ଅନଲାଇନ ସଙ୍ଗୀତଶିକ୍ଷା ଏବଂ ଓଡ଼ିଶା

Swayamprava Parhi (Chief Editor)
6 Min Read

ଡ଼ିଜିଟାଲ ଯୁଗରେ ସମଗ୍ର ବିଶ୍ୱରେ ସଙ୍ଗୀତ କ୍ଷେତ୍ରରେ ଏକ ବିପ୍ଳବ ଦେଖାଦେଇଛି । ଭାରତବର୍ଷରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ସଙ୍ଗୀତ କ୍ଷେତ୍ରରେ ଭାରତ ବର୍ଷକୁ ଯଦି ଉଦାହରଣ ଭାବରେ ନିଆଯାଏ ତେବେ କରୋନା ସମୟରେ ଆରମ୍ଭ ହୋଇଥିବା ଡ଼ିଜିଟାଲ କ୍ଷେତ୍ରଟିରେ ବେଶ ବଡ଼ ପରିବର୍ତ୍ତନକୁ ଅନୁଭବ କରିହେଉଛି । ବଡ଼ ବଡ଼ ଗୁରୁମାନେ ନିଜ ମ୍ୟୁଜିକ ଏକାଡ଼େମୀ ଓ ଗୁରୁକୂଳ ମାନଙ୍କରେ ଅନଲାଇନ ଶିକ୍ଷାକୁ ପ୍ରଧାନ୍ୟ ଦେଇଛନ୍ତି । ବିଶେଷକରି କରୋନା ପରିସ୍ଥିତି ଏହି ଡ଼ିଜିଟାଲ କ୍ଷେତ୍ରର ମହତ୍ତ୍ୱକୁ ଏତେ ବଢ଼ାଇଦେଇଛି ଯେ, ଯେଉଁସବୁ ଅଞ୍ଚଳର ପିଲାମାନେ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ଅସମ୍ଭବ ଥିଲା ଏବେ ବଡ଼ ବଡ଼ ଗୁରୁମାନଙ୍କ ନିକଟରୁ ଅନଲାଇନରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି ।

ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ମହାନ ଗୁରୁ ପଣ୍ଡିତ ଅଜୟ ଚକ୍ରବର୍ତ୍ତିଙ୍କ ନିକଟରୁ ଯଦି ଓଡ଼ିଶାର ଗୋଟିଏ ଅତି ମଫସଲ ଅଞ୍ଚଳର ପିଲାଟିଏ ଚାହେଁ ଆଜିର ଦିନରେ ଶିକ୍ଷା ଗ୍ରହଣ କରିବା ସମ୍ଭବ ହୋଇପାରିଛି । ହୁଏତ ସେ ପିଲାଟି ପାଇଁ ଅଜୟ ଚକ୍ରବର୍ତ୍ତୀଙ୍କୁ ଦେଖିବା ଜୀବନ କାଳ ଭିତରେ ସ୍ୱପ୍ନ ଥିଲା । ଡ଼ିଜିଟାଲ ପ୍ଲାଟଫର୍ମ ଏହିଭଳି ଏକ ନୂତନ ସମ୍ଭାବନା ସୃଷ୍ଟି କରିପାରିଛି । ସର୍ବଭାରତୀୟ ସ୍ତରରେ ଶଙ୍କର ମହାଦେବନଙ୍କଠାରୁ ଆରମ୍ଭ କରି ପଣ୍ଡିତ ଅଜୟ ଚକ୍ରବର୍ତ୍ତୀ, ବିଦୁଷୀ କୌଶିକୀ ଚକ୍ରବର୍ତ୍ତୀ, ଉସ୍ତାଦ ରସିଦ ଖାଁ ସାହେବ ଏବଂ ଅନ୍ୟାନ୍ୟ ଅନେକ ଗୁରୁ ନିଜର ସ୍ୱତନ୍ତ୍ର ଡ଼ିଜିଟାଲ ଶିକ୍ଷାକ୍ଷେତ୍ର ପ୍ରସ୍ତୁତ କରି ସଙ୍ଗୀତ ଶିକ୍ଷାକୁ ଏକ ବ୍ୟାପକ କ୍ଷେତ୍ରରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି ।

ବିଶ୍ୱସ୍ତରୀୟ ଅନୁଷ୍ଠାନ “ମ୍ୟୁଜିଗାଲ”(ଏକ ଡ଼ିଜିଟାଲ ମ୍ୟୁଜିକ କ୍ଷେତ୍ର)ର ଆକଳନରୁ ଜଣାଯାଏ ଯେ, ଏହି ସଂସ୍ଥାର ଶିକ୍ଷାର୍ଥୀମାନଙ୍କ ସଂଖ୍ୟା ପ୍ରତିମାସରେ ୨୦ ପ୍ରତିଶତ ବୃଦ୍ଧିପାଉଛି(ଗୁଗୁଲୁ ସଂଗୃହୀତ ତଥ୍ୟ) । ୧୦ଟି ଦେଶର ୧୦,୦୦୦ ଶିକ୍ଷାର୍ଥୀ ଥିବା ଏହି ସଂସ୍ଥାରେ ୪୦୦ ଶିକ୍ଷକ, ୧୨୦ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଏହି “ମ୍ୟୁଜିଗାଲ” ସଂସ୍ଥାଟି ଡ଼ଃ ଲକ୍ଷ୍ମୀନାରାୟଣ ଏଲୁରୀଙ୍କ ଦ୍ୱାରା ଗତବର୍ଷ ୨୦୨୦ ଜୁଲାଇ ମାସରେ ଆରମ୍ଭ ହୋଇଥିଲା । ଏହି ସଂସ୍ଥା ଶିକ୍ଷାର୍ଥୀ, ଶିକ୍ଷକ, ସଙ୍ଗୀତଜ୍ଞ, ସଙ୍ଗୀତାନୁରାଗୀ ମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିପାରିଛି । ଏଥିରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଠାରୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ମ୍ୟୁଜିକ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଛି । “ମ୍ୟୁଜିଗାଲ” ଏକ ବିଶ୍ୱସ୍ତରୀୟ ସଂସ୍ଥା ହୋଇଥିବାବେଳେ ଆମ ଦେଶ ଭିତରେ ଶଙ୍କର ମହାଦେବନ ଏକାଡ଼େମୀ, ଆଜିବସନ୍‌, ମ୍ୟୁଜିକ ଏକାଡ଼େମୀ, ସଙ୍ଗୀତ ବିଦ୍ୟାଳୟ, ଦ ଟ୍ରୁ ମ୍ୟୁଜିକ ଲେସନସ, ପାଇପା ଭଳି ଅନେକ ମ୍ୟୁଜିକାଲ ପ୍ଲାଟଫର୍ମ ବାହାରିଛି ଯେଉଁଠି ଅନଲାଇନରେ ସଙ୍ଗୀତ ଶିକ୍ଷା ଦିଆଯାଉଛି ।

ଓଡ଼ିଶାରେ ଏହି ଡ଼ିଜିଟାଲ ସଙ୍ଗୀତ ଶିକ୍ଷା କ୍ଷେତ୍ରଟିକୁ ଯଦି ଅନୁଶୀଳନ କରିବା ତେବେ ହାତ ଗଣତି କେତେଜଣ ଗୁରୁଙ୍କ ନାମ ମନରେ ଆସିବ । ସଂସ୍ଥା ହିସାବରେ ପଣ୍ଡିତ ଗୁଣ୍ଡିଚା ବ୍ରଦର୍ସଙ୍କ ଠାରୁ ଶିକ୍ଷା ସମାପ୍ତ କରି ଓଡ଼ିଶାରେ ମୁକୁନ୍ଦ ଦେବ ଆରମ୍ଭ କରିଥିବା ଧୃପଦ ଏକାଡ଼େମୀ ହୁଏତ ଏକମାତ୍ର ଅନୁଷ୍ଠାନ ଯିଏକି ସମଗ୍ର ବିଶ୍ୱରେ ନିଜର ଶିକ୍ଷାର୍ଥୀ ସୃଷ୍ଟି କରିପାରିଛି ଏବଂ ବିଭିନ୍ନ ସ୍ତରର ଶିକ୍ଷାର୍ଥୀ ସଂଗ୍ରହ କରିବାପାଇଁ ରାସ୍ତା ଖୋଲା ରଖିଛି । ଅନ୍ୟ ମ୍ୟୁଜିକ ସଂସ୍ଥାମାନେ ଯଦିଓ କରୋନା ସମୟରେ ନିଜ ନିଜର ଶିକ୍ଷାର୍ଥୀମାନଙ୍କ ପାଇଁ ଅନଲାଇନ ଶିକ୍ଷାର ବ୍ୟବସ୍ଥା କରିଛନ୍ତି କିନ୍ତୁ ସମଗ୍ର ରାଜ୍ୟର ଶିକ୍ଷାର୍ଥୀମାନଙ୍କୁ ସାମିଲ କରିବା ପାଇଁ ଯେଉଁଭଳି ଦୃଷ୍ଟିଭଙ୍ଗୀ ରଖି ନୂଆ ଡ଼ିଜିଟାଲ ପ୍ଲାଟଫର୍ମ ନିର୍ମାଣ କରିବା କଥା ସେ କ୍ଷେତ୍ରରେ ଯଥେଷ୍ଟ ଅଭାବ ଓଡ଼ିଶାରେ ରହିଛି । କିଛି ଗୁରୁ ନିଜ ଶିଷ୍ୟ ମାନଙ୍କୁ ଅନଲାଇନରେ ଯଦିଓ ଶିକ୍ଷା ଦେଉଛନ୍ତି ଏହାର ପରିସର ବ୍ୟାପକ ହୋଇପାରି ନାହିଁ, ନିଜର ଶିକ୍ଷାର୍ଥୀଙ୍କ ଭିତରେ ସୀମିତ ରହିଛି । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଗୁରୁ ଓ ଓଡିଶୀ ସଙ୍ଗୀତ ଗୁରୁ ଡ଼ିଜିଟାଲ ପ୍ଲାଟଫର୍ମକୁ ବ୍ୟବହାର କରି ଅନଲାଇନ ସଙ୍ଗୀତ କାର୍ଯ୍ୟକ୍ରମମାନ ପରିବେଷଣ କରିଛନ୍ତି । କିନ୍ତୁ ଏସବୁ ସଙ୍ଗୀତ କାର୍ଯ୍ୟକ୍ରମ କେବଳ ଶୁଣିବାପାଇଁ ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ଦୂର ଦୂରାନ୍ତ ଶିକ୍ଷାର୍ଥୀ ମାନଙ୍କୁ ସାମିଲ କରି ଏକ ଡ଼ିଜିଟାଲ ଶିକ୍ଷାକ୍ଷେତ୍ର ପ୍ରସ୍ତୁତ କରିବା କଥା ହୁଏତ ଏମାନେ ଚିନ୍ତା କରିନାହାଁନ୍ତି ।

Samadhwani Support us

ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶାର ଗ୍ରାମାଞ୍ଚଳ ଆଜିବି ସଙ୍ଗୀତ ଶିକ୍ଷାରୁ ବଞ୍ଚିତ । ଗ୍ରମାଞ୍ଚଳ ପିଲାମାନେ କରୋନା ପୂର୍ବରୁ ସଙ୍ଗୀତ ଶିକ୍ଷାରୁ ବଞ୍ଚିତ ଥିଲେ ଏବେବି ବଞ୍ଚିତ ଅଛନ୍ତି । ଗାଁରେ ସଙ୍ଗୀତ ଶିକ୍ଷାଗ୍ରହଣ କରିବାପାଇଁ ଗୁରୁମାନଙ୍କର ଅଭାବ ରହିଆସିଛି । ଏମିତିକି ଗୁରୁମାନଙ୍କର ନାଁ ଜାଣିବା ଶିକ୍ଷାର୍ଥୀମାନଙ୍କ ପାଇଁ ଦୁର୍ଲଭ । ସଙ୍ଗୀତ ଶିକ୍ଷା କଥା ନକହିଲେ ଭଲ । ସମଧ୍ୱନିର ଜଣେ ଶୁଭାକାଂକ୍ଷୀ ବନ୍ଧୁ କିଛିଦିନ ତଳେ ସମଧ୍ୱନିକୁ ଉପଦେଶଟିଏ ଦେଇ କହିଥିଲେ ଯେ, ଆପଣମାନେ ସମଗ୍ର ଓଡ଼ିଶାର ଶିକ୍ଷାର୍ଥୀମାନଙ୍କୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିବାପାଇଁ କାହିଁକି ସହଯୋଗ କରୁନାହାଁନ୍ତି? ଯଦି ସମଧ୍ୱନି ଏକ ସାଂସ୍କୃତିକ ଅନୁଷ୍ଠାନ ଓ ପତ୍ରିକା ଭାବରେ ପ୍ରତ୍ୟେକ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ସଙ୍ଗୀତ ଗୁରୁମାନଙ୍କର ନାମ ଓ ଠିକଣା ପ୍ରକାଶ କରିପାରନ୍ତା ତେବେ ଅନେକ ଶିକ୍ଷାର୍ଥୀ ଏହାର ସୁଯୋଗ ନେଇ ସଙ୍ଗୀତ ଶିକ୍ଷା ଗ୍ରହଣ କରିପାରନ୍ତେ । କିନ୍ତୁ ଏଥିରେ ଅନେକ ବ୍ୟତୀକ୍ରମ ରହିବାର ସମ୍ଭାବନା ଥିବାରୁ ସମଧ୍ୱନି ଏଭଳି କୌଣସି ତାଲିକା ପ୍ରକାଶ ନକରି ସରକାରଙ୍କୁ ଅନୁରୋଧ କରିଛି ଏହି ଦାୟିତ୍ୱଟିକୁ କରିବାପାଇଁ । ସରକାର ନିଜର ଏକ ତାଲିକା ପ୍ରକାଶ କରନ୍ତୁ ବିଭିନ୍ନ ପଛୁଆ ଅଞ୍ଚଳରେ ଶିକ୍ଷାର୍ଥୀମାନେ କାହାଠୁ କେମିତି ଭାବରେ ଶିକ୍ଷା ଗ୍ରହଣ କରିପାରିବେ । ଅନଲାଇନ ପ୍ଲଟଫର୍ମଟି କିନ୍ତୁ ଏସବୁ ସମସ୍ୟାର ସମାଧାନ କେତେକାଂଶରେ କରିପାରିବ । ଗୋଟିଏ ସ୍ଥାନରେ ବସି ଆମେ ସମଗ୍ର ରାଜ୍ୟର ପିଲାମାନଙ୍କ ସହ ଯୋଗାଯୋଗ କରିପାରିବା ଯାହା ବହୁଦିନ ଧରି ସ୍ପିକମ୍ୟାକେ କରିଆସିଛି । ଏହା ଆଜିର ସମୟରେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇପାରେ ।

ମନେପଡ଼େ ମୋ ପିଲା ଦିନର ଏକ ଘଟଣା । ୮ମ କିମ୍ବା ୯ମ ଶ୍ରେଣୀରେ ମୀରାବାଈ ନାଟକରେ ଅଭିନୟ କରିବାର ସୁଯୋଗ ସ୍କୁଲରେ (ରାମନାରାୟଣ ହାଇସ୍କୁଲ, ଦୋଳସାହି) ମିଳିଥାଏ । ମୁଁ ନିଜେ ମୀରାବାଈ ଭୂମିକାଟି କରୁଥାଏ ଏବଂ ସବୁଗୀତ ମୁଁ ନିଜେ ଗାଉଥାଏ । ମୋ ଗାୟନ ଶୁଣିବାପରେ ସଙ୍ଗୀତ ଶିକ୍ଷା ଦେଉଥିବା ଗୁରୁ ମଧୁସାର ମୋ ବାପାଙ୍କୁ ଭେଟିବାକୁ ଡ଼ାକିଥିଲେ ଓ ସେ ମୋତେ ସଙ୍ଗୀତ ଶିକ୍ଷା ଦେବାକୁ ଚାହୁଁଛନ୍ତି ବୋଲି କହିଥିଲେ । ମୁଁ ସ୍ୱପ୍ନରେ ବି ଭାବିପାରୁ ନଥିଲି ଗାଁରେ ଜଣେ ସଙ୍ଗୀତ ଗୁରୁ ମୁଁ ପାଇପାରିବି ଯିଏ ମୋତେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଦେବେ ।

ପରବର୍ତ୍ତୀ ସମୟରେ ମୁଁ ଭଦ୍ରକ ଆସି ସ୍ୱରତୀର୍ଥରେ ସଙ୍ଗୀତ ଶିକ୍ଷା ଗ୍ରହଣ କଲି ଯାହାକି ଆମ ଗାଁ’ଠାରୁ ୧୫ ମିଲୋମିଟର ଦୂର ଥିଲା । କିନ୍ତୁ ସବୁ ଗାଁର ପିଲାଙ୍କ ପାଇଁ ଏଭଳି ଦୂରକୁ ଯାଇ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ସମ୍ଭବ ନଥିଲା । ସେଥିପାଇଁ ଆଉ ଯେଉଁ ସାଙ୍ଗମାନେ ସଙ୍ଗୀତରେ ଆଗ୍ରହ ରଖିଥିଲେ ସେମାନଙ୍କର ଡ଼ୋରୀ ବନ୍ଧା ହୋଇଥିଲା । ମୋ ପିଲାଦିନେ ୩୦ରୁ ୩୫ ବର୍ଷ ତଳେ ଗାଁର ଯେଉଁ ଅବସ୍ଥାଟି ଥିଲା ଆଜିବି ସେହି ଅବସ୍ଥା ବଜାୟ ରହିଛି । ଆଜିବି ଗାଁ ପାଖରେ କିଛି ବ୍ୟବସ୍ଥା ନାହିଁ ଜଣେ ଭଲ ଗୁରୁଙ୍କ ନିକଟରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିବାପାଇଁ । ଉପକୂଳ ଜିଲ୍ଲାର ଏହି ଅବସ୍ଥାକୁ ଦେଖିଲେ ଓଡ଼ିଶାର ପଛୁଆ ଅଞ୍ଚଳମାନଙ୍କରେ ସଙ୍ଗୀତ ଶିକ୍ଷାର ଅବସ୍ଥାକୁ ଅନୁମାନ କରାଯାଇପାରେ ।

ଡ଼ିଜିଟାଲ ସଙ୍ଗୀତ ପ୍ଲାଟଫର୍ମଟି ଯଦି ଓଡ଼ିଶାରେ ସଠିକ ଭାବରେ ପ୍ରଚାର ପ୍ରସାର ହୋଇପାରନ୍ତା ତେବେ ଅନେକ ଶିକ୍ଷାର୍ଥୀ ଉପକୃତ ନିଶ୍ଚୟ ହୁଅନ୍ତେ । ଭୁବନେଶ୍ୱରର ପିଲାମାନେ ଯେଉଁ ସୁଯୋଗଟି ପାଉଛନ୍ତି ଗ୍ରାମାଞ୍ଚଳର ପିଲାମାନେ ମଧ୍ୟ ସେଭଳି ସୁଯୋଗ ପାଇପାରନ୍ତେ । ସଙ୍ଗୀତ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ପ୍ରୟାସ କରୁଥିବା ସମସ୍ତ ବ୍ୟକ୍ତିମାନଙ୍କପାଇଁ ଏହା ଏକ ଆହ୍ୱାନ । ସମଧ୍ୱନି ଏହି ପ୍ରସଙ୍ଗକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଏହି ଦିଗରେ କିଛି ପଦକ୍ଷେପ ନେବାପାଇଁ ପ୍ରୟାସ ଆରମ୍ଭ କରିଛି ।

photo credit – https://bit.ly/3jsAUbG

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.