ପ୍ରଶ୍ନ ଆସିପାରେ ଚେତନାଟା କ’ଣ ଏବଂ ସେଥିରୁ କ’ଣ ସବୁ ଜନ୍ମ ନେଇଥାଏ? ଆମେ ଯେତେବେଳେ ଏଠି ଚେତନା କଥା କହୁ ତାହା ନିଶ୍ଚିତଭାବରେ ସାଧାରଣ ଅର୍ଥରେ ବୁଝାଯାଉଥିବା ଆଧ୍ୟାତ୍ମିକ ଚେତନା ନୁହେଁ । ଭୋଗବାଦୀ ଚେତନାଠାରୁ ନିଜକୁ ଦୂରରେ ନରଖି ଯଦି କେହି ଚେତନା କଥା କହେ ତା’ର ବା ମାନେ କ’ଣ ରହିବ! ବଡ଼ ବଡ଼ ବିଦ୍ୱାନମାନେ, ଇତିହାସ ପୃଷ୍ଠାରେ ହେଉ ବା ଏବେ ଆମ ସମୟରେ ହେଉ, ଚେତନାକୁ ନେଇ ଯାହା ବ୍ୟାଖ୍ୟା କରିଛନ୍ତି ତା’କୁ ଆମେ ଏଠି ଆଲୋଚନା କରୁନାହୁଁ ।
ଆମେ ହି ଚେତନାରୁ ସୃଷ୍ଟି ହେଉଥିବା ସୃଜନଶୀଳତା ଉପରେ କିଛି ଆଲୋଚନା କରୁଛୁ ଯାହା ଅନ୍ୟପ୍ରକାରେ ଆମ ପାଖରେ କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ସାହିତ୍ୟ, ସଙ୍ଗୀତ ଓ ନାଟକ ଇତ୍ୟାଦି ରୂପରେ ଆତ୍ମପ୍ରକାଶ କରିଥାଏ। ସୃଜନଶୀଳତାର ବିବିଧତା ସୂଚାଇଥାଏ ଯେ ମଣିଷର ସୃଜନଶୀଳ ଚେତନା କେତେ ବ୍ୟାପକ ଓ କେତେ ଗଭୀର। ନାଟକ ଏହିଭଳି ଏକ ସୃଜନଶୀଳ ସୃଷ୍ଟି ଯାହା ଚେତନାର ଗଭୀରତାକୁ ଏବଂ ବ୍ୟାପକତାକୁ ସୂଚାଇ ଦେଇଥାଏ।
ନାଟକ ଜନ୍ମନେଇଥାଏ ସୃଜନଶୀଳ ଚେତନା ଭିତରୁ। ଚେତନାଟି କେବଳ ଘରେ ବସି ବା ନାଟକର ବାସ୍ନାରେ ମହକୁଥିବା କୌଣସି ନିବୃତ କୋଣରେ ଧ୍ୟାନମଗ୍ନ ଅବସ୍ଥାରେ ପରିକଳ୍ପନା କରିହୁଏ ନାହିିଁଁ। ଚେତନା ତିଆରି ହୋଇଥାଏ ସମାଜ ସହ ନିବିଡ଼ ସମ୍ପର୍କ ଭିତରୁ ଏବଂ ଲୋକଙ୍କ ସହିତ ସମ୍ପର୍କକେବଳ ମଣିଷର ସୃଜନଶୀଳ ଚେତନା ଏବଂ ସେ ଯେଉଁ ଅନୁଭୂତି ଦେଇଥାଏ ତାକୁ ଭିତ୍ତିକରି।
ଲୋକ କହିଲେ ଏଠି ସେହି ଲୋକମାନଙ୍କୁ ବୁଝାଯାଏ ନାହିଁ ଯେଉଁମାନେ ନାଟକ ଭିତରେ ଖୋଜନ୍ତି ମନୋରଞ୍ଜନ ଏବଂ ବିଳାସ। ଅନୁଭୂତି ସେହି ଲୋକମାନଙ୍କ ମଧ୍ୟରୁ ମିଳିଥାଏ ଯେଉଁମାନେ ବଂଚିରହିବା ପାଇଁ ସଂଘର୍ଷ କରନ୍ତି, ଲୁହ-ଲହୁ ଦେଇ ଜୀବନ ବିତାନ୍ତି। ସେହିମାନେ ହେଉଛନ୍ତି ଚାଷି-ମୂଲିଆ, ଆଦିବାସୀ, ଦଳିତ, ଖଟିଖିଆ, ମେହେନତି ମଣିଷ। ଯେତେବେଳେ ସେମାନଙ୍କର ଚେହେରା, କଥା ବା କାହାଣୀ ବିଭିନ୍ନ ଚରିତ୍ର ମାଧ୍ୟମରେ ମଞ୍ଚ ଉପରକୁ ଆସିଯାଏ ସେତେବେଳେ ଖାଲି ମଣିଷଟିଏ ନଥାଏ, ଦର୍ଶକର ଆଖିପରଦାରେ ନାଚି ନାଚି ଯାଏ ଅନେକ ଦୃଶ୍ୟପଟ୍ଟ ଯେମିତିକି ନଦୀ, ନିର୍ଝରଣୀ, ସାଗର, ଜମି, ଜଙ୍ଗଲ ଓ ପାହାଡ଼- ସାମଗ୍ରିକ ଭାବରେ କହିବାକୁ ଗଲେ ପ୍ରକୃତି।
ଗୋଟିଏ ପଟେ ପ୍ରକୃତି ଏବଂ ଅନ୍ୟପଟେ ପ୍ରକୃତି ସହ ତାଳଦେଇ ତଥା ସମନ୍ୱୟ ରଖି ବିତିଚାଲିଥିବା ଜୀବନ, ଘଟଣା ଓ ଅଘଟଣ ନାଟ୍ୟକାରର ଚେତନା ଭିତରକୁ ଆସିଲାବେଳେ, ଦର୍ଶକର ଚେତନାର ସଂଘର୍ଷ ଏବଂ ସମନ୍ୱୟ ମଧ୍ୟ ଘଟିଥାଏ। ଯଦି ଉଭୟ ନାଟ୍ୟକାର ଏବଂ ନାଟ ଦେଖୁଥିବା ଲୋକ ଚେତନାର ଉପରୋକ୍ତ ପୃଷ୍ଠଭୂମିକୁ ଅଣଦେଖା କରି ନାଟକ ଦେଖାଇବା ପାଇଁ ଚାହିଁବେ ବା ଦେଖିବାକୁ ପସନ୍ଦ କରିବେ ତେବେ ତା’କୁ ଆମେ ସହଜରେ ଗ୍ରହଣ କରିପାରିବା କି?
ସାମାଜିକ ଚେତନାର ଅଭାବରେ ଯଦି ନାଟକ ପରିକଳ୍ପନା କରାଯାଏ ତେବେ ତାହା କେବଳ କେତୋଟି ବର୍ଗର ଚିତ୍ତ ବିନୋଦନ ପାଇଁ ହିଁ କାମ କରିପାରେ। ଏକଥା ସତ ଯେ ମଣିଷ ନିଜର ଭାବର ଅଭିବ୍ୟକ୍ତି ପ୍ରକାଶ କଲାବେଳେ ଯେମିତି ବିଭିନ୍ନ ମାଧ୍ୟମର ଆଶ୍ରୟ ନେଇଥାଏ ସେହିଭଳି ଚିତ୍ତ ବିନୋଦନ ପାଇଁ ମଧ୍ୟ ମଣିଷ ବିଭିନ୍ନ ସମୟରେ ଯେଉଁ ମାଧ୍ୟମଗୁଡ଼ିକର ବ୍ୟବହାର କରିଥାଏ ସେହି ଭିତରୁ ଗୋଟିଏ ମାଧ୍ୟମ ହେଲା ନାଟକ। ମାଧ୍ୟମ ହିସାବରେ ମଧ୍ୟ ନାଟକ ଅନେକ ବିବର୍ତ୍ତନ ଦେଇ ଗତିକରିଆସିଛି।
ନାଟକ ଯେ ସମାଜରେ ଗୋଟିଏ ବାର୍ତ୍ତାଦେବ, ସଚେତନତା ସୃଷ୍ଟିକରିବ, ଲୋକଙ୍କୁ ଜାଗ୍ରତକରିବ, ଲୋକଙ୍କୁ ପରିବର୍ତ୍ତନ ଆଡ଼କୁ ନେବ ନାଟକର ଏଇପ୍ରକାର ଭୂମିକା ଇତିହାସରେ ପ୍ରାୟ କ୍ୱଚିତ ଦେଖିବାକୁ ମିଳେ। କେବଳ ଯେଉଁଠି ଯେଉଁଠି କିଛି କିଛି ସାମାଜିକ ବିପ୍ଳବ ପ୍ରକ୍ରିୟା ଆରମ୍ଭ ହୋଇଛି ସେଇଠି କେମିତି କେମିତି ଲୋକନାଟକ, ଲୋକଗୀତ ଓ ଲୋକସଂସ୍କୃତିରେ ଏଭଳି ଢାଞ୍ଚାଗୁଡ଼ିକୁ ବ୍ୟବହାର କରାଯାଇଛି ଓ ତା’ର ଫଳ ବି ଲୋକେ ପାଇଛନ୍ତି। କିନ୍ତୁ ମୁଖ୍ୟତଃ ସମାଜରେ ନାଟକ ଶବ୍ଦ ସାଧାରଣତଃ ଚିତ୍ତବିନୋଦନ ବା କୌଣସିପ୍ରକାର ଆମୋଦପ୍ରମୋଦ ପାଇଁ ବ୍ୟବହାର କରାଯାଇଆସିଛି।
ସେହି ଭିତରେ ନାଟକର ବିଷୟବସ୍ତୁ ସମ୍ପର୍କରେ ଯଦି ଦେଖାଯାଏ ବିଭିନ୍ନ ସମୟରେ ସମାଜରେ ଲୋକଙ୍କର ସଂସ୍କୃତି, ଚାଲିଚଳଣି, ଜୀବନଧାରା ତାକୁ ନେଇକରି ନାଟକର ବିଷୟବସ୍ତୁଗୁଡ଼ିକ ବି ନିର୍ଦ୍ଧାରିତ ହୋଇଆସିଛି । ମୁଖ୍ୟତଃ ଆମ ସମାଜରେ ଦେଖିଲେ ପୌରାଣିକ ତଥା ଐତିହାସିକ କାହାଣୀଗୁଡ଼ିକ ନାଟକର ବିଷୟବସ୍ତୁ ହୋଇ ବହୁଦିନ ହେଲା ରହିଆସିଛି । ଯେତେବେଳେ କିଛି କିଛି ଅନ୍ୟସବୁ ସଂସ୍କୃତି ସହିତ ଆଦାନପ୍ରଦାନ ହୋଇଛି, ଅନ୍ୟ ସାହିତ୍ୟ, ଅନ୍ୟ ନାଟକ ସଂସ୍ପର୍ଶରେ ଆମ ଲେଖକ ଓ ନାଟ୍ୟକାରମାନେ ଆସିଛନ୍ତି ସେତେବେଳେ ସାମାଜିକ ବିଷୟବସ୍ତୁ ନେଇ ନାଟକ ରଚନା ଓ ମଞ୍ଚସ୍ଥ କରିବା କଥା ଆସିଛି । ଆମ ଦେଶର ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗଳା, ଆନ୍ଧ୍ରପ୍ରଦେଶ ଓ ଉତ୍ତରଭାରତର କେତେକ ଅଞ୍ଚଳରେ ବହୁତ ସୁନ୍ଦର ବିଷୟବସ୍ତୁ ଥାଇ ସାମାଜିକ ନାଟକ ବି ତିଆରି ହୋଇଛି । କିନ୍ତୁ ନାଟକଟା ଯେତେବେଳେ ମଞ୍ଚରେ ଆବଦ୍ଧ ହୋଇ ରହିଛି ସେତେବେଳେ ନାଟକ ସମାଜର ନିର୍ଦ୍ଦିଷ୍ଟ ଶ୍ରେଣୀଙ୍କର ଉପଭୋଗ ପାଇଁ ହିଁ ବ୍ୟବହୃତ ହୋଇଛି ।
ଆମଭଳି ସମାଜରେ ଯେଉଁଠି ଜାତି, ଧର୍ମ ବିଭିନ୍ନପ୍ରକାର ସାମାଜିକ ବିଭେଦ ଭରପୂର ଅଛି ସେଠି ସମାଜର ତଳସ୍ତରରେ ଥିବା ଲୋକ ମଞ୍ଚ ନିକଟକୁ ଯାଇ ନାଟକ ଦେଖିବା ସମ୍ଭବପର ନୁହେଁ । ଗ୍ରାମାଞ୍ଚଳର ସାମୂହିକ ଭାବେ ତିଆରି ହୋଇଥିବା ନାଟକ, ମଞ୍ଚଠାରୁ ଆରମ୍ଭକରି (ଯେଉଁଟାକି ଆଜିକାଲିର ଭିଡ଼ିଓ, ଫିଲ୍ମ, ଟିଭି ସିରିଏଲ୍ ଯୁଗରେ ବିଲୁପ୍ତ ହେବାକୁ ବସିଲାଣି) ଭୁବନେଶ୍ୱରର ରବିନ୍ଦ୍ରମଣ୍ଡପ ଯାଏଁ କେଉଁ ଲୋକମାନେ ଯାଇ ନାଟକ ଦେଖୁଛନ୍ତି ଆମେ ଜାଣୁଛନ୍ତି।
ମଞ୍ଚ ନାଟକର ସୀମାଟି ଏହି ଯେ ସେ କେବଳ କିଛି ଲୋକଙ୍କୁ ମଞ୍ଚ ଭିତରକୁ ଆଣିପାରେ ଅର୍ଥାତ ନାଟକ ଲୋକଙ୍କ ପାଖକୁ ଯାଏନି ଲୋକ ନାଟକପାଖକୁ ଆସନ୍ତି । ଯେଉଁ ଲୋକମାନେ ସାମାଜିକ ଓ ଅର୍ଥନୈତିକ ବାଧାବନ୍ଧନ, ପ୍ରତିବନ୍ଧକ ଅତିକ୍ରମ କରି ସୁବିଧାରେ ଆସିପାରୁଛନ୍ତି ସେମାନେ ନାଟକଟା ଦେଖିପାରନ୍ତି । ସମସ୍ତେ ନାଟକକୁ ଦେଖିପାରନ୍ତି ନାହିଁ।
ଏଇଟା ହେଲା ଗୋଟିଏ କଥା। ଅନ୍ୟ କଥାଟି ହେଲା ନାଟକର ବିଷୟବସ୍ତୁ କ’ଣ? ନାଟକର ବିଷୟବସ୍ତୁ ହୁଏତ ଅବସର ବିନୋଦନ ପାଇଁ ତିଆରି ହୋଇଥାଏ । ଯଦି ନାଟକର ଦର୍ଶକମଣ୍ଡଳିରେ ସାଧାରଣ ଲୋକ ରହିବେନି ଏଇକଥା ଚିନ୍ତା କରାଯାଇଥାଏ ସେଥିରେ ଉଚ୍ଚବର୍ଗର ଲୋକଙ୍କୁ ସୁହାଇଲା ଭଳି ବିଷୟବସ୍ତୁ ନିର୍ବାଚିତ କରିବା ସ୍ୱାଭାବିକ କଥା ହୋଇଥାଏ । ବିଷୟବସ୍ତୁ ରହିପାରେ କିଛି ପୌରାଣିକ, କିଛି ଐତିହାସିକ, ରୋମାଞ୍ଚକର, କିଛି ଉଦ୍ଭଟ ନାଟକ ।
ଯଦି କେହି ପାଶ୍ଚାତ୍ୟ ଦେଶରୁ କିଛି ନାଟକ ଦେଖିକରି ଆସିଛି ତାକୁ ସେ ଏଇଠି ପରୀକ୍ଷା ବି କରିଥାଏ । ମଧ୍ୟବିତ୍ତ ଶ୍ରେଣୀ ବା ଶିକ୍ଷିତ ଶ୍ରେଣୀର ସମସ୍ୟାକୁ ନେଇ ନାଟକ ପ୍ରାୟ ସେମିତି ନଥାଏ । ଯଦିବି କିଛି ନାଟକ ହୋଇଛି ସେମାନଙ୍କ ସମସ୍ୟା କିଛି କିଛି ସ୍ଥାନ ପାଇଛି । କିନ୍ତୁ ଅତି ସାଧାରଣ ବର୍ଗର ଖଟିଖିଆ, ମୂଲିଆ, ଚାଷୀ, ମଜୁରିଆ ଯେଉଁମାନେ ମେହେନତକାରୀ ମଣିଷ ସେମାନଙ୍କର ଦୈନନ୍ଦିନ ଜୀବନର ଯେଉଁ ସଂଘର୍ଷର କାହାଣୀ ବା ଜୀବନ ସହିତ ମୁକାବିଲାର କାହାଣୀ, ଜୀବନ ସଂଗ୍ରାମର କାହାଣୀ ଏଇଟା ଯଦିବି ନାଟକର ବିଷୟବସ୍ତୁକୁ ଆସନ୍ତା ତେବେ ଦେଖଣାହାରୀ କିଏ? କାରଣ ଏଭଳି ବିଷୟବସ୍ତୁ ନେଇ ହେଉଥିବା ନାଟକକୁ ଦେଖିବା ପାଇଁ ଏହି ଶ୍ରେଣୀର ଲୋକମାନେ ମଞ୍ଚ ନାଟକକୁ ଦେଖିବା ପାଇଁ ଯାଆନ୍ତି କି?
ଯେଉଁ କାହାଣୀରେ ସେମାନେ ନିଜେ ନାହାନ୍ତି ସେମାନେ ନାଟକଟିକୁ କାହିଁକି ଉପଭୋଗ କରିବା ପାଇଁ ଚାହିଁବେ? ଯାହାର ଭଲ ଉଦାହରଣଗୁଡ଼ିକ ଦେଖିବାକୁ ମିଳେ ଟିଭି ସିରିଏଲ୍ଗୁଡ଼ିକରେ । ପ୍ରତ୍ୟେକ ଟିଭି ସିରିଏଲରେ ବଡ଼ ଘର ହୋଇଥିବ, ବଡ଼ ସହର ହୋଇଥିବ, ବଡ଼ ଲୋକ ହୋଇଥିବେ । ପୁରୁଷ ହୋଇଥିଲେ ତାଙ୍କର ଜୀବନଶୈଳୀ ଭଲ ହୋଇଥିବ । ଆଉ ସ୍ତ୍ରୀ ହୋଇଥିଲେ ଦାମୀ ଶାଢ଼ୀ, ମୁଣ୍ଡରୁ ଗୋଡ଼ଯାଏଁ ଗହଣା ଥିବ । ଯେତେସବୁ ବଡ଼ ବଡ଼ ଜିନିଷ, ବଡ଼ ବଡ଼ କଥା, ବଡ଼ ବଡ଼ ଚାଲିଚଳଣୀ ଏଗୁଡ଼ିକ ଥିଲେ ହିଁ ଲୋକସବୁ ଦେଖୁଛନ୍ତି ।
କିନ୍ତୁ ସେଇଠି ଯଦି ଟିଭି ସିରିଏଲ୍ରେ ଗୋଟିଏ ସଂଘର୍ଷମୟ ଜୀବନର କାହାଣୀ ଦିଏ ତା’ର ଚାହିଦା କେତେ ରହିବ? କେତେ ବର୍ଷ ଧରି ଏଭଳି ଗୋଟେ ସିରିଏଲ୍ ଚାଲିବ? ସେଇଟା ଯଦି ମଞ୍ଚରେ ଆମେ ଦେଖିବା, ମଞ୍ଚରେ ବି ଆବାହମାନ କାଳରୁ ନିର୍ଦ୍ଦିଷ୍ଟ କଥାକୁ ନେଇ ନାଟକ ହେଉଛି । ସାଧାରଣ ଲୋକେ ସେ ଭିତରେ ନାହାନ୍ତି । ସେହିଦୃଷ୍ଟିରୁ ଦେଖିବାକୁ ଗଲେ ମଞ୍ଚ ନାଟକର ଯାହା ବି କିଛି ପରିବର୍ତ୍ତନ ହୋଇଛି ସେଇଟା କେବଳ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ନେଇ କି ହିଁ ହୋଇଛି । ନାଟକକୁ ନେଇ ଯାହାବି ବିତର୍କ ହୋଇଛି ସେଇଟା କେବଳ ନିର୍ଦ୍ଦିଷ୍ଟ ଶ୍ରେଣୀ ଭିତରେ ଆବଦ୍ଧହୋଇଛି ।
ପ୍ରଥମଥର ପାଇଁ ନାଟକ ଯାଇଛି ମଞ୍ଚ ବାହାରକୁ ଯେତେବେଳେ ପ୍ରଗତିଶୀଳ ନାଟ୍ୟସଂସ୍ଥାମାନେ ଆସିଲେ, ସେମାନେ ଦେଖିଛନ୍ତି ଯେ ଏହି ନାଟକଗୁଡ଼ିକରେ ସାଧାରଣ ଲୋକଙ୍କର ଜୀବନଜୀବିକାର ପ୍ରତିଫଳନ ହେଉନାହିଁ । ନାଟକଗୁଡ଼ିକ ସାଧାରଣ ଲୋକଙ୍କର ସଂଘର୍ଷର କଥା କହୁନାହାନ୍ତି । ତାଙ୍କର ଶୋଷଣର କଥା କହୁନାହାନ୍ତି । ଏହା ବ୍ୟତୀତ ତାପାଖରେ ସମୟ ନାହିଁ ଅନ୍ୟ କାହାର ସୁଖ, ସମ୍ଭୋଗ, ସମୃଦ୍ଧି ବା ପ୍ରାଚୁର୍ଯ୍ୟକୁ ନେଇ ତିଆରି କରାଯାଇଥିବା କାହାଣୀଗୁଡ଼ିକୁ ସେ ଦେଖିବ । ସେଇଟା ଅନୁଭବ କଲାପରେ କିଛି ପ୍ରଗତିଶୀଳ ଚିନ୍ତାଧାରାର ଲୋକ ଚେଷ୍ଟାକଲେ ଯେ କେମିତି ନାଟକକୁ ନେଇ ଲୋକଙ୍କ ନିକଟରେ ପହଞ୍ଚାଇବା ବିଶେଷ କରି ସେହିମାନଙ୍କ ପାଖକୁ ଯେଉଁମାନଙ୍କର ମଞ୍ଚ ସହିତ କିଛି ସମ୍ପର୍କ ନାହିଁ ।
ସେମାନଙ୍କର ମୂଳଉଦ୍ଦେଶ୍ୟ ଥିଲା କେମିତି ନାଟକଟିକୁ ମାଧ୍ୟମ କରି କିଛି ଜୀବନଧର୍ମୀ ଓ ଜୀବନ ଉପଯୋଗୀ କଥା/କାହାଣୀ, ସମସ୍ୟା ନେଇ ଲୋକଙ୍କ ନିକଟରେ ପହଞ୍ଚାଇବା । ସେଇଥିପାଇଁ ହୁଏତ ପଥପ୍ରାନ୍ତ ନାଟକ ଆରମ୍ଭ ହୋଇଥିଲା । ପଥପ୍ରାନ୍ତ ନାଟକକୁ ବିଶେଷ ଭାବରେ ପରିଚିତ କରାଇଲା ଇପ୍ଟା ବା ଭାରତର ପ୍ରଗତିଶୀଳ ନାଟ୍ୟସଂସ୍ଥା । ଜନନାଟ୍ୟ ମଞ୍ଚ ଯାହାର ପ୍ରତିଷ୍ଠାତା ଥିଲେ ସଫଦର ହାସମୀ ପଥପ୍ରାନ୍ତ ନାଟକକୁ ଚର୍ଚ୍ଚା ଭିତରକୁ ଆଣିଥିଲା ଏବଂ ଏହାର ରାଜନୈତିକ ପ୍ରଭାବ ସମ୍ପର୍କରେ ବଳିଷ୍ଠ ପ୍ରମାଣ ଦେଇଥିଲା ବିଶେଷକରି ଯେତେବେଳେ ରାଜନୈତିକ ଶକ୍ତିମାନଙ୍କ ହାତରେ ନାଟକ ମଞ୍ଚସ୍ଥ ହେଲାବେଳେ ସଫ୍ଦର ହାସମୀଙ୍କର ହତ୍ୟା କରାଯାଇଥିଲା ।
ଓଡ଼ିଶାରେ ମଧ୍ୟ ପଥପ୍ରାନ୍ତ ନାଟକ ବା ଜନନାଟ୍ୟ ଆନ୍ଦୋଳନର ପ୍ରଭାବ ବେଶ୍ କିଛି ପଡ଼ିଥିଲା। ସର୍ବଭାରତୀୟ ପ୍ରଗତିଶୀଳ ନାଟ୍ୟସଂସ୍ଥାମାନଙ୍କର ଓଡ଼ିଶା ଶାଖାମାନେ ଓଡ଼ିଶାରେ ପଥପ୍ରାନ୍ତ ନାଟକର ମୂଳଦୁଆ ସ୍ଥାପନ କରିଥିଲେ । ପରେ ପରେ ରାଜ୍ୟବ୍ୟାପୀ ପଥପ୍ରାନ୍ତ ନାଟକ ଆୟୋଜନ କରିବାରେ ମୁଖ୍ୟଭୂମିକା ନେଇଥିଲେ ଭାରତ ଜ୍ଞାନବିଜ୍ଞାନ ସମିତି ଓ ସର୍ବଭାରତୀୟ ଜନବିଜ୍ଞାନ ସଙ୍ଗଠନ ।
କିଛି ସ୍ୱେଚ୍ଛାସେବୀ ସଙ୍ଗଠନମାନେ ମଧ୍ୟ ପଥପ୍ରାନ୍ତ ନାଟକକୁ ମାଧ୍ୟମ କରି ଜନସଚେତନତା ପ୍ରସାର କଲେ । ଯାହାର କିନ୍ତୁ ସାମାଜିକ ପରିବର୍ତ୍ତନ ମୁଖ୍ୟ ବିଷୟବସ୍ତୁ ହୋଇ ରହିଲାନାହିଁ । ଏମିତିରେ ସ୍ୱେଚ୍ଛାସେବି ସଙ୍ଗଠନମାନେ ସରକାରୀ, ବେସରକାରୀ, ଅନ୍ତଃରାଷ୍ଟ୍ରୀୟ ତଥା କର୍ପୋରେଟ୍ ସଂସ୍ଥାମାନଙ୍କ ଠାରୁ ଅର୍ଥ ନେଇ ପଥପ୍ରାନ୍ତ ନାଟକକୁ ପ୍ରଚାରଧର୍ମୀ କରି ତା’ର ପ୍ରତିରୋଧାତ୍ମକ ଚରିତ୍ରକୁ ନଷ୍ଟ କରିଛନ୍ତି । ଏବେବି ନାଟୁଆମାନଙ୍କ ଭିତରେ ଏକ ଅଘୋଷିତ ଶ୍ରେଣୀ ସ୍ଥିତି ଯୋଗୁଁ ମଧ୍ୟମବର୍ଗରେ ଖ୍ୟାତି ଅର୍ଜନ କରିଥିବା ନାଟ୍ୟକାରମାନେ ରଙ୍ଗମଞ୍ଚ ବାହାରେ ପରିବେଶିତ ହେଉଥିବା ନାଟକଗୁଡ଼ିକୁ ତଳଶ୍ରେଣୀର କୃତି ହିସାବରେ ବିଚାର କରିଥାନ୍ତି ଯଦିଓ ବିଷୟବସ୍ତୁ ନିର୍ବାଚନ, ନାଟକ ଭିତରେ ଥିବା ଚେତନା ପ୍ରବାହ ଏବଂ ନାଟ୍ୟ ପରିବେଷଣ ବେଳେ କୌଣସି ପ୍ରକାର ପାରମ୍ପରିକ ବ୍ୟବସ୍ଥା ବିନା ମଞ୍ଚସ୍ଥ କରାଯାଉଥିବା ନାଟକର ସୃଜନଶୀଳ ଉପସ୍ଥାପନାଶୈଳୀ ଦୃଷ୍ଟିରୁ ଏହି ତଳଶ୍ରେଣୀର ନାଟକଗୁଡ଼ିକ ତୁଳନାତ୍ମକ ଭାବରେ ଅତି ଉଚ୍ଚକୋଟିର ।
ଓଡ଼ିଶାରେ କିଛି ସମାଲୋଚନାର ପାତ୍ର ହୋଇଥିଲେ ମଧ୍ୟ କେତୋଟି ନାଟ୍ୟସଂସ୍ଥା(ଯଥା-ନାଟ୍ୟ ଚେତନା) ଲୋକଙ୍କ ଭିତରକୁ ଯାଇ ବିଷୟବସ୍ତୁ ସଂଗ୍ରହ କରି ପଥପ୍ରାନ୍ତ ନାଟକକୁ ଅନ୍ତରଙ୍ଗ ନାଟକର ଆଖ୍ୟାଦେଇ ରାଜ୍ୟବ୍ୟାପୀ ନାଟକ ପରିବେଷଣ କରି ପଥପ୍ରାନ୍ତ ନାଟକର ପରିଚୟଟିକୁ ବଞ୍ଚାଇ ରଖିବାପାଇଁ ଉଦ୍ୟମ ଜାରିରଖିଛନ୍ତି ।
ଏଠି ଅନ୍ୟକିଛି ସମୀକ୍ଷା ନକରି ଏତିକି କୁହାଯାଇପାରେ ଯେ ଏମାନେ ସମସ୍ତେ ନାଟକକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କିଛି ନିଷ୍ଠାପର ଉଦ୍ୟମ କରିଆସିଛନ୍ତି । କିନ୍ତୁ ମଞ୍ଚନାଟକ ଓ ପଥପ୍ରାନ୍ତ ନାଟକ ଭିତରେ ଯେଉଁ ପ୍ରଭେଦଟି ରହିଲା ତାହା ହେଲା ଯେ ନାଟକଟି ‘ମଞ୍ଚ’ରୁ ‘ପଥ’କୁ ଗଲା । ସାଧାରଣ ପଥଚାରି ମାନଙ୍କୁ ବାର୍ତ୍ତା ଦେଇପାରିଲା । ପ୍ରଶ୍ନ କଲା ବା ପ୍ରଶ୍ନ ପାଇଁ ଖୋରାକ ଯୋଗାଇଲା ଏବଂ ଚିନ୍ତା କରିବା ପାଇଁ ବାଧ୍ୟକଲା ।
ଏଭଳି କରି ପଥପ୍ରାନ୍ତ ନାଟକ ପ୍ରମାଣ କରିପାରିଲା ଯେ ନାଟକର ବି ଏକ ଉତ୍ତରଦାୟିତ୍ୱ ଅଛି । ଆଜି ଯେଉଁଠି ନିଷ୍ଠାପର ଭାବେ ପଥପ୍ରାନ୍ତ ନାଟକ ମଞ୍ଚସ୍ଥ ହୁଏ ସେଠି ସେ ଦର୍ଶକମାନଙ୍କୁ ଗୋଟିଏ ଆହ୍ୱାନ ଦେଇଥାଏ ଏବଂ କହିଥାଏ ଯେ ଯେଉଁସବୁ ବିଷୟବସ୍ତୁ ତମ ଚାରିପଟେ ତମେ ଦେଖୁଛ କିନ୍ତୁ ତାକୁ ଅଣଦେଖା କରିଚାଲିଛ ତା’ଉପରେ ଟିକେ ଚିନ୍ତାକର, ବିଚାରକର । ତମ ଭୂମିକାଟିକୁ ଅନ୍ତତଃ ନିଜ ଚିନ୍ତା, ଚେତନା, ବିଚାର, ବୁଝାମଣା ଓ ବ୍ୟବହାରରେ ବି ସ୍ପଷ୍ଟ କର ।
ମୋ ବିଚାରରେ ନାଟକଟିକୁ ଦେଖି ଧୋବଧାଉଳିଆ ଲୋକେ କେମିତି ପ୍ରତିକ୍ରିୟା କରନ୍ତି ଏଠାରେ ପ୍ରାସଙ୍ଗିକ ନୁହେଁ ବରଂ ସାଧାରଣ ମଣିଷ ନାଟକ ଭିତରେ ନିଜକୁ ବା ସମଦଶା ଭୋଗୁଥିବା ଗୋଟିଏ ଅଜଣା ଇଲାକାର ଆଉ ଗୋଟିଏ ମଣିଷକୁ ଦେଖିପାରୁଛି କି ନାହିଁ, ତାକୁ ଆଧାର କରି ନାଟକର ମୂଲ୍ୟାୟନ କରାଯିବା ଉଚିତ ।
ଯେଉଁଠି ନାଟକର ସାମାଜିକ ଉତ୍ତରଦାୟିତ୍ୱ ଥାଏ ସେଠି ନାଟକକୁ ଏକ ନିଆରା ସ୍ଥାନ ଦିଆଯାଇଥାଏ । ପଥପ୍ରାନ୍ତ ନାଟକ ଯେ ନାଟକର ବିକାଶର ଏକ ଅନ୍ତିମପର୍ଯ୍ୟାୟ ଏବଂ ଏହାପରେ ନାଟକର ଆଉ ବିକାଶ ହେବନାହିଁ ଏହା ଭାବିବା ଉଚିତ ନୁହେଁ । ପଥପ୍ରାନ୍ତନାଟକ ହେଉ ବା ଅନ୍ତରଙ୍ଗ ନାଟକ ହେଉ ବା ଗଣଙ୍କ ପାଇଁ ନାଟକ ହେଉ ବା ଲୋକନାଟକ ହେଉ ଏହା ଏକ ଅନବରତ ଶିକ୍ଷଣୀୟ ପ୍ରକ୍ରିୟାର ଅବିଚ୍ଛେଦ୍ୟ ଅଂଶ । ଏଥିରେ ସାମାଜିକ ଉତ୍ତରଦାୟିତ୍ୱ ନେଇ ନାଟକ ପରିବେଷଣ କରୁଥିବା ଲୋକେ ନିୟମିତ ଭାବେ ନାଟକ ପରିବେଷଣର ଶୈଳୀ, ଢାଞ୍ଚା ତଥା ବିଷୟବସ୍ତୁ ନିର୍ବାଚନ ବା ଉପସ୍ଥାପନ ଉପରେ ଦର୍ଶକମାନଙ୍କ ନିକଟରୁ ଶିଖିଥାନ୍ତି।
ତେଣୁ ଯେଉଁଠି ନାଟକ ଅନବରତ ଏକ ଶିଖିବାର ପ୍ରକ୍ରିୟା ଭିତରେ ଥାଏ ବା ସମାଜରୁ ନିୟମିତ ଭାବରେ କଥା, କାହାଣୀ ଏବଂ ସେସବୁର ଉପସ୍ଥାପନା ଶୈଳୀ ତଥା ଢ଼ାଞ୍ଚାକୁ ନେଇ ଉପଯୋଗୀ ଉପାଦାନଗୁଡ଼ିକ ଗ୍ରହଣ କରିଥାଏ ସେଠି ନାଟକ ସରିନଥାଏ । ସେଠି ନାଟକ କେବଳ ପ୍ରଶ୍ନ ଦିଏନି ପ୍ରଶ୍ନ ସୃଷ୍ଟି କରିବାର ସଂସ୍କୃତି ମଧ୍ୟ ଦିଏ । ନାଟକ ସେଠି ଚେତନା ଦିଏ ଏବଂ ହୁଏତ ଅଘୋଷିତ ଢାଞ୍ଚାରେ କହିଥାଏ ଯେ ଆମ ଚାରିପଟେ ଥିବା ଲୋକମାନେ ଜୀବନ ସଂଗ୍ରାମରେ ସଂଘର୍ଷରତ ଥିବାବେଳେ ଆମର ଆମୋଦପ୍ରମୋଦ ବା ଅବସର ବିନୋଦନ ବୋଲି କିଛି ରହିବା ଉଚିତ ନୁହେଁ । ସେହି ଲୋକମାନଙ୍କର ସମସ୍ୟାର ପ୍ରତିଫଳନ ନାଟକ ମାଧ୍ୟମରେ ଦେଖିବାଟା ହିଁ ଆମପାଇଁ ସବୁଠାରୁ ବଡ଼ ଅବସର ବିନୋଦନ ।
ଅବସର ବୋଲି ଯଦି କିଛି ମିଳୁଛି ତା’ହେଲେ ଆମର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ ଯେ ସେହିସବୁ ସଂଘର୍ଷର କାହାଣୀ ଦେଖିବା, ସମସ୍ୟାଗୁଡ଼ିକର ଇତିବୃତ୍ତ ଦେଖିବା, ସେହିସବୁର ସୀମା, ପରିସୀମା ଦେଖିବା ଏବଂ ତା’ପରେ ଆମେ ଆମର ଭୂମିକା ନିର୍ଣ୍ଣୟ କରିବା – ଆମେ ନିଜେ କ’ଣ କରିବା? ଏହି ଦୃଷ୍ଟିରୁ ପଥପ୍ରାନ୍ତ ନାଟକ ହେଉଛି ଭିନ୍ନ ଏବଂ ଏକ ଅଦ୍ୱିତୀୟ ଗଣମାଧ୍ୟମ ।
ଏଭଳି ଏକ ସାମାଜିକ ପ୍ରସଙ୍ଗକୁ ଆଲୋଚନା କଲାବେଳେ ଅନେକ ଲୋକ ପ୍ରଶ୍ନ କରନ୍ତି ଯେ ନାଟକ ପରମ୍ପରାକୁ କର୍ପୋରେଟ୍ ପୃଷ୍ଠପୋଷକତା ବିନା ବଞ୍ଚାଇହେବନି- ଓଡ଼ିଶାର ବଡ଼ ବଡ଼ ନାଟ୍ୟ ନିର୍ଦ୍ଦେଶକମାନେ ଏକଥା ପ୍ରମାଣ କରିସାରିଲେଣି । ବେଦାନ୍ତ, ପୋସ୍କୋ, ଟାଟା, ଭୂଷଣ, ଜିନ୍ଦଲ ବା ସେମାନଙ୍କ ଭୂତ ସମସ୍ତଙ୍କୁ ଘାରିଛି ।
ବୈଦ୍ୟୁତିକ ଗଣମାଧ୍ୟମର ପ୍ରଭାବରେ ନାଟକ ପରମ୍ପରାକୁ ବଞ୍ଚାଇବା ଏକ ଆହ୍ୱାନରେ ପରିଣତ ହୋଇଛି । ସହରରେ ନିଜକୁ ଭିନ୍ନ କରି ନିଜପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୁଦ୍ଧିଜୀବୀ ଶ୍ରେଣୀଙ୍କ ଭୂମିକା କେବଳ ନିଜ ନିଜ ସୁବିଧାରେ ନାଟକ ଦେଖିବାରେ ସୀମିତ ଥାଏ । ନାଟକ ମଞ୍ଚସ୍ଥ ହେବା କ୍ଷେତ୍ରରେ ଅର୍ଥର ଭୂମିକାକୁ ଏଡ଼ାଇଦେଇ ହେବନି । ଅର୍ଥ ବା ଆର୍ଥିକ ପୃଷ୍ଠପୋଷକତା ଯଦି ନାଟକର ବିଷୟବସ୍ତୁ, ଢ଼ାଞ୍ଚା, ପରିବେଷଣ ସ୍ଥାନ ତଥା କିଏ ଦର୍ଶକ ହେବେ କଥାଟିକୁ ନିୟନ୍ତ୍ରଣ କରିବ ତେବେ ସେଠି ଅର୍ଥକୁ ନାଟୁଆମାନେ ପ୍ରଥମେ ପ୍ରଶ୍ନ କରିବା ଉଚିତ ।
ଏମିତିରେ ଦେଖିବାକୁ ଗଲେ କେବଳ ନାଟକ ନୁହେଁ ବରଂ ସାମଗ୍ରିକ ଭାବରେ ସଂସ୍କୃତିକୁ ବଞ୍ଚାଇ ରଖିବା ଆଜି ଏକ ଆହ୍ୱାନ ହୋଇଯାଇଛି । ଗୋଟିଏ ପଟେ ବୈଦ୍ୟୁତିକ ଗଣମାଧ୍ୟମରେ ବଜାରୀସଂସ୍କୃତିର ଅନବରତ ପ୍ରଚାର ଏବଂ ପ୍ରସାର ଚାଲିଥିଲା ବେଳେ ଅନ୍ୟପଟେ ବଜାର ଶକ୍ତିମାନଙ୍କ ସହାୟତାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ନିଜ ଲୋକଙ୍କର ସ୍ୱାଭିମାନ ଏବଂ ସଙ୍ଘର୍ଷର କାହାଣୀକୁ ପଦଦଳିତ କରୁଛି ।
ନିଜର ଆଦର୍ଶ, ମୂଲ୍ୟବୋଧକୁ ବଞ୍ଚାଇ ରଖୁଥିବା ନାଟକଦଳ ପାଇଁ ଏହା ନିଶ୍ଚିତ ଭାବରେ ଏକ ଆହ୍ୱାନ । ଲୋକଙ୍କ ଭିତରୁ ଆସୁଥିବା ଏବଂ ଲୋକଙ୍କ ସହିତ ରହିଥିବା ଦଳମାନେ କେବଳ ଏହି ଜଟିଳ ପରିସ୍ଥିତିରେ ନିଜକୁ ବଞ୍ଚାଇ ରଖିପାରିବେ । ଏହି ସଂଘର୍ଷରତ ମଣିଷଙ୍କୁ ଭଲପାଉଥିବା ସହାନୁଭୂତିଶୀଳ ମଣିଷଙ୍କ ସଂଖ୍ୟା ଯେତେ ବଢ଼ିବ ନାଟକ ଏବଂ ଅନ୍ୟାନ୍ୟ ଲୋକହିତକର ସାଂସ୍କୃତିକ କାର୍ଯ୍ୟକ୍ରମ ବଂଚିରହିବା ପାଇଁ ସେତେ ସହଯୋଗ ମିଳିପାରିବ ।
ସୁଧୀର ପଟ୍ଟନାୟକ
[box type=”note” align=”aligncenter” class=”” width=””]
ସମାଜ ଓ ସଂସ୍କୃତିକୁ ସୃଜନଶୀଳତାର ଡ଼ୋରୀରେ ବାନ୍ଧି ରଖିବାର କାମଟିକୁ କଳାକାର ଯେମିତି ଅନବରତ ନିଭାଇ ଚାଲିଥାଏ ଠିକ୍ ସେମିତି ସମାଜ ପ୍ରତି କଳାକାରର ଅଘୋଷିତ ଅବଦାନକୁ ସଂସ୍କୃତି ନିଜର ପ୍ରବାହରେ ବହିନେଇଥାଏ । ଚେତନା ଯେଉଁଠି ଯେଉଁଠି ସଂସ୍କୃତିକୁ ରୁଦ୍ଧିମନ୍ତ କରେ ସେଠି ଚେତନଶୀଳ ସମାଜ ସୃଷ୍ଟିହୋଇଥାଏ । ଚେତନଶୀଳ ସମାଜ ସବୁବେଳେ ଦୁଇପାଦ ଆଗକୁଯାଇ ନିଜର ଅବସ୍ଥାନ ସମ୍ପର୍କରେ ପ୍ରଶ୍ନକରିବାର ପ୍ରକ୍ରିୟାଟିକୁ ତ୍ୱରାନ୍ୱିତ କରିଥାଏ । ସେହି ଚେତନା ଭିତରୁ ଯାହାସବୁ ଜନ୍ମନିଏ ତା’ରି ସମ୍ପର୍କରେ ଲେଖକ ଏଠାରେ ଏକ ତାତ୍ତ୍ୱିକ ଆଲୋଚନାଟିଏ ଉପସ୍ଥାପନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସ୍ଥାନପାଇଛି ନାଟକ । – ସମ୍ପାଦକ[/box]
Photo credit- Internet