Home / କଳା ସଙ୍ଗୀତ / ସଙ୍ଗୀତ / ନାଦ ବା ଶବ୍ଦତତ୍ତ୍ୱର ରହସ୍ୟ

ନାଦ ବା ଶବ୍ଦତତ୍ତ୍ୱର ରହସ୍ୟ

Share Samadhwani

ନାଦ ସାଧନା ଏକ ଜଟିଳ ଏବଂ ଗୁରୁତ୍ତ୍ୱପୂର୍ଣ୍ଣ ସାଧନା ଯାହା ଆଜିର ସମାଜରେ ଗୁରୁତ୍ତ୍ୱ ହରାଇବାରେ ଲାଗିଛି । ନାଦକୁ ନଚିହ୍ନି ନାଦ ବା ଶବ୍ଦତତ୍ୱର ସାଧନା କରିବା ସମ୍ଭବ ନୁହେଁ । ନାଦ ବା ଶବ୍ଦତତ୍ୱର ରହସ୍ୟ ଜାଣିବା ଓ ଜଣାଇବାର ପ୍ରୟାସରେ ଏଭଳି ଏକ ଉଚ୍ଚକୋଟିର ଲେଖା ଗୁରୁଶ୍ରୀ ଘାସିରାମ ମିଶ୍ର ପ୍ରସ୍ତୁତ କରିଛନ୍ତି। ଆମେ ଏଠାରେ ପାଠକମାନଙ୍କୁ ମନେ ପକାଇଦେବା ଉଚିତ ମନେକରୁ ଯେ ଏକ ଧାର୍ମିକ ଏବଂ ଆଧ୍ୟାତ୍ମିକ ପୃଷ୍ଠଭୂମିରେ ଜନ୍ମ ନେଇଥିବା ଆମର ଅଧିକାଂଶ ପ୍ରତିଷ୍ଠିତ ସଙ୍ଗୀତଜ୍ଞମାନେ ଈଶ୍ୱରୀୟ ଚେତନାଦ୍ୱାରା ଅନୁପ୍ରାଣିତ । ଏହି ଈଶ୍ୱରୀୟ ଅନୁପ୍ରେରଣାର ସଂକୀର୍ଣ୍ଣ ତଥା ଧାର୍ମିକ ଦୃଷ୍ଟିକୋଣରୁ ସମୀକ୍ଷା କରିବା ସମୀଚିନ ହେବକି ନାହିଁ ତାହାରି ଉପରେ ବିଦ୍ୱାନମାନେ ଚିନ୍ତା କରିବାକୁ ପଡ଼ିବ । କିନ୍ତୁ ସାଧାରଣତଃ ଦେଖାଯାଇଥାଏ ଯେ ଏହି ସୃଜନଶୀଳ ସାଧକମାନେ ସବୁ ସଂକୀର୍ଣ୍ଣତାର ଊଦ୍ଧ୍ୱର୍ରେ ରହି କେବଳ ଯେ ସାଧନା କରିଥାନ୍ତି ତାହା ନୁହେଁ ବରଂ ନବାଗତ ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ସମାନ ଭାବରେ ଅନୁପ୍ରାଣିତ କରିଥାନ୍ତି । ସେହିଦୃଷ୍ଟିରୁ ଈଶ୍ୱର ଶବ୍ଦର ପ୍ରୟୋଗ ବା ଈଶ୍ୱରୀୟ ସଂକେତର ବ୍ୟବହାର କୌଣସି ଧାର୍ମିକ ଭାବଧାରାକୁ ନବୁଝାଇ ବରଂ ଆଧ୍ୟାତ୍ମିକ ଚେତନାକୁ ବୁଝାଇଥାଏ । ସାଧନା ପାଇଁ ଆବଶ୍ୟକ ହେଉଥିବା ସଂକେତ ହିସାବରେ ଏଠି ଈଶ୍ୱର ଅଧିକାଂଶରେ ବ୍ୟବହୃତ ହୋଇଥାନ୍ତି ।            – ସମ୍ପାଦକ

ନିର୍ବିବାଦର ବିଷୟ ଧ୍ୱନି, ଶବ୍ଦ ବା ନାଦର ମୂଳ କାରଣ ହେଲା କମ୍ପନ ।  ଏହି କମ୍ପନ ହିଁ ଅନାହତ ନାଦକୁ ଆହତ ନାଦ, ଧ୍ୱନି ବା ଶବ୍ଦରେ ପରିବର୍ତ୍ତନ କରିଥାଏ । କମ୍ପନ ବା ଆଘାତ ବିନା ନାଦ ବା ଧ୍ୱନି କଳ୍ପନା ମଧ୍ୟ କରାଯାଇନପାରେ । ଧୂଅାଁ ଦେଖି ଯେପରି ଅଗ୍ନିର ଅସ୍ତିତ୍ୱ ନିର୍ବିବାଦ ସେହିଭଳି ଧ୍ୱନି ବା ଶବ୍ଦ ଗ୍ରହଣ ମାତ୍ରେ ହିଁ କମ୍ପନର ଅସ୍ତିତ୍ୱ ନିର୍ବିବାଦ ହୋଇଥାଏ । ‘ବାଗେବ ବିଶ୍ୱା ଭୂବବାନୀ ଯଜେ୍ଞ, ବାଇଚତ ସର୍ବମ୍ ମୃତଂ ରତୈଚ’ । ଶବ୍ଦ ହିଁ ଏହି ନିଖିଳ ବ୍ରହ୍ମାଣ୍ଡର ନିର୍ମାଣର କାରଣ ହେତୁ ସମ୍ପୂର୍ଣ୍ଣ ମରଲୋକ, ଅମରଲୋକ ବାଣୀର ବିକଳ୍ପ ମାତ୍ର । ସମଗ୍ର ସୃଷ୍ଟି ଓ ତହିଁ ଅନ୍ତର୍ଗତ ସମସ୍ତ କ୍ରିୟା ହିଁ କମ୍ପନ ଅଟେ । ଶ୍ରୁତି ପ୍ରମାଣାନୁସାରେ ‘ବାଗେର୍ଥ ପସ୍ୟତି ବାଗ୍ ବ୍ରବିତି ବାଗେବାର୍ଥ ସନ୍ନିହିତନ୍ତନୋତି । ବାଚୈବ ବିଶ୍ୱଂ ବହୁରୂପଂ ନିବଦ୍ଧନ୍ତେଦେତଦେ କଂପ୍ରବିଭଜ୍ୟୋପ ଭୃଙ୍ଗ୍କ୍ତେ ।।’ ଶବ୍ଦ ହିଁ ଅର୍ଥର ଦେବତା, ଶବ୍ଦ ଦ୍ୱାରା ହିଁ ଏ ସୃଷ୍ଟି ଅନେକ ରୂପରେ ନିର୍ମିତ । ତେଣୁ ଶବ୍ଦ, ନାଦ ଏବଂ ବ୍ରହ୍ମର ସମ୍ବନ୍ଧ ସୃଷ୍ଟିର ପ୍ରାରମ୍ଭରୁ ଅଭେଦ ଓ ଅତୁଟ ।

ସମଗ୍ର ବ୍ରହ୍ମାଣ୍ଡ ଅନ୍ତର୍ଗତ ସଚରାଚର ପଦାର୍ଥ ନାଦମୟ ବା ଶବ୍ଦମୟ ଓ ତାହାର ମୂଳରେ ରହିଛି କମ୍ପନ । ତେଣୁ ପ୍ରତ୍ୟକ୍ଷ ଅନୁଭୂତି ନିଶ୍ଚିତ କମ୍ପନ ଉପରେ ଆଧାରିତ । ଏହି ନାଦ ବ୍ରହ୍ମର ତାତ୍ତ୍ୱିକଜ୍ଞାତା ହେଉଛନ୍ତି ଭଗବାନ ଶଙ୍କର ଯିଏକି ବ୍ରହ୍ମର ମୂଳ ସ୍ୱରୂପରେ ଲୀନ ହୋଇ ନିଜ ଡମ୍ବରୁକୁ ଚଉଦଥର ବଜାଇ ଥିଲେ ଯାହାକୁକି ବ୍ୟବହାରିକ ତଥା ସ୍ଥୁଳ ଧ୍ୱନୀର ମୂଳ ଆଧାର ବୋଲି ସ୍ୱୀକାର କରାଯାଏ ।

ନୃତ୍ର ବାସାନେ ନଟରାଜରାଜୋ ନନାଦ ଡକ୍ଳାଂ ନବ ପଞ୍ଚବାରମ୍ ।

ଉଦୃର୍ତ କାମଃ…………………………… ଶିବ ସୂତ୍ର ଜାଲମ୍ ।।

କମ୍ପନ ମୁକ୍ତ ମୁକଧ୍ୱନି ବା ନାଦର ଅନ୍ୟ ନାମ ‘ସ୍ଫୋଟ’ । ସ୍ଫୋଟର ମୂଳ ଧ୍ୱନି ହିଁ ବ୍ୟବହାରିକ ଧ୍ୱନିର କାରଣ ଅଟେ । ‘ଧ୍ୱନିଃ ସ୍ଫୋଟସ୍ୟ ଶବ୍ଦାନାଂ ଧ୍ୱନିସ୍ତୁ ଖଲୁଲଖ୍ୟତେ ।’ ଅର୍ଥାତ ସ୍ଫୋଟର ଧ୍ୱନି ହିଁ ଶବ୍ଦର ଧ୍ୱନି ଅଟେ । ବ୍ୟାକରଣ ଶାସ୍ତ୍ରରେ ସ୍ଫୋଟକୁ ସୂକ୍ଷ୍ମ ଓ ସ୍ଥୁଳ ଦୁଇ ଭାଗରେ ବିଷଦ୍ ବିବେଚନ କରାଯାଇଛି । ବାକ୍ୟପଦୀୟରେ ବ୍ରହ୍ମକାଣ୍ଡରେ ସ୍ଫୋଟକୁ ନିତ୍ୟ ଓ ବ୍ରହ୍ମସ୍ୱରୂପ ବୋଲି ମାନ୍ୟତା ଦିଆଯାଇଛି । ଅଦ୍ୱୈତବାଦ ଅନ୍ତର୍ଗତ ସ୍ଫୋଟବାଦ ଗୋଟିଏ ସିଦ୍ଧାନ୍ତ ମାତ୍ର । ଏହାର ବ୍ୟାପକ ସ୍ୱରୂପରେ ପ୍ରଭାବିତ ହୋଇ ଭତୃମିତ୍ର, ପତଞ୍ଜଳୀ, ପୁରାଣରାଜ, କୈୟଟ ଓ ନାଗେଶ ଭଟ୍ଟ ଆଦି, ଆଦିମନୀଷୀମାନଙ୍କ ସ୍ଫୋଟବାଦର ମନୋହର ରୂପ କାରଣ ହେତୁ ବୈୟାକରଣ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଗଲା ।

ସୃଷ୍ଟିର ମୂଳରେ ହିଁ କମ୍ପନ ବା ସ୍ପନ୍ଦନ ଅଛି ତେଣୁ ସ୍ପନ୍ଦନ ହିଁ ଜୀବନ, ସ୍ପନ୍ଦନ ବିହୀନ ଶରୀରର କଳ୍ପନା ମଧ୍ୟ କରାଯାଇନପାରେ ବା ସ୍ପନ୍ଦନ ବିହୀନ ଶରୀର ମୃତ ବା ନିର୍ଜୀବ ନିଶ୍ଚୟ । ସ୍ପନ୍ଦନ ବିନା ଜୀବର ଅସ୍ତିତ୍ୱ ଅସମ୍ଭବ । ଏହି ସ୍ପନ୍ଦନ ବା କମ୍ପନ ଧ୍ୱନି ବା ଶବ୍ଦ ପାଇଁ ଉପାଦାନ ଅଟେ । ଏହି ମୂଳତତ୍ତ୍ୱ ଏବଂ ବିକଶିତ ସ୍ୱରୂପକୁ ଅର୍ଦ୍ଧନାରୀଶ୍ୱର କୁହାଯାଏ । ଅନୁଭବ ଗମ୍ୟ ମୂଳସ୍ପନ୍ଦନ ବା ସ୍ଫୋଟ ଇଶ୍ୱରୀୟ ଇଚ୍ଛା ଅଟେ, ଯାହାକି ଇଶ୍ୱରଙ୍କ ସ୍ୱରୂପ । ଏହି ସ୍ପନ୍ଦନର ସ୍ଥୁଳ ରୂପ ବା ବିକାଶକୁ ଦୃଶ୍ୟରୂପ ନାରୀ କୁହାଯାଇଛି । ଏହିପରି ସ୍ପନ୍ଦନ ବା ସ୍ଫୋଟର କିଛି ଅଂଶରେ ଇଶ୍ୱର ଅଛନ୍ତି ଓ କିଛି ଅଂଶରେ ସୃଷ୍ଟି ବା ବିକାଶ । କାଳିଦାସ, ଭବାନୀଶଙ୍କର ସ୍ପନ୍ଦନ ଶବ୍ଦ ଅର୍ଥରେ ଅଭିନ୍ନ ସମ୍ବନ୍ଧ ଦର୍ଶନ କରି ତାଙ୍କରି ସ୍ତୁତିଗାନ କରିଛନ୍ତି । ସନ୍ଥ ତୁଳସୀ ଦାସ କହନ୍ତି, ‘ବୀରା ଅରଥ ଜଲ ବିଚିସମ, କହିୟାତ ଭିନ୍ନ ନଭିନ୍ନ’ । ଅର୍ଥାତ ଶବ୍ଦ ଓ ଅର୍ଥ ତଥା ଜଳରୁ ଲହଡ଼ି କହିବା ପାଇଁ ଭିନ୍ନ ହେଲେ ହେଁ ପ୍ରକୃତରେ କୌଣସି ଭିନ୍ନତା ନାହିଁ । ଯିଏ ଶବ୍ଦ ସିଏ ଅର୍ଥ ଓ ଯିଏ ଜଳ ସିଏ ଲହଡ଼ି । ସୃଷ୍ଟିର ମୂଳରେ ଯେହେତୁ ଇଶ୍ୱର ଅଛନ୍ତି ତେଣୁ ସୃଷ୍ଟି ମଧ୍ୟ ସ୍ଫୋଟମୟ ବା ଇଶ୍ୱରମୟ ଅଟେ । ମୀମାଂସା ଦର୍ଶନର ଅଦ୍ୱୈତବାଦ ଏହି ସିଦ୍ଧାନ୍ତରେ ସ୍ଥିର, ଅଟଳ ହୋଇ ରହିଛି । ଯାହାକି ଅନ୍ୟ ଶାସ୍ତ୍ରମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଧ୍ୱନି ବା କମ୍ପନରେ ବାୟୁ ସଂଯୋଗ ହେତୁ ଶରୀରରେ ଅନେକ ବ୍ୟକ୍ତ ଓ ଅବ୍ୟକ୍ତ କ୍ରିୟାଦି ଉତ୍ପନ୍ନ ହୁଏ ସେହି ଭିତରେ ଏକ ଧ୍ୱନ୍ୟାତ୍ମକ କ୍ରିୟା ମଧ୍ୟ ଉତ୍ପନ୍ନ ହୁଏ । ଏହି କ୍ରିୟା ଶରୀର ଶକ୍ତିଗୁଡ଼ିକୁ ଗତିଶୀଳ କରାଇ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ପହଞ୍ଚାଇବା ସକାଶେ ସହାୟକ ହୋଇଥାଏ । ଏହି ବାୟୁ ସଂଯୋଗ ଦ୍ୱାରା ପୁରକ, କୁମ୍ଭକ ଓ ରେଚକାଦି କ୍ରିୟା ଦ୍ୱାରା ସମାହିତ କମ୍ପନ ହିଁ ଯୋଗ ଅଟେ । ଏହି କ୍ରିୟାକୁ ସ୍ଥୁଳ, ସୂକ୍ଷ୍ମ ଅଭିବ୍ୟକ୍ତି ପାଇଁ ଶରୀର ଅନ୍ତର୍ଗତ ଅନେକ ସ୍ଥାନରେ ଉପଯୋଗ କରାଯାଏ । ଯେତେବେଳେ ବାୟୁ ସଂଯୋଗ ସେହି ସ୍ଥାନମାନଙ୍କରେ ହୁଏ, ସେତେବେଳେ ଅଭିବ୍ୟକ୍ତିର ମୂଳ କାରଣ ଜଣାପଡ଼ିବା କ୍ରିୟା ଆରମ୍ଭ ହୁଏ । ଏହି ସ୍ଥାନମାନଙ୍କୁ ଯୋଗ ଶାସ୍ତ୍ରରେ ଚକ୍ର ନାମରେ ଚିହ୍ନିତ କରାଯାଏ । ମୂଳାଧାରଚକ୍ର, ସ୍ୱାଧୀଷ୍ଠାନ ଚକ୍ର, ମଣିପୁରଚକ୍ର, ଅଷ୍ଟଦଳ କମଳ ଚକ୍ର, ଅନାହତ ଚକ୍ର, ବିଶୁଦ୍ଧି ଚକ୍ର, ଲଣନା ଚକ୍ର, ଆଜ୍ଞାଚକ୍ର, ମନଶ୍ଚକ୍ର, ସୋମଚକ୍ର ତଥା ଶହସ୍ରାର ଚକ୍ର ଆଦିକୁ ଯୋଗବିଧି ଅନୁଯାୟୀ କମ୍ପନ ବା ସ୍ପନ୍ଦନକୁ ଜାଗ୍ରତ କରାଯାଏ । ସ୍ପଷ୍ଟ ହୁଏ ଯେ ନାଦ, କମ୍ପନ, ସ୍ପନ୍ଦନ ବା ସ୍ଫୋଟ ଅବ୍ୟକ୍ତ ରୂପରେ ହିଁ ଲୀନ ହୋଇଯାଏ । ଏହାହିଁ ଶବ୍ଦାଦ୍ୱୈତ ଅଟେ ।

ବିଭିନ୍ନ ଦର୍ଶନ ଅନୁସାରେ ଶବ୍ଦାଦ୍ୱୈତର ଅନାହତରୁ ଆହତ ନାଦରେ ରୂପାନ୍ତରିତ ପ୍ରଥମ ଶବ୍ଦ ଓଁ କାରକୁ ପ୍ରଣବ କୁହାଯାଏ । ଇଶ୍ୱର ସତ୍ତାର ବିନ୍ଦୁ ସହ ଅ-ଉ-ମର ସଂଯୋଗ ଦ୍ୱାରା ହିଁ ମୋକ୍ଷ ପ୍ରାପ୍ତି ହୁଏ ।

ଓଁ କାର ବିନ୍ଦୁ ସଂଯୁକ୍ତ ନିତ୍ୟ ଧ୍ୟାୟନ୍ତି ଯୋଗୀନାଂ

କାମଦଂ ମୋକ୍ଷଦଂ ଚୈବ ଓଁକାରୟ ନମୋନମଃ ।

ଏହି ପ୍ରଣବ ତ୍ରିଶବ୍ଦର ତରଙ୍ଗକୁ ଅନାହତରେ ପ୍ରବେଶ କରାଇ ଆହତ ନାଦରେ ବିଭିନ୍ନ ସ୍ୱରରେ ପରିପ୍ରକାଶ କ୍ରିୟା ସାମଗାନ ବା ସଙ୍ଗୀତ ଅଟେ। ଗୀତ, ବାଦ୍ୟ ଓ ନୃତ୍ୟ ଏହି ତ୍ରିଦିଗର ସମାହାରକୁ ସଙ୍ଗୀତ କୁହାଯାଏ । ବାଦ୍ୟ ଓ ନୃତ୍ୟ ଭଗବାନ ଶଙ୍କର ତାଣ୍ଡବରେ ହିଁ ବିଦ୍ୟମାନ । ଗାୟନ ଏକ ଅନ୍ତରର ବିଷୟ । ନୃତ୍ୟ ଏବଂ ବାଦ୍ୟର ସମ୍ବନ୍ଧ ବ୍ରହ୍ମ କମ୍ପନରେ ଥିବା ସ୍ଥଳେ ଗାୟନ ଅନ୍ତର କମ୍ପନରେ ସୃଷ୍ଟି ହୁଏ । ଏଣୁ କମ୍ପନ ବିହୀନ ସଙ୍ଗୀତ ସୃଷ୍ଟି ହୋଇପାରେ ନାହିଁ । ସଙ୍ଗୀତ କ୍ରିୟା ସମ୍ପୂର୍ଣ୍ଣ ନାଦ ବ୍ରହ୍ମ କ୍ରିୟା ଅଟେ ।


Share Samadhwani
Support Samadhwani

About ଗୁରୁଶ୍ରୀ ଘାସିରାମ ମିଶ୍ର

ସଙ୍ଗୀତ ନିର୍ଦ୍ଦେଶକ, ଜାତୀୟ ସ୍ତରର ଲୋକକଳାର କଳାକାର, ଗବେଷକ

Check Also

ଯୋଗୀଙ୍କର କେନ୍ଦରା ଗୀତ

Share Samadhwaniଖୁବ୍ ସରୁ କଣ୍ଠରେ କିଏ ଯେମିତି ଗୀତ ବୋଲୁଛି ଶୁଭିଲା । ଦାଣ୍ଡକୁ ଯାଇ ଦେଖେତ ଜଣେ ବୁଢ଼ା …