ଚେତନା ହିଁ ଭାଷାକୁ ବଞ୍ଚାଇରଖିପାରିବ

Swayamprava Parhi (Chief Editor)
3 Min Read

ଭାଷା ଭାବନାର ଏକ ପରିପ୍ରକାଶ । ବିଭିନ୍ନ ମାଧ୍ୟମରେ ମଣିଷର ଭାବନାଟି ପ୍ରକାଶପାଇଥାଏ ସେ ଭିତରୁ ଭାଷା ଗୋଟିଏ ମାଧ୍ୟମ। ଭାଷାକୁ ନେଇ ଗର୍ବ କରୁଥିବା ବା ଭାଷା ଉପରେ ଅଧିକ ଦକ୍ଷତା ଅଛି ଭାବି ନିଜର ପତିଆରା ବୃଦ୍ଧିକରିବାର ପ୍ରୟାସ ବିଭିନ୍ନ ସମୟରେ ଉଚ୍ଚବର୍ଗର ଲୋକଙ୍କ ନିକଟରେ ରହିଆସିଛି । ଇତିହାସକୁ ଅବଲୋକନ କଲେ ଜଣାଯାଏ ସଂସ୍କୃତ ଭାଷା ଏମିତି କିଛି ପତିଆରା ସୃଷ୍ଟି କରୁଥିବା ଶ୍ରେଣୀଙ୍କୁ ସୃଷ୍ଟି କରିଥିଲା । ଯେଉଁମାନେ ସେତେବେଳ ସମାଜର ଶାସକମାନଙ୍କୁ ପ୍ରଭାବିତ କରୁଥିଲେ ଏବଂ ଭାଷାଟିକୁ ଆୟୂଧ କରି ସାଧାରଣ ମଣିଷ ଏବଂ ଶାସକମାନଙ୍କ ଭିତରେ ଏକ ବ୍ୟବଧାନ ବଜାୟ ରଖୁଥିଲେ ।

ତେବେ ଇତିହାସର ଆଉଏକ ପୃଷ୍ଠାରେ ଦେଖିବାକୁ ମିଳେ ଏମିତି କିଛି ଲୋକଭାଷା ଯେଉଁସବୁ ଭାଷା କେବଳ ଜନଜୀବନର ବାର୍ତ୍ତାଟିକୁ ବହନ କରେ ଏବଂ ଏହିସବୁ ଭାଷାର ଲିପି ନଥାଇବି କଥିତ ଭାଷା ଭାବରେ ଲୋକେ ଏହାକୁ ବଞ୍ଚାଇ ରଖିଛନ୍ତି । କୌଣସି ପୃଷ୍ଠପୋଷକତା ନଥାଇ ଲୋକଙ୍କ ଚେତନାରେ ହିଁ ବଂଚି ରହିଥିବା ଏମିତି ଭାଷାମାନଙ୍କ ଭିତରେ ଆମ ରାଜ୍ୟର ୬୨ପ୍ରକାର ଜନଜାତିଙ୍କର ଭାଷାକୁ ଆମେ ଉଦାହରଣଭାବେ ନେଇପାରିବା ।

ଏହି ଜନଜାତିମାନେ ଭାଷାକୁ ବ୍ୟବହାର କଲାବେଳେ ନା ହୀନମନ୍ୟତା ଅନୁଭବ କରନ୍ତି ନା ସେମାନେ ଅନ୍ୟମାନଙ୍କର ସେମାନଙ୍କପ୍ରତି ଦୃଷ୍ଟିଭଙ୍ଗୀକୁ ଭୃକ୍ଷେପ କରନ୍ତି । ନିଜ ସଂସ୍କୃତି, ଜୀବନଶୈଳୀ ତଥା ପରିଚୟଟିକୁ ବଞ୍ଚାଇ ରଖିବାପାଇଁ ସଂଗ୍ରାମ କଲାବେଳେ ବି ସେମାନେ ନିଜଭାଷାର ବ୍ୟବହାର କରି ନିଜଚେତନଶୀଳ ମନର ଭାବକୁ ପ୍ରକାଶ କରନ୍ତି ଯାହା ସେମାନଙ୍କର ସୁରକ୍ଷା କବଚ ହୋଇଥାଏ । ତେବେ ଏମିତି ଅନେକ ଉଦାହରଣ ଛୋଟ ଛୋଟ ଭାଷାଭାଷି ଜନ ସମୂହଙ୍କ ଚେତନାର ସ୍ତରକୁ ବାରମ୍ବାର ପ୍ରମାଣିତ କରିଆସିଛି ।

ଠିକ୍ ତା’ର ବିପରୀତ ଧର୍ମୀ ଆଚରଣଟିକୁ ଅନୁଭବ କରିହୁଏ ନିଜକୁ ଅତି ପୁରୁଣା ଏବଂ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ଓ ଏହିଭାଷାକୁ ବ୍ୟବହାର କରୁଥିବା ଲୋକମାନଙ୍କୁ ଅନୁଧ୍ୟାନ କଲେ । ସେମାନେ ନିଜେ କହୁଥିବା ଭାଷା ବ୍ୟତୀତ ଅନ୍ୟକୌଣସି ଭାଷାକୁ ଭାଷାର ମାନ୍ୟତା ଦେବାପାଇଁ ଆଦୌ ପ୍ରସ୍ତୁତ ନୁହଁନ୍ତି, ଯଦିବି ସେ ଲୋକମାନେ ଏମାନଙ୍କ ଚାରିପଟେ ରହି ଏମାନଙ୍କର ଜୀବନ ଜୀବୀକାକୁ ଅଧିକ ସହଜ ଓ ସରସ କରାଉଥିବେ ।

Samadhwani Support us

ଇତରବର୍ଗର ଲୋକଙ୍କର ଭାଷାକୁ ଉଚ୍ଚବର୍ଗର ଲୋକେ କେମିତି ଅଣଦେଖା କରନ୍ତି ଅନେକ ବୈଷମ୍ୟରେ ଭରପୁର ଭାରତୀୟ ସମାଜକୁ ଅନୁଧ୍ୟାନ କଲେ ଯେକୌଣସି ମଣିଷ ବୁଝିପାରିବ । ନିଜ ରାଜ୍ୟ ଓଡ଼ିଶାକୁ ଯଦି ଆମେ ଦେଖିବା ଭାଷାର ଇତିହାସକାରମାନେ ଇତରମାନଙ୍କର ଭାଷା ଓ ଅସ୍ମିତାକୁ ସମ୍ମାନ ଓ ସ୍ୱାଭିମାନର ସହ ବଞ୍ଚାଇ ରଖିବାପାଇଁ ଉଚ ବର୍ଗର ଲୋକେ କିଛି ଆଖିଦୃଷ୍ଟିଆ ଉଦ୍ୟମ ବା ସହଯୋଗ କରିଥିବାର ସୂଚନା ଦେଇନାହାଁନ୍ତି ।

ଓଡ଼ିଶାର ଜନଜାତି ଓ ଅନ୍ୟାନ୍ୟ ଭାଷାଭାଷି ସମୁଦାୟମାନଙ୍କପାଇଁ ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ଦେବା ବା ନଦେବା ପ୍ରସଙ୍ଗଟି କିଭଳି ଭିନ୍ନତା ଆଣିପାରିବ? ସେମାନେ କାହିଁକି ଆଗ୍ରହନେବେ ଯେ ଗୋଟିଏ ଓଡ଼ିଆ ବିଶ୍ୱବିଦ୍ୟାଳୟ ହେଉ ଏବଂ ଶାସ୍ତ୍ରୀୟ ଭାଷା ଉପରେ କିଛି ସମ୍ଭ୍ରାନ୍ତମାନେ ଗବେଷଣା କରନ୍ତୁ?

ସମୟ ଆସିଛି ଆମେ ଯେଉଁମାନେ ସାଂସ୍କୃତିକ ବିବିଧତାକୁ ବଞ୍ଚାଇରଖିବାପାଇଁ ଉଦ୍ୟମ ଜାରୀ ରଖିଛନ୍ତି ସେମାନେ ସମସ୍ତେ ଭାଷାର ବିବିଧତାକୁ ବଞ୍ଚାଇରଖିବାର ପ୍ରୟାସଟିଏ ନକରି ଏ ଦିଗରେ ସଫଳତା ପାଇପାରିବେ ନାହିଁ । ଇତରମାନଙ୍କର ଭାଷାକୁ ଚିହ୍ନିବା, ବୁଝିବା ଏବଂ ସେସବୁକୁ ଋଦ୍ଧିମନ୍ତ କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ରାଷ୍ଟ୍ରଉପରେ ଚାପ ସୃଷ୍ଟିକରିବା ଆଜିର ଦିନରେ ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ହେବା ଉଚିତ୍ ।

Photo credit- Internet

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.