ଯୋଡ଼ିନାଗରାର ଦୁଃଖ

Swayamprava Parhi (Chief Editor)
3 Min Read

 

ଓଡ଼ିଆ ଘରେ ବିବାହ, ବ୍ରତ ଏବଂ ଶୁଭକାମରେ ଯୋଡ଼ିନାଗରା ବାଜିବା ଏକ ଦୈନନ୍ଦିନ ଘଟଣା । କେବେ କେହି ଏକଥା ମନରେ ଆଣନ୍ତିନି ଯେ ବଜାଉଥିବା ଲେକଟି କିଏ? ସେମାନେ ଜଣେ ଜଣେ କଳାକାର… ବଂଶ ପରମ୍ପାରା ଧରି ବଜାଇବା ବେଉଷା କରିଥିବା କଳାକାର?

ସେମାନଙ୍କ ଆଡ଼େ ଦୃଷ୍ଟି ପଡ଼ିଲେ ନଜାଣିବାପରି ଆମେ ପଳାଇ ଆସନ୍ତି କାରଣ ସେମାନେ ମହୂରି ବଜାଇ କିଛି ପାଉଣା ନିଅନ୍ତି। ସେଇଟାତ ସ୍ନେହଁଶ୍ରଦ୍ଧାର ବିଷୟ ହେଲେ ସେମାନଙ୍କ ସମ୍ପର୍କରେ କିଛିବି ଜାଣିବାପାଇଁ ଆମେ କେବେ ପ୍ରୟାସ କରୁ କି? ସେହିସବୁ କଳାକାରମାନେ ଆମ ମଙ୍ଗଳହାଣ୍ଡି ବସାଇବା ଓ ଉତ୍ସବର ପରିବେଶଟିକୁ ମଙ୍ଗଳଧ୍ୱନିରେ ଭରି ଦେବାପାଇଁ ସବୁବେଳେ ତତ୍ପର ହେଲେ ସେମାନଙ୍କୁ ଶୁଣିବାପାଇଁ ଆମେମାନେ କାହିଁକି ଏତେ କୁଣ୍ଠାବୋଧ କରନ୍ତି?

ଥରେ ଗାଁ’ରେ ଏକ ବିବାହ ଉତ୍ସବରେ ଯୋଗଦେବା ଅବସରରେ ଯୋଡ଼ିନାଗରା ଓ ମହୂରୀ ଶୁଣିବାର ସୁଯୋଗ ମିଳିଥିଲା । ଘଣ୍ଟା ଘଣ୍ଟା ଧରି ଏହି କଳାକାରମାନେ ବଜାଉ ଥିଲେ। ମହୂରୀ ପୁରାପୁରି ସୁରରେ ବାଜୁଥାଏ । ଟିକେ ବିରତି ବେଳେ ମହୁରୀ ବଜାଉଥିବା ଭାଇଙ୍କୁ ପଚାରିଲି, କେମିତି ଏତେ ସମୟ ସୁରରେ ସେମାନେ ବଜେଇ ପାରୁଛନ୍ତି? ଏତେ ବଜେଇଲେ କଷ୍ଟ ହୁଏନି? ସେ ମୁଣ୍ଡ ହଲେଇ କହିଲେ ପିଲାରୁ ବଜଉଛି, ଅଭ୍ୟାସ ଅଛି । ବାପା ବଜଉଥିଲେ ମୁଁ ବି ବଜେଇଲି । ପରିବାର ବେଉଷାତ କରିବାକୁ ହେବ ।

Samadhwani Support us

କଥାବର୍ତ୍ତା ଭିତରେ ଜାଣିବାକୁ ପାଇଲି, ମହୁରୀ ବଜେଇ ଭାଇ ଜଣକ ଭଲ କଳାକାର ଭାବରେ ଜିଲ୍ଲାପାଳଙ୍କ ନିକଟରୁ ପୁରସ୍କୃତ ହୋଇଛନ୍ତି ଏବଂ ଆକାଶବାଣୀରେ ବଜାଇବାପାଇଁ ସୁଯୋଗଟିଏ ମଧ୍ୟ ପାଇଛନ୍ତି । କିଛି ବାର୍ତ୍ତାଳାପ ପରେ ମୁଁ  ଚାଲିଗଲି, ସେମାନେ ବି ବଜାଇବାରେ ଲାଗିଗଲେ । ସକାଳୁ ସକାଳୁ  ଜଳଖିଆ ପାଇଁ ସମସ୍ତେ ବ୍ୟସ୍ତ । ବାଜା ବଜାଉଥିବା ଭାଇ ମାନଙ୍କର ଖାଇବା ସମୟ ଆସିଲା। ଘରେ ଆସନ ପକେଇ ସେମାନଙ୍କୁ ଜଳଖିଆ ପାଇଁ ଡ଼ାକିଲି । ସେମାନେ ହାତଗୋଡ଼ ଧୋଇ ବାଡ଼ିପାଖରେ ଛିଡ଼ାହେଲେ । ଘରକୁ ଯେତେ ଡ଼ାକିଲେବି ଗଲେନି (ଯଦିଓ ଆମ ଘରେ ଅସ୍ପୃଷ୍ୟତା ସମସ୍ୟାଟି ବାପା, ଜେଜେଙ୍କ ବେଳୁ ନାହିଁ ବାପା ଗାନ୍ଧିଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବେସିକ୍ ସ୍କୁଲ ଶିକ୍ଷକ ଥିଲେ ଏବଂ ଅସ୍ପୃଷ୍ୟତା ବିରୋଧୀ ଥିଲେ) । ସେମାନେ କିନ୍ତୁ କହିଲେ ଆମକୁ ବାଡ଼ିପିଣ୍ଡାରେ ଖାଇବା ଦିଅ, ଘରେ ବସିବାକୁ ଭଲ ଲାଗିବନି (ସାଧାରଣତଃ ଯେଉଁସବୁ ଲୋକ-କଳାକୁ ନେଇ ଆମେମାନେ ଗର୍ବ ଅନୁଭବ କରୁ ସେସବୁର ସୁରକ୍ଷା ଦାୟିତ୍ୱ ଦଳିତମାନେ ସ୍ୱତଃପ୍ରବୃତ ନେଇଛନ୍ତି ଏବଂ ଆମ ରକ୍ଷଣଶୀଳ ସମାଜର ନୀୟମ ଅନୁଯାୟୀ ସେମାନେ ମଧ୍ୟ ଅସ୍ପୃଷ୍ୟତାର ଶିକାର ହୋଇଛନ୍ତି) । ସେଇଥିପାଇଁ ବାହାରେ ଖାଇବା ପିଇବା ହେଲା । ହେଲେ ମନ ଆତ୍ମ ଗ୍ଳାନି, ଅବଶୋଷରେ ଭରିଗଲା।

ମନରେ ପ୍ରଶ୍ନଟି ବାରମ୍ବାର ଆନ୍ଦୋଳିତ ହେଉଥାଏ କାହିଁକି ଡ଼ାକିଲେବି ଏମାନେ ଘରକୁ ଯାଉନାହାଁନ୍ତି?

ଯାହାଙ୍କର ସଙ୍ଗୀତର ମଙ୍ଗଳଧ୍ୱନିରେ ବିବାହ ଭଳି ଶୁଭକାର୍ଯ୍ୟ ଆରମ୍ଭ ହୁଏ ତାଙ୍କୁ ଆମ ସମାଜ ଏମିତି ବ୍ୟବହାର ଦେଖାଇ ଆସିଛି ଯେଉଁଥିପାଇଁ ସେମାନେ ନିଜକୁ ଏତେ ଛୋଟ ମନେ କରୁଛନ୍ତି?

ତାଙ୍କଠାରୁ କେଉଁ ଗୁଣରେ ଆମେ ଅଧିକ?

ସଙ୍ଗୀତର ଜଣେ ନିଷ୍ଠାପର ସାଧକ ଯଦି ଅସ୍ପୃଷ୍ୟ ତେବେ ସାଧାରଣ ଦଳିତ ଲୋକ ଏହି ବ୍ରାହ୍ମଣ ମାନସିକତାରେ ଭରପୂର ସମାଜ ବ୍ୟବସ୍ଥାରେ କିପରି ମୁଣ୍ଡଟେକି ଚାଲିବେ?

ଏମିତି ଏକ ପ୍ରଶ୍ନ ମନକୁ ସେଦିନ ମର୍ମାହତ କରିଥିଲା ।

Photo credit – internet

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.