ଚର୍ଯ୍ୟାପଦ ଯୁଗୀୟ ବାଦ୍ୟକଳା: ବାଲିସାହିର ଢ଼ଣ କୋଇଲା

ସମରେନ୍ଦ୍ର ଦାସ
ସମରେନ୍ଦ୍ର ଦାସ 251 Views
8 Min Read

(ବ୍ୟାସେଦବଙ୍କ କାହାଣୀରେ ଉଦ୍ବୁଦ୍ଧ ବିନାୟକ ଆପଣା ଦାନ୍ତର ଲେଖନୀରେ ଲେଖିଦେଲେ ‘ମହାଭାରତ’  । ନିଜସ୍ୱ ଦ୍ୱୈତ ଭୂମିକାପାଇଁ ସ୍ୱର୍ଗଲୋକରେ ଖ୍ୟାତି ଲାଭ କରିଥିବା ନାରଦଙ୍କୁ ଆମେ ମର୍ତ୍ତ୍ୟବାସୀ କେତେ ନଝୁରୁ, ନୂଆ ଏକ କାହାଣୀଟିଏ ପାଇଁ ! ଆମ ଗଳ୍ପସାଗର ପରମ୍ପରାର ‘କଥାସରିତ ସାଗର’, ‘ପଞ୍ଚତନ୍ତ୍ର’ରୁ ଉତ୍କଳୀୟ ଢ଼ଙ୍ଗରେ ଅନନ୍ୟ ସଂସ୍କୃତି ଢ଼ଣ କୋଇଲା ସମ୍ପର୍କରେ ଆଲେଖ୍ୟ ଆଙ୍କନ୍ତି ସମରେନ୍ଦ୍ର ଦାସ ।)

                ଇତିହାସର ଅଦୃଷ୍ଟ ତମସା ଓ କାଳର କରାଳ ଗୁହା ମଧ୍ୟରେ ହଜି ଯାଇଥିବା ମହାଭାରତୀୟ ସ୍ରୋତର ତଟିନୀ ଗୁଡ଼ିକୁ ଠାବ କରିବା ପାଇଁ ଆପଣଙ୍କୁ ଓଡ଼ିଶାର ଅନେକ ଗ୍ରାମ ମଧ୍ୟରୁ ଗୋଟିଏ ଗ୍ରାମ ‘ବାଲିସାହି’କୁ ଯିବାକୁ ପଡ଼ିବ  । ଭଞ୍ଜନଗର ଠାରୁ ପ୍ରାୟ ପନ୍ଦର କି.ମି. ଦୂରରେ, ଶାଳବଣର ବାଣୁଆହାତୀ ଓ ବଡ଼ନଦୀ ଉପତ୍ୟକାରେ ଗଢ଼ି ଉଠିଥିବା ପଟୁମାଟିର ଗାଁ ବାଲିସାହି  । କିଛି ଦୂରରେ ଖଜୁରୀଡ଼ାଳ ଓ ଅନାବନା ଝାଟିରେ ଛପର ହୋଇଥିବା ଖୁନ୍ଦାଖୁନ୍ଦି ଘର ଗୁଡ଼ିକରେ ପାଖ ବଣରୁ ବାଉଁଶ ସାଉଁଟି କୁଲା, ତାଟି, ଚାଙ୍ଗୁଡ଼ି ତିଆରି କରୁଥିବା କିଛି ଶିରାଳ ଅବୟର ଦୃଶ୍ୟମାନ ହୁଅନ୍ତି  । ସେମାନଙ୍କ ଭିତରୁ ମଣିଷ ପରି ମଣିଷଟିଏ ବଳରାମ ବେହେରା  । ଷାଠିଏ ବର୍ଷ ବୟସ୍କ ଯୁବକ, ଯାହାର ପିଞ୍ଜରାରେ ଛାତ ଛପରର ସୂକ୍ଷ୍ମତାରକସୀ, ଆଉ ଗଳାରେ ସରସ୍ୱତୀ  । ଏପରି ଆଲୋଡ଼ା ପାରିଜାତମାନଙ୍କୁ ଈଶ୍ୱର କେବଳ ଗହନ କାନନରେ ଛାଡ଼ି ଦିଅନ୍ତି-ସୃଷ୍ଟିକୁ ଅଧିକ ରହସ୍ୟମୟ କରି ମଣିଷର ଅହଙ୍କୁ ନନ୍ଦନସ୍ୱର ସନ୍ଧାନରେ ଆଗେଇ ଯିବାପାଇଁ  ।

                ଅଗଷ୍ଟ ତେର, ୧୯୯୫ ରାତି ଆଠଟା  । ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରରୁ ପ୍ରଚାରିତ ହେଲା ‘ଶୁକ ବିଳାସ’ ଗାୟକ ଶ୍ରୀମାନ ବଳରାମ ବେହେରାଙ୍କ ‘ଢ଼ଣ କୋଇଲା’  । ସେହି ମୁହୂର୍ତ୍ତଟି ଏବେ ବି ତାଙ୍କ ହସରେ ଲାଖି ରହିଛି  । ସରକାରଙ୍କ ଦୃଷ୍ଟି ପଡ଼ିଲେ ବାର୍ଦ୍ଧକ୍ୟଭତା ବା କଳାକାର ଭତ୍ତାଟିଏ ନେଇ ତାଙ୍କ କର୍ମମୟ ଜୀବନପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇ ପାରନ୍ତା  । ପିଲାଟି ବେଳରୁ ଢ଼ଣ କୋଇଲା ପ୍ରତି ଆକର୍ଷଣ ଥିବା ଯୋଗୁଁ ଅନେକ ଗୀତକୁ ଆୟତ କରିଛନ୍ତି ଶ୍ରୀମାନ ବଳରାମ  । ତନ୍ମଧ୍ୟରୁ ଶୁକ ବିଳାସ, ଦଶ ରାଜକୁମାର ବେତାଳ ପଂଚବଂଶତି, ଖୁଲଣା ସୁନ୍ଦରୀ ଇତ୍ୟାଦି ପ୍ରମୁଖ ସାମାଜିକ, କାଳ୍ପନିକ, ସ୍ୱେଚ୍ଛାସେବୀ ଗୋଷ୍ଠୀଙ୍କ ଗଛଲଗା, ପରିବାର ନିୟନ୍ତ୍ରଣ ଓ ପରିମଳ ଯୋଜନାକୁ ଗୀତ ଆକାରରେ ଭଣେଇ ଗାଆନ୍ତି  । ବାକି କିଛି କଂଗ୍ରେସିଆଙ୍କ ନେହେରୁ ଇନ୍ଦିରାଗାନ୍ଦୀ ଜଣାଣକୁ ସୁଗନ୍ଧି ବଦଳରେ କରାୟତ କରିଛନ୍ତି  । ତେବେ ସେ ସୁଗନ୍ଧିର ସୁରଭି ତାଙ୍କର ମୌଳିକ ମାଳଶ୍ରୀକୁ ବିଶେଷ ଜାତି ପହଂଚାଉ ନାହିଁ ବୋଲି କିଏ ବା କହିବ ! ଏବେ ବଳରାମଙ୍କ ଠାରୁ ତାଙ୍କର ପୁତୁରା କୃପା ବେହେରା ଓ ଅନ୍ୟ ଏକ ଗ୍ରାମବାସୀ ତ୍ରିନାଥ ନାୟକ ଏହି ଗୀତ ଶିଖିଛନ୍ତି  । ତେବେ ବଳରାମଙ୍କ ପରି ଏକାଗ୍ରତା ଓ ସାଧନା ପାଇଁ ଚେତନାର ଏକ ବିକାଶ ଓ ଧୈର୍ଯ୍ୟ ଆବଶ୍ୟକ  । ଯେମିତି ଭାବରେ ସେ ସ୍ୱର୍ଗତ ଯୁଧିଷ୍ଠିର ବେହେରା ଓ ମଧୁ ବେହେରା (କଜାଙ୍ଗୀ)ଙ୍କ ଶୈଳୀରୁ ନିର୍ଯ୍ୟାସ ନେଇ ସ୍ୱୀକାର ଢ଼ଙ୍ଗରେ ପରିମାର୍ଜିତ କରିଛନ୍ତି ତାହା ଆମକୁ ସ୍ୱାଧୀନତ୍ତୋର ଉଷା କାଳରେ “ଗାହାଣୀ” ଭାବେ ପ୍ରଖ୍ୟାତି ଲାଭ କରିଥିବା ୰ ଶଶି ନାହକଙ୍କ କଥା ମନେ ପକାଇଦିଏ  । ଏବେ ସେହି ମହିୟସୀ ମହିଳା ଏକ କିମ୍ବଦନ୍ତୀ  । କେବଳ ଏହି ଓଷାକୋଠି ‘ଭିତ୍ତିଚିତ୍ର’ରେ ଚିତ୍ରିତ ନିର୍ଜୀବ ନାୟିକା ଯାବତୀୟ ମଙ୍ଗଳ ଅନୁଷ୍ଠାନରେ ମଙ୍ଗଳଗୀତ ବୋଳି ହୁଳହୁଳି ଓ ଶଙ୍ଖଧ୍ୱନିରେ ଏମାନେ ଲୋଡ଼ା ପଡ଼ନ୍ତି  । ସ୍ୱର୍ଗତ ଚକ୍ରଧର ମହାପାତ୍ର (ଉତ୍କଳ ଗାଉଁଲୀ ଗୀତ)ଙ୍କ ଭାଷାରେ “ସମାଜ ସଂସ୍କାରକ ନାମରେ ସଂସ୍କୃତି ନାଶକ ବେରସିକମାନେ ଲୋପ କରିଦେଲେଣି ଗାଆଣୀ ପରମ୍ପରାକୁ  ।” ସୁଖର କଥା ସମାଜପତିଙ୍କ ବିନା ପୃଷ୍ଠପୋଷକତାରେ କେବଳ ଗ୍ରାମ୍ୟ ଜନତାଙ୍କ ଆବେଗ ଓ ସୀମିତ ସମ୍ବଳ ଭିତରେ ଏବେ ବି ତିଷ୍ଠି ରହିଛନ୍ତି ଅନେକ ଢ଼ଣକୋଇଲା ଗାୟକ ସାରା ଓଡ଼ିଶାରେ  । ଆଂଚଳିକ ଭେଦରେ ଏଗୁଡ଼ିକ ନିଜର ପରିଚୟ ଓ ସ୍ୱାତନ୍ତ୍ର୍ୟକୁ ବଜାୟ ରଖିଛନ୍ତି  । ପଶ୍ଚିମ ଓଡ଼ିଶାରେ “ଧୂନ୍ କୁଲେଇ” ବାଦ୍ୟଯନ୍ତ୍ର ଭାବେ ‘ସମଲେଶ୍ୱରୀ’ଙ୍କୁ ‘ମାଲଶରୀ’ ବୃତ୍ତରେ ଆବାହନ କଲାବେଳେ ଉତ୍ତର ଓଡ଼ିଶାରେ ‘ଧ୍ୱନକୁଲା’ ଭାବେ ଶାରଳାଙ୍କୁ ବନ୍ଦନା କରନ୍ତି  । ନୟାଗଡ଼ ଓ ଗଞ୍ଜାମରେ ‘ଢ଼ଣକୋଇଲା’ ଭାବେ ‘ମଙ୍ଗଳାଙ୍କୁ ଆବାହନ କରୁଥିବା ଦେଖାଯାଏ  । କହିବା ବାହୁଲ୍ୟ କେବଳ ଓଷାକୋଠି କୈନ୍ଦ୍ରିକ ଓ ଶରତ ଋତୁରେ ହିଁ ଏହି ବାଦ୍ୟଯନ୍ତ୍ରର ବହୁଳ ବ୍ୟବହାର ହୁଏ  ।

                “ଆଜିକାଲି ଏହା କେବଳ ଆମ ଜାତି ଭିତରେ ସୀମିତ ହୋଇ ରହିନାହିଁ”, କହନ୍ତି ତ୍ରିନାଥ ନାୟକ । ତେବେ ଆଗପରି ଛାନ୍ଦ, ଚଉପଦି, ଭଜନ, ଜଣାଣ, ସର୍ବସ୍ୱ ହୋଇ ରହି ନାହିଁ ଢ଼ଣ କୋଇଲା  ।

                ଗୋଟିଏ ମଳା ଡ଼େରା ଖାଲି ମାଟି ହାଣ୍ଡି ଉପରେ କୁଲାଟିଏ ଘୋଡ଼ାଇ ଦିଆଯାଏ  । ଶଳପଲଇ ଗୁଣଯୁକ୍ତ ଦନ୍ତୁରିତ ଧନୁଟିଏ ଗୋଡ଼ ଭିତରେ ଛନ୍ଦିକରି ଯେତେବେଳେ ଶ୍ରୀମାନ ବଳରାମ ହାଣ୍ଡିରେ ଢ଼ିରାଦେଇ ବସନ୍ତି ସମସ୍ତଙ୍କ ଲକ୍ଷ୍ୟ କେନ୍ଦ୍ରୀଭୂତ ହୁଏ – ଲୁହାବଳାଯୁକ୍ତ କାଠି ଉପରେ  । ଧନୁଟିର ଦନ୍ତୁରିତ ଅଂଶଟିକୁ ବଳାଘାଗୁଡ଼ି ଲଗା କାଠିରେ ଘର୍ଷଣ କରି ଗୁଣକୁ ଟଙ୍କାରି କୁଲା ଉପରେ ଥାପିଲା ବେଳେ ଗୀତର ତାଳ ଓ ଲୟକୁ ଯତିପାତ କରି ଏକ ଝୁମ୍ଝୁମ୍ ମିଶ୍ରିତ ଗମ୍ଭୀର ଧ୍ୱନି ସୃଷ୍ଟିହୁଏ  । ସ୍ଥାନ ଭେଦରେ ଘୁଙ୍ଗୁର ଓ ଝୁମ୍କା ବନ୍ଧା ହାତରେ ପିତଳ ମାଠିଆ ମାଧ୍ୟମରେ ଏହି ଗାହାଣ ପରିବେଷଣ କରନ୍ତି । ତେଣୁ ଯଥାର୍ଥରେ ଢ଼ଣ କୋଇଲା ଏକ ତତ୍ ଓ ଆନନ୍ଦ (ଘକ୍ଟଦ୍ଭ ଚରକ୍ସମଙ୍କଗ୍ଦଗ୍ଦସକ୍ଟଦ୍ଭ ଌ ଚରକ୍ସମଙ୍କଗ୍ଦଗ୍ଦସକ୍ଟଦ୍ଭ) ଶ୍ରେଣୀୟ ବାଦ୍ୟଯନ୍ତ୍ର  । ଏହାହିଁ ଏହି ବାଦ୍ୟଯନ୍ତ୍ରର ବୈଚିତ୍ୟ ବିରୋଧାଭାଷା  । ଏଥିରୁ ଉତ୍ପନ୍ନ ଧ୍ୱନି ଗବେଷକ ଇନ୍ଦର ରାଜଦାନଙ୍କୁ ଚମତ୍କୃତ କରିଥିଲା  । ଏପରିକି କୁମ୍ଭାରଚକରେ କାଳୀଚରଣ ଲେଖିଛନ୍ତି “ରମ୍ଭା (ସାବିଳିୟା) ଠାରେ ଗୋଟିଏ କ୍ଷୁଦ୍ର ଅନୁଷ୍ଠାନରେ ‘ଢ଼ଣ କୋଇଲା’ ଯନ୍ତ୍ର ବାଦନ ଓ ତହିଁ ସହିତ ଓଡ଼ିଶାର ପୁରାତନ ପଲ୍ଲୀଗୀତର ଗାୟନ ଶୁଣି ସେମାନେ ଏହା ଏକ ଅଭିନବ ଦୃଶ୍ୟ ଏବଂ ‘ଢ଼ଣ କୋଇଲା’ ଯନ୍ତ୍ର ଭାରତର ଅନ୍ୟ କେଉଁଠି ଦେଖି ନଥିବାର କହିଲେ  ।” ୧୯୩୩ରେ କଟକ ଆସି ‘ଭାରତୀୟ ଗ୍ରାମ୍ୟ ଗୀତ ସଂଗ୍ରାହକ’ ପ୍ରଫେସର ଦେବେନ୍ଦ୍ର ସତ୍ୟାର୍ଥୀ ଏହି ଗବେଷଣାର ମୂଳଦୁଆ ପକାଇଲେ  । ସ୍ୱୀକାର କରନ୍ତି ନରସିଂହପୁର କମଳାଦେଇପୁର ଅଂଚଳରୁ ଦୁଇଟି ଢ଼ଣ କୋଇଲା ଗୀତକୁ ସ୍ଥାନିତ କରୁଥିବା ଗାଉଁଲି ଗୀତ ସଂଗ୍ରାହକ ଚକ୍ରଧର ମହାପାତ୍ର  ।

                ଗୁଣଯୁକ୍ତ ଧନୁଟିଏ ଏବଂ ଘାଗୁଡ଼ି ଲଗା ବାଡ଼ିଟିଏ ଧରି ବୁଲିବୁଲି ବଳରାମଙ୍କ ପରି ଏବେ ବି ଅନେକ ଗାଅାଁରେ ପାକ୍ଷିକ ବୃତ୍ତିଭାବେ ‘ଢ଼ଣ କୋଇଲା’ ବଜେଇ ନିଜର ଗୁଜୁରାଣ ମେଣ୍ଟାନ୍ତି  । ଯେଉଁଠି ଡ଼େରା ପକାନ୍ତି ସେଠି ସନ୍ଧ୍ୟାରେ ଗାଁରୁ ମଳା, ହାଣ୍ଡି ଓ କୁଲା ମାଗି ‘ଢ଼ଣ କୋଇଲା’ ପରିବେଷଣ କରନ୍ତି  । ପୃଷ୍ଠପୋଷକଙ୍କ ଅନୁମୋଦିତ ରୁଚିକୁ ଧରି ଗୀତ ଗାଇଲେ ଅଧିକା ପାରିତୋଷିକ ମିଳିବାର ସମ୍ଭାବନା ଥିବାରୁ ଅବସର ସମୟରେ ଅଷ୍ଟାଦଶ ପୁରାଣ ଚର୍ଚ୍ଚା ଓ ଅନ୍ୟାନ୍ୟ ନାଟକ ଗୁଡ଼ିକର ସ୍ୱରକୁ ଶିଖିବାକୁ ପଡ଼ିଥାଏ  ।

                ବର୍ତ୍ତମାନ ‘ଢ଼ଣ କୋଇଲା’ରେ ‘ଚିତ୍ରପଟି’ ଧରି ଚଟି ବହି ବିକାଳୀ ସହରୀ ‘କଥା ସାଗର’ ପ୍ରଭାବ ପ୍ରଚଣ୍ଡ  । ଫଳରେ କିଛି ସହରୀ ଉପାଦାନକୁ ଉପଜୀବ୍ୟ କରି ପ୍ରେମ, ହତ୍ୟା ଓ ରକ୍ତାକ୍ତ (ଖକ୍ଟଙ୍ଖର, ଗଙ୍କକ୍ସୟରକ୍ସ ଌ ଏକ୍ଷକ୍ଟକ୍ସଚ୍ଚ) ତ୍ରୟୀକୁ ନେଇ ଗାଅାଁ ଲୋକଙ୍କୁ ସୁହେଇଲା ପରି ଉପାଖ୍ୟାନ ସୃଷ୍ଟି କରୁଛନ୍ତି । ତେବେ ବାଦ୍ୟଯନ୍ତ୍ରଟିକୁ ପଞ୍ଚଦେବଙ୍କ ଆବାହନ କରି ଏସବୁ ପରିବେଷଣ କରୁଛନ୍ତି ଶ୍ରୀମାନ ବଳରାମ  । ଉନବିଂଶ ଶତାବ୍ଦୀର ପଇସିକିଆ ଗାହାଣୀ ଆଜିକାଲି ଟଙ୍କାକିଆ ଗାହାଣରେ ବିବର୍ତ୍ତିତ ହୋଇଛନ୍ତି ସତ, ହେଲେ ଅବାଞ୍ଛିତ ଅନୁପ୍ରେବଶୀଙ୍କ କବଳିତ ଏହି ବାଦ୍ୟଯନ୍ତ୍ରଟି ଅପସଂସ୍କୃତିର ସ୍ରୋତରେ ଚହଲି ଯାଇଛି  । ଗାଅାଁର ବିବର୍ତ୍ତିତ ପରିବେଶରେ କିମ୍ଭୂତ କିମାକାର ଏହି ଉପାଖ୍ୟାନ ଗୁଡ଼ିକ ଲୋକପ୍ରିୟତା ହାସଲ କରିଥିବା ଦେଖିଲେ ବିଣାପାଦନମା, କାହ୍ନୁପା, ଶରପାଙ୍କ ଏହି ବାଦ୍ୟକଳା ଥିବା କଥା ମନଗଢ଼ା ପରି ଲାଗେ  । ତେବେ କାହ୍ନୁ ପାଙ୍କ ‘ନଗର ବାହିରେ ତୋମ୍ବି ତୋହରି କୁଡ଼ିଆ’ (୧୦ମ ଶତାବ୍ଦୀ) ସେହି ଶ୍ରୁତିଭିତ୍ତିକ ସଂସ୍କୃତିର (ଙକ୍ସବକ୍ଷ ଉଙ୍କକ୍ଷଗ୍ଧଙ୍କକ୍ସର) ସନ୍ତକ ସ୍ୱରୂପ ଅକ୍ଷୁର୍ଣ୍ଣ ରହିଛି ! ଟପ୍ପା, ଠୁମରୀ ଓ ଖେୟାଲ ପରି ଢ଼ୁମ୍ପା ଓ ଢ଼ଣ କୋଇଲା ଶାସ୍ତ୍ରୀୟ ମର୍ଯ୍ୟାଦା ପାଇବାକୁ ବେଶୀ ଡ଼େରି ନାହିଁ  । ତେବେ ଏସବୁ କେତେକାଳ କେବଳ ଗ୍ରାମ୍ୟ ଜନମାନସରେ ଗୁଞ୍ଜରୁଥିବ ଦେଖିବାକୁ ରହିଲା  ।

                ସୌଜନ୍ୟ- (ସଚିତ୍ର ବିଜୟା- ଡ଼ିସେମ୍ବର, ମସିହା-୧୯୯୭)

[box type=”shadow” align=”” class=”” width=””]୧୯୯୭ ମସିହା, ଡ଼ିସେମ୍ବର ମାସରେ ସଚିତ୍ର ବିଜୟାରେ ସମରେନ୍ଦ୍ର ଦାସ ଉପସ୍ଥାପନ କରିଥିବା ଉପର ବର୍ଣ୍ଣିତ ଏହି ଗାଁ’ଟି ଇତିହାସ ପୃଷ୍ଠାରେ ନିଜର ଅସ୍ଥିତ୍ୱ ବଜାଇ ରଖିଛି କି ନାହିଁ ଜଣାନାହିଁ କିନ୍ତୁ ଏହିସବୁ ଲୋକକଳା ଆମ ସଂସ୍କୃତିରୁ ଲୋପ ପାଇ ପାଇ ଯାଉଛନ୍ତି ଏକଥା ଗାଁ’ର ଲୋକେ ନିଜେ ଗ୍ରହଣ କରନ୍ତି । ହଜାର ହଜାର ବର୍ଷର ଏହି ସଂସ୍କୃତି କେତେଟା ହାତ ଗଣତି ଦିନ ଭିତରେ କାହିଁକି ଲୋପପାଇଲା ସେକଥାର ମରମ ବୁଝୁଛି କିଏ? ଆମେ ଶିକ୍ଷିତ  ଓ ପାଠୁଆ ଲୋକେ ଲୋକସଂସ୍କୃତି ଓ କଳା ଭିତରେ କେବଳ ଅନ୍ଧବିଶ୍ୱାସ ଏବଂ ଅଣଶାସ୍ତ୍ରୀୟ ସଂସ୍କୃତିକୁ ଦେଖିଥାଉ କିନ୍ତୁ ସେହି ସଂସ୍କୃତି ଯେ ଶାସ୍ତ୍ରୀୟର ଭିଆଣ ଭୂମି ଏକଥା ବୁଝିବାପାଇଁ ଯେଉଁ ପ୍ରଜ୍ଞାର ଆବଶ୍ୟକତା ଅଛି ସେଇଟା ବୋଧହୁଏ ଆମ ପାଠରେ ଶିକ୍ଷା ଦିଆଯାଇ ନାହିଁ । ସବୁକିଛି ସୃଷ୍ଟି ପଛରେ ଥିବା କାରଣ ବୁଝି ପୁଣି ଥରେ ସଂସ୍କୃତିର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିବାର ଆବଶ୍ୟକତା ଦେଖାଦେଇଛି ।  – ସମ୍ପାଦକ[/box]

Share This Article
ଗବେଷକ, ଲେଖକ