ଓଡିଶାର ଖାଦ୍ୟ ପ୍ରତ୍ୟେକ ଅଞ୍ଚଳରେ ଭିନ୍ନ ଭିନ୍ନ। ଆଧୁନିକତାର ପ୍ରଭାବରେ ଓଡିଶାର ଖାଦ୍ୟ ସଂସ୍କୃତି କ୍ଷେତ୍ରରେ ନବେ ଦଶକ ପରେ ଦେଖା ଯାଇଛି ଅଭୁତପୂର୍ବ ପରିବର୍ତ୍ତନ । ସେହି ପରିବର୍ତ୍ତନ ଫଳରେ ଅନେକ ପାରମ୍ପରିକ ଖାଦ୍ୟ ହଜି ହଜି ଯାଉଛି । ଏହିସବୁ ପାରମ୍ପରିକ ଖାଦ୍ୟକୁ କେମିତି ସଂରକ୍ଷିତ କରି ଲିପିବଦ୍ଧ କରାଯିବ ସେ ଦିଗରେ ୨୦୧୫ ମସିହାରୁ ସମଧ୍ୱନି ଧାରାବାହିକ ପ୍ରୟାସ କରିଆସିଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ଖାଦ୍ୟ ସଂସ୍କୃତିକୁ ଲିପିବଦ୍ଧ କରି ଏଠାରେ ଆପଣମାନଙ୍କ ନିକଟରେ ପ୍ରକାଶ କରିଛନ୍ତି ବରମପୁର ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପିକା ଡକ୍ଟର ଉଷାରାଣୀ ଆଚାର୍ଯ୍ୟ । ନିଜର ପିଲା ଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଯେଉଁସବୁ ଅନୁଭୂତି ରହିଛି ସେ ଲେଖା ମାଧ୍ୟମରେ ପ୍ରକାଶ କରିଛନ୍ତି। ତାଙ୍କର ଏହି ଉଦ୍ୟମ ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ଲିପିବଦ୍ଧ କରିବା ଓ ଭବିଷ୍ୟତ ପିଢି ପାଇଁ ସାଇତି ରଖିବାରେ ନିଶ୍ଚୟ ସହଯୋଗ କରିବ । – ସମ୍ପାଦକ
ଖାଦ୍ୟ ସମସ୍ତ ପ୍ରାଣୀଙ୍କ ପାଇଁ ନିହାତି ଅପରିହାର୍ଯ୍ୟ। ପିଲାଟିଏ ଜନ୍ମହେବାପରେ ପ୍ରଥମେ ଦରକାର କରେ ମା’ର କ୍ଷୀର। ସମସ୍ତ ପ୍ରାଣୀଙ୍କର ଖାଦ୍ୟ ସେମାନଙ୍କ ରୁଚି ଅନୁସାରେ ହୋଇଥାଏ, ଯଦି ଓ ଖାଦ୍ୟର ବିଭିନ୍ନତା ନିଶ୍ଚିତ ଭାବରେ ନିର୍ଭର କରେ ଗୋଟିଏ ସ୍ଥାନର ଜଳବାୟୁ ଓ କୃଷି ଉପରେ।ରୁଚିକର ଖାଦ୍ୟ ଖାଇବା ପାଇଁ କିଏ ବା ନ ଚାହେଁ! ଏଇଥି ପାଇଁ ଆମେ କହୁ”ନିଜ ରୁଚି ଭୋଜନ ଅନ୍ୟ ରୁଚି ବସନ” ଯେହେତୁ ଆମର କୃଷି ଓ ଜଳବାୟୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ତେଣୁ କୃଷିଜାତ ଦ୍ରବ୍ଯକୁ ନେଇ ଆମେ ଆମ ରୁଚି ଅନୁଯାୟୀ ବିଭିନ୍ନ କିସମର ଖାଦ୍ୟ ପ୍ରସ୍ତୁତି କରୁ।ବହୁ ପୁରାତନ କାଳରୁ ଆମେ ଆମର ଖାଦ୍ୟ ରୁଚିକୁ ନେଇ ପରମ୍ପରା ସାଙ୍ଗରେ ସଂଯୋଗ କରିଛେ।ସେହି ପରମ୍ପରା ପୁଣି ଆମ ଜଳବାୟୁ ଓ କୃଷି ଉପରେ ନିର୍ଭରଶୀଳ।ଧରି ନିଆଯାଉ ଆମ ପରମ୍ପରାରେ ବୈଶାଖ ମାସ ଅର୍ଥାତ୍ ଖରା ମାସରେ ବିଭିନ୍ନ ପ୍ରକାର ପଣା ତିଆରି କରୁ।ଏହା ପଛର ସରଳ କାରଣ ହେଲା ଏହି ସମୟରେ ଆମେ ପାଚିଲା ବେଲ, ଆମ୍ବ,ପଣସ,ସପୁରୀ ଇତ୍ୟାଦି ସୁସ୍ୱାଦୁ ପାଚିଲା ଫଳ ପାଇଥାଉ। ତା ଛଡା ସୂର୍ଯ୍ୟ ତାପଜନିତ ପ୍ରଚଣ୍ଡ ନିଦାଘରୁ ରକ୍ଷା ପାଇବା ପାଇଁ ସୁସ୍ୱାଦୁ ଓ ସ୍ୱାସ୍ଥ୍ୟକର ପଣା ପିଇବା ଆମର ପରମ୍ପରାଗତ ହୋଇ ସାରିଛି। ଏଇଥି ପାଇଁ ଆମେ ପାଳନ କରୁଛେ “ପଣା ସଂକ୍ରାନ୍ତି”। ରାସ୍ତା,ସାହି ମାନଙ୍କରେ ଓ ମନ୍ଦିର ମାନଙ୍କରେ ପଣା ବଣ୍ଟନ ପରମ୍ପରା ରହିଛି।ଆଗ କାଳରେ ଲୋକେ ଜମିରେ ଆଖୁ ଚାଷ କରି ଗୁଡ ଓ ନବାଦ ତିଆରି କରୁଥିଲେ। ଚିନିର ବ୍ୟବହାର ଏତେ ମାତ୍ରା ନଥିଲା। ଖରା ମାସରେ ଘରେ ଘରେ ଗୁଡ ଓ ନବାଦ ସାଙ୍ଗରେ ପାଚିଲା ବେଲ ରସ, ଆମ୍ବ ରସ,ନଡ଼ିଆ କୋରା, କଦଳୀ, ଗୋଲମରିଚ, ଶ୍ରୀ କର୍ପୁର ଦେଇ ପଣା ବନେଇବାର ବ୍ୟବସ୍ଥା ଥିଲା। ଏଥିରେ ଛେନା ବେଳେବେଳେ ମିଶା ଯାଉଥିଲା।ଓ ଏହି ପଣା ଘରେ ଓ ମନ୍ଦିରରେ ଭୋଗ ଲଗା ଯାଉଥିଲା। ତେଣୁ ଏହି ସଂକ୍ରାନ୍ତି ଅର୍ଥାତ୍ ମେଷ ସଂକ୍ରାନ୍ତିକୁ ସମସ୍ତେ ପଣା ସଂକ୍ରାନ୍ତି ବୋଲି କୁହନ୍ତି।ଯେହେତୁ ଏହି ଦିନରୁ ଓଡ଼ିଆ ନୂଆବର୍ଷର ଆରମ୍ଭ ହୁଏ,ତେଣୁ ନୂଆ ଗୁଡ, ନବାଦ,ପାଚିଲା ଆମ୍ବ ଓ ପାଚିଲା ବେଲରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଭୋଗ ଲାଗି ହୁଏ।ଘରେ ଘରେ ବ୍ରାହ୍ମଣ ଓ ଗରିବ ଲୋକଙ୍କୁ ପଣା ପିଇବା ପାଇଁ ଦିଆ ଯାଉଥିଲା। ତାଳ ପତ୍ରର ବିଞ୍ଚଣା ବି ଦିଆ ଯାଉଥିଲା।ତେଣୁ ଗାଁ ମାନଙ୍କରେ କେତେକ ସମ୍ପ୍ରଦାୟର ଲୋକେ ଶଗଡ଼ ଶଗଡ଼ ପରିମାଣର ତାଳପତ୍ର ଓ ବାଉଁଶ ପାତିର ବିଞ୍ଚଣା ତିଆରି କରି ହାଟରେ ଓ ଗାଁ ମାନଙ୍କରେ ବିକ୍ରୟ କରୁଥିଲେ।
ମେଷ ସଂକ୍ରାନ୍ତିର ଅନ୍ୟ ଏକ ସ୍ଵତନ୍ତ୍ର ପାଳନ ନୀତି ହେଲା ଏହି ଦିନ ଷଡରସ (ମିଠା,ଖଟା,ରାଗ,ପିତା,କସା,ଓ ଲୁଣ) ଲୁଣରୁ ପ୍ରସ୍ତୁତ ଚଟଣୀ ଖିଆଯାଏ। ବିଶେଷତଃ ଏହି ପରମ୍ପରା ଗଞ୍ଜାମର ତେଲୁଗୁ ସମ୍ପ୍ରଦାୟରେ ଦେଖାଯାଏ। ଏହି ରୀତି ଆନ୍ଧ୍ରପ୍ରଦେଶରେ ଉଗାଡି(ନୂଆବର୍ଷ) ପାଳନ ଦିନ ସମସ୍ତେ ପ୍ରସ୍ତୁତ କରି ଖାଆନ୍ତି। ପ୍ରାୟ ପ୍ରତ୍ୟେକଟି ଜିନିଷ ବିଭିନ୍ନ କୃଷିଜାତ ଜିନିଷରୁ ଉପଲବ୍ଧ । ମିଠା ପାଇଁ ଆଖୁରୁ ପେଢ଼ା ଯାଇଥିବା ଗୁଡ, ଖଟା ପାଇଁ ସେହି ସମୟରେ ଅମଳ ହୋଇଥିବା ନୂଆ ତେନ୍ତୁଳି, ରାଗ ପାଇଁ ନୂଆ ପାଚିଲା ଲଙ୍କା, ପିତା ପାଇଁ ନବପଲ୍ଲବିତ ନିମ୍ବ ଗଛର କଅଁଳ ପତ୍ର ଓ ଫୁଲ କଢ଼ି ଓ କଷା ପାଇଁ କସି ଆମ୍ବ ସହ ଲୁଣ ମିଶାଇ ଏହି ଚଟଣୀ (ପାଚେଡ଼ି) ବନାଯାଏ। ଏହା ଆମ ଷଢ଼ରସ ଖାଦ୍ୟ ରୁଚିର ପ୍ରତୀକ। ସେମିତି ଉପକୂଳବର୍ତ୍ତି ଗଞ୍ଜାମ ଜିଲ୍ଲାରେ ଏହି ସଂକ୍ରାନ୍ତିରେ ଆମ୍ବ, ନିମ୍ବ ତରକାରୀ ବନାଯାଏ। ସ୍ଵାସ୍ଥ୍ୟ ଦୃଷ୍ଟିରୁ ଏହି ସମୟରେ କଅଁଳ ନିମ୍ବ ପତ୍ର ଓ ନିମ୍ବ ଫୁଲ ଯାହା ବିଭିନ୍ନ ପାଚକ ରସରେ ଭରପୁର ଥାଏ ତାହା ଖାଇବା ଦରକାର । ସୋରିଷ, ଜିରା ବାଟଣ ଦେଇ ଆମ୍ବ, ବାଇଗଣ ଓ ନିମ୍ବ ଫୁଲ ପତ୍ର ପକାଇ ତରକାରୀ ବନାଯାଏ। ସେ ଏକ ଅଲଗା ପ୍ରକାରର ରୁଚି। ପିଠାପଣା ମଧ୍ୟରେ ଗଞ୍ଜାମରେ ପଣା ବରା ବନାଯାଏ। ମୁଗ ଡାଲିକୁ ବତୁରାଇ ବାଟି ବରା ତିଆରି କରାଯାଇ ଚିନି ବା ନବାତ ପଣା ଯେଉଁଥିରେ ଗୋଲମରିଚ, ଅଳେଇଚ ଓ ସାମାନ୍ୟ ଶ୍ରୀ କର୍ପୁର ଦିଆଯାଇଥାଏ ସେଇଥିରେ ଭିଜାଇ ରଖାଯାଏ। ଭାରି ନରମ ଓ ସୁସ୍ଵାଦୁ କିନ୍ତୁ ଏହାର ଖାସିୟତ୍ ହେଲା ମୁଗକୁ ରୁବୁଣା ବା ଶୀଳରେ ବାଟିବା ଦରକାର। ଅଥବା ଷ୍ଟୋନ ଗ୍ରାଇଣ୍ଡରରେ ବଟା ଯାଇପରେ। ତେବେ ଯାଇ ପଣା ବରା ନରମ ହୁଏ। ନଚେତ୍ ଟାଣ ଲାଗେ।
ଆଜିକାଲିକା ପରି ସେତେବେଳେ ଖରା ମାସ ମାନଙ୍କରେ ସବୁ ପ୍ରକାର ପରିବା ଗାଁ ମାନଙ୍କରେ ମିଳୁନଥିଲା। ଲୋକମାନେ ପନ୍ଦରା ବାଡର ପରିବା ଯଥା:- ବାଇଗଣ, କୁନ୍ଦୁରି,କଲରା,ଚଲଣା,ବଡ କାକୁଡି ଇତ୍ୟାଦି ଉପରେ ନିର୍ଭର କରୁଥିଲେ। ପରିବା ଅନୁଯାୟୀ ତରକାରୀର ପ୍ରକାର ଭେଦ ଅଲଗା ଥିଲା।ଯେମିତି ପନ୍ଦରାବାଡର ଲେଉଟିଆ ଶାଗ ପ୍ରଚୁର ମିଳୁଥିଲା।
ଶାଗ ଖରଡ଼ା ବ୍ୟତିରକେ ଖୁଦ, ମୁଗଡାଲି ଓ କିଛି ଫୁଲ ବଢ଼ି ପକାଇ ସୁସ୍ୱାଦୁ ଶାଗ ଘାଣ୍ଟ ବନା ଯାଉଥିଲା। ଏହା ଛଡା ଲେଉଟିଆ ଶାଗ, ସୋରିଷ, ରସୁଣ, ଜିରା ବଟା ଦେଇ ରାଇ କରୁଥିଲେ। ବେଳେବେଳେ ଏଥିରେ ଛୋଟ କଞ୍ଚା ଚିଙ୍ଗୁଡ଼ି ବା ଚିଙ୍ଗୁଡ଼ି ଶୁଖୁଆ ଛୁଙ୍କ ଦିଆଯାଉଥିଲା। କଞ୍ଚା ପଣସ ପ୍ରଚୁର ମିଳୁଥିଲା। କଞ୍ଚା ପଣସର ଘାଣ୍ଟ ଓ ମୁଗ ଡାଲି ଦେଇ ଡାଲମା ବନା ଯାଉଥିଲା। ଖରାଦିନର ଭୋଜି ମାନଙ୍କରେ ସୁସ୍ୱାଦୁ ପଣସ ଘାଣ୍ଟ ଶ୍ରେଷ୍ଠ ଥିଲା। ବେଳେବେଳେ ଏଥିରେ ଚିଙ୍ଗୁଡ଼ି ଓ ଛୋଟ ଗଡ଼ିସ ମାଛ ପକାଇ ଅଧିକ ସୁସ୍ୱାଦୁ କରାଯାଉଥିଲା। ଏହାଛଡ଼ା ପଣସର ପିଠଉ ଭଜା ଗଞ୍ଜାମର ଘରେ ଘରେ ଆଦୃତ। ବେଳେବେଳେ କଞ୍ଚା ପଣସର ଚପ୍ ବି ବନା ଯାଉଥିଲା। ଭୋଜି ମାନଙ୍କରେ ଦେଶୀ ଆଳୁ,ପଣସ ଓ ପାଚିଲା କଖାରୁ ଦେଇ ଆମ୍ବିଳ ବନାଯାଏ। ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ମାନଙ୍କରେ ଖରା ଦିନକୁ ଆଖିରେ ରଖି ଲୋକେ ବିଭିନ୍ନ ପ୍ରକାରର ବଡି ଯଥା:- କଖାରୁ ବଡ଼ି, ଫୁଲ ବଡି,ମଞ୍ଜି ବଡି ଇତ୍ୟାଦି ସାଇତି ରଖୁଥିଲେ। କଖାରୁ ବଡିର ସୋରିଷ ଆମ୍ବୁଲ ଦିଆ ତରକାରୀ ଭାରି ସୁଆଦିଆ। ବଡ଼ କାକୁଡିକୁ ମୁଗ ଡାଲି ସହ ରନ୍ଧା ଯାଉଥିଲା। ତା ଛଡା ସୋରିଷ ଦିଆ ରାଇ ବନାଯାଉଥିଲା। ଚଲଣା ଖଟା ପାଇଁ ବ୍ୟବହୃତ ହୁଏ। ଲୋକମାନେ ଖରା ଦିନରେ ବ୍ୟବହାକାର କରିବା ପାଇଁ ଦେଶୀଆଳୁ, ଖମ୍ବଆଳୁ, ପାଚିଲା ପାଣି କଖାରୁ ଓ ବୋଇତାଳକୁ ସାଇତି ରଖୁଥିଲେ। ଖରାଦିନର ଭୋଜିର ସ୍ଵତନ୍ତ୍ର ତରକାରୀ ଭାବେ ପାଣି କଖାରୁ, ନଡ଼ିଆ, କଖାରୁ ବଡ଼ି ଓ ଗୁଡ ତେନ୍ତୁଳି ଦେଇ ସାକରା ପ୍ରସ୍ତୁତ ହେଉଥିଲା। ଏହା ୧୫ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଖରାପ ନହୋଇ ରହୁଥିଲା।
ଗାଁ ମାନଙ୍କରେ ସେହି ସମୟରେ ବହୁତ୍ ଗୁଡ଼ିଏ ଛୋଟ-ବଡ଼ ପୋଖରୀ ଥିଲା। କେଉଟ ସମ୍ପ୍ରଦାୟର ଲୋକମାନେ ପୋଖରୀ, ଗାଡିଆ, ନଦୀ, ନାଳ ଇତ୍ୟାଦିରୁ ବିଭିନ୍ନ ପ୍ରକାର ମାଛ ଧରି ବିକ୍ରି କରୁଥିଲେ। ମୋ ବୋଉ, ଶାଶୁ,ଓ ଅଜା ଶଶୁରଙ୍କ କହିବା ଅନୁଯାୟୀ ସେତେବେଳେ ରୋହି ଓ ଭାକୁର ମାଛର ଚାଷ ହେଉନଥିଲା। କେବଳ ମାଛ ଭିତରେ ସେଉଳ, ଗଡ଼ିସ, ବାହଁର, ଗୋରିଆ, କେରାଣ୍ଡି, ମହୁରାଳି, ବାଳିଆ, ମାଗୁର ଇତ୍ୟାଦି ମାଛର ପ୍ରଚଳନ ଥିଲା।
କେଉଁ ମାଛକୁ କେମିତି ବାଗରେ ରନ୍ଧା ଯିବ ତାହାର ପ୍ରଣାଳୀ ଭିନ୍ନ ଭିନ୍ନ ଥିଲା। ରନ୍ଧନ ପ୍ରଣାଳୀରେ ଆଜି କାଲିକା ପରି କୌଣସି ସସ୍,ଚାଇନା ଲୁଣ ବା କଡ଼ା ମସଲାର ବ୍ୟବହାର ହେଉନଥିଲା। ବୋଉ ଶାଶୁ ଓ ଅଜା ଶଶୁରଙ୍କ ଠାରୁ ଶୁଣିଥିବା ବିଭିନ୍ନ ମାଛ ଗୀତ ଯାହା ଭିତରେ ତାହାର ରନ୍ଧନ ପ୍ରଣାଳୀ ରହିଛି ତାହା ଏମିତି –
“କେରାଣ୍ଡି ମାଛ ବୋଲେ ସାଇଁ … ମୁଁ ଆଣ୍ଠୁଏ ପାଣିର ରାଣୀ
ତହିଁକି ମଦନ ଗଡ଼ି ପଡୁଥାଏ… ଚୁଲି ମୁଣ୍ଡ କାଞ୍ଜି ପାଣି”
ଅର୍ଥାତ୍ ଏବେ ବି କେରାଣ୍ଡି ମାଛକୁ ହଳଦୀ ପାଣି କରିବା ବିଧି ରହିଛି। କେବଳ ତେଲ ହଳଦୀରେ ମାଛକୁ ସନ୍ତୁଳି ସେଥିରେ କିଛି ଫୁଟଣ ଓ ଖଟା ତୋରାଣି(କାଞ୍ଜି ପାଣି) ଦେଇ ରୋଷେଇ କରାଯାଏ। କୌଣସି ବଟା ମସଲାର ବ୍ୟବହାର ହୁଏ ନାହିଁ। ତେଣୁ ସ୍ଵାସ୍ଥ୍ୟ ଦୃଷ୍ଟିରୁ ହିତକର।
“ବାହାର ମାଛ ମାଛ ଥାଇ ବୋଲଇ ମୋ ଥଣ୍ଟଟା ଗୋଜା
ତହିଁକି ମଦନ ଗଡ଼ି ପଡୁଥାଏ ତେଲ ହଳଦୀର ଭଜା”
ଅର୍ଥାତ୍ ବାହାଲ ମାଛକୁ ତେଲ ହଳଦୀ ଦେଇ ଭାଜି ଖିଆଯାଏ। କୌଣସି ମସଲାର ଆବଶ୍ୟକତା ନାହିଁ।
ଗଡ଼ିସ ମାଛ ବୋଲେ ଭାଈ ମୋ ପେଟ କାଞ୍ଚିଆ
ତହିଁକି ମଦନ ଗଡ଼ି ପଡୁଥାଏ… ଆମ୍ବୁଲ ଶୋରିଷିଆ”
ଗଡ଼ିସ ମାଛର ପେଟଟା ଛିଟ ଛିଟ ଓ ଏହାକୁ ସୋରିଷ,ଜିରା,ରସୁଣ ବାଟଣ ଓ ଆମ୍ବୁଲ ଦେଇ ରନ୍ଧା ଯାଏ। ଏହାକୁ ଗଡ଼ିସିଆ ବେସର ବି କୁହାଯାଏ।
ଶେଉଳ ମାଛ ବୋଲେ ଭାଈ ମୋ ମୁଣ୍ଡଟା ଗୋଜା
ତହିଁକି ମଦନ ଗଡି ପଡୁଥାଏ ଗୁଡ ତେନ୍ତୁଳିର ମଜା”
ଶେଉଳ ମାଛର ଆମ୍ବିଳ ଯାହା ଗୁଡ଼ ଓ ତେନ୍ତୁଳି ରସ ଦେଇ ବନାଯାଏ ତାହା ଭାରି ସୁସ୍ୱାଦୁ।ଏଇଥିରେ ଅନ୍ୟ କୌଣସି ମସଲାର ଆବଶ୍ୟକତା ପଡ଼େ ନାହିଁ। ଏହାକୁ ମାଛ ଆମ୍ବିଳ କୁହନ୍ତି। ମାଛ ଆମ୍ବିଳ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଖୁବ୍ ଆଦୃତ। ବିଶେଷ କରି ନୋଳିଆ ସମ୍ପ୍ରଦାୟର ଲୋକେ ମାଛ ଆମ୍ବିଳ ବା ପୁଲୁସୁ ତିଆରି କରି ଖାଆନ୍ତି। କେବଳ ମାଛ ନୁହେଁ ଚିଲିକାର ବଡ଼ ଚିଙ୍ଗୁଡ଼ି ଓ କଙ୍କଡ଼ାର ଗୁଡ ତେନ୍ତୁଳି ଦିଆ ସାକରା ସ୍ଵାଦରେ ଅନନ୍ୟ। ଏହି ମାଛ ସାକରା ବା ଆମ୍ବିଳ ତିନି ଚାରି ଦିନ ପର୍ଯ୍ୟନ୍ତ ରଖି ବ୍ୟବହାର କରିହୁଏ। କାରଣ ଏଠାରେ ଗୁଡ଼ ଓ ତେନ୍ତୁଳି ଉଭୟେ ସଂରକ୍ଷଣର କାମ କରନ୍ତି। ତେଣୁ କିଛି ଖରାପ ହୁଏ ନାହିଁ। ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ଆମ୍ବିଳ ଝୋଳକୁ ଭାତରେ ଗୋଳାଇ ମାଛକୁ ଚାଖି ଖାଆନ୍ତି। ତେଣୁ ଡାଲିର ଆବଶ୍ୟକତା ପଡ଼େନାହିଁ।
“ବାଳିଆ ମାଛ ଥାଇ ବୋଲଇ, ମୁଁ ତ ବନ୍ଧର ରଜା
ତହିଁ କି ମଦନ ଗଡ଼ି ପଡୁଥାଏ, ମସଲା ଝୋଳର ମଜା”
ବାଳିଆ ମାଛ ବଡ଼ ଆକାରର ହୋଇଥାଏ। ଏହାକୁ ଭଜା ବା ମସଲା ଝୋଳ କରାଯାଇପାରେ।
“ମାଗୁର ମାଛ ଥାଇ ବୋଲଇ,ମୋ ବେକରେ କଣ୍ଟା
ମସଲା ଝୋଳକୁ ସରି କିଏ ନୁହେଁ… ଶୁଣରେ ଅବୁଝା ଟୋକା”
ମାଗୁର ମାଛର ମସଲା ଝୋଳର ରୁଚି ଏକଦମ୍ ନିଆରା।
“ଜିରାଳି ଆଉ ମହୁରାଳି କୁହେ, ଆମେ ତ ମାଛରେ ଛୋଟ
ତହିଁ କି ମଦନ ଚାହିଁ ରହିଥାଏ, ପତର ପୋଡ଼ାର କଣ୍ଟ”
ଛୋଟ ମାଛକୁ କଖାରୁ ପତ୍ରରେ ସୋରିଷ, ଜିରା, ରସୁଣ କଞ୍ଚା ଲଙ୍କାର ବାଟଣ ସହ ଛୋଟ ପିଆଜ ଓ ସୋରିଷ ତେଲ ଗୋଳାଇ କାଠ କୋଇଲା ଚୁଲିରେ ପୋଡ଼ିବାକୁ ପତ୍ର ପୋଡ଼ା କୁହନ୍ତି।
ମହୁରାଳି ମାଛକୁ ସୋରିଷ ବଟା ଓ ଆମ୍ବୁଲ ଦେଇ ଚଡ଼ଚଡ଼ି କରାଯାଏ। ତା ଛଡ଼ା ସୋରିଷ ବଟା ଓ ଲେମ୍ବୁ ରସ ଦେଇ ଲେମ୍ବୁ ସୋରିଷ ମାଛ ବନାଯାଏ। ଏହା ବି ଖୁବ୍ ସୁସ୍ୱାଦୁ। ବେଳେବେଳେ ଲେମ୍ବୁ ରସ ବଦଳରେ ଖଟା କମଳା(କରୁଣା) ରସ ଦେଇ ପ୍ରସ୍ତୁତ କରାଯାଉଥିଲା। ଏହିସବୁ ମାଛ ଗୀତ ପିଲାମାନେ କେବଳ ଗାଉନଥିଲେ ବରଂ ସେମାନେ ମାଛର ପ୍ରକାର ଭେଦ ଜାଣିବା ସହ ତାହାର ରନ୍ଧନ ପ୍ରକ୍ରିୟା ବିଷୟରେ ଅବଗତ ହେଉଥିଲେ।
ଏହା ଛଡ଼ା ବୈଶାଖ ଓ ଜୈଷ୍ଠ ମାସରେ ଗଛ ମାନଙ୍କରେ କଞ୍ଚା ଆମ୍ବର ସମ୍ଭାର ଆସେ। କଞ୍ଚା ଆମ୍ବକୁ ରସୁଣ, ଲଙ୍କା ଓ ହିଙ୍ଗୁ ଦେଇ ଚଟଣୀ ବନାଯାଏ। ତା ଛଡ଼ା ଆମ୍ବ ଖଟା, ଗୁଡ ଆମ୍ବ ଇତ୍ୟାଦି ଗଞ୍ଜାମର ପୁରପଲ୍ଲୀରେ ବେଶ ଆଦୃତ। ଏମିତିକି ପଖାଳ ଭାତରେ ଆମ୍ବ ଲସି ଭାଙ୍ଗି ବଢି ଚୁରା ଓ ଶାଗ ଖରଡ଼ା ସହିତ ଖାଇବା ଗଞ୍ଜାମରେ ବହୁତ ଦେଖାଯାଏ। ଖରାର ତାପରୁ ରକ୍ଷା ପାଇବା ପାଇଁ ଘରେ ଘରେ ଖଟା ତୋରାଣୀରେ ବିଭିନ୍ନ ପରିବା ଓ ଖୁଦ ପକେଇ କାଞ୍ଜି ପ୍ରସ୍ତୁତ କରାଯାଏ। ପ୍ରଫେସର ବେନି ମାଧବ ପାଢ଼ୀଙ୍କ ପୁସ୍ତକରେ ଉଲ୍ଲେଖ ଅଛି କି ଗଞ୍ଜାମର ଖରଡ଼ା, ବେସର ଓ କାଞ୍ଜି ଅନ୍ୟ କେଉଁଠି ଦେଖା ଯାଏ ନାହିଁ। ପ୍ରଚଣ୍ଡ ଖରାରେ ପନିପରିବା ପ୍ରଚୁର ପରିମାଣରେ ମିଳେନାହିଁ। ପ୍ରାୟତଃ ଲୋକମାନେ ଘର ସାଇତା ବିଭିନ୍ନ ଡାଲି ଯେମିତିକି ମୁଗ ଡାଲି,କାନ୍ଦୁଲ ଡାଲି ,କୋଳଥ ଡାଲି ଓ ଖେସେରୀ ଡାଲି, ଇତ୍ୟାଦି ଉପରେ ନିର୍ଭର କରି ଚଳୁଥିଲେ। ମୁଁ ଛୋଟ ଥିବା ସମୟରେ ଶୁଣିଛି ଗଞ୍ଜାମରେ ଡାଲିକୁ “ପଇତି” ବୋଲି କହୁଥିଲେ। ଆଜିକାଲି ସେ ଶବ୍ଦ ନାହିଁ।
ଗଞ୍ଜାମରେ ମୁଗ ଚାଷ ପ୍ରଚୁର ହୁଏ। ମୁଗରୁ ପ୍ରସ୍ତୁତ ଗୋଟା ମୁଗ ତରକାରୀ ଘରେ ଘରେ ତିଆରି ହୁଏ। ଏଥିରେ ଭଜା ଗୋଟା ମୁଗ ସହିତ ସୋରିଷ ମସଲାର ବାଟଣ ଦେଇ ବାଇଗଣ ଓ ଆମ୍ବୁଲ ପକେଇ ବନାଯାଏ। ଏହା ଛଡା ଲୋକେ ବିଭିନ୍ନ ପ୍ରକାର ଚଣା ଯେମିତିକି ବୁଟ, ମଟର, ଝୁଡୁଙ୍ଗ, ମାଙ୍କଡ଼ ଦାନ୍ତି ବଡ କାନ୍ଦୁଲ, ସିମ୍ବ ମଞ୍ଜି ଇତ୍ୟାଦି ଖରା ଦିନରେ ବ୍ୟବହାର ପାଇଁ ସାଇତି ରଖୁଥିଲେ ଓ ଏଥିରେ ବିଭିନ୍ନ ପ୍ରକାର ତରକାରୀ ବନାଉଥିଲେ। ଏଇଠି ଆମେ ଦେଖିବା, ପ୍ରତି ଦିନର ଖାଦ୍ୟରେ ସେମାନେ ପୃଷ୍ଟିସାର ବା ପ୍ରୋଟିନ ପାଉଥିଲେ। ଏଣୁ କଥା ଥିଲା “ଡାଲି ଭାତ ଆଉ ସବୁକୁ ମାରେ ନାତ”। ପୌଷ୍ଟିକତା ଦୃଷ୍ଟିରୁ ଏହିସବୁ ଖାଦ୍ୟ ଅନନ୍ୟ ଥିଲା। ଆଜିକାଲିକା ପରି ଗଞ୍ଜାମର ଖାଦ୍ୟ ପ୍ରସ୍ତୁତିରେ ବିଭିନ୍ନ ପ୍ରକାରର ସସ ଓ ଚାଇନା ଲୁଣର ବ୍ୟବହାର ନଥିଲା। ସାଧାରଣ ସୋରିଷ, ଧନିଆ, ଜିରା, ପୋସ୍ତା, ଅଦା, ରସୁଣ ଓ ପିଆଜରୁ ପ୍ରସ୍ତୁତ ମସଲାରେ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ ହେଉଥିଲା। ଏହାଛଡା ଘରେ ଘରେ ବିଭିନ୍ନ କିସମର ଆଚାର ତିଆରି କରି ରଖିଥିଲେ।ଆଚାର ପ୍ରସ୍ତୁତିରେ ଚିନି ଓ ଭିନେଗାରର ବ୍ୟବହାର ନଥିଲା ଓ ଗୁଡ଼ ମୁଖ୍ୟ ଉପାଦାନ ଥିଲା। ଖରାଦିନରେ ବିଭିନ୍ନ ପ୍ରକାରର ଶୁଖୁଆ ଯେମିତି କୋକିଲି,ମେଜି ,ଚିଙ୍ଗୁଡ଼ି, କାବଲା, ଖଇଙ୍ଗା ଓ ତାମ୍ପଡ଼ା (ଚିଲିକାର ବଡ଼ ବଡ଼ ଚିଙ୍ଗୁଡ଼ିରୁ ପ୍ରସ୍ତୁତ) ଶୁଖୁଆ ମୁଖ୍ୟ ଥିଲା। ବିଭିନ୍ନ ପ୍ରକାରର ଶୁଖୁଆକୁ ଭାଜି ବା ବେସର କରି ପଖାଳ ବା ଗରମ ଭାତ ସଙ୍ଗେ ଖାଉଥିଲେ। ଆଷାଢ଼ ମାସରେ କିଛି ଅସରା ବର୍ଷା ପରେ ପୁଣି ବାଡ଼ି ବଗିଚାରେ ନୂଆ ଫସଲ ଆଦାୟ ହେଉଥିଲା।
ପରିବା ଭିତରେ ଜହ୍ନି, ଭେଣ୍ଡି, ଝଟା, ଚଛିନ୍ଦ୍ରା, କୁନ୍ଦୁରୀ, ଝୁଡୁଙ୍ଗ ଓ ବିଭିନ୍ନ ପ୍ରକାର ଶାଗ ହେଉଥିଲା। ଭେଣ୍ଡି ପ୍ରଚୁର ପରିମାଣରେ ଆଦାୟ ହେଉଥିଲା। ଭେଣ୍ଡି ଭଜା ବ୍ୟତୀରକେ ଭେଣ୍ଡି ଖଟା, ଭେଣ୍ଡି ସୋରିଷ ଆମ୍ବୁଲ ବେସର, ଭେଣ୍ଡି ଚଡ଼ଚଡ଼ି, ଭେଣ୍ଡି ସୋରିଷ ଲେମ୍ବୁ ବା ଖଟା କମଳା ରସ ଦେଇ ତରକାରୀ ବନା ଯାଉଥିଲା। ଗରିବ ଲୋକମାନେ ଭେଣ୍ଡି ପୋଡ଼ା ଓ ଲୁଣ ଲଙ୍କା ଦେଇ ଖାଉଥିଲେ। ସେମିତି ଜହ୍ନି ଓ କଷି ବୋଇତାଳୁର ସନ୍ତୁଳା, ଜହ୍ନି ପୋସ୍ତ, ଜହ୍ନି ଆଳୁ ତରକାରୀ, ଜହ୍ନି ବୁଟ ଡାଲି ଓ ନଡ଼ିଆ କୋର ଦେଇ ତରକାରୀ ବନା ହେଉଥିଲା। ଛଚିନ୍ଦ୍ରା (ବାରି ପୋଟଳ) କ୍ଷୀର ଦିଆ ସନ୍ତୁଳା, ଛଚିନ୍ଦ୍ରା ବୁଟ ଡାଲି ନଡ଼ିଆ କୋର ତରକାରୀ, ଛଚିନ୍ଦ୍ରା ଭଜା ଓ ଛଚିନ୍ଦ୍ରା ପୋଡ଼ା ଅତି ସ୍ଵାଦିଷ୍ଟ।
ଆଷାଢ଼-ଶ୍ରାବଣ ମାସରେ ଗଞ୍ଜାମର ବିଭିନ୍ନ ଜାଗାରେ ଅନ୍ୟ ସବୁ ପରିବା ସହ ସାରୁ ଚାଷ ପ୍ରଚୁର ପରିମାଣରେ ହେଉଥିଲା। ପଦର ଜମିରେ ଲୋକେ ଶଙ୍ଖ ସାରୁ ଓ କୁଜି ସାରୁ ଚାଷ କରି ବେଶ ଲାଭବାନ ହେଉଥିଲେ। କାରଣ ପରିବା ହିସାବରେ ସାରୁର ପ୍ରଚଳନ ଅଧିକ ଥିଲା। ପ୍ରାୟ ସବୁ ପ୍ରକାର ତରକାରୀରେ ସାରୁ ପଡୁଥିଲା। ଯାହାକି ଆଳୁର ବିକଳ୍ପ ଥିଲା। ଘାଣ୍ଟ ତରକାରୀ,ସନ୍ତୁଳା,ଡାଲମା, ଆମ୍ବୁଲ ବେସର, ଆମ୍ବିଳ ଇତ୍ୟାଦିରେ ସାରୁ ନିଶ୍ଚିତ ଭାବରେ ବ୍ୟବହାର ହେବ। ସବୁଠାରୁ ସାରୁର ସୁସ୍ୱାଦୁ ପ୍ରସ୍ତୁତି ହେଉଥିଲା, ଯେତେବେଳେ ତାହା ମାଂସ ଓ ଛତୁ ସହ ରନ୍ଧା ହେଉଥିଲା। ଏହା ବ୍ୟତୀତ ଘରେ ଘରେ ସାରୁର ପିଠଉ ଭଜା ଓ ସୋରିଷ ଭଜା ଅତି ଆଦୃତ। ଆଷାଢ଼ ମାସରୁ ମାର୍ଗଶୀର ମାସ ପର୍ଯ୍ୟନ୍ତ ଯେତେ ପର୍ବ ପର୍ବାଣୀ ହୁଏ ସେଥିର ତରକାରୀ ଓ ସାଗରେ ସାରୁ ନିଶ୍ଚୟ ପଡ଼ିବ। କାହିଁକିନା ପୂଜା ଦିନ ମାନଙ୍କରେ ଗଞ୍ଜାମରେ ଆଳୁ, ଟମାଟ ପ୍ରାୟ ବ୍ୟବହାର ହେଉନଥିଲା। ଭାଦ୍ରବ ମାସର ଷଷ୍ଠୀ ଓଷା ହେଉ ବା ମହାଳୟା ଅମାବାସ୍ୟାର ଫୁଲରୀ ବ୍ରତରେ ପ୍ରସ୍ତୁତ ଶାଗ, ମୁଗରେ ସାରୁ ପଡ଼ିବା ଶୁନିଶ୍ଚିତ। ପୌଷ୍ଟିକତା ଦୃଷ୍ଟିରୁ ଦେଖିଲେ ଏହି ସବୁ ମାସରେ ବିଭିନ୍ନ ପ୍ରକାର ଶାଗ ଯଥା:- ଖଡା, କଖାରୁ, ଝୁଡୁଙ୍ଗ, ମାଟିଆଳୁ, ଛଚିନ୍ଦ୍ରା, କେନା, ଆଣ୍ଟିକା ପୋଡ଼ି, ଇତ୍ୟାଦି ଶାଗରୁ ଆମେ ବିଭିନ୍ନ ଉପାଦାନ ପାଇଥାଉ। ଯାହା ଆମ ସ୍ଵାସ୍ଥ୍ୟ ପାଇଁ ନିହାତି ଜରୁରୀ। ଶ୍ରାବଣ ମାସରେ ବାଉଁଶ ବଣରେ ବାଉଁଶ କରଡି ସଂଗ୍ରହ କରନ୍ତି ଆଦିବାସୀମାନେ ତେଣୁ ଗାଁ ମାନଙ୍କରେ ପ୍ରଚୁର ବାଉଁଶ କରଡ଼ି ମିଳେ। ବାଉଁଶ କରଡ଼ି, ଛଚିନ୍ଦ୍ରା ଓ ସାରୁର ମିଶ୍ରଣରେ ସୁସ୍ୱାଦୁ ତରକାରୀ ବନାହୁଏ। ତା ଛଡା କରଡ଼ିର ପିଠଉ ଭଜା ଅତି ରୁଚିକର। ବର୍ଷା ମାସରେ ପୋଇ ଶାଗ ବି ପ୍ରଚୁର ମିଳେ। କିନ୍ତୁ ଗାଁ ଗହଳିରେ ପୋଇର ବ୍ୟବହାର ଏତେ ମାତ୍ରାରେ ନଥିଲା । କିନ୍ତୁ ଆମ ଘରେ ପୋଇ ଚିଙ୍ଗୁଡ଼ି ତରକାରୀ, ପୋଇ ମାଛ ମୁଣ୍ଡ ଚେଞ୍ଚେଡା, ପୋଇଶାଗ ବଢ଼ି ରାଇ, ପୋଇଶାଗ କଖାରୁ ଓ ବଡ଼ି ଦେଇ ଭଜା, ପୋଇର ପିଠଉ ଭଜା ଏବେ ବି ଚାଲିଛି। ସେମିତି ବର୍ଷା ଦିନରେ କଦଳୀ ଭଣ୍ଡା (କଦଳୀ ଫୁଲ) ପ୍ରଚୁର ମିଳେ। କଦଳୀ ଫୁଲ ତରକାରୀ, ଚଡ଼ଚଡ଼ି ଓ ଭଜା ବେଶ ଉପଭୋଗ୍ୟ। କଦଳୀ ଫୁଲର ସାରତତ୍ତ୍ୱ ଅତି ଉତ୍ତମ। ଲୌହ,ତନ୍ତୁ ଜାତୀୟ ପୃଷ୍ଟିସାର ଓ ଅନ୍ୟାନ୍ୟ ଖାଦ୍ୟ ସାର ଏଇଥିରୁ ପାଇଥାଉ।
କାର୍ତ୍ତିକ ମାସରେ କଞ୍ଚା କଦଳୀ, କନ୍ଦମୂଳ, ଓଉ, କୁଜି ସାରୁ, ନଡ଼ିଆ ଇତ୍ୟାଦି ପକାଇ ମୁଗ ଡାଲମା ଅତି ସୁସ୍ୱାଦୁ। କଞ୍ଚା କଦଳୀର ପିଠଉ ଭଜା, ସୋରିଷ ଭଜା ଦହି ଦେଇ ଚଟଣୀ ଭାରି ଭଲ ଲାଗେ। ଗଞ୍ଜାମର ପୁରପଲ୍ଲୀରେ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟାରେ ନଡ଼ିଆ ଚାଉଳ ବାଟି ଚିତଉ ପିଠା ପ୍ରସ୍ତୁତ ହୁଏ। ଏହି ଚିତଉ ପିଠା ବନାଇବା ପାଇଁ ସମସ୍ତଙ୍କ ଘରେ ମାଟିର ଚିତଉ ପଲମ ଓ ଘୋଡ଼ନି ରହିଥାଏ। ସେମିତି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଯାହାକୁ ଚାଷୀମାନେ ଲଙ୍ଗଳ ଧୁଆ ପୂର୍ଣ୍ଣିମା କୁହନ୍ତି ତାହା ଅତି ଆଡ଼ମ୍ବରରେ ପାଳନ କରାଯାଏ। ଏହା ଏକ କୃଷି ଭିତ୍ତିକ ପର୍ବ। ସେ ସମୟକୁ ଜମିରେ ରୁଆ ବେଉଷଣ ସରିଯାଉଥିଲା। ଚାଷୀମାନେ ଲଙ୍ଗଳ ଓ କୃଷି ଆନୁଷଙ୍ଗିକ ଉପକରଣକୁ ଧୋଇ ପୂଜା କରୁଥିଲେ। ବିଭିନ୍ନ ପ୍ରକାର ପିଠା,ପଣା ସହ କ୍ଷୀରି, ଖେଚେଡ଼ି ହୋଇ ପୂଜା କରାଯାଏ। କିନ୍ତୁ ଅନ୍ୟ ଏକ ଖାସିୟତ ହେଲା ଏହି ଦିନ ଗାଁ ମାନଙ୍କରେ ଛେଳି ଗୋଦା ବା ବଳି ଦିଆଯାଇ ମାଂସ ବିକ୍ରୀ ହୁଏ। ଲୋକେ ମାଂସ ଓ ସାରୁର ତରକାରୀ ବନେଇ ଖାଆନ୍ତି।
ବଣ ଓ ପାହାଡିଆ ଅଞ୍ଚଳରୁ ଆଦିବାସୀ ମାନେ ବରଡା ଶାଗ ଓ ବିଭିନ୍ନ ରକମରର ଛତୁ ଯଥା: ଶ୍ରାବଣ ଛତୁ, ବାଲି ଛତୁ, ପାଳ ଛତୁ, ବାଉଁଶ ଛତୁ ଇତ୍ୟାଦି ଆଣି ବିକ୍ରୀ କରନ୍ତି। ବରଡା ଶାଗକୁ ମୁଗ ଡାଲି ଦେଇ ରନ୍ଧାଯାଏ ଏହାର ଏକ ନିଆରା ସ୍ଵାଦ। ଆଜିକାଲି ବରଡା ଶାଗ ପ୍ରାୟ ଦୃଷ୍ପାପ୍ୟ ଦୁଷ୍ପ୍ରାପ୍ୟ। ଛତୁକୁ ସାରୁ ଦେଇ ରନ୍ଧା ଯାଏ। ଆଜିକାଲି ଆଳୁ ସାରୁର ଜାଗା ନେଇଛି। ତା ଛଡା ଛତୁର ଭଜା, ଛତୁ ବେସର ଓ ଛତୁ ପତ୍ରପୋଡ଼ା ବି କରାଯାଏ।
ଗାଁ ମାନଙ୍କରେ ପ୍ରାୟ ସମସ୍ତଙ୍କର ଚାଷବାସ, ହଳ ଲଙ୍ଗଳ ରହୁଥିଲା। ପାଳଗଦା ଚାରିପଟେ ଲୁଣ ଓ ଦହି ପାଣି ପକାଇଲି ପାଳ ଛତୁ ଫୁଟେ। ପାଳଛତୁର ତରକାରୀ ବା ଭଜାର ବାସ୍ନା ମାଂସ ତରକାରୀଠାରୁ ବି ଅଧିକା। ଆଜିକାଲି ଏ ପ୍ରାକୃତିକ ପାଳଛତୁ ପ୍ରାୟ ଦୁର୍ଲଭ। ଆଶ୍ଵିନ ଓ କାର୍ତ୍ତିକ ମାସରେ ଧାନ ଜମି ମାନଙ୍କରୁ ପ୍ରଚୁର ମାଛ ବେନ୍ଦା ଦେଇ ଧରା ଯାଉଥିଲା। ଧାନ ଗଛରେ ଫୁଲ ହେଲେ ମାଛ ଖାଆନ୍ତି। କେନାଲ ପାଣି ଜମିକୁ ଆସିଲେ ସେଥିରେ ବିଭିନ୍ନ ପ୍ରକାର ମାଛ ଆସନ୍ତି। ଜିରାଳି, ମହୁରାଳି, କେରାଣ୍ଡି, କଣ୍ଟିଆ, ଗଡିସ ଇତ୍ୟାଦି ମାଛ ଵେନ୍ଦାରେ ଧରାଯାଏ। ଏହି ମାଛର ତରକାରୀ ଭାରି ରୁଚିକର। ଚାଷୀମାନେ ବିଲରୁ କଙ୍କଡା ବାହାର କରି ଘରେ ତରକାରୀ କରି ଖାଆନ୍ତି।
ଆଶ୍ୱିନ ମାସରେ ନବାନ୍ନ ପର୍ବ ହୁଏ। ଘରେ ଘରେ କ୍ଷୀରୀ, ଖେଚୁଡ଼ି, ଛଅ ତରକାରୀ ନଅ ଭଜା ଖାଇ ଲୋକେ ନୂଆଖାଇ ପାଳନ କରନ୍ତି। ଗାଁ ହାଟ ମାନଙ୍କରେ ଆଦିବାସୀ ଇଲାକାରୁ ସଂଗୃହିତ ପିଠୋଳ କନ୍ଦା ଓ ଝୁମ୍ପୁରି ହାଟ ମାନଙ୍କରେ ମିଳେ। ପିଠୋଳ କନ୍ଦାକୁ ପିଠୋଉ ଦେଇ ଭଜା କରାଯାଏ ଓ ଝୁମ୍ପୁରୀ ଶାଗକୁ ଭଜା ଯାଏ। ପିଠୋଳ କନ୍ଦା ତନ୍ତୁ ଜାତୀୟ ପୃଷ୍ଟିସାରରେ ଭରପୁର। ପାଳୁଅ କନ୍ଦାକୁ ଗୋଲ ଗୋଲ କାଟି ସିଝାଇ ଚାଉଳ ପିଠୋଉ ଦେଇ ଭଜାଯାଏ। ତା ଛଡା ତରକାରୀ ଓ ହବିଷ ଡାଲମାରେ ପକାଯାଏ। ପୋଷକତତ୍ତ୍ଵ ଦୃଷ୍ଟିରୁ ଏହା ଫାଇବର, ପୋଟାସିୟମ, ସୋଡ଼ିୟମ, ମାଗ୍ନେସିୟମ ଓ ଜିଙ୍କ ରହିଛି। ଏହା ଛଡ଼ା ଏଥିରେ ପ୍ରୋଟିନ ଓ ଫଲିକ୍ ଏସିଡ ଇତ୍ୟାଦି ଭରି ରହିଛି। କେଉଁ ଆବହମାନ କାଳରୁ ଘରେ ଘରେ ପାଳୁଅର ବ୍ୟବାହର ହେଉଛି। ପାଳୁଅକୁ ପତଳା ଝାଡା ଓ ଲାଳ ଝାଡାର ଅବ୍ୟର୍ଥ ଔଷଧ ରୂପେ ବ୍ୟବହାର କରାଯାଏ। ପାଳୁଅ କ୍ଷୀରି ଓ ପାଳୁକଟା ପର୍ବ ପର୍ବାଣୀ ଓ ଉପବାସରେ ଖିଆଯାଏ।ଏହାର ଗ୍ଲାଏସେନିକ ଇଣ୍ଡେକ୍ସ କମ୍ ଯୋଗୁଁ ଉଚ୍ଚ ଶର୍କରା ଥିବା ଲୋକ ମଧ୍ୟ ଖାଇ ପାରିବେ। ଏବେ ମଧ୍ୟ ଜନ୍ମାଷ୍ଟମୀ ଓ ଶିବରାତ୍ରୀରେ ଘର ମାନଙ୍କରେ ଓ ମନ୍ଦିରରେ ଉକୁଢ଼ା ସାଙ୍ଗେ ପାଳୁଅର ଭୋଗ ହେବାର ବିଧି ରହିଛି।ଏହି ପାଳୁଅ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥାଏ। କାର୍ତ୍ତିକ ମାସରେ ହବିଷ ଡାଲମା, ଘିଅ ଭାତ ସାଙ୍ଗକୁ କଞ୍ଚା ତେନ୍ତୁଳି ଆମ୍ବିଳ, ଓଉ ଆମ୍ବିଳ, କଦଳୀ ଭଜା ଓ ଖୋସଡା ଶାଗ ଖରାଡା ହୁଏ। ବେଳେବେଳେ ଗୋଟା ମୁଗ, ସାରୁ, କନ୍ଧମୂଳ ଓ ନଡ଼ିଆ ଓ ସାମାନ୍ୟ ଅଦା ଦେଇ ମୁଗ ତରକାରୀ ବନାହୁଏ। କାର୍ତ୍ତିକର ତୁଳା ସଂକ୍ରାନ୍ତି(ଗର୍ଭଣା ସଂକ୍ରାନ୍ତି)ରେ ଧାନ ଗଛ ପୂଜାହୁଏ। ଏହା ଏକ କୃଷି ଭିତ୍ତିକ ପର୍ବ। ସେ ସମୟରେ ଧାନ ଗଛରେ ଫୁଲ ଧରିବା ଆରମ୍ଭ ହୁଏ। ତେଣୁ ଏହି ସଂକ୍ରାନ୍ତିରେ କ୍ଷୀରି, ଖେଚୁଡ଼ି, ବିଭିନ୍ନ ତରକାରୀ, ଶାଗ, ଖଟା ଇତ୍ୟାଦି ପ୍ରସ୍ତୁତ କରାଯାଇ ପୂଜା ଦିଆଯାଏ। ଏହାକୁ “ସାଦଖିଆ” ସଂକ୍ରାନ୍ତି କୁହାଯାଏ।
ମାର୍ଗଶିର ମାସରେ ହାଡ଼ଭଙ୍ଗା ଶୀତ ପଡ଼େ। ପ୍ରଚୁର ପନିପରିବା ମିଳେ। ବିଭିନ୍ନ ପ୍ରକାର ପନିପରିବା ମିଳେ। ଚାଷୀ ମାନଙ୍କ ଦି ପଇସା ଲାଭ ହୁଏ। ଚାଷୀମାନେ ନୂଆ ଧାନ, ବିରି ଜମିରୁ ଆଦାୟ କରନ୍ତି ଓ ଲକ୍ଷ୍ମୀ ପୂଜାରେ ବ୍ୟବହାର କରନ୍ତି। ପ୍ରଥମାଷ୍ଟମୀରେ ନୂଆ ଚାଉଳ ଓ ନୂଆ ବିରି ଦେଇ ଏଣ୍ଡୁରୀ ପିଠା ପୂଜା ହୁଏ। କିନ୍ତୁ ଗଞ୍ଜାମରେ ହଳଦୀ ପତ୍ରରେ ଏଣ୍ଡୁରୀ ପିଠା ବନାଇବା ବିଧି ପ୍ରାୟ ନାହିଁ। ଗୁରୁବାରରେ ନୂଆ ଚାଉଳର କ୍ଷୀର, ନଡ଼ିଆ ଦେଇ ଅଟକାଳି ପ୍ରସ୍ତୁତ ହୁଏ। ପୌଷ ମାସରେ ଚାଉଳ ଯାଉ ଖାଇବା ଗଞ୍ଜାମର କେତେକ ଜାଗାରେ ଅଛି। ନୂଆ ଚାଉଳରୁ ପ୍ରସ୍ତୁତ ଯାଉରେ ଦହି ଦେଇ ମାଛ ବା ଶୁଖୁଆ ଭଜା, ଶାଗ ଭଜା, ଇତ୍ୟାଦି ସହ ଖିଆଯାଏ। ପୌଷ ମାସରେ ପ୍ରାୟ ଘରେ ଘରେ ବିରି ଚାଉଳରୁ ପ୍ରସ୍ତୁତ ପୋଢ଼ପିଠା ତିଆରି ହୁଏ। ଏହା ଛଡ଼ା ପାଚିଲା କଖାରୁ ଓ କନ୍ଧମୂଳରୁ ପୋଡ଼ପିଠା ମଧ୍ୟ ତିଆରି ହୁଏ। ଏହାଛଡା ନୂଆ ଧାନରୁ ପ୍ରସ୍ତୁତ ଲିଆରେ ମୁଆଁ ତିଆରି ହୋଇ ଠାକୁରଙ୍କ ପାଖରେ ଭୋଗ ହୁଏ। ବ୍ରହ୍ମପୁର ବିଭିନ୍ନ ପ୍ରକାର ମୁଆଁ ଯଥା: ଚିନିମୁଆଁ, ଗୁଡ଼ମୁଆଁ, ଘିଅମୁଆଁ, ନବାତମୁଆଁ ଇତ୍ୟାଦି ପ୍ରସିଦ୍ଧ। ସମସ୍ତେ ନିଜ ନିଜ ବନ୍ଧୁ ଘର ମାନଙ୍କୁ ମୁଆଁ ପଠାନ୍ତି। ଝିଅ ଘରମାନଙ୍କୁ ମୁଆଁ ଭାର ଯାଏ। ଧନୁ ସଂକ୍ରାନ୍ତିରୁ ମନ୍ଦିର ମାନଙ୍କରେ ପହିଲି ଭୋଗ ଲାଗି ହୁଏ। ପହିଲି ଭୋଗରେ ଗଞ୍ଜାମର ଯୋଖା(ମିଠା ଖେଚୁଡ଼ି) ସହିତ ବିଭିନ୍ନ ତରକାରୀ, ଶାଗ, ଭଜା, କ୍ଷୀରି, ପୋଳି, କାକରା, ଇତ୍ୟାଦି ଭୋଗ ଲାଗି ହୁଏ ଓ ଲୋକ ମାନଙ୍କୁ ବିକ୍ରୀ କରାଯାଏ। ଘର ମାନଙ୍କରେ ନୂଆ ଚାଉଳର ଖୁଦ, ତୋରାଣି ଓ ବିଭିନ୍ନ ପରିବା ପକାଇ କାଞ୍ଜି ତିଆରି ହୁଏ। ବକୁଳ ଅମାବାସ୍ୟାରେ ନୂଆ ଚାଉଳ, ଗୁଡ ବା ଚିନି ସହିତ ନଡ଼ିଆ ଦେଇ ଗଇଁଠା ତିଆରି ହୁଏ ଓ ଆମ୍ବ ବଉଳ ପକାଇ ପୂଜା କରାଯାଏ। ଶାମ୍ବ ଦଶମୀରେ ବିଭିନ୍ନ ପିଠାପଣା, ମୁଆଁ ଓ ଘୁଡୁଘୁଡ଼ିଆ ତରକାରୀ ଦେଇ ସୂର୍ଯ୍ୟ ପୂଜା କରାଯାଏ। ଘୁଡ଼ୁଘୁଡ଼ିଆ ତରକାରୀରେ ନିଶ୍ଚିତ ଭାବେ ଦେଶୀଆଳୁ ଓ ଶିମ୍ବ ପଡ଼ିବ। ମକର ସଂକ୍ରାନ୍ତିରେ ଘରେ ଘରେ ଓ ମନ୍ଦିର ମାନଙ୍କରେ ମକର ଚାଉଳ ତିଆରି ହୁଏ। ନୂଆ ଅରୁଆ ଚାଉଳକୁ ବତରାଇ ଅଳ୍ପ ଗୁଣ୍ଡ କରି ସେଥିରେ ଗୋଲମରିଚ, ଅଳେଇଚ ଗୁଣ୍ଡ, ଅଦା କୋରା ସହିତ କ୍ଷୀର ଚିନି ବା ନବାତ ପକାଇ ଗୋଳାଯାଏ। ସେଥିରେ ନଡ଼ିଆ, କଦଳୀ, କମଳା, ଆଖୁ, କନ୍ଧମୂଳ, ସାକରକନ୍ଦା ଇତ୍ୟାଦି ଛୋଟ ଛୋଟ କଟାଯାଇ ପକାଯାଏ। ଏହି ମକର ଚାଉଳ ମୁଆଁ ସହ ଭୋଗ କରାଯାଏ।
ପୌଷ ପୂର୍ଣ୍ଣିମାରେ ପୁଣି ମୁଗ ଚାଉଳର ମଣ୍ଡା ତିଆରି ହୁଏ। ବଡ଼ ବଡ଼ ଚାଷୀ ମାନଙ୍କର ଧାନ ଅମଳ ସରିବା ପରେ ଖଳା ଭୋଜି ହେଉଥିଲା। ଏଥିରେ ସାହିର ପିଲା ମାନଙ୍କୁ ନେଇ ଖଳାରେ ଭୋଜି ରନ୍ଧା ଯାଏ ଓ ଗୁଡ଼ କ୍ଷୀରି ଦେଇ ଖାଇବାକୁ ଦିଆଯାଏ। ଏହି ବ୍ୟବସ୍ଥା ଏକ ସୁନ୍ଦର ଓ ଭାଇଚାରାର ସନ୍ଦେଶ ଦିଏ। ଛୋଟ ପିଲାଙ୍କ ପାଇଁ ଏହା ଏକ ପ୍ରକାର ବଣଭୋଜି। ଝିଅ, ପୁଅ ସମସ୍ତେ ଭାଗ ନିଅନ୍ତି। ଦୁଇ କିଲୋମିଟର ସାଙ୍ଗସାଥୀ ମେଳରେ ବିଲ ରାସ୍ତାରେ ଯାଇ ଭୋଜି ଖାଇବା ଏକ ନିଆରା ଅନୁଭୂତି। ଆଜିକାଲି ସେସବୁ ନାହିଁ। ନା ଅଛି ଜମିରେ ହଳ ବଳଦ ନେଇ ଧାନ ଅମଳ କରିବା ନା ଧାନ ଉଡ଼ାଇବା! ଦୁଇ ଘଣ୍ଟା ଭିତରେ ଟ୍ରାକ୍ଟର ଦ୍ଵାରା ଧାନ ଅମଳ ହୋଇପାରୁଛି।
ତେଣୁ ସେ ସବୁ ଅନୁଭୂତି ଆମ ପାଇଁ ସ୍ୱପ୍ନ ହୋଇ ରହିଗଲା। ସେମିତି ଆଉ ଏକ ଅନୁଭୂତି ହେଲା ମନ୍ଦିର ରେ ନନ୍ଦ ଉତ୍ସବ ଓ ଗୋବର୍ଦ୍ଧନ ଉତ୍ସବରେ ସମସ୍ତେ ସାଙ୍ଗ ହୋଇ ଭୋଜି ଖାଇବା। ଆମ ବାରି ପଟେ ପ୍ରଚୁର କଦଳୀ ଗଛ। ସବୁବେଳେ ପ୍ରାୟ କାନ୍ଧି ପଡ଼ିଥାଏ। କଦଳୀ ଭଣ୍ଡା (କଦଳୀ ଫୁଲ)ର ଚପ୍ ସମସ୍ତଙ୍କୁ ଭଲ ଲାଗେ। କଦଳୀ ଫୁଲକୁ ସୋରିଷ ବଟା ଦେଇ ଭଜା ଓ ଚଡ଼ଚଡ଼ି ବନା ଯାଉଥିଲା। ଦୁଇ ଘଣ୍ଟା ଭିତରେ ଟ୍ରାକ୍ଟର ଦ୍ଵାରା ଧାନ ଅମଳ ହୋଇପାରୁଛି। ଲୌହ ଓ ତନ୍ତୁ ପ୍ରୋଟିନ କଦଳୀ ଫୁଲରେ ଭରପୁର ଥିଲା। କଦଳୀ ଫୁଲକୁ ମସଲା ଦେଇ ସିଝା ଆଳୁ ସଙ୍ଗେ ବି ରନ୍ଧାଯାଏ।ଏହା ଛଡା ଘାଣ୍ଟ ତରକାରୀରେ ବି ପଡ଼େ। କଦଳୀ କାନ୍ଦି ବାହାରିଲା ପରେ ଗଛକୁ କାଟି ସେଥିରୁ ମଞ୍ଜା ବାହାର କରାଯାଏ। ମଞ୍ଜା ମୁଗ ଡାଲି ପକାଇ ଟିକେ ଗୁଆ ଘିଅ, ଜିରା ଓ ତେଜପତ୍ର ଦେଇ ମଞ୍ଜା ଡାଲମା ବନାଯାଏ। ମଞ୍ଜା ଓ ଆଳୁକୁ ସୋରିଷ ବଟା ଦେଇ ରାଇତା କରାଯାଏ। ତା ଛଡା ମଞ୍ଜାକୁ ଗୁଡ଼ ତେନ୍ତୁଳି ଓ ବଡ଼ି ଦେଇ ସାକରା କରାଯାଏ। ନରମ ମଞ୍ଜାକୁ ଦହି, ଆମ୍ବ ଅଦା, କଞ୍ଚା ଲଙ୍କା ଓ ଧନିଆ ପତ୍ର ଦେଇ ଦହି ମଞ୍ଜା ବନାଯାଏ। ବେଳେବେଳେ ବୋଉ ମଞ୍ଜାକୁ ଚାଉଳ ପିଠଉ ଦେଇ ଭଜା କରେ। ତନ୍ତୁ ପ୍ରୋଟିନରେ ଭରପୁର ମଞ୍ଜା ସ୍ଵାସ୍ଥ୍ୟ ପାଇଁ ବହୁତ ଉପକାରୀ।
ଶୀତ ଦିନରେ ଆଖୁ କଟାଯାଏ। ସେ ସମୟରେ ଆସ୍କାର ଚିନି କଳକୁ ଚାଷୀମାନେ ଆଖୁ ଦେଉଥିଲେ। ଭଲ ଦି ପଇସା ବି କମାଉଥିଲେ। ତେଣୁ ବହୁତ୍ ଚାଷୀ ଧାନ ଜମିରେ ଅଳ୍ପ ଧାନଚାଷ କରି ଆଖୁ ଚାଷ ବହୁତ ପରିମାଣରେ କରୁଥିଲେ। ଆସ୍ତେ ଆସ୍ତେ ଚିନି କଳ ରୁଗୁଣ ହେବାକୁ ଲାଗିଲା। ଚାଷୀମାନଙ୍କ ଟଙ୍କା ପୈଠ ହୋଇପାରିଲା ନାହିଁ। ଚାଷୀମାନେ କ୍ଷତି ଗ୍ରସ୍ତ ହୋଇ ବହୁତ୍ ବର୍ଷ ରହିଲେ। ନିଜର ଦରକାର ମୁତାବକ ଗୁଡ଼ ତିଆରି କରି ଆଖୁ ଚାଷରୁ ଆସ୍ତେ ଆସ୍ତେ ଓହରି ଆସିଲେ। ସେ ସମୟରେ ଗାଁ ଗାଁ ରେ “କେଲୁହା ଶାଳ” ଥିଲା ଆଖୁ ପେଢ଼େଇ ସେଥିରୁ ଗୁଡ଼ ପ୍ରସ୍ତୁତ କରିବା ପାଇଁ। ଜମି ମାନଙ୍କରେ ବଡ଼ ବଡ଼ ହଣ୍ଡା ବା ଟପ୍ ବସାଇ ସେଥିରେ ଆଖୁ ରସକୁ ଫୁଟା ଯାଉଥିଲା। ସେଥିରେ କିଛି ଚୂନ ବି ଦିଆ ଯାଉଥିଲା। ସେଇଥିପାଇଁ ଆମେ କହୁ ଗୁଡ଼ରେ କ୍ୟାଲସିଅମ ପରିମାଣ ଅଧିକ। ଘରେ ଘରେ ଗୁଡ଼ର ଚାହିଦା ବହୁତ୍ ଥିଲା। ସକାଳେ ଜଳଖିଆରେ ଚୁଡ଼ା ଖାଇବାଠାରୁ ପିଠାପଣା କରିବା ପର୍ଯ୍ୟନ୍ତ ଲୋକେ ଗୁଡ଼କୁ ହିଁ ବ୍ୟବହାର କରୁଥିଲେ। କଥାରେ କୁହା ଯାଉଥିଲା “ଚୁଡ଼ାକୁ ଗୁଡ଼ ସାକ୍ଷୀ”। ବଡ଼ ବଡ଼ ମାଟି କଣ୍ଟ, ମାଟି ହାଣ୍ଡିରେ ଗୁଡ଼ ଭର୍ତ୍ତି ହୋଇ ବଜାରକୁ ଆସୁଥିଲା। କେଲୁହା ଶାଳକୁ ଗଲେ ଆଖୁ ପଣା ଦିଅନ୍ତି ପିଇବା ପାଇଁ ଲୋଟାରେ ଲୋଟେ ଲେଖାଏଁ। ତା ଛଡ଼ା ସାହି, ପଡିଶା,ବନ୍ଧୁ, ପରିଜନଙ୍କ ଘରକୁ ଆଖୁ ପଣା ପଠାନ୍ତି। ଆଖୁ ପଣା ଘରକୁ ଆସିଲା ପରେ ପଣା କ୍ଷୀରି ବନା ହେଉଥିଲା। ନୂଆ ଅରୁଆ ଚାଉଳରେ ଆଖୁ ପଣା ପକାଇ ବିନା କ୍ଷୀରରେ ପଣା କ୍ଷୀରି ବନା ଯାଉଥିଲା। ଆଉ ଗୋଟିଏ ଜିନିଷ ଯାହା କି ମୁଁ ଭୁଲି ପାରିବିନି, ସେ ହେଲା କେଲୁହା ଶାଳରେ” ଆଡ଼ଗୁଡ଼ ” ଖାଇବା। ଆଡ଼ଗୁଡ଼ ହେଲା ସମ୍ପୂର୍ଣ୍ଣ ଗୁଡ଼ ତିଆରି ହେବାର ପୂର୍ବାବସ୍ଥା। ଏ ଗୁଡ଼ ଯେତେବେଳେ ଫୁଟୁଥିବ ଚାରିଆଡ଼େ ବାସ୍ନାରେ କମ୍ପୁଥିବ।
ଚାହୁଁ ଚାହୁଁ ଆସିଯାଏ ମାଘ- ଫଗୁଣ ମାସ। ଆମ୍ବ ଗଛରେ ଲହଡ଼ି ଭାଙ୍ଗେ ବଉଳ। କି ମିଠା ବାସ୍ନା! ପଣସ ଫୁଲ ବାସ୍ନା ସକାଳେ ଓ ସନ୍ଧ୍ୟାରେ ମନ ଭରିଦିଏ। ଏ ସମୟରେ ଜମି ମାନଙ୍କରେ ଖେସେରି ଚଣା ବୁଣାଯାଉଥିଲା। ଖେସେରୀ ଚଣା ଶାଗକୁ ପରିବା ଓ ମୁଗ ଡାଲି ଦେଇ ରନ୍ଧା ଯାଏ। କଞ୍ଚା ଖେସେରୀ ଚଣା ସିଝାଇ ଖିଆଯାଏ। ଗଞ୍ଜାମର ଗାଁ, ଗହଳିରେ ଖେସେରୀ ଚଣା ଖାଇବା ଲୋକମାନଙ୍କ ଅଭ୍ୟାସ ଥିଲା। ଖେସେରୀ ଚଣା ଡାଲିକୁ ଗୁଡ଼ ଓ ଆମ୍ବୁଲ ଦେଇ ରନ୍ଧା ଯାଏ। ପରବର୍ତ୍ତୀ ସମୟରେ ଖେସେରୀ ଚଣା ପକ୍ଷାଘାତ ରୋଗ କରାଏ ବୋଲି ସରକାରଙ୍କ ଠାରୁ ଚେତାବନୀ ଆସିଲା। କ୍ରମଶଃ ସରକାର ଖେସେରୀ ଚଣା ଚାଷକୁ ସମୁଳେ ବନ୍ଦ କରିଦେଲେ। କିନ୍ତୁ ଏବେ ବି ଗାଁ ମାନଙ୍କରେ କିଛି କିଛି ଖେସେରୀ ଚଣା ଚାଷ ହେଉଛି। ଖେସିରୀ ଚଣା ଅମଳ ହୁଏ ଫଗୁଣ ମାସରେ। ଗଞ୍ଜାମରେ ପ୍ରଥା ଅଛି ଦୋଳ ପୂର୍ଣ୍ଣିମା ଦିନ ନୂଆ ଖେସେରୀ ଚଣାକୁ ଭାଜି କଷି ଆମ୍ବ, ସାକର ଓ ଉଖୁଡା ସହ ମନ୍ଦିରରେ ଭୋଗ ହୁଏ। ଖେସେରୀ ଚଣା ଭଜା ଓ ସାକର ମିଶାଇ ଖାଇଲେ ଭଲ ଲାଗେ। ଫଗୁଣ ମାସ ପରଠାରୁ ଖରାର ପ୍ରକୋପ ବହୁତ୍ ବଢିଯାଏ। ପଖାଳ ଖାଇବା, ପଣା ପିଇବା ଇତ୍ୟାଦିରେ ମନ ଲାଗେ।
ଗଞ୍ଜାମର ଖାଦ୍ୟ, ସଂସ୍କୃତିକୁ ଅନୁଧ୍ୟାନ କରି ଆମେ ଦେଖିଲେ, ଜଳବାୟୁ ଓ କୃଷି ଖାଦ୍ୟକୁ ପ୍ରଭାବିତ କରେ। ଜଳବାୟୁ ଅନୁଯାୟୀ କୃଷିର ପ୍ରକାରଭେଦ ଦେଖାଯାଏ। ଯାହା ଖାଦ୍ୟର ବିଭିନ୍ନତାକୁ ନିୟନ୍ତ୍ରଣ କରେ। ଖାଦ୍ୟ ପରିଶେଷରେ ଆମ ପରମ୍ପରା ଓ ପର୍ବ ପର୍ବାଣୀ ସାଙ୍ଗରେ ଜଡିତ ହୋଇଯାଏ। ଦ୍ୱିତୀୟଟି ହେଲା ଗଞ୍ଜାମର ଖାଦ୍ୟ ସଂସ୍କୃତି ସୂଚାଇ ଦିଏ ଆମର ବିଭିନ୍ନ ପର୍ବପର୍ବାଣୀ କୃଷି ଭିତ୍ତିକ ଅଟେ। କୃଷିଜାତ ଦ୍ରବ୍ୟର ପର୍ବପର୍ବାଣୀ ମାନଙ୍କରେ ବ୍ୟବହାରକୁ ଆମେ ପରମ୍ପରା କହୁ। ଆଉ ଗୋଟିଏ ଦିଗରେ ଆଲୋଚନା କରିଲେ ଦେଖାଯାଏ, ଆଗ କାଳରେ କୃଷିଜାତ ଦ୍ରବ୍ୟର ଚାହିଦା ବହୁତ୍ ଥିଲା। ସେ ଶସ୍ୟ ହେଉ କି ଫଳମୂଳ ହେଉ ବା ଅନ୍ୟ କିଛି ହେଉ। ଲୋକେ ସେହି ଜିନିଷକୁ ନେଇ ବିଭିନ୍ନ କିସମର ଖାଦ୍ୟ ତିଆରି କରୁଥଲେ। ତେଣୁ କୃଷି ହିଁ ଜୀବନ ଥିଲା। ଲୋକଙ୍କର ସରଳ, କର୍ମଠ ଓ ନିରାଡମ୍ବର ଜୀବନ ଶୈଳୀ ସହ ଦେଶୀ ଚାଷ ଜରିଆରେ ଫସଲ ଅମଳ କରି, ଘରେ ଘରେ ଗୋପାଳନ ଓ କୌଳିକ ବୃତ୍ତିକୁ ଆପଣାଇ ସୁଖ ସ୍ୱାଚ୍ଛନ୍ଦ୍ୟରେ ଜୀବନ ବିତାଉଥିଲେ। ତେଣୁ ସ୍ଵାସ୍ଥ୍ୟଗତ ସମସ୍ୟାର ତୀବ୍ରତା ବହୁତ୍ କମ୍ ରହୁଥିଲା। ଗାଁ ଭିତରକୁ ଆସ୍ତେ ଆସ୍ତେ ସହରୀ ସଭ୍ୟତା ମାଡ଼ି ଆସିଲା। ତାହା ପ୍ରଥମରେ ଆକ୍ରାନ୍ତ କରିଲା ଆମ କୃଷିକୁ। ଲୋକେ ମାଣ୍ଡିଆ, ସୁଆଁ, କାଙ୍ଗୁ, ଜହ୍ନ୍ନାକୁ ଭୁଲି ମଇଦା ପଛରେ ଚାଲିଲେ। ଏହିସବୁ ଜିନିଷର ଚାହିଦା ଆମ ଖାଦ୍ୟ ପ୍ରଣାଳୀକୁ ଆସ୍ତେ ଆସ୍ତେ ଦୂରେଇ ଯାଇ ଲୋପ ପାଇବା ଅବସ୍ଥାକୁ ଚାଲି ଆସିଲା। ତେଣୁ ଗାଁ ମାନଙ୍କରେ ମାଣ୍ଡିଆ ଚାଷ, ମୁଗ, ବିରି, କାନ୍ଦୁଲ୍ ଚାଷ କମି କମି ଆସିଲା। ସରକାରଙ୍କ ପ୍ରୋତ୍ସାହନ ଦ୍ଵାରା କୃଷିରେ ହାଇବ୍ରିଡ ବିହନ ଓ ରାସାୟନିକ ସାରର ଅବାଧ ପ୍ରଚଳନ ଚାଲିଲା।ଲୋକକୁ ଭରଷା ଦିଆଗଲା ଯେ,ଏ ସବୁ କୃଷିକୁ ଆଗେଇ ନେବା ପାଇଁ ଓ ଅଧିକ ଫସଲ କମ୍ ପରିଶ୍ରମରେ ଆଦାୟ କରିବା ପାଇଁ ଉଦ୍ଧିଷ୍ଟ। ଲଗାତାର ଭାବରେ ରାସାୟନିକ ସାର, କୀଟନାଶକ ଔଷଧର ଅବାଧ ପ୍ରୟୋଗ ଓ ହାଇବ୍ରିଡ ବିହନର ବ୍ୟବହାର ଯୋଗୁଁ ମାଟିର ଗୁଣବତ୍ତା କମି କମି ଆସିଲା। ବ୍ୟାକ୍ଟେରିଆ ଓ ଅଣୁଜିବଙ୍କ ପାଇଁ ମାଟି ବିଷପ୍ରାୟ ହେଇଗଲା। ତେଣୁ ଆଶ୍ଵିନ ମାସରେ ଧାନ ବିଲରେ ଦେଖା ଦେଲେନି ବିଭିନ୍ନ କିସମର ମାଛ ଓ କଙ୍କଡ଼ା।
ବିଭିନ୍ନ ପ୍ରକାର ବାହାରୁ ଆସୁଥିବା ଏକ୍ସୋଟିକ ମାଛ ଯାଆଁଳ ପୋଖରୀ ମାନଙ୍କରେ ଛଡା ହେଲା। ଯାହା ଆମର ପାରମ୍ପରିକ ମାଛମାନଙ୍କୁ ପ୍ରାୟ ଲୋପ କରିଦେଲା। ତାହାର ସମ୍ପୂର୍ଣ୍ଣ ପୁନଃରୁଦ୍ଧାର ଅଦ୍ୟାବଧି ହୋଇନାହିଁ। ତେଣୁ ମାଛ ଭିତରେ ବର୍ଣ୍ଣିତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଆମେ ରାନ୍ଧିବା ପାଇଁ ଅକ୍ଷମ। ଗାଁ ମାନଙ୍କରେ ପଦ୍ମ ଫୁଲ ଫୁଟୁଥିବା ପୋଖରୀ ଆଉ ନାହିଁ। କେଉଁଠୁ ପାଇବା! ପଦ୍ମ ନାଡ଼ ଓ ମହୁ ନାଡ଼ର ମଜା। ସେମିତି ଗାଁରେ କେଲୁହା ଶାଳ ସ୍ୱପ୍ନପ୍ରାୟ। ଆଳ ଗୁଡ଼ର ମଜା ଆମ ପିଲାଙ୍କୁ ମିଳିବ କି! ଗାଁରେ ନାହିଁ ପାରମ୍ପରିକ ରୀତିରେ ଖାଦ୍ୟ ତିଆରି ହେଉଥିବା ଛୋଟ ଛୋଟ ହୋଟେଲ। ସବୁଠି ରହୁଛି ଫାଷ୍ଟଫୁଡ୍ ଦୋକାନ। ପିଲାମାନେ ଘର ତିଆରି ଜଳଖିଆ ଠାରୁ ପିଜା, ବର୍ଗର, ମୋମୋ ଇତ୍ୟାଦିର ମୋହରେ ସମସ୍ତେ ଆସକ୍ତ। ସବୁଠି ସସ୍ ଓ ଚାଇନା ସଲ୍ଟ ଦିଆ ଜଳଖିଆ। ବର୍ଷା ଦିନର ଘରେ ବନା ଯାଉଥିବା ଚାଉଳ ଭଜା ସହ ରାଶି ଭଜା, ବୁଟ ବାଦାମ ମଜା, ଇତ୍ୟାଦିର ମଜା ନେବା ପାଇଁ ପିଲାଙ୍କ ମନ ଲାଗୁନାହିଁ। ବରଂ ପୋଟାଟ ଫିଙ୍ଗର ଫ୍ରାଏସ୍ ପାଇଁ ସେମାନେ ଅତି ମାତ୍ରାରେ ଆକୃଷ୍ଟ। ବନ୍ଧୁ ବାନ୍ଧବ ଘରୁ ଲେମ୍ବୁ ପଣା ବା ଦହି ପଣା ନଦେଇ ଥଣ୍ଡା ମୃଦୁପାନୀୟ ଦିଆଯାଉଛି। ତେଣୁ ଆମ ପିଲାମାନେ ପାରମ୍ପରିକ ଖାଦ୍ୟ ବା ଏହାର ପ୍ରସ୍ତୁତି ପ୍ରଣାଳୀ ଶିଖିବେ କେମିତି?
ବର୍ତ୍ତମାନ ପ୍ରଚାର ସର୍ବସ୍ଵ ମାଟିହାଣ୍ଡି ପ୍ରସ୍ତୁତ ଖାଦ୍ୟର ବିଜ୍ଞାପନ କେବଳ ହୋଟେଲ ମାନଙ୍କର କାନ୍ଥର ଫଳକରେ ସୀମିତ ହୋଇ ରହୁଛି। ତାହା ନା ଆମ ଖାଦ୍ୟ ସଂସ୍କୃତିକୁ ବଞ୍ଚେଇ ପାରିବ ନା ଆମ କୌଳିକ ବୃତ୍ତିକୁ! ସେମିତି ପ୍ରଚାର ସର୍ବସ୍ଵ “ମିଲେଟ ମିଶନ”ର କାର୍ଯ୍ୟକାରିତା ବଢୁଛି। ବର୍ତ୍ତମାନ ମାଣ୍ଡିଆର ପ୍ରଚଳନ ବଢ଼ିଛି କେବଳ ଲୋକଙ୍କର ସ୍ଵାସ୍ଥ୍ୟଗତ ସଚେତନତା ପାଇଁ। ଜଙ୍ଗଲ ସରି ସରି ଯାଉଛି ତେଣୁ ଝୁମ୍ପୁରୀ ପିଠଳ କନ୍ଦା, ବାଉଁଶ କରଡ଼ି ମିଳିବ କେମିତି! ଆଦିବାସୀ ହେଲେ ଜଙ୍ଗଲର ରକ୍ଷକ। ଆମେ ଜଙ୍ଗଲକୁ ନଷ୍ଟ କରି ଖଣି ଖାଦନ କରି ଆଦିବାସୀ ମାନଙ୍କୁ ବିସ୍ଥାପିତ କରିବାରେ ଲାଗିଛୁ। କିନ୍ତୁ ଜଙ୍ଗଲର ପୁନଃରୁଦ୍ଧାର ହୋଇପାରୁନାହିଁ। ଏମିତି ଗୁଡ଼ାଏ ଅସମାହିତ ପ୍ରଶ୍ନ ଆମ ମନକୁ ଆସେ। ତେଣୁ ଖାଦ୍ୟ ସଂସ୍କୃତିକୁ ବଞ୍ଚାଇବାକୁ ହେଲେ ଆମକୁ ଏ ସବୁ ବିଷୟ ପ୍ରତି ଦୃଷ୍ଟି ଦେବା ଜରୁରୀ।