ସେପ୍ଟେମ୍ବର ୧୨ ତାରିଖରେ ବଲାଙ୍ଗୀର ଟାଉନହଲରେ ପ୍ରସ୍ତୁତ ହୋଇଥିଲା ଗୁରୁଶ୍ରୀ ପଣ୍ଡିତ ଘାସିରାମ ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁୁତ ଏକ ନୃତ୍ୟ ନାଟିକା – “କୋଶଳି ଦଶାବତାର’ । ଗୁରୁ ଶ୍ରୀ ପଣ୍ଡିତ ଘାସିରାମ ମିଶ୍ରଙ୍କ ଅନୁରୋଧକ୍ରମେ ଏଠାରେ ଉପସ୍ଥିତ ରହିବାର ସୌଭାଗ୍ୟ ମିଳିଥିଲା । ପ୍ରାୟ ୫୦ ମିନିଟ୍ ଧରି ଗୁରୁଶ୍ରୀ ଘାସିରାମ ମିଶ୍ର ନିଜ ଗବେଷଣାଲବ୍ଧ ନୃତ୍ୟନାଟିକାରେ ସମଗ୍ର ପରିବେଶକୁ ସ୍ତମ୍ବିଭୂତ କରିପକାଇଥିଲେ । ବିଶେଷକରି ମଣିଷ ସୃଷ୍ଟି ସମ୍ପର୍କିତ ଯେଉଁ ତଥ୍ୟରୁ ସେ ଏହି ନୃତ୍ୟନାଟିକାର ପରିବେଷଣ ଆରମ୍ଭ କରିଥିଲେ ତାହା ଅତ୍ୟନ୍ତ ନିଆରା ଥିଲା ।
ସମଧ୍ଵନିର ମୁଖ୍ୟ ସମ୍ପାଦକଙ୍କୁ ଗୁରୁ ଘଷିରମ ମିଶ୍ର ଓ ବଲାଙ୍ଗିର ଜିଲ୍ଲାର ସମ୍ମାନନୀୟ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା
ଆମର ସେଠାରେ ଉପସ୍ଥିତ ରହିବାର ଔ ଏକ ଉଦ୍ଦେଶ୍ୟ ଥିଲା ଯେ, ପଣ୍ଡିତ ଘାସିରାମ ମିଶ୍ରଙ୍କ ଦ୍ଵାରା ସମଧ୍ଵନିର ସମ୍ପାଦକ ସ୍ଵୟଂପ୍ରଭା ପାଢୀଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ କରିବାପାଇଁ ସେଠାକୁ ଡକାଯାଇଥିଲା । ସେହି ନିମନ୍ତ୍ରଣ ଯୋଗୁଁ ମୁଁ ସମଧ୍ଵନିର ସମ୍ପାଦକ ସ୍ଵୟଂପ୍ରଭା ପାଢୀଙ୍କ ସହିତ ସେଠାରେ ଉପସ୍ଥିତ ଥିଲି । ଯାହାସବୁ ସେଠାରେ ଦେଖିଲି ଓ ଅନୁଭବ କଲି ଏଠାରେ ଉପସ୍ଥାପନ କରିଛି ।
ନୃତ୍ୟ ନାଟିକାର ପରବର୍ତ୍ତି ପର୍ଯ୍ୟାୟରେ ଯେଉଁସବୁ କଳାତ୍ମକ ଉପସ୍ଥାପନା ବିଶେଷକରି ଭିନ୍ନ ଭିନ୍ନ ତାଳର ବ୍ୟବହାର ଅନ୍ତରାମାନଙ୍କରେ ଦେଖିବାକୁ ମିଳିଥିଲା ଯାହା ହୁଏତ ନିଆରା । ବିଷୟଟିର ନାମକରଣ ଓ ବିଷୟବସ୍ତୁ ଚୟନ କ୍ଷେତ୍ରରେ ଆମର କିଛି ଭିନ୍ନମତ ରହିଥିଲେ ବି ଏହି ପ୍ରସ୍ତୁତିଟିର କଳାତ୍ମକତା ଅତ୍ୟନ୍ତ ନିଆରା ଏବଂ ପ୍ରସଂଶା କରାଯିବା ଯୋଗ୍ୟ ପରି ମନେହୁଏ । ଏଥିରେ ଆହୁରି ଅନେକ ପରିବର୍ତ୍ତନ କରାଯିବାର ସୂଚନା ଗୁରୁଶୀ ଘାସିରାମ ମିଶ୍ର ତାଙ୍କ ପ୍ରାରମ୍ଭିକ ଉପସ୍ଥାପନାରେ ଦେଇସାରିଥିଲେ। ଅନେକ ଅଚିହ୍ନା ତାଳର ପ୍ରୟୋଗ, ଭିନ୍ନ ଭିନ୍ନ ଲୁପ୍ତପ୍ରାୟ ଲୋକ ସଙ୍ଗୀତ ଶୈଳୀର ପୁନଃ ଉପସ୍ଥାପନାର ପ୍ରଚେଷ୍ଠା ଏହି ଗବେଷଣାଲବ୍ଧ ନୃତ୍ୟନାଟିକାର ବିଶେଷତ୍ତ୍ୱ ବୋଲି କୁହାଯାଇପାରେ ।
କୋଶଳି ଦଶାବତାର ସମ୍ପୁର୍ଣ୍ଣଭାବେ ଏକ ନୂତନ କଳାତ୍ମକ ଉଦ୍ୟମ, ତାହାପୁଣି ଜଣେ ୭୫ରୁ ଉଦ୍ଧ୍ୱର୍ ବର୍ଷିୟ ଗବେଷକଙ୍କ ନିକଟରୁ ଦେଖିଲେ ମନେହୁଏ ପାହାଡ଼ ପର୍ବତ ଚଢ଼ି ଜଣେ ଯୁବକ ଏହିସବୁ ଶୈଳୀକୁ ଏକାଠି କରିବାର ପ୍ରୟାସ ମଧ୍ୟ କରିପାରିବନାହିଁ କାରଣ ଏଥିପାଇଁ କେବଳ ପରିଶ୍ରମ ନୁହଁ ବିଷୟ ସମ୍ପର୍କିତ ଯଥେଷ୍ଟ ଜ୍ଞାନ ଆବଶ୍ୟକ । ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ହେଲା କେଉଁ ଶୈଳୀକୁ କିଭଳି ଭାବେ ଉପସ୍ଥାପନ କରାଯାଇଛି ଏବଂ ସେହି ସ୍ଥାନରେ କାହିଁକି ନିର୍ଦ୍ଦିଷ୍ଟ ତାଳର ପ୍ରୟୋଗ କରାଯାଇଛି ତାହା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ।
ଆମେ ଆଶା କରିବା ଗୁରୁ ପଣ୍ଡିତ ଘାସିରାମ ମିଶ୍ର ଏହି ଗବେଷଣାଟିକୁ କେବଳ ନୃତ୍ୟ ନାଟିକାର ଉପସ୍ଥାପନା ଭିତରେ ସୀମାବଦ୍ଧ ନରଖି ଏକ ବୃହତ୍ତର ଉଦ୍ଦେଶ୍ୟରେ ଏହାକୁ ନୂଆ ନୂଆ ଗବେଷକଙ୍କ ପାଇଁ ଉନ୍ମୁକ୍ତ ରଖିବେ ଯାହାଫଳରେ ନୂଆ ପିଢ଼ୀ ଏଭଳି ଲୋକକଳାର କୃତିକୁ ସମୀକ୍ଷା କରିବାପାଇଁ ଆଗ୍ରହ ଦେଖାଇବା ସହ ଏହି ଉଦ୍ୟମ ପଛରେ ଥିବା ଚିନ୍ତନ ଓ ପରିଶ୍ରମକୁ ବୁଝିବାପାଇଁ ପ୍ରୟାସ କରିବେ ଓ କାର୍ଯ୍ୟଟି ସହ ଯୋଡ଼ି ହେବେ ।
ଏହିଭଳି ଅଧିକରୁ ଅଧିକ ନୂତନ ଗବେଷଣାତ୍ମକ ଉପସ୍ଥାପନାର ଆବଶ୍ୟକତା ଆଜିର ସମୟରେ ଜରୁରୀ କାରଣ ପରବର୍ତ୍ତୀ ଯୁବ ପିଢ଼ି ଲୋକକଳାକୁ କେତେ ସୁକ୍ଷ୍ମାତି ସୁକ୍ଷ୍ମ ଢ଼ଙ୍ଗରେ ଗ୍ରହଣ କରିବେ ଓ ଏହାର ଉକ୍ରର୍ଷତା ପ୍ରତି କିଭଳି ଆକର୍ଷିତ ହେବେ ବିଶେଷଭାବେ ଆଜିର ପରବର୍ତ୍ତିତ ପରିବେଶ ଓ ପରିସ୍ଥିତିରେ ଜରୁରୀ, ଯେତେବେଳେ କି ବଜାର ଓ ବଜାରୀ ସଂସ୍କୃତି ବିଶ୍ୱ ଜନଗଣଙ୍କର ସାଂସ୍କୃତିକ ଚେତନାକୁ କବଳିତ କରି ରଖିଛି । ଏହିଭଳି ଚକମକିଆ ପରିବେଶ ଭିତରୁ ପ୍ରକୃତି ସହ ଯୋଡ଼ିହୋଇ ସୃଷ୍ଟି ହୋଇଥିବା ଜନଜାତି କଳା ସଂସ୍କୃତି ଯାହାକୁ ଇକୋଲୋଜିକାଲ ଗ୍ରୃପ୍ (Ecological Group) ବୋଲି କୁହାଯାଉଛି ସେମାନଙ୍କ ପ୍ରତି ଆକର୍ଷିତ ହେବାର ମାଧ୍ୟମ ଭାବରେ ଗୁରୁ ଘାସିରାମ ମିଶ୍ରଙ୍କ କୋଶଳି ଦଶାବତାର ହେଉ କି କଳାହାଣ୍ଡିର ସିଙ୍ଗାରୀ ନୃତ୍ୟ ହେଉ ଏମାନେ ଗୋଟିଏ ଗୋଟିଏ ଯୋଗସୂତ୍ର ହୋଇପାରିଲେ ଲୋକକଳା ସଂସ୍କୃତିର ମଙ୍ଗଟି ଭାରିହେବ ।
ଆମେ ଜାଣନ୍ତି ଯେ ଲୋକକଳା ବିଲୋପର ସମସ୍ୟାଟି ଅନ୍ୟାନ୍ୟ ସାମାଜିକ ସମସ୍ୟାର ଏକ ପ୍ରତିଫଳନ ଏବଂ ସବୁ ସମସ୍ୟାକୁ ଏକାଠିକରି ନଦେଖିଲେ କେବଳ ଲୋକକଳାକୁ ପ୍ରୋତ୍ସାହନ ଦେଇ କିମ୍ବା ଏହିଭଳି ଗବେଷଣାତ୍ମକ ପରିବେଷଣ କରି ବଞ୍ଚାଇ ରଖିବା ସମ୍ଭବ ନୁହଁ ଯାହା ଆମେ ବାରମ୍ବାର ଆମ ସମ୍ପାଦକୀୟରେ କହିଆସିଛୁ । କେବଳ ଯୁବପିଢ଼ି ଭିତରେ ଲୋକକଳା ପ୍ରତି ଶ୍ରଦ୍ଧା ସୃଷ୍ଟି କରିବାରେ ସହଯୋଗ କଲେ ମଧ୍ୟ ଏକ ବୃହତ୍ତର ଲକ୍ଷ୍ୟ ସାଧନ କ୍ଷେତ୍ରରେ ଏହା ଉପଯୋଗୀ ସାବ୍ୟସ୍ତ ହେବବୋଲି ଅନୁଭବ କରି ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କର ଅସାମାନ୍ୟ ଉଦ୍ୟମକୁ ସମଧ୍ୱନି ଆନ୍ତରିକ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରୁଛି ।