ପ୍ରଥମ କନସର୍ଟ

ସ୍ଵୟଂପ୍ରଭା
ସ୍ଵୟଂପ୍ରଭା 135 Views
9 Min Read

ସୂଚନା:

ଏହି ବିଷୟଟି ଉସ୍ତାଦ ରାସିଦ ଖାଁଙ୍କର ଜୀବନର କିଛି ସତ୍ୟ ଘଟଣା ସହିତ ଯୋଡି ହୋଇଛି । ତାଙ୍କର ଆବର୍ତ୍ତମାନରେ ତାଙ୍କର ପିଲା ଦିନର କିଛି ସ୍ମୃତିକୁ ଏଠାରେ ମନେପକାଇବା ପାଇଁ ପ୍ରୟାସ କରାଯାଇଛି । ଏହା ବ୍ୟତୀତ ଏହି ମହାନ କଳାକାରଙ୍କ ଜୀବନ ପ୍ରତି ପାଠକଙ୍କୁ ଅକୃଷ୍ଟ କରିବାପାଇଁ ବାହାରର ଚରିତ୍ର ଓ କିଛି କାଳ୍ପନିକ ଘଟଣାର ଆବଶ୍ୟକ ସ୍ଥଳେ ସହଯୋଗ ନିଆଯାଇଛି । ଛୋଟ ଛୋଟ ପିଲା ଓ କିଶୋର ବୟସର ପିଲାମାନଙ୍କ ସହିତ ଉସ୍ତାଦ ରାସିଦ ଖାଁ ସାହାବଙ୍କର ସଙ୍ଗୀତ ଓ ସଙ୍ଗୀତିକ ଜୀବନକୁ ପରିଚିତ କରାଇବା ପାଇଁ ଏହି ଉଦ୍ୟମ କିଛି ପରିମାଣରେ ସହଯୋଗ କରିବ ବୋଲି ଆଶା । ଯଦି ଏହାକୁ ପଢିବା ପରେ ପିଲାମାନଙ୍କ ମନରେ ସଙ୍ଗୀତ ପ୍ରତି ଶ୍ରଦ୍ଧା ଆସେ ଓ ଉସ୍ତାଦ ରାସିଦ ଖାଁଙ୍କୁ ସେମାନେ ଅଧିକ ଜାଣିବା ପାଇଁ  ଆଗ୍ରହ ପ୍ରକାଶ କରନ୍ତି ତେବେ ଆମର ଏହି ନୂତନ ପ୍ରୟୋଗ ଓ ଶ୍ରମ ସାର୍ଥକ ହେବ ବୋଲି ଅନୁଭବ କରିବୁ ।   (ଗଳ୍ପଟିର ମୂଳ ଚରିତ୍ର ରାସିଦ ମାନେ ଉସ୍ତାଦ ରାସିଦ ଖାଁ ସାହାବ ଓ ଜେଜେ ମାମୁଁ ଗୁରୁ ଉସ୍ତାଦ ନିଶାର ହୁସେନ ଖାଁ ସାହାବଙ୍କ ଚରିତ୍ର ସମ୍ପୁର୍ଣ୍ଣ ସତ୍ୟ । ବନ୍ଧୁ ତୁଷାର ଚରିତ୍ରଟି କାଳ୍ପନିକ । କାହାଣୀର ଅବତରଣ ପାଇଁ ତୁଷାର ଚରିତ୍ରଟିର କେବଳ ସହଯୋଗ ନିଆଯାଇଛି । )

Support Samadhwani

ନ ସା ମ ପା ନି ସା … ସା ନ ଧ ପା ମ ରେ ସା ନି ସା

ପ ନି … ଧ ପ   ଏହି ସ୍ଵର ଉପରେ ଏତେ ସମୟ ଦେଉଛି ରାସିଦ । କେତେ ଛୋଟ ଛୋଟ ଅଳପ ସେ କରୁଛି ଯେମିତି ଆଜି ସବୁ ଏକା ଦିନେ ଅଭ୍ୟାସ କରିଦେବ । ସ୍ଵରର ଯେମିତି ଆଜି ଲହରୀ ଆସିବ ଲାଗୁଛି । ଆଜି କେଉଁ ରାଗ ଅଭ୍ୟାସ କରୁଛି କେଜାଣି ? କାଫି ଠାଟ ପରି ମନେହେଉଛି । ଦିନ ଏବେ 4ଟା ହେଲାଣି । ସେ ଆଜି ଆଉ ଖେଳିବନି ବୋଧେ । ଆଉ ଖେଳିବ କ’ଣ ତାର ସ୍ଵର ତ ଖେଳୁଛି, ମନେ ମନେ ତୁଷାର ଏମିତି ଅନେକ କଥା ଭାବୁଥାଏ ।

କେତେ ସମୟ ହେଲା ସେ ଦାଣ୍ଡରେ ଛିଡା ହୋଇ ରସିଦ ସହିତ ଖେଳିବା ପାଇଁ ଅପେକ୍ଷା କରିଛି । ହଟାତ କବାଟ ଖୋଲି ରାସିଦର ଜେଜେ ମାମୁଁ ଆସିଲେ । ଦେଖିଲେ ତୁଷାର ଛିଡା ହୋଇଛି । ତୁଷାର ତାଙ୍କୁ ଉସ୍ତାଦ ବୋଲି ପାଦ ଛୁଇଁ ମୁଣ୍ଡିଆ ମାରିଲା । ଉସ୍ତାଦ କହିଲେ ଆଜି ଆଉ ରାସିଦ ଖେଳିବାକୁ ଯାଇପରିବନି। ତାକୁ କାଲି ପାଇଁ ଅଭ୍ୟାସ କରିବାକୁ ହେବ । ତୁଷାର ଆଉ ଅପେକ୍ଷା କରିବ କ’ଣ ଘରକୁ ଦୌଡିଲା । ତାର ମନେ ପଡିଲା ଯେ କାଲି ରାସିଦର ଗୋଟେ କନସର୍ଟ ଅଛି । ସେଠିକି ସେ ତା’ ସହିତ ଯିବାକୁ କହିଛି ।

Support Samadhwani

ମୋତେ ଆଜି କାହିଁକି ଭାରି ଡର ଡର ଲାଗୁଛି । କ’ଣ କରିବି କହିଲୁ । ରାସିଦ ବନ୍ଧୁ ତୁଷାରକୁ ପଚାରିଲା । ଦାଦୁ (ଜେଜେ ମାମୁଁ ) ମୋତେ ବହୁତ ଅଭ୍ୟାସ କରାଇଛନ୍ତି ଆଜିର ଷ୍ଟେଜ ପାଇଁ । ମୋର ଆଜି ପ୍ରଥମ କନସର୍ଟ ।  ଭଲ ପ୍ରସ୍ତୁତି ଦେବା ପାଇଁ ପୁଣି ତାଗିଦ କରି କହିଛନ୍ତି । ଦେଖୁନୁ କେତେ ବଡ ବଡ ଲୋକ କେମିତି ଘେରିଛନ୍ତି ଜେଜେ ମାମୁଁଙ୍କୁ । ପଣ୍ଡିତ ରବି ଶଙ୍କର, ପଣ୍ଡିତ ଭୀମସେନ ଯୋଶୀ। ସେମାନେ କୁଆଡେ ଭାରତର ବହୁତ ବଡ ବଡ ଗାୟକ ଓ ବାଦକ ବୋଲି ସାନ ଅଜା ଉସ୍ତାଦ ନିଶାର ହୁସେନ କହୁଥିଲେ ।

ଭାଇ କେତେ ବଡ ବଡ ଆର୍ଟିସ୍ଟ ଆଜି ଏଠିକି ଆସିଛନ୍ତି ଦେଖ । ତୁଷାର ଆଖି ତରାଟି କହିଲା।

ରାସିଦ ଚାରିଆଡକୁ ଅନେଇ କହିଲା ମୁଁ ବକଟେ ପିଲାରେ ତୁଷାର । ଆଜି ମଲି ଜାଣ ।

ତୁଷାର: କାହିଁକି ଏମିତି ଡରି ଡରି ମରୁଛୁକିରେ ରସିଦ । ତୁ ପରା ଆମ ଛୋଟା ଉସ୍ତାଦ ।

ରାସିଦ: ତୁ କାହିଁକି ମୋତେ ଆହୁରି ଡରଉଛୁ କହିଲୁ ତୁଷାର । ତୁ ମୋ ସାଙ୍ଗ ଟି । ରସିଦ ଟିକେ ରାଗିକି କହିଲା ।

ତୁଷାର: ମୁଁ କଉଁଠି ଡରେଇଲି । ତୁ ତ ନିଜେ ନିଜେ ଡରିକି ଥରୁଛୁ । ତୁଷାର ରସିଦକୁ ଚାହିଁ ହି ହି ହେଇ ହସିଲା ।

ରାସିଦ: ଆରେ ଏତେ ବଡ ବଡ ଓସ୍ତାଦମାନେ ଏଠି ଅଛନ୍ତି । ସେମାନେ ମୋତେ ଶୁଣି କ’ଣ କହିବେ ଖାଲି ଭାବୁଛି । ସେଥିପାଇଁ ଡରୁଛି ନା । ପୁଣି ମୁଁ ଗାଇସାରିଲେ ପଣ୍ଡିତ ରବି ଶଙ୍କର ସୀତାର ବଜେଇବେ । ମନରେ ଏତେ ଡର ତୋତେ କହିଲେ ତୁ ହସୁଛୁ । ନାଇଁ । କାହାକୁ ଆଉ କହିବି ଯେ ।

ପ୍ରଥମ ଥର ଏତେ ଲୋକଙ୍କୁ ଗୋଟେ ଜାଗାରେ ଦେଖି ରାସିଦ ତଟସ୍ଥ ହୋଇଯାଇଛି । ରାସିଦ ଲୋକଙ୍କୁ ଅନେଇ କହିଲା, ଆରେ ଦେଖିଲୁ ଏଠିତ ଲୋକ ବହୁତ ଦିଶୁଛନ୍ତି । ହଜାରେ ଖଣ୍ଡେ ଲୋକ ହେବେ ।

ତୁଷାର କହିଲା ନାଇଁ ମ ଖେଳୁଛୁ ନା କ’ଣ । ତୁଷାର ରାସିଦକୁ ଡରେଇ କହିଲା, ପାଞ୍ଚ କି ଛ ହଜାର ଲୋକ ହେବେ ।

ରାସିଦ: ହଉ ହଉ ଥାଉ ତୁ ମୋତେ ଡରାନି ।

ରାସିଦ ଓ ତୁଷାର ଦୁଇ ବନ୍ଧୁ ହାତ ଧରାଧରି ହୋଇ ୧୯୭୮ ମସିହାରେ କଲିକତାର ସେହି କନସର୍ଟକୁ ଆସିଥିବା ଦିଗଜ କଳାକାର ମାନଙ୍କର ହାବ ଭାବ, ଆଦବ କାଇଦାକୁ ନିରିଖେଇ ଉଣ୍ଡୁଥିଲେ । ଏସବୁ ଆଦବ କାଇଦା ସହିତ ଯଦିଓ ରସିଦ ଟିକେ ପରିଚିତ ଥିଲେ । କାହିଁକି ନା ତାଙ୍କ ପରିବାରରେ ସଙ୍ଗୀତ କାହିଁ କେଉଁ ଯୁଗରୁ ରହିଛି । ମାମୁଁଙ୍କ ଘରେ ଆଦବ କାଇଦା ପିଲାଟି ଦିନରୁ ମୁମ୍ବାଇରେ ଦେଖିଛି । ଏମିତିରେ କୁହାଯାଏ ଯେ, ମିଆଁ ତାନସେନଙ୍କର ସେ ୩୧ତମ ବଂଶଧର ବୋଲି ।

ତୁଷାର ପାଟିକରି ଡାକିଲା । ଆରେ ରାସିଦ କନସର୍ଟ ଆରମ୍ଭ ହେବନା କ’ଣ। ସମସ୍ତେ ବସିଗଲେଣି । ଚାଲ ଚାଲ । ତୁ ଷ୍ଟେଜ ଆଗକୁ ଯା । ତୋ ଜେଜେ ମାମୁଁ ତୋତେ ଖୋଜୁଛନ୍ତି । ରାସିଦ ଜେଜେ ମାମୁଁଙ୍କ ଆଡ଼କୁ ଦୌଡିଲା । ପ୍ରଥମେ ରାସିଦର ପାଳି । ରାଗ ପଟ୍ଟଦୀପ ଗାଇବ।

ରାସିଦ: ଏଇ କିଛି ଦିନ ତଳେ ତ ମୁଁ  ସାନ ଅଜାଙ୍କ ସହିତ କଲିକତା ଆସିଛି । ହଟାତ ଏଠି ମୋତେ ପୁଣି ଗାଇବାକୁ ହେବ। ପୁଣି ରାଗ  ପଟ୍ଟଦୀପ । ମୁଁ ପ୍ରସ୍ତୁତ କରିଛି ଯେ । ବହୁତ ଅଭ୍ୟାସ ବି କରିଛି । ତାନ, ଲୟକାରୀ ସବୁ ଅଭ୍ୟାସ କରିଛି । ତଥାପି ଭୟ ଲାଗୁଛି । କେବେ ଆଗରୁ ଏତେ ଲୋକଙ୍କ ଆଗରେ ଗାଇ ନାହିଁ ତ । ସେଥିପାଇଁ ବୋଧେ ମୋତେ ଡର ଲାଗୁଛି। ଏମିତି ସେଦିନ ମନେ ମନେ ଅନେକ କଥା ନିଜ ଜୀବନର ପ୍ରଥମ କନସର୍ଟ ପୂର୍ବରୁ ଭାବୁଥିଲେ ଯୁବ ଗାୟକ ରସିଦ, ମାନେ ଓସ୍ତାଦ ରସିଦ ଖାଁ ସାହାବ।

ଉସ୍ତାଦ ରାସିଦ ଖାଁ ସାହାବ ଉତ୍ତର ପ୍ରଦେଶର ଏକ ଛୋଟ ସହର ୱଦାୟୁଁରେ ୧୯୬୮ ମସିହାରେ ଜନ୍ମ ହୋଇଥିଲେ । ଉସ୍ତାଦ ରାସିଦ ଖାଁ ନିଜ ମାଙ୍କୁ ୪ ବର୍ଷ ବଯସରୁ ହରାଇଥିଲେ । ବାପା ଥିଲେ ଜଣେ ସୁଫି ଗାୟକ। ମାଙ୍କ କକା ମାନେ ତାଙ୍କର ଦାଦୁ (ଜେଜେ ମାମୁଁ ) ଉସ୍ତାଦ ନିଶାର ହୁସେନ ଖାଁ ସାହାବ(୧୯୧୨-୧୯୯୩) ରାମପୁର ସେହେସ୍ଵାନ ଘରାନାର ଜଣେ ବିଶିଷ୍ଟ ଉତ୍ତରିଧିକାରୀ ଥିଲେ । ସେ ତାଙ୍କ କକା ବିଶିଷ୍ଟ ଗାୟକ ଉସ୍ତାଦ ଇନାୟତ ହୁସେନ ଖାଁଙ୍କ ନିକଟରୁ ତାଲିମ ପାଇଥିଲେ । ଉସ୍ତାଦ ଇନାୟତ ହୁସେନ ଖାଁ ସାହାବ ଥିଲେ ରାମପୁର ଘରାନାର ସଂସ୍ଥାପକ । ତାଙ୍କ ପରିବାରରେ ପିଢ଼ି ପରେ ପିଢ଼ି ସଙ୍ଗୀତ ଚାଲିଥିଲା । ଉସ୍ତାଦ ନିଶାର ହୁସେନ ଖାଁଙ୍କ ନିକଟରୁ ରାସିଦ ଖାଁ ପିଲାଟି ଦିନରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ ।

ମା ଚାଲିଯିବା ପରେ ତାଙ୍କର ମାମୁଁ ଗୁଲାମ ମୁସ୍ତାଫା ଖାଁ ଭଣଜା ରାସିଦଙ୍କୁ ନିଜ ପାଖରେ ରଖିଲେ । ତାଙ୍କୁ ନିଜ ସହିତ ମୁମ୍ବାଇ ନେଇଯାଇଥିଲେ । ମାମୁଁ ଗୁଲାମ ମୁସ୍ତାଫା ଖାଁ ପ୍ରଥମେ ରସିଦଙ୍କର ସଂଗୀତ ପ୍ରତିଭାକୁ ଚିହ୍ନି ପାରିଥିଲେ । ପିଲାଦିନେ ରାସିଦ କେବେ ବି ସଙ୍ଗୀତ ଗାଇବା ପାଇଁ ଆଗ୍ରହ ଦେଖାଉ ନଥିଲେ । କିଛି ଦିନ ମୁମ୍ବାଇରେ ରହିବା ପରେ ରାସିଦ ପୁଣି ୱଦାୟୁଁ ଫେରି ଆସିଥିଲେ । ସେତେବେଳେ ତାଙ୍କ ଜେଜେ ମାମୁଁ ନିଶାର ହୁସେନ ଖାଁଙ୍କ ନିକଟରେ ତାଙ୍କର ଗଣ୍ଡା ବନ୍ଧା ହୋଇଥିଲା । ମାନେ ସେ ରାମପୁର ସେହେସ୍ଵାନ ଘରାନାର ଉତ୍ତରାଧିକାରୀ ହେବାପାଇଁ ଗୁରୁଙ୍କ ନିକଟରେ ଶିକ୍ଷନେବା ପାଇଁ ପ୍ରତିବଦ୍ଧ ହୋଇଥିଲେ ।  ଜେଜେ ମାମୁଁ ନିଶାର ହୁସେନ ଖାଁ ସାହାବ ବହୁତ ଶକ୍ତ ଓ ଆଇନ କାନୁନ ସମ୍ପର୍ଣ୍ଣ ଲୋକ ଥିଲେ । ସେ ରାସିଦଙ୍କୁ ଗୋଟିଏ ଗୋଟିଏ ସ୍ଵର ଉପରେ ଅନେକ ସମୟ ଯାଏ ଅଭ୍ୟାସ କରିବାକୁ ସବୁବେଳେ ତାଗିଦ କରୁଥିଲେ । ତାଙ୍କ କଥାକୁ ଯେମିତି ରାସିଦ ଏ କାନରେ ପୁରେଇ ସେ କାନରେ କାଢି ଦେଉଥିଲେ । ଛୋଟବେଳେ  ରାସିଦ ବହୁତ ଚଗଲା ଥିଲେ । ଠିକ ସାଧାରଣ ପିଲାମାନଙ୍କ ପରି ।

ସେଦିନର କନସର୍ଟ କିନ୍ତୁ ୧୧ ବର୍ଷ ବୟସରେ ଉସ୍ତାଦ ରାସିଦ ଖାଁଙ୍କ ଜୀବନକୁ ପୁରା ବଦଳେଇ ଦେଲା । ରାସିଦ କନସର୍ଟ ସରିବା ପରେ ଅପେକ୍ଷା କରିଥିଲେ ଜେଜେ ମାମୁଁ କ’ଣ କହିବେ। ନିଜେ ତ ନିଜର ଗାଇବାରେ ବେଶ ଖୁସି ହେଉଥିଲେ । କିନ୍ତୁ ଏତେ ବଡ଼ ବଡ଼ କଳାକାର ଓ ଜେଜେ ମାମୁଁ ଅଛନ୍ତି ।  କନସର୍ଟ ସାରିଲା । ଅନେକ ରାତି ହେଲାଣି । ସମସ୍ତେ ଖୋଜିଲେ ଛୋଟ ଉସ୍ତାଦ ରାସିଦଙ୍କୁ । ପ୍ରସଂଶା ଯେମିତି ସେଦିନ ଅଜାଡି ହୋଇ ପଡିଥିଲା ରାସିଦଙ୍କ ଉପରେ । ରାସିଦଙ୍କ ମନରୁ ସେଦିନ ଯେମିତି ଭୟ ପୁରା ଛାଡି ଯାଇଥାଏ । ଏବେ ସେ ଭାବୁଥିଲେ ଆହୁରି କେମିତି ନୂଆ ନୂଆ ଜାଗାରେ ଗାଇବେ ଓ ଏମିତି ସମସ୍ତେ ତାଙ୍କୁ ଭଲ ପାଇବେ ।

ଛୋଟା ଉସ୍ତଦ୍ ରସିଦ ଆଉ କେବେ ସଙ୍ଗୀତକୁ ଛାଡ଼ି ପାରିଲେନି । ନିଜ ଜେଜେ ମାମୁଁଙ୍କ ତାଗିଦ ; ଗଇବା ସମୟରେ ଗୋଟିଏ ସ୍ଵରରେ ଅଧିକ ସମୟ ସ୍ଥିର ରହିବାକୁ ହେବ । ରାତି 4ଟା ରୁ ଉଠି ସ୍ଵର ସାଧନ କରିବା ଓ ସ୍ଵରକୁ ଗୋଟିଏ ଜାଗାରେ ସ୍ଥିର ରଖିବାର ଦକ୍ଷତା ହାସଲ କରିବା ଆଦି ପରବର୍ତ୍ତୀ ସମୟରେ, ଗାୟନରେ ତାଙ୍କୁ ଅନେକ ସାହାଯ୍ୟ କଲା । ସେ ଧୀରେ ଧୀରେ ନିଜ ଗାୟନରେ ପରିବର୍ତ୍ତନକୁ ଅନୁଭବ କରିବାକୁ ଲାଗିଲେ । ଗୁରୁଙ୍କ କଥା ମାନି ସଠିକ ଧାରାରେ ଅଭ୍ୟାସ କରିବା ଫଳରେ ସଙ୍ଗୀତ ତାଙ୍କ ସ୍ଵରରେ ଅତି ସୁନ୍ଦର ଓ ସହଜରେ ଝରି ଚାଲିଲା ।

ସ୍ଵରର ଆନନ୍ଦ ଉସ୍ତାଦ ରସିଦ ଖାଁ ଯେମିତି ସେଦିନର ସେହି ପ୍ରଥମ କନସର୍ଟରେ ହିଁ ପାଇ ଯାଇଥିଲେ।

Share This Article
Ms Swayamprava Parhi is a vocal artist and a cultural journalist. She is the Chief Editor of Samadhwani Cultural Magazine (www.samadhwani.com), and director of Samadrusti Mukta Vidyalaya and Samadhwani Sanskrutika Gabeshana Kendra. Swayamprava has been involved in the Village Biography Writing Initiatives with school students since 2005.She also happens to be a Documentary Filmmaker and a Pod caster.