ଭଦ୍ରକର ଲୋକକଳା

15 Min Read

[box type=”shadow” align=”” class=”” width=””]ଲେଖକ, ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ମହାନ୍ତି ଭଦ୍ରକ ଜିଲ୍ଲାର ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନର ହସ୍ତକଳା ସମ୍ପର୍କରେ ଲେଖା ଭିତରେ ଅନେକ ସୂଚନା ଦେଇଛନ୍ତି । ରାଜ୍ୟର ଲେଖକ ଓ କଳାପ୍ରେମୀମାନଙ୍କୁ ସ୍ଥାନିତ ହୋଇନଥିବା ଅନ୍ୟ ବିଷୟ ଗୁଡ଼ିକ ଉପରେ ଲେଖିବାପାଇଁ ଅନୁରୋଧ । ଏହିଭଳି ଲୋକକଳା ସଂସ୍କୃତିର ଉପସ୍ଥାପନା କରି ସାମଗ୍ରିକ ଭାବରେ ଓଡ଼ିଶାର କଳାସଂସ୍କୃତିକୁ ଏକାଠି କରି ଦେଖିବାର ସୁଯୋଗ ପାଠକମାନଙ୍କୁ ମିଳିପାରିବ ଓ ଏହାର ସୁରକ୍ଷାପାଇଁ କେଉଁଭଳି ଉଦ୍ୟମ ଆବଶ୍ୟକ ସେହିସବୁ ବିଷୟ ଗୁଡ଼ିକୁ ଅନୁଧ୍ୟାନ କରିବା ସହଜ ହେବ ।                                 -ସମ୍ପାଦକ[/box]

Support Samadhwani

ଆଦିବାସୀମାନେ କେବଳ ଘରକୁ ସୁନ୍ଦର ଭାବେ ସଜାନ୍ତି ନାହିଁ, ଦେହରେ ମଧ୍ୟ ଚିତା କୁଟାଇ ନିଜକୁ ସଜ୍ଜିତ କରିଥାନ୍ତି । ଏବେ ଏବେ ଦେହରେ ଚିତା କୁଟାଇବା ଏକ ଫେସନରେ ପରିଣତ ହେଲାଣି । ଆଗରୁ ନାରୀମାନେ ଦେହରେ ଚିତା କୁଟାଉଥିବା ବେଳେ ଏବେ ପୁରୁଷମାନେ ମଧ୍ୟ ଦେହରେ ଚିତା କୁଟାଉଛନ୍ତି । ଏହାକୁ ଆଧୁନିକ ଯୁଗରେ ‘ଟାଟୁ’ କୁହାଯାଉଛି । ଏଥିପାଇଁ ମେସିନର ବ୍ୟବହାର କରାଯାଉଛି । ପୂର୍ବରୁ କେଲୁଣିମାନେ ବୁଲି ବୁଲି ଅଳତା, ସ୍ନୋ, ପାଉଡ଼ର ବିକ୍ରି କରିବା ସହ ଚିତା କୁଟାଉଥିଲେ । ନିଜ ଦେହକୁ ଚିତା କୁଟେଇ ବିଭିନ୍ନ ବେଶଭୂଷା, ଅଳଙ୍କାରରେ ସଜାଇବା ନାରୀମାନଙ୍କର ଏକ ପୁରାତନ ପିପାସା । ଏହି ସାଜସଜା ହିଁ ଲୋକକଳାର ଅନ୍ୟତମ ଅଙ୍ଗ । ହଳଦୀ, କୁଙ୍କୁମ, ଚନ୍ଦନ, ସିନ୍ଦୁର, କଜ୍ୱଳ, କସ୍ତୁରୀ, ତିଳକ ଦ୍ୱାରା ମୁଖମଣ୍ଡଳ ଚିତ୍ରିତ କରିବା ସହ ହରଗଉରା ଫୁଲ, ମେଞ୍ଚୁଆତି ପତ୍ରରେ ହାତ ପାପୁଲି, ଅଙ୍ଗୁଳିରେ ଲେପ ଲଗାଇ ନାରୀମାନେ ନିଜକୁ ରଞ୍ଜିତ କରୁଥିଲେ । ମୁଖମଣ୍ଡଳରେ ଅଙ୍କିତ ଚିତାକୁ କୁଟାଇ ଚିତା କହନ୍ତି । ଏହା ସ୍ଥାୟୀଭାବେ ଦେହରେ ମରିବା ଯାଏ ରହୁଥିଲା । ଆଗରୁ ଈଶ୍ୱରଙ୍କ ନାମ ମଧ୍ୟ ଦେହରେ କୁଟାଉଥିଲେ । କେଲୁଣୀମାନେ ଗାଁ ଗାଁ ବୁଲି ଚିତା କୁଟେଇବାବେଳେ ଲୋକ ଗୀତର ମଧ୍ୟ ସହାୟତା ନେଉଥିଲେ । ଯଥା –

“କାଳି ଦେହେ ଚିତା ଗୋଟି ଅଙ୍ଗେ ଶହେ ଟଙ୍କା

ଗୋରୀ ଦେହେ ଚିତା ଗୋଟି ସହସ୍ରେ ଅଧିକା

Support Samadhwani

ଗୋ ଦିଅ ଆଣି

ଗୀତେ ଭଣେ ସୁଲକ୍ଷ୍ମୀ କେଲୁଣୀ ।”

ଏହି ଚିତା ବେତ କଣ୍ଟାରେ ଫୁଟାଇ ଅବା ଛୁଞ୍ôଚ ସାହାଯ୍ୟରେ କୁଟାଇ ପତ୍ରରସ ଓ କଳାଗୁଣ୍ଡକୁ ତା’ ଉପରେ ଘସିଥାଆନ୍ତି । ଫଳରେ ରଙ୍ଗ ଚମ ସହିତ ମିଶି ସ୍ଥାୟୀ ହୋଇଥାଏ । ରାଧାକୃଷ୍ଣ, ରାମସୀତା, ଗଣେଷ, ଜଗନ୍ନାଥ, ଶୁଆସାରୀ, ହାତୀ, ଫୁଲ ଇତ୍ୟାଦି ଏଥିରେ ପ୍ରଧାନ ବିଷୟ ଭାବେ ସ୍ଥାନ ପାଉଥିଲା । ଭଦ୍ରକ ଜିଲ୍ଲାର ଏ ପ୍ରକାର ଚିତା କେଲୁଣୀମାନେ ବୁଲି ବୁଲି ଗାଁ ଗହଳିର ସ୍ତ୍ରୀଲୋକ ମାନଙ୍କ ହାତରେ ଜଗନ୍ନାଥଙ୍କ ନାମ ଲେଖିବା ହରେକୃଷ୍ଣ ଏବଂ ଅନେକ ପୌରାଣିକ ନାମ ମଧ୍ୟ ନିଜ ନାମ ଲେଖାଉଥିଲେ । ପ୍ରବାଦ ଅଛି ମଲାବେଳେ ଏହି ନାମ ସାଥିରେ ଗଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏବେ ଏବେ ସେ କେଲୁଣିମାନେ ଆଉ ଦେଖିବାକୁ ମିଳୁନାହାଁନ୍ତି । ଏ ଦେଶର ଅନ୍ୟ ଏକପ୍ରକାରର ‘କୁଟେଇ ଚିତା’ ରୀତି ପ୍ରଚଳିତ ଅଛି । ଏହା ମଧ୍ୟ ଲୋକକଳା ଅନ୍ତର୍ଗତ । ଏବେ ଏହା ପ୍ରାୟ ପରିତ୍ୟକ୍ତ ହେବାକୁ ବସିଲାଣି । ମାତ୍ର ପୂର୍ବେ ଏହାପ୍ରତି ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀ ମାନଙ୍କର ଉକ୍ରଟ ବାସନା ଥିବାର ଜଣାଯାଇଥାଏ । ପୂର୍ବେ ବିଶ୍ୱାସ ଥିଲା ଯେ ଯେଉଁ ସ୍ତ୍ରୀ ଦେହର କୌଣସି ଅଂଶରେ ଚିତାକୁଟା ନଯାଏ, ତାକୁ କଠୋର ଯମ ଯନ୍ତ୍ରଣା ଭୋଗିବାକୁ ପଡ଼େ । ଏବେ ମଧ୍ୟ କେତେକ ବୃଦ୍ଧା ପୌଢ଼ମାନଙ୍କ ଦେହର ଅଂଶବିଶେଷକୁ ଲକ୍ଷ୍ୟ କଲେ ଦେଖାଯିବ ଯେ ସେମାନଙ୍କ ବାହୁରେ, ହସ୍ତ ପାପୁଲିରେ, ଗୋଡ଼ର ନିମ୍ନାଂଶରେ ଅତି ସୁନ୍ଦର ଆଳଙ୍କାରିକ କୁଟେଇ ଚିତାରେ ମଣ୍ଡିତ ହୋଇଥିବା ଦେଖାଯାଏ । ଏବେ ଏବେ ଏହା ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଆଧୁନିକ ଗୀତରୁ ମଧ୍ୟରୁ ବାରି ହୋଇଥାଏ । ଯଥା –

“ଦେହରେ କୁଟାଇ ତୋର ରାଧାକୃଷ୍ଣ ମୁରତୀ

ଭୁଲି କି ଗଲୁ ଲୋ ଗୋରୀ ମୋର ଚୋରା ପିରତୀ ।”

ଓଡ଼ିଶାର ଅନ୍ୟ ଏକ ଲୋକକଳା ହେଲା ପଟ୍ଟଚିତ୍ର । ଚିତ୍ରକର ସଂପ୍ରଦାୟର ଲୋକମାନେ ଏହାକୁ ତିଆରି କରିଥାଆନ୍ତି । ପୁରୁଣା ଲୁଗାକୁ ପରସ୍ତ ପରସ୍ତ କରି ତେନ୍ତୁଳି ମଞ୍ଜି ଅଠାରେ ଯୋଡ଼ି ତା’ ଉପରେ ଖଡ଼ି ଓ ଅଠାର ମଣ୍ଡ ଦେଇ ମୋଟା କରିଦିଅନ୍ତି । ତାହା ଖରାରେ ଶୁଖିଗଲା ପରେ ପଥରରେ ଘଷି ତାକୁ ଚିକ୍କଣ କରି ତହିଁ ଉପରେ ଚିତ୍ର ଆଙ୍କିଥାନ୍ତି । ଏଥିପାଇଁ କୌଣସି ନିୟମ ନାହିଁ । ଚିତ୍ରକର ପରିବାରର ପୁରୁଷ ଠାରୁ ସ୍ତ୍ରୀ ଲୋକ ପର୍ଯ୍ୟନ୍ତ ସମସ୍ତେ ମିଳିତ ଭାବେ ଏଥିରେ ଅଂଶଗ୍ରହଣ କରନ୍ତି । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ରୂପ, ବଡ଼ ଠାକୁରଙ୍କ ବିଭିନ୍ନ ବେଶ, ରାଧାକୃଷ୍ଣଙ୍କ ରାସଲୀଳା, ଗୋପଲୀଳାର ବିଭିନ୍ନ ଦୃଶ୍ୟ, ଦଶାବତାର ଚିତ୍ର, ନବଗୁଞ୍ଜର ଏବଂ ରାମାୟଣର ବିଭିନ୍ନ ଦୃଶ୍ୟ ହିଁ ପଟ୍ଟଚିତ୍ରର ପ୍ରଧାନ ବିଷୟବସ୍ତୁ । ଏତଦ୍ବ୍ୟତୀତ ପୌରାଣିକ କଥାବସ୍ତୁ  ଗଣେଷ ଓ ଶିବଙ୍କର ନଟରାଜ ଚିତ୍ର ଇତ୍ୟାଦି ମଧ୍ୟ ସ୍ଥାନ ପାଇଥାଏ । ବିଶେଷକରି ଜଗନ୍ନାଥଙ୍କର ଦଶାବତାର, ମାଣିକ ଗଉଡ଼ୁଣୀ ଓ କାଞ୍ôଚିବିଜୟ ଚିତ୍ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ।

ପୁରୀର ରଘୁରାଜପୁରକୁ ପଟ୍ଟ ଗ୍ରାମର ମାନ୍ୟତା ଦିଆଯାଇଛି । ମୁଖ୍ୟ ଛବିର ଚାରିକଡ଼କୁ ନାଗବନ୍ଧ ପୁଷ୍ପରେ ସଜ୍ଜିତ କରିଥିବାର ମଧ୍ୟ ଦେଖାଯାଏ । ପଟ୍ଟ ଚିତ୍ର ଶୈଳୀରେ ଯୌତୁକ ପେଡ଼ି, ମୁଖା, କଣ୍ଡେଇକୁ ମଧ୍ୟ ଚିତ୍ରିତ କରାଯାଇଥାଏ ।  ପଟ୍ଟ ଚିତ୍ରର ଅନ୍ୟ ଏକ ବିଶେଷତା ହେଲା ଯେ ଛବିର ପୂର୍ଣ୍ଣତା ପରେ ଛବିର ବିଷୟବସ୍ତୁ ତଳେ ଗୀତ ଆକାରରେ ଲେଖି ଦେଇଥାନ୍ତି । ପଟ୍ଟ ଚିତ୍ରର ମୁଖ ଗୋଟିଏ ପଟକୁ କିମ୍ବା ଶରୀରର ଦୁଇ ତୃତୀୟାଂଶ ଦେଖିବାକୁ ମିଳିଥାଏ । ଏହି ପଟ୍ଟ ଚିତ୍ରରେ ବ୍ୟବହୃତ ରଙ୍ଗ ଗୁଡ଼ିକ ଯେମିତିକି ନାଲି, ହଳଦିଆ, ନୀଳ ଏବଂ କଳା ରେଖା ହିଁ ପଟ୍ଟ ଚିତ୍ରର ମୁଖ୍ୟ ଅଂଶଗ୍ରହଣ କରିଥାଏ । ଏହି ଚିତ୍ର ମୁଖ୍ୟତଃ ପୁରୀ, ରଘୁରାଜପୁର, ନୟାଗଡ଼, ଗଞ୍ଜାମର ଦିଗପହଣ୍ଡି, ଚିକଟୀ, ପାରଳାଖେମୁଣ୍ଡି ଇତ୍ୟାଦି ଅଞ୍ଚଳରେ ଅଧିକ ପରିମାଣରେ ଦେଖିବାକୁ ମିଳୁଥିବା ବେଳେ ଭଦ୍ରକର କଳାମହାବିଦ୍ୟାଳୟ ପ୍ରତିଷ୍ଠାପରେ ତାର ଛାତ୍ରମାନେ ଏପ୍ରକାର ପଟ୍ଟ ଚିତ୍ର ଆଙ୍କିଥାନ୍ତି ।  ଅନେକ ସମୟରେ ଏହି ପଟ୍ଟ ଗୁଡ଼ିକ ଲମ୍ବ ଭାବରେ ଚିତ୍ରତ କରି ପଟ୍ଟି ଭଳି ଗୁଡ଼ାଇ ରଖାଯାଉଥିବାରୁ ଏହାର ନାମ ପଟ୍ଟ ଚିତ୍ର ହୋଇଛି । କିନ୍ତୁ କନାରେ ତେନ୍ତୁଳି ମଞ୍ଜି ଓ ଖଡ଼ିର ଲେପନରୁ ସୃଷ୍ଟି କରାଯାଉଥିବା ଆଧାରକୁ ପଟ୍ଟ କୁହାଯାଏ । ଏଥିରେ ଅଙ୍କା ଯାଉଥିବା ଚିତ୍ରକୁ ପଟ୍ଟ ଚିତ୍ର କହିଥାନ୍ତି ।

ଗାଁ ମୁଣ୍ଡରେ ଥିବା ଗ୍ରାମ ଦେବତୀ ଗ୍ରାମର ରକ୍ଷାକର୍ତ୍ତୀ ଭାବେ ବର, ଓସ୍ତ ଅବା ନିମ୍ବ ଗଛ ମୂଳରେ ପୂଜା ପାଉଥିବା ଦେଖିବାକୁ ମିଳେ । ଏହି ଠାକୁରାଣୀମାନେ ରାତ୍ରିରେ ଘୋଡ଼ା, ହାତୀ ଅଥବା ବାଘ ଉପରେ ସବାର ହୋଇ ଗ୍ରାମ ପରିକ୍ରମା କରୁଥିବାର ଉଦ୍ଭଟ କାହାଣୀମାନ ସର୍ବତ୍ର ଶୁଣାଯାଇଥାଏ । ଏମାନଙ୍କୁ ପୂଜା ଦେବାବେଳେ ମାଟିରେ ତିଆରି ଠେକି, ଦୀପ, ଘୋଡ଼ା, ହାତୀ, ମଣିଷ ଇତ୍ୟାଦି ଦେବାକୁ ପଡ଼ିଥାଏ । ଏଥିପାଇଁ ପୋଡ଼ାମାଟିରେ ଏସବୁ କୁମ୍ଭାର ସଂପ୍ରଦାୟର ଲୋକମାନେ ତିଆରି କରିଥାଆନ୍ତି, ଭଦ୍ରକ ଜିଲ୍ଲାର ଥିବା କୁମ୍ଭାରମାନେ ଏହି ଘୋଡ଼ା ପଣା ସଂକ୍ରାନ୍ତିରେ ତିଆରି କରୁଥିବା ବେଳେ ଟେରାକୁଟା କାମଗୁଡ଼ିକ ବାସୁଦେବପୁର, ଗେଲଟିଆ ପ୍ରଭୃତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ବ୍ୟତିତ କଳା ମହାବିଦ୍ୟାଳୟର ପିଲାମାନେ କରିଥାନ୍ତି । ଏହାକୁ ଏବେ ଟେରାକୋଟା ଭାବେ ବ୍ୟବହାର କରାଯାଉଛି । ଏହି ଟେରାକୋଟା ଶୈଳୀର ହାତୀ ଘୋଡ଼ାଠାରୁ ଆରମ୍ଭ କରି ଘର ସଜାଇବା ପାଇଁ ବିଭିନ୍ନ ଉପକରଣମାନ ବଜାରରେ ଉପଲବ୍ଧ ହେଲାଣି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସରକାରୀ ପ୍ରୋତ୍ସାହନରେ ଏହି ଶିଳ୍ପ ପ୍ରବଳ ମାତ୍ରାରେ ବଜାରରେ ମିଳିଲାଣି ।

ଏଥିସହ ଧାନକୁ ଲଗାଇ ବିଭିନ୍ନ ମୂର୍ତ୍ତି ଗଢ଼ିବା, ଝୋଟରେ ବିଭିନ୍ନ ମୂର୍ତ୍ତି ଗଢ଼ିବା ଓ ବେତ ବାଉଁଶରେ କୁଲାପାଛିଆ ପାଖରୁ ଯାବତୀୟ ଗୃହ ଉପକରଣମାନ କରାଯାଉଛି । ଗେଲଟିଆ, ବାସୁଦେବପୁର, ଆଗରପଡ଼ା, ବନ୍ତ ଇତ୍ୟାଦି ସ୍ଥାନମାନଙ୍କରେ ଧାନ ଓ ଝୋଟର କାମମାନ ଦେଖିବାକୁ ମିଳେ । ଜାନୁଗଞ୍ଜ, ପାଳିଆ, କାଳିମେଘା, ବାସୁଦେବପୁର, ଆରଡ଼ି ଅଞ୍ଚଳରେ ତାଳପତ୍ର,  ନଡ଼ିଆପତ୍ର, ବାଉଁଶ ଓ ବତାରେ ପ୍ରସ୍ତୁତ ହରେକରକମର ପାଛିଆ, ସିଡ଼ା, ଡ଼ାଲା, ଶେର, ମାଣ, ଧାନରଖିବାପାଇଁ ଡ଼ୋଲି, ଚଟେଇ, ଛାଞ୍ଚୁଣି ଇତ୍ୟାଦି ପ୍ରସ୍ତୁତ କରି ବିଭିନ୍ନ ମେଳାମାନଙ୍କରେ ବିଶେଷ କରି ଚମାର ସଂପ୍ରଦାୟର ଲୋକମାନେ ମେଳାମାନଙ୍କରେ ବିକ୍ରି କରିଥାନ୍ତି ।

ଅନ୍ୟ ଏକ ଲୋକକଳା ମଧ୍ୟରେ ମୁଖା ତିଆରି ଅନ୍ତର୍ଭୁକ୍ତ । ଲୋକ ନୃତ୍ୟରେ ଏସବୁର ବ୍ୟବହାର ହୋଇଥାଏ । ପ୍ରାଗୈତିହାସିକ ଯୁଗର ଶିକାରୀ ନିଜକୁ ପଶୁ ଭାବେ ସଜାଇବା ପାଇଁ ବିଭିନ୍ନ ପ୍ରକାର ମୁଖା ପ୍ରସ୍ତୁତ କରି ବ୍ୟବହାର କରିଥିଲା । ସେବେଠାରୁ ଏହା ପର୍ଯ୍ୟାୟକ୍ରମେ ଗଡ଼ିଗଡ଼ି ଆସି ଏବେର ମୁଖା ପ୍ରସ୍ତୁତ କରାଯାଇ ଦେଶୀୟ ନାଟରେ ବ୍ୟବହୃତ ହେଉଛି ।

ଲାଉଖୋଳରେ ଅଡ଼ୁଆ ବାଳ, ପକ୍ଷୀର ପର ବ୍ୟବହାର କରି ଆଦିବାସୀମାନେ ମୁଖା ପ୍ରସ୍ତୁତ କରୁଥିଲେ । ଶଶ୍ୟକ୍ଷେତ୍ରକୁ ବନ୍ୟଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ କ୍ଷେତରେ ଚିତ୍ରିତ ହାଣ୍ଡି ମଣିଷ ପ୍ରକୃତିର ଠିଆ କରାଯାଉଥିବାବେଳେ ପକ୍ଷୀର ପର ଲଗାଇ ଧାନ ଶୁଖେଇବା, କୃଷକମାନେ ବିଭିନ୍ନ ମୁଖା ଲଗାଇ ପଶୁ ପକ୍ଷୀଙ୍କୁ ଭୟଭୀତ କରିଆସୁଥିଲେ । ଏଥିସହ ଘୋଡ଼ା ନାଚ, ଷଣ୍ଢ ନାଚ, କାଳି, ଅସୁର ଅସୁରୁଣୀ, ରାଜାରାଣୀ, ବୁଢ଼ାବୁଢ଼ୀ ଇତ୍ୟାଦିର ମୁଖା ଓ ମୂର୍ତ୍ତି ପଟୁଆର ଆଦିରେ ବ୍ୟବହାର କରାଯାଇ ଲୋକମାନଙ୍କର ମନୋରଞ୍ଜନ କରାଯାଇଥାଏ । ଛିଡ଼ା କାଗଜକୁ ଅଠାରେ ମାରି ମୁଖା ଉପରେ ଛାଞ୍ଚ ପ୍ରସ୍ତୁତ କରାଗଲାପରେ ଏହାକୁ ରଙ୍ଗରେ ରଙ୍ଗୀନ କରାଯାଇଥାଏ ।

ଲୋକକଳାର ଅନ୍ୟ ଏକ ବିଭବ ହେଲା ସିବନ କଳା । ଏହା ସାଧାରଣତଃ ନାରୀମାନଙ୍କ କାର୍ଯ୍ୟରେ ଯଥା – କନ୍ଥା, ଚାନ୍ଦୁଆ, ବଟୁଆ ପାଇଁ ଦଉଡ଼ି, ଛିଡ଼ା ଲୁଗା କନା ଧଡ଼ିକୁ ନେଇ କନ୍ଥା ପ୍ରସ୍ତୁତି, କନାରେ ଫୁଲ, ଲତା, ପଶୁ, ପକ୍ଷୀ ପ୍ରଭୃତି ସଂପାଦିତ ହୋଇଥାଏ । ଆହୁରି ମଧ୍ୟ ନାରୀମାନଙ୍କ ଦ୍ୱାରା ସୁସ୍ୱାଦୁ ମିଠା ପ୍ରସ୍ତୁତି ବିଭିନ୍ନ ପ୍ରକାରର ହୋଇଥିବାବେଳେ ବଡ଼ି ଯଥା – ମଞ୍ଜି ବଡ଼ି, ଫୁଲ ବଡ଼ି, ଖସା ବଡ଼ି, ପୋସ୍ତ ବଡ଼ି, ଆଖୁ ବଡ଼ି ଓ ଶାଗୁ ବଡ଼ି ପ୍ରସ୍ତୁତ ହୋଇଥାଏ । ଲୋକକଳାର ପ୍ରଧାନ ଶିଳ୍ପୀ ହେଲେ ଗାଁ ଗହଳିର ସରଳ ଝିଅ ବୋହୂମାନେ । ଯେଉଁମାନଙ୍କ ହାତ ଦେଇ ପରମ୍ପରା କ୍ରମରେ ଏହା ସମାଜରେ ବଞ୍ଚି ରହିଛି । ଏହି ଶିବନକଳା ଭଦ୍ରକ ଅଞ୍ଚଳରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟମାନେ କରୁଥିବା ବେଳେ ଗାଁ ଗହଳିରେ ଥିବା ସ୍ତ୍ରୀ ଲୋକମାନଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥାଏ ।

କାଠ, ଶିଙ୍ଗ, ବାଉଁଶ, ହାତୀ ଦାନ୍ତ ଓ ରୂପାରେ ତିଆରି ପାନିଆ ଉପରେ କେତେକ ଚିତ୍ର ହୋଇଥିବାର ଦେଖାଯାଇଥାଏ । ସଉରା କନ୍ଧ ଓ ଜୁଆଙ୍ଗମାନେ ଏହି ଚିତ୍ର ବିଚିତ୍ର ପାନିଆ ତିଆରି କରିଥାଆନ୍ତି । ଶିତଳା ଜାତିର ଏକ ପ୍ରକାର ବାରବୁଲା ଜାତି ଗାଁକୁ ଗାଁ ବୁଲି ପିତ୍ତଳରେ ଡୋକରା କଣ୍ଡେଇ ତିଆର କରିଥାଆନ୍ତି । ଏତଦ୍ଭିନ୍ନ ଘଣ୍ଟରା, ଖରୁଡ଼ା, ଲୌହରା, ଘଟର ଗଣ୍ଡା ଜାତିର କାରିଗରମାନେ ଏ କାର୍ଯ୍ୟ କରିଥାଆନ୍ତି । ଏ ସମସ୍ତ କଳା ଲୋକକଳା ଅନ୍ତର୍ଭୁକ୍ତ । ଦୀପ, ଗଜଦୀପ, ମୟୁର, କଇଁଚ, କରାଟ, ପାନଡିବା, ଘୋଡ଼ା, ହାତୀ ଇତ୍ୟାଦି ଏମାନେ ତିଆରି କରିଥାନ୍ତି । ପିତ୍ତଳ ମାଛ କିନ୍ତୁ କଂସାରୀମାନେ ତିଆରି କରିଥାଆନ୍ତି । ଭଦ୍ରକ ଜିଲ୍ଲାରେ ଏହି ଶିତଳା ଜାତିର ବାରବୁଲା ଲୋକମାନଙ୍କୁ ଅନେକ ସମୟରେ ଗାଁ ଗହଳି ବୁଲି ପିତଳକୁ ତରଳାଇ ଡ଼ୋକରା କାମ କରୁଥିବାର ଦେଖିବାକୁ ମିଳୁଥାଏ ।  ସିମୁଳି, ପାଳଧୁଆ, ଦେବଦାରୁ ପ୍ରଭୃତି ହାଲକା କାଠରେ ଏହା ପ୍ରସ୍ତୁତ କରାଯାଇଥାଏ ।

ପଥରରେ ବାସନ ପୂଜା ପାଇଁ ମନ୍ଦିରରେ ବ୍ୟବହାର କରାଯାଇଥାଏ । ପଥରକୁ କାଟି ଥାଳି, ଥାଳିଆ, ଟୁକି ପ୍ରଭୃତି ପ୍ରସ୍ତୁତ କରାଯାଇଥାଏ ।  ଏହାଛଡ଼ା  ଶିବଲିଙ୍ଗ ଗଣେଷ, ଷଣ୍ଢ, ଦେବାଦେବୀ ମୂର୍ତ୍ତି, ଚକ୍ର, ଘୋଡ଼ା, ହାତୀ ପ୍ରସ୍ତୁତ କରିବାପାଇଁ ଭଦ୍ରକରେ ଏଭଳି ଶିଳ୍ପୀ ବିଶେଷ କେହି ନଥିବାରୁ ସୋରରୁ କିଛି ଶିଳ୍ପୀମାନେ ଆସି ଶିଳ୍ପକାମ ଏବେ ଏବେ ଆରମ୍ଭ କରିଛନ୍ତି । ରାଣୀତାଲ ଚରମ୍ପା ଅଞ୍ଚଳରେ ଏଭଳି କାର୍ଯ୍ୟ ହେଉଥିବାର ଦେଖିବାକୁ ମିଳେ । କିନ୍ତୁ ବିଚିତ୍ର କଥା ଘଣ୍ଟେସ୍ୱର ନରେନ୍ଦ୍ରପୁର ଅଞ୍ଚଳରେ ଶହ ଶହ ଶିବଲିଙ୍ଗ ମିଳିବା ଠାରୁ ପାଟଣା ମଙ୍ଗଳା, ଭଦ୍ରକର ଭଦ୍ରକାଳି, ପାଳିଆର ବିରଞ୍ôଚ ନାରାୟଣ ପ୍ରଭୃତି ମନ୍ଦିରମାନଙ୍କରେ ବହୁ ପରିମାଣରେ ପଥରମୂର୍ତ୍ତୀ ପୂଜା ପାଉଥିବାର ଦେଖିବାକୁ ମିଳିଥାଏ ।  ପୁରୀ, କୋଣାର୍କ, ଭୁବନେଶ୍ୱର, ବଉଳଗଡ଼ିଆ, ସୋର, ରେମୁଣା ପ୍ରଭୃତି ଏଥିପାଇଁ ପ୍ରସିଦ୍ଧ । ଜଉ କଣ୍ଡେଇ ବାଲେଶ୍ୱରର ପ୍ରମୁଖ ଲୋକକଳା ।

ଏତଦ୍ବ୍ୟତୀତ ନବରଙ୍ଗପୁରରେ ହେଉଥିବା ଜଉ ପେଡ଼ି ଓଡ଼ିଶାରେ ପ୍ରସିଦ୍ଧିଲାଭ କରିଛି । ଗାଁ ଗହଳିରେ ପାଟ ବିଲ, ହିଡ଼, ନଈ ପଠା ପ୍ରଭୃତି ସ୍ଥାନମାନଙ୍କରେ ହେଉଥିବା କାଇଁଚରୁ ବାହାରୁଥିବା କାଣ୍ଡ ପାକଳ ପରେ ଶରତ ଋତୁର ଶେଷ ଭାଗରେ ଏହାକୁ ସଂଗ୍ରହ କରାଯାଏ । କାଣ୍ଡ ଶୁଖିଲା ପରେ ଏହା ହଳଦୀ ବା ସୁନା ରଙ୍ଗ ଧାରଣ କରେ । ଏଥିରେ ସାଧାରଣତଃ ପେଡ଼ି, ପାଛିଆ, ମାଣ ପ୍ରସ୍ତୁତ ହେଉଥିବାବେଳେ ଏବେ ଟେବୁଲ ମ୍ୟାଟ୍, ଫରୁଆ, ନେଉଳ ପେଡ଼ି, ଟୋପି, ଫାଇଲ, ଫୋଲଡ଼ର, ଟ୍ରେ, ଫୁଲଡାଲା ଇତ୍ୟାଦି ତିଆରି ହୋଇଥାଏ । ଯାଜପୁରର ଗଡ଼ମଧୁପୁର, କେନ୍ଦ୍ରାପଡ଼ାର ଜଜାଙ୍ଗ ଓ ସୁନ୍ଦରଗଡ଼ରେ ଏହା ଦେଖିବାକୁ ମିଳୁଥିôବାବେଳେ ଭଦ୍ରକ ଜିଲ୍ଲା ଆରଡ଼ି ଚାନ୍ଦବାଲି ଅଞ୍ଚଳରେ ଏହା ଦେଖିବାକୁ ମିଳିଥାଏ ।

ତାଳଗଛର ମଞ୍ଜ ପତ୍ରକୁ ସଂଗ୍ରହ କରି ତାକୁ କମଣ କରି ଶୁଖେଇ ସାଇଜ ଅନୁଯାୟୀ କାଟି ତା’ ଉପରେ ଲେଖନୀ ସାହାଯ୍ୟରେ ଲେଖା କିମ୍ବା ଚିତ୍ର ଖୋଦନ କରାଯାଇଥାଏ । ଖୋଦନ ପରେ ଶିମ୍ବ ପତ୍ରକୁ ଘସି ଶୁଖାଇ ଦିଆଯାଏ । ପରେ ଏହା ପାଣିରେ ପକାଇ ପୁନଶ୍ଚ ଶୁଖାଯାଏ । ଏହା ଶୁଖିଗଲାପରେ କ୍ରମାନ୍ୱୟରେ ପତ୍ର ସହିତ ପତ୍ର ଯୋଡ଼ି ବର୍ଗାକାର ବା ଆୟତ୍ତାକାର ଭାବେ ସୂତା ସାହାଯ୍ୟରେ ସିଲେଇ କରିଥାଆନ୍ତି । ଏଥିରେ ଚିତ୍ର କରିବା, ରଙ୍ଗ ଦେବା ପରେ କେତେକକୁ ବନ୍ଧାଇ କରି ବଜାରକୁ ବିକ୍ରି ପାଇଁ ଛାଡ଼ିଥାଆନ୍ତି ।  ଚିତ୍ର ପୋଥିରେ ଉଷାଭିଳାଷ, ଗୀତଗୋବିନ୍ଦ, ବୈଦେହିସ ବିଳାସ, ଚଉଷଠୀ ରତି ବନ୍ଧ ପ୍ରଭୃତି ଲେଖାଯାଉଥିବାବେଳେ ଭଦ୍ରକ ଗାଁ ଗହଳିରେ ଭାଗବତ ଟୁଙ୍ଗୀରେ ଥିବା ରାମାୟଣ, ମହାଭାରତ, ଭାଗବତ ପ୍ରଭୃତି ଆଗରୁ ତାଳପତ୍ରରେ ଲେଖାହୋଇ ଭାଗବତ ଟୁଙ୍ଗିମାନଙ୍କରେ ପାଠ କରାଯାଉଥିଲା । ଏବେ ସବୁ ଗାଁ ଗହଳିରେ ଥିବା ନାୟକ ପୁଅମାନେ ପିଲାମାନଙ୍କର ଜାତକ ଓ ବିବାହ ଉତ୍ସବରେ ଏହାର ଆବଶ୍ୟକତା ଥିବାରୁ ଏମାନେ ତାଳପତ୍ରରେ ଏହି କାର୍ଯ୍ୟ ସଂପାଦନା କରୁଥାନ୍ତି ।

ତାଳପତ୍ର କେବଳ ନୁହଁ ନଡ଼ିଆ ଷଡ଼େଇ, ନଡ଼ିଆ କତା ଓ ତନ୍ତୁରୁ ଏବେ ବିଭିନ୍ନ କଣ୍ଢେଇ ପ୍ରସ୍ତୁତ କରାଯାଉଛି । ଏଥିରେ ବିଭିନ୍ନ ପଶୁ, ପକ୍ଷୀ, ଗଛ, ସରୀସୃପ, ବାସ୍କେଟ, ଲାଇଟ ଷ୍ଟାଣ୍ଡ, ପିଲାଙ୍କ ଖେଳନା ବ୍ୟତୀତ ଦଉଡ଼ି, ପାପୋଛ, କାର୍ପେଟ, ଗୃହପୋକରଣ ଇତ୍ୟାଦି ପ୍ରସ୍ତୁତ କରାଯାଏ । ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ତିହିଡ଼ି ଅଞ୍ଚଳରେ ତନ୍ତୁରୁ ପ୍ରସ୍ତୁତ ବିଭିନ୍ନ ଜିନିଷମାନ ପ୍ରସ୍ତୁତ ହେଉଥିବାର ଦେଖାଯାଏ । ସଡ଼େଇକୁ ସଫାକରି ସେଥିରେ ବିଭିନ୍ନ କଣ୍ଢେଇ, ପେନ୍ ଷ୍ଟାଣ୍ଡ, ମାଛ, ଟେବୁଲ ଲ୍ୟାମ୍ପ, ଆସଟ୍ରେ, ବିଭିନ୍ନ ପ୍ରକାର ଦେବାଦେବୀ ମୂର୍ତ୍ତି ତିଆରି କରାଯାଏ । ନଡ଼ିଆପତ୍ରରେ ମଧ୍ୟ ପଙ୍ଖା, ବାସ୍କେଟ ପ୍ରଭୃତି ପ୍ରସ୍ତୁତ କରାଯାଏ । ସୋଲରେ ଟାହିଆ, ଫୁଲହାର, ବେଦୀରେ ବ୍ୟବହୃତ ବର ମୁକୁଟ, ଫୁଲ ଝାଡ଼ୁ ଗାଁ ଗହଳିରେ ମାଳିମାନେ ପ୍ରସ୍ତୁତ କରିଥାନ୍ତି । ଭଦ୍ରକ ଜିଲ୍ଲାର ବହୁପରିମାଣରେ ଏହା ଦେଖାଯାଇଥାଏ । ପକ୍ଷୀର ପର ବିଶେଷ କରି ମୟୁରପୁଛ, ପଙ୍ଖା, ରାଜାମହାରାଜାଙ୍କ ପଗଡ଼ିରେ ଲାଗୁଥିବା ରଙ୍ଗୀନ ପକ୍ଷୀର ପର ଲାଗିଥିବାବେଳେ ଆଦିବାସୀ ରମଣୀମାନେ ମୁଣ୍ଡ ଖୋସାରେ ପର ଲଗାଇବାକୁ ଭଲପାଇଥାନ୍ତି ।

ସାମୁଦ୍ରିକ ଜୀବାଶ୍ମ ଯଥା – ଶଙ୍ଖ, ଗେଣ୍ଡା, କଉଡ଼ି, ଶାମୁକା, ପ୍ରବାଳ ବ୍ୟବହାର କରି ଓ ଡୋର ହେଙ୍ଗିଙ୍ଗ, ଫଟୋ ଫ୍ରେମ୍, ବିଭିନ୍ନ ଦେବାଦେବୀ ମୂର୍ତ୍ତି, ଝୁମର, ବିଭିନ୍ନ ଗହଣା, ଚାବି ରିଂ, ପେନ୍ ଷ୍ଟାଣ୍ଡ ଇତ୍ୟାଦି ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ । ଏହା ଆମ ରାଜ୍ୟର ଗୋପାଳପୁର, ଦୀଘା, ତାଳସାରୀ, ଚିଲିକା, ପୁରୀ, କୋଣାର୍କ, ଚାନ୍ଦିପୁର ବେଳାଭୂମି ମାନଙ୍କରେ ମିଳିଥିବା ବେଳେ ଧାମରା, ଚାନ୍ଦବାଲି ଅଞ୍ଚଳରେ ତଥା ଭଦ୍ରକ କାଳିପୂଜାରେ ଏସବୁ ବିକ୍ରି ହେଉଥିବାର ଦେଖିବାକୁ ମିଳେ । ପିଲାମାନଙ୍କ ମନୋରଞ୍ଜନ ପାଇଁ ଓ ଖେଳିବା ପାଇଁ ଆଗରୁ କାଠ କଣ୍ଢେଇ, ବରଡ଼ା ପତ୍ର ତିଆରି ଝୁମୁକା, ନାଲି କାଠି ପ୍ରଭୃତିକୁ ଆପଣେଇ ଥିଲେ । ବରଗଡ଼ ଓ ପୁରୀରେ ତିଆରି କାଠ କଣ୍ଢେଇ ବିଶେଷ ଭାବେ ଆଦର ଲାଭ କରିଥିବାବେଳେ ବରଗଡ଼ ଜିଲ୍ଲାରେ ମଧ୍ୟ ଏସବୁ ପ୍ରସ୍ତୁତ କରାଯାଉଛି ।

କାଠରେ ଓଟ, ହରିଣ, ଘୋଡ଼ା, ବାଘ ପ୍ରଭୃତି ପଶୁ ଓ ହଂସ, ବଗ, ଶୁଆ, ହଳଦୀବସନ୍ତ, କୁକୁଟ, ମୟୁର, ପେଚା ପ୍ରଭୃତି ପକ୍ଷୀ ପ୍ରସ୍ତୁତ କରାଯାଏ ଓ କାଠରେ ନକ୍ସା ଲଗାଯାଇଥାଏ । କାଠରେ ହାତ, ଗୋଡ଼, ଗଣ୍ଡି, ମୁଣ୍ଡ ସବୁକୁ ତିଆରି କରି ତାରରେ ଯୋଡ଼ି ପୋଷାକ ପିନ୍ଧାଇ କଣ୍ଢେଇ ନାଚ କୋଉକାଳରୁ ଆମ ସମାଜରେ ଚଳିଆସୁଛି । ପୁରୀ ନିକଟ ସାକ୍ଷୀଗୋପାଳ, ସତ୍ୟବାଦୀ ନିକଟସ୍ଥ ପାଟଳୀ ଗ୍ରାମ ଏଥିପାଇଁ ପ୍ରସିଦ୍ଧ । ମାତ୍ର ଭଦ୍ରକ ଜିଲ୍ଲା ଧୁଷୁରି, ନଦିଗାଁ, ଚରମ୍ପା, ବାଗୁରାଇ ପ୍ରଭୃତି ସ୍ଥାନମାନଙ୍କରେ ଏହି କାଠ କଣ୍ଡେଇ ଦେଖିବାକୁ ମିଳିଥାଏ । ଚମଡ଼ାକୁ ଶୁଖାଇ ସେଥିରେ ଆବଶ୍ୟକ ଚିତ୍ର ଅନୁଯାୟୀ କାଟି ଏଥିରେ କାଠି ଲଗାଇ ରାବଣଛାୟା ନାଟକ ଦେଖାଯାଇଥାଏ । ଏକ ଧଳା କନା ଉପରେ ପଛରୁ ଆଲୋକ ଦେଇ ଚମଡ଼ା ମୂର୍ତ୍ତିର ଛାୟା ପ୍ରସ୍ତୁତ କରିଥାନ୍ତି । ରାମ ରାବଣ ଯୁଦ୍ଧ ଏହାର ମୁଖ୍ୟ କଥାବସ୍ତୁ । ଏହାକୁ ‘ରାବଣ ଛାୟା’ କୁହାଯାଏ ।

ବୟନ ଶିଳ୍ପ ଓଡ଼ିଶାର ପ୍ରମୁଖ ଲୋକକଳା । ବୟନ ଶିଳ୍ପ ପାଇଁ ଏହା କେବଳ ଦେଶରେ ନୁହେଁ, ବିଦେଶରେ ସୁନାମ ଅର୍ଜନ କରିଛି । ସୂତାକୁ ରଙ୍ଗରେ କଷାଇ ତନ୍ତ ସାହାଯ୍ୟରେ ବିଭିନ୍ନ ପ୍ରକାର ନକ୍ସା ପ୍ରସ୍ତୁତ କରିଥାଆନ୍ତି । ଏବେ ଏବେ ସମ୍ବଲପୁର କାରିଗରମାନେ ଏଥିରେ ଛବି ପ୍ରସ୍ତୁତ କଲେଣି । ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବରପାଲି, କଟକରେ ପ୍ରସ୍ତୁତ ବସ୍ତା ଶାଢ଼ୀ, କେନ୍ଦୁପାଟଣାର ଗାମୁଛା, ରାଇବଣିଆ, ବାଲେଶ୍ୱରର ନାକଡ଼ିଆର ଟସର ଶାଢ଼ୀ, ବଡ଼ମ୍ବାର ମାଣିଆବନ୍ଧ ଶାଢ଼ୀ, ତିଗିରିଆର ବାନ୍ଧ ଶାଢ଼ୀ, କେନ୍ଦ୍ରାପଡ଼ାର ଗୁଲ ନଗରୀ ଲୁଗା, ନୟାଗଡ଼ ଓ ଓଳସିଂହର କୁମ୍ଭ ପକା ଶାଢ଼ୀ ଏବଂ ବ୍ରହ୍ମପୁରରର ଦକ୍ଷିଣୀପାଟ ମିଳିଥାଏ । ସମ୍ବଲପୁରୀ, ମାଣିଆବନ୍ଧୀ ପାଟ ସମସ୍ତଙ୍କର ପସନ୍ଦ ହୋଇଥାଏ ।

ଆମ ରାଜ୍ୟର ଗ୍ରାମ୍ୟ ଜୀବନ ଠାରୁ ଆରମ୍ଭ କରି ବଣ ଜଙ୍ଗଲ ପର୍ଯ୍ୟନ୍ତ ହସ୍ତକଳାରେ ଭରପୁର ହୋଇ ରହିଛି । ଆମ ରାଜ୍ୟର ସାଧବ ପୁଅମାନେ ଏସବୁ କଳାକୃତି ଧରି ବୋଇତରେ ବିଦେଶ ଯାତ୍ରା କରୁଥିଲେ । ଏ ଦେଶର କଳା ଚାତୁରୀ ପାଷାଣ ଦେହରେ ସ୍ୱର ଝଙ୍କାର ତୋଳିଥାଏ । ଏସବୁକୁ ନେଇ ଓଡ଼ିଶା ଦିନେ ଗର୍ବରେ ଛାତି ଫୁଲାଉଥିଲା । ଆଜି ଆଧୁନିକତାର ବାତାବରଣ ଏସବୁକୁ ନଷ୍ଟ କରିପାରିନାହିଁ । ବରଂ ଆମ ସଂସ୍କୃତି ସମୁଜ୍ଜ୍ୱଳ ହୋଇପାରିଛି । ଅତଏବ ଲୋକକଳା ମଧ୍ୟ ଦେଇ ଆମ ରାଜ୍ୟର ସ୍ୱତନ୍ତ୍ରତା ସହ ଭଦ୍ରକ ଜିଲ୍ଲା  ସୁନାମ ଆଣିପାରିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

 

Photo credit- https://bit.ly/33h6sNz

Share this Article
ଚିତ୍ରକର, କଳା ଶିକ୍ଷକ, ଲେଖକ