ସାମ୍ୟବାଦୀ ମାଳତୀ ଦେବୀ (ଶ୍ରୀମତୀ ମାଳତୀ ଚୈାଧୁରୀ-5)

3 Min Read

ସାମ୍ୟବାଦୀ ମାଳତୀ ଦେବୀ

Support Samadhwani

ଏହି ଅଣଖିଆ ଫାର୍ମରୁ ୧୯୩୩ ମସିହା ଫେବୃଆରୀ ମାସରେ ଆରମ୍ଭ ହେଲା ‘ଓଡିଶା କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ’। ଯେଉଁମାନେ ଏହି ସଂଘର ଗଠନରେ ସମ୍ପୃକ୍ତ ଥିଲେ, ସେମାନଙ୍କ ମଧ୍ୟରେ ଥିଲେ ମାଳତୀ ଦେବୀ । ପୁତୁରା ମନମୋହନ ଚୈାଧୁରୀ ଲେଖନ୍ତି , “ଖୁଡୀ ତାଙ୍କର ସମସ୍ତ ଗହଣା ବିକି ୬୦୦୦ଟଙ୍କା ସମାଜବାଦୀ ଆନ୍ଦୋଳନ ପାଇଁ ଦାନ କଲେ । ” (ଖୁଡୀଙ୍କ ସ୍ମୃତି, ନୁମା-ଏକ ସଙ୍କଳନ, ପୃ ୪) ଏହି ଟଙ୍କାରେ ସଂଘର ମୁଖପତ୍ର ଭାବେ “ସାରଥି” ପତ୍ରିକା ପ୍ରକାଶ ପାଇଲା । ସାରା ଭାରତରେ ‘ଓଡିଶା କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ’ ସେତେବେଳେ ପ୍ରଥମ ସମାଜବାଦୀ ସଂଗଠନ ଥିଲା । “ସାରଥି” ଥିଲା ‘ଓଡିଶାରେ ସାମ୍ୟବାଦ ଆଦର୍ଶ ସମ୍ପନ୍ନ ପ୍ରଥମ ପତ୍ରିକା’ । (ବହ୍ନିମାନ, ପୃ୧୪୫) ୧୯୩୪ ମସିହାରେ ଅଖିଳ ଭାରତ ସ୍ତରରେ ସମାଜବାଦୀ ସଂଗଠନ ହେବା ପରେ ଓଡିଶା ସଂଗଠନର ସେଥିରେ ବିଲୟ ହେଲା । ଏହିପରି ସମ୍ପୃକ୍ତି ଯୋଗୁଁ ମାଳତୀ ଦେବୀଙ୍କୁ ଭାରତର ପ୍ରଥମ ମହିଳା ସାମ୍ୟବାଦୀ ନେତୃତ୍ୱଙ୍କ ମଧ୍ୟରେ ଅନ୍ୟତମ ବୋଲି କୁହାଯାଇଥାଏ ।

( Malati Devi Choudhury: One Of The First Women Marxist Leaders In India | #Indian Women In History By Kavya – May 3, 2019 ,https://feminisminindia.com/2019/05/03/malati-devi-choudhuri-marxist-leader)

ଏହି କର୍ମୀ ସଂଘର ପ୍ରଥମ କାର୍ଯ୍ୟ ଥିଲା ଚାଷୀଙ୍କୁ ସଂଗଠିତ କରି ଜମିଦାର ମହାଜନଙ୍କର ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସାହସ ଉଦ୍ଦ୍ରେକ କରାଇବା । ଏହି କାର୍ଯ୍ୟ ସମ୍ପାଦନ ପାଇଁ ‘କୃଷକ ସଂଘ’ର ଗଠନ ହେଲା । ଏହାର ଯୁଗ୍ମ ସମ୍ପାଦକ ଥିଲେ ମାଳତୀ ଦେବୀ ଓ ସୁରେନ୍ଦ୍ରନାଥ ଦ୍ୱିବେଦୀ । ଉଭୟେ ଓଡିଶା କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘର ନେତା । ସଂଘର ମୁଖପତ୍ର ‘ସାରଥି’ ବନ୍ଦ ହୋଇ ଯାଇଥିବାରୁ ତାହା ସ୍ଥାନରେ ପ୍ରକାଶ ପାଇଲା ‘ସାପ୍ତାହିକ କୃଷକ’ ଯାହାକୁ ଚଳାଇ ରଖିବା ପାଇଁ ମାଳତୀ ଦେବୀ ନେଇଥିଲେ ଅର୍ଥ ସଂଗ୍ରହର ଦାୟିତ୍ୱ । ସେ ମଧ୍ୟ ରହିଥିଲେ ସମ୍ପାଦକୀୟ ମଣ୍ଡଳରେ । ମୁଖ୍ୟ ସମ୍ପାଦକ ଭଗବତୀ ପାଣିଗ୍ରାହୀଙ୍କ ମୃତ୍ୟୁ ପରେ ମାଳତୀ ଦେବୀ ଏହି ଦାୟିତ୍ୱ ନେଇଥିଲେ । ‘ସାପ୍ତାହିକ କୃଷକ’ରେ ‘କେବଳ କୃଷକ ମାନଙ୍କ ସମସ୍ୟା ନୁହେଁ ଗଡଜାତ ଆନ୍ଦୋଳନ ଓ ଗଡଜାତ ପ୍ରଜାମାନଙ୍କ ସମସ୍ୟା ମଧ୍ୟ ପ୍ରକାଶିତ ହେଲା ।’ ୧୯୩୭ ମସିହା ସେପ୍ଟେମ୍ବର ପହିଲାରେ ଏହି କୃଷକ ସଂଘ ଦ୍ୱାରା କଟକଠାରେ ଆୟୋଜିତ ବିରାଟ କୃଷକ ମେଳା ବେଶ ଦୃଷ୍ଟି ଆକର୍ଷଣକାରୀ ଓ ଉତ୍ସାହୋଦ୍ଦୀପକ ହୋଇଥିଲା । ଏହି ଦିବସଟିକୁ କୃଷକ ଦିବସ କୁହାଗଲା ।

Support Samadhwani

ଏହା ପରେ “ମାଳତୀ ଦେବୀ ବାହାରି ପଡିଲେ ପ୍ରତି ଗାଁ ରେ କୃଷକ ସଭା ଗଢିବା କାର୍ଯ୍ୟରେ…..କେବଳ ଏରସମା ଥାନାର ୧୧୦ଟି ଗ୍ରାମରେ କୃଷକ ସଭା ଗଢା ହୋଇଥିଲା ।” (ବହ୍ନିମାନ, ପୃ ୧୫୭-୬୧) ଏହାର ବର୍ଷକ ପରେ, କୃଷକ ଦିବସ ପାଳନର ୨ୟ ବର୍ଷରେ, ୧୯୩୮ ମସିହା ସେପ୍ଟେମ୍ବର ପହିଲା ଓ ଦୁଇ ତାରିଖ ଦିନ ଯେନାପୁର ଠାରେ କୃଷକ ସଂଘର ଆହ୍ୱାନରେ ଏକ ବିରାଟ କୃଷକ ସଭାର ଆୟୋଜନ ହୋଇଥିଲା । ଏହି ସଭା ସମ୍ପର୍କରେ ‘ଢେଙ୍କାନାଳ ପ୍ରଜାମଣ୍ଡଳ’ର ନେତା ବୈଷ୍ଣବ ଚରଣ ପଟ୍ଟନାୟକ ଲେଖନ୍ତି, “ଯେନାପୁର କୃଷକ ସଭାରେ ମୋଗଲବନ୍ଦୀ ଅଂଚଳର ପ୍ରାୟ ୩୦/୩୫ ହଜାର କୃଷକ ଯୋଗ ଦେଇଥିଲେ ଏବଂ ଢେଙ୍କାନାଳର ପ୍ରାୟ ୧୫/୨୦ ହଜାର ପ୍ରଜା ଯୋଗ ଦେଇଥିଲେ । ସେପ୍ଟେମ୍ବର ୧ ତାରିଖରେ ସାଧାରଣ ଭାବେ କୃଷକମାନଙ୍କର ଦାବି ଓ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।…..କିନ୍ତୁ ସେପ୍ଟେମ୍ବର ୨ ତାରିଖ ଦିନ ଖାସ୍ କରି ଢେଙ୍କାନାଳ ପ୍ରଜାମାନଙ୍କର ଦାବି ଓ ସମସ୍ୟା ଏବଂ ଢେଙ୍କାନାଳ ପ୍ରଜାମଣ୍ଡଳ ଗଠନ ଉପରେ ଆଲୋଚନା ହୋଇଥିଲା । ସେ ଦିନ ପ୍ରଥମ କରି ବିଧିବଦ୍ଧ ‘ଢେଙ୍କାନାଳ ପ୍ରଜାମଣ୍ଡଳ’ ଗଠନ କରାଯାଇଥିଲା ଓ ତାର କର୍ମକର୍ତ୍ତା ବଛାଯାଇଥିଲା ।” ବୈଷ୍ଣବବାବୁ କୁହନ୍ତି, “ଏହି ଘଟଣାର ମୁଖ୍ୟ ଭୂମିକାରେ ଥିଲେ ମାଳତୀ ଦେବୀ ଓ ନବବାବୁ ।”(ଢେଙ୍କାନାଳ ଆନ୍ଦୋଳନ ଓ ମାଳତୀ ଦେବୀ, ନୁମା-ଏକ ସଙ୍କଳନ, ପୃ ୧୦୫)

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ