୨୦୦୫ ମସିହା ମାର୍ଚ୍ଚ ମାସରେ ଭୁବନେଶ୍ଵରରେ “ସମଧ୍ଵନି” ଏକ ଗଣସଙ୍ଗୀତ ଗୋଷ୍ଠୀ ଭାବରେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଥମେ ପ୍ରତ୍ୟେକ ରବିବାର ଦିନ ଏହାର ସଙ୍ଗୀତ ଆସର ବସୁଥିଲା। ବିଭିନ୍ନ ସ୍ଥାନରେ ମୋର ଗଣସଙ୍ଗୀତ ଗାଇବାର ଅଭ୍ୟାସ ଯାହା ଅନେକଦିନ ଧରି ବନ୍ଦ ରହିଥିଲା ଏହି ଗୋଷ୍ଠୀ ଗଠନ କରିବା ପରେ ପୁଣିଥରେ ଜୀବନ୍ତ ହୋଇଉଠିଲା । ୨୦୦୪-୨୦୦୫ ମସିହାରେ ବାମପନ୍ଥୀ ନେତା ସୁରେଶ ପାଣିଗ୍ରାହୀ, ଛାତ୍ରନେତା ମଣ୍ଟୁ ନାୟକ ଓ ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟଙ୍କ ମଧ୍ୟରେ ବାର୍ତ୍ତାଳାପ ପରେ ଗୋଟିଏ ସଙ୍ଗୀତ ଗୋଷ୍ଠୀ ତିଆରି କରିବାପାଇଁ ସେମାନେ ମୋତେ ପରାମର୍ଶ ଦେଇଥିଲେ । ଆନନ୍ଦବଜାରରେ ଥିବା ଏକ ସରକାରୀ ବାସଭବନରେ (ଯେଉଁଠାରେ ଛାତ୍ରସଙ୍ଗଠନର ଅଫିସ ଥିଲା) ପ୍ରତି ରବିବାର ଦିନ ସଙ୍ଗୀତ ଅଭ୍ୟାସ ଆରମ୍ଭ ହେଲା । ଏହି ଗୋଷ୍ଠୀର ନାମ ପ୍ରୀତିଶ ସାର୍ “ସମଧ୍ଵନି” ଦେଲେ । କିଛିଦିନ ଭିତରେ ଏହି ଛୋଟିଆ ଗୋଷ୍ଠୀ ସହିତ ଅନେକ ଛାତ୍ରଛାତ୍ରୀ ଓ ଯୁବସାଥି ଯୋଡ଼ିହୋଇ ଯାଇଥିଲେ । ଆମେ ପ୍ରଥମେ ପ୍ରଥମେ ସଲିଲ ଚୌଧୁରୀଙ୍କର କେତୋଟି ପ୍ରସିଦ୍ଧ ଗଣସଙ୍ଗୀତ ଗାଉଥିଲୁ । ଏହା ସହିତ ଭାରତର ସ୍ଵାଧୀନତା ଆନ୍ଦୋଳନ ସମୟରେ ଜନ୍ମ ନେଇଥିବା ବିପ୍ଳବୀ କବି ଓ ଗୀତିକାର ମାନଙ୍କର କିଛି ବଛା ବଛା ଗୀତ ଯାହାକୁ ମୁଁ ଅତି ଛୋଟବେଳୁ ବିଭିନ୍ନ ମଞ୍ଚରେ ଗାଉଥିଲି, ସେସବୁ ଗୀତ ମଧ୍ୟ ଆମେ ପରିବେଷଣ କରୁଥିଲୁ । ସେହି ଗୀତର ଗୀତିକାରମାନଙ୍କ ମଧ୍ୟରେ ଥିଲେ ବାଞ୍ଛାନିଧି ମହନ୍ତି, ବିପ୍ଳବୀ କବି ମନମୋହନ ମିଶ୍ର, ବୀରକିଶୋର ଇତ୍ୟାଦି। ଅଳ୍ପ କିଛିଦିନ ଭିତରେ ଆମେ ଆମର ରବିବାର ଆସରକୁ ଚନ୍ଦ୍ରଶେଖରପୁର ଶବର ସାହିର କ୍ଲବ ଘରକୁ ସ୍ଥାନାନ୍ତର କରିଥିଲୁ । ପରବର୍ତ୍ତୀ ସମୟରେ ଏହା ଆମ ନିଜ ବାସଭବନରୁ ପରିଚାଳିତ ହେଲା ।
ପ୍ରଥମେ ପ୍ରଥମେ ମଞ୍ଚରେ ଗଣସଙ୍ଗୀତ ପରିବେଷଣ କରିବା ଥିଲା ସମଧ୍ଵନିର ମୂଳ କାମ । ୨୦୦୫ ମସିହା ଅଗଷ୍ଟ ୧୫ ତାରିଖରେ “ଅଧିକାର” ପତ୍ରିକାର ଏକ ଉତ୍ସବରେ ସମଧ୍ଵନି ଗୋଷ୍ଠୀ ଗଣସଙ୍ଗୀତ ପରିବେଷଣ କରିଥିଲା । ଏହାପରେ ଅନେକ ମଞ୍ଚରେ ଆମେ ଗଣସଙ୍ଗୀତ ପରିବେଷଣ କରିଚାଲିଲୁ । ଧୀରେ ଧୀରେ ଏହା ଏକ ସାଂସ୍କୃତିକ ସଂଗଠନର ରୂପ ନେଲା । ୨୦୦୫ ମସିହା ନଭେମ୍ବର ୧୯ ତାରିଖରେ ସମଧ୍ଵନି ଦ୍ଵାରା ମନମୋହନ ମିଶ୍ର ସ୍ମାରକୀ ବକ୍ତୃତା ଆୟୋଜନ କରାଯାଇଥିଲା । ପ୍ରଫେସର ନିତ୍ୟାନନ୍ଦ ଶତପଥୀ “ମନମୋହନ ମିଶ୍ରଙ୍କ ସଙ୍ଗୀତରେ ସମାଜ ପରିବର୍ତ୍ତନର ଦୃଷ୍ଟିଭଙ୍ଗୀ” ଶୀର୍ଷକରେ ଏକ ବକ୍ତୃତା ପ୍ରଦାନ କରିଥିଲେ । ୨୦୦୬ ଜାନୁଆରୀ ୨୨ ତାରିଖରେ ସମଦୃଷ୍ଟି ପାକ୍ଷିକ ପତ୍ରିକାର ଲୋକାର୍ପଣ ଉତ୍ସବକୁ “ସମଧ୍ୱନି” ସାଂସ୍କୃତିକ ସଂଗଠନ ଆମନ୍ତ୍ରିତ ହୋଇଥିଲା ଗଣସଙ୍ଗୀତ ପରିବେଷଣ କରିବାପାଇଁ । ଏଠାରେ ଆମେ ଗାଇଥିଲୁ “କି ହେବ ଏ ସ୍ଵରାଜ୍ୟ ଘେନି ଯେବେ ମୋର ନପୁରେ ପେଟ…” ଓ ସାନ୍ତାଳି ଭାଷାର ଏକ ଦେଶାତ୍ମକ ଗୀତ “ଚାଲକାନ୍ଦ ଆତୁରେ ଜନମ ଲେନମ ବିରିଷା …”। ଏହିଭଳି ଅନେକ ମଞ୍ଚରେ ସଙ୍ଗୀତ ପରିବେଷଣ ଭିତରୁ ଆମେ ଅନୁଭବ କରିଥିଲୁ ଯେ, ଓଡ଼ିଆ ଲୋକଙ୍କର ମନ ଓ ହୃଦୟକୁ ଓଡ଼ିଆ ଭାଷାର ଗୀତ ହିଁ ଛୁଇଁପାରୁଛି । ସେତେବେଳେ ବାଞ୍ଛାନିଧି ମହାନ୍ତି, ମନମୋହନ ମିଶ୍ର, ବୀରକିଶୋରଙ୍କର ପୁରାତନ ଶୈଳୀରେ ପ୍ରସ୍ତୁତ ଗଣସଙ୍ଗୀତ ଗୁଡ଼ିକ ଛାଡ଼ିଦେଲେ, ବହୁତ କମ୍ ଓଡ଼ିଆ ଗଣସଙ୍ଗୀତ ଆମ ଦୃଷ୍ଟିକୁ ଆସିଥିଲା । ସେଥିପାଇଁ ଆମେ ଓଡ଼ିଆରେ କେମିତି ଅଧିକ ଲୋକାଭିମୁଖୀ ସଙ୍ଗୀତ ରଚନା କରାଯିବ ସେ ସମ୍ପର୍କରେ ଅନେକ ଲୋକଙ୍କ ସହିତ ଆଲୋଚନା କରିଥିଲୁ । କେହି କିନ୍ତୁ ଏଦିଗରେ କିଛି ସହଯୋଗ କରିପାରିନଥିଲେ । ଶେଷରେ ସମଦୃଷ୍ଟି ପତ୍ରିକାର ସମ୍ପାଦକ ସୁଧୀର ପଟ୍ଟନାୟକ ନିଜେ ଆମପାଇଁ ଗୀତ ଲେଖିବେ ବୋଲି ଆଶ୍ଵାସନା ଦେଲେ । ୨୦୦୬ ମସିହାରେ ସମଧ୍ଵନି ଗୋଷ୍ଠୀ ପୁରୀ ବଡ଼ଦାଣ୍ଡରେ ଗୋଟିଏ ବିଶାଳ ଜନସମାବେଶରେ ସଙ୍ଗୀତ ପରିବେଷଣ କରିଥିଲା । ସେଠାରେ ଆମେ “ମାଗିନାହୁଁ କେବେ କାହାଠାରୁ କିଛି ଦେବାପାଇଁ କୃପା ବିନ୍ଦୁ ତଥାପି କାହିଁକି କାହା ଇସାରାରେ ହେଲୁ ଆମେ ଆଜି ଶତ୍ରୁ …” ଗୀତଟି ଗାଇଥିଲୁ । ସେହି ଗୀତଟି ସୁଧୀର ଭାଇ ସମଧ୍ୱନି ପାଇଁ ଲେଖିଥିଲେ। ସେ ଗୀତର ପ୍ରଭାବ ଆମେ ନିଜେ ସେଦିନ ଅନୁଭବ କରିଥିଲୁ । ତା’ପରେ ପରେ ଆମେ ସୁଧୀର ଭାଇଙ୍କୁ ଅନୁରୋଧ କରିଥିଲୁ ସମଧ୍ୱନି ପାଇଁ ଅଧିକ ଗୀତ ଲେଖିବାକୁ । ସେ ମଧ୍ୟ ଅନେକ ଗୀତ ସେହି ସମୟରେ ରଚନା କରିଥିଲେ ।
ଏଠାରେ ଏତେ କଥା ଉପସ୍ଥାପନ କରିବାର ଉଦେଶ୍ୟ ଏହା ଯେ, ଓଡ଼ିଶାରେ ଗଣସଙ୍ଗୀତ ପରିବେଷଣର ଘୋର ଅଭାବ ସମଧ୍ଵନିକୁ ଜନ୍ମ ଦେଇଥିଲା । ଆମର ଲକ୍ଷ୍ୟ ଥିଲା ଗୋଷ୍ଠୀହୋଇ ଗଣସଙ୍ଗୀତ ଗାଇ ଗାଇ ସାଧାରଣ ମଣିଷର ଦୁଃଖ ଦୁର୍ଦ୍ଦଶାକୁ ଲୋକମାନଙ୍କ ଆଗରେ ଉପସ୍ଥାପନ କରିବା । ସଙ୍ଗୀତ ମାଧ୍ୟମରେ ଲୋକମାନଙ୍କ ମନରେ ମେହେନତି ମଣିଷ ପ୍ରତି ସହୃଦୟତା ସୃଷ୍ଟି କରିବା। ଅନ୍ୟାୟ, ଅନୀତି, ଅତ୍ୟାଚାରକୁ ଦେଖି ଚୁପ ରହିଥିବା ପଥର ହୃଦୟର ମଣିଷମାନଙ୍କ ମନକୁ ଟିକେ ଚହଲେଇ ଦେବା । ତାଙ୍କ ମନରେ ଆନ୍ଦୋଳନ ସୃଷ୍ଟି କରିବା । ସମାଜର ଅତି ସାଧାରଣ ମଣିଷର ଦୁଃଖ, ଦୈନ୍ୟ ଓ କଷ୍ଟକୁ ସଙ୍ଗୀତ ମାଧ୍ୟମରେ ପ୍ରକାଶ କରିବା । ସମାଜରୁ ସମସ୍ତ ପ୍ରକାରର ଭେଦଭାବ, ହିଂସା, ଘୃଣା ଓ ଅତ୍ୟାଚାର ଦୂର କରି ଏକ ସାଂସ୍କୃତିକ ଜାଗରଣର ଭିତ୍ତିଭୂମି ସୃଷ୍ଟି କରିବା । ନିଜର ଲକ୍ଷ୍ୟକୁ ହାସଲ କରିବାପାଇଁ ସମଧ୍ଵନି ଦୁଇ ଦଶନ୍ଧି ଧରି ବିନମ୍ର ଭାବରେ ଉଦ୍ୟମ କରିଚାଲିଛି । ବହୁତ ପ୍ରକାର ସଂଘର୍ଷ ଭିତରେ ଏହି ଉଦ୍ୟମ ବଞ୍ଚିରହିଛି । ପ୍ରତ୍ୟେକ ସମୟରେ ଆମ ଚାରିପାଖରେ ଘଟୁଥିବା ଘଟଣା ଆମ ପାଇଁ ନୂଆ ନୂଆ ଆହ୍ଵାନ ସୃଷ୍ଟି କରୁଛି । ସମଧ୍ଵନିର ଦୁଇ ଦଶନ୍ଧିର ଯାତ୍ରା ଓ ତା’ ସହିତ ଆମର ଲକ୍ଷ୍ୟ, ଉଦ୍ଦେଶ୍ୟ, ସଂଘର୍ଷ ଓ ଆହ୍ଵାନ ଗୁଡ଼ିକ ସମ୍ପର୍କରେ ଆପଣମାନଙ୍କୁ ପରିଚିତ କରିବା ଏହି ସମ୍ପାଦକୀୟଟିର ଲକ୍ଷ୍ୟ। ଦୁଇ ଦଶନ୍ଧିର ଯାତ୍ରା ଟିକେ ଲମ୍ବା ହେବା ସ୍ଵାଭାବିକ । ଆମର ଆଶା ଆପଣ ଟିକେ ସମୟ ଦେଇ ସମ୍ପାଦକୀୟଟି ପଢ଼ିବେ। ଯଦି ଆମ ଉଦ୍ୟମ ଆପଣଙ୍କୁ ଭଲ ଲାଗୁଥାଏ ଆମ ସହ ଯୋଡ଼ିହେବେ ଓ ଏହି କାମକୁ ଆଗେଇନେବା ପାଇଁ ସହଯୋଗ କରିବେ ।
୨୦୦୬ ମସିହା ନଭେମ୍ବର ୧୯ ତାରିଖ । ସେଦିନ ବିପ୍ଳବୀ କବି ମନମୋହନ ମିଶ୍ରଙ୍କ ଜନ୍ମଦିନ । ସମଧ୍ଵନି ଏହି ଅବସରରେ ଲୋକ ସାଂସ୍କୃତିକ ଉତ୍ସବ – ୨୦୦୬ ପାଳନ କରିଥିଲା । ଏକାମ୍ର ହାଟର ଖୋଲା ମଞ୍ଚରେ ହୋଇଥିଲା ଏହି ଉତ୍ସବ । ଏହି ଉତ୍ସବରେ ଓଡ଼ିଶାର ଅଦ୍ଵିତୀୟ କଣ୍ଠଶିଳ୍ପୀ ଓ ବର୍ଷିୟାନ କଳାକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ମନମୋହନ ମିଶ୍ରଙ୍କ ସ୍ମୃତିରେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଗଣସଙ୍ଗୀତ ଗାୟକ ବାସୁ ପୁରୀରୁ ଆସିଥିଲେ ଏହି ଲୋକସାଂସ୍କୃତିକ ଉତ୍ସବରେ ଗଣସଙ୍ଗୀତ ପରିବେଷଣ କରିବାପାଇଁ । ଆଦିବାସୀ ନେତା ଚାମ୍ବୁରୁ ସୋରେନଙ୍କର ନେତୃତ୍ଵରେ ଭୂବନେଶ୍ଵର ଉପକଣ୍ଠର ବିଭିନ୍ନ ଗାଁ’ର ଅନେକ ଆଦିବାସୀ ସାଂସ୍କୃତିକ ଦଳ ଏଥିରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅନେକ ଯୁବ କଳାକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମଧ୍ଵନି ସହିତ ଯୋଡ଼ି ହୋଇଥିଲେ। ବିଶେଷକରି ସେତେବେଳେ ତବଲା ବିଭାଗର ସ୍ନାତକ ଛାତ୍ର ଥିବା ତରୁଣ କୁମାର ମିଶ୍ର ଏକାମ୍ର ହାଟ ମଞ୍ଚରେ ହୋଇଥିବା ସଂସ୍କୃତିକ କାର୍ଯ୍ୟକ୍ରମର ନେତୃତ୍ଵ ନେଇଥିଲେ । ତାଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅନେକ ସାଥି ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ଯୁବ କଣ୍ଠଶିଳ୍ପୀ ଅରୁଣ ମିଶ୍ର, ଯୁବ ତବଲା କଳାକାର ତ୍ରିଲୋଚନ ନାୟକ ଓ ଜିତେନ୍ଦ୍ର କୁମାର ସାହୁ ଏହି ସମୟ ମଧ୍ୟରେ ସମଧ୍ଵନି ସହିତ ମିଶିଥିଲେ ଓ ସମଧ୍ଵନିର କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ସାମ୍ପ୍ରଦାୟିକ ସଦଭାବ ପ୍ରସଙ୍ଗ ଠାରୁ ଆରମ୍ଭ କରି ବିଶ୍ଵରେ ଯୁଦ୍ଧର ଅବସାନ, ଆମେରିକା ସାମ୍ରାଜ୍ୟବାଦ, କଳିଙ୍ଗ ନଗରରେ ଟାଟା କମ୍ପାନୀର ନିରୀହ ଆଦିବାସୀ ମାନଙ୍କ ଉପରେ ଚାଲିଥିବା ହତ୍ୟା, ଅତ୍ୟାଚାର ବିରୁଦ୍ଧରେ ଓ କଳିଙ୍ଗ ନଗରରେ କମନ କରିଡ଼ର ପ୍ରତିଷ୍ଠା କରି ଗାଁ ବିଭାଜନକୁ ବିରୋଧ କରି ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସମଧ୍ଵନି ଦ୍ଵାରା ସେହି ସମୟରେ ଆୟୋଜନ କରାଯାଇଥିଲା । ପଥପ୍ରାନ୍ତ ନାଟକ, ଗଣସଙ୍ଗୀତ ପରିବେଷଣ, ପୋଷ୍ଟର ପ୍ରଦର୍ଶନୀ ଆଦି ଆୟୋଜନ କରି ସମଧ୍ଵନି ବିରୋଧ ପ୍ରଦର୍ଶନ କରିଥିଲା ।
୨୦୦୭ ମସିହା ପଶ୍ଚିମ ଓଡ଼ିଶାରେ ପାଣି ଆନ୍ଦୋଳନ ପାଇଁ ଗୀତ ରେକର୍ଡ ହେବା ସମୟରେ ଆମେ ପରିଚିତ ହେଲୁ ଗଣସଙ୍ଗୀତ ଗାୟକ ଅଜିତ କୁମାର ପାଣିଗ୍ରାହୀଙ୍କ ସହିତ । ତାଙ୍କ ସ୍ଵର ଏତେ ପ୍ରଭାବଶାଳି ଯେ, ସେହି ସମୟରେ ଏମିତି କୌଣସି ଜନଆନ୍ଦୋଳନ ଓଡ଼ିଶାରେ ନଥିଲା ଯେଉଁଠି ତାଙ୍କୁ ଗୀତ ଗାଇବାପାଇଁ ଖୋଜାଯାଉନଥିଲା । ଆଜି ବି ଅଜିତ ଓଡ଼ିଶାର ଅଦ୍ଵିତୀୟ ଗଣସଙ୍ଗୀତ ଗାୟକ ବୋଲି କୁହାଯାଇପାରେ । ସମଧ୍ଵନି ସହିତ ସେ ୨୦୦୭-୨୦୦୮ ମସିହାରୁ ଯୋଡ଼ି ହୋଇଛନ୍ତି । ପାଣି ଆଲବମରେ ସେ ଗାଇଥିବା “ନିଷ୍କର୍ମା ଯେନ ଶାସନେ ରହେସନ…” ଗୀତ ଓ “ସମସ୍ଵର” ଆଲବମରେ ସେ ଗାଇଥିବା “ଜନମ ମାଟିର ଚଉଦିଗେ ଆଜି ବହେ ଅଣଚାଶ ବାଆ …” ଗୀତ ଓଡ଼ିଶାରେ ତାଙ୍କୁ ଗଣସଙ୍ଗୀତ ଗାୟକ ଭାବରେ ବହୁ ପ୍ରଶଂସା ଆଣିଦେଇଛି ।
ସମଧ୍ଵନିର ବନ୍ଧୁ ଓ ଶୁଭେଛୁମାନେ ଅନୁରୋଧ କରୁଥିଲେ ଯେ, ଯେଉଁ ଗୀତ ଗୁଡ଼ିକ ଆମେ ଗାଉଛୁ ସେ ସବୁକୁ ରେକର୍ଡ଼ କରି ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଜରୁରୀ । ବନ୍ଧୁ ଓ ଶୁଭେଛୁମାନଙ୍କ ସହଯୋଗରେ ୨୦୧୧ ମସିହାରେ ସମଧ୍ଵନି ଦ୍ଵାରା ପ୍ରକାଶ ପାଇଥିଲା “ସମସ୍ଵର” ସଙ୍ଗୀତ ଆଲବମ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଯୁବ ତବଲା ବାଦକ ତ୍ରିଲୋଚନ ନାୟକ । ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୌରଭ ନାୟକ, କରୁଣାକର ନାୟକ, ଶରତ କୁମାର ସାହୁ, ଶଶାଙ୍କ, ଶର୍ମିଷ୍ଠା, ଯଶସ୍ଵିନୀଙ୍କ ବ୍ୟତୀତ ସମଧ୍ଵନିରୁ ଅଜିତ କୁମାର ପାଣିଗ୍ରାହୀ ଓ ମୁଁ ନିଜେ ଗୋଟିଏ ଗୋଟିଏ ଗୀତରେ କଣ୍ଠଦାନ କରିଥିଲୁ । ସମଧ୍ଵନି ସାଂସ୍କୃତିକ ସଂଗଠନର ତରୁଣ କୁମାର ମିଶ୍ର, ଜିତେନ୍ଦ୍ର କୁମାର ସାହୁ, ଜ୍ୟୋତିପ୍ରକାଶ ସାହୁ ଓ ସ୍ଵୟଂପ୍ରଭା ପାଢୀ ଏହି ଆଲବମ ପ୍ରକାଶ କରିବା କ୍ଷେତ୍ରରେ ସବୁ ଦାୟିତ୍ଵ ନେଇଥିଲେ । “ସମସ୍ଵର” ସଙ୍ଗୀତ ଆଲବମର ସବୁ ଗୀତ ସୁଧୀର ଭାଇ ଲେଖିଥିଲେ । ଏହି ଆଲବମ ପ୍ରକାଶ କ୍ଷେତ୍ରରେ ତାଙ୍କର ବହୁତ ଅବଦାନ ରହିଛି । କେବଳ ସେହି ୬ଟି ଗୀତ ନୁହଁ ସୁଧୀର ଭାଇ ଆହୁରି ଅନେକ ଗୀତ ରଚନା କରିଛନ୍ତି ଯାହା ୨୦୨୫ମସିହାରେ ଏକ ପୁସ୍ତିକା ଭାବରେ ପ୍ରକାଶ ପାଇବାପାଇଁ ଯାଉଛି। ଆମର ଗଭୀର ଇଚ୍ଛା ରହିଛି ସେସବୁ ଗୀତକୁ କେବଳ ପୁସ୍ତିକା ନୁହେଁ ରେକର୍ଡ଼ କରି ଜନଗଣଙ୍କ ନିକଟରେ ପହଞ୍ଚାଇବାପାଇଁ । କିନ୍ତୁ ସମ୍ବଳର ଅଭାବରୁ ଗୀତ ଗୁଡ଼ିକୁ ଏଯାଏ ରେକର୍ଡ କରିପାରିନାହୁଁ ।
ଏହି ସମୟ ଭିତରେ ୨୦୧୨ ମସିହାରେ “ସମଧ୍ଵନି” ନାମରେ ପ୍ରକାଶ ପାଇଥିଲା ଏକ ସାଂସ୍କୃତିକ ପତ୍ରିକା (ପ୍ରିଣ୍ଟ ମାଧ୍ୟମରେ), ଯାହା ଏବେ ୧୩ ବର୍ଷରେ ପାଦ ଦେଇଛି । ସରକାରୀ ଓ ବେସରକାରୀ ସହଯୋଗ ବିନା ୧୩ ବର୍ଷ ଧରି ନିଜର ଲକ୍ଷ୍ୟପଥରୁ ବିଚ୍ୟୁତ ନହୋଇ “ସମଧ୍ଵନି” ସାଂସ୍କୃତିକ ପତ୍ରିକାଟି ଧାରାବାହିକ ଭାବରେ ପ୍ରକାଶ ପାଇଚାଲିଛି । ୨୦୧୬ – ୧୭ ମସିହାରେ ପ୍ରିଣ୍ଟ ପତ୍ରିକା ସହିତ ଯୋଡ଼ିହୋଇ ଯାଇଛି ସମଧ୍ଵନି ଇ–ପତ୍ରିକା(www.samadhwani.com) । ସମଧ୍ଵନି ଇ–ପତ୍ରିକା ୨୦୧୮ ମସିହା ମାର୍ଚ୍ଚ ୧୦ ତାରିଖରେ ଲୋହିଆ ଏକାଡ଼େମୀଠାରେ ପ୍ରଫେସର ସ୍ଵାଧୀନନନ୍ଦ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୁଧୀର ଭାଇଙ୍କର ଘନିଷ୍ଠ ବନ୍ଧୁ ନିଲୁ ମହାପାତ୍ର, ଯିଏକି ପଶ୍ଚିମବଙ୍ଗଳା ବିଜ୍ଞାନ ମଞ୍ଚର ଜଣେ ସକ୍ରିୟ କର୍ମୀ ଓ ଜଣେ ବିଖ୍ୟାତ ଗଣସଙ୍ଗୀତ ଗାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏବେ ସମଧ୍ଵନି ଇ–ପତ୍ରିକା ନବମ ବର୍ଷରେ ପାଦ ଦେଇଛି । ଖାଲି ଲେଖା ନୁହଁ ଛୋଟ ଛୋଟ ଭିଡ଼ିଓ, ପର୍ଡକାଷ୍ଟ ଓ ଧାରାବାହିକ ସାଂସ୍କୃତିକ ଆଲୋଚନା ସମଧ୍ୱନିର ପରିସରକୁ ବ୍ୟାପକ କରିଚାଲିଛି ।
ଗଁଡ଼ାବଜା/ଡମବଜା/ହାଡ଼ିବଜା ହେଉଛି ଓଡ଼ିଶାରେ ଶହଶହ ବର୍ଷଧରି ରହିଆସିଥିବା ଏକ ପାରମ୍ପାରିକ ବାଦ୍ୟ । ଭିନ୍ନ ଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ନାମରେ ଏହା ପରିଚିତ । ଲୋକସଙ୍ଗୀତ ଦୃଷ୍ଟିରୁ ଦେଖିଲେ ଅତି ଉଚ୍ଚ ସ୍ତରର ସଙ୍ଗୀତକୁ ଏହି ବାଦ୍ୟର କଳାକାରମାନେ ବଞ୍ଚେଇ ରଖିଛନ୍ତି । କିନ୍ତୁ ସାମାଜିକ ଭାବେ ଭେଦଭାବର ସ୍ଵୀକାର ହୋଇ ଉତ୍କଟ ଦାରିଦ୍ର୍ୟ ଭିତରେ ଏମାନେ ଜୀବନ କଟାଉଛନ୍ତି । ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ୧୦ଟି ଜିଲ୍ଲାରେ ଏହି କଳାର କଳାକାରମାନେ ବହୁ ସଂଖ୍ୟାରେ ଦେଖାଯାଆନ୍ତି । ସମଧ୍ଵନି ଏହି ବଜାର ସାଙ୍ଗୀତିକ ଉତ୍କର୍ଷତା ଓ କଳାକାରମାନଙ୍କର ସାମାଜିକ ଉତ୍ପୀଡ଼ନ ସମ୍ପର୍କରେ ୨୦୧୫ ମସିହାରୁ ଚର୍ଚ୍ଚା ଆଲୋଚନା ଆରମ୍ଭ କରିଥିଲା। ବଲାଙ୍ଗୀର ଜିଲ୍ଲାର ଲୋକସଙ୍ଗୀତ ଗବେଷକ ଡ଼. ଘାସିରାମ ମିଶ୍ର ସମଧ୍ଵନିରେ “ଗଁଡ଼ାବଜା” ବିଷୟରେ କିଛି କିଛି ଲେଖିବା ଆରମ୍ଭ କରିଥିଲେ । ପରେ ବିଶିଷ୍ଟ ସାମ୍ବାଦିକ କବି କେଦାର ମିଶ୍ର, ରାଜୀବ ସଗରିଆ, ଲୋକସଙ୍ଗୀତ ଗବେଷକ ତଥା ଗଁଡ଼ାବଜାର ଢୋଲ ବାଦକ ରମେଶ ଗୁର୍ଲା ଓ ସୁରେନ୍ଦ୍ର ସାହୁ, ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ କେଶରଞ୍ଜନ ପ୍ରଧାନ ଓ ଅଶୋକ ବହିଦାର, ଗଁଡ଼ାବଜାର ମୁହୁରୀ ବାଦକ ଲୁରୁ ବିଭାର ଓ ସୁଦାମ ମହାନନ୍ଦଙ୍କ ଭଳି ଉଚ୍ଚକୋଟୀର କଳାକାର ଓ ଗବେଷକମାନେ ଏହି ବିଷୟରେ ଲେଖା ଓ ସାକ୍ଷାତକାର ଦେଇ ସମଧ୍ଵନିକୁ ଏହା ଉପରେ ଅଧିକ କାର୍ଯ୍ୟକ୍ରମ ଗ୍ରହଣ କରିବାପାଇଁ ପ୍ରେରଣା ଦେଇଥିଲେ । ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ସମଧ୍ଵନିର ବାର୍ଷିକ ଉତ୍ସବ ଅବସରରେ “ଅବହେଳିତର ସଙ୍ଗୀତ: ଗଁଡ଼ାବଜା” ଶୀର୍ଷକରେ ଏକ ଆଲୋଚନା ସଭା ଆୟୋଜନ କରାଯାଇଥିଲା । ଏଥିରେ ବିଶିଷ୍ଟ ଗଁଡ଼ାବଜା ଢୋଲ ବାଦକ ତଥା ଲୋକ ସଙ୍ଗୀତ ଗବେଷକ ଶ୍ରୀ ରମେଶ ଗୁର୍ଲା ଅଭିଭାଷଣ ଦେଇଥିଲେ । ତାଙ୍କ ଆଲୋଚନାରେ ପ୍ରଭାବିତ ହୋଇ ସମଧ୍ଵନିର ଏକ ଗୋଷ୍ଠୀ ବରଗଡ଼ ଜିଲ୍ଲାର ବୋଡ଼ାସମ୍ବର ଅଞ୍ଚଳ ଗସ୍ତ କରି କଳାକାରମାନଙ୍କୁ ଭେଟିଥିଲେ । ପାଖାପାଖି ୮ରୁ ୧୦ଟି ଗାଁ ସେତେବେଳେ ଆମେ ବୁଲିଥିଲୁ । ସେହିସବୁ ଅଞ୍ଚଳ ବୁଲିବା ପରେ ଓ କଳାକାରମାନଙ୍କର ସଙ୍ଗୀତ ଓ ବାଦ୍ୟକୁ ଶୁଣିବା ପରେ ମନରେ ଆନ୍ଦୋଳନ ସୃଷ୍ଟି ହେଲା । ଉତ୍କଟ ଦାରିଦ୍ର୍ୟ ଭିତରେ ବି ସେମାନେ ସାଧନା ବନ୍ଦ କରିନାହାନ୍ତି । କଳାକୁ ପିଢ଼ି ପିଢ଼ି ଧରି ବଞ୍ଚେଇ ରଖିଛନ୍ତି । ଆମେ ସେତେବେଳେ ଏକ ବିରଳ ଅନୁଭୂତି ପାଇଥିଲୁ । ମୋର ସାଙ୍ଗୀତିକ ଜୀବନ ଭିତରେ ଏମିତି ଅଞ୍ଚଳ ମୁଁ କେବେ ଦେଖିନଥିଲି ଯେଉଁଠି ପ୍ରତି ଗାଁ’ରେ ୨୦ରୁ ୩୦ଜଣ କିମ୍ବା ତା’ଠାରୁ ଅଧିକ ବଜନିଆ ରହୁଛନ୍ତି ଓ ଗାଁ ଭିତରେ ସବୁଦିନେ ସଙ୍ଗୀତର ଅଭ୍ୟାସ କରାଯାଉଛି । ପ୍ରାୟ ପ୍ରତ୍ୟେକ ଗାଁ’ରେ ଗୋଟିଏ କିମ୍ବା ଦୁଇଟି ବଜନିଆ ଦଳ ଅଛନ୍ତି । ଗଁଡ଼ାବଜା ବ୍ୟତୀତ ଅନ୍ୟ ଲୋକକଳାର କଳାକାରମାନେ ବି ଅଛନ୍ତି । ଲୋକ ଗୀତ ଗାୟକ, ଗାୟିକା, ଡାଲଖାଇ କଳାକାର ବି ଅଛନ୍ତି । ସେହିସବୁ ଗାଁ’ମାନଙ୍କରେ ଥିବା କଳା ଓ କଳାକାର ମୋ ମନକୁ ଦୋହଲାଇ ଦେଇଥିଲା । ବହୁତ ଦୁଃଖ ଲାଗିଲା ଯେତେବେଳେ କଳାକାରମାନେ ଆମକୁ ଗୁହାରୀ କଲେ “ଆଜ୍ଞା ଟିକେ ସରକାର ଆଜ୍ଞାଙ୍କୁ ଜଣାନ୍ତୁ ଆମକୁ କଳାକାର ଭାବରେ ସ୍ଵୀକୃତି ଦେବାପାଇଁ” । ଆମର ଗୋଟିଏ ଉତ୍ତର ଥିଲା ଯେ, ସରକାର କିଏ, ଆପଣଙ୍କ ଜନ୍ମସିଦ୍ଧ ଅଧିକାର ଉପରେ ସାର୍ଟିଫିକେଟ ଦେବାପାଇଁ? କାହାର ଯୋଗ୍ୟତା ଅଛି ଆପଣମାନଙ୍କ ସଙ୍ଗୀତକୁ ବୁଝିପାରିବ ? ଏତେ ଉଚ୍ଚକୋଟୀର ସଙ୍ଗୀତକୁ ଆଜିଯାଏ ଲୋକ ସଙ୍ଗୀତ ତାଲିକାଭୁକ୍ତ କାହିଁକି କରାଯାଇନାହିଁ ମନରେ ବାରମ୍ବାର ପ୍ରଶ୍ନ ଆସିଥିଲା।
୨୦୧୯ ମସିହା ଡିସେମ୍ବର ୮ ତାରିଖ । ପଦମପୁରର ଅଞ୍ଚଳ କଲେଜ ପରିସରରେ ଗଁଡ଼ାବଜା ସମ୍ପର୍କରେ ଏକ ଜାତୀୟ ସମ୍ପାନ ଆୟୋଜନ କରାଯାଇଥିଲା । ଏହାର ମୁଖ୍ୟ ଆକର୍ଷଣ ଥିଲେ ବଜନିଆମାନେ । ପଦମପୁରଠାରେ ଥିବା “ଲୁ” ନାଟ୍ୟାନୁଷ୍ଠାନର ସମ୍ପାଦକ ତଥା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ କେଶରଞ୍ଜନ ପ୍ରଧାନ ସମଧ୍ଵନିର ଅନୁରୋଧକ୍ରମେ ଏହି ସମ୍ପାନର ଆୟୋଜନ କରିଥିଲେ । ଏହି ଜାତୀୟ ସମ୍ପାନରେ ଅନେକ ଗାଁ’ର ବଛା ବଛା କଳାକାର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଦ୍ୟ କାରୀଗରମାନେ ନିଜ ସରଞ୍ଜାମ ସହିତ ବାଦ୍ୟ ଗୁଡ଼ିକୁ ପ୍ରଦର୍ଶନ କରିଥିଲେ ଓ ଗଁଡ଼ାବଜା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆମେ ସମଧ୍ଵନି ତରଫରୁ ଗୋଟିଏ ଗୋଷ୍ଠୀ ଏଥିରେ ଯୋଗ ଦେଇଥିଲୁ । ଏହି ସମ୍ପାନର ଆଲୋଚନା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ଓ ଗଁଡ଼ାବଜା ଉପରେ ଅନେକ ପ୍ରଶ୍ନ ସମ୍ପାନରେ ଉତ୍ଥାପନ କରାଯାଇଥିଲା । ଏହି ସମ୍ପାନରେ ଉପସ୍ଥାପନ କରାଯାଇଥିବା ସମସ୍ତ ଆଲେଖ୍ୟ ଗୁଡ଼ିକୁ ସମଧ୍ଵନିର ସ୍ଵତନ୍ତ୍ର ସଂଖ୍ୟାରେ ପ୍ରକାଶ କରାଯାଇଛି। କୋଭିଡ଼ ସମୟରେ କଳାକାରମାନଙ୍କର ସମସ୍ୟା ପ୍ରସଙ୍ଗରେ ଆମେ ସରକାରୀ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇ ଦରଖାସ୍ତ ଦେଇଥିଲୁ ଓ ଦୁଇରୁ ତିନିଥର ଇମେଲ ମଧ୍ୟ ପଠେଇଥିଲୁ । କିନ୍ତୁ ଆଜିଯାଏ ସେହି ବିଷୟରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଗଁଡ଼ାବଜାର ସାଙ୍ଗୀତିକ ଉତ୍କର୍ଷତା ସମ୍ପର୍କରେ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ସମଧ୍ଵନି ଦ୍ଵାରା ମୋ ନିଜ ନିର୍ଦ୍ଦେଶନାରେ “ଗଁଡ଼ାବଜା” ନାମରେ ଏକ ବୃତ୍ତଚିତ୍ର ଲୋକାର୍ପଣ କରାଯାଇଥିଲା। ୨୦୨୨ ମସିହା ସେପ୍ଟେମ୍ବର ୨୨ ତାରିଖରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ଭୁଖା ଚଳଚ୍ଚିତ୍ରର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏହି ବୃତ୍ତଚିତ୍ରକୁ ଲୋହିଆ ଏକାଡେମୀଠାରେ ଉନ୍ମୋଚନ କରିଥିଲେ । ଅନେକ ଛୋଟ ଛୋଟ ଭିଡ଼ିଓ ଡକ୍ୟୁମେଣ୍ଟ ଏହି ବିଷୟରେ ପ୍ରକାଶ କରାଯାଇଥିଲା । କୋଭିଡ଼ ସମୟରେ ସମଧ୍ଵନି ଦ୍ଵାରା ପ୍ରକାଶିତ ଧାରାବାହିକ ଲେଖା ଓ ଭିଡ଼ିଓ ଆଧାରରେ ବଲାଙ୍ଗିର ଜିଲ୍ଲାପାଳ ଏହା ଉପରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ସ୍ଵତନ୍ତ୍ର ଗୋଷ୍ଠୀ ନିୟୋଜିତ କରିଥିଲେ ଓ ଶେଷରେ ବଲାଙ୍ଗିର ଜିଲ୍ଲାରେ ଗଁଡ଼ାବଜାକୁ ଲୋକକଳାର ମାନ୍ୟତା ମିଳିଥିଲା । ଏ କ୍ଷେତ୍ରରେ ସୁଧୀର ଭାଇଙ୍କ ବନ୍ଧୁ ଗୋପବନ୍ଧୁ ଏକାଡ଼େମୀର ପୂର୍ବତନ ମହାନିର୍ଦ୍ଦେଶକ ଶ୍ରୀ ଏସ. ପି. ଠାକୁରଙ୍କର ଗୋଟିଏ ଭୁମିକା ଥିଲା। ସେହି ଆଧାରରେ ସମଗ୍ର ପଶ୍ଚିମ ଓଡିଶାରେ ଗଁଡ଼ାବଜାକୁ ଲୋକକଳା ଭାବରେ ଗ୍ରହଣ କରିବାପାଇଁ ସମଧ୍ୱନି ଆଜିଯାଏ ଯେଉଁ ଯୁକ୍ତି ଉପସ୍ଥାପନ କରିଆସିଛି ରାଜ୍ୟ ସରକାର ଓ ଅନ୍ୟ ଜିଲ୍ଲାମାନଙ୍କ ତରଫରୁ ସେ କ୍ଷେତ୍ରରେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ । ବାରମ୍ବାର ଏହି ପ୍ରସଙ୍ଗରେ ସମଧ୍ଵନି ଲେଖା ଓ ଭିଡ଼ିଓ ପ୍ରକାଶ କରିବା ଫଳରେ ସମଗ୍ର ଓଡିଶାରେ ଗଁଡ଼ାବଜା ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇପାରିଛି ବୋଲି କିଛି ସାମ୍ବାଦିକ ସୂଚନା ଦିଅନ୍ତି । ଗଁଡ଼ାବଜାର ବଜନିଆମାନେ ଏବେ ସରକାରୀ ପ୍ରୋଗ୍ରାମ ପାଇବା କ୍ଷେତ୍ରରେ କିଛି କିଛି ସୁଯୋଗ ସୃଷ୍ଟି ହୋଇଛି । କଳାକାରମାନେ ସରକାରୀ ଦପ୍ତରରେ ପୂର୍ବ ଅପେକ୍ଷା ଅଧିକ ସ୍ଵୀକୃତି ପାଉଛନ୍ତି ଓ ସମ୍ମାନ ପାଉଛନ୍ତି ବୋଲି କିଛି କଳାକାର ଜଣେଇଛନ୍ତି । ସେଇଟା ଆମପାଇଁ ସାମାନ୍ୟ ଆଶ୍ଵାସନା ଆଣିଦେଇଛି । କିନ୍ତୁ ଆହୁରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାମ ବାକି ରହିଛି । “ଗଁଡ଼ାବଜା” ଓ ଅନ୍ୟାନ୍ୟ ଲୋକକଳାର ଗବେଷଣା ପାଇଁ ଓଡିଶାର ୪ଟି ପ୍ରାନ୍ତରରେ ୪ଟି ଲୋକସଂସ୍କୃତି ଗବେଷଣା କେନ୍ଦ୍ରର ଆବଶ୍ୟକତା ରହିଛି ବୋଲି ସମଧ୍ଵନି ଅନୁଭବ କରିଛି । ଯେଉଁଥିରେ ବୟସ୍କ କଳାକାରମାନେ ଶିକ୍ଷକ ବା ଗୁରୁ ଭାବରେ ଶିକ୍ଷା ଦେଇପାରିବେ । ଯୁବ ପିଢ଼ିଙ୍କୁ ଉତ୍ସାହିତ କରାଯିବ ନିଜ ଅଞ୍ଚଳର ସଂସ୍କୃତିକ ବିଭାବ ଗୁଡ଼ିକୁ ବଞ୍ଚେଇବା ସହିତ ସମଗ୍ର ବିଶ୍ଵରେ ଏହାର ପ୍ରଚାର ପ୍ରସାର କରିବାପାଇଁ ।
୨୦୨୦ ମସିହା ମାର୍ଚ୍ଚ ୨୩ ତାରିଖ, ବିପ୍ଲବୀ କବି ମନମୋହନ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ । ଏହି ଅବସରରେ ସମଧ୍ଵନି ଦ୍ଵାରା ଏକ ଚର୍ଚ୍ଚା ଆୟୋଜନ କରାଯାଇଥିଲା । ବିପ୍ଳବୀ କବି ମନମୋହନ ମିଶ୍ରଙ୍କ ନିଜର ଏକ ଭାଷଣ ଓ ନିଜ କଣ୍ଠରେ ଏକ ଗୀତକୁ ସମଧ୍ୱନି ଇ – ପତ୍ରିକା ମାଧ୍ୟମରେ ଓ ସମଧ୍ୱନି ୟୂଟ୍ୟୁବ୍ ଚ୍ୟାନେଲରେ ଲୋକାର୍ପଣ କରାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ପ୍ରଫେସର ଡ. ବୀରେନ୍ଦ୍ର ନାୟକ ଓ ବାମପନ୍ଥୀ ନେତା କୁଞ୍ଜବିହାରୀ ଉପାଧ୍ୟାୟଙ୍କ ଦୂରଦର୍ଶୀ ଉଦ୍ୟମ ଫଳରେ ମନମୋହନ ମିଶ୍ରଙ୍କ ବିଭିନ୍ନ ଗୀତ ନିଜ ସ୍ଵରରେ ପୁଣିଥରେ ଶୁଣିବାର ସୁଯୋଗଟିଏ ସେଦିନ ମିଳିଥିଲା । ୧୯୯୬ ମସିହାରେ ଅନୁଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ବାର୍ଷିକ ଉତ୍ସବରେ ମନମୋହନ ମିଶ୍ର ଅଭିଭାଷଣ ଦେଇଥିଲେ ଓ ଗୀତ ଗାଇଥିଲେ । ସେତେବେଳେ ଗଣିତ ବିଭାଗର ପ୍ରଫେସର ଥିବା ଡ. ବୀରେନ୍ଦ୍ର ନାୟକ ତାଙ୍କ ଭାଷଣକୁ ରେକର୍ଡ କରିଥିଲେ । ୨୦୨୦ ମସିହାରେ ସେ ଏହି ରେକର୍ଡ ଗୁଡ଼ିକ ଆମକୁ ପ୍ରକାଶ କରିବାପାଇଁ ଦେଇଥିଲେ । ଯାହାହେଉ ଓଡ଼ିଶାର ଗୋଟିଏ ଅମୂଲ୍ୟ ସ୍ୱରକୁ ପୁଣିଥରେ ଜନଗଣ ଶୁଣିବାର ସୁଯୋଗ ପାଇଥିଲେ । ସେଥିପାଇଁ ସମଧ୍ଵନି ତାଙ୍କ ନିକଟରେ କୃତଜ୍ଞ ।
କୋଭିଡ଼ ସମୟରୁ ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ କାମ ସମଧ୍ଵନି ନିଜ ହାତକୁ ନେଇଛି । ସ୍କୁଲ ଛାତ୍ରଛାତ୍ରୀମାନେ ଲେଖିଥିବା ନିଜ ନିଜ ଗାଁର ଜୀବନୀକୁ ପ୍ରକାଶ କରିବା ଓ ଏହାକୁ ପ୍ରଚାର ପ୍ରସାର କରିବା ଦିଗରେ ସମଧ୍ଵନି ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଗାଁ’ମାନଙ୍କର ଜୀବନୀ ଲେଖାଇବା କାର୍ଯ୍ୟ ସହିତ ମୁଁ ୨୦୦୫ ମସିହାରୁ ଜଡ଼ିତ ଥିଲି । ୨୦୦୫ ମସିହାରେ ରାଜଧାନୀ ଭୁବନେଶ୍ଵର ସ୍ଥିତ ଗଣିତ ଶିକ୍ଷା ଓ ପ୍ରୟୋଗ କେନ୍ଦ୍ରକୁ ଗ୍ରାମ୍ୟ ଗଣିତ ମେଧା ପରୀକ୍ଷା ଦେବାକୁ ଆସିଥିବା ୮୦ ଜଣ ଛାତ୍ରଛାତ୍ରୀ ନିଜ ଗାଁ’ର ଜୀବନୀ ଲେଖିଥିଲେ । ସେତେବେଳେ ଗଣିତ ଶିକ୍ଷା ଓ ପ୍ରୟୋଗ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟନାୟକ ଓ ଅନ୍ୟତମ ଗଣିତ ପ୍ରଫେସର ଡ. ବୀରେନ୍ଦ୍ର ନାୟକ ଏହି କାର୍ଯ୍ୟକୁ ପ୍ରୋତ୍ସାହନ ଦେଇଥିଲେ । ସେମାନେ ସୁଧୀର ଭାଇଙ୍କର ଅନୁରୋଧ ରକ୍ଷାକରି ଛାତ୍ରଛାତ୍ରୀମାନଙ୍କୁ ଗାଁ’ର ଜୀବନୀ ଲେଖିବା ପାଇଁ ସୁଯୋଗ ଦେଇଥିଲେ । ଏଠାରେ କହି ରଖେ ଯେ, ଗାଁ’ର ଜୀବନୀ ଲେଖିବାର ପରିକଳ୍ପନା ସୁଧୀର ଭାଇ ୧୯୯୪ ମସିହାରେ କରି ତାର ସଫଳ ପରୀକ୍ଷଣ ଗଞ୍ଜାମ ଜିଲ୍ଲାରେ କରିଥିଲେ । ଛାତ୍ରଛାତ୍ରୀମାନଙ୍କର ସେହି ଗାଁ’ର ଜୀବନୀ ଲେଖା ଗୁଡ଼ିକୁ ଆଣି ସୁଧୀର ଭାଇ ମୋ ହାତରେ ଦେଲେ । ଲେଖା ଗୁଡ଼ିକ ପଢ଼ିବା ସମୟରେ ମୋ ମନରେ ଗଭୀର ଆନ୍ଦୋଳନ ସୃଷ୍ଟି ହୋଇଥିଲା । ସେହିସବୁ ଜୀବନୀକୁ ନେଇ ୨୦୦୫ ମସିହାରେ “ଆମ ଗାଁ ଆମ ଜୀବନ” ପୁସ୍ତକର ପ୍ରଥମ ଭାଗ ପ୍ରକାଶ ପାଇଥିଲା । ଏହି ପୁସ୍ତକ ଲୋକବିଜ୍ଞାନ ପରିଷଦ ଦ୍ଵାରା ପ୍ରକାଶିତ ହୋଇଥିଲା ଯାହାର ସମ୍ପାଦକ ଥିଲେ ସୁଧୀର ଭାଇ । ମୁଁ ସହ ସମ୍ପାଦକ ଭାବରେ ଏହି ପୁସ୍ତକ ପ୍ରକାଶନ କାମରେ ସହଯୋଗ କରିଥିଲି । ଏହିସବୁ ଗାଁ’ର ଜୀବନୀ ଗୁଡ଼ିକ ମୋତେ ପ୍ରେରଣା ଦେଇଥିଲା ପରବର୍ତ୍ତୀ ସମୟରେ ଗାଁ’ର ଜୀବନୀ ଲେଖାଇବା କାମରେ ନିଜକୁ ନିମଗ୍ନ କରିବାପାଇଁ।
କୋଭିଡ଼ ମହାମାରୀ ସମୟରେ ସମସ୍ତେ ଯେତେବେଳେ ନିଜ ନିଜ ଘରେ ରହି ସମୟ କଟାଉଥିଲେ, ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗାଁ’ର ଜୀବନୀ ଲେଖାଇବା ପାଇଁ ମୋର ଆଗ୍ରହ ଆସିଲା। ଲକ୍ଷ୍ୟ ଥିଲା ଗାଁ’ର ଜୀବନୀ ଲେଖା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ବୟସର ଛାତ୍ରଛାତ୍ରୀମାନଙ୍କ ସହିତ ଯୋଡ଼ିହେବା। ସେମାନଙ୍କୁ ନିଜ ନିଜ ଗାଁ’ର ଅତୀତ ବିଷୟରେ, ଗାଁ’ର ଚାଷବାସ, ସଂସ୍କୃତି, ପର୍ବପବାଣୀ, ଖାଦ୍ୟପେୟ, ଲୁଗାପଟା, ଜଙ୍ଗଲ, ପାହାଡ଼, ଝରଣା, ପଶୁ, ପକ୍ଷୀ ସବୁ ବିଷୟରେ ଜାଣିବାପାଇଁ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବା । ଘରେ ଥିବା ସ୍କୁଲ ଛାତ୍ରଛାତ୍ରୀମାନେ ଗାଁ’ର ଜୀବନୀକୁ ବୟସ୍କ ଲୋକମାନଙ୍କୁ ପଚାରି ପଚାରି ଲିପିବଦ୍ଧ କରିବେ । ନିଜ ଗାଁ’ରେ ବୁଲି ଫୋଟୋ ଓ ଭିଡ଼ିଓ କରିବେ । ଏମିତିରେ ସେମାନେ ଧୀରେ ଧୀରେ ଗାଁ’କୁ ଜାଣିବେ, ଗାଁ’ର ଅତୀତକୁ ଜାଣିବେ, ସମ୍ବଳ ଗୁଡ଼ିକୁ ଚିହ୍ନିବେ । ସେତେବେଳେ ମୋ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା, ଗାଁ’ର ଜୀବନୀ ଲେଖିବା କାମରେ ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀମାନଙ୍କୁ କେମିତି ବାନ୍ଧି ରଖିହେବ ? ସେଥିପାଇଁ ଏକ ପାଠ୍ୟକ୍ରମର ଆବଶ୍ୟକତା ପଡ଼ିଲା । ଗାଁ’ର ବିଭିନ୍ନ ବିଷୟକୁ ନେଇ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରି ଛାତ୍ରଛାତ୍ରୀମାନଙ୍କୁ ବର୍ଷସାରା ଏହି କାମରେ ନିୟୋଜିତ କରାଯାଇଥିଲା । ଯେଉଁ ଲକ୍ଷ୍ୟ ନେଇ ସେତେବେଳେ ଏହି କାମ ଆରମ୍ଭ ହୋଇଥିଲା ତାହା ଏତେ ଭାବରେ ପ୍ରଚାର ପ୍ରସାର ହେବ ଓ ଲୋକଙ୍କ ନିକଟରେ ଆଦୃତ ହେବ ମୁଁ ନିଜେ କେବେ ଭାବିନଥିଲି । ସମଧ୍ଵନିର ଜଣେ ସଦସ୍ୟ, ଲୋକନାଟକ ଗବେଷକ ଡକ୍ଟର ଅଜିତ କୁମାର ମୁନୀ ସେତେବେଳେ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଥିଲେ । ସେ ମୋତେ ତାଙ୍କ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କରେଇଦେଲେ । ୨୦୨୦ ରୁ ୨୦୨୨ମସିହା ଯାଏଁ ଅନଲାଇନରେ ଗଜପତି ଜିଲ୍ଲା ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟରେ ଗାଁ’ର ଜୀବନୀ ଲେଖିବା କାର୍ଯ୍ୟକ୍ରମ ଚାଲିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଦୁଇଟି ବ୍ୟାଚରେ ଯୋଗ ଦେଇଥିଲେ । ଡକ୍ଟର ଅଜିତ କୁମାର ମୁନୀ ଏହି କାର୍ଯ୍ୟରେ ମୋତେ ଅନେକ ସହଯୋଗ କରିଥିଲେ । ରାଜ୍ୟର ଅନ୍ୟ କିଛି ସ୍କୁଲରେ ଯେମିତିକି ରାୟଗଡା ଜିଲ୍ଲାର କଲ୍ୟାଣୀସିଂପୁର ଆଦର୍ଶ ବିଦ୍ୟାଳୟ, ଜଗତସିଂପୁର ୬ ଟି ଗାଁ’ରେ ମଧ୍ୟ କୋଭିଡ଼ ସମୟରେ ଗାଁ’ର ଜୀବନୀ ଲେଖାଇବା କାର୍ଯ୍ୟକ୍ରମ କରାଯାଇଥିଲା । “ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ” ତରଫରୁ ଗାଁ’ର ଜୀବନୀ ଲେଖିଥିବା ଛାତ୍ରଛାତ୍ରୀମାନଙ୍କୁ ଛାତ୍ର ସାମ୍ବାଦିକ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ଲେଖା ଗୁଡ଼ିକୁ ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ସେତେବେଳେ ସମଧ୍ଵନି ଇ-ପତ୍ରିକା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । କିଶୋର ବୟସର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଲିପିବଦ୍ଧ କରାଯାଇଥିବା ଗାଁ’ର ଜୀବନୀ ଗୁଡ଼ିକୁ ସମ୍ପାଦନା କରି ସମଧ୍ଵନି ଇ – ପତ୍ରିକାରେ ଧାରାବାହିକ ପ୍ରକାଶ କରାଯାଇଥିଲା । ଯାହାଫଳରେ ସମଗ୍ର ରାଜ୍ୟରେ ଏହି ନୂତନ ପ୍ରୟାସଟିକୁ ଚର୍ଚ୍ଚାର ପରିସରକୁ ଆଣିପାରିଲା । ବିଶେଷକରି ୨୦୨୩ ମସିହାରେ ଓଡ଼ିଶା ମିଲେଟ ମିସନ ଦାୟିତ୍ଵରେ “ଦିନେଶ ବାଲାମ” ଥିବା ସମୟରେ ସେ ଏହି କାମଦ୍ଵାରା ପ୍ରଭାବିତ ହୋଇଥିଲେ । ତାଙ୍କ ଉଦ୍ୟମରେ ଓଡ଼ିଶା ମିଲେଟ ମିସନ/ଶ୍ରୀଅନ୍ନ ଅଭିଯାନ ତରଫରୁ “ଗାଁ’ ଇତିହାସ ଓ ଖାଦ୍ୟ ସଂସ୍କୃତି ଲିପିବଦ୍ଧ କରିବା” ନାମରେ ଏକ ନୂତନ କାର୍ଯ୍ୟକ୍ରମ ଓଡ଼ିଶାର ତିନିଟି ଜିଲ୍ଲାର ତିନୋଟି ବ୍ଲକରେ ପାଇଲଟ ପ୍ରୋଗ୍ରାମ ଭାବରେ ଆରମ୍ଭ କରାଯାଇଥିଲା । ୨୦୨୪-୨୫ ମସିହାରେ ଏହାକୁ ଆଉ ୫ଟି ଜିଲ୍ଲାର ୧୦ଟି ବ୍ଲକରେ ପାଇଲଟ ପ୍ରୋଗ୍ରାମ ଭାବରେ ଗ୍ରହଣ କରାଯାଇଛି । ଏହି ନୂତନ କାର୍ଯ୍ୟକ୍ରମକୁ ଆମେ ବିଶେଷଜ୍ଞ ଭାବରେ ସହଯୋଗ କରୁଛୁ । ଆମ ନିଜସ୍ଵ ପ୍ରୟାସରେ ଚାଲିଥିବା ଗାଁ’ର ଜୀବନୀ ଲେଖିବା କାର୍ଯ୍ୟକ୍ରମ ମଧ୍ୟ ଜାରୀରହିଛି । ଏଥିରେ ଛାତ୍ରଛାତ୍ରୀମାନଙ୍କ ସହିତ ଯୁବ ଗବେଷକମାନେ ଯୋଡ଼ିହେବା ଆରମ୍ଭ କରିଛନ୍ତି ।
ଗାଁ’ର ଇତିହାସ ଓ ସଂସ୍କୃତିକୁ ନେଇ ସମଧ୍ଵନି ସାଂସ୍କୃତିକ ସଂଗଠନ ତରଫରୁ “ଛୋଟ ଆମ ଗାଁ’ଟି କି ସୁନ୍ଦର ନାଁଟି…” ନାମକ ଗାଁ ଇତିହାସ ଗୀତ ପ୍ରକାଶ କରାଯାଇଛି । ଏହି ଗୀତ ମୁଁ ନିଜେ କୋଭିଡ଼ ସମୟରେ ରଚନା କରିଥିଲି ଯାହାର ସ୍ଵର ସଂଯୋଜନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଙ୍ଗୀତ ଶିକ୍ଷକ ତଥା ଯୁବ ତବଲା ବାଦକ ଜିତେନ୍ଦ୍ର କୁମାର ସାହୁ ଓ ଯୁବ ବେହେଲା ବାଦକ ଜ୍ୟୋତିପ୍ରକାଶ ସାହୁ। ଜିତେନ୍ଦ୍ର କୁମାର ସାହୁ ତାଙ୍କ ଛାତ୍ରୀମାନଙ୍କ କଣ୍ଠରେ ଏହି ଗୀତକୁ ନିଜେ ରେକର୍ଡ କରିଛନ୍ତି ଓ ଏଡ଼ିଟିଂ ମଧ୍ୟ କରିଛନ୍ତି । ଗୀତଟି ୟୁଟ୍ୟୁବରେ “ଛୋଟ ଆମ ଗାଁ’ଟି” ମ୍ୟୁଜିକ ଭିଡ଼ିଓ ଆକାରରେ ଓ ସମଧ୍ଵନି ଇ – ପତ୍ରିକାର ସଙ୍ଗୀତ ପର୍ଡ଼କାଷ୍ଟରେ ପ୍ରକାଶିତ ହୋଇଛି । ଗାଁ ଇତିହାସ ଓ ସଂସ୍କୃତି ଉପରେ ଆଧାରିତ ଏହି ଗୀତଟି ଓଡ଼ିଶାର କୁନିକୁନି ପିଲା ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବହୁତ ପ୍ରଭାବିତ କରିଛି । ପାଇକମାଳ ବ୍ଲକର ଯମୁନାକନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଏହି ଗୀତ ଉପରେ ନୃତ୍ୟ ପ୍ରଦର୍ଶନ କରି ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରଶଂସିତ ହୋଇଛନ୍ତି ।
ଗତ ୫ ବର୍ଷ ଭିତରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସାଂସ୍କୃତିକ ପ୍ରସଙ୍ଗରେ ସମଧ୍ଵନି କାମ ଆରମ୍ଭ କରିଛି । ଯେମିତି ୨୦୧୯ ମସିହାରୁ ୨୦୨୩ ମସିହା ଭିତରେ ସମଧ୍ଵନି ସାମ୍ପ୍ରଦାୟିକ ସଂପ୍ରୀତି ପ୍ରସଙ୍ଗ ଉପରେ ଅନେକ ଲେଖା ସଂଗ୍ରହ କରିଥିଲା । ଭାରତରେ ଓ ଓଡ଼ିଶାରେ ଶହ ଶହ ବର୍ଷ ଧରି ଯେଉଁ ସଂପ୍ରୀତିର ଉଦାହରଣ ଗୁଡ଼ିକ ଗାଁ ଗାଁ’ରେ ଜୀବନ୍ତ ରହିଛି ସେହି ଉଦାହରଣ ଗୁଡ଼ିକୁ ସଂଗ୍ରହ କରି ସମଧ୍ୱନି ପ୍ରକାଶ କରିଥିଲା । ସେସବୁ କାହାଣୀ ଓ ନିବନ୍ଧ ଗୁଡ଼ିକୁ ଏକ ସଂକଳନ ଆକାରରେ “ସାମ୍ପ୍ରଦାୟିକ ସଂପ୍ରୀତି କେତୋଟି ଉଦାହରଣ” ନାମରେ ଗତ ୨୦୨୪ ମସିହା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରକାଶ କରାଯାଇଛି । ଏହି ପୁସ୍ତକ ପ୍ରକାଶନ କ୍ଷେତ୍ରରେ ପ୍ରଫେସର ବିରେନ୍ଦ୍ର ନାୟକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସେଥିପାଇଁ ସମଧ୍ଵନି ତାଙ୍କ ନିକଟରେ କୃତଜ୍ଞ ।
୨୦୨୩ ମସିହାରେ ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ର ତରଫରୁ ଆୟୋଜନ କରାଯାଇଥିଲା “ପଏର୍ଛା ସତୀ” ସଙ୍ଗୀତ ରୁପକ ଉପସ୍ଥାପନ ପାଇଁ ଏକ ମଞ୍ଚ । କବି ଖଗେଶ୍ୱର ସେଠ୍ ଲେଖିଥିବା କବିତାମାନଙ୍କ ମଧ୍ୟରୁ ନାରୀର ସ୍ଵରକୁ ତୋଳିଧରିଥିବା କବିତା ହେଉଛି “ପଏର୍ଛା ସତୀ” । ଏହାକୁ ସଙ୍ଗୀତାଭିନୟରେ ରୂପାନ୍ତର କରିଥିଲେ “ଲୁ” ନାଟ୍ୟ ସଂସ୍ଥାର ସମ୍ପାଦକ ତଥା ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପ୍ରଧାନ । ତାଙ୍କ ନିର୍ଦ୍ଦେଶନାରେ “ପଏର୍ଛା ସତୀ” ସଙ୍ଗୀତ ରୁପକ ଲୋହିଆ ଏକାଡ଼େମୀଠାରେ ପ୍ରଥମଥର ପାଇଁ ମଞ୍ଚସ୍ଥ ହୋଇଥିଲା । “ପଏର୍ଛା ସତୀ”କୁ ସଙ୍ଗୀତାଭିନୟ କରି ପରିବେଷଣ କରିଥିଲେ ବିଶିଷ୍ଟ ଲୋକ କଳାକାର ପୁଷ୍ପାଞ୍ଜଳି ତାଣ୍ଡି ଓ ଅନ୍ୟ ସାଥି କଳାକାରମାନେ।
ଏହିସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ୨୦୨୨ ମସିହାରୁ ସମଧ୍ୱନି ଇ – ପତ୍ରିକାରେ ପର୍ଡ଼କାଷ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସଙ୍ଗୀତ, ଗଳ୍ପ, କବିତା ଓ ବିଭିନ୍ନ ସାଂସ୍କୃତିକ ବିଷୟ ଉପରେ ଧାରାବାହିକ ପଡ଼କାଷ୍ଟ ପ୍ରକାଶ କରାଯାଉଛି । ଏହି ପଡ଼କାଷ୍ଟ ପ୍ରକାଶ ପାଇବା ପରେ ସମଧ୍ୱନିର ବାର୍ତ୍ତା ଅଧିକ ପ୍ରଚାର ପ୍ରସାର ହୋଇଛି । ୧୯୪୦-୫୦ ମସିହା ସମୟରେ ଓଡ଼ିଶାର ବିଭିନ୍ନ କୃଷି ସଂସ୍କୃତି ଆଧାରିତ ପର୍ବପର୍ବାଣି, ସେଥିରେ ହେଉଥିବା ଖାଦ୍ୟ ଓ ସେତେବେଳର ଲୋକମାନଙ୍କର ଚାଲିଚଳଣି ଇତ୍ୟାଦି ସମ୍ପର୍କରେ ବିଶିଷ୍ଟ ଦେଶୀ ଚାଷୀ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ ଦୀର୍ଘ ଆଲୋଚନା କରିଛନ୍ତି । ସେହିସବୁ ଆଲୋଚନା ଓଡ଼ିଶାବାସୀଙ୍କ ମନରେ ସବୁଜ ବିପ୍ଲବ ପୂର୍ବର କୃଷି ସଂସ୍କୃତି ଓ ଗ୍ରାମ୍ୟ ଜୀବନକୁ ଆଉଥରେ ଉଜାଗର କରିଛି । ସେଥିପାଇଁ ଆମେ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀଙ୍କ ନିକଟରେ କୃତଜ୍ଞ ।
ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟନାୟକ ସମଧ୍ଵନିର ପ୍ରତ୍ୟେକଟି କାମରେ ଦିଗ୍ଦର୍ଶନ ଦେଇ ଆସିଛନ୍ତି । ଏହି କାମକୁ ବଞ୍ଚେଇ ରଖିବା କ୍ଷେତ୍ରରେ ତାଙ୍କର ଓ ଡ. ସୁମିତ୍ରା ପଟେଲଙ୍କର ଅକୁଣ୍ଠ ଭଲପାଇବା, ଶ୍ରଦ୍ଧା ଓ ସହଯୋଗ ରହିଛି । ସେଥିପାଇଁ ଆମେ ତାଙ୍କ ନିକଟରେ କୃତଜ୍ଞ।
ଭବିଷ୍ୟତରେ ଆମେ ଆମର ପର୍ଡ଼କାଷ୍ଟ କାର୍ଯ୍ୟକ୍ରମକୁ ବ୍ୟାପକ କରିବାପାଇଁ ପ୍ରୟାସ କରୁଛୁ । ଗାଁ’ର ଜୀବନୀ ଠାରୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ ବିଷୟରେ ପୁସ୍ତକ ପ୍ରକାଶ କରିବା ସହିତ ଭିଡ଼ିଓ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାପାଇଁ, ଅନେକ ଅପ୍ରକାଶିତ ଗୀତକୁ ରେକର୍ଡ କରିବାପାଇଁ ଯୋଜନା ରହିଛି । ଅର୍ଥାଭାବ ଯୋଗୁଁ ଆମେ ଯାହା ଚିନ୍ତା କରୁଛୁ ସବୁଗୁଡ଼ିକ କାର୍ଯ୍ୟରେ କରିପାରୁନାହୁଁ । ଅନେକ ସଂଘର୍ଷ ଭିତରେ ସମଧ୍ୱନିର ପ୍ରିଣ୍ଟ ଓ ଇ-ପତ୍ରିକା, ଛୋଟ ଛୋଟ ଡକ୍ୟୁମେଣ୍ଟାରୀ, ଅଡ଼ିଓ, ଭିଡ଼ିଓ, ପର୍ଡ଼କାଷ୍ଟ ଆଦି କାର୍ଯ୍ୟ ଜାରୀରହିଛି । ସେଥିପାଇଁ ଆମ କାମକୁ ଭଲ ପାଉଥିବା ସମସ୍ତଙ୍କୁ ଆମେ କାମ ସହିତ ଯୋଡ଼ିହେବାପାଇଁ ଓ ଏହାକୁ ଆଗେଇନେବା ଦିଗରେ ସହଯୋଗ କରିବା ପାଇଁ ନିବେଦନ କରୁଛୁ । ତଥାପି ସମଧ୍ୱନିର କେତେଜଣ ବନ୍ଧୁଙ୍କ ସ୍ୱଳ୍ପ ସହଯୋଗ ଆମର ଆଶାକୁ ଆଜିଯାଏ ବଞ୍ଚେଇ ରଖିଛି । ଆମ କାମକୁ ଆନ୍ତରିକତାର ସହିତ ଭଲପାଇଥିବା ମଣିଷଙ୍କ ମଧ୍ୟରୁ କେତେଜଣ ଆମକୁ ଛାଡ଼ି ଚାଲିଗଲେଣି । ସେମାନଙ୍କ ମଧ୍ୟରୁ ପ୍ରଫେସର ଭଗବତ ପ୍ରସାଦ ଓ ବିଶିଷ୍ଟ ଚିତ୍ରକର ଅଶୋକ କୁମାର ମହାନ୍ତି ଅନ୍ୟତମ । ସେମାନଙ୍କ ସ୍ମୃତିରେ ଆମେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।
ସମଧ୍ଵନି ଆଗାମୀ ଦଶବର୍ଷ ଭିତରେ ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରେ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାପାଇଁ ଲକ୍ଷ୍ୟ ରଖିଛି । ଓଡିଶାର ସଂସ୍କୃତି ପ୍ରେମୀ ବନ୍ଧୁମାନଙ୍କୁ ଏକାଠି କରି ସମସ୍ତଙ୍କ ସହଯୋଗରେ ଏହି ଲକ୍ଷ୍ୟ ପଥରେ ଆଗେଇବା ଆମ ପାଇଁ ସବୁଠାରୁ ବଡ଼ ଆହ୍ଵାନ । ଆଶା ଆପଣମାନେ ଆମକୁ ସହଯୋଗର ହାତ ବଢେଇବେ ।