଶା, ନିୟତାପ୍ତି ଓ ଫଳାଗମ) ପୁଣି ନାଟକୀୟ ଉପାଦାନ କହିଲେ ଆମେ ସାଧାରଣତଃ କାହାଣୀ, ଚରିତ୍ର, ସଂଳାପ, ଦ୍ୱନ୍ଦ, ଦୃଶ୍ୟ ଓ ସଙ୍ଗୀତକୁ ବୁଝିଥାଉ । ତେଣ ଏ ସମସ୍ତ ପୂର୍ବବର୍ଣ୍ଣିତ ଉପାଦମାନଙ୍କୁ ଆଖି ଆଗରେ ରଖି ଆମେ ଚବିଶି ଗୋଟି ଲୋକକଳାକୁ ଲୋକ ନାଟକ ଓ ପାରମ୍ପରିକ ଲୋକନାଟକର ପର୍ଯ୍ୟାୟଭୁକ୍ତ କରିଛୁ । ସେମାନଙ୍କର ଏକ ତାଲିକା ନିମ୍ନରେ ପ୍ରଦାନ କରାଯାଇଛି ।
ଓଡ଼ିଆ ଲୋକନାଟକ
କ୍ର.ନଂ- ଲୋକନାଟକର ନାମ ବିଭାଗ ପ୍ରଚଳିତ ସ୍ଥାନ
୧. ରାବଣ ଛାୟା ଲୋକନାଟକ ଅନୁଗୁଳ, ଖୋର୍ଦ୍ଧା, ଢେଙ୍କାନାଳ
୨. କଣ୍ଢେଇ ନାଟ ଲୋକନାଟକ ଅନୁଗୁଳ, ଖୋର୍ଦ୍ଧା, ଢେଙ୍କାନାଳ,
କେନ୍ଦୁଝର, ଗଂଜାମ, ଖୋର୍ଦ୍ଧା
୩. ଭାରତଲୀଳା ଲୋକନାଟକ ଗଂଜାମ, ନୟାଗଡ଼, ଗଜପତି, ରାୟଗଡ଼ା
୪. ଦେଶିଆ ନାଟ ଲୋକନାଟକ କୋରାପୁଟ, ନବରଙ୍ଗପୁର
୫. ହରିକଥା (ଲୁପ୍ତ) ଲୋକନାଟକ ଗଂଜାମ
୬. ଗଳ୍ପସାଗର (ଲୁପ୍ତ) ଲୋକନାଟକ ଗଂଜାମ
ଓଡ଼ିଆ ପାରମ୍ପରିକ ଲୋକନାଟକ
କ୍ର.ନଂ- ନାମ ବିଭାଗ ପ୍ରଚଳିତ ସ୍ଥାନ
୧. ରାମଲୀଳା ପାରମ୍ପରିକ ଲୋକନାଟକ କଟକ, ଖୋର୍ଦ୍ଧା, ନୟାଗଡ଼,
ବୌଦ୍ଧ, ଗଂଜାମ, ଜଗତସିଂହପୁର
କେନ୍ଦ୍ରାପଡ଼ା, ପୁରୀ
୨. କୃଷ୍ଣଲୀଳା ପାରମ୍ପରିକ ଲୋକନାଟକ ପୁରୀ, କଟକ, ଗଂଜାମ
କେନ୍ଦୁଝର, ଖୋର୍ଦ୍ଧା
୩. ରାଧାପ୍ରେମଲୀଳା ପାରମ୍ପରିକ ଲୋକନାଟକ ଗଂଜାମ, ପୁରୀ
୪. ରାସଲୀଳା ପାରମ୍ପରିକ ଲୋକନାଟକ ଗଂଜାମ, ନୟାଗଡ଼, ପୁରୀ
୫. ଯାତ୍ରା ପାରମ୍ପରିକ ଲୋକନାଟକ କଟକ, ଯାଜପୁର, ପୁରୀ, ଖୋର୍ଦ୍ଧା
କେନ୍ଦ୍ରାପଡ଼ା. ଜଗତସିଂହପୁର, ଭଦ୍ରକ,
ବାଲେଶ୍ୱର
୬. ଧନୁଯାତ୍ରା ପାରମ୍ପରିକ ଲୋକନାଟକ ବରଗଡ଼
୭. ଦଣ୍ଡନାଟ ପାରମ୍ପରିକ ଲୋକନାଟକ ଅନୁଗୁଳ, ବଲାଙ୍ଗିର, ବୌଦ୍ଧ
କଟକ. ଢେଙ୍କାନାଳ, ଦେଓଗଡ଼,
ଗଂଜାମ, ଝାରସୁଗୁଡ଼ା, କନ୍ଧମାଳ
ଖୋର୍ଦ୍ଧା, ନୟାଗଡ଼
୮. ଚଇତି ଘୋଡ଼ା ନାଟ ପାରମ୍ପରିକ ଲୋକନାଟକ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ
୯. ପାଲା ପାରମ୍ପରିକ ଲୋକନାଟକ କଟକ, ଢେଙ୍କାନାଳ, ବାଲେଶ୍ୱର
ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ,
ନୟାଗଡ଼, ସମ୍ବଲପୁର, ଝାରସୁଗୁଡ଼ା,
ସୁନ୍ଦରଗଡ଼
୧୦. ଦାସକାଠିଆ ପାରମ୍ପରିକ ଲୋକନାଟକ ଭଦ୍ରକ, କଟକ, କେନ୍ଦୁଝର କେନ୍ଦ୍ରାପଡ଼ା, ନୟାଗଡ଼, ଗଂଜାମ
୧୧. ଗୀତିନାଟ୍ୟ ପାରମ୍ପରିକ ଲୋକନାଟକ ପୁରୀ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା
ଜଗତସିଂହପୁର
୧୨. ଭୂତକେଳି ପାରମ୍ପରିକ ଲୋକନାଟକ ଗଂଜାମ, ଗଜପତି, ରାୟଗଡ଼ା
୧୩. ଦଧି ପାରମ୍ପରିକ ଲୋକନାଟକ ବାଲେଶ୍ୱର
୧୪. ଓଷାକୋଠି ପାରମ୍ପରିକ ଲୋକନାଟକ ଗଂଜାମ
୧୫. ପ୍ରହ୍ଲାଦ ନାଟକ ପାରମ୍ପରିକ ଲୋକନାଟକ ଗଂଜାମ, ଗଜପତି, ରାୟଗଡ଼ା
୧୬. ମୋଗଲ ତାମ୍ସା ପାରମ୍ପାରିକ ଲୋକନାଟକ ଭଦ୍ରକ, ଯାଜପୁର
୧୭. ଲକ୍ଷ୍ମୀ ପୂରାଣ ପାରମ୍ପାରିକ ଲୋକନାଟକ ବଲାଙ୍ଗିର, ବରଗଡ଼, ସମ୍ବଲପୁର
ନୂଆପଡ଼ା, ଦେଓଗଡ଼, ସୋନପୁର
ଝାରସୁଗୁଡ଼ା, ସୁନ୍ଦରଗଡ଼
୧୮. ସଞ୍ଚାର ପାରମ୍ପାରିକ ଲୋକନାଟକ ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା
ଲେକନାଟକ ଓ ପାରମ୍ପରିକ ଲୋକନାଟକ ମଧ୍ୟରେ ସାଦୃଶ୍ୟତା ଓ ଭିନ୍ନତା :
୧) ଲୋକ ନାଟକ ଗୁଡ଼ିକ ମୁଖ୍ୟତଃ ଆମ ଜୀବନ, ଜୀବିକା ତଥା ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକଳାପର ଭିତ୍ତିଭୂମିରୁ ଜନ୍ମଲାଭ କରିଥିବା ବେଳେ ପାରମ୍ପରିକ ଲୋକ ନାଟକଗୁଡ଼ିକ ଲୋକ ନାଟକର ଭିତ୍ତିଭୂମି ଉପରେ ଦଣ୍ଡାୟମାନ ହୋଇ ଆମ ପୁରାଣ, କିମ୍ବଦନ୍ତି, ଲୋକକଥା, ଧର୍ମ ଓ ପାରମ୍ପରିକ ବିଶ୍ୱାସକୁ ଆଧାର କରି ନାଟକର କଳେବର ଧାରଣ କରିଥାନ୍ତି ।
୨) ଲୋକ ନାଟକ ଗୁଡ଼ିକର ବିଷୟବସ୍ତୁ ଅପରିପକ୍ୱ, ଅଶୋଧିତ ତଥା ଅଲିଖିତ ହୋଇଥିବା ବେଳେ ପାରମ୍ପାରିକ ଲୋକ ନାଟକ ଗୁଡ଼ିକର ବିଷୟବସ୍ତୁ ସୁସଂଗଠିତ, ଲିଖିତ ତଥା ମାର୍ଜିତ ହୋଇଥାଏ ।
୩) ଲୋକନାଟକଗୁଡ଼ିକ ବିଶେଷ କରି ଯେକୌଣସି ସମୟରେ ଦର୍ଶକମାନଙ୍କ ଇଚ୍ଛାନୁସାରେ ପରିବେଷିତ ହୋଇଥାଏ, କିନ୍ତୁ ପାରମ୍ପରିକ ଲୋକନାଟକଗୁଡ଼ିକ କେବଳ ଆମର ଧାର୍ମୀୟ ଉତ୍ସବ ପାଳନ ସମୟରେ ହିଁ ପରିବେଷିତ ହୋଇଥାଏ ।
୪) ଯେକୌଣସି ସୁବିଧାଜନକ ସ୍ଥାନରେ ଲୋକନାଟକ ଗୁଡ଼ିକୁ ଆମେ ପରିବେଷଣ କରିପାରିବା କିନ୍ତୁ ପାରମ୍ପରିକ ଲୋକନାଟକଗୁଡ଼ିକ କେବେଳ ଧାର୍ମୀୟ ଉତ୍ସବ ଆୟୋଜିତ ହୋଇଥିବା ସ୍ଥାନ, ମନ୍ଦିର ପ୍ରାଙ୍ଗଣ କିମ୍ବା ଭକ୍ତମାନଙ୍କ ଗୃହ ସମ୍ମୁଖରେ ପରିବେଷିତ ହୋଇଥାଏ ।
୫) କଳା ଓ ସଂସ୍କୃତି ପ୍ରତି ଆଗ୍ରହ ଥିବା ଯେକୌଣସି ପ୍ରତିଭାବାନ କଳାକାର ଲୋକନାଟକରେ ଅଂଶ ଗ୍ରହଣ କରି ପାରିବ । କିନ୍ତୁ ପାରମ୍ପରିକ ନାଟକରେ ସେହି ଧର୍ମ ଓ ପରମ୍ପରା ସହ ସମ୍ବନ୍ଧିତ ବ୍ୟକ୍ତିବିଶେଷ ହିଁ ଅଂଶ ଗ୍ରହଣ କରିପାରିବେ ।
୬) ଲୋକନାଟକ କ୍ଷେତ୍ରରେ କଳାକାରମାନଙ୍କ ପାଇଁ ସେମାନଙ୍କ ଖାଦ୍ୟ, ବସ୍ତ୍ର ଏବଂ ଦିନଚର୍ଯ୍ୟା ଉପରେ କୌଣସି ଧାର୍ମୀୟ କଟକଣା ନ ଥାଏ କିନ୍ତୁ ପାରମ୍ପାରିକ କ୍ଷେତ୍ରରେ କଳାକାରମାନଙ୍କ ଉପରେ ସେମାନଙ୍କର ଖାଦ୍ୟ, ବସ୍ତ୍ର, ଦିନଚର୍ଯ୍ୟା ବାବଦରେ ବହୁ ଧର୍ମିୟ କଟକଣା ଥିବା ପରିଲକ୍ଷିତ ହୋଇଥାଏ ।
୭) ଲୋକ ନାଟକଗୁଡ଼ିକର ବିଷୟବସ୍ତୁ ପ୍ରସ୍ତୁତି ତଥା ପରିବେଷଣକୁ ଅନୁଧ୍ୟାନ କଲେ ସେଥିରେ ନାଟ୍ୟଶାସ୍ତ୍ରର ପ୍ରଭାବ ଥିବା ଅନୁଭୂତ ହୁଏ ନାହିଁ । କିନ୍ତୁ ପାରମ୍ପରିକ ଲୋକ ନାଟକଗୁଡ଼ିକର ବିଷୟବସ୍ତୁ, ପ୍ରସ୍ତୁତି ତଥା ପରିବେଷଣ ସମସ୍ତ କ୍ଷେତ୍ରରେ ନାଟ୍ୟଶାସ୍ତ୍ରର ପ୍ରଭାବ ଅନୁଭୂତ ହୁଏ ।
୮) ଯେକୌଣସି କଳାପ୍ରେମୀ, ଆଗ୍ରହୀ ତଥା ବଦାନ୍ୟ ବ୍ୟକ୍ତି ବିଶେଷ ଲୋକନାଟକର ପରିବେଷଣ ନିମନ୍ତେ ପୃଷ୍ଠପୋଷକତା କରି ପାରିବେ, କିନ୍ତୁ ପାରମ୍ପରିକ ଲୋକ ନାଟକ କ୍ଷେତ୍ରରେ ମନ୍ଦିର ପୂଜାରୀ ଧର୍ମ ଗୁରୁ କିମ୍ପା ସେହି ଧର୍ମୀୟ ପରମ୍ପରା ଆଧାରିତ ବ୍ୟକ୍ତିବିଶେଷ କିମ୍ବା ଭକ୍ତମାନେ ହିଁ ପୃଷ୍ଠପୋଷକତା କରିପାରିବେ ।
୯) ଲୋକନାଟକ କ୍ଷେତ୍ରରେ ପ୍ରତିଭାସମ୍ପନ୍ନ ଆଗ୍ରହୀ ମହିଳା କଳାକାରମାନେ ଭାଗନେବାର ଏକ ବିସ୍ତିର୍ଣ୍ଣ ସୁଯୋଗ ଥାଏ । କିନ୍ତୁ ପାରମ୍ପରିକ ଲୋକନାଟକ କ୍ଷେତ୍ରରେ ସେମାନଙ୍କର ସହଭାଗିତାର ପ୍ରଭାବରେ ଏ କ୍ଷେତ୍ରରେ ମହିଳାମାନଙ୍କ ଅଂଶ ଗ୍ରହଣ ଧିରେ ଧିରେ ବଢ଼ିବାରେ ଲାଗିଛି ।
୧୦) ଉଭୟ ଲୋକନାଟକ ଓ ପାରମ୍ପରିକ ଲୋକ ନାଟକର ଉନ୍ମେଷ ଓ ଉତ୍ତରଣକୁ ଗଭୀର ଭାବରେ ଅନୁଧ୍ୟାନ କଲେ ଜଣାଯାଏ ଯେ ଏ ଗୁଡ଼ିକ ଆମ ସମାଜର ତଥାକଥିତ ଆଦିବାସୀ, ହରିଜନ କିମ୍ବା ଶୁଦ୍ରମାନଙ୍କ ଜୀବନ, ଜୀବିକା, କଳାତ୍ମକ ପ୍ରବୃତ୍ତି ତଥା ତ୍ୟାଗରୁ ସୃଷ୍ଟି ହୋଇପାରିଛି । ଅପର ପକ୍ଷରେ ପାରମ୍ପରିକ ଲୋକନାଟକ ଗୁଡ଼ିକ ପ୍ରାଚୀନ କଳା ବା ମଧ୍ୟଯୁଗର ଗାଁ ମୁଖିଆ ମନ୍ଦିର, ପୂଜକ, ଗାଁ ଜମିଦାର, ପୁରୋହିତ କିମ୍ବା ଗଡ଼ଜାତ ରାଜାମାନଙ୍କ କଳାତ୍ମକ ପ୍ରବୃତ୍ତି ଓ ତ୍ୟାଗରୁ ସୃଷ୍ଟି ହୋଇ ନାଟକର ମାନ୍ୟତା ହାସଲ କରିବାରେ ସକ୍ଷମ ହୋଇପାରିଛି ।
ଭାରତଲୀଳା :
ଓଡ଼ିଆ ଲୀଳା ନାଟକ ଜଗତରେ ଭାରତଲୀଳା ଏକ ସ୍ୱତନ୍ତ୍ର ସ୍ଥାନ ଦାବୀ କରେ । ଭାରତଲୀଳାର ଉନ୍ମେଷ ଓ ଉତ୍ତରଣ ଗଂଜାମ ଜିଲ୍ଲାରୁ ହୋଇଥିଲେ ମଧ୍ୟ ଏହାର ଆଦ୍ୟ ବୀଜ ପ୍ରାଚୀନ ଯୁଗର ରେଙ୍ଗୁନ୍ ବା ବର୍ତ୍ତମାନର ମିଁଆମାରରୁ ରୋପଣ କରାଯାଇଥିଲା । ମୁଖ୍ୟତଃ ଊନବିଂଶ ଶତକର ଦ୍ୱିତୀୟାର୍ଦ୍ଧରେ ଗଂଜାମ ଜିଲ୍ଲାର ହିଂଜଳିକାଟୁ ନିକଟବର୍ତ୍ତୀ ଗୁରୁ ଦୀନବନ୍ଧୁ ଦାସ ସାରଳାଙ୍କ ରଚିତ ମହାଭାରତର ମଧ୍ୟପର୍ବକୁ ଆଧାର କରି ତତ୍କାଳୀନ ରେଙ୍ଗୁନରେ ରହୁଥିବା ବିସ୍ଥାପିତ ଓଡ଼ିଆ ଶ୍ରମିକମାନଙ୍କ ମନୋରଂଜନ ତଥା ଅବସର ବିନୋଦନ ପାଇଁ ଏହି ଲୀଳା ସୃଷ୍ଟି କରିଥିଲେ । ପରବର୍ତ୍ତୀ କାଳରେ ସେ ଯେତେବେଳେ ରେଙ୍ଗୁନ୍ରୁ ନିଜ ଗାଁକୁ ଫେରିଲେ ସେଠାରେ କିଛି କଳାକାରଙ୍କୁ ଏକତ୍ରିତ କରି ଏହାକୁ ନାଟକର ପୂର୍ଣ୍ଣାଙ୍ଗ ଅବୟବ ପ୍ରଦାନ କଲେ । ତା ପରଠାରୁ ଶ୍ୟାମ ସୁନ୍ଦର ସାବତ, ଯୋଗିନ୍ଦ୍ର ମଳିକ, ଶ୍ରୀନିବାସ ଦାସ, ତ୍ରିନାଥ ପଟ୍ଟାନାୟକ, ନବଘନ ପରିଡ଼ା, ପଞ୍ଚାନନ ପ୍ର୍ରଧାନ, ଚକ୍ରଧର ବାଡ଼ତ୍ୟା ଆଦି ଏହାର ପ୍ରଚାର, ପ୍ରସାର ତଥା ସମୃଦ୍ଧି କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କଲେ । ଏହାର ନାଟକୀୟ ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ସେମାନେ ପ୍ରାଚୀନ ଓ ମଧ୍ୟୟୁଗୀୟ ପୂରାଣ, ଉପପୂରାଣ, କାବ୍ୟ, କବିତା ଆଦି ଭାରତ ଲୀଳାରେ ପ୍ରୟୋଗ କଲେ । ଦୁଆରି, ଅର୍ଜୁନ, ସୁଭଦ୍ରା ଓ ସତ୍ୟଭାମାଙ୍କୁ ଏହି ନାଟକର ପ୍ରମୁଖ ଭୂମିକା ଭାବରେ ଗ୍ରହଣ କଲାବେଳେ ହାଡ଼ି, ହାଡ଼ିଆଣି, ବାୟା, ପୁରୋହିତ ଆଦି ଚରିତ୍ରକୁ ଗୌଣ ଚରିତ୍ର ଭାବରେ ଗ୍ରହଣ କରାଯାଇଥାଏ । ଏହି ନାଟ୍ୟ ପରମ୍ପରାରେ ସଙ୍ଗୀତ ଓ ନୃତ୍ୟର ବହୁଳ ପ୍ରୟୋଗ ଦେଖାଯାଇଥାଏ । ସାଧାରଣତଃ ଗାଁର ସାହି ମଝିରାସ୍ତା, ଗାଁ ମୁଖିଆଙ୍କ ଗୃହ ସମ୍ମୁଖ କିମ୍ବା ପୃଷ୍ଠପୋଷକମାନଙ୍କ ଗୃହ ସମ୍ମୁଖ ତଥା ଅଗଣାରେ ଚାରିକୋଣରେ ଚାରିକୋଟି ବାଉଁଶ ଖୁଣ୍ଟ ସହାୟତାରେ ବନ୍ଧା ଯାଇଥିବା ଚିତ୍ରିତ ଚାନ୍ଦୁଆ ତଳେ ଏହାର ପରିବେଷଣ ପ୍ରସ୍ତୁତ କରାଯାଇଥାଏ । ଏହାର ପରିବେଷଣ ରାତ୍ରି ନ କିମ୍ବା ଦଶ ଘଣ୍ଟାରୁ ଆରମ୍ଭ ହୋଇ ପର ଦିନ ସକାଳ ସାତ କିମ୍ବା ଆଠ ଘଣ୍ଟା ଯାଏ ଚାଲିଥାଏ ।
ଅଦ୍ୟାବଧି ଗଂଜାମ ଜିଲ୍ଲାରେ ଦୁଇ ଶହ ପାଖାପାଖି ଭାରତ ଲୀଳା ନଟ୍ୟଦଳ ଗଠିତ ହୋଇଥିବା ବେଳେ ତନ୍ମଧ୍ୟରୁ ପାଖାପାଖି ଏକ ଶତ ନାଟ୍ୟଦଳ ବଞ୍ôଚ ରହିଛି ଏବଂ ପୃଷ୍ଠପୋଷକତା, ପ୍ରେତ୍ସାହନ, ବ୍ୟବସାୟିକ ବିଫଳତା ଓ ପ୍ରଚାର ପ୍ରସାର ଅଭାବରୁ ବାକି ସବୁ ଦଳ ବୁଡ଼ିଗଲେଣି ।
ସାଂପ୍ରତିକ ସ୍ଥିତି :
୧. ଗତ ଚାରି ଦଶନ୍ଧି ଭିତରେ ଭାରତ ଲୀଳାରେ ଅନେକ ପରିବର୍ତ୍ତନ ଦେଖା ଦେଇଛି । ବିଶେଷ କରି ଏହାର ବିଷୟ ବସ୍ତୁରେ ଓଡ଼ିଆ ସାହିତ୍ୟ ଭଣ୍ଡାରରୁ ବହୁ ଛାନ୍ଦ, ଚମ୍ପୁ, ଚଉପଦୀ, ଭଜନ, ଜଣାଣ ଆଦି ଭାରତଲୀଳାରୁ ସାହିତ୍ୟକୁ ସମୃଦ୍ଧ ତଥା ରୁଚିବନ୍ତ କରିଛି ।
୨. ୧୯୮୦ ମସିହା ପରଠାରୁ ବିଦ୍ୟୁତ୍ ବଲ୍ବ, ଫନେଲ୍, ସାଉଣ୍ଡ ବକ୍ସ ତଥା ମାଇକ୍ରୋଫୋନ୍ର ପ୍ରଚଳନ ଏ କ୍ଷେତ୍ରରେ ଦେଖା ଦେଇଛି । ଆଧୁନିକତାର ପ୍ରଭାବରେ ଲୌହ ନିର୍ମିତ ଓ ଚାନ୍ଦୁଆ ସଜ୍ଜିତ ଏକ ଭ୍ରାମ୍ୟମାଣ ମଞ୍ଚର ବ୍ୟବହାର ମଧ୍ୟ ଦୀର୍ଘ ତିନି ଦଶନ୍ଧି ଧରି ଆରମ୍ଭ ହୋଇଛି ।
୩. ଆଗ୍ରହୀ ତଥା ପ୍ରତିଭା ସମ୍ପନ୍ନ ମହିଳା ମାନଙ୍କର ଭାରତ ଲୀଳାରେ ପ୍ରବେଶ ଦୀର୍ଘ ଦୁଇ ଦଶନ୍ଧି ଧରି ଦେଖାଦେଇଛି । ବାସନ୍ତି ପରିଡ଼ା, ଲତା ବେହେରା, ଲୋଚନା ବେହେରା, ବିଷ୍ଣୁପ୍ରିୟା ପଣ୍ଡା ଏବଂ ତୁଳସୀ ଗୌଡ଼ ଆଦି ଆଜିରଦିନରେ ଭାରତ ଲୀଳାର ମହିଳା ଦୁଆରି ଭାବରେ ପ୍ରତିଷ୍ଠା ଅର୍ଜନ କରିସାରିଛନ୍ତି ।
୪. ଆଧୁନିକତା ପ୍ରଭାବରେ ଆଜି ଏହି ନାଟକର କଳାକାର ମାନେ ପ୍ରାଚୀନ ଯୁଗରୁ ପ୍ରଚଳିତ ହୋଇ ଆସୁଥିବା ମୁଖ ପ୍ରସାଧନ (ମେକ୍ଅପ୍) ପ୍ରତିବଦଳରେ ଆଧୁନିକପାନ୍ କେକ୍, ଲେକ୍-ମେ ଲିପ୍ଷ୍ଟିକ୍ ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ବଜାରରେ ଉପଲବ୍ଧ ପ୍ରସାଧାନ ସମାଗ୍ରୀ ବ୍ୟବହାର କରୁଛନ୍ତି । ଠିକ୍ ସେହିଭଳି ପାରମ୍ପରିକ ବେଶ ପୋଷାକ ପ୍ରତିବଦଳରେ ସେମାନେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ବନାରସି କିମ୍ବା ରେଶମ ନିର୍ମିତ ଲେହେଙ୍ଗା ଏବଂ ସୁନା କିମ୍ପା ରୂପା ଛାଣ ଦିଆ ଆଧୁନିକ ଅଳକାଂରମାନ ବ୍ୟବହାର କରୁଛନ୍ତି ।
୫) ଏହି ଲୋକନାଟକକୁ ମାଧ୍ୟମ କରି କଳାକାର ଏବଂ ଗୁରୁମାନଙ୍କ ପରିବାର ପ୍ରତିପୋଷଣ କରିବା ଏକ କଷ୍ଟସାଧ୍ୟ ବ୍ୟାପର । ଗବେଷଣାରୁ ପ୍ରାପ୍ତ ତଥ୍ୟାନୁସାରେ କେବଳ କିଛି ହାତଗଣତି କଳାକାର ଏହାକୁ ମାଧ୍ୟମ କରି ଧନ ଏବଂ ସମ୍ମାନ ଅର୍ଜନ କରିବାରେ ସଫଳ ହୋଇ ପାରିଛନ୍ତି । ତେଣୁ ସେମାନଙ୍କର ଉତ୍ତର ଦାୟାଦମାନଙ୍କ ଏହା ଭିତରକୁ ପ୍ରବେଶ କରିବାକୁ ଅନିଚ୍ଛୁକ ।
୬) ବର୍ତ୍ତମାନ ଏହି ନାଟ୍ୟ କଳା ବହୁବିଧା, ସାମାଜିକ ଓ ରାଜନୈତିକ ସମସ୍ୟା ତାର ସମାଧାନ ତଥା ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ପ୍ରସାର କ୍ଷେତ୍ରରେ ଏହା ଏକ ପ୍ରମୁଖ ମାଧ୍ୟମ ଭାବରେ କାର୍ଯ୍ୟ କରୁଛି ।
୭) ଏହାର ଗବେଷଣା, ପରିବେଷଣ, ପ୍ରୋତ୍ସାହନ ତଥା ପୁନରୁଦ୍ଧାର କ୍ଷେତ୍ରରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଇ ନାହିଁ ।
୮) ଦୀର୍ଘ ଦେଢ଼ବର୍ଷ ଧରି ବିଶେଷ କରି ଗତ ମାର୍ଚ୍ଚ ୨୩, ୨୦୨୦ ଠାରୁ ବିଶ୍ୱ ମହାମାରି କରୋନା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ କଟକଣା ପାଇଁ ଲୋକନାଟକ ତଥା ପାରମ୍ପରିକ ଲୋକନାଟକ ଗୁଡ଼ିକର ପରିବେଷଣ-ବନ୍ଦ ରହିଛି । ଫଳତଃ କଳାକାରମାନେ ଜୀବିକା ଅଭାବରୁ ଅତ୍ୟନ୍ତ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ତନ୍ମଧ୍ୟରୁ ବହୁ ଗ୍ରାମାଞ୍ଚଳର କଳାକାର ଗାଁ ଛାଡ଼ି ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଚାଲିଗଲେଣି ଏବଂ ଗାଁ ଆଖଡ଼ା ମାନ ମଧ୍ୟ ବନ୍ଦ ହୋଇଗଲାଣି ।
ପ୍ରହ୍ଲାଦ ନାଟକ :
ମଧ୍ୟଯୁଗୀୟ ଓ ଆଧୁନିକ ଯୁଗୀୟ ଓଡ଼ିଆ ସାହିତ୍ୟର ଘଡ଼ିସନ୍ଧି ମହୂର୍ତ୍ତରେ ଓଡ଼ିଆ ନାଟ୍ୟ ଜଗତରେ ପ୍ରହ୍ଲାଦ ନାଟକର ଉତ୍ପତ୍ତି ଘଟିଥିଲା । ମୁଖ୍ୟତଃ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତ ଗଡ଼ଜାତ ରାଜ୍ୟ ଜଳନ୍ତରର ରାଜା ରାମକୃଷ୍ଣ ଛୋଟରାୟ ପ୍ରଥମେ ପ୍ରହ୍ଲାଦ ନାଟକକୁ ରଚନା କରିଥିଲେ । ପରବର୍ତ୍ତୀ କାଳରେ ଓଡ଼ିଶାର ଅବିଭକ୍ତ ଗଂଜାମ ଜିଲ୍ଲାର ବହୁ ନାଟକର ଏହା ଦ୍ୱାରା ପ୍ରଭାବିତ ହୋଇ ପ୍ରହ୍ଲାଦ ନାଟକ ରଚନା କରିଥିଲେ ସେମାନେ ହେଲେ ଯଥା : ୧) ରାମଚନ୍ଦ୍ର ଶୂରଦେଓ, ୨) କିଶୋର ଚନ୍ଦ୍ର ଜଗଦେବ, ୩) ମଦନମୋହନ ସିଂହଦେଓ, ଏବଂ ୫) ବିଶ୍ୱ ବିହାରି ଖାଡ଼େଙ୍ଗା । ଫଳସ୍ୱରୂପ ଧିରେ ଧିରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଲା । ଏହି ପ୍ରହ୍ଲାଦ ନାଟକ ବା ରଜା ନାଟକ ମହାଦେବ ଦାସଙ୍କ ରଚିତ ବିଷ୍ଣୁକେଶରୀ ପୂରାଣ ଏବଂ ପିତାମ୍ବର ଦାସଙ୍କ ନୃସିଂହ ପୂରାଣକୁ ଆଧାର କରି ରଚିତ । ବିଶେଷତଃ ସର୍ବବ୍ୟାପି ବିଷ୍ଣୁଙ୍କ ପ୍ରତି ପ୍ରହ୍ଲାଦର ଭକ୍ତି, ପିତା ଦୈତ୍ୟରାଜ ହିରଣ୍ୟକଶ୍ୟପର କାଳ୍ପିତ ପ୍ରହ୍ଲାଦର ବିଷ୍ଣୁ ଭକ୍ତି ପ୍ରତି ଅସହିଷ୍ଣୁତା, କୁମର ପ୍ରହ୍ଲାଦକୁ ହରିଭକ୍ତି କାରଣରୁ ରାଜା ହରିଣ୍ୟକଶ୍ୟପୁର ବହୁବିଧ ଦଣ୍ଡ ବିଧାନ ଓ ସର୍ବଶେଷରେ ସର୍ବବ୍ୟାପି ବିଷ୍ଣୁଙ୍କ ଆବିର୍ଭାବ ଏବଂ ହରିଣ୍ୟକଶ୍ୟପର ନିଧନ ଏହି ପ୍ରହ୍ଲାଦ ନାଟକର ମୌଳିକ ବିଷୟବସ୍ତୁ । ଏହି ନାଟ୍ୟ ପରମ୍ପରା ସମ୍ପୂର୍ଣ୍ଣ ଭାବରେ ସଙ୍ଗୀତ ଓ ନୃତ୍ୟଭିତ୍ତିକ ଅଟେ । ବିଶେଷତଃ ଅତିରଂଜିତ ଅଙ୍ଗଚାଳନା, ନୃତ୍ୟ ଓ ସଙ୍ଗୀତର ବହୁଳ ପ୍ରୟୋଗକୁ ଆଧାର କରି ଏହାର ପରିବେଷଣ ପ୍ରସ୍ତୁତ କରାଯାଇଥାଏ । ନାଟକର କାହାଣୀ ଏବଂ ପରିବେଷଣର ଗୁରୁତ୍ୱ ଦୃଷ୍ଟିରୁ ଏହାର ଚରିତ୍ରମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ହରିଣ୍ୟକଶ୍ୟପ, ପ୍ରହ୍ଲାଦ, ଲୀଳାବତୀ ଏବଂ ନରସିଂହ ଆଦି ଚରିତ୍ରକୁ ମୁଖ୍ୟ ରଚିତ୍ର ଭାବରେ ଏବଂ ଗଣେଶ, ସୂତ୍ରଧର, ହିରଣ୍ୟାକ୍ଷ, ଶୂକ୍ରାଚାର୍ଯ୍ୟ, ଚଣ୍ଡମାର୍କ, ସାପୁଆ, ସାପୁଆଣୀ, ଆଦି ଅନ୍ୟାନ୍ୟ ଚରିତ୍ରମାନଙ୍କୁ ଗୌଣ ଚରିତ୍ର ଭାବରେ ଗ୍ରହଣ କରାଯାଏ । ପାଖାପାଖି ଆଠ ଫୁଟ ଉଚ୍ଚତା ଏବଂ ଆଠ ଫୁଟ ପ୍ରସ୍ଥ ବିଶିଷ୍ଟ ପାଞ୍ଚଟି ପାହାଚ ଯୁକ୍ତ ଏକ ପାହାଚ ଆକୃତିର ମଞ୍ଚାକୁ ନାଟକର ମଞ୍ଚଭାବରେ ବ୍ୟବହାର କରାଯାଏ । ଏହାର ଉପର ଭାଗରେ କାଠ ନିର୍ମିତ ଏକ ଚଉକି ରାଜାଙ୍କ ସିଂହାସନ ଭାବରେ ବ୍ୟବହାର କରାଯାଏ । ଦକ୍ଷିଣ ଭାରତୀୟ ସଂଗୀତ ଆଧାରିତ ଏହି ନାଟ୍ୟପରମ୍ପରାରେ ଦକ୍ଷିଣୀ ମର୍ଦ୍ଧଳ, ଗିନି, ମଂଜିରା, ତୁରି, ରାମତାଳି ଏବଂ ହାରମୋନିୟମକୁ ସଂଗୀତ କ୍ଷେତ୍ରରେ ବ୍ୟବହାର କରାଯାଏ, ତତ୍ସହିତ ବହୁବିଧ ଦକ୍ଷିଣ ଭାରତୀୟ (କର୍ଣ୍ଣାଟକୀ) ଏବଂ ଉତ୍ତର ଭାରତୀୟ ହିନ୍ଦୁସ୍ଥାନୀ ରାଗର ପ୍ରୟୋଗ କରାଯାଇଥାଏ । ଏହାର ମୁଖସଜ୍ଜା ଏବଂ ବେଶ ପୋଷାକ ବହୁଳ ମାତ୍ରରେ କଥକଲୀ କିମ୍ବା କୁଟ୍ଟିୟଟ୍ଟାମ୍ ସହ ସମାନ ଅଟେ ।
ସାଂପ୍ରତିକ ସ୍ଥିତି :
୧. ଦୀର୍ଘ ପଚାଶ ବର୍ଷ ମଧ୍ୟରେ ପ୍ରହ୍ଲାଦ ନାଟକର ବିଷୟ ବସ୍ତୁରେ କୌଣସି ପରିବର୍ତ୍ତନ ଆସିନାହିଁ ।
୨. ପ୍ରହ୍ଲାଦ ନାଟକର ପରିବେଷଣ କ୍ଷେତ୍ରରେ ମଧ୍ୟ ଅଦ୍ୟାବଧି ଆଧୁନିକତା କିମ୍ବା ଜଗତିକରଣ ପ୍ରଭାବ ପରିଲକ୍ଷିତ ହୁଏ ନାହିଁ ।
୩. ଆଦ୍ୟାବଧି ଏ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ଆରମ୍ଭ ହୋଇନାହିଁ ।
୪. ଏହାର ମୁଖ ସଜ୍ଜା କିମ୍ବା ବେଶ ପୋଷାକ ମଧ୍ୟ ଆଧୁନିକତା କିମ୍ବା ଜଗତିକରଣର ପ୍ରଭାବ ଦ୍ୱାରା ପ୍ରଭାବିତ ହୋଇନାହିଁ ।
୫. ଆଜି ପର୍ଯ୍ୟନ୍ତ ପ୍ରହ୍ଲାଦ ନାଟକ ଏହାର ଗୁରୁ କିମ୍ବା କଳାକାରମାନଙ୍କର ଜୀବନ ଜୀବିକାର ପ୍ରମୁଖ ମାଧ୍ୟମ ଭାବରେ କାର୍ଯ୍ୟ କରିବାର ସଫଳ ହୋଇପାରିନାହିଁ । ତେଣୁ ପ୍ରାୟତଃ ଅର୍ଥାଭାବରୁ ଏହାର କଳାକାରମାନେ ପଡ଼େଶୀ ରାଜ୍ୟମାନଙ୍କୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ଏବଂ ସେମାନଙ୍କ ଉତ୍ତରଦାୟାଦମାନଙ୍କୁ ଏହି ମାଧ୍ୟମକୁ ପ୍ରବେଶ ନିମେନ୍ତ ଅନିଚ୍ଛା ପ୍ରକାଶ କରୁଛନ୍ତି ।
୬. ବର୍ତ୍ତମାନ ସମୟରେ ଏହାକୁ ବିଭିନ୍ନ ସାମାଜିକ, ରାଜନୈତିକ ସମସ୍ୟା ସମ୍ବନ୍ଧରେ ସଚେତନ ଏବଂ ସରକାର ଯୋଜନାମାନଙ୍କର ପ୍ରଚାର ପ୍ରସାର କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇଛି ।
୭. ଅଦ୍ୟାବିଧି ଏହାର, ପ୍ରଶିକ୍ଷଣ, ପରିବେଷଣ, ପ୍ରୋତ୍ସାହନ ଏବଂ ଗବେଷଣା, କ୍ଷେତ୍ରରେ ସରକାର କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିନାହାନ୍ତି । ୨୦୨୦ ମସିହାରୁ ଦୀକ୍ଷାନ୍ତ ଯୋଜନା ମାଧ୍ୟମରେ କିଛି ଶିଷ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ବରିଷ୍ଠ ବଳାକାରମାନଙ୍କୁ କଳାକାର ଭତ୍ତା ପ୍ରଦାନ କରାଯାଉଛି ।
୮. ଉଭୟ ସାହିତ୍ୟ ଓ ପରିବେଷଣ କ୍ଷେତ୍ରରେ ଅଦ୍ୟାବଧି ଏହାର ମୌଳିକତା ଅକ୍ଷୁର୍ଣ୍ଣ ରହିଛି । କୌଣସି ପ୍ରକାର ଅଶ୍ଳିଳତା ଓ ନଗ୍ନତାକୁ ଏଥିରେ ପ୍ରବେଶ କରାଯାଇ ନାହିଁ । ବର୍ତ୍ତମାନ ସୁଦ୍ଧା ଏହା ବ୍ୟବସୟିକ ସଫଳତା ହାସଲ କରିବାରେ ସଫଳ ହୋଇପାରିନାହିଁ ।
୯. ଦୀର୍ଘ ଦେଢ଼ବର୍ଷ ଧରି ବିଶେଷ କରି ଗତ ମାର୍ଚ୍ଚ ୨୩, ୨୦୨୦ ଠାରୁ ବିଶ୍ୱ ମହାମାରି କରୋନା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ କଟକଣା ପାଇଁ ଲୋକନାଟକ ତଥା ପାରମ୍ପରିକ ଲୋକନାଟକ ଗୁଡ଼ିକର ପରିବେଷଣ-ବନ୍ଦ ରହିଛି । ଫଳତଃ କଳାକାରମାନେ ଜୀବିକା ଅଭାବରୁ ଅତ୍ୟନ୍ତ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ତନ୍ମଧ୍ୟରୁ ବହୁ ଗ୍ରାମାଞ୍ଚଳର କଳାକାର ଗାଁ ଛାଡ଼ି ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଚାଲିଗଲେଣି ଏବଂ ଗାଁ ଆଖଡ଼ା ମାନ ମଧ୍ୟ ବନ୍ଦ ହୋଇଗଲାଣି ।
ପାଲା :
ପ୍ରାଚୀନ ଯୁଗରେ ସନାତନ ପରମ୍ପରାର ସତ୍ୟନାରାୟଣ ଉପାସନାରୁ ଏହି ନାଟ୍ୟ ପରମ୍ପରାର ଉନ୍ମେଷ ଘଟିଥିବାରୁ ଏହାକୁ ଅଦ୍ୟାବଧି ସତ୍ୟନାରାୟଣ ପାଲା କୁହାଯାଏ । ପରବର୍ତ୍ତୀ କାଳରେ ମୁସଲମାନ ଶାସକମାନଙ୍କ ଧର୍ମ ଓ ସାଂସ୍କୃତିକ ବିଦ୍ୱେଷରୁ ପାଲା ପରମ୍ପରାକୁ ବଞ୍ଚେଇ ରଖିବାର ପ୍ରୟାସ କରାଯାଇ ଏହା ମୁସଲମାନମାନଙ୍କ ପୀର ସଂପ୍ରଦାୟ ସହ ଯୋଡ଼ି ଦେଇ ସତ୍ୟପିର ନାମରେ ପରିଚିତ କରାଯାଇଥିଲା । କିନ୍ତୁ ଏହାର ବିଷୟବସ୍ତୁ, ପରିବେଷଣ, ଧର୍ମୀୟ ପ୍ରଭାବ ତଥା କଳାକାରମାନଙ୍କ ଜାତି ଧର୍ମକୁ ବିଚାର କଲାବେଳେ ପାଲା ଯେ ମୁସଲମାନ ଧର୍ମର ଭିତ୍ତିଭୂମିରୁ ସୃଷ୍ଟି ଏବଂ ଏହା ସେମାନଙ୍କ ଧର୍ମୀୟ ତଥା ପାରମ୍ପରିକ ଜୀବନ ସହ ଯୋଡ଼ି ହୋଇଥିବାରୁ କୌଣସି ପ୍ରମାଣ ମିଳେ ନାହିଁ । ପ୍ରାଥମିକ ପର୍ଯ୍ୟାୟରେ ସତ୍ୟନାରାୟଣ ପୂଜାରେ ଏହାକୁ ପାଠ କରାଯାଉଥିଲା । ଧିରେ ଧିରେ ଏଥିରେ ପୂରାଣ, କାବ୍ୟ, କିମ୍ବଦନ୍ତି ଆଦି ବିଷୟ ବସ୍ତୁକୁ ଏହାର ପରିବେଷଣର ଶ୍ରୀବୃଦ୍ଧି ସହିତ ରସାଣିତ କରିବା ନିମନ୍ତେ ଯୋଡ଼ିଦିଆଗଲା । ଯାହାଫଳରେ ଏହା ଏକ ପୂର୍ଣ୍ଣାଙ୍ଗ ନାଟ୍ୟରୂପ ପାଇବା ସହିତ ଏହାର ନୈତକ ଶିକ୍ଷା ଏବଂ ଉଚ୍ଚମାନର ସାଙ୍ଗିତିକତା ପାଇଁ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହେଲା । ପରିବେଷଣର ଭିନ୍ନତା ଦୃଷ୍ଟିରୁ ପାଲାକୁ ତିନି ଭାଗରେ ପର୍ଯ୍ୟାୟଭୁକ୍ତ କରାଯାଇଛି । ସେ ଗୁଡ଼ିକ ହେଲା ଯଥା- ୧) ଠିଆ ପାଲା, ୨) ବୈଠିକି ପାଲା, ୩) ବାଦିପାଲା । ଓଡ଼ିଆ ପାଲା ଆସାମୀ ଓ ବଙ୍ଗଳା ପାଲାରୁ ଆସିଥିବା ସମାଲୋଚକମାନେ ମତ ପ୍ରକାଶ କରିଛନ୍ତି । କିନ୍ତୁ ଏହାର ପ୍ରାମାଣିକତା ସମ୍ବନ୍ଧରେ କୌଣସି ସଠିକ୍ ତଥ୍ୟ ମିଳେ ନାହିଁ । ବଙ୍ଗଳାର କବିକର୍ଣ୍ଣଙ୍କ କିଛି ପାଲାର ବିଷୟବସ୍ତୁ କେତେକ ସ୍ଥାନର ଓଡ଼ିଆ କାବ୍ୟ, କବିତା ଓ ପୂରାଣ ଆଧାରରେ ପରିବେଷିତ ହେବା ଦେଖିବାକୁ ମିଳେ । ଊନବିଂଶ ଶତକର ଶେଷ ପର୍ଯ୍ୟାୟ ବେଳକୁ ପାଲା ଏକ ସୁଗଠିତ ତଥା ଲୋକପ୍ରିୟ ନାଟ୍ୟ ପରମ୍ପରା ଭାବରେ ପରିଚିତ ହେବାକୁ ଆରମ୍ଭ କଲା । ଏହାର ପରବର୍ତ୍ତୀ ପର୍ଯ୍ୟାୟର ଅର୍ଥାତ୍ ବିଂଶ ଶତକର ପ୍ରାରମ୍ଭରେ ଏହା ଗାୟକ ସମ୍ରାଟ ବିଶ୍ୱନାଥ ପାଟ୍ଟଯୋଶୀ, କବି ମଂଜୁଳ କୃଷ୍ଣ ପ୍ରସାଦ ବସୁ, ଗାୟକ ଶିରୋମଣି ନିରଂଜନ କର, ଗାୟକ ରତ୍ନ ହରେକୃଷ୍ଣ ନାଥ, ଗାୟକ ବାଗ୍ମୀ ବୈଷ୍ଣବ ଚରଣ ପ୍ରଧାନ, ଗାୟକ ଭୂଷଣ ଘନଶ୍ୟାମ ନାୟକ, ଗାୟକ ଚନ୍ଦ୍ର ପରମାନନ୍ଦ ଶରଣ, ଗାୟକ ଯୁଗଜ୍ୟୋତି ଜଗନ୍ନାଥ ବେହେରା ଆଦି ପାଲାକାରଙ୍କ ଗଭୀର ପାଣ୍ଡିତ୍ୟ, କଳାପ୍ରବଣତା ତଥା ତ୍ୟାଗ ବଳରେ ପାଲା ଚରମ ଉତ୍କର୍ଷ ଲାଭ କରିଥିଲା । ଏମାନଙ୍କ ସମୟକୁ ପଲାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ । ବିଷୟ ବସ୍ତୁର ଭିନ୍ନତା ଦୃଷ୍ଟିରୁ, ପାଲାକୁ ଷୋହଳ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ଯଥା- ୧) ଜନ୍ମ ପାଲା, ୨) ପଦ୍ମଲୋଚନ ପାଲା, ୩) ମର୍ଦ୍ଧଗାଜି ପାଲା, ୪) ମର୍ଦ୍ଧ ଗାଜି ବିଭା ପାଲା, ୫) ବିଦ୍ୟାଧର ପାଲା, ୬) ମଦନ ସୁନ୍ଦର ପାଲା, ୭) ସଦାନନ୍ଦ ସୌଦାଗର ପାଲା, ୮) ମନୋହର ଫାଶ୍ୟାର ପାଲା, ୯) ଶଙ୍କର ଗୁଡ଼ିଆ ପାଲା, ୧୦) ଦୁର୍ଜନ ସିଂହ ପାଲା, ୧୧) ହେରାଚାନ୍ଦ ପାଲା, ୧୨) ଭାଗବତର ପାଲା, ୧୩) କାଠୁରିଆ ପାଲା, ୧୪) ଲକ୍ଷ୍ମଣ କୁମାର ପାଲା, ୧୫) ଅଭିନ୍ନ ମଦନ ପାଲା, ୧୬) ସ୍ୱର୍ଗାରୋହଣ ପାଲା । ତେଣୁ ଏହାକୁ ଷୋହଳପାଲା ଭାବରେ ମଧ୍ୟ ନାମିତ କରାଯାଇଛି । କିନ୍ତୁ ବର୍ତ୍ତମାନ ସମୟରେ ଉଭୟ ସଂସ୍କୃୃତ ଏବଂ ଓଡ଼ିଆ ଭାଷରେ ରଚିତ ମହାପୁରାଣ, ଉପପୂରାଣ, ମହାକାବ୍ୟ, କାବ୍ୟ ଏବଂ କବିତାମାନଙ୍କ ପ୍ରୟୋଗ ହେତୁ ପାଲାର ବିଷୟବସ୍ତୁ ଏହି ଉପରବର୍ଣ୍ଣିତ ଷୋହଳ ପାଲାର ଚାରିକାନ୍ଥ ଡ଼େଇଁ ବ୍ୟାପକତା ଲାଭ କରିବାରେ ସକ୍ଷମ ହୋଇ ପାରିଛି । ପ୍ରାଥମିକ ପର୍ଯ୍ୟାୟରେ ପାଲା, ତିନୋଟି କଳାକାରଙ୍କ ଦ୍ୱାରା ପରିବେଷିତ ହେଉଥିଲା, ପରବର୍ତ୍ତୀ ପର୍ଯ୍ୟାୟରେ ପାଞ୍ଚଜଣ ଏବଂ ବର୍ତ୍ତମାନ ଅନେକାଂଶରେ ଛଅଜଣ କଳାକାରଙ୍କ ଦ୍ୱାରା ପରିବେଷିତ କରାଯାଉଛି । ପାଲାର କଳାକାରମାନଙ୍କ ନେତୃତ୍ୱ ନେଉଥିବା ମୁଖ୍ୟ କଳାକାରଙ୍କୁ ଗାୟକ, ମୃଦଙ୍ଗ ବାଦନ କରୁଥିବା କଳାକାରଙ୍କୁ ବାୟକ, ଏବଂ ଅନ୍ୟ ସମସ୍ତଙ୍କୁ ପାଳିଆ କୁହାଯାଏ । ତତ୍ ସହିତ ପାଳିଆ ମାନଙ୍କ ମଧ୍ୟରୁ ମୁଖ୍ୟ ପାଳିଆଙ୍କୁ ଶ୍ରୀପାଳିଆ କୁହାଯାଏ । ସଂଗୀତ ପ୍ରଧାନ ଏହି ପାରମ୍ପରିକ ଲୋକନାଟକର ମଧ୍ୟଯୁଗିୟ ଓଡ଼ିଆ ଛାନ୍ଧ, ଚଉପଦୀ, ଚଉତିଶା, ଭଜନ, ଜଣାଣ ଆଦି ବିଭିନ୍ନ ଓଡ଼ିଶୀ ସଂଗୀତ ଆଧାରିତ ରାଗର ପ୍ରୟୋଗ ଦ୍ୱାରା ପରିବେଷିତ ହୋଇଥାଏ ଯଥା :- ଚୋଖି, ବଙ୍ଗଳାଶ୍ରୀ, କାମୋଦି, କେଦାର, ବରାଡ଼ି ଏବଂ ଅନ୍ୟାନ୍ୟ । ଗାଁ ସାହି ମଝି ରାସ୍ତା, କିମ୍ବା କୋଠାଘର ବାରଣ୍ଡା ଅଥବା ମନ୍ଦିର ସମ୍ମୁଖରେ ଚାରିକୋଣରେ ଚାରିଖୁଣ୍ଟ ସାହାରାରେ ବନ୍ଧା ଯାଇଥିବା ଚାନ୍ଦୁଆ ତଳେ ଏହାର ପରିବେଷଣ ଆୟୋଜନ କରାଯାଇଥାଏ । ସାଧାରଣତଃ ମୃଦଙ୍ଗ, ଝାଞ୍ଜ, ମଞ୍ଜିରା, ରାମତାଳି ଓ ଦାସକାଠିକୁ ଏଥିରେ ବାଦ୍ୟଯନ୍ତ୍ର ଭାବରେ ବ୍ୟବହାର କରାଯାଇଥାଏ । ପ୍ରାଚୀନ ଓ ମଧ୍ୟଯୁଗୀୟ ରାଜ ଦରବାରର ମନ୍ତ୍ରୀ କିମ୍ବା ରାଜାମାନଙ୍କ ଭଳି ଧୋତି କୁର୍ତ୍ତା ଏବଂ ଉତ୍ତରୀୟକୁ ପାଲା ପରିବେଷଣର ପୋଷାକ ଭାବରେ ବ୍ୟବହାର କରାଯିବା ସହ ଅତ୍ୟନ୍ତ ସାଧାରଣ ପାରମ୍ପରିକ ପ୍ରସାଧନକୁ ମୁଖସଜ୍ଜା କ୍ଷେତ୍ରରେ ବ୍ୟବହାର କରାଯାଏ । ସତ୍ୟନାରାୟଣଙ୍କ ପ୍ରତୀକାତ୍ମକ କଳେବରକୁ ଏକ ଚଉକି ଉପରେ ମଞ୍ଚରେ ସ୍ଥାନିତ କରି ଗାୟକ ଚାମର ଚାଳନା ସହ ମଙ୍ଗଳା ଚରଣ ପାଠକରି ଏହାର ପରିବେଷଣ ଆରମ୍ଭ କରିଥାନ୍ତି ।
ସାଂପ୍ରତିକସ୍ଥିତି :
୧) ପ୍ରାରମ୍ଭିକ ପର୍ଯ୍ୟାୟରେ ପାଲା କେବଳ ସତ୍ୟନାରାୟଣ ପୂଜାରେ ପାଠ କରାଯାଉଥିଲା । ଏହା କେବଳ ସତ୍ୟନାରାୟଣଙ୍କ ଲୀଳା ଉପରେ ପର୍ଯ୍ୟବେଷିତ ଥିଲା କିନ୍ତୁ ବିଂଶ ଶତକର ପ୍ରାରମ୍ଭିକ ପର୍ଯ୍ୟାୟରେ ରାମାୟଣ, ମହାଭାରତ, ଅଷ୍ଟାଦଶ ପୂରାଣ ଓ ଉପପୂରାଣ, କିମ୍ବଦନ୍ତି ଆଦିର ପ୍ରୟୋଗ ଫଳରେ ଏହା ଏକ ସମୁନ୍ନତ ନାଯ୍ୟ ପରମ୍ପରାର ମାନ୍ୟତା ଲାଭ କଲା ।
୨) ପ୍ରଥମେ ଚାରିକୋଣରେ ଚାରୋଠି ବାଉଁଶ ଖୁଣ୍ଟ ଉପରେ ବନ୍ଧା ଯାଇଥିବା ଚାନ୍ଦୁଆ ତଲେ କୌଣସି ବୈଦ୍ୟୁତିକ ଯନ୍ତ୍ରପାତିର ବିନା ସାହାରାରେ ଏହା ପରିବେଷିତ ହୋଇଥାଏ । କିନ୍ତୁ ତିନି ଦଶନ୍ଧି ଧରି ଆଧୁନିକତା ପ୍ରଭାବରେ ପାଲା ମଞ୍ଚକୁ ମାଇକ୍ରୋଫୋନ୍, ବିଦ୍ୟୁତ୍ ବଲବ, ଫନେଲ୍, ସାଉଣ୍ଡ ବକ୍ସ ଆଦି ପ୍ରବେଶ କରିପାରିଛି ।
୩) ବିଂଶ ଶତକର ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ପାଲାର ମଂଚ ସଜ୍ଜା କିମ୍ବା ବେଶପୋଷାକ ତଥା ମୁଖ୍ୟ ପ୍ରସାଧନରେ କୌଣସି ପରିବର୍ତ୍ତନ ଆସିନାହିଁ ।
୪) ୧୯୬୦ ରୁ ୧୯୭୦ ମସିହା ମଧ୍ୟରେ ଝାରଖଣ୍ଡରୁ ଆସି ପ୍ରଥମେ ମୀନ କୁମାରୀ ବାଇ, ମୟୂରଭଞ୍ଜରେ ପାଲା ପ୍ରଶିକ୍ଷଣ ନେଇ ପ୍ରଥମ ମହିଳା ପାଲା ଗାୟିକାର ମାନ୍ୟତା ହାସଲ କରିଥିଲେ । ସେବେଠାରୁ ଆଜି ଯାଏ ବହୁ ମହିଳା ପାଲା କ୍ଷେତ୍ରରେ ପ୍ରବେଶ କରି ଏହି ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଆଦ୍ୟାବଧି ଓଡ଼ିଶାରେ ଏକ ଶହଠୁ ଅଧିକ ପାଲା ଗାୟିକା ଏବଂ ପାଞ୍ଚ ଶହରୁ ଅଧିକ ମହିଳା ପାଲିଆ ଥିବା କଥା ଜଣାପଡ଼ିଛି ।
୫) ଅଧୁନା ପାଲାରେ ପରିବେଷିତ କରାଯାଉଥିବା ଆଲବମ୍ କିମ୍ବା ଚଳଚ୍ଚିତ୍ରର ଗୀତ ନୃତ୍ୟକୁ ଦେଖିଲେ ଏହା ଆଧୁନିକତା ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡ଼େ ।
୬) ପାଲା ନାଟ ମାଧ୍ୟମରେ ବହୁ କଳାକାର ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହ ନିଜ ଗୁଜୁରାଣ ମେଣ୍ଟେଇବାର ଏକ ସମୃଦ୍ଧ ଜୀବିକା ଭାବରେ ଗ୍ରହଣ କରିପାରିଛନ୍ତି ।
୭) ଆଜି ଅନ୍ୟାନ୍ୟ ଲୋକନାଟକ କିମ୍ବା ପାରମ୍ପରିକ ନାଟକ ଭିଳି ବିଭିନ୍ନ ସାମାଜିକ, ରାଜନୈତିକ ସମସ୍ୟା ତଥା ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ପ୍ରମୂଖ ଭୂମିକା ନିର୍ବାହ କରୁଛି ।
୮) ଦୀର୍ଘ ଦେଢ଼ବର୍ଷ ଧରି ବିଶେଷ କରି ଗତ ମାର୍ଚ୍ଚ ୨୩, ୨୦୨୦ ଠାରୁ ବିଶ୍ୱ ମହାମାରି କରୋନା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ କଟକଣା ପାଇଁ ଲୋକନାଟକ ତଥା ପାରମ୍ପରିକ ଲୋକନାଟକ ଗୁଡ଼ିକର ପରିବେଷଣ-ବନ୍ଦ ରହିଛି । ଫଳତଃ କଳାକାରମାନେ ଜୀବିକା ଅଭାବରୁ ଅତ୍ୟନ୍ତ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ତନ୍ମଧ୍ୟରୁ ବହୁ ଗ୍ରାମାଞ୍ଚଳର କଳାକାର ଗାଁ ଛାଡ଼ି ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଚାଲିଗଲେଣି ଏବଂ ଗାଁ ଆଖଡ଼ା ମାନ ମଧ୍ୟ ବନ୍ଦ ହୋଇଗଲାଣି ।
ଏହାର ପ୍ରଶିକ୍ଷଣ, ପରିବେଷଣ, ପ୍ରୋତ୍ସାହନ ତଥା ଗବେଷଣା କ୍ଷେତ୍ରରେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ତରଫରୁ ସେଭଳି କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଇନାହିଁ । ୨୦୨୦ ମସିହାର ଦିକ୍ଷାନ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ଦ୍ଦିଷ୍ଟ କେତେକ ଗୁରୁତ୍ୱ କିଛି ଶିଷ୍ୟଙ୍କ ପ୍ରଶିକ୍ଷଣ ଦେବା ଦାୟିତ୍ୱ ପ୍ରଦାନ କରାଯାଇଛି ।
ଶେଷ କଥା :
ଆଧୁନିକତା ଏବଂ ଜଗତିକରଣ ଯୁଗରେ ଆମ ଲୁପ୍ତ ଏବଂ ଲୁପ୍ତ ପ୍ରାୟ ଲୋକନାଟକ ତଥା ପାରମ୍ପାରିକ ଲୋକ ନାଟକଗୁଡ଼ିକର ସ୍ଥିତି ତଥା ଏହାର ଅତୀତ ଗୌରବ ପୁନରୁଦ୍ଧାର ନିମନ୍ତେ ଦୀର୍ଘ ଦୁଇ ଦଶନ୍ଧି ଧରି ସମାଲୋଚକ, ସମୀକ୍ଷକ, ଗବେଷକ ତଥା ବିଦ୍ୱାନମାନଙ୍କ ମନରେ ଏକ ମାନସ ମନ୍ଥନ ଚଳି ଆସୁଛି । ଏ ଦିଗରେ ବହୁବାର ସଭା, ସମିତି, ଆଲୋଚନା ଆୟୋଜିତ ହେବା ସହ ବହୁ ଲେଖା ମଧ୍ୟ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହେଉଛି । ଏସବୁ ଦୃଷ୍ଟିରୁ ଆମର ଆଧୁନିକ ନାଟ୍ୟକାରମାନେ ମଧ୍ୟ ଲୋକନାଟକ ତଥା ପାରମ୍ପରିକ ଲୋକନାଟକଗୁଡ଼ିକର ନାଟକୀୟ ଉପାଦାନ ମାନଙ୍କୁ ସେମାନଙ୍କ ନାଟକର ପରୀକ୍ଷାମୂଳକ ଭାବରେ ବ୍ୟବହାର କରିଛନ୍ତି । ଅପରପକ୍ଷରେ ଏହି ବର୍ଗର ନାଟକ ଗୁଡ଼ିକୁ ସାମାଜିକ, ରାଜନୈତିକ ସମସ୍ୟାର ବାର୍ତ୍ତାବହ ଭାବରେ ବ୍ୟବହାର କରିବା ସହ ମ୍ୟାଲେରିଆ, ଡେଙ୍ଗୁ, ଏଡ଼ସ୍, କରୋନା ଆଦି ରୋଗର ସମ୍ବନ୍ଧୀୟ ଜନ ସଚେତନତା ସୃଷ୍ଟି ନିମନ୍ତେ ବ୍ୟବହାର କରାଯାଉଛି । ଏସବୁ ଦୃଷ୍ଟିରୁ ବିଚାର କଲେ ଆମ ଉଭୟ ଲୋକନାଟକ ଏବଂ ପାରମ୍ପରିକ ଲୋକ ନାଟକ ଯେ ବିପର୍ଯ୍ୟୟମୁଖି ଏହା ନିଃସନ୍ଦେହ । ଏହି ସ୍ଥିତି ଯଦି ଅପରିବର୍ତ୍ତିତ ରହେ ତେବେ ଆମର ଉତ୍ତର ପିଢ଼ି ପାଇଁ ଏହାର ବିଷୟବସ୍ତୁ ତଥା ପରିବେଷଣ ସ୍ୱପ୍ନ ପାଲଟିଯିବ । ଏହାକୁ ସେମାନେ କବେଳ ଗୁଗୁଲ କିମ୍ବା ୟୁଟୁବ୍ରୁ ହିଁ ପ୍ରାପ୍ତ ହୋଇପାରିବେ । ଏହାର ସାମାଜିକ, ସାଂସ୍କୃତିକ ତଥା ନୈତିକ ମୂଲ୍ୟବୋଧ ଆମ ପାଇଁ ଭବିଷ୍ୟତରେ ମହଙ୍ଗା ପଡ଼ିବ । ତେଣୁ ଏହାର ପରିବେଷଣ, ପ୍ରଶିକ୍ଷଣ, ପ୍ରୋତ୍ସାହନ ତଥା ଗବେଷଣା ଦିଗରେ ଉଭୟ ସରକାରୀ ତଥା ବେସରକାରୀ ସ୍ତରରେ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହ ଏହାର ଅତୀତର ଗୌରବର ପୁନରୁଦ୍ଧାର କରିବା ଦିଗରେ ଯତ୍ନବାନ ହେବାପାଇଁ ଏହା ପ୍ରକୃଷ୍ଟ ସମୟ ।
Photo credit- https://bit.ly/3HIj9zK