ଶାସ୍ତ୍ରୀୟ ସଙ୍ଗୀତର ମହାନ ପୂଜାରୀ ବଡ଼େ ଗୁଲାମଅଲ୍ଲୀ ଖାଁ ସାହେବ ସେଦିନ ଭାରତ ପାକିସ୍ଥାନ ବିଭାଜନରେ ମ୍ରୀୟମାଣ ହୋଇ କହିଥିଲେ, “ଭାରତର ପ୍ରତେକ ପରିବାରରେ ଯଦି ଜଣକୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଦିଆଯାଇଥାଆନ୍ତା ତେବେ ଭାରତ ପାକିସ୍ଥାନ ବିଭାଜନ ହୋଇନଥାନ୍ତା”
ମଣିଷ ସୃଷ୍ଟି କରିବାର ଏବଂ ମଣିଷପଣିଆକୁ ଖୋଜିପାଇବାର ଏଭଳି ଅନନ୍ୟ ମାଧ୍ୟମ ଭାରତରେ ବହୁସଂଖ୍ୟାରେ ଦେଖିବାକୁ ମିଳେ, ଯାହାର ପରିପ୍ରକାଶ ଘଟିଥାଏ ସେହିମାନଙ୍କ ନିକଟରେ ଯେଉଁମାନେ ଏକ ଭିନ୍ନଢଙ୍ଗରେ ଆଜିଯାଏଁ ନିଜକୁ ଏବଂ ନିଜର ବିଚାରକୁ ଉପସ୍ଥାପନ କରିଆସିଛନ୍ତି।
ସମୟର ପ୍ରବାହରେ ଅନେକ କିଛି ବଦଳିଯାଇଛି । ସିଏ ସଂସ୍କୃତି ହେଉ କିମ୍ବା ସାମାଜିକ ଜୀବନ, ଜଗତୀକରଣ ପର୍ଯ୍ୟାୟରେ ବଜାରୀ ସଂସ୍କୃତିର ଆମ ସାଂସ୍କୃତିକ ଜୀବନରେ ଅପ୍ରତିହତ ପ୍ରଭାବ ଯୋଗୁଁ ମଣିଷ ମଣିଷ ଭିତରେ ଥିବା ସାଂସ୍କୃତିକ ସମ୍ପର୍କ ଭୀଷଣ ଭାବରେ ପ୍ରଭାବିତ ହୋଇଛି ଏବଂ ଗୋଟିଏ ମଣିଷ ଆଉ ଗୋଟିଏ ମଣିଷ ଠାରୁ ଦୂରେଇ ଯିବାର ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇଛି ।
ଏହାର ଏକ ପରିଣାମ କଳାର ଅନ୍ୱେଷଣରେ ଥିବା ମଣିଷମାନଙ୍କ ଉପରେ ମଧ୍ୟ ବେଶ ଭଲଭାବରେ ପଡ଼ିଛି ଯାହା ଫଳରେ କଳାକାରଟି ଆଉ ଗୋଟିଏ ମଣିଷର ସୁଖ, ଦୁଃଖ, ଯନ୍ତ୍ରଣା ସହିତ ନିଜକୁ ସାମିଲ କରାଇବା ପରିବର୍ତ୍ତେ କଳାକୁ ବୃତ୍ତି କରି ଆଧୁନିକ ବଜାରରେ କେତେ ସକ୍ଷମ ଓ ସଫଳ ହୋଇପାରିବ ସେ ନିଶାରେ ମତୁଆଲା ହୋଇଚାଲିଛି ।
ଯଦି ଏଠି କେହି କୁହନ୍ତି ଯେ ଏ ରାଜ୍ୟର କଳା ସଂସ୍କୃତିକୁ ଆଗେଇ ନେବା କ୍ଷେତ୍ରରେ କଳାକାରମାନେ ‘ନିଜର ଭୂମିକା’କୁ ନିର୍ଣ୍ଣୟ କରିବା ଆଜି ଜରୁରୀ ହୋଇପଡ଼ିଛି ତେବେ ତା’ଙ୍କୁ ଏ କଥାଟିକୁ ମନ ଭିତରକୁ ଆଣିବାକୁ ପଡ଼ିବ ଯେ ଆଜିର ଜଗତୀକରଣ, ଉଦାରୀକରଣ ଏବଂ ବଜାରୀକରଣ ଯୁଗରେ କୌଣସି ବି ରାଜ୍ୟରେ କଳା କ୍ଷେତ୍ରଟି ସ୍ୱୟଂସମ୍ପୂର୍ଣ୍ଣ ରହିପାରିବ ନାହିଁ।
ଏକଥାଟି ମଧ୍ୟ ସତ୍ୟ ଯେ ଓଡ଼ିଶାର ତଥାକଥିତ ପ୍ରତିଷ୍ଠିତ କଳାକାରମାନେ ଆଜିଯାଏଁ ଏଭଳି ଏକ ପ୍ରସଙ୍ଗ ଉପରେ ପ୍ରତିଫଳନ ଏବଂ ନିଜର ଭୂମିକାକୁ ନେଇ ଆତ୍ମସମୀକ୍ଷା କରୁନାହାଁନ୍ତି । ତେବେ ପ୍ରତିଫଳନ ବା ଆତ୍ମସମୀକ୍ଷା ନକରିପାରିବାର ହୁଏତ ଅନ୍ୟ ଏକ ପ୍ରମୁଖ କାରଣ ହେଉଛି କଳାକାରମାନେ ଓଡ଼ିଶାବାସୀଙ୍କର ସମସ୍ୟା ସହିତ ନିଜକୁ ସାମିଲ କରିପାରିନାହାଁନ୍ତି । ଏପରି କରିଥିଲେ ସେମାନେ ବୁଝିପାରିଥାନ୍ତେ ଯେଉଁସବୁ କାରଣ ନିଜ ଚାରିପଟେ ଥିବା ମଣିଷର ସାମାଜିକ ଓ ଅର୍ଥନୈତିକ ଜୀବନକୁ ପ୍ରଭାବିତ କରୁଛି ହୁଏତ ତାହାର ଏକ ବଳିଷ୍ଠ ସମ୍ପର୍କ ସାଂସ୍କୃତିକ ଜୀବନ ସହିତ ମଧ୍ୟ ଅଛି ।
କୌଣସି ବି କଳାକାର ବା କଳାତ୍ମକ ପ୍ରକ୍ରିୟା କୌଣସି ବି ସମୟରେ କୌଣସି ବି ସମାଜରେ ମଣିଷର ସାଂସ୍କୃତିକ ଜୀବନ ଠାରୁ ପୃଥକ ହୋଇ ରହିନାହିଁ । ପୁଣି ଇତିହାସରେ କୌଣସି ବି ସମୟରେ ଏଭଳି ଉଦାହରଣ ଆମେ ପାଇବା ନାହିଁ ଯେଉଁଠି କି ଆମେ କହିପାରିବା ଯେ ମଣିଷର ସାଂସ୍କୃତିକ ଜୀବନ ସହିତ ତାହାର ସାମାଜିକ ଏବଂ ଅର୍ଥନୈତିକ ଜୀବନର ସମ୍ପର୍କ ଥିଲାଭଳି ନିଦର୍ଶନ ମିଳୁନାହିଁ ।
ଯଦି ସମସାମୟିକ ପୃଷ୍ଠଭୂମିରେ ସାମାନ୍ୟ କେତୋଟି ଉଦାହରଣର ସାହାଯ୍ୟ ନିଆଯାଏ ତେବେ ଏକଥାଟି ଅଧିକ ସ୍ପଷ୍ଟ ହୋଇଯିବ।ଉଦାହରଣ ସ୍ୱରୂପ ଅକ୍ଷୟତୃତୀୟା ସହିତ ଓଡ଼ିଶାର ସାଂସ୍କୃତିକ ଜୀବନର ସମ୍ପର୍କ ଅତି ନିବିଡ଼ । ବାହାଘର, ବ୍ରତଘର ଏବଂ କୌଣସି ତଥାକଥିତ ଶୁଭକାର୍ଯ୍ୟ ପାଇଁ ପାଞ୍ଜି ତଥା ବେଳା,ନକ୍ଷତ୍ର ଖୋଜୁଥିବା ଓଡ଼ିଆ ଏହି ଦିନ ସେସବୁ କିଛି ଖୋଜିନଥାଏ । ଯେକୌଣସି ‘ଶୁଭକାର୍ଯ୍ୟ’ ଏହିଦିନ ଅନୁଷ୍ଠିତ କରାଯାଇପାରେ । କିନ୍ତୁ ବାସ୍ତବରେ ଦେଖିଲେ ଅକ୍ଷୟତୃତୀୟା ଏକ ସାଂସ୍କୃତିକ ଦିବସ ନୁହେଁ । ଏହି ଦିନ ଓଡ଼ିଶାର ଚାଷୀକୂଳ ଚାଷକାମର ଶୁଭାରମ୍ଭ କରିଥାନ୍ତି ଅର୍ଥାତ୍ ଓଡ଼ିଶାର ଜୀବନ ଜୀବିକା ଦୃଷ୍ଟିକୋଣରୁ ବା ଅର୍ଥନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।
ସୁତରାଂ ଯାହାକୁ ସାଂସ୍କୃତିକ ବୋଲି ଆମେ ଧରିନେଇଥାଉ ତାହାର ଏକ ସାମାଜିକ ଏବଂ ଅର୍ଥନୈତିକ ଭିତ୍ତି ଅଛି କି ନାହିଁ ପ୍ରଶ୍ନ କରିବା ଉଚିତ। ଏଭଳି ପ୍ରଶ୍ନର ଆବଶ୍ୟକତା ଏହି ଦୃଷ୍ଟିରୁ ଅଛି ଯେ ଆମ ଓଡ଼ିଶା ଭଳି ଏକ ରାଜ୍ୟରେ ଅଧିକାଂଶ ପର୍ବ ପର୍ବାଣୀ, ଯାତ୍ରା, ମହୋତ୍ସବ, ନାଟକ, ସଙ୍ଗୀତ, ସାହିତ୍ୟ ଇତ୍ୟାଦିର କୃଷି ସହିତ ନିବିଡ଼ ସମ୍ପର୍କ ଅଛିବୋଲି ଜାଣିଥିବା ସତ୍ତେ୍ୱ ସଂସ୍କୃତିକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ପ୍ରକ୍ରିୟା ହିସାବରେ ଧରିନେଇଥାଉ ।
ସେହିଦୃଷ୍ଟିରୁ କୁହାଯାଇପାରେ ଯେ ସମୟ ଆସିଛି ଆମେ ସମାଜଟିକୁ ଟିକିଏ ପଛକୁ ଯାଇ ଦେଖିବା ଏବଂ ସମାଜ କହିଲେ ଯେଉଁମାନଙ୍କୁ ବୁଝାଏ ସେମାନଙ୍କର ସୁଖ ଦୁଃଖ ଓ ହସ କାନ୍ଦରେ ଭାଗୀଦାର ହେବା । ଏହି ଅନୁଭୂତି ହିଁ ଆମ ସୃଜନଶୀଳତାକୁ ଅଧିକ ମାର୍ଜିତ କରିବ ଏବଂ ଆମ ଭିତରେ ମାନବିକ ସମ୍ବେଦନଶୀଳତାକୁ ବଞ୍ଚାଇ ରଖିବ । ଯେଉଁ ସୃଜନଶୀଳତା ସ୍ପନ୍ଦନହୀନ ଓ ସମ୍ବେଦନହୀନ କାହା ଆଖିରେ କେତେ ଉତ୍କୃଷ୍ଟ ହେଲେବି ସାମାଜିକ ପ୍ରାସଙ୍ଗିକତା ହରାଇ ବସିବ।
ଆମ କଳାକାରମାନଙ୍କୁ ସେହିଦୃଷ୍ଟିରୁ ପୁନଃଚିନ୍ତନ ଓ ପ୍ରତିଫଳନ ପାଇଁ ସମାଜଆଡ଼କୁ ଫେରନ୍ତା ଯାତ୍ରାଟିଏ ଆରମ୍ଭ କରିବାକୁ ପଡ଼ିବ। ତେବେ ଏଥିପାଇଁ କାହାଠାରୁ ତାଲିମ୍ ନେବାର ଆବଶ୍ୟକତା ନାହିଁ । ଆମ ଚାରିପଟେ ଏମିତି କିଛି ସୁନ୍ଦର ଏବଂ ଶିକ୍ଷଣୀୟ ଉଦାହରଣ ଏବେବି ମହଜୁଦ ଅଛି । କିଛି କଳାକାର ଆମ ଗହଣରେ ଅଛନ୍ତି ଯେଉଁମାନେ କେବଳ ସାମାଜିକ ପ୍ରସଙ୍ଗ ନୁହେଁ ବିଭିନ୍ନ ସମୟରେ ନିଜ ନିଜର ଭିଟାମାଟିର ସଂଗ୍ରାମକୁ ଆଗେଇନେବାରେ ବଳିଷ୍ଠ ଯୋଗଦାନ ଦେଇଛନ୍ତି ।
ତଥାକଥିତ ମୁଖ୍ୟସ୍ରୋତ କଳାକାର ଭାବରେ ସ୍ୱୀକୃତି ମିଳିଛି କି ନାହିଁ ସେଭଳି ପ୍ରଶ୍ନ ସେମାନଙ୍କୁ କେବେ ବିଚଳିତ କରିନାହିଁ- ହୁଅନ୍ତୁ ସେ କାଶୀପୁର ଉପତ୍ୟକାର ବିଜୟ ମାଝି ବା ନିୟମଗିରିର ଡ଼ମ୍ବରୁ ପ୍ରାସ୍କା, ଲୋୟରଇନ୍ଦ୍ର ଅଞ୍ଚଳର ଧନୁ ହଂସ ବା ପଶ୍ଚିମ ଓଡ଼ିଶାର ମହାନ କଳାକାର ଶଙ୍କର ମହାନନ୍ଦ ଓ ଗଣସଂଗୀତ ଗାୟକ ଅଜିତ୍ ପାଣିଗ୍ରାହୀ । ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜାଗରଣରେ ଏହିସବୁ କଳାକାରମାନଙ୍କର ଏକ ବଳିଷ୍ଠ ଭୂମିକା ରହିଆସିଛି । ଏମାନେ ବିଶ୍ୱାସକରନ୍ତି ଯେ କଳା ନିଜେ ନିଜର ପରିଚୟ ସୃଷ୍ଟି କରେ । ଏଠି ଜୀବନ ସହିତ କଳା ସଂସ୍କୃତି ଯୋଡ଼ି ହୋଇଥାଏ । ସେଥିପାଇଁ ହୁଏତ ସେହି କଳାକାରଟି ନିଜକୁ ଅନ୍ୟମାନଙ୍କ ଭଳି ସାଧାରଣ ମଣିଷଟିଏ ବୋଲି ବିଚାର କରେ ଏବଂ ଅନ୍ୟମାନଙ୍କର ସୁଖ ଦୁଃଖରେ ନିଜକୁ ସାମିଲ କରେ । ଏହିଭଳି କଳାକାରମାନେ ହିଁ ସମାଜ ଠାରୁ ଦୂରେଇ ବଜାର ଦ୍ୱାରା ପ୍ରଭାବିତ ହେଉଥିବା କଳାକାରମାନଙ୍କୁ ସମାଜ ନିକଟକୁ ଫେରିଆସିବାର ପଥଟି ଦେଖେଇପାରିବେ।