ଆମ ଲୋକନାଟ୍ୟ ସଂସ୍କୃତି

Chief Editor
Chief Editor 51 Views
7 Min Read

ନାଟ୍ୟବସ୍ତୁ ପରିବେଷଣ କଳା, ରଚନା ଶୈଳୀ ପ୍ରଭୃତି ଦୃଷ୍ଟିରୁ ଓଡ଼ିଶାରେ ପ୍ରଚଳିତ ଥିବା ଓଡ଼ିଆ ଲୋକନାଟକକୁ ମୁଖ୍ୟତଃ ପାଞ୍ଚଭାଗରେ ବିଭକ୍ତ କରାଯାଇପାରେ, ଯଥା- (୧) ନାଚ, ନାଟ, ସୁଆଙ୍ଗ, (୨) ଲୀଳା, (୩) ଗୀତାଭିନୟ ଓ ଗୀତିନାଟ୍ୟ, (୪) ଫାର୍ସ, ତାମସା, ପ୍ରହସନ, (୫) ଆଧୁନିକ ଯାତ୍ରା ବା ଯାତ୍ରାନାଟକ । ନାଚ ବା ନାଟ ମଧ୍ୟରେ ଗୋଟିପୁଅ ନାଚ, ଦଣ୍ଡନାଟ, ଚଢ଼େୟା ନାଟ, ସଖୀ ନାଚ, କଣ୍ଢେଇ ନାଚ ଇତ୍ୟାଦି ଅନ୍ତର୍ଭୁକ୍ତ ।

Support Samadhwani

ଆଲୋଚକଙ୍କ ମତରେ ଦଣ୍ଡନାଟର ମୂଳଉତ୍ସ ହେଉଛି ତନ୍ତ୍ରବାଦ । ଲୀଳା, ଗୀତାଭିନୟ, ଗୀତିନାଟ୍ୟର ଆଦ୍ୟାବସ୍ଥା ରୂପେ ସୁଆଙ୍ଗକୁ ସାଧାରଣତଃ ଗ୍ରହଣ କରାଯାଏ । ଓଡ଼ିଆ ଲୀଳା ମୁଖ୍ୟତଃ ରାମଲୀଳା ଓ କୃଷ୍ଣଲୀଳାକୁ ଆଧାର କରି ଗଢ଼ିଉଠିଛି । ରାମ ଏବଂ କୃଷ୍ଣଙ୍କର ଅଲୌକିକ କୃତିତ୍ୱକୁ ରାଗଯୁକ୍ତ ଛନ୍ଦୋବଦ୍ଧ ପଦରେ ଲୀଳାରେ ବର୍ଣ୍ଣନା କରାଯାଏ । ପ୍ରସିଦ୍ଧ ଲୀଳାକାର କବି କୃଷ୍ଣକାନ୍ତ ଦାସ ନିଜସ୍ୱ ରାମଲୀଳାକୁ ଆକର୍ଷଣୀୟ କରିବା ନିମନ୍ତେ ରାବଣ, ମହୀରାବଣ, ବିଭୀଷଣ, ହନୁମାନ ପ୍ରଭୃତି ଚରିତ୍ରର ମୁଖା ପ୍ରଚଳନ କରିଥିଲେ । ଓଡ଼ିଆ ଲୀଳାଭିନୟ ଇତିହାସରେ କୃଷ୍ଣକାନ୍ତଙ୍କ ମୁଖା ପ୍ରଚଳନ ସମ୍ପୂର୍ଣ୍ଣ ନୂତନ ପଦକ୍ଷେପ । ଏପରିକି ପ୍ରସିଦ୍ଧ ଲୀଳାକାର ଜଗନ୍ନାଥ ପାଣି ଓ ବୈଷ୍ଣବ ପାଣିଙ୍କ ସମ୍ପୃକ୍ତ ଲୀଳାଭିନୟରେ ମୁଖା ପ୍ରଚଳନ କରାଯାଏ ନାହିଁ । କୃଷ୍ଣଲୀଳା ମଧ୍ୟରେ ରାସଲୀଳା ଓଡ଼ିଶାରେ ବିଶେଷ ଜନପ୍ରିୟ ଥିଲା । ଓଡ଼ିଆ କବି, କଳାକାର, ପଣ୍ଡିତମାନେ ବିଭିନ୍ନ ଯୁଗରେ ଯେଉଁ ଚିନ୍ତା, ଚେତନା, ଦର୍ଶନ ପ୍ରକଟ ବା ପ୍ରଚାର କରିଛନ୍ତି ତାହା ସର୍ବଦା ଭାରତୀୟ ପରମ୍ପରାସମ୍ମତ ହୋଇଛି ଓ ବୈଦିକ ଦର୍ଶନ ଉପରେ ଆଧାରିତ ହୋଇଛି ।

ପ୍ରାକ୍ ବୈଦିକ ଯୁଗରେ ଉକ୍ରଳୀୟ ଭୂଖଣ୍ଡର ଧର୍ମୀୟ ଓ ସାମାଜିକ ଚେତନା ଆର୍ଯ୍ୟମାନଙ୍କୁ ପ୍ରଭାବିତ କରିଥିବାର ବହୁ ପ୍ରମାଣ ବେଦରେ ମଧ୍ୟ ଦେଖିବାକୁ ମିଳେ । ଉପନିଷଦରେ ନିରାକାର ବ୍ରହ୍ମଙ୍କୁ ରସର ଆଧାର ବୋଲି କଳ୍ପନା କରାଯାଇ କୁହାଯାଉଛି ‘ରସୋ ବୈସଃ’ ଅର୍ଥାତ୍ ସେହି ପରଂବ୍ରହ୍ମ ହେଉଛନ୍ତି ରସ । ଲୀଳାଧାରିତ ବିଷୟବସ୍ତୁ, ପରମାତ୍ମା ବିଷ୍ଣୁ ବା ତାଙ୍କ ଅଂଶାବତାରର ଲୀଳା ଉପରେ ପର୍ଯ୍ୟବସିତ ହୋଇଥିବାରୁ ଏହାର ପଠନ ଓ ଦର୍ଶନ ଦିବ୍ୟାନନ୍ଦ ପ୍ରଦାନ କରେ । ଏତାଦୃଶ ସାହିତ୍ୟାନନ୍ଦ ବା କାବ୍ୟାନନ୍ଦକୁ ଲକ୍ଷ୍ୟ କରି କୁହାଯାଇଛି ବ୍ରହ୍ମାସ୍ୱାଦ ସହୋଦର ରସଃ । ଯେଉଁମାନେ ଲୀଳାଭିନୟ ଦର୍ଶନ କରିଛନ୍ତି ସେମାନେ ନିଶ୍ଚୟ ଉପଲବ୍ôଧ କରିଥିବେ ଦର୍ଶକଙ୍କ ହୃଦୟରେ ଭକ୍ତିରସ ସଞ୍ଚାର କରିବାରେ ଓ ଅପାର ଆନନ୍ଦ ଭରିଦେବାରେ ଏହା କିପରି ପ୍ରଭାବଶାଳୀ ଭୂମିକା ଗ୍ରହଣ କରେ । ପ୍ରାୟ ପଚାଶବର୍ଷ ପୂର୍ବେ ବାଲ୍ୟ ଓ କିଶୋର ଅବସ୍ଥାରେ ଏହି ଲେଖକ, ବାଲେଶ୍ୱର ଜିଲ୍ଲାର ପୂର୍ବତନ ମଙ୍ଗଳପୁର ଜିଲ୍ଲାରେ ପ୍ରସିଦ୍ଧ କବି, ଲୀଳାକାର, ସଙ୍ଗୀତଜ୍ଞ, ଅଭିନେତା, ନିର୍ଦ୍ଦେଶକ ତଥା ବହୁଭାଷୀ ପଣ୍ଡିତ କୃଷ୍ଣକାନ୍ତଙ୍କ ରଚିତ ରାମଲୀଳା, କୃଷ୍ଣଲୀଳା, ଗୀତିନାଟ୍ୟ, ଫାର୍ସ, ତାମସା, ସୁଆଙ୍ଗ ପ୍ରଭୃତିର ଅଭିନୟକୁ ଛ’ସାତହଜାର ଦର୍ଶକ ମଶାଲର ମ୍ଳାନ୍ତ ଆଲୋକାରେ ଉପଭୋଗ କରି ଆଧ୍ୟାତ୍ମକି ଭାବନାରେ ତନ୍ମୟ ଓ ଆନନ୍ଦରେ ଉଦ୍ବେଳିତ ହୋଇ ଉଠୁଥିବାର ଲକ୍ଷ୍ୟ କରିଛି । ଲୀଳା କ୍ଷେତ୍ରରେ କୃଷ୍ଣକାନ୍ତ ଦାସ, ଜଗନ୍ନାଥ ପାଣି, ବୈଷ୍ଣବ ପାଣି, ବାଳକୃଷ୍ଣ ମହାନ୍ତି ଓ ରାସଲୀଳାରେ ଗୋବିନ୍ଦ ଚନ୍ଦ୍ର ଶୂରଦେଓ, ଡଃ କାଳୀଚରଣ ପଟ୍ଟନାୟକ ପ୍ରଭୃତି ଅମର ସ୍ରଷ୍ଟାମାନେ ଯେଉଁ ଅବଦାନ ଦେଇ ଯାଇଛନ୍ତି ତାହା ଓଡ଼ିଆଜାତି କେବେ ଭୁଲିପାରିବ ନାହିଁ । ବିଭିନ୍ନ ରାଗରାଗିଣୀ ସମ୍ବଳିତ ଛାନ୍ଦଗାନ ଦ୍ୱାରା ଲୀଳାବସ୍ତୁକୁ ପରିବେଷଣ କରାଯାଏ । ମାତ୍ର ପରେ ଗାନ ସହିତ ଅଲିଖିତ ସଂଳାପ ସଂଯୋଗ କରାଗଲା ।

Support Samadhwani

ଲୀଳାର ପରବର୍ତ୍ତୀ ସଂସ୍କାର ହେଉଛି ଗୀତିନାଟ୍ୟ । ଏହା ଗୀତ ଓ ନାଟ ଅର୍ଥାତ ସଙ୍ଗୀତ ଓ ସଂଳାପର ସମିଶ୍ରଣ । ଫାର୍ସ, ତାମସା, ପ୍ରହସନ ହେଉଛି ସମଧର୍ମୀ ଲୋକନାଟକ । ଏହାର ପ୍ରଧାନ ଆଭିମୁଖ୍ୟ ହେଲା ଦର୍ଶକଙ୍କ ମଧ୍ୟରେ ହାସ୍ୟରସ ପରିବେଷଣ କରିବା । ଏଗୁଡ଼ିକର ଅଧ୍ୟୟନ ଅପେକ୍ଷା ଦର୍ଶନରୁ ଅଧିକ ହାସ୍ୟ-ଭାବ ଉପଲବ୍ôଧ କରିହୁଏ । ସେଥିପାଇଁ ଏହାର ଅଭିନେତାଙ୍କ ପୋଷାକ, ଚେହେରା, ଭାଷା, କଣ୍ଠଧ୍ୱନି, ବନ୍ତ୍ରୋକ୍ତି ପ୍ରଭୃତି ଦର୍ଶକଙ୍କ ହାସ୍ୟରସାନୁଭୂତିରେ ବେଶି ସାହାଯ୍ୟ କରେ । ଲୀଳା, ଗୀତିନାଟ୍ୟର ମଞ୍ଚାଭିନୟ ମଧ୍ୟରେ ଫାର୍ସ ମାଧ୍ୟମରେ ହାସ୍ୟରସ ପରିବେଷଣ କରାଯାଏ । ହାସ୍ୟରସର ଅପରିହାର୍ଯ୍ୟ ଆବଶ୍ୟକତାକୁ ଉପଲବ୍ôଧ କରି ସଂସ୍କୃତ-ନାଟ୍ୟକାରମାନେ ମଧ୍ୟ ନାଟକର ବିଦୂଷକ ଚରିତ୍ର ଅନ୍ତର୍ଭୁକ୍ତ କରିଛନ୍ତି ।

ଓଡ଼ିଆ ଯାତ୍ରାନାଟକ ଏକ ଅର୍ବାଚୀନ ଲୋକନାଟକ ହୋଇଥିଲେ ମଧ୍ୟ ସୁଆଙ୍ଗ, ଲୀଳା, ଗୀତିନାଟ୍ୟର ଏକ ଯୁଗୋପଯୋଗୀ ସଂସ୍କାର । ଅପେରା, ଗଣନାଟ୍ୟ, ଜନନାଟ୍ୟ ନାମରେ ଏହା ମଧ୍ୟ ପରିଚିତ ହୋଇଥାଏ । ସଙ୍ଗୀତ, ସଂଳାପ ଓ ହାସ୍ୟରସର ମଧୁର ସମନ୍ୱୟ ମାଧ୍ୟମରେ ଏହା ହଜାର ହଜାର ଦର୍ଶକଙ୍କୁ ମୁଗ୍ଧ କରିଥାଏ । ଏକାଧିକ ସୁସଜ୍ଜିତ ରଙ୍ଗମଞ୍ଚ, ରଙ୍ଗୀନ ବିଦ୍ୟୁତ ଆଲୋକର ଅପୂର୍ବ ବିଳାସ, ସର୍ବାଧୁନିକ ବାଦ୍ୟଯନ୍ତ୍ରର ମନମତାଣିଆ ସଙ୍ଗୀତ ଝଙ୍କାର ଆଜି ଯାତ୍ରାନାଟକକୁ ଚଳଚ୍ଚିତ୍ର ଅପେକ୍ଷା ଅଧିକ ଆକର୍ଷଣୀୟ କରିପାରିଛି । ଯାତ୍ରାନାଟକ ଆଜି କେବଳ ପଲ୍ଲୀବାସୀଙ୍କର ନୁହେଁ ସହରବାସୀଙ୍କ ମନୋରଞ୍ଜନର ଏକ ମାଧ୍ୟମ ରୂପେ ଗୃହିତ ହୋଇଛି ।

ଲୋକନାଟକ ଗୁଡ଼ିକ ମୁଖ୍ୟତଃ ଚତୁର୍ମୁଖୀ ରଙ୍ଗମଞ୍ଚରେ ଅଭିନୀତ ହୁଏ । ଅପେରା, ମୋଗଲତାମସା, ରାସଲୀଳା ପ୍ରଭୃତି ଲୋକନାଟକ ପାଇଁ ଏକମୁଖୀ ରଙ୍ଗମଞ୍ଚ ଆବଶ୍ୟକ । ରାଣୀଗୁମ୍ଫାରୁ ପ୍ରମାଣ ମିଳେ ଯେ ପ୍ରାଚୀନକାଳରେ ମୁକ୍ତାକାଶ ପ୍ରେକ୍ଷାମଞ୍ଚରେ କ୍ରମୋଚ୍ଚ ସୋପାନୀକୃତ ଦର୍ଶକ-ପୀଠ ଥିଲା । ଓଡ଼ିଶାର କେତେକ ଗଡ଼ଜାତ ରାଜ୍ୟ, ଜିଲ୍ଲା ଓ ଜମିଦାରୀ ଅନ୍ତର୍ଗତ ଯାତ୍ରାସ୍ଥଳୀକୁ ଅନୁଧ୍ୟାନ କଲେ ଲକ୍ଷ୍ୟ କରିହେବ ଯେ ବହୁବର୍ଷ ଧରି ସେଠାରେ ଚର୍ତୁଃର୍ମୁଖୀ ରଙ୍ଗମଞ୍ଚର ଚତୁଃପାଶ୍ୱର୍ରେ କ୍ରମୋଚ୍ଚ ଦର୍ଶକପୀଠ ବିଦ୍ୟମାନ ଥିଲା । ମାତ୍ର ଆଜି ଯାତ୍ରାନାଟକରେ ଉଚ୍ଚ ଚତୁର୍ମୁଖୀ ରଙ୍ଗମଞ୍ଚ ବ୍ୟବହୃତ ହେଉଛି ଏବଂ ଚତୁଃପାଶ୍ୱର୍ସ୍ଥ ନିମ୍ନ ସମତଳ ଭୂମିରେ ଅଥବା ଚେୟାରରେ ଦର୍ଶକମାନେ ଉପବେଶନ କରୁଛନ୍ତି । ଲୋକନାଟକର ବାଦ୍ୟ ଝଙ୍କାରରେ ଓ ଆଲୋକ ସମ୍ପାତରେ ବିପୁଳ ପରିବର୍ତ୍ତନ ସଙ୍ଗଠିତ ହୋଇଛି । ମଶାଲ ଆଲୋକରୁ ଆରମ୍ଭ ହୋଇ ଗ୍ୟାସ ଲାଇଟ୍, ଡେ ଲାଇଟ୍, ମାକ୍ସ ଲାଇଟ୍ ଯୁଗରେ ପ୍ରବେଶ କରି ବର୍ତ୍ତମାନ ଏହା ବିଦ୍ୟୁତ ଆଲୋକଯୁଗରେ ଉପନୀତ ହୋଇଛି । ଶହ ଶହ ବର୍ଷ ବ୍ୟାପୀ ବ୍ୟବହୃତ ହେଉଥିବା ବାଦ୍ୟଯନ୍ତ୍ର ଯଥା ପଖାଉଜ, ମୃଦଙ୍ଗ, ଢୋଲକ, ଝାଞ୍ଜ, କରତାଳ, ମନ୍ଦିରା ଇତ୍ୟାଦି ଆଜି ପରିତ୍ୟକ୍ତ ନହେଲେ ମଧ୍ୟ ବେଞ୍ଜୋ, ଗୀଟାର୍, ଏକାର୍ଡ଼ିଆନ୍, ବଙ୍ଗୋ, ଟ୍ରାଙ୍ଗୋ, ସେକ୍ସୋଫୋନ୍ ଇତ୍ୟାଦି ନୂତନ ବାଦ୍ୟଯନ୍ତ୍ର ଲୋକନାଟକର ସ୍ୱରଝଙ୍କାରରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ।

ମୌଖିକ ପରମ୍ପରା ଉପରେ ପ୍ରତିଷ୍ଠିତ ହୋଇ ସାଧାରଣ ଦର୍ଶକଙ୍କ ନିମନ୍ତେ ଲୋକନାଟକ ଉଦ୍ଦିଷ୍ଟ ହେଲେ ମଧ୍ୟ ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ ଓ ନାଟକ ପରି ଏହାର କେତେକ ମୌଳିକ ଆଦର୍ଶ, ଆଭିମୁଖ୍ୟ ଓ ଆଦର୍ଶ ରହିଛି । ଲୋକନାଟ୍ୟ ରଚନା ଓ ଅଭିନୟରେ ନିର୍ଦ୍ଦିଷ୍ଟ ନୀତି, ନିୟମ ଓ ପଦ୍ଧତି ଅନୁସୃତ ହୋଇଥାଏ । କାବ୍ୟ, ମହାକାବ୍ୟରେ କବିମାନେ ଯେପରି ‘ଆଦୌ ନମସ୍କ୍ରିୟା’ ଇତାଦି ପଦ୍ଧତି ଅବଲମ୍ବନ କରନ୍ତି – ଲୀଳା, ଗୀତିନାଟ୍ୟ, ମୋଗଲ ତାମସା ପରି କେତେକ ଲୋକନାଟକରେ କବିମାନେ ‘ମଙ୍ଗଳାଚରଣ’ ଇତ୍ୟାଦି ସନ୍ନିବେଶ କରିଥାନ୍ତି । ‘ବାକ୍ୟଂ ରସାତ୍ମକଂ କାବ୍ୟଂ’ ନ୍ୟାୟରେ ଲୋକନାଟକରେ ବିଭିନ୍ନ ପ୍ରକାର ରସର ସମାବେଶ ଘଟିଥାଏ । ନାଟକରେ ରସ ପରିବେଷଣ ଏକ ମନସ୍ତାତ୍ତ୍ୱିକ ଆବଶ୍ୟକତା । ଏଣୁ ଏହା ଶାସ୍ତ୍ରାନୁମୋଦିତ ନାଟ୍ୟ ଉପାଦାନ ରୂପେ ଗୃହିତ ହୋଇଛି । ସେଥିପାଇଁ ମଧ୍ୟ କୁହାଯାଇଛି ‘କାବ୍ୟୋଷୁ ନାଟକଂ ରମ୍ୟମ୍’ । ନାଟ୍ୟରସ ସମ୍ବନ୍ଧରେ ସୂଚନା ଦିଆଯାଇ ‘ଅଳଙ୍କାର ସଂଗ୍ରହ’ରେ କୁହାଯାଇଛି –

‘ଶୃଙ୍ଗାର-ହାସ୍ୟ-କରୁଣ-ରୌଦ୍ର-ବୀର-ଭୟାନକାଃ

ବୀଭତ୍ସୋଦ୍ଦ୍ଭୁତ-ଶାନ୍ତାଶ୍ଚ-ନବନାଟ ରସାସୃତାଃ ।’

ଲୀଳାଦି ଲୋକନାଟକରେ ଏ ସମସ୍ତ ପ୍ରକାର ରସର ପରିବେଷଣ କରାଯାଇଥାଏ ।

ବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଓଡ଼ିଆ ଲୋକନାଟ୍ୟ ପରମ୍ପରାର ଚରମ ଆଭିମୁଖ୍ୟ ଥିଲା ଭକ୍ତିରସ-ସଞ୍ଚାର, ଆମୋଦ ପ୍ରଦାନ, ଜାତୀୟ ସଂହତି ପ୍ରତିଷ୍ଠା । ଖ୍ରୀ ୧୫୬୮ରେ ଓଡ଼ିଶା ପରାଧୀନ ହେବାପରେ ବିପର୍ଯ୍ୟସ୍ତ -ବିଖଣ୍ଡିତ-ଲୁଣ୍ଠିତ ଓଡ଼ିଶାରେ ଧର୍ମ-ସଂସ୍କୃତି-ସଂହତି ରକ୍ଷା କରିବା ପାଇଁ ଓଡ଼ିଆ ଲୋକନାଟ୍ୟକାରମାନେ ସାରସ୍ୱତ ରଚନା ଓ ସେଗୁଡ଼ିକର ମଞ୍ଚାଭିନୟ ମାଧ୍ୟମରେ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି, ତାହା ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ଜମିଦାରୀ, ଗଡ଼ଜାତ ରାଜ୍ୟ ଶାସନ ଉଚ୍ଛେଦ ପରେ ପୃଷ୍ଠପୋଷକତା ଅଭାବରୁ ଲୀଳା, ସୁଆଙ୍ଗ, ଗୀତିନାଟ୍ୟ, ଦଣ୍ଡନାଟ, ଚଢ଼େୟାନାଟ ଇତ୍ୟାଦି ମ୍ଳାନ ପଡ଼ିଯାଇଥିଲେ ମଧ୍ୟ ପାରମ୍ପରିକ ନାଟକ ଓ ଚଳଚ୍ଚିତ୍ର ସହିତ ପ୍ରତିଦ୍ୱନ୍ଦ୍ୱିତା କରି ବର୍ତ୍ତମାନ ଯାତ୍ରାନାଟକ ବା ଗଣନାଟ୍ୟ ଦର୍ଶକ ମହଲରେ ସଗର୍ବେ ଶିର ଉତ୍ତୋଳନ କରି ଦଣ୍ଡାୟମାନ ହୋଇଛି । ସୌଭାଗ୍ୟର ବିଷୟ ଯେ ସମ୍ପୃକ୍ତ ଅଞ୍ଚଳର ଉଦ୍ୟୋକ୍ତାମାନେ ମୋଗଲ ତାମସା, ଚଢ଼େୟାନାଟ, ଦଣ୍ଡନାଟ ଇତ୍ୟାଦି କେତେକ ଲୁପ୍ତ ଲୋକନାଟକର ପୁନଃରୁଦ୍ଧାର କରି ମିଶ୍ରିତ ଆଧୁନିକ ଶୈଳୀରେ ପରିବେଷଣ କରୁଛନ୍ତି ।

ଡଃ ପ୍ରହ୍ଲାଦ ଚରଣ ମହାନ୍ତି

ଓଡ଼ିଶାର ସାଂସ୍କୃତିକ ପରମ୍ପରା ପୁସ୍ତକରୁ ଉଦ୍ଧସ୍ତଚ୍ଛ

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Cultural Researcher and Samadhwani Cultural Magazine (Print and Digital) Editor. She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people. She founded "The Samadhwani Cultural Organization" and "The Samadhwani Centre for Cultural Research" with the help of some like-minded culture loving people.