ଶିଶୁ ମଧ୍ୟରେ ସୃଜନ ଶକ୍ତିର ବିକାଶ ଦିଗରେ ରବିବାସରୀୟ କଳା ବିଦ୍ୟାଳୟର ଭୂମିକା

21 Min Read

ନିମ୍ନରେ ଦିଆଯାଇଥିବା ଚିତ୍ର ଗୁଡିକ ଓଡିଶାର ଜଣେ ସପ୍ତମ ଶ୍ରେଣୀର ଛାତ୍ର ସଂକଳ୍ପ ମହାପାତ୍ରଙ୍କର। ଖୁବ ପିଲାଦିନରୁ ଚିତ୍ର କଳାରେ ତାଙ୍କର ଆଗ୍ରହ ପ୍ରମାଣିତ କରିଛି ରବିବାସରୀୟ କଳା ବିଦ୍ୟାଳୟର ମହତ୍ଵକୁ । ସଂକଳ୍ପ ମହାପାତ୍ର ଓଡିଶା ବାହାରେ ଗୌହାଟିରେ ରବିବାସରୀୟ କଳା ବିଦ୍ୟାଳୟରେ ଶିକ୍ଷା ନେଉଛନ୍ତି । ଏତେ ପିଲା ଦିନରୁ ତାଙ୍କର ଚିତ୍ରକଳା ମଧ୍ୟଦେଇ ନିଜ ସୃଜନଶୀଳତାର ପରିପ୍ରକାଶକୁ ସ୍ପଷ୍ଟ ଭାବରେ ବାରି ହେଉଛି। ଆମକୁ ଏହି ଚିତ୍ରଗୁଡିକୁ ପଠାଇଥିବାରୁ ସଂକଳ୍ପଙ୍କୁ ସମଧ୍ୱନି ତରଫରୁ ଅନେକ ଅନେକ ଧନ୍ୟବାଦ ଓ ଭବିଷ୍ୟତରେ ଜଣେ ଭଲ ଚିତ୍ରକର ହେବାପାଇଁ ଅନେକ ଶୁଭେଚ୍ଛା । ବିଶିଷ୍ଟ ଚିତ୍ରକଳା ଶିକ୍ଷକ ତଥା ଚିତ୍ର ଶିଳ୍ପୀ ଅଶୋକ କୁମାର ମହାନ୍ତି ଯିଏକି ଗତ କିଛିଦିନ ତଳେ ଆମ ଗହଣରୁ ବିଦାୟ ନେଇଛନ୍ତି ପିଲାମାନଙ୍କ ଭିତରେ ସୃଜନୀ ଶକ୍ତିର ବିକାଶ ଦିଗରେ ଅନେକ କାମ ଓଡିଶା ପାଇଁ କରିଯାଇଛନ୍ତି ଯାହା ଆଜିବି ଆମକୁ ତାଙ୍କର ସ୍ମୃତି ସହିତ ଯୋଡି ରଖିଛି । ଏହି ଲେଖାଟି ତାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଚିନ୍ତା ଓ ଉଦ୍ୟମକୁ ଉପସ୍ଥାପିତ କରିଛି ।

ସଂକଳ୍ପ ମହାପାତ୍ରଙ୍କ ଦ୍ୱାରା ଅଙ୍କାଯାଇଥିବା କିଛି ଚିତ୍ର ଏଠାରେ ଉପସ୍ଥାପନ କରାଯାଇଛି

ART BY- SANKALP MAHAPATRA, Class- VII, Holy Home Senior Secondary School , Gauhati

ଶିଶୁମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ନିମନ୍ତେ ବହୁ କାର୍ଯ୍ୟକ୍ରମ ସରକାରୀ ଓ ବେସରକାରୀ ସ୍ତରରେ ନିଆଯାଇଛି । ଶିକ୍ଷାର ପ୍ରସାର ସଂଗେ ସଂଗେ ଆମ ରାଜ୍ୟରେ ପ୍ରାଥମିକ ସ୍ତରରୁ ଶିଶୁ ଭିତରେ ଥିବା ସୃଜନ ଶକ୍ତିର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତା’ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ପରିଚୟ ମିଳୁଛି । ଖାଲି ପାଠ ପଢ଼ିଲେ, ଏମିତିକି ଭଲ ପାଠ ପଢ଼ି କେହି ସ୍ୱୟଂ ସଂପୂର୍ଣ୍ଣ ମଣିଷଟିଏ ହୋଇପାରିନାହିଁ । ଗୋଟିଏ ଛାତ୍ରର ସାମାଜିକ ବିକାଶ ତାକୁ ଜୀବନର ଉତ୍ତମ ମଣିଷର ପରିଚୟ ଦେଇଥାଏ । ଭଲ ଖେଳିବା, ଭଲ ଗୀତ ଗାଇବା, ଭଲ ଚିତ୍ର କରିବା, ଭଲ ନାଚ କରିବା, ଭଲ ଅଭିନୟ କରିବା ଏସବୁ ପିଲାଟିବେଳରୁ ଜଣାପଡ଼ିଥାଏ । ତୁଳସୀ ଦୁଇପତ୍ରରୁ ବାସିବା ପରି ପିଲା ଭିତରେ ଏହି ଗୁଣଗୁଡ଼ିକ ତା’ର ବାଲ୍ୟକାଳରୁ ଜଣାପଡ଼େ । ସେହି ପିଲାଟିବେଳୁ ଶିକ୍ଷା ସହ ତା’ର ସୃଜନ କଳାର ଅଗ୍ରଗତି ଦିଗରେ ଯତ୍ନବାନ୍ ହେଲେ ବଡ଼ କାଳକୁ ସେହି ଦିଗରେ ସେମାନେ ଯୋଗ୍ୟ ମଣିଷ ଭାବେ ସମଜରେ ପ୍ରତିଷ୍ଠା ଅର୍ଜ୍ଜନ କରିବା ସହ ନିଜ ରାଜ୍ୟ ତଥା ଦେଶର ଟେକ ରଖିଥାନ୍ତି । ବିଭିନ୍ନ ଦିଗରେ କୃତିତ୍ୱ ଅର୍ଜ୍ଜନ କରିଥିବା ମଣିଷମାନଙ୍କର ପିଲାଦିନକୁ ଦେଖିଲେ ଏହି ଉକ୍ତିର ସତ୍ୟତା ଅନୁଭବ କରିହୁଏ । ଏବେ ଏବେ ଟି.ଭି. ଚ୍ୟାନେଲମାନଙ୍କରେ ପିଲାମାନଙ୍କ ସୃଜନଶୀଳତାକୁ ନେଇ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ଯଥା-ଡାନ୍ସ ଇଣ୍ଡିଆ ଡାନ୍ସ, ୱାନ ଟୁ ଚାଚାଚା, ବୁମ୍ ଶାକାଲାକା । ‘ଆମରି ସ୍ୱର’ ପ୍ରଭୃତି କାର୍ଯ୍ୟକ୍ରରେ ନୃତ୍ୟ ସଂଗୀତ ପ୍ରତି ଆଗ୍ରହ ପିଲାମାନଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଆମ ଓଡ଼ିଶାର ‘ସରଗଶଶୀ’ କାର୍ଯ୍ୟକ୍ରମ ଓ ଆକାଶବାଣୀର ‘ଶିଶୁ ସଂସାର’ ଓ ‘କିଶୋର ଚକ୍ର’ ପରି କାର୍ଯ୍ୟକ୍ରମକୁ ବାଦ୍ ଦେଲେ ଅନ୍ୟାନ୍ୟ ଚ୍ୟାନେଲମାନଙ୍କର ଶିଶୁ ଚିତ୍ରକଳା, ଶିଶୁମାନଙ୍କ ଅଭିନୟକୁ ପ୍ରାଧାନ୍ୟ ଦିଆଯାଉଛି । ଏହା ଦ୍ୱାରା ଶିଶୁ ଭିତରେ ଥିବା ସୃଜନ ଶକ୍ତିର ପରିଚୟ ମିଳିଥାଏ । ଅନେକ ସମୟରେ ଆମେ ଅଭିଭାବକମାନେ ପିଲାର କେବଳ ପାଠ ପଢ଼ିବା ଦିଗଟି ଉପରେ ଗୁରୁତ୍ୱ ଆରୋପ କରିଥାଉ । ପଲାଟି ଯଦି ଭଲ ପାଠ ନ ପଢ଼ିଲା, ତେବେ ସେ ନଷ୍ଟ ହୋଇଗଲା ବୋଲି ଭାବୁ । କିନ୍ତୁ ଭଲ ପାଠ ନ ପଢ଼ୁଥିବା ପିଲା ଭିତରେ ଅନ୍ୟ ଏକ ସୃଜନଶକ୍ତି ସୁପ୍ତ ହୋଇ ରହିଥାଏ । ସମୟ ଓ ସୁଯୋଗ ପାଇଲେ ତା’ର ବିକାଶ ଘଟେ ଏବଂ ପିଲାଟିକୁ ଅନ୍ୟ ଦିଗରେ ସୁନାମ ଆଣି ଦେଇଥାଏ । ଏସବୁକୁ ନେଇ ଏବେ ଏବେ ଅନେକ ଚଳଚ୍ଚିତ୍ର ନିର୍ମାଣ ହେଲାଣି । ‘ତାରେ ଜମିନ ପର’ ଏହାର ଏକ ଉଦାହରଣ । ପାଠ ଆସୁ ନଥିବା ବା ପାଠରେ ମନ ଦେଉନଥିବା ପିଲା ଭିତରେ ଚିତ୍ରକଳାର କ୍ଷମତାଟିକୁ କଳା ଶିକ୍ଷକ ବାରିପାରିଛନ୍ତି ତାହାହିଁ ଚଳଚ୍ଚିତ୍ରର ବୈଶିଷ୍ଟ୍ୟ । ଏହି ସୃଜନଶୀଳତାକୁ ଲକ୍ଷ୍ୟ ରଖି ତା’ର ବିକାଶ ଦିଗରେ ଅନେକ ଅଭିଭାବକ ଏବେ ସଚେତନ ହେଲେଣି ଓ ନିଜ ପିଲାଙ୍କୁ ସେ ସଫଳତା ଦିଗଟି ହାସଲ କରିବାରେ ପ୍ରୋତ୍ସାହନ ଦେବା ଯୋଗୁଁ ଛୋଟ ଛୋଟ ପିଲାମାନେ ଆଜି ଅଦ୍ଭୁତ କାର୍ଯ୍ୟ କରିପାରୁଥିବା ଆମେ ଲକ୍ଷ୍ୟ କରିପାରୁଛୁ । ଏଥିପାଇଁ ପରିବେଶ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ, ପ୍ରିଣ୍ଟ ମିଡ଼ିଆ ମୁଖ୍ୟତଃ ଦାୟୀ । ପୂର୍ବରୁ କିଏ କେଉଁଠି କ’ଣ କଲା ତାହା ଜାଣିବାର ଉପାୟ ନଥିଲା- ଏବେ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ସେମାନଙ୍କୁ ଖୋଜି ଖୋଜି ଜନଗହଳିରୁ ବାହାର କରି ସମସ୍ତଙ୍କୁ ସମ୍ମୁଖକୁ ଆଣୁଥିବାରୁ ସେମାନଙ୍କ ଭିତରେ ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଉଛି । ପ୍ରତିଯୋଗିତା ମନୋଭାବ ମଧ୍ୟ ବୃଦ୍ଧି ଘଟୁଛି । ଏଣୁ ସେ ଆଗ୍ରହର ସହ ଆହୁରି ଆଗକୁ ଯିବାକୁ ଚେଷ୍ଟା ଜାରୀ ରଖୁଛି ଏବଂ ଶେଷରେ ସେ ଦିଗରେ ସଫଳ ମଣିଷଟିଏ ହୋଇପାରୁଛି । ଚେସ୍ ଖେଳାଳୀ ପଦ୍ମିନୀ ରାଉତ, ବିସ୍ମୟ ଧାବକ ବୁଧିଆକୁ ଉଦାହରଣ ସ୍ୱରୂପ ନିଆଯାଇପାରେ ।

ଏସବୁ ଉଦାହରଣ ଦେବାର କାରଣ ହେଲା ଯେ ଶିଶୁମାନଙ୍କ ଭିତରେ ସୃଜନଶକ୍ତିର ବିକାଶ ପାଇଁ ବହୁ ବର୍ଷ ପୂର୍ବରୁ ଡ. ହରେକୃଷ୍ଣ ମହତାବ ଚିନ୍ତା କରିଥିଲେ । ସେ ତାଙ୍କ ସମ୍ବାଦପତ୍ରରେ ପ୍ରତି ଗୁରୁବାର ସଂଖ୍ୟାରେ ‘ମୀନା ବଜାର’ ପୃଷ୍ଠାଟିଏ ପ୍ରକାଶ କରିବା ସହ ‘ମୀନା ବଜାର’ ପତ୍ରିକାଟିଏ ମଧ୍ୟ ପ୍ରକାଶ କରୁଥିଲେ, ଯାହା ଆଜି ପର୍ଯ୍ୟନ୍ତ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ପରିସରରୁ ପ୍ରକାଶ ପାଇ ଆସୁଛି । ତାଙ୍କରି ମୁଖ୍ୟମନ୍ତ୍ରୀତ୍ୱ କାଳରେ ଆକାଶବାଣୀ କଟକ କେନ୍ଦ୍ରର ସ୍ଥାପନା ଏବଂ ସେଥିରେ ମଧ୍ୟ ଶିଶୁ ସଂସାର କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । ଏଥିପାଇଁ ପିଲାଏ ତାଙ୍କୁ ‘କାକା ମହତାବ’ ବୋଲି ଡାକୁଥିଳେ । ସେ ଆରମ୍ଭ କରିଥିବା ଦୂରଦର୍ଶନ କେନ୍ଦ୍ରରେ ଆର୍ଟିଷ୍ଟ ଥିଲେ ବାଲେଶ୍ୱର ଜିଲ୍ଲାର ଶ୍ରୀ ଉଦୟ ନାରାୟଣ ଜେନା । ଉଦୟ ଜେନା ପ୍ରଜାତନ୍ତ୍ର ପ୍ରଚାର ସମିତିରୁ ପ୍ରକାଶିତ ଝଙ୍କାର ଓ ମୀନାବଜାରର ପ୍ରଚ୍ଛଦ କେବଳ ନୁହଁ ଅଳଂକରଣ ମଧ୍ୟ କରୁଥିଲେ । ପ୍ରଜାତନ୍ତ୍ରର ବିଷୁବ ମିଳନ ଅବସରରେ ପିଲାଙ୍କ ମଧ୍ୟରେ ଚିତ୍ରକଳାର ଏକ ଅଭିନବ ପ୍ରତିଯୋଗିତା ଅୟୋଜନ ହେବା ପରେ ଡ. ମହତାବ ଉଦୟ ଜେନାଙ୍କୁ ତାଙ୍କ ପରିସରରେ ପିଲାମାନଙ୍କୁ ଚିତ୍ର ଶିକ୍ଷା ପାଇଁ ଉତ୍ସାହିତ କରାଇଲେ । ଉଦୟ ଜେନାଙ୍କର ପ୍ରଚେଷ୍ଟାରେ ସେଠାରେ ଏକ କଳା ଶିକ୍ଷା ପାଇଁ ବିଦ୍ୟାଳୟ ଭଳି ଅନଭୂତ ହେଲା । ଏଠାରେ ପ୍ରତି ରବିବାର ସକାଳ ସାତଟାରୁ ନଅ ଘଟିକା ପର୍ଯ୍ୟନ୍ତ ଦୁଇଘଣ୍ଟା ଧରି ଚିତ୍ରକଳା ଶିକ୍ଷା ଦିଆଯାଉଥିଲା । ଚଟାଣ ଉପରେ ଉଦୟ ବାବୁଙ୍କୁ ଘେରି ପିଲାଏ ବସୁଥିଲେ । ସେ ତାଙ୍କ ଖାତାରେ ଗୋଟିାଏ ଛବି ଆଙ୍କି ଦେଇ ସେଇଟିକୁ ଅଭ୍ୟାସ କରିବାକୁ କହୁଥିଲେ । ପରେ ପରେ ସେଥିରେ ରଂଗ କରିବା ସହ ସେ ସବୁକୁ ଧରି ବଡ଼ ଚିତ୍ର ଅଙ୍କନ କରିବାର ପ୍ରଣାଳୀ ମାନ ଶିକ୍ଷା ଦେଉଥିଳେ । ପ୍ରତିବର୍ଷ ବିଷୁ ମିଳନ ବେଳକୁ ଓ ବିଷୁବ ମିଳନକୁ ଆସୁଥିବା ଅତିଥିମାନେ ସେଇ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ଆୟୋଜିତ ଚିତ୍ର ପ୍ରଦର୍ଶନୀରେ ଉଦ୍‌ଘାଟନ କରୁଥିଲେ ଓ ଛବିର ପ୍ରଶଂସା ମଧ୍ୟ କରୁଥିଲେ ।

ତାଙ୍କ ପରେ ଚିତ୍ରଶିଳ୍ପୀ ଶରତ କୁମାର ରଥ ୧୮୮୦ ରେ କଳାହାଣ୍ଡି ଭଳି ଉପାନ୍ତ ଜିଲ୍ଲାର ଭବାନୀପାଟଣାଠାରେ ‘ଶିଳ୍ପୀ ସଂଘ’ ଗଠନ କରି ତା’ ଜରିଆରେ ରବିବାସରୀୟ ଚିତ୍ରକଳା ବିଦ୍ୟାଳୟ ନାମ ଦେଇ ପିଲାମାନଙ୍କ ହିତରେ ଚିତ୍ର ପ୍ରତି ଆଗ୍ରହ ସୃଷ୍ଟି କଲେ । ତା’ପରେ ବାଲେଶ୍ୱର ଚିତ୍ରଶିଳ୍ପୀ ସଂଗଠନ ‘କଳାୟତନ’ ମାଧ୍ୟମରେ ଶାନ୍ତିକାନନ ପରିସରରେ ଫକୀର ମୋହନଙ୍କ ନାମରେ ‘ଫକୀର ମୋହନ ଚିତ୍ରକଳା ବିଦ୍ୟାଳୟ’ ଖୋଲାଯାଇ ପ୍ରତି ରବିବାର ଦିନ ଶିରିଶ ଚାନ୍ଦଙ୍କ ନେତୃତ୍ୱରେ ପିଲାମାନଙ୍କୁ କଳା ଶିକ୍ଷା ଦେବା ଆରମ୍ଭ ହେଲା ଯାହା ଅଦ୍ୟାବଧି ଚାଲିଅଛି । ପରବର୍ତ୍ତୀ ସମୟରେ ଅଶୋକ ମହାନ୍ତି, ସୁଶାନ୍ତ ନାୟକ ଓ ନିରଞ୍ଜନ ଖଟୁଆଙ୍କ ତତ୍ତ୍ୱାବଧାନରେ ଭଦ୍ରକ ରବିବାସରୀୟ ଚିତ୍ରକଳା ବିଦ୍ୟାଳୟ, ବାରିପଦାରେ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦ୍ୱାରା ବାରିପଦା ସ୍କୁଲ ଆର୍ଟ ଏଣ୍ଡ କ୍ରାଫଟ, ସୁନ୍ଦରଗଡ଼ରେ ଶୀତଳ କୁମାର ମହାପାତ୍ରଙ୍କ ଦ୍ୱାରା କଳାୟତନ ସ୍କୁଲ ଅଫ ଆର୍ଟ, କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା କେନ୍ଦୁଝର କଳା ବିଦ୍ୟାଳୟ ପ୍ରଭୃତି କଳା ବିଦ୍ୟାଳୟମାନ ସାରା ରାଜ୍ୟରେ ଖୋଲାଯାଇ ପିଲାମାନଙ୍କୁ ଚିତ୍ରକଳା ଶିଖିବା ପାଇଁ ପ୍ରାଥମିକ ଭାବେ ଶିକ୍ଷାଦାନ ଆରମ୍ଭ ହେଲା । ଲଳିତକଳା ଏକାଡ଼େମୀ ଏହାକୁ ଦୃଷ୍ଟିରେ ରଖି ବିନୋଦ ରାଉତରାୟ ସଭାପତି ଓ ଜଗଦୀଶ କାନୁନ୍‌ଗୋ ସମ୍ପାଦକ ଥିବାବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପରୀକ୍ଷା କେନ୍ଦ୍ର କରି ବିଭିନ୍ନ ସ୍କୁଲକୁ ଚିଠି ଦେବା ସହ ସମ୍ବାଦପତ୍ରରେ ବିଜ୍ଞାପନ ଦେଇ ଗୋଟାଏ ଦିବସ ଧରି ଚିତ୍ର ଅଙ୍କନର ପ୍ରତିଯୋଗିତା ହେଉଥିଲା । ଓଡ଼ିଶାର ସବୁ ଜିଲ୍ଲାରେ ହେଉଥିବା ପରୀକ୍ଷା କେନ୍ଦ୍ରରୁ ଚିତ୍ରଗୁଡ଼ିକ ଯାଇ ରାଜଧାନୀରେ ମୂଲ୍ୟାଙ୍କନ କରାଯିବା ସହ ସେଠାରେ ପ୍ରଦର୍ଶନୀର ଆୟୋଜନ କରାଯାଉଥିଲା ଏବଂ ପୁରସ୍କୃତ ପ୍ରତିଭାମାନଙ୍କୁ ରାଜଧାନୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯାଉଥିଲା । ଏହା ପଛରେ ଶ୍ରୀଯୁକ୍ତ ବିନୋଦ ରାଉତରାୟଙ୍କ ପ୍ରଚେଷ୍ଟା ନିହିତ ଥିଲା । ଶ୍ରୀଯୁକ୍ତ ରାଉତରାୟ ଏକାଧାରରେ ଚିତ୍ରଶିଳ୍ପୀ ସହ ଜଣେ ଆର୍ଟକ୍ରିଟିକ୍ ଓ ଜଣେ ଶିଶୁ ସାହିତ୍ୟିକ ଥିଲେ । ଶିଶୁର ମନସ୍ତତ୍ତ୍ୱକୁ ବୁଝି ତା’ ମଧ୍ୟରେ କଳାତ୍ମକ ଗୁଣର ସନ୍ଧାନ କରିବା ଥିଲା ତାଙ୍କର ଅନ୍ୟତମ ଲକ୍ଷ୍ୟ ଏହି ପିଲାମାନେ ପରବର୍ତ୍ତୀ ସମୟରେ କଳା ମହାବିଦ୍ୟାଳୟର ଛାତ୍ର ପାଲଟୁ ଥିଲେ । ଜଗଦୀଶ କାନୁନ୍‌ଗୋ ସମ୍ପାଦକ ବେଳେ ଅନ୍ୟ ଏକ ସଫଳତା ହେଲା ଗାଁ ଗହଳିର ଝିଅ ବୋହୂମାନଙ୍କ ମଧ୍ୟରେ ଚିତା ପ୍ରତିଯୋଗିତା ।

ଏ ଦିଗରେ ଶିଳ୍ପୀ ଅସିତ୍ ମୁଖାର୍ଜୀ ସଭାପତି ଥିବାବେଳେ ତାଙ୍କୁ ଉତ୍ସାହିତ କରାଇଥିଲେ ଏବଂ ସେହି ସମୟରେ ଭବାନୀପାଟଣାରେ ଏକ ଆଲୋଚନା ଚକ୍ରରେ ୧୯୮୮ ମସିହା ମାର୍ଚ୍ଚ ମାସ ୩୦ ତାରିଖରେ ଶିଶୁ ଚିତ୍ରକଳା ଉପରେ ଏକ ଆଲେଚନା ହୋଇ ରବିବାସରୀୟ କଳା ବିଦ୍ୟାଳୟ ପାଇଁ ଏକ ସିଲାବସ୍ ତିଆରି କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଶରତ ରଥ ମତପ୍ରକାଶ କରିଥିଲେ । ସେହି ଆଲେଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ ହେମନ୍ତ କୁମାର ପତି, ତତ୍ କାଳୀନ ଉପସଭାପତି ଓଡ଼ିଶା ଲଳିତ କଳା ଏକାଡ଼େମୀ । ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ସର୍ବଶ୍ରୀ ଶ୍ୟାମ ସୁନ୍ଦର ପଟ୍ଟନାୟକ, ଚନ୍ଦ୍ରଶେଖର ରାଓ, ଚନ୍ଦ୍ରମଣି ବିଶ୍ୱାଳ, ଅଲେଖ ଚରଣ ସାହୁ, ବିପିନ ବିହାରୀ ସାହୁ, ଦୁର୍ଗା ପ୍ରସାଦ ଦାସ, କାଶିନାଥ ବାରିକ, ଅଶୋକ କୁମାର ମହାନ୍ତି, ମାନସ ରଞ୍ଜନ ରାୟ, ବିଜୟ କୁମାର ନାୟକ, ଜଗନ୍ନାଥ ମହାନ୍ତି, ଜୟନ୍ତ କୁମାର ବେହେରା, ଅକ୍ଷୟ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଅଧ୍ୟାପକ ସୁଶାନ୍ତ ପାଢ଼ୀ, ସତ୍ୟ ପଟ୍ଟନାୟକ ଓ ତପନ କୁମାର ଦାସ । ଓଡ଼ିଶା ଲଳିତ କଳା ଏକାଡ଼େମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ସହାୟତାରେ ‘ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର କଳା’ ଶୀର୍ଷକ ସମ୍ପାନରେ ‘ଶିଶୁ ଚିତ୍ରକଳା’ ଶୀର୍ଷକ ଆଲୋଚନା ଚକ୍ରରେ ଏ ବିଷୟ ଆଲୋଚିତ ହୋଇ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ର ଜଗଦୀଶ ବାବୁଙ୍କ କାର୍ଯ୍ୟ କାଳରେ ଶେଷ ଅଲୋଚନାଚକ୍ର ହିଁ ଥିଲା । ତାଙ୍କ ପରେ ସ୍ୱର୍ଗତ ଶରତ ରଥ ସମ୍ପାଦକ ଦାୟିତ୍ୱ ନେଲେ ଓ ରବିବାସରୀୟ ସ୍କୁଲଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିବା ଦିଗରେ ଆଗ୍ରହ ପ୍ରକାଶ କଲେ । ତାକୁ କାର୍ଯ୍ୟକାରୀ କରିବା ପାଇଁ ବହୁ ଝଡ଼ ସମ୍ମୁଖୀନ ହୋଇ ୩୭ଟି ବିଦ୍ୟାଳୟକୁ ସ୍ୱୀକୃତି ପ୍ରଦାନ କଲେ । ମାତ୍ର ତାଙ୍କ ସମୟରେ ଶିଶୁ ଚିତ୍ରକଳା ପ୍ରତିଯୋଗିତା, ଚିତା ପ୍ରତିଯୋଗିତା କ୍ରମଶଃ ଅର୍ଥାଭାବରୁ ବନ୍ଦ ହୋଇଗଲା । ଏତିକିବେଳେ ତାଙ୍କ କାର୍ଯ୍ୟକାଳ ପୁରିଯିବାରୁ ତାଙ୍କ ପରକୁ ଶ୍ରୀ ଚନ୍ଦ୍ରମଣି ବିଶ୍ୱାଳ ଏକାଡ଼େମୀର ସମ୍ପାଦକ ଥିବାବେଳେ ଡ଼ଃ ଦୀନନାଥ ପାଢ଼ୀ ସଭାପତି ଥିଲେ ଏବଂ ଶେଷଥର ପାଇଁ ଅସିତ୍ ମୁଖାର୍ଜୀ ସଭାପତି ଥିବାବେଳେ ଶ୍ରୀଯୁକ୍ତ ବିଶ୍ୱାଳ ଏକ ନୂତନ ପଦକ୍ଷେପ ନେଇ ସରକାରଙ୍କୁ ଏକାଡ଼େମୀ ପାଇଁ ଆର୍ଥୀକ ସ୍ୱଚ୍ଛଳତା ଆଣିବା ଆଳରେ ସମସ୍ତ ରବିବାସରୀୟ ଚିତ୍ରକଳା ବିଦ୍ୟାଳୟକୁ ନିର୍ଦ୍ଦିଷ୍ଟ ଅର୍ଥ ବିନିମୟରେ ସ୍ୱୀକୃତି ପ୍ରଦାନ କରିବାର ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ଏହା ଦ୍ୱାରା ସରକାରୀ ରେଜେଷ୍ଟ୍ରୀଭୁକ୍ତ ଆର୍ଟ ସ୍କୁଲକୁ ଏକାଡ଼େମୀ ସ୍ୱୀକୃତି ପ୍ରଦାନ କଲା ଏବଂ ତା’ର ଏକ ସିଲାବସ ୧୯୯୯ ମସିହାରୁ ପ୍ରସ୍ତୁତ କରି ପରୀକ୍ଷା ପରିଚାଳନା ଦିଗରେ କାର୍ଯ୍ୟକାରୀ କରାଗଲା । ଏ ଦିଗରେ ବିଶେଷ ରୂପେ ସହାୟତା କଲେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା କମିଶନର ଶ୍ରୀଯୁକ୍ତ ଗୋପିନାଥ ମହାନ୍ତି । ଶରତ ରଥଙ୍କ ବେଳେ ଏକାଡ଼େମୀ ସ୍ୱୀକୃତି ପାଇଥିବା ରବିବାସରୀୟ କଳା ବିଦ୍ୟାଳୟ ସହ ସମସ୍ତ କଳା ବିଦ୍ୟାଳୟ ପାଇଁ ଗୋଟିଏ ଆଦେଶ ବଳରେ ସରକାରୀ ସ୍ତରରେ ସ୍ୱୀକୃତି ପ୍ରଦାନ କରାଇଥିଲେ । ସେତେବେଳେ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର । ସେ ମଧ୍ୟ ଏହାକୁ ଅନୁମୋଦନ କରିଥିଲେ – ସେହି ୨୦୦୭ ମସିହାରେ ଏକାଡ଼େମୀ ତା’ର ସ୍ୱୀକୃତି ପ୍ରାପ୍ତ ୮୭ଟି ଅନୁଷ୍ଠାନ ସମ୍ପର୍କରେ ଏକ ପୁସ୍ତିକା ପ୍ରକାଶ ସହିତ ଯେଉଁ ପିଲାମାନେ ଶେଷ ବର୍ଷ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ପିଲାଙ୍କର ତାଲିକା ମଧ୍ୟ ସେଥିରେ ପ୍ରକାଶ ପାଇଲା । ସିଲାବସ୍‌ର AIM ଏବଂ Objectives ଗୁଡ଼ିକ ହେଲା-

1)         To Observe and appreciate beautiful things.

2)         To develop creativity within the children.

3)         To develop an interest in drawing, modeling, and other creative activities.

4)         To create awareness and understanding around them.

5)         To develop imagination and interaction with visual objects.

6)         To develop emotion and feelings on visual/imaginary beauty and anxiety and expose feelings through the line, color, modeling, or any other constructive media.

7)         To develop self-appreciation and satisfaction.

8)         To develop a competitive spirit.

9)         To develop self-confidence in creativity.

10)       To develop a learning attitude.

11)       To develop an attitude of display and proper presentation.

12)       To develop an understanding and identification of different art forms.

13)       To make them interested in the collection of masterpieces and preserve them for future reference.

14)       To help the children to explore simple, basic and locally available are materials, media and instruments for his/her own way of expression.

ପିଲାମାନଙ୍କୁ ଉପରୋକ୍ତ ଉଦ୍ଦେଶ୍ୟ ନେଇ ଚିତ୍ର ଶିକ୍ଷା ଦେବା ସହ ଆଗାମୀରେ ଚିତ୍ରକଳା ବିଦ୍ୟାଳୟ ପାଇଁ ଛାତ୍ର ସୃଷ୍ଟି କରିବା ଓ ତହିଁରୁ ଚିତ୍ରଶିଳ୍ପୀ କରି ଗଢ଼ିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ । ନିଜ ଭିତରେ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିବା ଦିଗରେ ଏହା ସହାୟକ ହୋଇଥାଏ । ଏହା ଶିକ୍ଷା କରିବା ପାଇଁ ବୟସର ସୀମା-୮ବର୍ଷ ପର୍ଯ୍ୟନ୍ତ ଶିଶୁ । ଏମାନଙ୍କୁ Preparatory Course ପଢ଼ା ଯାଇଥାଏ । ଏମାନେ ଚାରିପାଖରେ ଯାହା ଦେଖନ୍ତି ମନଇଚ୍ଛା ଅନୁଯାୟୀ ଏମାନେ ଆଙ୍କି ଥାଆନ୍ତି । ଏମାନଙ୍କୁ ସ୍ୱାଧୀନ ଭାବରେ ଛାଡ଼ି ଦିଆଯାଏ । ଫୁଲ, ଫଳ, ଗଛ, ଲତା, ପାହାଡ଼, ସୂର୍ଯ୍ୟ, ଜାତୀୟ ପତାକା ପ୍ରଭୃତି । ଏଥିରେ ପିଲାମାନଙ୍କୁ ମଧ୍ୟ ରଂଗ ମଡ଼ାଇବାର ସ୍ୱାଧୀନତା ଦିଆଯାଏ । ଜାତୀୟ ପତାକା, ସୂର୍ଯ୍ୟ, ଗଛ ପତ୍ରର ରଂଗ ନିର୍ଦ୍ଦେଶ କରିବା ଛଡ଼ା ଅନ୍ୟ ସବୁ ପିଲାଟିକୁ ସ୍ୱାଧୀନ ଭାବରେ କରିବାର କ୍ଷମତା ଦିଆଯାଇଛି ।

ଏହାପରେ ୯ବର୍ଷରୁ ୧୨ବର୍ଷ ପିଲାଙ୍କ ପାଇଁ ଦୁଇ ବର୍ଷିଆ ସାର୍ଟିଫିକେଟ୍ କୋର୍ସ (Junior Certificate Course) ଓ ତାପର ୧୩ ବର୍ଷରୁ ୧୬ ବର୍ଷ ପିଲାଙ୍କ ପାଇଁ ସିନିଅର ସାର୍ଟିଫିକେଟ୍ କୋର୍ସ (Senior Certificate Course) ଲାଗୁ କରାଯାଇଛି ।

ଦୁଇବର୍ଷିଆ ଜୁନିଅର ପିଲାଙ୍କୁ ପ୍ରାଥମିକ ରଂଗ ବିଷୟରେ ତୁଳୀ ଚଳାଇବା, ସ୍କେଚ୍ କରିବା, ଡ୍ରଇଂ କରିବା, କୋଲେଜ ଆର୍ଟ କରିବା, କୌଣସି ଜିନିଷକୁ ଖୋଜି ତା’ର ପ୍ରିଣ୍ଟିଂ ବାହାର କରିବା, ନଷ୍ଟ ହୋଇ ଯାଉଥିବା ଜିନିଷକୁ ନେଇ ଖେଳନା ପ୍ରସ୍ତୁତ କରିବା, ଲମ୍ବ, ପ୍ରସ୍ଥ, ଉଚ୍ଚତା ପ୍ରଭୃତି ବିଷୟରେ ଜ୍ୟାମିତିକ ଧାରଣା ଆଣିବା, ସାଜସଜ୍ଜା କିପରି କରାଯାଏ ତା’ର ପ୍ରାରମ୍ଭିକ ପ୍ରସ୍ତୁତି ପ୍ରଭୃତି ଶିକ୍ଷା କରିଥାଆନ୍ତି ।

ପ୍ରଥମ ବର୍ଷ ସେମାନଙ୍କୁ ଫୁଲ, ଫଳ, ପନିପରିବା, ବୃକ୍ଷ, ପଶୁପକ୍ଷୀ, ମାଛ ପ୍ରଭୃତି ଜଳଚର ପ୍ରାଣୀ, ଏପରିକି ମଣିଷର ପେନ୍‌ସିଲ ଡ୍ରଇଂ ଶିକ୍ଷା ଦିଆଯାଇଥାଏ । ପିଲାମାନଙ୍କୁ ରଂଗ ପେନ୍‌ସିଲ, ପେଷ୍ଟାଲ, ଚାରକୋଲ, ପାଉଡର ରଂଗ ସହ ପରିଚିତ କରାଯିବା, ଷ୍ଟେନସିଲ କାଟିବା, ତାକୁ ସ୍ପ୍ରେ ରଂଗ ଦ୍ୱାରା ଭରିବା, ଷ୍ଟେନସିଲ କାଟିବା ଆଗରୁ ଡ୍ରଇଂ ହୋଇଥିବା କାଗଜ ଉପରେ ମହମ ବୋଳିବା ଓ ଷ୍ଟେନ୍‌ସିଲ କାଟିବାର ଧାରା ସହ ଆଳୁ, ଲିନୋ, କାଠକୁ ଖୋଳି ପ୍ରିଣ୍ଟ ବାହାର କରିବା ଏବଂ କାଗଜକୁ କାଟି ଡ୍ରଇଂ ବାହାର କରିବା, ଫୁଲ, ପତ୍ର ପକାଇ ତା’ ଚାରିପଟ ସ୍ପ୍ରେ କରି ଆକୃତି ବାହାର କରିବା, ସୂତାରେ ରଂଗ ବୁଡ଼ାଇ କାଗଜ ମଝିରେ ରଖି ଚାପ ସୃଷ୍ଟି କରି ଟାଣି ଚିତ୍ର ଅଙ୍କନ କରିବା ସହ ମାଟିରେ ଫଳ, ପନିପରିବା, ମାଛ, ଚଢ଼େଇ, ପଶୁ ମୂର୍ତ୍ତି, ମଣିଷର ମୂର୍ତ୍ତି ମଧ୍ୟ ଛୋଟ ଆକାରରେ କରି ଶିଖିବା ସହ ଅଦରକାରୀ ଜିନିଷ ଯଥା- ଚକ୍‌ଲେଟ୍ ଜରି, ଦିଆସିଲ ଖୋଳ, ଫୋପଡ଼ା ଯାଉଥିବା ବିଭିନ୍ନ ଜିନିଷ ସହ ଆସୁଥିବା ଥର୍ମୋକଲ, ଦିଆସିଲ କାଠି, ବିଭିନ୍ନ ଅଣ୍ଡା ଖୋଳପା, ବିଭିନ୍ନ ପ୍ରକାର ଶୁଖିଲା ପତ୍ର, ଡାଳ, ଚେର, ଧାନ, ଚାଉଳ, ବରଡ଼ାପତ୍ର, କୁଟା, ବାଉଁଶ, କଂକଡ଼ା ଖୋଳ ପ୍ରଭୃତିକୁ ନେଇ ଚିତ୍ର ଓ ଗୃହର ସଜ୍ଜିକରଣ ସରଞ୍ଜାମ ତିଆରି କରିବା ଶିକ୍ଷା ଦେବା ପାଇଁ ସିଲାବସ୍‌ରେ ନିର୍ଦ୍ଦେଶ ରହିଛି । ଏଥିସହ ବିଶେଷତଃ ଝିଅ ପିଲାମାନଙ୍କ ପାଇଁ ରଙ୍ଗୋଲି, ମେହେନ୍ଦି, ଚିତା ଅଙ୍କନ ପ୍ରଭୃତି ମଧ୍ୟ ଶିକ୍ଷା ଦେବା ପାଇଁ ନିର୍ଦ୍ଦେଶ ରହିଛି । ଏସବୁ ସହ ବିଭିନ୍ନ ପ୍ରଦର୍ଶନୀ ଦେଖିବା, ମନ୍ଦିର, ଗୁମ୍ଫାମାନଙ୍କର ଚିତ୍ରକଳାକୁ ଲକ୍ଷ୍ୟ କରିବା ଇତ୍ୟାଦି ମଧ୍ୟ ସେଥିରେ ଉଲ୍ଲେଖ ଅଛି ।

ଦ୍ୱିତୀୟ ବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ଦ୍ୱିମାତ୍ରିକ ଡ୍ରଇଂ, ସ୍କେଚ୍ ଇତ୍ୟାଦି ଶିକ୍ଷା ଦେବା ସହ ବିଗତ ବର୍ଷରେ ଥିବା ସମସ୍ତ କାର୍ଯ୍ୟଶୈଳୀକୁ ଅନୁସରଣ କରିବା, ତ୍ରୈମାତ୍ରିକ ଶିଳ୍ପ ପ୍ରସ୍ତୁତ କରିବା, କଣ୍ଢେଇ ପ୍ରସ୍ତୁତି, ଗୃହପୋକରଣ ପ୍ରସ୍ତୁତି, ଦଳଗତ ପ୍ରଦର୍ଶନୀ, ନିଜ ଚିତ୍ରର ଆଲବମ୍ ପ୍ରସ୍ତୁତି ପ୍ରଭୃତି କାର୍ଯ୍ୟ କରାଯିବାର ନିର୍ଦ୍ଦେଶ ରହିଛି । ପ୍ରତି ଛାତ୍ରର ଅଗ୍ରଗତି ସମ୍ପର୍କରେ ଶିକ୍ଷକର ମତାମତକୁ ମଧ୍ୟ ଅଗ୍ରାଧିକାର ଦିଆଯାଇଛି । ପର ଦୁଇବର୍ଷ ପାଇଁ ୧୩ ବର୍ଷରୁ ୧୬ ବର୍ଷ ମଧ୍ୟରେ ପିଲାମାନଙ୍କ ପାଇଁ ସିନିଅର ସାର୍ଟିଫିକେଟ୍ କୋର୍ସ (Senior Certificate Course) ପାଇଁ ନିମ୍ନଲିଖିତ ପାଠ୍ୟକ୍ରମ ସେଥିରେ ସାମିଲ କରାଯାଇଛି ।

ପ୍ରଥମ ବର୍ଷରେ ଦ୍ୱିମାତ୍ରିକ (ଲମ୍ବ ଗୁଣନ ପ୍ରସ୍ଥ) ଫ୍ରି ହେଣ୍ଡ ଡ୍ରଇଂ, ଚାର୍କୋଲ, କ୍ରେୟନ ପେଷ୍ଟାଲ ରଂଗରେ କାଗଜ ଉପରେ, ହାଡ଼ବୋର୍ଡ଼ ଉପରେ କାଗଜ ରଖି ତୁଳୀକୁ ଶୁଖିଲା ଭାବେ ଚଳାଇ ଶିଖିବା, ରଂଗର ମିଶ୍ରଣ ପ୍ରକ୍ରିୟା ଦ୍ୱାରା ନୂତନ ରଂଗ ସୃଷ୍ଟି ଓ ପ୍ରଥମେ ଫିକା ରଂଗରୁ ଗାଢ଼ ଆଢ଼କୁ ଗତି କରିବାର ଶିକ୍ଷା, ବାସନ କୁସନ, ଫୁଲଦାନୀ, ପରିବା ପାଛିଆ ପ୍ରଭୃତି ରଖି ତା’ର ଛବି ଅଙ୍କନ କରିବା, ‘ଷ୍ଟିଲ ଲାଇଫ୍ ଓ ତାହା ପେନ୍‌ସିଲ, ଲାଇନ୍ ଆର୍ଟ ଓ ରଂଗୀନ କରି ତିଆରି କରି, ମନରୁ ଛୋଟ ଛୋଟ ଚିତ୍ର ପ୍ରସ୍ତୁତ କରିବା ଯଥା ଗାଁ ହାଟ, ଷ୍ଟେଡ଼ିୟମ୍‌, ବସ୍‌ଷ୍ଟାଣ୍ଡ, ତୁମ ବିଦ୍ୟାଳୟ, ଗାଁ, ସହର, ଖେଳ ପଡ଼ିଆ ପ୍ରଭୃତି ଆଙ୍କି ଶିଖିବା ସହ ଚିତା ଅଙ୍କନ କାଚ ଉପରେ ତଳ ଛବିକୁ ଦେଖି ଅଙ୍କନ ପଦ୍ଧତି ପ୍ରଭୃତି ଶିକ୍ଷା ଦିଆଯିବା ପାଇଁ ପାଠ୍ୟକ୍ରମରେ ନିର୍ଦ୍ଦେଶ ରହିଛି । ଏଥିସହ ତ୍ରିମାତ୍ରିକ ମାଟି ମୂର୍ତ୍ତି, ଇଟାକୁ ଖୋଳି ମୂର୍ତ୍ତି, ଛୋଟ ନରମ ପଥର କାଟି ମୂର୍ତ୍ତି ପ୍ରସ୍ତୁତି, ସ୍ଥାନୀୟ ଲୋକକଳା ପ୍ରଭୃତିକୁ ଅଗ୍ରାଧିକାର ଭିତ୍ତିରେ ତିଆରି କରିବା ପାଇଁ ନିର୍ଦ୍ଦେଶ ରହିଛି ।

ଏହାର ଦ୍ୱିତୀୟ ବର୍ଷରେ ଦ୍ୱିମାତ୍ରିକ ଭୂମି ଉପରେ କାଗଜ ପକାଇ ସେଥିରେ ରଂଗୀନ ଚିତ୍ର ପ୍ରସ୍ତୁତି କରିବା, ରଂଗର ଟୋନ୍ ଶିକ୍ଷା କରିବା, ମନରୁ କମ୍ପୋଜିସନ୍‌, ଅଙ୍କନ କରିବା ଷ୍ଟିଲ ଲାଇଫ୍ ଷ୍ଟଡି ସହ ଲେ ଆଉଟ୍ (କ୍ଷବଚ୍ଚକ୍ଟଙ୍କଗ୍ଧ) ପ୍ରସ୍ତୁତିକରଣ ଶିକ୍ଷା କରିବା ସହ ତ୍ରିମାତ୍ରିକ (ଲମ୍ବ ଗୁଣନ ପ୍ରସ୍ଥ ଗୁଣନ ଉଚ୍ଚତା) ମାଟିରେ ପଶୁପକ୍ଷୀ ପ୍ରଭୃତି ପୂର୍ବଧାରାକୁ ଅନୁସରଣ ସହ ମୁଖା ତିଆରି କାଗଜ ମଣ୍ଡରେ କଣ୍ଢେଇ ପ୍ରସ୍ତୁତି ଶିକ୍ଷା ଦେବା ସହ ନିଜ ଚିତ୍ରର ଆଲବମ୍ ପ୍ରସ୍ତୁତି ପ୍ରଦର୍ଶନୀ ମିଳିତ ଭାବେ ଓ ଏକକ ଭାବେ କରିବା ପାଇଁ ଚେଷ୍ଟା କରିବା ଉଚିତ୍ ।

ଉପରୋକ୍ତ ପାଠ୍ୟ ଖସଡ଼ା ଅନୁଯାୟୀ ଶିକ୍ଷା ଦିଆଗଲେ ସେମାନଙ୍କ ଭିତରୁ ଭଲ ଭଲ ପିଲାମାନଙ୍କୁ କଳା ମହାବିଦ୍ୟାଳୟ ପାଇଁ ଉତ୍ସାହିତ କରାଯାଇପାରିବ । ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିପାରିଲେ ଭବିଷ୍ୟତରେ ଭଲ ଭଲ ଶିଳ୍ପୀ ଗଢ଼ିବାରେ ଆମ ରାଜ୍ୟ କ୍ଷମ ହୋଇପାରିବ ଏଥିରେ ସନ୍ଦେହ ନାହିଁ । ୨୦୦୭ ମସିହାରେ ଯେଉଁ ଅନୁଷ୍ଠାନଗୁଡ଼ିକ ଅଧିକ ସଂଖ୍ୟାରେ ପ୍ରଥମ ଶ୍ରେଣୀର ଛାତ୍ର ସୃଷ୍ଟି କରିବା ଦିଗରେ ସଫଳ ହୋଇଛନ୍ତି, ସେ ଅନୁଷ୍ଠାନ ଗୁଡ଼ିକ ହେଲେ- କ୍ରିଏଟିଭ ସ୍କୁଲ, ବାରିପଦା, ଜେ.ଏମ୍‌. ପବ୍ଲିକ୍ ସ୍କୁଲ, କଟକ; ସ୍କୁଲ ଅର୍ଫ ଆର୍ଟ ଏଣ୍ଡ କ୍ରାଫଟ, ବାରିପଦା; ଫକୀର ମୋହନ ଆର୍ଟ ଏଣ୍ଡ କ୍ରାଫଟ ସ୍କୁଲ ଶାନ୍ତିକାନନ, ବାଲେଶ୍ୱର; ଚିତ୍ରକଳା ବିକାଶ କେନ୍ଦ୍ର, ବାଲେଶ୍ୱର; କଳାୟତନ ସ୍କୁଲ ଅଫ୍ ଆର୍ଟ, ସୁନ୍ଦରଗଡ଼; ବାଲେଶ୍ୱର ଆର୍ଟ ସ୍କୁଲ, ବାଲେଶ୍ୱର; କଳାଭୂମି ବରପାଲି; କଳା ନିକେତନ, ବରଗଡ଼; ମୟୁରଭଞ୍ଜ କଳା ଏକାଡ଼େମୀ, ବାରିପଦା; କଳାକଳ୍ପନା, ବରଗଡ଼; କେନ୍ଦୁଝର ଆର୍ଟ ସ୍କୁଲ, ଆଞ୍ଚଳିକ ଶିଶୁ ଚିତ୍ରକଳା କେନ୍ଦ୍ର, ଭଦ୍ରକ; ଶ୍ରୀ ଅରବିନ୍ଦ କଳାଭବନ, ସୁନାବେଢ଼ା । ଏସବୁ ଅନୁଷ୍ଠାନ ସହ ଚଣ୍ଡିଗଡ଼ କଳାକେନ୍ଦ୍ର ଦ୍ୱାରା ପରିଚାଳିତ ସଂଗୀତ ବିଦ୍ୟାଳୟରେ ଚିତ୍ରକଳା ଶିକ୍ଷା ଦିଆଯାଇ ମଧ୍ୟ ପରୀକ୍ଷା କରାଯାଉଛି । ଖଇରାଗଡ଼ ୟୁନିଭରସିଟି ଦ୍ୱାରା ସହବନ୍ଧିତ ସଂଗୀତ ବିଦ୍ୟାଳୟରେ କଳାଶିକ୍ଷା ପ୍ରଦାନ କରାଯାଉଛି । ରୋଟାରୀ କ୍ଲବ, ଲାୟନ୍ସ କ୍ଲବ ମାଧ୍ୟମରେ ମଧ୍ୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ଶିଳ୍ପୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସେମାନଙ୍କ ମଧ୍ୟରେ ଥିବା ଚିତ୍ରକଳା ଗୁଣର ବିକାଶ ଲାଭ କରାଯାଇପାରୁଛି । ଶ୍ରୀଯୁକ୍ତ ଶରତ ରଥ ସମ୍ପାଦକ ଥିବାବେଳେ ‘ପୋଷ୍ଟାଲ ପେଣ୍ଟିଂ କମ୍ପିଟିସେନ୍‌’ ଅର୍ଥାତ୍ ପିଲାଟିଏ ନିଜେ ଚିତ୍ର ପ୍ରସ୍ତୁତ କରି ପୋଷ୍ଟାଲ ସାହାଯ୍ୟରେ ଆବଶ୍ୟକୀୟ ଏଣ୍ଟ୍ରି ଫିସ୍ ଦେଇ ଚିତ୍ର ପଠାଉଥିଲା ଏବଂ ତାହା ଶେଷରେ ମୂଲ୍ୟାୟନ କରାଯାଇ ତହିଁରୁ ଶ୍ରେଷ୍ଠ ଚିତ୍ରଗୁଡ଼ିକ ବାଛି ପୁରସ୍କୃତ କରାଯାଉଥିଲା ।

ଏହାଦ୍ୱାରା ପିଲାଟି ସେହି ଚିତ୍ର ଅଙ୍କନ କରିଛି କି ନାହିଁ ତାହା ଜାଣି ହେଉ ନଥିଲା । କିନ୍ତୁ ପ୍ରୋତ୍ସାହନ ଜାରି ରହିଥିଲା । ଏହାକୁ ଅନୁସରଣ କରି ଭୁବନେଶ୍ୱରର ‘ହେଣ୍ଡିକ୍ରାଫଟ ଡେଭଲେପମେଣ୍ଟ ସେଣ୍ଟର’ ପକ୍ଷରୁ ରାଜ୍ୟ ସ୍ତରୀୟ ପୋଷ୍ଟାଲ ଡ୍ରଇଂ କମ୍ପିଟିସନ୍ ୨୦୦୬ରୁ ଆରମ୍ଭ କରାଯାଇଛି । ଏସବୁର ବହୁ ପୂର୍ବରୁ ୧୯୬୫ ରେ ଚାଚା ଶିଶୁ କିଶୋର ଅନୁଷ୍ଠାନ, କଟକ, ଯୁବ କଳାକାର ସଂଘ, ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲା କଳା ଶିକ୍ଷକ ସଂଘ, ବ୍ରହ୍ମପୁର ପ୍ରଭୃତି ରାଜ୍ୟସ୍ତରୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା ମାନ କରାଇ ଚିତ୍ରକଳା ପ୍ରତି ପିଲାମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରାଉଥିଲେ । ଗଞ୍ଜାମ ଜିଲ୍ଲା କଳା ଶିକ୍ଷକ ସଂଘ ଶିଶୁ ଚିତ୍ରକଳା ପ୍ରତିଯୋଗିତା ପଛକୁ ସର୍ବଭାରତୀୟ ଚିତ୍ର ପ୍ରଦର୍ଶନୀ କରାଉଥିଲେ । ସବୁଗୁଡ଼ିକ ପୋଷ୍ଟାଲ ଦ୍ୱାରା ହିଁ ଯାଉଥିଲା । ଏହାର ପ୍ରଚ୍ଛଦ ପଟରେ ଯେଉଁ ଶିଳ୍ପୀଙ୍କର ପ୍ରବଳ ପ୍ରଚେଷ୍ଟା କାର୍ଯ୍ୟ କରୁଥିଲା, ସେ ହେଲେ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ମହାରଣା । କେଶବ ମହାରଣାଙ୍କ ପରଲୋକ ଘଟିବା ପରେ ଗଞ୍ଜାମ ଜିଲ୍ଲା ଡ୍ରଇଂ ମାଷ୍ଟର ଆସୋସିଏସନ୍ ପ୍ରାୟ ବନ୍ଦ ହୋଇଛି । ତାଙ୍କ ଘର ଥିଲା ତାଙ୍କ କାର୍ଯ୍ୟାଳୟ । ତାଙ୍କୁ ସମସ୍ତେ ଭକ୍ତି ଓ ଶ୍ରଦ୍ଧା କରୁଥିଲେ । ସେ ପିଲାମାନଙ୍କ ସୃଜନ ଶକ୍ତିର ବିକାଶ ପାଇଁ ଆପ୍ରାଣ ଉଦ୍ୟମ ଜାରୀ ରଖିଥିଲେ । ସେ ଆଜି ନାହାନ୍ତି ସତ ମାତ୍ର ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ଶହ ଶହ ଶିଳ୍ପୀ ପ୍ରାଣରେ ସେ ଅଲିଭା ଛବିଟିଏ ହୋଇ ଲାଖି ରହିଛନ୍ତି । ତାଙ୍କ ପରେ ଡକ୍ଟର ଦୀନନାଥ ପାଠୀ ତାଙ୍କ ସ୍ୱର୍ଗତା କନ୍ୟାଙ୍କ ସ୍ମୃତିରେ ଏକ ସର୍ବଭାରତୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଆୟୋଜନ କରିଥିଲେ । ଗୋଟାଏ ବର୍ଷ ପରେ ତାହା ବନ୍ଦ ହୋଇଗଲା । ମାତ୍ର ଦୀର୍ଘ ବର୍ଷ ଧରି ବାରିପଦାର ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ପ୍ରତିଷ୍ଠିତ ସ୍କୁଲ ଅଫ୍ ଆର୍ଟ ଏଣ୍ଡ କ୍ରାଫ୍ଟ ପକ୍ଷରୁ ତାଙ୍କ ସ୍କୁଲରେ ପଢ଼ୁଥିବା ପିଲାଙ୍କ ମଧ୍ୟରେ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଓ ପ୍ରଦର୍ଶନୀ ବଡ଼ ଆକାରରେ କରାଯାଇଥାଏ । ଏଥିସହ ବରଗଡ଼ର ଶିଳ୍ପୀ ଅଶୋକ କୁମାର ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ କଳା ଓ କଳ୍ପନା ମାଧ୍ୟମରେ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀର ଆୟୋଜନ କରାଯାଉଥିବାବେଳେ ବାଲେଶ୍ୱରର କଳାକ୍ଷେତ୍ର, ରୋଟାରୀ ଆର୍ଟ ସ୍କୁଲ, ଚିତ୍ରକଳା ବିକାଶ କେନ୍ଦ୍ର ଓ ଫକୀରମୋହନ କଳା ବିଦ୍ୟାଳୟ ପକ୍ଷରୁ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଓ ପ୍ରତିଯୋଗିତ ଅନୁଷ୍ଠିତ ହୋଇଥାଏ । ଭଦ୍ରକରେ ବହୁ ଆଗରୁ ପିଲାମାନଙ୍କ ଚିତ୍ରକୁ ନେଇ ଶିଳ୍ପୀ ସୁଶାନ୍ତ ନାୟକଙ୍କ ଉଦ୍ୟମରେ ପ୍ରଦର୍ଶନୀ ଓ ପ୍ରତିଯୋଗିତା ହେଉଥିବାବେଳେ ଅଧୁନା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଦ୍ୱାରା ମଞ୍ଜୁରୀ ରୋଡ଼, ଭଦ୍ରକ ଠାରେ ଉତ୍କଳ କଳା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ନିୟମିତ ଭାବେ ରାଜ୍ୟ ସ୍ତରୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ଶିଳ୍ପୀ ରାଜବଲ୍ଲଭ ସାହୁଙ୍କ ଉଦ୍ୟମରେ ‘କଳାଘର’ ପକ୍ଷରୁ ପିଲାମାନଙ୍କର ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ସବୁଠାରୁ ଖୁସିର କଥା ଶିଳ୍ପୀ ଦିବସ-୨୦୧୬ ମସିହାରେ ମଡର୍ଣ୍ଣ ଆର୍ଟ ଗ୍ରାଲେରୀ ପକ୍ଷରୁ ସର୍ବଭାରତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଓ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜନ କରିପାରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା ଓ ପ୍ରଦର୍ଶନୀ ପଛରେ ରବିବାସରୀୟ ଚିତ୍ରକଳା ବିଦ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଣୁ ଏହି ବିଦ୍ୟାଳୟର ପାଠ୍ୟକ୍ରମକୁ ସଠିକ୍ ଭାବରେ ପିଲାଙ୍କ ପାଖରେ ପହଞ୍ଚାଇ ପାରିଲେ ପିଲାମାନେ ବଡ଼ ଶିଳ୍ପୀଭାବେ ନିଜକୁ ପ୍ରତିପାଳିତ କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ଶିଳ୍ପୀମାନ ଜୀବନୀ ସହ ପରିଚିତ ହୋଇପାରିବେ ଏଥିରେ ସନ୍ଦେହ ନାହିଁ।

Share This Article
ଚିତ୍ରକର, କଳା ଶିକ୍ଷକ, ଲେଖକ