ଭଲ ପଢୁଥିଲି
କବିତା ଲେଖୁଥିଲି
ବାପା ମୋତେ ନେଇ
ଦେଖୁଥିଲେ ଅନେକ ସପନ
ଆଇ ଏ ଏସ୍ ହେବି
କବିତା ଲେଖିବି
ପୁରାସ୍କାର୍ ପାଇ
ପ୍ରତିଷ୍ଠିତ ହେବି
ଲକ୍ଷ୍ମୀ ଓ ସରସ୍ୱତୀ
ଦୁହିଁଙ୍କର ଗେହ୍ଲା ପୁଅ
ଆଉ ବିଷ୍ଣୁଙ୍କର ଦାୟାଦ ହୋଇବି ।
ମୁଁ ମନା କରିଛି, ବାପା
ଏ ଭଳି ସ୍ୱପ୍ନ ଦେଖ ନାହିଁ
ମତେ ତୁମ ସାଂଗ ସାଥୀଙ୍କର
ଓଠ ତଳ ଚୋରା ହସ
ଭଲ ଲାଗୁନାହିଁ ।
କିନ୍ତୁ ସେକ୍ରେଟାରିଏଟ ଅଫିସରୁ ଫେରି
ତାଙ୍କର ସେ ଅଭ୍ୟାସଟା ଛାଡନ୍ତେ କିପରି?
ଦୋହରାନ୍ତି, ଆଇ ଏ ଏସ୍ ଥରେ ହୋଇ ଯା
ଦେଖିବୁ, ତୋ କବିତାକୁ ଛାପିବାକୁ
ଲାଗିଯିବ ପ୍ରକାଶକଙ୍କ ଭିଡ
ପ୍ରଶଂସା କରିବାକୁ
ଜମିବ ଅଧ୍ୟାପକଙ୍କର ପଟୁଆର ବଡ
ସବୁ ଆସରରେ ତୋର ହୋଇବ ସତ୍କାର
ବାପା, ଥରେ ଆଇ ଏ ଏସ୍ ହୋଇଯା , ଦେଖିବୁ ।
ମୁଁ ଦେଖିଲି ବାପା ମୋର
ବଦଳିବେ ନାହିଁ
ଆଉ ମୁଁ ସ୍ଥିର କଲି
କବି ଆଉ ଆଇ ଏ ଏସ୍
ଏକା ସଂଗେ କେଭେଁ ହେବି ନାହିଁ ।
କିନ୍ତୁ ବାପାଙ୍କ ସ୍ୱପ୍ନକୁ ସାକାର କରିବି
ତେଣୁ ଆଇ ଏ ଏସ୍ ହେବି ।
ପ୍ରକାଶକ, ଅଧ୍ୟାପକ ଭିଡ
ଅବା କବିତା ଆସର ଠାରୁ
ଶହେ କୋଶ ଦୁରରେ ରହିବି
କବି ହେବି ନାହିଁ ।
ଆଇ ଏ ଏସ୍ ହେଲି
କବିତା ଲେଖିବା ଛାଡିଲି
କବିତା ମାଡିଲେ
ନିରୋଳାରେ ବସି କାଗଜ ଚିରିଲି
କଲମକୁ ଲୁଚାଇ ରଖିଲି
ସିନେମା ଦେଖିବାକୁ ଗଲି
ଦୀର୍ଘ ପଥ ଚାଲିବାର ଅଭ୍ୟାସ କରିଲି ।
ବାପା ବହୁ ଦିନୁ ଗଲେଣି ଆମକୁ ଛାଡି
ସେ ପାରିକୁ
ଦେଖିକି ସେ ଗଲେ
ମୁଁ ଆଇ ଏ ଏସ୍ ହୋଇଗଲା ପରେ ।
ଯେତେ ଦିନ ବଂଚିଥିଲେ
ମୋ ପାଖରେ ରହୁଥିଲେ
ମୁଁ ବୁଝୁଥିଲି
ତାଙ୍କ ଆଖି କହୁଥିଲା
ଅମାନିଆ ପିଲା
ଆଇ ଏ ଏସ୍ ହେଲୁ
କବିତା ଲେଖିବା ତୁ ବନ୍ଦ କରିଲୁ
ଏତେ ଏତେ ପୁରସ୍କାର
ସବୁଥିରୁ ନିଜକୁ ବଂଚିତ କରିଲୁ
ଅବସର ନେବୁ
ତା ପରେ ତତେ କିଏ ବା ଚିହ୍ନିବ?
ଇତିହାସରେ ରହିବାର ସୁଯୋଗକୁ
ତୁ ହାତ ଛଡା କଲୁ?
ଏ ଗୁଡିକ ଶବ୍ଦ ହୋଇ
ମୋ କାନରେ ବାଜି ନାହିଁ କେଭେଁ ।
ତଥାପି ଚାହାଣିର ଭାଷାକୁ ମୁଁ ବେଶ ବୁଝୁଛି
ଆଉ ମୋ ଚାହାଣିରେ ଫେରାଇଛି
ବାପାଙ୍କୁ ସମ୍ବାଦ –
ନିଷ୍ପତ୍ତି ମୁଁ ସଠିକ ଦେଇଛି ।
ଆଜି ଅବସର ପରେ
ନାତି, ନାତୁଣିଙ୍କ କୋଳହାଳ
କନ୍ଦଳ ଭିତରେ
ମୁଁ ବେଶ ଭଲରେ ରହିଛି
କବିର ପ୍ରତିଷ୍ଠା ପାଇଁ
କ୍ଷମତାର ଆସରା ନେଇନି
ଏହା ଭାବି ସନ୍ତୋଷ ପାଉଛି ।
(ଏପ୍ରିଲ ୨୦୦୩)