ଏଭଳି ଭୁଲ୍ ହେଲା କାହିଁକି?

Swayamprava Parhi (Chief Editor)
534 Views
5 Min Read

ସେଦିନ ଜାନୁଆରୀ ୧୦ତାରିଖ । ସମଦୃଷ୍ଟି ପରିବାର ତରଫରୁ ଲୋହିଆ ଏକାଡ଼େମୀଠାରେ ପାଳନ କରାଯାଉଥାଏ ଅଶୋକବାବୁଙ୍କ ଜନ୍ମଦିନ, ଯେଉଁଠି ମଞ୍ଚସ୍ଥ ହେବାକୁଥାଏ ବରଗଡ଼ ଅଞ୍ଚଳର ସ୍ପେସ୍ ଥିଏଟର ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ନାଟକ ‘ଫାଇନାଲ୍ ରିପୋର୍ଟ’ । ନାଟକଟି ମଞ୍ଚସ୍ଥ ହେବା ଆଗରୁ ନାଟ୍ୟକାର ମନ୍ମଥ ଶତପଥୀ କିଛି କହିବାପାଇଁ ଚାହିଁଲେ ।

Support Samadhwani

ଅତ୍ୟନ୍ତ କୋହଭରା କଣ୍ଠରେ ସେ ଯାହାସବୁ କହିଲେ ମନ ଓ ହୃଦୟକୁ ବାରମ୍ବାର ଆନ୍ଦୋଳିତ କଲା । ନିଜକୁ କଳାପ୍ରେମୀ, ନାଟକପ୍ରେମୀ, ସଂସ୍କୃତିପ୍ରେମୀ କହିବାକୁ ଧିକ୍କାର ଲାଗିଲା । ଠିକ୍ ଦୁଇ-ଚାରି ଦିନ ତଳେ ଜାନୁଆରୀ ୬ ତାରିଖରେ ନାଟ୍ୟ ଜଗତର ଭିଷ୍ମ ପିତାମହ କୁହାଯାଉଥିବା ନିରଞ୍ଜନ ଶତପଥୀଙ୍କର ଦେହାନ୍ତ ହୋଇଥାଏ ।

ତାଙ୍କର ମୃତ୍ୟୁ ଖବର ହୁଏତ ସେଠାରେ ଉପସ୍ଥିତ ଅନେକଙ୍କ ପାଇଁ ଅଜଣା ଥିଲା । କୋହ ଓ କ୍ଷୋଭଭରା କଣ୍ଠରେ ମନ୍ମଥ ଶତପଥୀ କହିଲେ, ‘ଏହି ମହାନ କଳାକାରଙ୍କ ମରଶରୀରରେ ପୁଷ୍ପ ପ୍ରଦାନ କରିବା ପାଇଁ ଓଡ଼ିଶାର କଳାକାର, ବୁଦ୍ଧିଜୀବୀ, ରାଜ୍ୟସରକାର କେହି ସେଦିନ ଉପସ୍ଥିତ ନଥିଲେ ।’ ଏତେବଡ଼ ଅନ୍ୟାୟ ଜଣେ କଳାକାରଙ୍କ ପ୍ରତି ହୋଇଛି ଭାବି ମନ କ୍ଷୋଭ ଓ ଗ୍ଲାନିରେ ଭାଙ୍ଗିପଡ଼ିଲା ।

ନିରଞ୍ଜନ ଶତପଥୀ ଥିଲେ ଜଣେ ଅବିସ୍ମରଣୀୟ କଳାକାର । ନିଜର ଜୀବିକା ପାଇଁ ବିମା କ୍ଷେତ୍ରରେ କିଛିଦିନ ସେ କାର୍ଯ୍ୟ କରିଥିଲେ। କିନ୍ତୁ ସେ କଳାର ପୂଜାରୀ, ଅନ୍ୟ କିଛି କାମ ତାଙ୍କୁ ବାନ୍ଧି ରଖିପାରିଲା ନାହିଁ । ନାଟକ ଜଗତରେ ପାଦ ଦେଲେ । ଅନ୍ନପୂର୍ଣ୍ଣା ଥିଏଟର ‘ଏ’ ଗ୍ରୁପ୍ରୁ ନିଜର ଧାରାବାହିକ ନାଟକ ଜୀବନ ଆରମ୍ଭ କରି ଏକ ବିରାଟ ଚଲାପଥ ଅତିକ୍ରମ କଲେ । ବାଟରେ ଛାଡ଼ିଗଲେ କେତେ ସ୍ମୃତି କେତେ ଇତିହାସ ।

Support Samadhwani

ସେହି ସ୍ମୃତି ଭିତରୁ ଗୋଟିଏ ଥିଲା ‘ଜନତା ରଙ୍ଗମଞ୍ଚ’ ଯାହା ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ କେବଳ ନିରଞ୍ଜନ ଶତପଥୀଙ୍କ ପାଇଁ ଶ୍ରଦ୍ଧାରେ ତିଆରି କରାଇଥିଲେ, ଯେଉଁ କଥାଟି ଆମ ରାଜ୍ୟସରକାର ହୁଏତ ମନେରଖିବା କଥା କିମ୍ବା ଏ ବିଷୟଟି ଜାଣିଥିବା ଲୋକେ ସରକାରଙ୍କୁ ସଚେତନ କରାଇଦେବା କଥା । ରାଜ୍ୟ ସରକାରଙ୍କ ସୌଜନ୍ୟରୁ କିମ୍ବା ଅନ୍ୟ କଳାସଂସ୍କୃତି ଅନୁଷ୍ଠାନ ତରଫରୁ ସ୍ମୃତିସଭାଟିଏ ନିରଞ୍ଜନ ଶତପଥୀଙ୍କ ଦେହାନ୍ତ ପରେ ହୋଇପାରିଲା ନାହିଁ ।

ଏହି ମର୍ମସ୍ପର୍ଶୀ ପ୍ରସଙ୍ଗରେ ମନ୍ମଥ ବାବୁ ନିଜ ଲେଖାଟିରେ ପ୍ରକାଶ କରିଛନ୍ତି ଯେ, “ନିରଞ୍ଜନ ଶତପଥୀ କେବଳ ଓଡ଼ିଆ ନାଟ୍ୟ ରଙ୍ଗମଞ୍ଚର ମୁଖ୍ୟ ନାୟକ ନଥିଲେ, ସେ ଥିଲେ ଜୀବନଯୁଦ୍ଧର ଜଣେ ଅସାଧାରଣ ନାୟକ । ଜୀବନର ସମସ୍ତ ସମସ୍ୟାକୁ ସେ ସମାନଭାବେ ଗ୍ରହଣ କରିଥିଲେ, ମାନ ଅପମାନକୁ ସମଚିତ୍ତରେ ଗ୍ରହଣ କରିଥିଲେ । ତାଙ୍କ ଜୀବନର ସବୁଠାରୁ ବୈଶିଷ୍ଟ୍ୟ ହେଲା, ଜଣେ ପ୍ରତିଭାଶାଳୀ ଅଭିନେତା ଭାବେ ସେ ଯେପରି ଲୋକପ୍ରିୟ ଥିଲେ, ସେହିପରି ତକ୍ରାଳୀନ ପ୍ରତିଷ୍ଠିତ ସାହିତ୍ୟିକ ଓ ରାଜନୈତିକ ନେତା ମଧ୍ୟ ତାଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦାନ କରୁଥିଲେ ।

ବିଜୁବାବୁଙ୍କ ସହଯୋଗ କ୍ରମେ କଟକ ବାଙ୍କାବଜାରଠାରେ ସେ ପ୍ରତିଷ୍ଠା କରିଥିଲେ ନିଜର ସ୍ୱପ୍ନର ଅନୁଷ୍ଠାନ ‘ଜନତା ରଙ୍ଗମଞ୍ଚ’ । ନିରଞ୍ଜନ ବାବୁଙ୍କ ବ୍ୟକ୍ତିତ୍ୱ, କଥନଶୈଳୀ, ଇଂରାଜୀ ଭାଷା ଉଚ୍ଚାରଣ ଓ ସୁନ୍ଦର ଚେହେରା ନାଟକ ପାଇଁ ଥିଲା ଅତ୍ୟନ୍ତ ଅନୁକୂଳ । ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍ ଓ ‘ବି’ ଗ୍ରୁପ୍, ଜନତା ରଙ୍ଗମଞ୍ଚ, ରୂପଶ୍ରୀ ଥିଏଟରରେ ପରିବେଶିତ ଅସଂଖ୍ୟ ନାଟକରେ ସେ ନାୟକ ଓ ଖଳନାୟକ – ଉଭୟ ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକମାନଙ୍କୁ ବିଭୋର ଓ ଚକିତ କରିଦେଉଥିଲେ । ବଙ୍ଗଳା ନାଟ୍ୟଜଗତର ପ୍ରସିଦ୍ଧ ଅଭିନେତା ଶିଶିର ଭାଦୁଡ଼ି, ମଧୁଗୁପ୍ତା, ମିଃ ରାୟ ଦିନେ କଲିକତା ରଙ୍ଗମଞ୍ଚରେ ଓଡ଼ିଆ ନାଟକ ‘ଭରସା’ ଦେଖି ସାରିବାପରେ ରଙ୍ଗମଞ୍ଚ ଉପରକୁ ଉଠିଆସି ନିରଞ୍ଜନ ବାବୁଙ୍କୁ କୋଳାଗ୍ରତ କରି କହିଥିଲେ- ‘ଏଭଳି ନାଟକ ଆମେ ଜୀବନରେ କେବେ ଦେଖିନଥିଲୁ…ସାମାଜିକ ନାଟକ ଏତେ ଉପଭୋଗ୍ୟ ହୋଇପାରେ କଳ୍ପନା କରିପାରୁ ନାହୁଁ…ବଞ୍ଚିଥାଅ ବାବା ବଞ୍ଚିଥାଅ, ରଙ୍ଗମଞ୍ଚ ବଞ୍ଚାଇ ରଖିଥାଅ…’ ।

ଶିଶିର ଭାଦୁଡ଼ିଙ୍କ ସେଦିନର ସେହି କଥାଟି ସବୁଦିନ ପାଇଁ ଜୀବିତ ରହିଲା । ବଞ୍ଚିଥିବା ଯାଏଁ ନିରଞ୍ଜନ ଶତପଥୀ ନାଟକ ସହିତ ଯୋଡ଼ିହୋଇ ରହିଥିଲେ । ତାଙ୍କ ସମ୍ପର୍କରେ ଜାଣିବାକୁ ପାଇଲି ବିଶିଷ୍ଟ କୃଷକ ଏବଂ ଅବସରପ୍ରାପ୍ତ ଶିକ୍ଷକ ନଟବର ଷଡ଼ଙ୍ଗୀଙ୍କ ଠାରୁ । ସେ ଓଡ଼ିଶାର କଳା ଜଗତର ଏଭଳି ଉଦାସୀନତା ଦେଖି ଦୁଃଖରେ ମ୍ରୀୟମାଣ ହୋଇପଡ଼ିଥିଲେ । ନିଜେ ଶିକ୍ଷକ ଥିବାବେଳେ ନିରଞ୍ଜନ ଶତପଥୀଙ୍କଠାରୁ ନାଟକ ନିର୍ଦ୍ଦେଶନାରେ କିପରି ସହଯୋଗ ସେମାନେ ପାଇଥିଲେ ସେ ବିଷୟରେ କହୁଥିଲେ । ଜଣେ ଅମାୟୀକ, ଗୁଣୀ, ନିଷ୍ଠାବାନ କଳାକାରଙ୍କ ପ୍ରତି ଏଭଳି ଅନ୍ୟାୟ ରାଜ୍ୟର କଳାସଂସ୍କୃତି ପ୍ରତି ଅପମାନ ବୋଲି ସେ କହିଥିଲେ ।

ତେବେ ପ୍ରଶ୍ନ ଆସେ ପ୍ରକୃତରେ ଏହା ଏକ ଭୂଲ ନା ଆମ ମାନସିକତାରେ ପରିବର୍ତ୍ତନ? ଏଭଳି ଭୁଲ୍ ହେଲା କାହିଁକି? ଏଥିପାଇଁ କିଏ ଦାୟୀ? ବଜାର ସର୍ବସ୍ୱ ଗଣମାଧ୍ୟମ ଆମ ଚିନ୍ତା ଚେତନାକୁ ଏମିତି କବଳିତ କରିରଖିଛି ଯେ ଯାହା ଗଣମାଧ୍ୟମ ଦେଖାଉଛି, ଶୁଣାଉଛି ଆମେ ସେଇଟିକୁ କେବଳ ପ୍ରାଧାନ୍ୟ ଦେଇଚାଲିଛୁ । ଗୁଣୀ, ତ୍ୟାଗୀ, ବିପ୍ଳବୀଙ୍କର କଥା ଗଣମାଧ୍ୟମର ପ୍ରାଥମିକତା ତାଲିକାରେ ନାହିଁ । ବଡ଼ ବଡ଼ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇନଥିବା ଅନେକ କଳାକାର, ବୁଦ୍ଧିଜୀବୀ, ଲେଖକ, କବି, ସାହିତ୍ୟିକଙ୍କ ତ୍ୟାଗପୂତ ଜୀବନକୁ ନେଇ ଆମେ ପୁରାପୁରି ଅଜ୍ଞ ଓ ନିରବ ।

ପ୍ରଚାର ସର୍ବସ୍ୱ ହୋଇଯାଇଛି ଆମ ସାମାଜିକ ଏବଂ ସାଂସ୍କୃତିକ ଜୀବନ । ଆମ ଭିତରର ସମ୍ବେଦନଶୀଳତା ଯେମିତି ଜନ୍ମନେବା ଆଗରୁ ମରିଯିବ ଓ ବଜାର ନିୟନ୍ତ୍ରଣରେ ଆମ ମାନସିକତା କବଳିତ ହୋଇ ରହିବ ସେଥିପାଇଁ ଷଡ଼ଯନ୍ତ୍ର କରାଯାଇଛି ଏବଂ ଯାହାର କବଳରେ ଆମେ ଆଜି ସମସ୍ତେ ପଡ଼ିଛୁ । କେତେବେଳେ ଆମେ ଏତେ ସମ୍ବେଦନହୀନ ହୋଇଗଲୁ ନିଜେ ବି ଜାଣିପାରିଲୁ ନାହିଁ ।

ବ୍ୟବସାୟିକ ଟିଭି ଚ୍ୟାନେଲର ରିୟଲିଟି ‘ସୋ’ରେ ସ୍ଥାନିତ କଳାକାରର ମର୍ଯ୍ୟାଦା ଆମ ସମାଜରେ ଆଜୀବନ କଳା ପାଇଁ ତ୍ୟାଗକରିଥିବା କଳାକାରଙ୍କୁ ଦେଇପାରିଲୁ ନାହିଁ, ଯାହାର ସଦ୍ୟତମ ଉଦାହରଣ ନିକଟରେ ଘଟିଯାଇଥିବା ଅନେକ ଘଟଣାକୁ ବିଶ୍ଳେଷଣ କଲେ ଆମେ ନିଜେ ବୁଝିଯିବା । ତେବେ କଳାକାରର ସଜ୍ଞାକୁ ସଙ୍କୁଚିତ କରିବା ଏବଂ ଅବାଞ୍ଛିତ ପ୍ରତିଦ୍ୱନ୍ଦିତା ମୂଳକ କରିବାରେ ଗଣମାଧ୍ୟମ ସହଯୋଗ କରୁନାହିଁ କି? କଥାରେ କୁହାଯାଏ ଗୁଣୀ ଚିହ୍ନେ ଗୁଣ…ଏଠି ଆମେ ନିଜକୁ କ’ଣ ବୋଲି କହିବା?

ଯେଉଁମାନେ ଗଣମାଧ୍ୟମର ଏହି ଭୟାନକ ଭୂମିକାଟିକୁ ବୁଝିଲେଣି ସେମାନେ ହିଁ କେବଳ ଏଭଳି ପରିସ୍ଥିତିର ମୂକାବିଲା କରିବାର ଗୁରୁଦାୟିତ୍ୱଟି ନେଇପାରିବେ । ନହେଲେ ବଜାର ଆମକୁ ଆମ ମାଟି, ପାଣି, ପବନ, ନିଜସ୍ୱ ସାଂସ୍କୃତିକ ଏବଂ ଜୈବିକ ପରିବେଶଠାରୁ ଏତେ ଦୂରେଇଦେବ ଯେ କେତେବେଳେ ହୁଏତ ମନରେ ପ୍ରଶ୍ନ ଆସିବ ଏଭଳି ଭୁଲ୍ ହେଲା କାହିଁକି?

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.