‘ଆଦିମ ବିଚାର’ ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

Swayamprava Parhi (Chief Editor)
4 Min Read

ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଭୂକା’, ‘ଶଳାବୁଢ଼ା’ ଓ ‘ଆଦିମ ବିଚାର’ ଆଦି ଚଳଚ୍ଚିତ୍ରରେ ଦୁଇଟି ବିଶେଷ କଥା ଦେଖିବାକୁ ମିଳେ। ଗୋଟିଏ ହେଉଛି ପଶ୍ଚିମ ଓଡ଼ିଶାର ପ୍ରମୁଖ କଥିତ ଭାଷା କୋଶଳୀ ଭାଷାର ସୁନ୍ଦର ପ୍ରୟୋଗ ଏବଂ ଅନ୍ୟଟି ହେଉଛି ପଶ୍ଚିମ ଓଡ଼ିଶା ସମେତ ଅନ୍ୟାନ୍ୟ ଗ୍ରାମାଞ୍ଚଳ ତଥା ପାର୍ବତ୍ୟାଞ୍ଚଳରେ ଥିବା ଲୋକସଂସ୍କୃତି ଓ ଲୋକକଳାର ଉପଯୁକ୍ତ ନିର୍ବାଚନ ଓ ପ୍ରୟୋଗ। ବିଡ଼ମ୍ବନାର କଥା ଯେ, ସିନେମାଟି କେତେ ଜାତୀୟ ଓ ଆନ୍ତର୍ଜ୍ୟାତୀୟ ପୁରସ୍କାର ପ୍ରାପ୍ତ ହେଲେ ମଧ୍ୟ ଏଭଳି ସିନେମାଗୁଡ଼ିକ ବଡ଼ ବଡ଼ ସିନେମା ହଲରେ ଦେଖିବାର ସୌଭାଗ୍ୟ ସାଧାରଣ ଲୋକଙ୍କୁ ମିଳି ନଥାଏ।

Support Samadhwani

ଏଭଳି କାହିଁକି ହେଉଛି ପ୍ରଶ୍ନ ହେବା ଜରୁରୀ। ଅନେକ ପରିଶ୍ରମ କରି ଭଲ ଚଳଚ୍ଚିତ୍ରଟିଏ ତିଆରି କଲାପରେ ନିର୍ଦ୍ଦେଶକ/ ପ୍ରଯୋଜକର ଇଚ୍ଛାହେବା ସ୍ୱାଭାବିକ ଯେ ତାଙ୍କର କୃତ୍ତିଟିକୁ କେମିତି ସର୍ବାଧିକ ଲୋକଙ୍କ ନିକଟରେ ପହଞ୍ଚାଯାଇ ପାରିବ। ଚଳଚ୍ଚିତ୍ର ସହିତ ସମ୍ପୃକ୍ତ ଥିବା ସମସ୍ତ କଳାକାର ଓ ବ୍ୟକ୍ତିବିଶେଷ ସେଥିରୁ ଅପୂର୍ବ ଆତ୍ମତୃପ୍ତି ପାଇବେ। ତେବେ ଯେଉଁଭଳି ଭାବରେ ଅନ୍ୟାନ୍ୟ ଭାଷାରୁ ଆଦୃତ, ବିଷୟବସ୍ତୁ ବର୍ଜିତ ଓ ବ୍ୟବସାୟିକ ମସଲାଯୁକ୍ତ କାହାଣୀ ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତ ନିଶାଗ୍ରସ୍ତ ହୋଇଯାଇଛି ଏବଂ ଏଭଳି ଏକ ନିଶା ଓଡ଼ିଆ ଦର୍ଶକମାନଙ୍କୁ ମଧ୍ୟ କବଳିତ କରିରଖିଛି, ପ୍ରେକ୍ଷାଳୟ ଭିତ୍ତିକ ଚଳଚ୍ଚିତ୍ର ପ୍ରଦର୍ଶନରେ ଆଦିମ ବିଚାର ଭଳି ଭିନ୍ନ ସ୍ୱାଦର ଚଳଚ୍ଚିତ୍ରଗୁଡ଼ିକ ସ୍ଥାନ ପାଇବେ ବା କେମିତି?

ହୁଏତ ଆଦିମ ବିଚାରର ଜୟଦେବ ଭବନଠାରେ ପ୍ରଦର୍ଶନ ଯଦି ସମ୍ବେଦନଶୀଳ କଳାକାର ଓ ଚଳଚ୍ଚିତ୍ର ପ୍ରେମୀମାନଙ୍କୁ ପ୍ରକୃତରେ ଆନ୍ଦୋଳିତ କରିଥିବ ତେବେ ଜୀବନ୍ତ ତଥା ଜୀବନସ୍ପର୍ଶୀ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ହେଉଥିବା ପ୍ରମାଣିକ ଚିତ୍ର/ ଚଳଚ୍ଚିତ୍ର/ ବୃତ୍ତଚ୍ଚିତ୍ରଗୁଡ଼ିକୁ କେମିତି ଓ କେଉଁ ମାଧ୍ୟମରେ ପ୍ରଦର୍ଶିତ କରାଯିବ ଉପାୟ ବାହାର କରିବାପାଇଁ ସେମାନେ ଯତ୍ନବାନ ହେବେ ।

 ‘ଆଦିମ ବିଚାର’ ଭିତରେ ଦେଖିବାକୁ ମିଳିଛି କନ୍ଧ ସଂସ୍କୃତିର ବର୍ଣ୍ଣନା, ଆଦିବାସୀମାନଙ୍କର ସରଳ, ନିସ୍କପଟ ଜୀବନଶୈଳୀ, ବହିରାଗତମାନଙ୍କର ସରଳ ଆଦିବାସୀ ନିକଟରୁ ସମ୍ପତ୍ତି ଲୁଟ୍କରିବା ଏବଂ ସାମାଜିକ ଦ୍ୱନ୍ଦ୍ୱ ସୃଷ୍ଟି କରି ଆଦିବାସୀ ସଂସ୍କୃତିକୁ ପ୍ରଭାବିତ କରିବାର ପ୍ରୟାସ। ସବୁଠାରୁ ପ୍ରଭାବଶଳୀ ହେଲା ଅପାଠୁଆ କୁହାଯାଉଥିବା ଆଦିମ ଆଦିବାସୀମାନଙ୍କର ଅତୁଳନୀୟ ବିଚାରବୋଧ ତଥା ନ୍ୟାୟଦେବାର ଦୃଷ୍ଟାନ୍ତ ଯାହାକୁ ବୁଝିବା ପାଇଁ ହୁଏତ ତଥାକଥିତ ଶିକ୍ଷିତବର୍ଗ ଓ ସଭ୍ୟସମାଜ ନିର୍ଦ୍ଧାରିତ ନ୍ୟାୟିକ ବ୍ୟବସ୍ଥା ଅସଫଳ।

Support Samadhwani

ସବ୍ୟସାଚୀ ପ୍ରୟାସ କରିଛନ୍ତି ସାମାଜିକ ବିଭିନ୍ନତା ତଥା ବିଷମତା ଭିତରେ ବଞ୍ôଚରହିଥିବା ଲୋକସଙ୍ଗୀତ ଓ ସଂସ୍କୃତିକୁ ବଳିଷ୍ଠ ଭାବରେ ଉପସ୍ଥାପନ କରି ଜଗତୀକରଣ ଯୁଗରେ ମଧ୍ୟ ଏମାନେ ନିଜସ୍ୱ ମୂଲ୍ୟ ତଥା ସମ୍ମାନ ଏବଂ ଗ୍ରହଣିୟତା ହରାଇ ନାହାନ୍ତି ସେଇ କଥାଟିକୁ ପ୍ରତିପାଦନ କରିବା ପାଇଁ । ଲୋକସଙ୍ଗୀତ ପରି ଏହି ଚଳଚ୍ଚିତ୍ରର ଆତ୍ମା ହେଲା ମୁଖ୍ୟ କଳାକାରଙ୍କର ଜୀବନସ୍ପର୍ଶୀ ଅଭିନୟ । ଆମର ଅତ୍ୟାଧୁନିକ ସମାଜରେ ରହିଆସିଥିବା ଅନେକ ଅବଧାରଣାଗୁଡ଼ିକୁ ସିଧାସଳଖ ମୁକାବିଲା କରିଛନ୍ତି ମୁଖ୍ୟ କଳାକାର ‘ଅଟଳବିହାରୀ ପଣ୍ଡା’ ।

ଗୋଟିଏ କାହାଣୀରେ ଜଣେ ନାୟକ ରହିବେ। ସେ ହୋଇଥିବେ ଜଣେ ଯୌବନକୁ ଜୀବନ୍ତ ଫୁଟାଇ ପାରୁଥିବା ଯୁବକ। ତାଙ୍କର ଥିବ ବଳିଷ୍ଠ ମାଂସପେଶୀ ଓ ଆକର୍ଷଣୀୟ ଚେହେରା। ପୁଣି ଥିବ ଅନେକ ରୋମାଞ୍ଚକର ଶୈଳୀ, ଅଙ୍ଗପ୍ରଦର୍ଶନ ତଥା ଉତ୍ତେଜନା ସୃଷ୍ଟି କରିବା ଭଳି ଅଭିନୟ କୌଶଳ। ଆଦିମ ବିଚାରର ମୁଖ୍ୟ କଳାକାର ୮୪ବର୍ଷୀୟ ‘ଅଟଳବିହାରୀ ପଣ୍ଡା’ ଏହି ଅବଧାରଣାଗୁଡ଼ିକୁ ଦୂର କରିଛନ୍ତି ନିଜର ଅଭିନୟ ତଥା ସଂଳାପ ମାଧ୍ୟମରେ। କଥା, ଭାଷା, ଚାହାଣୀ, କହିବାର ଠାଣୀ, ଶରୀରର ଭାଷା ଓ ହୃଦୟକୁ ସ୍ପର୍ଶ କଲାଭଳି ଅଭିନୟ ମାଧ୍ୟମରେ ସେ ଆମ ସମୟର ଯେକୌଣସି ତଥାକଥିତ ପ୍ରତିଷ୍ଠିତ ବା ଚର୍ଚ୍ଚିତ ଯୁବ ନାୟକମାନଙ୍କୁ ଏକପ୍ରକାର ଆହ୍ୱାନ ଦେଇଛନ୍ତି। ଆମର ଆଶା ଏହି ଆହ୍ୱାନକୁ ଚଳଚ୍ଚିତ୍ର ଜଗତ ନିଷ୍ଠାର ସହିତ ଗ୍ରହଣ କରିବେ ଏବଂ ଆଗାମୀ ପ୍ରଯୋଜନାଗୁଡ଼ିକରେ ଏହାର ପ୍ରୟୋଗ କରିବେ।

ଏଭଳି କହିବାର ଉଦ୍ଦେଶ୍ୟ ହେଲା ଆଜିର ଦିନରେ ଚଳଚ୍ଚିତ୍ରର ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଭାବ ଯୁବ ସମାଜ ଉପରେ ରହିଛି ଏବଂ ଚଳଚ୍ଚିତ୍ରର ନାୟକମାନେ ଆମ ଯୁବସମାଜର ଆଦର୍ଶ ହୋଇଛନ୍ତି। ଏଠି ମନେପଡ଼େ ସମାଜବିଜ୍ଞାନୀ ଭଗବତ ପ୍ରସାଦଙ୍କ କଥା। ଅତି ଦୁଃଖର ସହିତ ସେ କହିଥିଲେ “ଆଜିର ଯୁବପିଢ଼ି ଯେଉଁମାନଙ୍କୁ ନିଜର ଆଦର୍ଶ ଭାବରେ ଗ୍ରହଣ କରେ ସେମାନେ ହେଲେ ଚଳଚ୍ଚିତ୍ରର ନାୟକ (ଯିଏ ଅନେକ ଲୋକଙ୍କୁ ମାରିପାରୁଥିବ) କିମ୍ବା କ୍ରିକେଟ ଖେଳାଳୀ ବା ବଡ଼ ବଡ଼ ଶିଳ୍ପପତି (ଯିଏ ପ୍ରଚୁର ଅର୍ଥ ଉପାର୍ଜନ କରୁଥିବ)। ଜଣେ ସମାଜସେବୀ, ତ୍ୟାଗୀ, ସରଳ, ନିସ୍କପଟ ଜୀବନଶୈଳୀର ଉଦାହରଣ କିମ୍ବା ଅନ୍ୟ କୌଣସି ମାନବୀୟ ଗୁଣର ପ୍ରତୀକ ଥିବା ମଣିଷ ଆଉ ଆମ ପାଇଁ ଆଦର୍ଶ ହୋଇପାରୁ ନାହାନ୍ତି। ତାଙ୍କର ଦୁଃଖ ହେଲା, ଏଭଳି ଆଦର୍ଶମାନଙ୍କୁ ନେଇ କେଉଁଭଳି ସମାଜର ପରିକଳ୍ପନା ଆମେ କରିବା ପାଇଁ ଚାହୁଁଛୁ?”

ଶେଷରେ ଏତିକି ପରାମର୍ଶ ଦେବାପାଇଁ ଚାହିଁବୁ ଯେ, ନାଟକ ହେଉ ବା ଚଳଚ୍ଚିତ୍ର ଏସବୁକୁ ପ୍ରସ୍ତୁତ କଲାବେଳେ ନିର୍ମାତାମାନେ ଅନ୍ତତଃ ଧ୍ୟାନଦେବା ଉଚିତ ଯେ ସେମାନେ ଯେମିତି କୌଣସି ଋଢ଼ିବାଦୀ ସଂସ୍କୃତି, ସାମନ୍ତବାଦୀ ଚିନ୍ତାଧାରା ବା ଅବୈଜ୍ଞାନିକ ଚିନ୍ତା ଚେତନା ଓ ମୂଲ୍ୟବୋଧର ପ୍ରଚାର କରୁନାହାଁନ୍ତି। ସେମାନେ ଯଦି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରିବାରେ ସଫଳ ହେଉନାହାନ୍ତି ତେବେ ବାସ୍ତବତାକୁ ସଠିକ ଭାବରେ ଉପସ୍ଥାପନ କରିବା ଆଜିର ସମୟରେ ଅଧିକ ଉପଯୋଗୀ ହେବ। ଆମର ଆଶା ଏବଂ ବିଶ୍ୱାସ ନିର୍ମାତା, ନିର୍ଦ୍ଦେଶକ, ନାଟ୍ୟକାର ଏବଂ ସାହିତ୍ୟିକମାନେ ପୁରସ୍କାରର ଊଦ୍ଧ୍ୱର୍ରେ ରହି ନିଜର ସାମାଜିକ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ ଚାଲିବେ ଯାହା ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.