ପୁରୀ ବେଳାଭୂମି । ଦିନସାରା ତ ଲୋକ । ହେଲେ ସନ୍ଧ୍ୟା ବେଳକୁ ଅଧିକ ଗହଳି । ଜଗନ୍ନାଥ ଦର୍ଶନ କରିବାପାଇଁ ଭାରତ ତ ଭାରତ ବାହାରୁ ଲୋକ ଆସନ୍ତି । ଜଗନ୍ନାଥ ଦର୍ଶନ ସାଙ୍ଗରେ ବିଶେଷ ଆକର୍ଷଣ ହେଲା ସମୁଦ୍ର କୂଳର ଏଇ ବେଳାଭୂମି । ସମୁଦ୍ର ଚଞ୍ଜଳ ହେଲେ କୂଳ ରେ ପିଟି ହେଉଥିବା ଲହଡିର ନାଟ ରୋମାଞ୍ଚକର । ସେଇ ପିଟି ହେଉଥିବା ଲହଡିରେ ଯାତ୍ରୀ ଏକାକାର ହେବାରେ ଆନନ୍ଦ ପାଆନ୍ତି । ଯାତ୍ରୀଙ୍କ ଭିଡ଼ ଯୋଗୁଁ ବେଳାଭୂମି ରେ ବେଲୁନ ବାଲା ,ଶଂଖ,ମୋତି, ଲେମ୍ବୁପାଣି, ଗରମ ଚା’ ବିକାଳି ଆଦିଙ୍କର ଭିଡ଼।
ସେଇ ଭିଡରେ ରାଜୁର ଓଟ , ଓଟ ତ ନୁହେଁ ଓଟଣୀ, ‘ରାନୀ’ । ପିଲା ଚଢନ୍ତି ; ଓଟ ବସିବା ମଜା ନିଅନ୍ତି । ରାଜୁ ତା ‘ରାନୀ’କୁ ଭଲ ଭାବରେ ସଜେଇଛି । ତା ଲମ୍ବା ଗଳାରେ ଚାରି ରଙ୍ଗର ଭିନ୍ନ ଭିନ୍ନ କପଡ଼ା ବାନ୍ଧିଛି । ପୁଣି ଗଳାର ପ୍ରଥମ ଭାଗରେ ହାର । ଆଖିର ତଳକୁ ମୁହଁ ରେ ଗୋଟିଏ ଚମକଦାର ବେଣ୍ଡ ବାନ୍ଧିଛି । ପିଠିରେ ପିଲା ବସିବା ପାଇଁ ସୁନ୍ଦର ପାଲିଙ୍କି । ପୁଣି ଚାନ୍ଦୁଆ ଭଳି ଲମ୍ବା କପଡ଼ା ଦି’ଆଡକୁ ଝୁଲୁଛି । ପାଲଙ୍କିର ଆଗରେ ଏକ ବଡ଼ ଟେଡି-ବିଅର ରଖିଛି । ତା ‘ରାନୀ’ ତା ପାଇଁ ସବୁ କିଛି । ଗୋଟିଏ ପିଲାକୁ ଥରେ ଓଟରେ ବସେଇ ଏପଟ ସେପଟ ଦିଥର ବୁଲେଇ ଦେଲେ ଚାଳିଶ୍ ଟଙ୍କା । ଚକା ଚକ୍ ବେଳାଭୂମି ରେ ତା ‘ରାନୀ’ ଆହୁରି ସୁନ୍ଦର ଦିଶେ । ରାଜୁ ଗର୍ବ କରେ ଦୁନିଆଁ ର ସବୁଠୁ ସୁନ୍ଦରୀ ତା ‘ରାନୀ’ । କେବେ ପ୍ରେମିକ ପ୍ରେମିକା ତ କେବେ ଛୋଟ ପିଲା ନେଇ ରାନୀର ବେଳାଭୂମି ରେ ପାଦରେ ଚାଲିବା ହେଲା କାମ । କି ସୁନ୍ଦର ଚାଲି ! ତାକୁ ଦେଖି ରାଜୁର ଛାତି କୁଣ୍ଢେମୋଟ । ସେଇଥିରେ ଭଲ ପଇସା ରୋଜଗାର ହୁଏ । ରାଜୁର ପରିବାର ର ଆଶ୍ରା ହେଲା ‘ରାନୀ’ର ଏଇ ଆତ୍ମବିଶ୍ବାସ ଭରା ଚାଲି ।
‘ରାନୀ’ ଭଳି ରାଜୁର କାହାଣୀ ହେଲେ କମ୍ ବିଚିତ୍ର ! ଅନେକ ବର୍ଷ ତଳର କଥା । ବଡ ଏକ ଗାଡି ଆସି ଚନ୍ଦନପୁରରେ ଅଟକିଲା। ପୁରୀ ଆଉ ଅଳ୍ପ ବାଟ । ଗାଡିରୁ ଓହ୍ଲେଇ ସମସ୍ତେ ଚା’ ଜଳଖିଆ କଲେ ,ସେ ଭିତରେ ଥିଲା ଅନାଥ ଶିଶୁ ଦଶ ବର୍ଷର ରାଜୁ । ଜଳଖିଆ ସାରି ଗାଡି ବାହାରି ଗାଲା ବେଳକୁ ସେ ଭୁଲି ହୋଇଗଲା । ସୁଦୂର ରାଜସ୍ଥାନର ସେଠ ପରିବାର ; ରାଜୁ ସେଠଙ୍କ ଘରେ କାମ କରେ । ପୁଣି ସେମାନେ ଫେରିଆସି ତାକୁ ଖୋଜିଲା ବେଳକୁ ସେ ପୁରୀର ଦାସ ମହାପାତ୍ର ଙ୍କ ଘରେ । ପିଲାଟିକୁ କାନ୍ଦୁଥିବା ଦେଖି ପଣ୍ଡିତେ ତାକୁ ନିଜ ଘରକୁ ଆଣି ସାରିଲେଣି । ରାଜୁ କହୁଥାଏ ଖାଲି , ଗୋଟିଏ ବଡ଼ ଘରେ ମୁଁ କାମ କରୁଥିଲି। ଗାଁ, ବାପା ,ମା ଙ୍କ ନାଁ’ କଥା କିଛି କହିପାରୁ ନଥାଏ । ପଣ୍ଡିତେ କହିଲେ, ମୋ ଚାରିପୁଅ । ଆଜିଠୁ ତୁ ‘ପାଞ୍ଚମ’ ହେଲୁ । ରାଜୁ ତାଙ୍କ ଘରେ ରହି କାମ କଲା , ପୁଅ ଭଳି ।
ଓଡ଼ିଆ ବିଧାନ ରେ ରାଜୁର ବ୍ରତଘର ବି ହେଲା । ଖାଲି ସେତିକି ନୁହେଁ ବୟସ ହେଲାରୁ ଗରିବ ଘର ଝିଅଟେ ଦେଖି ପଣ୍ଡିତେ ତାର ‘ ବାହାଘର ବି କରେଇ ଦେଲେ । ପାଠ ପଢିନି । ପିଲାଟି କରିବ କ’ଣ ? ସେଇ ଦାସ ମହାପାତ୍ର ଙ୍କ ପାଦ ତଳେ ପଡ଼ି ରହିଥାଏ । ପଣ୍ଡିତ ଙ୍କ ପୁଅମାନେ କେବେ କେବେ ରାଗନ୍ତି । କାହିଁକି କେଜାଣି ସେ ବୁଝି ପାରେନା ।
ରାଜୁ ଜାଣିଛି, ସେ ବୁଢ଼ାର ପୁଅ ନୁହେଁ । ହେଲେ ବୁଢ଼ା ତା ପାଇଁ ବାପାଠୁ ଅଧିକ । ସେ ବୁଢା ପାଖରେ କିଛି ଅର୍ଦ୍ଦଳି କରେନା । ବୁଢା କିନ୍ତୁ ରାଜୁ ପାଇଁଁ ବଡ ଚିନ୍ତା ରେ ଥାନ୍ତି । ପଡୋଶୀ ଗାଁ’ ରେ ବେଣୁ ବୋଲି ଲୋକଟେ ଓଟ ରଖିଥିଲା । ତା ଓଟଣୀ ଏବେ ପିଲା ଦେଇଛି । ସେ ତାକୁ ସମ୍ଭାଳି ପାରିବନି । କହିଲେ, ମୁଁ ତୋ ପାଇଁ ଓଟ ଟେ କିଣି ଦେବି । ତୁ ସମ୍ଭାଳି ପାରିବୁ ରାଜୁ ? ରାଜୁ ପ୍ରଥମେ ଡରିଲା । ଏତେ ବଡ଼ ଜନ୍ତୁ ଟାକୁ ମୁଁ କଣ ସମ୍ଭାଳି ପାରିବି ? ଶେଷରେ ହଁ କଲା । ବହୁତ ଛୋଟଟେ ଥିଲା ରାନୀ । କେତେ ଦିନରୁ ଆସିଲାଣି ତା ପାଖକୁ । ଗେଲରେ ରାଜୁ ତାକୁ ‘ରାନୀ’ ଡାକେ ,କଣ୍ଟାଗଛ ଆଣିଦିଏ । ‘ରାନୀ’ ସାଥିରେ କଥା ବି ହୁଏ । ସେ ତା ପିଲା ଦିନର ସାଙ୍ଗ। ରାନୀର ଦେହ ଅସୁଖ ହେଲେ ତାକୁ ଭଲ ଲାଗେନା ।
ଏଇ ସମୁଦ୍ର କୂଳ ର ତମ୍ବୁ ଘରଟା ବି ଦାସ ମହାପାତ୍ରେ ଦେଇଥିଲେ ତାକୁ । ସେଇ ଦିନରୁ ସେ ଫେରିକି ଚାହିନି । ବଡ ଖୁସିରେ ସେ ତା ସ୍ତ୍ରୀ ଓ ରାନୀ ରୁହନ୍ତି ଏଠି । ଜୀବନରେ କ’ଣ ଦେଖିଥିଲା ଯେ ତାକୁ ଅବସୋସ ଲାଗିବ ? ଅବସୋସ ନାହିଁ, ତେଣୁ ଜୀବନରେ ଦୁଃଖ ବି ନାହିଁ । ବଡ ଖୁସିରେ ସେ ରହୁଥିଲା । ସୁଖ କହିଲେ ସେ ମାପୁଥିଲା କେତେ ପିଲା ଦିନରେ ଓଟରେ ବସିଲେ ଓ କେତେ ଟଙ୍କା ମିଳିଲା । ସେଇଥିରେ ତା ପରିବାର ଚଳେ। ରାତି ଦଶଟାରେ ସେ ଫେରେ ଘରକୁ । ସ୍ତ୍ରୀ ଯାହା ରାନ୍ଧିଥିବ ଖାଇ ତମ୍ବୁ ର ଗୋଟିଏ କୋଣରେ ସେ ଶୋଇପଡେ । ପାଖରେ ‘ରାନୀ’ ଶୁଏ । ଭୋର ଚାରିଟା ରୁ ରାତି ଏଗାରଟା ପର୍ଯ୍ୟନ୍ତ ପାଦରେ ଚାଲିଥିବାରୁ ନିଦ ବେଢିକି ରହିଥାଏ । ରାନୀ ଗୋଟିଏ ଗୋଡ ରାଜୁ ଦେହରେ ଲଦିକି ଶେଇଥିବ । କେମିତି ସକାଳେ ସୂର୍ଯ୍ୟ ମୁଣ୍ଡ ଉଠେଇ ସମୁଦ୍ର ରେ ବିଛେଇ ଦିଅନ୍ତି କିରଣ ସେ ଦେଖେ । କଣ୍ଟା ଗଛରୁ କିଛି କାଟି ଆଣି ରଖେ ତା ରାନୀ ପାଇଁ ।
ତା, ତମ୍ବୁ ପାଖକୁ ଲାଗି ଯମୁନା ପ୍ରସାଦ ର ତମ୍ବୁ । ଯମୁନା ଏଇ କିଛି ବର୍ଷ ହେଲା ରାଜସ୍ଥାନ ରୁ ଆସିଛି । ତା ସାଙ୍ଗରେ ଏଇ ସମୁଦ୍ର ବେଳାରେ ସେ ଓଟ ଚଲାଏ । ହେଲେ ଯମୁନା ର ଓଟ କ’ଣ ରାନୀର ସରି ହେବ ? ରାନୀ ତ ଦେଖିବାକୁ ଯେମିତି କାମରେ ବି ସେମିତି ! ରାତିରେ ନିଦ ଭାଙ୍ଗିଗଲେ ଦେଖେ ‘ରାନୀ’ ଛଟ ପଟ ହେଉଛି । ଭାବେ, ତାର ଗୋଡ ବିନ୍ଧା ହେଉଥିବ । ଆଉଁସି ଦେବ କି ? ସ୍ତ୍ରୀ କୁହେ ତୁମ ହାତ ବାଜିଲେ ସେ ଉଠି ପଡ଼ିବ । ତାକୁ ଶୋଇବାକୁ ଦିଅ । ଯମୁନା ଠାରୁ ରାଜୁ ରାଜସ୍ଥାନର କଥା ଶୁଣେ । ଦିନେ ସେ ସେଇଠୁ ଆସିଥିଲା । କୋଉ ଗାଁ, କୋଉ ସହର ତା’ର କିଛି ମନେ ନାହିଁ । ରେଗିସ୍ଥାନ ରେ ଖାଲି ବାଲି । ସେଇ ବାଲିରେ ଏଇ ଓଟ ମାନେ ଭଲ ଚାଲନ୍ତି । ମାଇଲ ମାଇଲ ବାଲିରେ ଚାଲି ଚାଲି ଓଟ କୁଆଡେ ହାଲିଆ ହୋଇପଡେ । ରାଜୁପାଇଁ ଏସବୁ କାହାଣୀ ଭଳି । ‘ରାନୀ’ ବେଳେ ବେଳେ କଥା ମାନେନା । ପାଣି ପିଏନା ବେଶି । ଖାଇଲା ବେଳେ ବି ଅମାନିଆ ହୁଏ । ସେ ରାନୀକୁ କୁହେ ତୁ ଏମିତି ଅଝଟ ହେଲେ ତତେ ଯମୁନା ସାଙ୍ଗରେ ରାଜସ୍ଥାନ ପଠଇଦେବି । ଭଲ ହୋଇଛି ରାନୀ ତୁ ମୋ ସହିତ ରହିଛୁ ନ ହେଲେ ଚଟ୍ ଚଟ୍ ବାଲିରେ ତୋ ପାଦ ଜଳି ଯାଆନ୍ତା ।
ଏମିତିରେ ଦେଖିଲେ ସେମାନେ ତିନି ପ୍ରାଣୀ । ଘରେ ପୁଅଟିଏ ଜନ୍ମ ହେଲା ପରେ ତାକୁ ମିଶେଇ ଚାରି ପ୍ରାଣୀ ହେଲେ । ଏବେ ରାଜୁର ପାଞ୍ଚବର୍ଷ ର ପୁଅ ବି ଯାଉଛି ସାଥିରେ । ଓଟ ସହିତ ସେ ବି ଚାଲେ । ମନ ନ ହେଲେ ବସି ପଡେ । ତା ପୁଅ ଖୁସି ଥିଲେ ରାଜୁ ବି ଅଧିକ ଉତ୍ସାହରେ ଡାକ ପକାଏ, ଉଁଟକା ସବାରି , ଆଓ ଆଓ ମଜା ଲେ …ଲୋ । ସାରା ଭାରତର ଲୋକ ଭିଡ଼ ଏଠି । ଜଗନ୍ନାଥ ଧାମ ପୁରୀ , ତୀର୍ଥସ୍ଥଳୀ । ତେଣୁ ଲୋକଙ୍କ ଭାରି ଭିଡ । କେବେ କେବେ ବିଦେଶୀ ଲୋକ ବି ଆସନ୍ତି । ସେ ଭଳି ଗ୍ରାହକ ପାଇଲେ ରାଜୁର ରୋଜଗାର ସେଦିନ ବଢିଯାଏ । ରାଜୁ ସେମାନଙ୍କୁ “‘କମ୍’ ,’ସିଟ’ “, ଥ୍ୟାଙ୍କ୍ୟୁ ‘ବୋଲି କୁହେ । ସେ ଦିନ ରାଜୁ ଘରେ ପିଠା ପଣା ହୁଏ ; ପୁଅ ପାଇଁ ନୂଆ ଜୋତା ଓ ଜାମା ବି କିଣା ହୁଏ । ରାନୀ କୁ ବି ଭଲ ଖାଇବା ମିଳେ । ରାଜୁ ଭାବେ, ତା ପୁଅ ଦିନେ ପାଠ ପଢି ବିଦେଶୀ ଲୋକ ଙ୍କ ଭଳି ଅନର୍ଗଳ ଇଂରାଜୀ କହିବ , ସାହେବ ହେବ ।
ସମୟର ଲହଡ଼ି ରେ ଦିନ ଗଡୁଥାଏ । ଦିନେ ଦେଖିଲା ଦାସ ମହାପାତ୍ରରଙ୍କ ବଡ ପୁଅ ସମୁଦ୍ର ରୁ ମାଟି ଢାଳରେ ପାଣି ଧରି ଯାଉଛି । ସେ ରାନୀକୁ ଛାଡ଼ିଦେଇ ଦୌଡିଲା ତା ବଡ଼ଭାଇ ପାଖକୁ । ଶୁଣିଲା ପଣ୍ଡିତଙ୍କ ଦେହାନ୍ତ ହୋଇଛି । ଦୌଡିଗଲା ସ୍ବର୍ଗଧାମକୁ। ତା ବାପାକୁ କୋକେଇରେ ଶୋଇ ଦିଆ ହୋଇଛି । ରାଜୁ ଦେଖି ଆଉଁସି ଆଣିଲା । ପାଦ ଧରି ମୁଣ୍ଡିଆ ମାରିଲା ଆଉ କହୁଥାଏ ମୋ ବାପାଙ୍କୁ ଯେମିତି କଷ୍ଟ ନ ହେବ ସେମିତି ଜୁଇ ଜଳେଇବ । ତାର ଏଇ ପାଗଳ ପ୍ରାୟ ଅବସ୍ଥା ଦେଖି ବାକି ଚାରିଭାଇ ତାକୁ ଟାଣି ଆଣି ଅଲଗା କଲେ । ବଡ ଭାଇ କହିଲେ, ରାଜୁ ସେ ତୋର ହିଁ ଅସଲ ବାପା ଥିଲେ । ମନକୁ ମନେଇ ରାଜୁ ଫେରି ଆସିଲା ତା ତମ୍ବୁକୁ। ତା ଆଖିରେ ଗଡି ଯାଉଥିବା ଲୁହ ଦେଖି ‘ରାନୀ’ବି ସେଦିନ କିଛି ଖାଇପାରିଲା ନାହିଁ ।
ଦେଖୁ ଦେଖୁ ପୁଅ ବଡ ହେଲା । ଭଲ ପାଠ ପଢି ବଡ ଅଫିସର ହେଲା । ପୁଅ କୁହେ, ବାପା ତୁମେ ଆଉ ତମ୍ବୁରେ ରୁହନା । ହେଲେ ରାଜୁର ମନ ମାନେନା । ସେ ତା ଓଟକୁ ଛାଡି ପାରେନା । ସ୍ତ୍ରୀ ବି ଯିବ ବା କୁଆଡେ ? ସେମାନେ ସେଇ ତମ୍ବୁରେ ରୁହନ୍ତି । ତା ପୁଅ ଏଇ ସମୁଦ୍ର ବେଳାରେ ଯୋଉ ମଜା ନେଇଛି କେବେ ଭୁଲିପାରେ ନା । ସେ ତ ତା ବାପା କାମ ଦେଖି ବଡ ହୋଇଛି । ଅନ୍ୟ ସହରରେ ଚାକିରି ହେଲେ ବି ପୁରୀ ଆସିଲେ ସେ ତମ୍ବୁରେ ରୁହେ । କୁହେ, ବାପା କେତେ ଦିନ ତୁମେ ଏମିତି ଚଳିବ । ଓଟକୁ ବିକ୍ରି କରିଦିଅ ,ଚାଲ ମୋ ସହିତ ସହରରେ ରହିବା । ତା ପୁଅ କଥାଶୁଣି ରାଜୁ ବି ଭାବେ, ସତକଥା । କେତେ ଦିନ ସେ ଏଇ ସମୁଦ୍ର ଜୁଆର ସହିତ ଲଢୁଥିବ । ଥରେ ଗ୍ରାହକ ଡାକି ଆଣିଲା । ସେ ‘ରାନୀ’କୁ ବିକ୍ରି କରିବ । ‘ରାନୀ’ପାଖରେ ବସି କଣ୍ଟା ଗଛ ଟେ ଧରି ଖାଉଥାଏ । ଦାମ ଫାଇନାଲ ହେଲା । ଗ୍ରାହକ ଏବେ ‘ରାନୀ’କୁ ଧରି ଚାଲିଯିବ । ରାଜୁ ସହରରେ ଯାଇ ପୁଅ ପାଖରେ ରହିବ । ରାଜୁକୁ ଲାଗିଲା ‘ରାନୀ’କୁ ସବୁ କଥା ଜଣା, ତାକୁ ଭଲ ଲାଗୁନି ଏସବୁ ।’ରାନୀ’ ରାଜୁର କାନ୍ଧରେ ମୁଣ୍ଡ ରଖି ଶୋଇଲା, ଆଖିରୁ ତାର ଧାର ଧାର ଲୁହ । ରାଜୁ ଆଖିର ଲୁହ ବି ବୋଲ ମାନୁନି। ସେ ଧରିଥିବା ଟଙ୍କା ତକ ଫୋପାଡ଼ି ଦେଇ ପୁଅକୁ କହିଲା,” ପୁଅରେ ମୁଁ ସହରକୁ ଯିବି ନାହିଁ । ତୋ ମା’ ଯଦି ଯିବ ଯାଉ, ଏଇ ଗଡି ଯାଉଥିବା ବୟସରେ ମୁଁ ରାନୀକୁ ଛାଡି ପାରିବି ନାହିଁ । ସେ ମୋ ଝିଅ ,ମୋ ମା’ ।” ‘ ରାନୀ’ ତା ସହିତ ରହିଲା । ପୁଣି ତାଙ୍କ ଦିନଚର୍ଯା ଯେମିତି ଚାଲିବା କଥା ସେମିତି ଚାଲିଲା । ସେ ଆଉ କେବେ ଚିନ୍ତା କରିନି, ରାନୀଟା କୁ ଆଉ କାହା ହାତରେ ଦେବ । ପୁଅର ବାହା ଘର ହେଲା । ନାତି, ନାତୁଣୀ ହେଲେଣି । ପୁରୀ ରେ ନୂଆଁ ଘର ତିଆରି ହେଲା । ହେଲେ ରାଜୁ କୁଆଡେ ଗଲାନା । ତା ସ୍ତ୍ରୀ ବେଳେ ବେଳେ ଯାଇ ପିଲାଙ୍କ ସହିତ ରୁହେ । ହେଲେ ରାଜୁ ରାନୀକୁ ଛାଡି କୁଆଡେ ଯାଏ ନା । ଏବେ ରାନୀ ଏତେ ଟା ପାରୁନି । କମ୍ ଚାଲେ । ହେଲେ ରାଜୁର ବି ଏବେ ଅଭାବ ନାହିଁ । ସେମାନେ ତମ୍ବୁରେ ଆସି ବିଶ୍ରାମ କରନ୍ତି ।
ହଠାତ୍ ଦିନେ ରାନୀ ଆଉ ଉଠି ପାରିଲାନି । ରାଜୁକୁ ଆସି ତା ସ୍ତ୍ରୀ ଡାକିଲା ରାନୀର କ’ଣ ହୋଇଛି ଦେଖିବ ଆସ । ରାଜୁ ଧାଇଁ ଗଲା ‘ରାନୀ’ ପାଖକୁ । ମୁଣ୍ଡ ଆଉଁସି ଆଣିଲା । ପୁଅକୁ କହିବାରୁ ସେ ଡାକ୍ତର ଡକେଇଲା । ହେଲେ କିଛି ଲାଭ ହେଲାନା ,ରାନୀ ରାଜୁର କୋଳରେ ମୁଣ୍ଡ ରଖି ଚାଲିଗଲା ଆର ପାରିକୁ । ଦିନେ ସେ ସ୍ବର୍ଗଧାମରେ ପଣ୍ଡିତଙ୍କୁ କୋକେଇରେ ଶୋଇବାର ଦେଖିଥିଲା । ଆଜି ରାନୀ କୁ ଦେଖୁଛି ସେଇ ଅବସ୍ଥାରେ । ପଣ୍ଡିତେ କ’ଣ ତା ଜନ୍ମ କଲା ବାପା ଥିଲେ ? ଆଉ ‘ରାନୀ’ ? ସେ ରାଜୁର ମା’ ନା ଝିଅ ? ନା ସବୁକିଛି ? ନା କେହି ନୁହେଁ ? କେବଳ କଣ୍ଟାଗଛ ଖାଉଥିବା ଆଉ କମ୍ ପାଣି ପିଉଥିବା ଗୋଟିଏ ଡେଙ୍ଗା ପଶୁ ? ଏବେ ତାକୁ ଛାଡି ରାଜୁ ଓ ତା ସ୍ତ୍ରୀ ପୁଅର ବଡ ଘରେ । ରାଜୁ ବୁଢା ହେଲାଣି । ରାତିରେ କେବେ କେବେ ନିଦ ହୁଏ ନା । ପୁଣି କେବେ ଅଧା ଭଙ୍ଗା ନିଦରେ ବାଉଳି ହୋଇ ଡାକେ” ରାନୀ ! ନିଦ ହେଉନି , ଥକି ଗଲୁ କି ? ପାଦ ଆଉଁସି ଦେବି କି ?
Anjali Acharya
221 prachi enclave phase 2
Chandrashekhar pur BBSR
751016
pH 7894235400