କୋଣାର୍କ ମନ୍ଦିର ଓଡ଼ିଶାର ଗର୍ବ ଓ ଗୌରବ । ଶିଳ୍ପକଳା ଦୃଷ୍ଟିରୁ ଏହା ପୃଥିବୀ ପ୍ରସିଦ୍ଧ । ଓଡ଼ିଶା ଶିଳ୍ପୀର ଦକ୍ଷତା ଓ ଶିଳ୍ପ ଚାତୁରୀ ସୀମା ସ୍ପର୍ଶ କରିଛି । ଉଦୟ ସୂର୍ଯ୍ୟ ମୂର୍ତ୍ତିଟିର ସ୍ମିତହସ ଅତି ମନୋମୁଗ୍ଧକର ସେହିପରି ମଧ୍ୟାହ୍ନ ସୂର୍ଯ୍ୟର ଗାମ୍ଭିର୍ଯ୍ୟ ଓ ଅସ୍ତ ସୂର୍ଯ୍ୟର ମଳିନ ମୁହଁ ଦେଖିଲେ ଯେ କୌଣସି ଦର୍ଶକ ଆନନ୍ଦିତ ହେବ । କୋଣାର୍କର ଚକ, ପଦ୍ମ, ବିଗ୍ରହ ମୂର୍ତ୍ତି ଓ ସୂକ୍ଷ୍ମ କାରୁକାର୍ଯ୍ୟ ବିଶ୍ୱବାସୀଙ୍କୁ ଚମକ୍ରୃତ କରିଛି । ଶିଳ୍ପଶାସ୍ତ୍ର ଅନୁଯାୟୀ ତିଆରି ହୋଇଥିବା ଏହି ମନ୍ଦିର କବିର କବିତାର ବାରମ୍ବାର ରୂପ ପାଇଛି ତ ଶିଳାପଦ୍ମ ଭଳି ଅନେକ ଉପନ୍ୟାସ ଲେଖା ହୋଇଛି । କୋଣାର୍କ ସଂପର୍କରେ ଶୁଣାଯାଇଥିବା କିମ୍ବଦନ୍ତୀ ଅନୁଯାୟୀ ବାରଶହ ବଢ଼େଇ ବାରବର୍ଷ ଲାଗି ଏ ମନ୍ଦିର ନିର୍ମାଣ କରିଥିଲେ । ମାତ୍ର ଏହାର ଦଧିନଉତି ବସାଇ ପାରିଲେ ନାହିଁ । ରାତିକ ଭିତରେ ମୁଣ୍ଡି ନମାରି ପାରିଲେ ଶିଳ୍ପୀମାନଙ୍କ ମୁଣ୍ଡକାଟ ହେବ ବୋଲି ଆଦେଶ ଦେଲେ । ଶେଷରେ ବିଶୁ ମହାରଣାର ପୁଅ ଧର୍ମପଦ ଆସି ମୁଣ୍ଡି ମାରିଥିଲା । ରାଜା ଛୋଟ ପିଲାର କୃତିତ୍ୱ ଦେଖିଲେ ରାଜା କାଳେ ଶିଷ୍ୟମାନଙ୍କ ମୁଣ୍ଡ କାଟ କରିବେ, ସେଥିପାଇଁ ଧର୍ମପଦ ଚନ୍ଦ୍ରଭାଗାକୁ ଡ଼େଇଁ ଜୀବନ ହାରି ସବୁଦିନେ ଲୋକଙ୍କ ମୁହଁରେ ସ୍ମରଣୀୟ ହୋଇ ରହିଗଲା । ଓଡ଼ିଶା ଲଳିତକଳା ଏକାଡ଼େମୀ ପକ୍ଷରୁ ଚିତ୍ରକଳା ପାଇଁ ସର୍ବଶ୍ରେଷ୍ଠ ପୁରସ୍କାର “ଧର୍ମପଦ” ନାମରେ ନାମିତ କରାଯାଇଛି ।
ଗଙ୍ଗବଂଶର ପ୍ରଖ୍ୟାତ ନରପତି, ନରସିଂହଦେବ(୧ମ)ଙ୍କ ରାଜତ୍ୱ କାଳ ଖ୍ରୀ: ୧୨୩୮ ରୁ ୧୨୬୪ ସାଲ ମଧ୍ୟରେ ଓଡ଼ିଶା ପୂର୍ବ ଉପକୂଳ, କୋଣାର୍କଠାରେ କଳିଙ୍ଗ ମନ୍ଦିର ସ୍ଥାପତ୍ୟର ବିଶାଳତମ କୃତି ସୂର୍ଯ୍ୟ ମନ୍ଦିରର ପରିକଳ୍ପନା ଓ ନିର୍ମାଣ କରିଥିଲେ । ଏହି କୃତିରେ ମୁଖ୍ୟତଃ ପୂର୍ବର ପାରମ୍ପାରିକ ଧାରା ଓ ଶୈଳୀ ଅନୁସରଣ କରାଯାଇଥିବା ବେଳେ କେତେକ କ୍ଷେତ୍ରରେ ନୂତନ ପରିକଳ୍ପନା ମଧ୍ୟ ଦେଖାଯାଏ । ମନ୍ଦିରର ବିଶାଳତା ଅନୁଯାୟୀ ନିର୍ମାଣର ଅଙ୍ଗ ପ୍ରତ୍ୟଙ୍ଗଗୁଡ଼ିକ ବିଶାଳ ହେବା ସ୍ୱାଭାବିକ ଏବଂ ଏଗୁଡ଼ିକର ଭାରସାମ୍ୟ ରକ୍ଷା ନିମନ୍ତେ କେତେକ ନୂତନ ନିର୍ମାଣ ପରିକଳ୍ପନା କରାଯାଇଥିବା ଅପରିହାର୍ଯ୍ୟ । ଦେଉଳର ଆକାର ଅନୁଯାୟୀ ଏହାର ମଣ୍ଡନକୃତି ଗୁଡ଼ିକରେ ମଧ୍ୟ ଅନେକ ପରିକଳ୍ପନା ଦେଖାଯାଏ । ଏହି କୃତି କଳିଙ୍ଗ ମନ୍ଦିର ସ୍ଥାପତ୍ୟ ବିକାଶ ଧାରାର ଅନ୍ତିମ ପର୍ଯ୍ୟାୟରେ ନିର୍ମିତ ହୋଇଥିବା ସତ୍ୱେ ଅଳ୍ପକାଳ ମଧ୍ୟରେ ଭାଙ୍ଗିପଡ଼ିଥିବା ବିସ୍ମୟର ବିଷୟ । ଏହାର କାରଣ ସମ୍ପର୍କରେ ବିଦ୍ୱାନମାନେ ବିଭିନ୍ନ ମତ ପୋଷଣ କରୁଥିବାବେଳେ ନିର୍ମାଣ ସମୟରେ କେତେକ ବୈଷୟିକ ତ୍ରୁଟି ତଥା ସମୁଦ୍ର କୂଳର ଦୁର୍ବଳ ବାଲୁକା ଓ ମାଟି ଏହାର ଗୁରୁଭାର ବହନ କରିବାରେ ଅକ୍ଷମ ହେବା ଦ୍ୱାରା ମନ୍ଦିରର ମୂଳଦୁଆ ଦବି, ମନ୍ଦିର ଦେହରେ ଫାଟ ସୃଷ୍ଟିହୋଇ ଭାଙ୍ଗିପଡ଼ିଥିବା ମନେହୁଏ । ତେବେ ଦେଶ ସ୍ୱାଧୀନ ପୂର୍ବରୁ, ଇଂରେଜ ଶାସନ ସମୟରେ ଭଗ୍ନ ମନ୍ଦିରଟିର ଯଥା ସମ୍ଭବ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଇଥିବାରୁ କୀର୍ତ୍ତିଟିର ପ୍ରତ୍ନାବଶେଷ ବର୍ତ୍ତମାନ ସୁଦ୍ଧା ତିଷ୍ଠି ରହିଛି ।
ସୂର୍ଯ୍ୟଦେବତାଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ମନ୍ଦିରକୁ ଏକ ରଥ ନକ୍ସାରେ ପରକଳ୍ପନା କରାଯାଇଥିଲା । ଏଣୁ ମନ୍ଦିରର ମୁଖ୍ୟ ପୀଠର ଚତୁଃପାଶ୍ୱର୍ରେ ରଥ ଭଳି କାରୁକଳା ପୂର୍ଣ୍ଣ ଚବିଶିଗୋଟି ଚକ ପଥରରେ ଉତ୍କୀର୍ଣ୍ଣ ହୋଇଥିଲା । ବର୍ତ୍ତମାନ ଏଥି ମଧ୍ୟରୁ କେବଳ ଗୋଟିଏ ଚକ୍ର ବ୍ୟତୀତ ଅନ୍ୟ ଚକ୍ରଗୁଡ଼ିକ ଆଂଶିକ କିମ୍ବା ସଂପୂର୍ଣ୍ଣ ଭଗ୍ନ । ମନ୍ଦିରର ମୁଖ୍ୟ ତିନି ନିର୍ମାଣ ମଧ୍ୟରୁ ଦେଉଳ ଓ ଜଗମୋହନ ସଂଯୋଗ ହୋଇ ପୂର୍ବୋକ୍ତ ଚକ୍ରଯୁକ୍ତ ପୀଠ ଉପରେ ରହିଥିବାବେଳେ ନାଟ ମନ୍ଦିରଟି ଜଗମୋହନ ଠାରୁ ପ୍ରାୟ ୯.୦୦ମିଟର ବ୍ୟବଧାନରେ ରହିଛି । ‘ନାଟମନ୍ଦିର’ ବ୍ୟତୀତ ମନ୍ଦିରର ରୋଷଘର, ରଙ୍ଗଶାଳା, ଯଜ୍ଞପୀଠ, ସ୍ନାନଦେବୀ, ପ୍ରତିଷ୍ଠାବେଦୀ, ଦୋଳବେଦୀ, ପଣ୍ଡିତ ସଭା, ଭୋଜନ ମଣ୍ଡପ, ବିଷ୍ଣୁ ମନ୍ଦିର ଓ ଛାୟାଦେବୀଙ୍କ ମନ୍ଦିରର ପତ୍ନାବଶେଷ ଇତ୍ୟାଦି ଗୋଟିଏ ବିସ୍ତୃତ ବେଢ଼ା ଭିତରେ ଦେଖିବାକୁ ମିଳେ । ମନ୍ଦିର ବ୍ୟତୀତ ଅନ୍ୟ ନିର୍ମାଣଗୁଡ଼ିକ ସାଧାରଣତଃ ଖମ୍ବଯୁକ୍ତ ମଣ୍ଡପଭଳି ମନେ ହୁଏ । ବର୍ତ୍ତମାନ ଏହି ନିର୍ମାଣଗୁଡ଼ିକ ବହୁ ଭାବରେ ଭଗ୍ନ ଓ ଛାତ ବିହୀନ ଅଟେ ।
ମୁଖ୍ୟ ଦେଉଳ ଓ ଜଗମୋହନ ଅନୁଚ୍ଚ ଓ ସୁଉଚ୍ଚ ଗୋଟିଏ ପରେ ଗୋଟିଏ ଥିବା ଦୁଇଟି ପୀଠ ଉପରେ ଅବସ୍ଥିତ । ବିଭିନ୍ନ ଭାବରେ ହସ୍ତୀ ଓ ଯୁଦ୍ଧଯାତ୍ରାର ମୂର୍ତ୍ତି ଖୋଦିତ ପ୍ରଥମ ଅନୁଚ୍ଚବେଦୀ ବା ପୀଠର ଉଚ୍ଚତା ପ୍ରାୟ ୦.୭୦ମିଟର ଏହା ଉପରେ ଥିବା ପୂର୍ବୋକ୍ତ ୨୪ଚକ୍ରଯୁକ୍ତ ମୁଖ୍ୟ ପୀଠର ଉଚ୍ଚତା ପ୍ରାୟ ୪.୧୦ମିଟର ଅଟେ । ଏହି ପୀଠ ପାଶ୍ୱର୍ଗୁଡ଼ିକର ଦେଉଳ ଭଳି ପାରମ୍ପାରିକ ଶୈଳୀର ପାଭାଗ, ତଳଜଂଘ, ବନ୍ଧନୀ, ଉପର ଜଂଘ ଓ ବରଣ୍ଡ ଦେଖିବାକୁ ମିଳୁଥିବା ବେଳେ ଜଂଘଗୁଡ଼ିକରେ ବିଭନ୍ନ ପ୍ରକାର ମଣ୍ଡନକୃତି ଓ ମୂର୍ତ୍ତିକଳା ରହିଛି ।
ଉପରୋକ୍ତ ପୀଠର ପାଶ୍ୱର୍ରେ ଚକ୍ରଗୁଡ଼ିକ ନିର୍ଦ୍ଦଷ୍ଟ ବ୍ୟବଧାନରେ ରହିଥିବାବେଳେ ପ୍ରତ୍ୟେକ ଚକ୍ରର ବ୍ୟାସ ପ୍ରାୟ ୩.୦୦ମିଟର ଅଟେ । ଏହାର ଅଖରୁ ଚାରିପାଖ ଚକ୍ରକୁ ସଂଯୋଗ କରୁଥିବା ୧୬ଗୋଟି ଅର ମଧ୍ୟରୁ, ଆଠଗୋଟି ପତଳା ଓ ଅନ୍ୟ ଆଠଗୋଟି ପତଳା ଓ ଅନ୍ୟ ଆଠଗୋଟି ମୋଟା ଅଟେ । ଅଖର ଗୋଲାକାର ଅଗ୍ରଭାଗ ଓ ମୋଟା ଅରଗୁଡ଼ିକର ମଧ୍ୟ ଭାଗରେ ଥିବା ଚକ୍ରାକାର ନକ୍ସା ମଧ୍ୟରେ ବିଭିନ୍ନ ଭଂଗୀରେ ନାରୀ, ମୈଥୁନ ଓ ଦେବଦେବୀଙ୍କ ମୂର୍ତ୍ତି ଉତ୍କୀର୍ଣ୍ଣ ହୋଇଛି । ଏହା ବ୍ୟତୀତ ଚକ୍ରର ଅନ୍ୟ ଅଂଶଗୁଡ଼ିକ ବିଭିନ୍ନ ପ୍ରକାର କାରୁକଳାରେ ପରିପୂର୍ଣ୍ଣ ।
ସପ୍ତରଥ ଶୈଳୀର ମୁଖ୍ୟ ଦେଉଳଟି ବାଡ଼ରୁ ଭାଙ୍ଗିପଡ଼ିଥିବାରୁ ଏହାର ଗର୍ଭଗୃହ ମୁକ୍ତାକାଶ ତଳେ ରହିଛି । ଏହି ଅବସ୍ଥାରେ ଦେଉଳ ବାହାର ପାଖରେ କେବଳ ପାଭାଗ, ତଳଜଂଘ, ବନ୍ଧନୀ ଓ ଉପର ଜଂଘର କେତୋକାଂଶ ମାତ୍ର ଦେଖିବାକୁ ମିଳେ । ଏଗୁଡ଼ିକ ପାରମ୍ପରିକ ଶୈଳୀରେ ନିର୍ମିତ ହୋଇଥିବାବେଳେ ମନ୍ଦିରର ବିଶାଳତା ଅନୁଯାୟୀ ଅଙ୍ଗ ପ୍ରତ୍ୟେଙ୍ଗ ଗୁଡ଼ିକ ମଧ୍ୟ ବିଶାଳ । ଏଥିରେ ମୂର୍ତ୍ତିକଳା ଓ ମଣ୍ଡନକୃତି ବିଭିନ୍ନ ଭାବରେ ଉତ୍କୀର୍ଣ୍ଣ ହୋଇଛି । ଦେଉଳର ତିନିପାଖ ବାଡ଼ର ରାହା ପାଗରେ ଥିବା ସୂର୍ଯ୍ୟଙ୍କ ପାଶ୍ୱର୍ଦେବତା ମୂର୍ତ୍ତିଗୁଡ଼ିକ ଉଲ୍ଲେଖଯୋଗ୍ୟ । ପୂର୍ବମୁଖୀ ଦେଉଳର ପଶ୍ଚିମ, ଦକ୍ଷିଣ ଓ ଉତ୍ତରପାଶ୍ୱର୍ରେ ସୂର୍ଯ୍ୟଙ୍କ ସୁନ୍ଦର ଓ ବିଶାଳ ପ୍ରତିମାମାନ ସ୍ଥାନିତ ହୋଇଛି । କଳା ମୁଗୁନି ପଥରରେ ନିର୍ମିତ ପ୍ରତିମାଗୁଡ଼ିକ ଜୀବନ୍ତ ଭଳି ମନେ ହେଉଥିବାବେଳେ ବିଭିନ୍ନ ବସ୍ତ୍ରାଳଙ୍କାରେ ବିଭୂଷିତ । ଏହାର ଚତୁଃପାଶ୍ୱର୍ର ମଣ୍ଡନକୃତି ଓ ମୂର୍ତ୍ତିକଳା ମଧ୍ୟ ଉଚ୍ଚକୋଟୀର । ଏହି ପାଶ୍ୱର୍ଦେତା ମୂର୍ତ୍ତିଗୁଡ଼ିକ ନିମନ୍ତେ ମନ୍ଦିର ସହିତ ଉପଯୁକ୍ତ ଆକାରର ନିଶା ମନ୍ଦିର ନିର୍ମିତ ହୋଇଥିଲା । ବର୍ତ୍ତମାନ କେବଳ ଏଗୁଡ଼ିକର ପ୍ରତ୍ନାବଶେଷ ମାତ୍ର ଦେଖାଯାଏ । ଏଠାରେ ମୁଖ୍ୟ ଦେଉଲର ବର୍ଗାକାର ଗର୍ଭଗୃହର ପ୍ରତ୍ୟେକ ପାଖ ୧୦.୧୦ମିଟର ଅଟେ । ଏହାର ଚତୁଃପାଶ୍ୱର୍ରେ ଥିବା ବାଡ଼ର ମୋଟା ସ୍ଥଳ ବିଶେଷରେ ୬.୧୫ମିଟରରୁ ୭.୭୦ମିଟର ଦେଖାଯାଏ । ଏହି ଗର୍ଭଗୃହ ମଧ୍ୟରେ ମୁଖ୍ୟ ଦେବତାଙ୍କ ସିଂହାସନଟି ରହିଛି । ଦେଉଳ ବାହାର ପାଖରେ ବର୍ତ୍ତମାନ ତିଷ୍ଠି ରହିଥିବା ପାଭାଗର ଉଚ୍ଚତା ପ୍ରାୟ ୪.୧୫ମିଟର । ଏହି ମାପକୁ ଭିତ୍ତିକରି ଇ: ମନମୋହନ ଗାଙ୍ଗୁଲି, ପ୍ରାପ୍ତ ସୂତ୍ର ଅନୁସାରେ ଦେଉଳ ବାଡ଼ର ଉଚ୍ଚତା ପ୍ରାୟ ୧୮.୦୦ମିଟର ଥିବା ଅନୁମାନ କରନ୍ତି । ପୁନଶ୍ଚ ବାଡ଼ର ଉଚ୍ଚତା ଅନୁଯାୟୀ ବିମାନର ମୋଟ୍ ଉଚ୍ଚତା ପ୍ରାୟ ୭୦.୫୦ମିଟର ହୋଇଥିବା ସମ୍ଭବ ବୋଲି ମତ ଦେଇଛନ୍ତି । ମନ୍ଦିର ମସ୍ତକ ଭାଗର କେତେକ ପତ୍ନାବଶେଷକୁ ପରୀକ୍ଷା କରି ବିଦ୍ୱାନମାନେ ମତ ଦିଅନ୍ତି ଯେ, ଦେଉଳ ଶିଖରରେ ସୂର୍ଯ୍ୟ ଦେବତାଙ୍କ ଆୟୁଧ ‘ଧ୍ୱଜାପଦ୍ମ’ ସ୍ଥାନିତ ହୋଇଥିଲା ।
ଦେଉଳ ସହିତ ସଂଲଗ୍ନ ପ୍ରାୟ ୩.୩୦ମିଟର ଚଉଡ଼ାର ଏକ ସନ୍ଧିସ୍ଥଳ ପରେ ଜଗମୋହନ ଅବସ୍ଥିତ । ପଞ୍ଚରଥ ଶୈଳୀ ଏହି ପୀଢ଼ ଦେଉଳର ଅନେକାଂଶ ଭାଙ୍ଗି ପଡ଼ିଥିଲା । କିନ୍ତୁ ମରାମତି ପରେ ନିର୍ମାଣଟି ବର୍ତ୍ତମାନ ସୁରକ୍ଷିତ ରହିଛି । ପୂର୍ବୋକ୍ତ ପୀଠ ଉପରେ ଜଗମୋହନ ପାଭାଗର ଉଚ୍ଚତା ୩.୩୫ମିଟର । ତଳଜଂଘ ୨.୭୦ମିଟର ହୋଇଥିବାବେଳେ ଉପର ଜଂଘର ଉଚ୍ଚତା ୨.୫୦ମିଟର ଅଟେ । ଦୁଇ ଜଂଘ ମଧ୍ୟରେ ବନ୍ଦନୀର ଚଉଡ଼ା ୦.୮୦ମିଟର ରହିଛି । ବାଡ଼ର ସର୍ବାଗ୍ରଭାଗ ବରଣ୍ଡର ଉଚ୍ଚତା ୨.୯୦ମିଟର ଅଟେ । ଏହିପରି ପୀଠ ଉପରେ ବାଡ଼ର ଉଚ୍ଚତା ୧୨.୨୫ମିଟର ଅଟେ । ବାଡ଼ ଉପରେ ଘଣ୍ଟଶ୍ରୀମୋହନ ଶୈଳୀର ପୀଢ଼ ଛାତ ଦେଖାଯାଏ । ଏଥିରେ ଥିବା ତିନି ପଟଳର ପୀଢ଼ ମଧ୍ୟରୁ ପ୍ରଥମ ପଟଳର ଛଅ’ ପୀଢ଼ର ଉଚ୍ଚତା ୪.୮୦ମିଟର । ଏହା ଉପର କାଣ୍ଟିର ଉଚ୍ଚତା ୨.୧୫ମିଟର ଅଟେ । ଦ୍ୱିତୀୟ ପଟଳରେ ଥିବା ଛଅ’ ପୀଢ଼ର ଉଚ୍ଚତା ୧.୭୦ମିଟର ଏବଂ ତୃତୀୟ ପଟଳର ପାଞ୍ଚ ପୀଢ଼ର ଉଚ୍ଚତା ୨.୭୫ମିଟର ଅଟେ । ଏହି ତିନି ପଟଳ ଉପରେ ଥିବା ଜଗମୋହନ ମସ୍ତକଭାଗରେ ଥିବା ଘଣ୍ଟ ବେକି, ଘଣ୍ଟ, ଅଁଳାବେକି ଓ ଅଁଳାର ମୋଟ୍ ଉଚ୍ଚତା ପ୍ରାୟ ୮.୦୦ମିଟର ଅଟେ । ଏହିପରି ପୀଠ ଉପରୁ ଜଗମୋହନର ମୋଟ୍ ଉଚ୍ଚତା ୩୪.୪୫ମିଟର ହୋଇଥିବା ଜଣାଯାଏ । ଜଗମୋହନ ଗଣ୍ଡିର ପୀଢ଼ ଧାରଗୁଡ଼ିକରେ ବିଭିନ୍ନ ଯୁଦ୍ଧଦୃଶ୍ୟ ଓ ଦୁଇ ପଟଳ ମଧ୍ୟ ଭାଗରେ ଥିବା ସୁଉଚ୍ଚ କାଣ୍ଟିଗୁଡ଼ିକରେ ମନୁଷ୍ୟାକୃତି ନର୍ତ୍ତକୀ, ବାଦିକା ଓ ଭୈରବ ମୂର୍ତ୍ତିଗୁଡ଼ିକ ନିର୍ମାଣଟିକୁ ଅଧିକ ଆକର୍ଷଣୀୟ ଓ ଅନ୍ୟ ମନ୍ଦିରର ଜଗମୋହନ ଠାରୁ ଭିନ୍ନ କରିପାରିଛି । ଏହି ଦେଉଳର ପୂର୍ବଦ୍ୱାର ବ୍ୟତୀତ ଦକ୍ଷିଣ ଓ ଉତ୍ତର ପାଶ୍ୱର୍ରେ ମଧ୍ୟ ପ୍ରବେଶ ନିମନ୍ତେ ବ୍ୟବସ୍ଥା ଥିଲା । ନିର୍ମାଣଟିର ସୁରକ୍ଷା ନିମନ୍ତେ ଏହା ମଧ୍ୟରେ ବାଲି ଭର୍ତ୍ତି କରାଯାଇଥିବାରୁ ଏହି ସମସ୍ତ ଦ୍ୱାର ବର୍ତ୍ତମାନ ବନ୍ଦ ରହିଛି । ଏହି ଦ୍ୱାରଗୁଡ଼ିକ ସମ୍ମୁଖରେ ଯଥାକ୍ରମେ ସିଂହ, ଘୋଟକ ଓ ହସ୍ତୀ ମୂର୍ତ୍ତିମାନ ସ୍ଥାନିତ ହୋଇଥିଲା, ଯାହାକି ବର୍ତ୍ତମାନ ମନ୍ଦିର ପରିସର ମଧ୍ୟରେ ଅନ୍ୟତ୍ର ସ୍ଥାନିତ ହୋଇଛି । ଏହା ବ୍ୟତୀତ ତିନି ଦିଗରୁ ଜଗମୋହନ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ସୋପାନର ବ୍ୟବସ୍ଥା ମଧ୍ୟ ଦେଖାଯାଏ । କଳିଙ୍ଗ ମନ୍ଦିର ସ୍ଥାପତ୍ୟରେ ଏହି ବିଶାଳତମ କୃତିର କାରୁକଳା ଓ ମୂର୍ତ୍ତିକଳା ମଧ୍ୟ ଚରମ ଉକ୍ରର୍ଷତା ଲାଭ କରିଛି । କୋଣାର୍କ ମନ୍ଦିର ମୁଖ୍ୟ ଦ୍ୱାର ନିକଟରେ ପରସ୍ପର ଛନ୍ଦା ଛନ୍ଦି ହୋଇ ରହିଥିବା ନାଗନାଗୁଣୀଙ୍କ ଚିତ୍ର, କୋଣାର୍କର ସୂକ୍ଷ୍ମ କାରୁକାର୍ଯ୍ୟ ଏତେ ଉଚ୍ଚ କୋଟୀର ଯେ ପୃଥିବୀର ବହୁ ଦେଶର ପର୍ଯ୍ୟଟକମାନେ ଏହାକୁ ଦେଖି ଅଭିଭୂତ ହୋଇଥାନ୍ତି ।
Photo credit- https://bit.ly/3rbJhgm