ବାର୍ଷିକ ଉତ୍ସବ :
୧୦ ମାର୍ଚ୍ଚ ୨୦୨୫ ତାରିଖ ଦିନ ଲୋହିଆ ଏକାଡେମୀ, ଭୁବନେଶ୍ଵରଠାରେ ସମଧ୍ଵନିର 20ତମ ବାର୍ଷିକ ଉତ୍ସବ, ସାଂସ୍କୃତିକ ଆଲୋଚନା ଓ ଗଣସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଭିତରେ ପାଳିତ ହୋଇଥିଲା । ଏହି ଅବସରରେ ଅବହେଳିତ ଲୋକ ସଂଗୀତ, କଳା ଓ ଲୋକକଳାକାର ଓ ଓଡ଼ିଶାର ଯୁବ ଛାତ୍ରଛାତ୍ରୀ, ପାଠ ଛାଡି ଗାଁରେ ରହୁଥିବା ପିଲାମାନଙ୍କୁ ନେଇ ଗାଁ’ର ସଂସ୍କୃତିର ସଂରକ୍ଷଣ ଓ ଜାଗରଣ ଉପରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଥିଲା। ଏହି ସଭାରେ ପ୍ରଫେସର ବିରେନ୍ଦ୍ର ନାୟକ ସଭାପତିତ୍ଵ କରିଥିଲେ ଓ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାମ୍ବାଦିକ ରାଜୀବ ସଗରିଆ ଯୋଗ ଦେଇଥିଲେ । ସଭା ଆରମ୍ଭରେ ସମଧ୍ଵନିର ସଦସ୍ୟ ସେବତୀ ସୋରେନ ବାଞ୍ଛାନିଧି ମହାନ୍ତିଙ୍କର “କି ହେବ ଏ ସ୍ଵରାଜ୍ୟ ଘେନି, ଯେବେ ମୋର ନପୁରେ ପେଟ” ସଙ୍ଗୀତ ପରିବେଷଣ କରିଥିଲେ । ସଭାରେ ସମଧ୍ଵନି ସାଂସ୍କୃତିକ ସଂଗଠନର ଅଧ୍ୟକ୍ଷ ତଥା ସମଧ୍ଵନି ପତ୍ରିକାର ସମ୍ପାଦକ ସ୍ଵୟଂପ୍ରଭା ପାଢ଼ୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ସମଧ୍ବନିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସମ୍ପ୍ରଦାୟିକ ସଂପ୍ରୀତି ଉପରେ ସମଧ୍ଵନି ପ୍ରକାଶନ ଦ୍ଵାରା ପ୍ରକାଶିତ ଏକ ପୁସ୍ତକ ଓ ସମଧ୍ଵନିର ଜାନୁଆରୀରୁ ମାର୍ଚ୍ଚ ସଂଖ୍ୟା ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟନାୟକଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା । ମୁଖ୍ୟ ବକ୍ତା ରାଜୀବ ସଗରିଆ ଓଡ଼ିଶାରେ ସଂପ୍ରୀତିର ସଂସ୍କୃତି ସମ୍ପର୍କରେ ଚର୍ଚ୍ଚା କରିଥିଲେ ଓ ଡ.ଅଜିତ କୁମାର ମୁନୀ ଏହି ଅବସରରେ ଓଡ଼ିଶାରେ ଲୋକକଳା କେମିତି ଅବହେଳିତ ଅବସ୍ଥାରେ ରହିଛି ଓ କଳାକାରମାନେ କେମିତି ଦୁର୍ଦ୍ଦଶା ଦେଇ ଗତିକରୁଛନ୍ତି ସେ ବିଷୟରେ ବିଶେଷ ଆଲୋକପାତ କରିଥିଲେ । ବିଶିଷ୍ଟ ସାମ୍ବାଦିକ ତଥା ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ ସମଧ୍ଵନି ଆଗରେ କେଉଁଭଳି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ଓ ସେ ଦିଗରେ ସମଧ୍ଵନି କେମିତି କାମ କରିବ ଆଲୋକପାତ କରିଥିଲେ । ଏହି ସଭାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଡ. ସୁମିତ୍ରା ପଟେଲ, ପ୍ରଫେସର ବାଣୀକଣ୍ଟ ମିଶ୍ର, ପ୍ରଫେସର ରମନ୍ନା, ଡ. ନମୀତା ଷଡଙ୍ଗୀ, ଉଷାରାଣୀ ବେହେରା, ଡ. ଇତିଶ୍ରୀ ସାହୁ, ଗୁରୁ ଡ. ଅଜୟ କୁମାର ବିଶ୍ଵାଳ, ବାଣୀବିହାରର ଛାତ୍ରଛାତ୍ରୀ, ଯୁବ କଳାକାରମାନେ ସଭାରେ ଉପସ୍ଥିତ ଥିଲେ । ଓଡ଼ିଶାର ସାଂସ୍କୃତିକ ଜାଗରଣ ପାଇଁ ସମଧ୍ୱନିର ଓଡ଼ିଶାର ଯୁବ ସମାଜ ତଥା ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ନୂଆ ପରିକଳ୍ପନା ସମ୍ପର୍କରେ ୱେବମାଷ୍ଟର ରାକେଶରଞ୍ଜନ ସାମନ୍ତରାୟ ପ୍ରକାଶ କରିଥିଲେ । ସମଧ୍ଵନିର ପତ୍ରିକା ଓ ଫଟୋ ପ୍ରଦର୍ଶନୀ ପରିସରକୁ ଖୁବ ସୁନ୍ଦର କରିଥିଲା ଯାହା ବନ୍ଧୁ ଶିବାଶିଷ ରାୟଙ୍କ ଉଦ୍ୟମ ଓ ଲକ୍ଷ୍ମୀଧର ମୁର୍ମୁଙ୍କ ସହଯୋଗରେ ହୋଇଥିଲା । ଭିଡ଼ିଓଗ୍ରାଫର ଲକ୍ଷ୍ମୀଧର ମୁର୍ମୁ ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ଭିଡ଼ିଓ ଡକ୍ୟୁମେଣ୍ଟ କରିଥିବା ବେଳେ ବାଣୀ ଏହାର ଲିଖିତ ଲିପିବଦ୍ଧ କାର୍ଯ୍ୟ କରିଥିଲେ । ଯୁବ ସଦସ୍ୟ ନୟନ ସୋରେନ ସମଗ୍ର କାର୍ଯ୍ୟକ୍ରମକୁ ଫେସବୁକ ମାଧ୍ୟମରେ ସିଧା ପ୍ରସାରଣ କରିଥିଲେ ।
ସମଧ୍ଵନି ଆଗାମୀ ଦିନରେ ଗାଁ’ର ଛାତ୍ରଛାତ୍ରୀଙ୍କୁ ନେଇ ଗାଁ’ର କଳା ସଂସ୍କୃତିକୁ ସଂରକ୍ଷଣ କରିବା ବିଷୟ ଉପରେ ଯେଉଁ ଗୁରୁତ୍ତ୍ଵଦେଇଛି ଏହା ନିଶ୍ଚିତଭାବରେ ଏକ ନୂତନ ଦିଗକୁ ଦ୍ରୁଷ୍ଟି ନିକ୍ଷେପ କରୁଛି ବୋଲି ସମସ୍ତେ ଆଶାବ୍ୟକ୍ତ କରିଥିଲେ ।
ସମଧ୍ଵନିର ଲକ୍ଷ୍ୟ :
ସମଧ୍ଵନିର ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ଅଧ୍ୟକ୍ଷ ସ୍ଵୟଂପ୍ରଭା ପାଢୀ କହିଥିଲେ ଯେ, ସମଧ୍ୱନିର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଶାର ଗାଁ’ର ସାଂସ୍କୃତିକ ବିଭବ, ଲୁପ୍ତପ୍ରାୟ ଲୋକସଂସ୍କୃତି, ଓ ଅବହେଳିତ ଲୋକକଳା, ଲୋକ ସଂଗୀତକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିବା । ଏହାର ସଂରକ୍ଷଣ ପାଇଁ ସଚେତନ କରେଇବା ଓ ନିଜେ କିଛି ପଦକ୍ଷେପ ନେବା । ଆମେ ବିଶ୍ଵାସ କରୁ ଯେ, କଳାକାର ହିଁ କଳାକୁ ପିଢି ପିଢି ଧରି ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ବଞ୍ଚେଇ ରଖିଆସିଛି । ସେ କେଉଁଠି ମା ବୋଲି କହି ତାର ବଜାକୁ ପୂଜା କରୁଛି ତ କେଉଁଠି ଦେବତା ମଣି କୋପ କରିବ ଭାବି ଗାଇଛି ବଜେଇଛି ଓ ନାଚିଛି । ଅତୀତରେ ଯେତେବେଳେ କୌଣସି ଆମୋଦ ପ୍ରମୋଦର ମାଧ୍ୟମ ନଥିଲା ସେତେବେଳେ ସେମାନେ ହିଁ ଆମକୁ କେନ୍ଦରା ବଜେଇ, ଢୋଲ, ନିଶାନ ବଜେଇ, କଣ୍ଢେଇ ନାଚ କରି, ଘୋଡା ନାଟ କରି ଆମକୁ ଖୁସି କରୁଥିଲେ । ଡିଜିଟାଲ ଯୁଗରେ ସେହି କଳାକାରମାନେ ଲୋପ ପାଇଗଲେ ତା ସହିତ ଲୋପ ପାଇଗଲା ଅନେକ କଳା । ଯାହାକିଛି ଆଜି ଆମ ପାଖରେ ବଞ୍ଚିକି ରହିଛି ତାକୁ ବଞ୍ଚାଇବା ଅତି ଜରୁରୀ ହୋଇଯାଇଛି । ସେଥିପାଇଁ ୨୦୨୫ ମସିହାରେ ସମଧ୍ଵନି ଡାକରା ଦେଇଛି ଯେ, “କଳାକାର ବଞ୍ଚିଲେ ଯାଇ କଳା ବଞ୍ଚିବ” ।
ଗାଁ ଗାଁରେ ଆଜି ବି ଅନେକ ପୁରୁଣା ଲୋକ କାଳର କଳାକାର, ବାଦ୍ୟ କାରିଗର, ବୁଣାକାର, ହସ୍ତତନ୍ତ କାରିଗର ଅଛନ୍ତି ଯେଉଁମାନଙ୍କ କଳା ସମ୍ପର୍କରେ ନିଜେ ଗାଁ ଲୋକେ ବି କିଛି କହି ପାରିବେ ନାହିଁ । ସେମାନଙ୍କ ସମ୍ପର୍କରେ ଜାଣିବା ଓ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ଅତି ଜରୁରୀ । କେବଳ କଳାକାର ନୁହଁ ଆମ ଗାଁର ମା ମାନେ ଯେଉଁମାନେ ଗାଁ ର କୃଷି ସଂସ୍କୃତି ଓ ଖାଦ୍ୟ ସଂସ୍କୃତିକୁ ବଞ୍ଚେଇଛନ୍ତି ସେମାନଙ୍କୁ ସମଧ୍ବନି ସମ୍ମାନ ଜଣାଉଛି । ଆଗାମୀ ଦିନରେ କଳାକାର ମାନଙ୍କ ସହିତ କୃଷି ସଂସ୍କୃତିକୁ ବଞ୍ଚେଇ ରଖିଥିବା ସବୁ ମଣିଷଙ୍କୁ ଆମେ ସମଧ୍ବନି ପୃଷ୍ଠାରେ ସଂସ୍କୃତିର ରକ୍ଷକ ଭାବରେ ସ୍ଥାନିତ କରିବୁ । ସେହିସବୁ ସଂରକ୍ଷଣ କାମ କରିବେ ଗାଁ’ର ସ୍କୁଲ ଛାତ୍ରଛାତ୍ରୀମାନେ । ସେମାନେ ନିଜ ନିଜ ଗାଁର ସଂସ୍କୃତିକୁ ରକ୍ଷା କରିବା ପାଇଁ ମୁଖ୍ୟ ଭୂମିକା ନେବେ । ସମଧ୍ଵନିରଲକ୍ଷ୍ୟ ଗାଁ ଭିତରେ ଲୋକମାନଙ୍କ ଭିତରେ ଯେଉଁଭଳି ଆନ୍ତରିକତା ଓ ସମ୍ପର୍କ ରହିଥିଲା କୁନି କୁନି ପିଲାଙ୍କ ଦ୍ଵାରା ହିଁ ସେହି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହୋଇପାରିବ ।
ଅତୀତର କାର୍ଯ୍ୟ:
ଅତୀତର କାର୍ଯ୍ୟ ଗୁଡିକ ମଧ୍ୟରେ ଗତ ଦୁଇ ଦଶକ ଧରି, ସମଧ୍ୱନି ଲୋକକଳା ସଂରକ୍ଷଣ ଯେମିତିକି ଗଁଡ଼ାବଜା, ଡାଲଖାଇ, ଓଡିଶୀ ସଙ୍ଗୀତ ଭଳି ପାରମ୍ପରିକ କଳାକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାନ କରିଛି। ଗଁଡ଼ାବଜା ଉପରେ ଏକ ଡକ୍ୟୁମେଣ୍ଟରୀ ଫିଲ୍ମ ପ୍ରକାଶିତ ହୋଇଛି । ଯୁବ ଛାତ୍ରଛାତ୍ରୀ ମାନଙ୍କୁ ନେଇ ୨୦୨୦ମସିହାରୁ ୨୦୨୨ ମସିହା ଭିତରେ ଗଜପତି, ରାୟଗଡା, ଜଗତସିଂପୁର ଭଳି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନେଇ ଗାଁର ଜୀବନୀ ଲେଖା, ଭିଡିଓ ଡକ୍ୟୁମେଣ୍ଟ୍ରି ପ୍ରସ୍ତୁତି, ଏବଂ ଗଁଡ଼ାବଜା ଅଞ୍ଚଳରେ କେତେ କଳାକାର ଗାଁ ଗାଁରେ ଅଛନ୍ତି ଆମେ ଜାଣିବା ପାଇଁ ପ୍ରୟାସ କରିଛୁ । ଗଁଡ଼ାବଜା କଳାକାରଙ୍କ ଅଧିକାର ପାଇଁ ସମଧ୍ଵନି ସ୍ୱର ଉତ୍ତୋଳନ କରି ଆସିଛି, ସେମାନଙ୍କ କଳାକୁ ମଞ୍ଚରେ ପ୍ରଦର୍ଶନ କରିବାପାଇଁ ସୁଯୋଗ ମିଳୁ ନଥିବା ସମୟରେ ସମଧ୍ଵନିର ପ୍ରୟାସ ଫଳରେ ଏକ ସ୍ପଷ୍ଟ ପରିବର୍ତ୍ତନ ଦେଖିହେଉଛି । ଯଦିଓ ଆଜିଯାଏ ଗଁଡ଼ାବଜାକୁ ରାଜ୍ୟ ସରକାର ଲୋକକଳାର ମାନ୍ୟତା ପ୍ରଦାନ କରିନାହାନ୍ତି । ସଂପ୍ରୀତିର ଅନେକ କାହାଣୀକୁ ଏକାଠି କରି ସମଧ୍ଵନି ପ୍ରକାଶନ ଦ୍ଵାରା “ସାମ୍ପ୍ରଦାୟିକ ସଂପ୍ରୀତି କେତୋଟି ଉଦାହରଣ” ନାମରେ ଏକ ପୁସ୍ତକ ପ୍ରକାଶ କରିଛି ।
ସମଧ୍ୱନି କେବଳ ଏକ ସଙ୍ଗୀତ ଗୋଷ୍ଠୀ ହୋଇ ଆଜି ରହିନାହିଁ ବରଂ ଏହା ଏକ ସାଂସ୍କୃତିକ ସଂଗଠନ, ସଂସ୍କୃତି ପତ୍ରିକା, ଡିଜିଟାଲ୍ ପରିସର, ଏକ ଲୋକ ସଂସ୍କୃତି ଗବେଷଣା ପ୍ଲାଟଫର୍ମ, ଏବଂ ଓଡିଶାର ସାଂସ୍କୃତିକ ଜାଗରଣର ସ୍ଥଳ ପାଲଟିଛି । ଶେଷରେ ଏତିକି କୁହାଯାଇ ପାରେ ଯେ, କଳା ଓ କଳାକାର ହେଉଛନ୍ତି ପରିପୂରକ। ଆମର ଆଜିର ଡାକରା ହେଉଛି କଳାକାରକୁ ବଞ୍ଚାଇଲେ କଳା ବଞ୍ଚିବ ।
ସମଧ୍ଵନିର ସଂଗୀତ ଆସର:
ସନ୍ଧ୍ୟାରେ ସମଧ୍ଵନିର ସଂଗୀତ ଆସରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ରାଜେଶ କୁମାର ଲେଙ୍କା, ଯୁବ ବେହେଲା ବାଦକ ଜ୍ୟୋତିପ୍ରକାଶ ସାହୁ, : ସୁବିର ଜେନା ଗଣସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଭାରତୀୟ ଜ୍ଞାନ ବିଜ୍ଞାନ ସମିତିର ଉଷାରାଣୀ ବେହେରା ଓ ବାମପନ୍ଥୀ ନେତା ନାୟରଣ ରେଡ୍ଡୀ ମଧ୍ୟ ଗଣସଙ୍ଗୀତ ପରିବେଷଣ କରିଥିଲେ ।