ଆମେ ଓ ଆମ ଗାଁ

24 Min Read

ଭାରତ ଓ ସର୍ବୋପରି ଓଡ଼ିଶା ଏକ ଗ୍ରାମ ବହୁଳ ରାଜ୍ୟ । ଗାଁର ପରମ୍ପରା, ସଂସ୍କୃତି ଓ ଚଳଣୀରେ ଆମ ରାଜ୍ୟ ପରିପୁଷ୍ଟ ହୋଇ ଦଣ୍ଡାୟମାନ । ଆମେ ଯେତେ ସହରୀ ସଭ୍ୟତାକୁ ଆପଣେଇଲେ ମଧ୍ୟ, ଆମ ମନ ଭିତରେ ସେଇ ଗାଁର ନିଖୁଣ ପ୍ରତିଛବି ଉଙ୍କି ମାରୁଛି । ମନେ ହେଉଛି, ଏ ସବୁ ଜଞ୍ଜାଳରୁ ମୁକ୍ତ ହୋଇ ଗାଁର ସେହି ସୁନ୍ଦର ନିରଳସ ଓ ଶ୍ରୀ ସମ୍ପର୍ଣ୍ଣ ପରିବେଶ ଭିତରେ ରହିବା ପାଇଁ । ଗ୍ରାମ୍ୟ ଜୀବନକୁ ଚିର ସୁନ୍ଦର କରୁଥିଲା, ଗାଁର ସବୁଜ ପରିବେଶ ଓ ସେଠାରେ ବସବାସ କରୁଥିବା ବିଭିନ୍ନ କୌଳିକ ବୃତ୍ତିଧାରୀ ମଣିଷମାନଙ୍କର କର୍ମଠ, ନିରଳସ ଓ ସରଳ ଜୀବନଯାପନ ପ୍ରକ୍ରିୟା । ମୋଟାମୋଟି ଭାବେ ଏକ ବନ୍ଧୁତ୍ୱପୂର୍ଣ୍ଣ ସହାବସ୍ଥାନ ସେମାନଙ୍କର ଲକ୍ଷ୍ୟ ଥିଲା । ପରସ୍ପର ପ୍ରତି ସ୍ନେହ, ପ୍ରୀତି ଓ ଅନୁରାଗରେ ବନ୍ଧା ହୋଇ ଜୀବନ ଯାପନ କରୁଥିବା କେତେକ ବର୍ଗର (ସମ୍ପ୍ରଦାୟ) ଲୋକଙ୍କ ଉପରେ କିଛି ରେଖାପାତ କରିବା ଏ ଲେଖାଟିର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଥମତଃ ଆମକୁ ସଂକ୍ଷିପ୍ତ ଭାବେ ଜାଣିବାକୁ ହେବ ଗାଁର ଲେକଙ୍କ ଚଳଣୀ ଖାଦ୍ୟପେୟ ଓ ସହାବସ୍ଥାନ ସମ୍ପର୍କରେ । ଦ୍ୱିତୀୟତଃ କୌଳିକ ବୃତ୍ତି କେମିତି ଗ୍ରାମ୍ୟ ଜୀବନକୁ ସରସ ସୁନ୍ଦର କରି ରଖିବା ସହ ସେମାନଙ୍କର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ଼ କରି ରଖିଥିଲା ତାହା ମଧ୍ୟ ବିଚାରକୁ ନିଆଯାଇଛି ।

ଖାଦ୍ୟପେୟ ଗ୍ରାମ୍ୟ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରୁଥିଲା । ଆମେ ଜାଣୁଛେ, ଖାଦ୍ୟପେୟ ସେ ଯେକୌଣସି ଅଞ୍ଚଳର ହେଉ ନା କାହିଁକି, ସମ୍ପୂର୍ଣ୍ଣ ନିର୍ଭର କରେ ସେଠିକାର ଭୌଗଳିକ ସ୍ଥିତି, ଜଳବାୟୁ ପରିବେଶ ଉପରେ ଏବଂ କୃଷି ନିର୍ଭରଶୀଳ ଏ ସବୁ ଉପରେ । ଉଦାହରଣ ସ୍ୱରୂପ ପାର୍ବତ୍ୟ ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ ଇଲାକାଗୁଡ଼ିକର କୃଷି ନିଶ୍ଚିତ ଭବେ ଅଲଗା ହୁଏ ସମତଳ ଅଞ୍ଚଳ ଓ ଉପକୂଳବର୍ତ୍ତୀ ଅଞ୍ଚଳ ଠାରୁ ଆଦିବାସୀମାନେ ପାହାଡ଼ିଆ ଜମିରେ ବିଭିନ୍ନ କିସମର ମିଲେଟ ଜାତୀୟ ଶସ୍ୟ ଯଥା ସୁଆଁ, କାଙ୍ଗୁ, ଜହ୍ନା, ମାଣ୍ଡିଆ ଇତ୍ୟାଦି ପ୍ରଚୁର ପରିମାଣରେ ଆଦାୟ କରନ୍ତି । ତେଣୁ ସେମାନଙ୍କର ଖାଦ୍ୟପେୟ ଏ ସବୁକୁ ନେଇ ତିଆରି ହୁଏ । ଯେମିତିକା ମାଣ୍ଡିଆ, କାଙ୍ଗୁ, ସୁଆଁର ଜାଉ ସେମାନଙ୍କର ମୁଖ୍ୟ ଖାଦ୍ୟ । କେଉଁ ଆବାହମାନ କାଳରୁ ସେମାନେ ଏ ଖାଦ୍ୟ ସହ ଅଭ୍ୟସ୍ତ ବିଭିନ୍ନ କିସମର ଦେଶୀ ଧାନ ଚାଷ ସେ ସବୁ ଅଞ୍ଚଳରେ ହୁଏ । ଭାତ ସହ କାନ୍ଦୁଲ, ଝୁଡୁଙ୍ଗ, ବଡ଼ କାନ୍ଦୁଲ, ମାଙ୍କଡ଼ଦାନ୍ତି ଇତ୍ୟାଦିର ଡାଲି ପ୍ରସ୍ତୁତ କରି ଥାଆନ୍ତି । ପୌଷ୍ଟିକତା ଦୃଷ୍ଟିରୁ ଏ ସବୁ ଶସ୍ୟ ଚାଉଳଠାରୁ ଯଥେଷ୍ଟ ଊର୍ଦ୍ଧ୍ୱରେ ଏତଦ୍‌ବ୍ୟତୀତ ଜଙ୍ଗଲରୁ ସଂଗ୍ରହ କରି ବିଭିନ୍ନ ଶାଗ, କନ୍ଦା, ଫଳମୂଳ, ଫୁଲ ସେମାନଙ୍କ ଖାଦ୍ୟରେ ସାମିଲ କରନ୍ତି । କିନ୍ତୁ ଉପକୂଳ ଅଞ୍ଚଳର ଖାଦ୍ୟ ଶୈଳୀ ସମ୍ପୂର୍ଣ୍ଣ ଅଲଗା । ଆମେ ମୁଖ୍ୟତଃ ଚାଉଳ ଓ ଗହମ ଉପରେ ନିର୍ଭରଶୀଳ । ଗାଁ ମାନଙ୍କରେ ଲୋକମାନେ ଆଗରୁ ମାଣ୍ଡିଆ ଚାଷ ପର୍ଯ୍ୟାପ୍ତ ପରିମାଣରେ କରୁଥିଲେ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ଜାଉ ମୁଖ୍ୟ ଖାଦ୍ୟ ରୂପେ ନେଉଥିଲେ । ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାଣ୍ଡିଆ ଚାଷ ପ୍ରାୟ ବନ୍ଦ ହୋଇଯାଇଛି । ବର୍ତ୍ତମାନ ସରକାରଙ୍କର ମିଲେଟ୍ ମିଶନ ଲୋକଙ୍କୁ ମାଣ୍ଡିଆ ଚାଷ କରିବା ପାଇଁ କେତେ ପ୍ରବର୍ତ୍ତାଇ ପାରିବ, ତାହା ସମୟ କହିବ ।

ଗଞ୍ଜାମର ଗାଁ ଗହଳିରେ ବିଶେଷ କରି କୃଷକ ଓ ଶ୍ରମିକ ପରିବାରଗୁଡ଼ିକରେ ସକାଳ ଓ ଦିପହର ଖିଆରେ ମାଣ୍ଡିଆ ଜାଉ ମୁଖ୍ୟ ଥିଲା । ରାତିରେ ପ୍ରସ୍ତୁତ ଜାଉ (ମାଣ୍ଡିଆ ଚୁନା ଓ ଖୁଦ ବା ଚାଉଳ) ସକାଳେ ଲୁଣ ପିଆଜ, ଆଚାର, ଶୁଖୁଆ ବା ଶାଗଭଜା ସଙ୍ଗେ ଖାଉଥିଲେ । ଯେଉଁମାନେ ଘରେ ଗାଈ ପୋଷୁଥିଲେ ସେମାନେ ଜାଉ ସଙ୍ଗେ ଦହି ବା ଚହ୍ଲା ଖାଉଥିଲେ । ମାଣ୍ଡିଆ କାଲସିୟମ ଓ ତନ୍ତୁଜାତୀୟ ପ୍ରୋଟିନ୍‌ରେ ଭରପୁର; ଶର୍କରା କମ୍ ଓ ପ୍ରୋଟିନ୍ ପରିମାଣ ଚାଉଳ ଠାରୁ ଅଧିକ । ତେଣୁ ମାଣ୍ଡିଆ ଖାଇବା ପଛର ରହସ୍ୟ ଥିଲା, ସେମାନେ ଖାଦ୍ୟରୁ ପୌଷ୍ଟିକତା ବହୁତ ପାଉଥିଲେ ଏବଂ ଜମିରେ ହଳ ଲଙ୍ଗଳ ଧରି ଚାଷବାସ କରିବା ପାଇଁ ଯଥେଷ୍ଟ ଶକ୍ତି ପାଉଥିଲେ । ମୋର ମନେ ପଡ଼େ ସ୍ୱଚ୍ଛଳ, ମଧ୍ୟବିତ୍ତ ଓ ଧନୀ ପରିବାରମାନଙ୍କରେ ମାଣ୍ଡିଆ ଜାଉର ପ୍ରଚଳନ କ୍ୱଚିତ୍ ଥିଲା । କିନ୍ତୁ ମାଣ୍ଡିଆ ଚୁନା ଓ ଗୁଡ଼ରୁ ପ୍ରସ୍ତୁତ ଚକୁଳି ଜଳଖିଆରେ ଖିଆ ଯାଉଥିଲା । ମାଣ୍ଡିଆ ଚୁନାରୁ ତମ୍ପା ତିଆରି ହେଉଥିଲା ଘର ମାନଙ୍କରେ। ମାଣ୍ଡିଆ ଚୁନାକୁ ଗୁଆ ଘିଅରେ ଅଳ୍ପ ଭାଜି ସେଥିରେ ନିଡ଼ିଆ କୋରା ଓ ଖଣ୍ଡ, ଗୁଡ଼ ଗୋଲମରିଚ ଓ ପିଠା ଅଳେଇଚ ଗୁଣ୍ଡ ଦେଇ ସୁସ୍ୱାଦୁ ତମ୍ପ ତିଆରି ହେଉଥିଲା । ତା’ ଛଡ଼ା, ମାଣ୍ଡିଆପାଳୁ ବୋଉ ବନଉଥିଲା । ମାଣ୍ଡିଆ ଚୁନାକୁ ବତୁରାଇ ପତଳା ଧୋତି କପଡ଼ାରେ ଛଣା ଯାଉଥିଲା । ଏଇଥିରେ ମାଣ୍ଡିଆର କଳା ଚୋପା ଅଲଗା ହୋଇଯାଉଥିଲା । ଏବଂ ମାଣ୍ଡିଆରସ ଯାହାକୁ, ମାଣ୍ଡିଆ କ୍ଷୀର କହନ୍ତି, ସେଥିରେ କ୍ଷୀର, ନଡ଼ିଆ ଓ ଚିନି ଦେଇ ସ୍ୱାଦିଷ୍ଟ ପାଳୁ ବନାଯାଉଥିଲା । ପୌଷ୍ଟିକତା ଦୃଷ୍ଟିରୁ ଏହା ସର୍ବଶ୍ରେଷ୍ଠ ।

ଗାଁ ଗହଳିରେ ପ୍ରାୟ ସମସ୍ତଙ୍କ ଘରେ ଢ଼ିଙ୍କି ରହୁଥିଲା ଲୋକେ ଧାନକୁ ଢ଼ିଙ୍କିରେ କୁଟି ଚାଉଳ କରି ଖାଉଥିଲେ। ଧାନ କଳ ପ୍ରାୟ ନ ଥିଲା । ତେଣୁ ଘରମାନଙ୍କରେ ଧାନ କୁଟିବା ପାଇଁ ଢିଙ୍କି ଓ ମାଣ୍ଡିଆ ଚୁନା ବନେଇବା ପାଇଁ ‘ଘୋରଣା’ ବା ଚକି ଅପରିହାର୍ଯ୍ୟ ଥିଲା । ମାଣ୍ଡିଆ ଚୁନା ଚକି ବେଶ୍ ଓଜନଦାର ଓ ବଡ଼ ଆକାରର ଥିଲା । ଘରର ସ୍ତ୍ରୀ ଲୋକମାନେ ଧାନ କୁଟିବା ଓ ମାଣ୍ଡିଆ ଘୋରିବା ଇତ୍ୟାଦି କାମ କରୁଥିଲେ । ତେଣୁ ଆମେମାନେ ପିଲାବେଳେ ଢିଙ୍କିକୁଟା ଚାଉଳ ଖାଉଥିଲୁ । ଢିଙ୍କିର ପ୍ରଚଳନ ଏକ ସାମାନ୍ୟ କଥା ନୁହଁ, ଏହା ଗ୍ରାମୀଣ ଅର୍ଥନୀତିକୁ ବହୁ ପରିମାଣରେ ନିୟନ୍ତ୍ରିତ କରି ପାରୁଥିଲା । ଆର୍ଥିକ ଅନାଟନ ଭିତରେ ଥିବା ସ୍ତ୍ରୀ ଲୋକମାନେ (ସଂଘବଦ୍ଧ ଭାବେ ହେଉ ବା ଏକାଟିଆ) ଧାନ କିଣି ଢିଙ୍କିରେ କୁଟି ଚାଉଳ ବହୁତ ପରିବାରକୁ ଚାଉଳ ଯୋଗାଉଥିଲେ । ଏଇଥିରୁ ସେମାନେ ପରିବାର ପ୍ରତିପୋଷଣ କରିବା ପାଇଁ ଅର୍ଥ ପାଇ ପାରୁଥିଲେ । ଚାଉଳ ବ୍ୟତୀତ ମୋଟାକୁଣ୍ଡା ଓ ସରୁକୁଣ୍ଡା (କାଣ୍ଡିଆ କୁଣ୍ଡା) ଅଲଗା ଅଲଗା ବିକ୍ରି କରି ବେଶ ଦି ପଇସା କମେଇ ପାରୁଥିଲେ । ହିସାବ ଅନୁଯାୟୀ ଚାଉଲ ପୈଠ କରିଦେବା ପରେ ବାକିତକ ଚାଉଳ ଓ ଖୁଦ ସେମାନେ ରଖୁଥିଲେ । ଏହା ଦ୍ୱାରା ଗ୍ରାମୀଣ ସ୍ତ୍ରୀମାନେ ବଞ୍ଚିବାର ରାହା ପାଉଥିଲେ । ଏହା ଛଡ଼ା ମାଣ୍ଡିଆ ଘୋରି ଚୁନା କରି ପରିବାର ମାନଙ୍କୁ ନିର୍ଦ୍ଦେଶ ମୁତାବକ ମାଣ୍ଡିଆ ଚୁନା ପୈଠ କରୁଥିଲେ । ଏଣୁ ମୁଁ ଆରମ୍ଭରୁ କହି ରଖିଛି, ଯେକୌଣସି ଅଞ୍ଚଳର ଖାଦ୍ୟ ଶୈଳୀ ସେହି ଅଞ୍ଚଳର ଲୋକଙ୍କୁ ବଞ୍ଚିବାର ଓ ଆର୍ଥିକ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଏ ଅନ୍ୟ ପକ୍ଷରେ, ଢ଼ିଙ୍କି କୁଟା ଚାଉଳ ଓ ଚକି ପେଷା ମାଣ୍ଡିଆ ଚୁନା ପୌଷ୍ଟିକତାରେ ଭରି ରହୁଥିଲା । କାରଣ, ଧାନ ଓ ମାଣ୍ଡିଆ ଦେଶୀ ବିହନ ଓ ଦେଶୀ ଖତ ଦେଇ ଅମଳ କରାଯାଉଥିଲା । ତେଣୁ ଲୋକମାନେ ସାଧାରଣ ଭାବେ ନିରୋଗ ରହୁଥିଲେ ।

ଆଦିବାସୀ ଇଲାକାମାନଙ୍କରେ ଢିଙ୍କି ଅପରିହାର୍ଯ୍ୟ ଥିଲା । କାରଣ ସେମାନେ ଧାନ ବ୍ୟତୀତ ସୁଆଁ, କାଙ୍ଗୁ, ଜହ୍ନା ଇତ୍ୟାଦିକୁ କୁଟି ଚାଉଳ କରିବା ପାଇଁ ଢିଙ୍କିର ବ୍ୟବହାର କରନ୍ତି ଆମ ଘରମାନଙ୍କରେ ଢିଙ୍କି କେବଳ ଧାନ କୁଟିବା ପାଇଁ ନୁହେଁ, ବରଂ ଜାଇ ଖୁସିବା, ଚୁନା କୁଟିବା ପାଇଁ ବ୍ୟବହାର କରାଯାଏ, ଏପରିକି ‘କୁଟା ତେନ୍ତୁଳି’ କରିବା ପାଇଁ ଢିଙ୍କି ଅପରିହାର୍ଯ୍ୟ, ଗୁଡ଼, ତେନ୍ତୁଳି, ତେଲ ଓ ଆଚାର ମସଲା ମିଶ୍ରଣକୁ ଢିଙ୍କିରେ କୁଟି, କୁଟା ତେନ୍ତୁଳି ତିଆରି ହୁଏ । ଭାରି ସ୍ୱାଦିଷ୍ଟ ଖଟା-ମିଠା ଚକଲେଟ ପରି ଲାଗେ । ଲୋକମାନେ ଗାଁରେ ଥିବା ତେନ୍ତୁଳି ଗଛ ମାନଙ୍କରୁ ତେନ୍ତୁଳି ସଂଗ୍ରହ କରି କୁଟା ତେନ୍ତୁଳି କରି ବର୍ଷ ବର୍ଷ ପର୍ଯ୍ୟନ୍ତ ସାଇତି ରଖୁଥିଲେ ଓ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର କରୁଥିଲେ । ଗରୀବ ଲୋକଙ୍କ ପାଇଁ ଏ ତ ତରକାରୀର ବିକଳ୍ପ ଥିଲା । ଏ ସବୁ ଆଜି ସ୍ୱପ୍ନ ପ୍ରାୟ । ଘରେ ଘରେ ଢିଙ୍କି ଶାଳ ରହୁଥିଲା । କେବଳ ପଲ୍ଲୀ ନୁହେ ସହର ଜାଗାମାନଙ୍କରେ ମଧ୍ୟ । ମୋ ମାମୁଁଘର ଆସ୍କା ଟାଉନ୍‌ରେ ପର୍ଯ୍ୟାପ୍ତ ଜାଗା ଟିକିଏ ଦୂରରେ ଦୁଇଟି ବଖରା ଟାଇଲ ଛପର ଘର ଥିଲା । ଗୋଟିଏ ହାଣ୍ଡିଶାଳ ଓ ଅନ୍ୟଟି ଢିଙ୍କି ଶାଳ । ମୋ ଶାଶୁଘରେ, ଶେଷ ବଖରା ଘର ଥିଲା ଢିଙ୍କିଶାଳ, ମାଟିଛପର ଘର । ସାହି ପଡ଼ିଶାରୁ ବହୁତ ସ୍ତ୍ରୀ ଲୋକମାନେ ଆସନ୍ତି, ଚୁନା କୁଟିବା ପାଇଁ ଜାଇ ଖୁସିବା ପାଇଁ, ମୋ ଶାଶୁଙ୍କର ଢିଙ୍କି ପାଇଁ ପ୍ରବଳ ଲୋଭ । ଚୁନା କୁଟିବେ, ବିଭିନ୍ନ ଡାଲି ଖୁସିବେ କୁଟା ତେନ୍ତୁଳି ବନେଇବେ ଇତ୍ୟାଦି । ମୋର ମନେ ଅଛି ଗାଁରେ ଯେତେବେଳେ ଢିଙ୍କିକୁ ବାହାର କରିବା ନିଷ୍ପତ୍ତି ନିଆଗଲା, ଶାଶୁଙ୍କର ପ୍ରବଳ ବିରୋଧ ଥିଲା । ସଂକ୍ଷେପରେ କହିଲେ କରେଣ୍ଟନ ଥିଲେ, ଗ୍ରାଇଣ୍ଡର ଚାଲିବ ନାହିଁ  କିନ୍ତୁ ଢିଙ୍କିତ ଚାଲିବ । ସାଧାରଣରେ ଢିଙ୍କିକୁ ଘରର ଲକ୍ଷ୍ମୀ ବୋଲି କୁହାଯାଉଥିଲା । ଧାନ କୁଟା ଢିଙ୍କି ବ୍ୟତୀତ ଚୁଡ଼ତିଆ (ଯେଉଁମାନେ ମୁଢ଼ି, ଚୁଡ଼ା ଦୋଉଜା ଇତ୍ୟାତି ବନାନ୍ତି) ସମ୍ପ୍ରଦାୟର ଲୋକମାନେ ଚୁଡ଼ା କୁଟିବା ପାଇଁ ଢିଙ୍କି ବ୍ୟବହାର କରୁଥିଲେ । କିନ୍ତୁ ଚୁଡ଼ା କୁଟା ଢିଙ୍କିର ଗଠନ ପ୍ରଣାଳୀ ସାମାନ୍ୟ ଭିନ୍ନ ଥିଲା । ତେଣୁ ସମସ୍ତେ ଢିଙ୍କିକୁଟା ଚୁଡ଼ାର ସ୍ୱାଦ ପାଇପାରୁଥିଲେ ଓ ଏହା ସ୍ୱାସ୍ଥ୍ୟପ୍ରଦ ଥିଲା ।

ସଂକ୍ଷେପରେ କହିବାକୁ ଗଲେ ଆର୍ଥିକ ସଂକଟ ଭିତରେ ଗତି କରୁଥିବା ସ୍ତ୍ରୀ ଲୋକଙ୍କୁ ଢିଙ୍କି ସ୍ୱାବଲମ୍ବୀ କରିବା ସହ ବଞ୍ଚିବାର ରାହା ଦେଖାଉ ଥିଲା । ସେମାନଙ୍କ ମନରେ ପ୍ରଗାଢ଼ ଆତ୍ମବିଶ୍ୱାସ ଓ ଆତ୍ମ ପ୍ରତ୍ୟୟ ସୃଷ୍ଟି ହେଉଥିଲା । ଧାନ କୁଟି ନିଜର ପରିବାର ପ୍ରତିପୋଷଣ କରିବା ସହ କୁଣ୍ଡା ବିକି ବେଶ୍ ଦି ପଇସା ସଞ୍ଚି ପାରୁଥିଲେ । ସେତେବେଳେର ଢଗ ଥିଲା “କୁଣ୍ଡା ବିକି ଟଙ୍କାଟେ, ଆଉ ଉଣେଇଶସି ଟଙ୍କା ହେଲେ ନୋଥ ଟେ”, ପାଠକେ ଏ କେବଳ ଢଗଟିଏ ନୁହେଁ । ଢଗ ଭିତରେ ଲୁଚି ରହିଛି ପ୍ରବଳ ଆତ୍ମ ବିଶ୍ୱାସର ପ୍ରତିଫଳନ, ନିଜ ଉପରେ ଓ ଢିଙ୍କି ଉପରେ କେତେ ବିଶ୍ୱାସ ରହିଥିଲା, କୁଣ୍ଡା ବିକି ସୁନାର ନୋଥ କିଣିବା ପାଇଁ । ଏ କମ୍ କଥା ନୁହେଁ, ଇଏ ହେଉଛି ଗ୍ରାମ୍ୟ ଅର୍ଥନୀତି ଓ ସ୍ୱାବଲମ୍ବଶୀଳତାର ନିକଛ ପ୍ରତିଛବି । ତେଣୁ ଢିଙ୍କି ବଞ୍ଚିବାର ମାର୍ଗ ଦେଖାଇବା ସଙ୍ଗେ ସଙ୍ଗେ ମଣିଷମାନଙ୍କୁ ସୁସ୍ଥ ରଖୁଥିଲା ଓ ସଞ୍ଚୟ କରିବାର ମାର୍ଗ ବତାଉଥିଲା । ଏ ହେଲା ଢିଙ୍କିର ଉପାଖ୍ୟାନ ।

ତା’ ପରେ ମାଡ଼ି ଆସିଲା ଯାନ୍ତ୍ରିକ ସଭ୍ୟତା ଗାଁ ଗାଁରେ ଧାନ କଳ ଓ ଚୁନା କଳ ବସିଲା । ବିନା ପୌଷ୍ଟିକତାର ଧଳା ଫିନ୍‌ଫିନ୍ ଚାଉଳ ସମସ୍ତ ମନକୁ ଭୁଲାଇ ଦେଲା । ଲୋକେ ଢିଙ୍କି କୁଟା ଚାଉଳ ଓ ଚକି ପେଷା ମାଣ୍ଡିଆ ଚୁନାକୁ ସମ୍ପୂର୍ଣ୍ଣ ଭୁଲି ଗଲେ । ନାଁ ମିଳିଲା ଢିଙ୍କିକୁଟା ଚାଉଳ, ଚୁଡ଼ା ବା ନାଁ ମିଳିଲା ନିରୋଳା ମାଣ୍ଡିଆ ଚୁନା । ଲୋକଙ୍କ ଜୀବନ ଜୀବିକା ଉପରେ ଏକ ରକମ କୁଠାରଘାତ ହେଲା । ଲୋକେ ରୋଗଣା ହେବାକୁ ଲାଗିଲେ ଦେଶୀ ବିହନ ଓ ଦେଶୀ ଚାଷ ବନ୍ଦ ହୋଇଗଲା । କେବଳ ଅର୍ଥ ପିପାସୁ ହୋଇ ଲୋକେ ତଥା କଥିତ ହାଇବ୍ରିଡ଼ ଧାନ ଆଡ଼କୁ ଦୃଷ୍ଟି ଫେରାଇ ନେଲେ । ମାଣ୍ଡିଆ ଚାଷ କମିଗଲା । ଘରମାନଙ୍କରୁ ଢିଙ୍କି ଓ ଘୋରଣା ଲୋପ ପାଇଲା । ମୁଁ ନିଶ୍ଚିତ ଯେ, ଆମ ପରବର୍ତ୍ତୀ ପିଢ଼ି ଢିଙ୍କିକୁ ଯାହିଁ ତାହିଁ ଦେଖିଛନ୍ତି, କିନ୍ତୁ ସେମାନଙ୍କ ଛୁଆମାନେ ଢିଙ୍କିକୁ ଓ ଘୋରଣାକୁ କେବଳ ମ୍ୟୁଜିୟମରେ ଦେଖିବାକୁ ପାଇବେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଯେ, ଢିଙ୍କି ଓ ଘୋରଣାର କାର୍ଯ୍ୟକାରିତା, ଉପକାରିତା ଓ ତତ୍କାଳୀନ ସମାଜରେ ତାହା କେମିତି ମଣିଷର କର୍ମମୟ ଜୀବନ, ସ୍ୱାସ୍ଥ୍ୟ ଓ ଅର୍ଥନୀତିକୁ ପ୍ରକାରନ୍ତରରେ ନିୟନ୍ତ୍ରିତ କରୁଥିଲା, ତାହା କେବେ ବି ବୁଝିପାରିବେ ନାହିଁ । ଗାନ୍ଧିଜୀଙ୍କ ବାର୍ତ୍ତା ଥିଲା ‘ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ହେଲେ, ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାକୁ ହେବ” ଏବେ ବି ସମୟ ଅଛି ଢିଙ୍କୁକୁ ପୁନରୁଦ୍ଧାର କରିବା ପାଇଁ, ଏଥିଦ୍ୱାରା ଗ୍ରାମୀଣ ସ୍ତ୍ରୀ ଲୋକଙ୍କର ଆର୍ଥିକ ସମ୍ବଳ ବୃଦ୍ଧି ସଙ୍ଗେ ସଙ୍ଗେ ଆମମାନଙ୍କୁ ପୌଷ୍ଟିକ ଢିଙ୍କି କୁଟା ଚାଉଳ ମିଳି ପାରିବ ।

ଆଉ ଏକ କୌଳିକ ବୃତ୍ତି ଗାଁ ମାନଙ୍କର ହରିଜନ ଶ୍ରେଣୀର ଲୋକମାନେ ଆପଣେଇ ନେଇଥିଲେ । ସେ ହେଲା ଖଜୁରୀପଟି ବୁଣିବା, ଖରୁରୀ ଗଛର ପତ୍ର କାଟି ଆଣି ସେଥିରୁ ସୁନ୍ଦର ଲମ୍ବା ଚଉଡ଼ା ପଟି ବୁଣାଯାଉଥିଲା । ଏ ପଟିର ବ୍ୟବହାର କୃଷକ, ଶ୍ରମିକ ଓ କୃଷି ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ପାଇଁ ନିହାତି ଦରକାରୀ ଥିଲା । କାରଣ, ସେତେବେଳେ ଧାନ ଓ ଅନ୍ୟାନ୍ୟ ଶସ୍ୟ ଶୁଖାଇବା ପାଇଁ ଆଜିକାଲି ପରି ତାର୍ପୋଲିନ ବା ପ୍ଲାଷ୍ଟିକ୍ ଚଦର ନ ଥିଲା । ଲୋକମାନେ ସ୍ୱଳ୍ପ ମୂଲ୍ୟ ଦେଇ ଏଇ ପଟି କିଣୁଥିଲେ । ଯାହା ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରୁଥିଲା । ଏଇ ପଟିକୁ ମସିଣା ଭାବେ ମଧ୍ୟ ବ୍ୟବହାର କରୁଥିଲେ । ଏଇଠି ଆମେ ଦେଖୁଛେ, ଦୁଇଟି କୌଳିକ ବୃତ୍ତିର ଲୋକଙ୍କ ଭିତରେ ଥିବା ସଂଯୋଗୀକରଣ ଓ ସହାବସ୍ଥାନ । ସେଇଥିପାଇଁ ଲୋକେ ଗାଁରେ ଥିବା ଖଜୁରୀ ଗଛକୁ କାଟୁ ନ ଥିଲେ । ତା’ର କୋଳି ଖାଇବା ବ୍ୟତୀତ, ଖଜୁରୀ ପତ୍ରରୁ ଝାଡ଼ୁ ଓ ପଟି ବୁଣି ବେଶ୍ ଲାଭବାନ୍ ହୋଇପାରୁଥିଲେ। ଏ ସବୁ ବର୍ତ୍ତମାନ ଦୁର୍ଲ୍ଲଭ । ଗ୍ରାମ୍ୟ ଅର୍ଥନୀତିକୁ ଓ ଆମପରିବେଶକୁ ଏହା ଯେ ଯଥେଷ୍ଟ ସୁରକ୍ଷା ଦେଉ ନ ଥିଲା ତାହା କିଏ କହିବ?

ତା’ ଛଡ଼ା, ଗାଁମାନଙ୍କରେ ପର୍ଯ୍ୟାପ୍ତ ଓ ବିସ୍ତୀର୍ଣ୍ଣ ଆର୍ଦଭୂମି ରହୁଥିଲା । ଲୋକେ ଆର୍ଦଭୂମିକୁ କେବେ ବି ପୋତୁ ନ ଥିଲେ । ସେଥିରେ ଆଣ୍ଠୁଏରୁ ଅଧିକା ପାଣି ବି ରହୁଥିଲା । ସବୁଠାରୁ ବଡ଼ କଥା ହେଲା, ଆଦ୍ରଭୂମିରେ ପର୍ଯ୍ୟାପ୍ତ ପରିମାଣର ବେରୁଆଁ ବା ବେଡ଼ୁଆଁ ଏକ ପ୍ରକାର ଲମ୍ବା ଘାସଜାତୀୟ ଗଛ ହେଉଥିଲା। ଏହି ଗଛକୁ କାଟିଆଣି ଶୁଖାଇ ଲୋକେ ଘର ଛପର କରୁଥିଲେ ଓ ପଟି ବୁଣୁଥିଲେ । ବେରୁଆଁ ପଟିକୁ ସେମାନେ ‘ଶୀତ ଦିନର କମ୍ବଳ କହୁଥିଲେ, କାହିଁକି ନା ଏହା ବହୁତ ଗରମ ଦେଉଥିଲା । ଚାଷି ପରିବାରମାନଙ୍କ ପାଖରେ ବେରୁଆଁ ପଟି ବୁଣିବା ପାଇଁ ଏକ ପ୍ରକାର କାଠର ଯନ୍ତ୍ର ଥିଲା ଘରର ସ୍ତ୍ରୀ ଓ ପରୁଷ ଲୋକ ଫୁରସତ ସମୟରେ ଏ ପଟି ବୁଣୁଥିଲେ । ଏହାକୁ ବିକି ବେଶ୍ ରୋଜଗାର କରିପାରୁଥିଲେ ଓ ନିଜର ବ୍ୟବହାର ପାଇଁ ବି ରଖିପାରୁଥିଲେ । ପାଠକେ ଆମେ ଏଇଠି ଦେଖିବା ଗ୍ରାମ୍ୟ ଜୀବନର ପ୍ରତିଟି କ୍ଷେତ୍ରରେ ସେମାନେ ପ୍ରକୃତିଠାରୁ ସବୁକିଛି ପାଉଥିଲେ ଓ ପରିବେଶର ସୁରକ୍ଷା କରୁଥିଲେ । ଏଇଥିପାଇଁ ବହୁ କାରଖାନାର ଆବଶ୍ୟକତା ନ ଥିଲା । କେବଳ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହୋଇପାରୁଥିଲା।

ଗାଁର ପୋଖରୀ ଓ ଆଦ୍ରଭୂମି ଗୁଡ଼ିକର ପରିବେଶ ସୁରକ୍ଷା ଦୃଷ୍ଟିରୁ ଏକ ସ୍ୱତନ୍ତ୍ର ଭୂମିକା ଥିଲା ବେରୁଆଁ ବୁଦା ଭିତରେ ଶହ ଶହ ସଂଖ୍ୟାର କଙ୍କି ବାସ କରୁଥିଲେ । ଆର୍ଦ ଭୂମିରେ ଛୋଟ ଛୋଟ ମାଛମାନେ ରହୁଥିଲେ, ଯେଉଁଗୁଡ଼ିକ ମଶାର ଲାର୍ଭାକୁ ଖାଉଥିଲେ । କଙ୍କିମାନେ ମଧ୍ୟ ସେମାନଙ୍କର ବଂଶ ବିସ୍ତାର କରି ମଶା ଓ ମଶାର ଲାର୍ଭାଗୁଡ଼ିକୁ ଖାଉଥିଲେ । ତେଣୁ ଗାଁ ମାନଙ୍କରେ ମଶା ଜନିତ ମହାମାରୀ ରୋଗ ଯଥା- ମ୍ୟାଲେରିଆ, ଡେଙ୍ଗୁ, ଚିକୁନଗୁନିଆ ଇତ୍ୟାଦି ରୋଗର ଭୟାବହତା ନ ଥିଲା ଆର୍ଦଭୂମି ଗାଁର ଜଳବାୟକୁ ଶୀତଳତା ପ୍ରଦାନ କରୁଥିଲା । ଏ ସବୁ ଥିଲା ସେ ସମୟର ପରିବେଶ ବିଜ୍ଞାନ । ମଣିଷ ପାଇଁ ପ୍ରକୃତିର ଦାନ ଥିଲା ଅନନ୍ୟ । ଆମେ ଶିକ୍ଷିତ ହୋଇ ପଢ଼ିଲେ ଓଲଟା ବିଜ୍ଞାନ । ଆର୍ଦଭୂମିକୁ ପୋତି କଂକ୍ରିଟ ଜଙ୍ଗଲ ତିଆରି କଲେ । ସହରୀକରଣ କ୍ଷିପ୍ର ଗତିରେ ବଢ଼ିଲା । ନାଁ ରହିଲା ଆର୍ଦଭୂମି, ପୋଖରୀ ଇତ୍ୟାଦି । ବେରୁଆଁ ବୁଦା ଲୋପପାଇଲା, କଙ୍କିଙ୍କ ବଂଶ ଲୁପ୍ତ ପ୍ରାୟ । ମଶାମାନଙ୍କ ପ୍ରାବଲ୍ୟ ବୃଦ୍ଧି ହେଲା । ଡେଙ୍ଗୁ, ଚିକୁନଗୁନିଆ ଓ ମ୍ୟାଲେରିଆ ରୋଗ ଆମର ଚିର ସାଥି ହୋଇଗଲେ । ଖଜୁରୀ ଗଛ ସମୂଳେ ଧ୍ୱଂସ ହେଲା । ଖଜୁରୀ ପଟି ଓ ବେରୁଆଁ ପଟିର ବିକଳ୍ପ ହେଲା ପଲିଥିନ ଚାଦର, ପଲିଥିନ ପଟିର ବ୍ୟବହାରକୁ ଆମେ ଏତେ ସାଂଘାତିକ ଭାବେ ବଢ଼େଇଲେ, ସେଗୁଡ଼ିକ ଆମ ପାଇଁ ଭସ୍ମାସୁର ପାଲଟିଛି । ଏଇଥିରୁ ଆମକୁ ନିସ୍ତାର ନାହିଁ । ପରିତାପର ବିଷୟ ଏହି କି, ଆମେ ଆମର ସରଳ ସୁନ୍ଦର ଗ୍ରାମ୍ୟ କୌଳିକ ବୃତ୍ତି ଓ ପରମ୍ପରାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛେ। ଖଜୁରୀ ଓ ବେରୁଆଁ ପଟି ବୁଣିବାର ଜ୍ଞାନ କୌଶଳ ଆମ ପାଖରେ ନାହିଁ । ଆମେ ଅଣନିଶ୍ୱାସୀ ହୋଇ ଦୌଡ଼ିଛେ ଏ ସହରୀ ସଭ୍ୟତା ପଛରେ । ଆମ ପରପିଢ଼ୀମାନଙ୍କ ପାଇଁ ଆମେ କିଛି ରଖିବେ । କେବଳ ଧୂଳି ଧୂଆଁ ଧୂଷରିତ ବୃକ୍ଷଳତା ବିହୀନ ଏକ ପରିବେଶ ।

ଗାଁରେ ଯେପରି ଶ୍ରେଣୀର ଲୋକମାନେ ସେମାନଙ୍କର ନୁଆଁଣିଆ ଘରେ ବାସ କରୁଥିଲେ । ବାଉଁଶର ବିଭିନ୍ନ ଜିନିଷ ତିଆରି କରିବା ସେମାନଙ୍କର ପେସା ଥିଲା । ଗଞ୍ଜାମର ସୋରଡ଼ା, ବଡ଼ଗଡ଼ ଇତ୍ୟାଦି ଅଞ୍ଚଳର ଏମାନଙ୍କସଂଖ୍ୟା ବହୁତ ଅଧିକ କାରଣ ବାଉଁଶବଣ ଏ ଅଞ୍ଚଳରେ ପର୍ଯ୍ୟାପ୍ତ ଥିଲା । ବାଉଁଶର ପ୍ରସ୍ତୁତି ଚିଡ଼ି, ଚାଙ୍ଗୁଡ଼ି, ତାଟ ଠାରୁ ଆରମ୍ଭ କରି ବଡ଼ ଛୋଟ ଟୋକେଇ ଓ ଧାନ ସାଇତିବା ପାଇଁ ବାଉଁଶର ଡୋଲ ବୁଣୁଥିଲେ । ତା’ଛଡ଼ା ତାଟି କବାଟ ଓ ଛପା ବି ତିଆରି କରୁଥିଲେ । ସେ ସମୟରେ ବାଉଁଶର ସରଞ୍ଜାମ ଉପରେ ଲୋକମାନେ ପ୍ରଚଣ୍ଡ ଭାବେ ନିର୍ଭରଶୀଳ ଥିଲେ । ବିଶେଷ କରି କୃଷକ ଓ କୃଷ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କର ବାଉଁଶ ପାଛିଆ ଠାରୁ ଆରମ୍ଭ କରି କୁଲା ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷ ଦୈନନ୍ଦିନ କାମରେ ବ୍ୟବହୃତ ହେଉଥିଲା । ବାଉଁଶ ସରଞ୍ଜାମ ବିନା ଚଳିବା ଯେମିତି ମୁସ୍କିଲ ଥିଲା । ବାଉଁଶ ତିଆରି କୁଲାକୁ ଶୁଭ ଓ ଅଶୁଭ କାମରେ ଖୋଜା ପଡ଼େ, ଏ ସବୁଛଡ଼ା ସେ ସମୟରେ ଆଜିକାଲିକା ପରି ପ୍ଲାଷ୍ଟିକର ବ୍ୟବହାର ନ ଥିଲା ବାଡ଼ିର ବାଡ଼ ବି ବାଉଁଶ ପାତିରେ ତିଆରି ହେଉଥିଲା । ଏ ସବୁ କାମ ଥିଲା ମୁଖ୍ୟତଃ ସ୍ତ୍ରୀ ଲୋକଙ୍କର, ସେମାନେ ଦିନ ରାତି ବୁଣା ବୁଣିରେ ବ୍ୟସ୍ତ ରହୁଥିଲେ ଓ ବେଶ୍ ଉପାର୍ଜ୍ଜନ କରି ପାରୁଥିଲେ । ବର୍ଷା ଋତୁ ଆରମ୍ଭରେ ଗାଁ ହାଟରେ ଶଗଡ଼ ଶଗଡ଼ ତଲାରି ବିକ୍ରି ହେଉଥିଲା, କାହିଁକି ନାଁ ତଲାରି ବିନା ବର୍ଷା ଦିନିଆ ଚାଷବାସ କାମ କରିବା ଅସମ୍ଭବ । ଆଜିକାଲିର ଅନେକ ପିଲାମାନେ ହୁଏତ ତଲାରି ଦେଖି ନ ଥିବେ । ଏ ତାଲାରି ବି ବାଉଁଶ ଖଡ଼ିକାରେ ବୁଣା ହେଉଥିଲା । ପରମ୍ପରା ଥିଲା, ଝିଅ ଶାଶୁଘର ଯିବାବେଳେ ମିଠା ଭାର ବାଉଁଶ ଟୋକେଇରେ ଯିବ । ଏବଂ ଝିଅ ସହ ଯେତେ ପ୍ରକାର ବାଉଁଶ ତିଆରି ଘରକରଣ ଜିନିଷ ଯିବ । ଏବେ ବି ଗଞ୍ଜାମରେ ସେହି ପରମ୍ପରା ରହିଛି । କିନ୍ତୁ ଗୋଟିଏ କିମ୍ବା ଦୁଇଟିରେ ଜିନିଷରେ କାମ ଚଳେ । କାରଣ, ସେ ସବୁ କର୍ମକୁଶଳୀ ଲୋକମାନେ ଆଉ ନାହାନ୍ତି । ବାଉଁଶର ସ୍ୱଳ୍ପତା ଦୃଷ୍ଟିରୁ ସେମାନେ ଏ ବାଉଁଶକାମ ଛାଡ଼ି ଅନ୍ୟତ୍ର ମଜୁରୀ ଖଟୁଛନ୍ତି ବା ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ ହୋଇ ରହିଛନ୍ତି । ଆମେ ହରେଇ ବସିଛେ, ଗୋଟାଏ ସୁନ୍ଦର ଓ କର୍ମନିପୁଣ ଜାତିକୁ । ଯେଉଁମାନେ କେବେ ସରକାର ଉପରେ ବୋଝ ହୋଇ ନ ଥିଲେ, ସେମାନଙ୍କର କର୍ମ ସଂସ୍ଥାନ ପାଇଁ ତେଣୁ ସେମାନେ କାଁ ଭାଁ ବିକ୍ଷିପ୍ତ ହୋଇ ରହିଛନ୍ତି । ଏ ପଲିଥିନ ଓ ପ୍ଲାଷ୍ଟିକ୍ ଯୁଗରେ ଲୋକମାନଙ୍କର ବାଉଁଶ ସାମଗ୍ରୀ ଉପରୁ ଶ୍ରଦ୍ଧା ତୁଟି ଯାଇଛି । ଅପର ପକ୍ଷରେ, ପ୍ଲାଷ୍ଟିକ୍ ଓ ପଲିଥିନର ବ୍ୟବହାର ମାତ୍ରାଧିକ ଭାବେ ବଢ଼ିଚାଲିଛି । ବାଉଁଶ ବଣର ସଂରକ୍ଷଣ ଏବଂ ଏହାର ସୁରକ୍ଷା ଯଦି ସରକାର ବା ଆମ ବନ ବିଭାଗ ନେଇ ପାରିଥାନ୍ତେ ତାହା ହେଲେ ଆଜି ଏଇ ଅବସ୍ତା ଉପୁଜି ନ ଥାନ୍ତା ତା’ ପରେ ସରକାରଙ୍କ ବିଚିତ୍ର ନୀତି- କମ୍ପାନୀମାନଙ୍କୁ ବିନା ଦ୍ୱିଧାରେ ସରକାର ବାଉଁଶ ଯୋଗାଇ ପାରନ୍ତି, କାର୍ଡ଼ବୋର୍ଡ଼ ଓ ଅନ୍ୟାନ୍ୟ ଜିନିଷ ତିଆରି କରିବା ପାଇଁ କିନ୍ତୁ ଏହି କୁଶଳୀ କାରିଗରଙ୍କୁ ବାଉଁଶ ମିଳେ ନି, ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହୋଇ ରହିପାରିବେ । ଆମେମାନେ ଯଦି ପ୍ଳାଷ୍ଟିକ୍ ଓ ପଲିଥିନ୍‌ର ଭୟାବହତାରୁ ରକ୍ଷା ପାଇବା ପାଇଁ ବାଉଁଶ ତିଆରି ଜିନିଷକୁ ବିକଳ୍ପ ଭାବେ ଗ୍ରହଣ କରିପାରିବା, ତେବେ ଏ କୁଶଳୀ କାରିଗରମାନଙ୍କର ପୁନଃ କର୍ମସଂସ୍ଥାନ ସହ ରୋଜଗାର ବଢ଼ିପାରିବ । ବିଶେଷ କରି ଗ୍ରାମୀଣ ସ୍ତ୍ରୀ ଲୋକଙ୍କର । ସରକାରଙ୍କ ମିଶନ ଶକ୍ତି ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଦେବା ନିହାତି ଜରୁରୀ ।

ଗାଁର ଅନ୍ୟ ଏକ ଆତ୍ମନିର୍ଭରଶୀଳ ଗୋଷ୍ଠୀ ହେଲେ କୁମ୍ଭକାର ବା କୁମ୍ଭାର ଗାଁମାନଙ୍କରେ ସାହି ସାହି କୁମ୍ଭାର ସମ୍ପ୍ରଦାୟର ଲୋକମାନେ ବାସ କରୁଥିଲେ । ବଡ଼ ବଡ଼ କୋଡ଼, ହାଣ୍ଡି, ସୁରେଇ ଠାରୁ ଆରମ୍ଭ କରି କ୍ଷୁଦ୍ର ଦୀପ ପର୍ଯ୍ୟନ୍ତ ଏମାନେ ସବୁ କିଛି ବନେଇ ପାରୁଥିଲେ, ନିଜର କାରିଗର ବୁଦ୍ଧି ପ୍ରୟୋଗ କରି । ଗାଁମାନଙ୍କର ଘରେ ଘରେ ମାଟି ହାଣ୍ଡିରେ ରୋଷେଇ ହେଉଥିଲା । କ୍ରମଶଃ ମାଟିହାଣ୍ଡିର ସ୍ଥାନ ଆଲୁମିନିୟମ ଓ ଷ୍ଟିଲବାସନ ନେଇଛି । କିନ୍ତୁ ଆଦ୍ୟାବଧି ଆମ ପରମ୍ପରାରେ ବାହା, ବ୍ରତ ସମୟରେ ମଙ୍ଗଳନ ହାଣ୍ଡି ଠାରୁ ଆରମ୍ଭ କରି କୁମ୍ଭ କଳସୀ ଓ ସରା ପରି ଜିନିଷ କୁମ୍ଭାର ଘରୁ ଆସୁଥିଲା । ଦୀପ, ସରା, କୁମ୍ଭ ଇତ୍ୟାଦିର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ଚାଲୁ ରହିଛି । ଶ୍ରୀମନ୍ଦିରର ଶହ ଶହ ସଂଖ୍ୟାରେ କୁଡ଼ୁଆ ଓ ତତ୍‌ସଂଲଗ୍ନ ମାଟିପାତ୍ର, ଦୀପ ଇତ୍ୟାଦି ଦରକାର ପଡ଼ୁଛି ଓ ଏହା ସେହି କୁମ୍ଭାର ଘରମାନଙ୍କରୁ ଆସୁଛି । କର୍ମବ୍ୟସ୍ତତା ଦୃଷ୍ଟିରୁ ଆମେ ପରା କଥାରେ କହୁ “ଓଡ଼ିଶା କୁମ୍ଭାରୁଣୀ” । କୁମ୍ଭାର ଘର ସ୍ତ୍ରୀ ଲୋକମାନେ ଦିନସାରା ଏ ସବୁ ଗଠନ କାମରେ ଏତେ ବ୍ୟସ୍ତ ରହନ୍ତି ଯେ, କଥାରେ କୁହାଯାଏ “କୁମ୍ଭାର ଘର ବୋହୁ, ଝାଟିକି ନ ଗଲେ, ମାଟିକି ଯାଉ ।”

ମାଟି ହାଣ୍ଡି ବା ପାତ୍ରର ଗୋଟାଏ ବଡ଼ ଉପକାରିତା ଥିଲା, ଏହା ବିଭିନ୍ନ ଜିନିଷ ସଂରକ୍ଷଣ ପାଇଁ ବ୍ୟବହୃତ ହେଉ ଥିଲା । ଯେତେକ ବିହନ ଲୋକେ ମାଟି କୋତ ବା ହାଣ୍ଡିମାନଙ୍କରେ ସଂରକ୍ଷଣ କରୁଥିଲେ । କାରଣ ହେଉଛି ଏହାର ସଛିଦ୍ରତା । ତେଣୁ କୌଣସି ଜିନିଷ ପୋକ ଲାଗେ ନାହିଁ । ପ୍ରତ୍ୟେକ ଘରେ ମାଟି ହାଣ୍ଡି ଆଚାର, ଆମ୍ବୁଲ ତେନ୍ତୁଳି ଇତ୍ୟାଦି ସଂରକ୍ଷଣ କରିବା । ବର୍ଷ ବର୍ଷ ପର୍ଯ୍ୟନ୍ତ ରଖିବା ପାଇଁ ବ୍ୟବହାର ହେଉଥିଲା । ସେତେବେଳେ ପ୍ଳାଷ୍ଟିକର ବିଲ୍‌କୁଲ ବ୍ୟବହାର ନ ଥିଲା । ଗୁଡ଼ ତିଆରି ହେବା ପରେ ଶହ ଶହ ସଂଖ୍ୟାରେ ବିଭିନ୍ନ ଆକାରର ମାଟି ହାଣ୍ଡି ଓ କଣ୍ଟ ମାନଙ୍କର ରଖି ବିକ୍ରି କରାଯାଉଥିଲା । ଘରମାନଙ୍କରେ ବିଭିନ୍ନ ପ୍ରକାରର ଡାଲି, ବଡ଼ି ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ମାଟି ପାତ୍ରରେ ହିଁ ସାଇତି ରଖୁଥିଲା । କାରଣ ଏଗୁଡ଼ିକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ଖରାଦିନେ ଥଣ୍ଡା ପାଣିର ବ୍ୟବହର ପାଇଁ ସୁରେଇ ଦରକାର ପଡ଼େ । ଲୋକଙ୍କ ପାଖରେ ଆଜିକାଲି ପରି ରେଫ୍ରିରେଜଟର ନ ଥିଲା । ସ୍ୱାସ୍ଥ୍ୟପ୍ରଦ ଥଣ୍ଡା ପାଣି ଲୋକେ ସୁରେଇରୁ ପାଉଥିଲେ । ଘରେ ଘରେ କାଠ ଚୁଲି ତିଆରି ପାଇଁ ମାଟି ହାଣ୍ଡିର ଆବଶ୍ୟକତା ଥିଲା । ତା’ ପରେ ମାଟିପାତ୍ର ବା ହାଣ୍ଡି ଭାଙ୍ଗିରେ ମାଟିର ମିଶୁଥିଲା, ପ୍ଳାଷ୍ଟିକ୍ ପରି ପରିବେଶକୁ ଦୂଷିତ କରୁନ ଥିଲା । କୁମ୍ଭାର ଉହାର ପାଉଁଶ ବିଭିନ୍ନ ବିହନ ଓ ଘରମାନଙ୍କରେ ମୁଗ, କାନ୍ଦୁଲ, କୋଳଥ ବିରି ଇତ୍ୟାଦିକୁ ସଂରକ୍ଷଣ କରିବା ପାଇଁ ବ୍ୟବହୃତ ହେଉଥିଲା ।

ଆମ ସହରୀକରଣ ସଭ୍ୟତା ବଢ଼ିବା ସଙ୍ଗେ ସଙ୍ଗେ କୁମ୍ଭାରମାନେ ଆବଶ୍ୟକ ପରିମାଣର ମାଟି ପାଇ ପାରିଲେ ନାହିଁ । ଚାରିଆଡ଼େ ସୃଷ୍ଟି ହେଲା କଂକ୍ରିଟ ରାସ୍ତା ଓ ଘର । ଏଣେ ଗାଁକୁ ଲାଗି ରହିଥିବା ଛୋଟ ଛୋଟ ଜଙ୍ଗଲକୁ କାଟି ଘର ତିଆରି ହେଲା । ତେଣୁ ଝାଟି ବି ମିଲିଳା ନାହିଁ, ପରିଶେଷରେ ଆମେ ଏକ ଏକାନ୍ତ ଭାବେ କର୍ମଠ, ଅତ୍ମନିର୍ଭରଶୀଳଓ ରୋଜଗାର କ୍ଷମ କୁଶଳୀ କାରିଗରମାନଙ୍କୁ ସବୁଦିନ ପାଇଁ ହରାଇଲେ । ସେମାନେ ଶ୍ରମିକ ବା ଦାଦନ ଖଟିବା ପାଇଁ ବାହାରକୁ ଚାଲିଗଲେ । ମାଟି ହାଣ୍ଡିର ବ୍ୟବହାର କେବଳ ହୋଟେଲର ଫଳକମାନଙ୍କରେ ସିମୀତ ହୋଇ ରହିଲା । ପ୍ଳାଷ୍ଟିକର ବ୍ୟବହାର ଆମକୁ ଅନ୍ଧ କରି ଦେଇଛି । ତେଣୁ ମାଟିପାତ୍ରର କ୍ରମଶଃ ବ୍ୟବହାର ବଢ଼ିଲେ, ହୁଏତ କୁମ୍ଭାରମାନଙ୍କ ଜିବୀକାକୁ ପୁଣି ଉଦ୍‌ଜୀବିତ କରିପାରିବା । ଏଇଥିପାଇଁ ଗାଁର ପରିବେଶକୁ ସୁରକ୍ଷିତ ରଖିବା ନିହାତି ଜରୁରୀ । ତେବେ ଯାଇ କୁମ୍ଭାରମାନେ ସେମାନଙ୍କ ଦରକାର ମୁତାବକ ମାଟି ଓ ଝାଟି ପାଇପାରିବେ । ଏହା ଆମ ଜାତି ଓ ଦେଶ ପାଇଁ ଶୁଭଙ୍କର ହେବ ।

ଗାଁ ମାନଙ୍କରେ ରହୁଥିଲେ ଲୁଗା ବୁଣୁଥିବା ବିଭିନ୍ନ ସମ୍ପ୍ରଦାୟ ଯଥା, ଡେରା, କୋଳି, ତନ୍ତ୍ରୀ, ରମୁଣୀ ଓ ପାଟରା ସୂତା ଓ ପାଟଲୁଗା ବୁଣିବା ସେମାନଙ୍କର କାମ ଥିଲା । ସୂତାକୁ ବିଭିନ୍ନ ରଙ୍ଗରେ ରଙ୍ଗେଇ ବିଭିନ୍ନ ପାରମ୍ପରିକ ଡିଜାଇନ ଦେଇ ସୁନ୍ଦର ଶାଢ଼ୀ ସବୁ ବୁଣୁଥିଲେ । ଏଥିଲାଗି ଗାଁ ମାନଙ୍କରେ ସେମାନଙ୍କ କୋପୋରେଟିଭ୍ ସୋସାଇଟି ରହିଥିଲା । ଏହି ମାଧ୍ୟମରେ ସେମାନେ ଦରକାର ମୁତାବକ ସୂତା ନେଇ, ସେଥିରେ ଲୁଗା ବୁଣି ସୋସାଇଟିକୁ ଫେରାଉ ଥିଲେ । ଏଥିଦ୍ୱାରା ପାଉଥିବା ପାରଶ୍ରମିକ ପାଉଥିଲେ । ଶାଢ଼ୀ ବ୍ୟତୀତ ସେମାନେ ଧୋତି, ଗାମୁଛା ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ଲୁଗା ବି ବୁଣୁଥିଲେ । ଗାଁ ମାନଙ୍କରେ ସୂତା ଲୁଗା ପ୍ରତି ଗଭୀର ଆଦର ରହିଥିଲା । କାରଣ ଏଥିରେ ରଙ୍ଗ ଛାଡ଼ୁନ ଥିଲା ଓ ଶକ୍ତ ବୁଣା ଯୋଗୁଁ ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାରରେ ଲାଗି ପାରୁଥିଲା । ବିଦେଶୀ ଲୁଗା ଓ ସିନ୍ଥେଟିକ୍ ଲୁଗାର ପ୍ରଚଳନ ପ୍ରାୟ ନଥିଲା । ଏବେ ବି ତନ୍ତ୍ର ବୁଣା ଗାମୁଛା ଘରେ ଘରେ ବେଶ୍ ଆଦୃତ । ଘରର ଉଭୟ ପୁରୁଷ ଓ ସ୍ତ୍ରୀ ଲୋକମାନେ ବୁଣା କାମରେ ସହଯୋଗ କରୁଥିଲେ । ପୁରୁଷମାନେ ସୂତା ବିଣ୍ଡାକୁ ଲମ୍ବା ଓ ସିଧା କରି ତାସଣ କରି ଖରାରେ ପେଜ ଦେଇ ଶୁଖାଉଥିଲେ । ଏବଂ ତା’ ପରେ ତାହା ତନ୍ତଙ୍କୁ ଆସୁଥିଲା । ଘରର ସ୍ତ୍ରୀ ଲୋକମାନେ ଅରଟରେ ସୂତାରୁ ‘କଣ୍ଡା’ ତିଆରି କରୁଥିଲେ । ଦଶ ବା ଏଗାର ହାତିଆ ଚାରୋଟି ଶାଢ଼ୀ ବୁଣିବା ପାଇଁ ୩ ରୁ ୪ ଦିନ ସମୟ ନେଉଥିଲେ । ତେଣୁ ଗାଁମାନଙ୍କରେ ସାହି ସାହି ବୁଣାକାର ରହୁଥିଲେ । ଏବେ ବି ଗଞ୍ଜାମର ‘ବୋମକେଇ ପାଟ’ ଓ ବ୍ରହ୍ମପୁରର ‘ବରହମପୁରୀ’ ପାଟ ଦେଶ ବିଦେଶରେ ବେଶ୍ ଆଦୃତ । ଆସ୍ତେ ଆସ୍ତେ ସରକାରଙ୍କର ପରିବର୍ତ୍ତନଶୀଳ ନୀତିରେ ଗାଁ ମାନଙ୍କରୁ ‘ସୂତା ସୋସାଇଟ’ ବନ୍ଦ କରି ଦିଆଗଲା । ସରକାରଙ୍କ ପ୍ରୋତ୍ସାହନ ରହିଲା, ବିଭିନ୍ନ କିସମର ସିନ୍ଥେଟିକ୍ ଲୁଗା ଉପରେ। ତେଣୁ ବୁଣାକାରମାନେ ଗାଁ ଗାଁରେ ବେକାର ହେବାକୁ ବସିଲେ । ସରକାର ଯଦି ତନ୍ତକୁ ଆଧୁନିକରଣ କରି ବୁଣାକାରମାନଙ୍କର ରୋଜଗାରକୁ ବଢ଼ାଇବା ପାଇଁ ଯଦି ପ୍ରାରମ୍ଭିକତା ଦେଇ ପାରନ୍ତେ, ତାହା ହେଲେ ଏହି କୁଶଳୀ କାରିଗରମାନଙ୍କର ଆଜି ଏ ଦୁର୍ଦ୍ଦଶା ଆସି ନଥାନ୍ତା ।

ଗାଁ ମାନଙ୍କର ଏମିତି ବିଭିନ୍ନ କୌଳିକ ବୃତ୍ତିକୁ ସମ୍ମାନର ସହ ବଞ୍ଚେଇ ରଖିଥିବା ଅଲଗା ଅଲଗା ବର୍ଗର ଲୋକଙ୍କ ବନ୍ଧୁତ୍ୱପୂର୍ଣ୍ଣ ସହବସ୍ଥାନ ଗ୍ରାମ୍ୟ ଜୀବନକୁ ରୁଦ୍ଧିମନ୍ତ କରିଥିଲା, ସୁବିଧା ଅସୁବିଧା ବେଳେ ଲୋକମାନେ ନିଜ ପର ନ ମଣି ଅନ୍ୟମାନଙ୍କୁ ସାହାଯ୍ୟ କରିବା ବା ସହାନୁଭୂତି ଦେଖାଇବା ସାଧାରଣ କଥା ଥିଲା । ଅନ୍ୟ ପକ୍ଷରେ ନିଜର ବୃତ୍ତିକୁ ପାଥେୟ କରି ସେମାନେ କର୍ମଠ ଥିଲେ ଓ ବେଶ ରୋଜଗାର କରି ନିଜର ଗୁଜରାଣ ମେଣ୍ଟାଇ ପାରୁଥିଲେ । ବିଶେଷ କରି ସ୍ତ୍ରୀ ଲୋକଙ୍କର ଆତ୍ମନିର୍ଭରଶୀଳତା ଓ କର୍ମଠ ଜୀବନଯାପନ ପ୍ରଣାଳୀ ସେମାନଙ୍କ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ରୋଜଗାର କ୍ଷମ ମଧ୍ୟ କରିପାରୁଥିଲା । ଢ଼ିଙ୍କିକୁଟା ଠାରୁ ଆରମ୍ଭ କରି ବଣରୁ କାଠ ଆଣି ବିକିବା ଓ ଜମିରେ ଚାଷ କରିବା ଆଦି ସମସ୍ତ କାର୍ଯ୍ୟରେ ସ୍ତ୍ରୀମାନଙ୍କର ଭାଗିଦାରୀତା ରହୁଥିଲା । ବର୍ତ୍ତମାନ ସୁଦ୍ଧା ଗାଁ ଗହଳିର ସ୍ତ୍ରୀ ଲୋକମାନେ ବିଭିନ୍ନ ବ୍ୟବସାୟିକ କାମ ସୂଚାରୁ ରୂପେ ତୁଲାଇ ପାରୁଛନ୍ତି । ଏଥିରେ ସରକାରଙ୍କ ପ୍ରୋତ୍ସାହନ କିଛି ନାହିଁ । କହିବା ବାହୁଲ୍ୟ ମାତ୍ର ଆଜିକାଲିକା ‘ମିଶନ ଶକ୍ତି’ ସରକାରଙ୍କର ନୂଆ ଉଦ୍ଭାବନ ନୁହେଁ ବରଂ ଏହା ଭୋଟ ପାଇବା ପାଇଁ ତିଆରି ହୋଇଥିବା ଏକ ପନ୍ଥା । ବଣ ଡଙ୍ଗରର ଆଦିବାସୀ ମହିଳାମାନଙ୍କ କର୍ମ ନିପୁଣତା ଓ ଆର୍ଥିକ ଆତ୍ମନିର୍ଭରଶୀଳତା ଯୁଗଯୁଗରୁ ରହି ଆସିଛି ଏହାକୁ ଆମେ ସମସ୍ତେ ସ୍ୱୀକାର କରୁ ।

ଗାଁ ଗହଳିରେ ଯାନ୍ତ୍ରିକ ସଭ୍ୟତାର ଅନୁପ୍ରେବଶ ଓ ସରକାରମାନଙ୍କର ଏହାକୁ ପ୍ରଗାଢ଼ ପ୍ରୋତ୍ସହନ ସାଙ୍ଗକୁ ଆମ ମାନଙ୍କର ଅନ୍ଧ ଭାବରେ ଏହାକୁ ସମର୍ଥନ ଦେବା, ଗ୍ରାମ୍ୟ ସଭ୍ୟତାର ଅବକ୍ଷୟ ଓ ମୂଳୋତ୍ପାଟନର ପ୍ରଧାନ କାରଣ । ଲୋକଙ୍କ ମନରେ ଭୋଟ ରାଜନୀତି ଭର୍ତ୍ତି କରି ଦିବାସ୍ୱପ୍ନରେ ବିଭୋର କରିବା ସବୁ ରାଜନେତାଙ୍କର ଅସ୍ତ୍ର । ବର୍ତ୍ତମାନ ସମୟ ଆସିଛି, ଗ୍ରାମ୍ୟ ଜୀବନକୁ ସରସ ସୁନ୍ଦର ଓ କର୍ମନିପୁଣ କରି ଗଢ଼ିବାକୁ ହେଲେ, ଗାନ୍ଧିଜୀଙ୍କର ଗ୍ରାମ୍ୟ ଅର୍ଥନୀତି ଓ ଆପଣେଇ ନେବା ଓ ଏହାକୁ ସଫଳ ରୂପାୟନ କରି ଲୋକଙ୍କ ପାଖରେ ପହଞ୍ଚାଇ ପାରିଲେ ଆଜିର ଏ ସଂକଟମୟ ପରିସ୍ଥିତିରୁ କିଛିଟା ନିସ୍ତାର ମିଳନ୍ତା ।

Share This Article