ନାକ

1 Min Read

ପୁରୁଷର ନାକ ପାଇଁ
ନାକ ଦେବାକୁ ପଡ଼େ ନାରୀକୁ,
ପୂରାଣରେ ସୂର୍ପଣଖାକୁ,
ଏକବିଂଶ ଶତାବ୍ଦୀରେ
ଆଫଗାନ୍ କନ୍ୟା
ଆୟେଷାଞ୍ଚକୁ ।
ଏବେ ଧମକ ‘ପଦ୍ମାବତୀ’ ସିନେମାର ନାୟିକା ଦୀପିକା ପାଦୁକୋନକୁ ।ଞ୍ଚଞ୍ଚ

Support Samadhwani

ସତେ ଯେପରି ନାରୀ ପାଇଁ ବଦଳିନି ଯୁଗ
ରାମାୟଣ ଯୁଗରୁ
ତାଲିବାନ ସମୟ ପର୍ଯ୍ୟନ୍ତ,
ପୁରୁଷର ସମ୍ମାନ ପାଇଁ
ସେ ଯେପରି ସବୁବେଳେ ବଳି
ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ ।

କ୍ରୀଡ଼ନକ ସବୁବେଳେ ସେ ପୁରୁଷ ହାତରେ ।
ବାଜି ବି ଲାଗିଛି ସେ, ପୁରୁଷ ପକାଇଥିବା ପଶା ଓ ପାଲିରେ ।
ବସ୍ତ୍ରମୁକ୍ତ କରିଅଛି ତାକୁ ଦୁଃଶାସନ ପୁରୁଷ ସଭାରେ,
ତା’ ନଗ୍ନ ଶରୀର ଛାପ ଆଜି ବଜାରର ପ୍ରତିଟି ବସ୍ତୁରେ,
କ୍ରୀଡ଼ନକ ସବୁବେଳେ ସେ ପୁରୁଷ ହାତରେ
ହେଉ ପୁରାଣ ଯୁଗରେ
ଅବା ଆଜିର ଯୁଗରେ ।

କେଜାଣି କେଉଁ ଦିନ
ଏ ସମୟ ବଦଳିବ
କିଣା ବିକା ‘ଚିଜ’ ନୁହେଁ,
ନିରୋଳା ବ୍ୟକ୍ତି ଭାବେ
ନାରୀ ସ୍ୱୀକୃତି ପାଇବ?
ଅପେକ୍ଷା, ସେ ସମୟ
କେବେ ଯେ ଆସିବ?

Support Samadhwani

(ପ୍ରଥମ ରଚନା ୨୦୧୩, ସମ୍ପ୍ରସାରିତ: ଡିସେମ୍ବର ୨୦୧୭)

Photo credit – internet

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ