ହାଲୋଇ ସମ୍ରାଟ ଅମାଲୁ

ଗାଁ ଗଣ୍ଡାରେ ପର୍ବପର୍ବାଣିରେ ଅମାଲୁ ତିଆରି ଆଉ ସମ୍ଭବ ହଉନି ।

ନଟବର ଷଡ଼ଙ୍ଗୀ
ନଟବର ଷଡ଼ଙ୍ଗୀ 335 Views
18 Min Read

ଘରେ ନପଶୁଣୁ ଚାଳ ବାଜିଲାଣି । ଆରେ ଏ ‘ହାଲୋଇ’ ଶଦ୍ଦଟି କଣ ? ୧୯୪୪ – ୪୫ ମସିହାର କଥା । ମୋର କିଛି କିଛି ମନେ ଅଛି । ସେତେବେଳେ ଗାଁ ଗଣ୍ଡା ,ହାଟ ବଜାର , ଦୋକାନରେ ଖୁସିକୋରା, ଗୁଲୁଗୁଲା, ଆରିସା ପିଠା , କାକରା , ମିଠାଇ , ଜିଲାପି ମାନଙ୍କର ବିକ୍ରିବଟା ଥିଲା । ଆମ ଗାଁ ଠାରୁ ଡାକେ ବାଟ ନିଆଳି । ପ୍ରତି ଗୁରୁବାର ,ରବିବାର ନିଆଳିରେ ହାଟ ବସେ । ନନା ହାଟକୁ ଯାଆନ୍ତି । ନଡିଆ ,ଆମ୍ବ ,ପଣସ , ବାଇଗଣ ,ସାରୁ ,ମାଟିଆଳୁ ଯାହା ଯେତେବେଳେ ଆମଦାନି ହୁଏ ଘରେ ତ ଖାଉ । ବଳକା ନନା ହାଟରେ ବିକନ୍ତି । ଚାରିଆଡେ ଜଙ୍ଗଲ । ଗାଈ ଗୋରୁ ଫେରିଲା ବେଳ ହେଲା ତ କିଟିମିଟି ଅନ୍ଧାର । ଗାଁକୁ ସରୁଆ ଚଲା ରାସ୍ତାଟିଏ । ରାତି ବିକାଳି । ଲୁଆଣି ଡର । ନନା ବେଳା ବେଳି ହାଟରୁ ଫେରନ୍ତି । ନିଆଳିରେ ପଞ୍ଚୁ ସାହୁ ହାଲୋଇ ଦୋକାନ । ସେଠାରୁ ପୁଡାଟିଏ ଖୁସିକୋରା ଆଣିଥାନ୍ତି । ଆମେ ଭାଇ ଭଉଣୀ ଛଅ । ବୋଊ ସମସ୍ତଙ୍କୁ ଗୋଟିଏ ଦିଇଟି କୋରା ଦିଏ । ଗୁଡ ଓ ଅଟାରେ ତିଆରି କୋରା ଖୁସିକୋରା । ଧଳା ଚିନି ସେ ପର୍ଯ୍ୟନ୍ତ ନିଆଳି ମାଟି ଛୁଇଁନି । ଗୁଡ, ନାଲି ଚିନିରେ ପିଠା ଜିନିଷ ତିଆରି । ଏମାନଙ୍କୁ ହାଲୋଇ ମାଲ କୁହନ୍ତି । ଦୋକାନ ‘ହାଲୋଇ’ ଦୋକାନ ।

ଆମ ହାଲୋଇ ସମ୍ରାଟ ‘ଅମାଲୁ’ର ମାନ ମର୍ଯ୍ୟାଦା ଅଛି । ରାଜା ,ଜମିଦାର ,ମକଦ୍ଦମ ଥିଲାବାଲାଙ୍କ ଘରେ ଅମାଲୁର କାଟତି ଥାଏ । ସେ ଆରିସା ,କାକରା ପରି ମାମୁଲି ହାଲୋଇ ନୁହେଁ । ସେ ହାଟ ବଜାର ଯିବ ?ନାଁ । ୧୯୪୪-୪୫ ପର୍ଯ୍ୟନ୍ତ କ୍ଷୀର ଛେନା କଣ ନିଆଳି ଜାଣିନଥାଏ । କ୍ଷୀରରୁ ଦହି ,ଦହି ଛେନା ,ଘିଅ ତିଆରି ଜଣା ଥାଏ । ଚିନି ତ ନାହିଁ । ରସଗୋଲା କଥା ଉଠୁଛି କେଉଁଠୁ ! ଆମେ ସ୍କୁଲ ଗଲା ଅଇଲା ବେଳେ ପଞ୍ଚୁ ମାଉସାଙ୍କ ହାଲୋଇ ଦୋକାନରୁ ମୁଢି ,ଉଖୁଡା ପଇସେ ଦିପଇସାରେ କିଣି ବାଟରେ ଚୋବାଇ ଚୋବାଇ ଘର ଧରୁ । ପାଟିରେ ପକାଉ ପକାଉ ବେଳେ ବେଳେ ପୁଡା ଫିଟି ଗଲା ତ ମୁଢିମାନେ ବାଟରେ ତାରା ଫୁଟିଗଲେ ।

ଗୋଟେ ଦିନ ଦେଖିଲା ବେଳକୁ ଦୋକାନରେ ଗୋଟିଏ ବଡ କରେଇରେ ଧଳା ଗୋଲ ଗୋଲ ମାଲ ପାଣିରେ ଭାସୁଛନ୍ତି । ପଞ୍ଚୁ ମଉସା ଆମ ଭାବ ଲାଭ ଠଉରେଇ କୁହନ୍ତି “ ଆରେ ପିଲାଏ । ଏସବୁ ରସଗୋଲା । ଛେନାରେ ତିଆରି । ଚିନିସିରାରେ ଭାସୁଛନ୍ତି । ଗୋଟିକୁ ଅଣାଏ”। ଆମକୁ ରସଗୋଲା କଥା ବୁଝାଉ ବୁଝାଉ କଣ କହିଲେଣି “ହାତ ଦେଖାଅ” ଗୋଟିଏ ଗୋଟିଏ ଆମ ହାଟରେ ଧରେଇ ଦେଲେ । ପ୍ରାପ୍ତ ମାତ୍ରେଣ  ଭୁକ୍ତବ୍ୟ । ଆରେ କି ମିଠା ! କଅଁଳିଆ ! ମତେ ତ ଲାଗିଲା ସ୍ଵର୍ଗ , ମର୍ତ୍ତ୍ୟ , ପାତାଳ ତିନିପୁର ଏକ । ହେଲେ ତା ପର ଠାରୁ ଦୋକାନର ହାଲୋଇ ନା ଟା ବୁଡିଗଲା  । ନବ କଳେବର । ନୂଆ ନାମକରଣ ,”ମିଠା ଦୋକାନ” । ବଙ୍ଗାଳୀ କୁହନ୍ତି “ଖାବାରଦୋକାନ” । ତ ୮୦ ବର୍ଷ ହେଲା ମୁଁ  ଖୋଜୁଛି । ମିଠା ଦୋକାନ ରେ ଅମାଲୁ ନାହାଁନ୍ତି । ଅମାଲୁତ ଛୋଟିଆ କଥା ନୁହେଁ  । ପୃଥିବୀର ସବୁ ପ୍ରକାର ମିଠା ତା’ ପାସଙ୍ଗରେ ପଡିବେନି । ନଟ ସାର  ଲକ୍ଷେ କହିଲେ କ’ଣ  ପାଠକ ବନ୍ଧୁମାନେ ମାନିବେ । ଆଜ୍ଞା ଆଖିଛୁଇଁ କହୁଛି ମତେ ସତ ଆପଣ ଙ୍କୁ  ମିଛ ଅମାଲୁ ୨ପଟ ଖାଇ ଦେଇଛନ୍ତି  ତ ଟେରା ହୋଇଯିବେ । ଦେଖଣାହାରିର ପାଟି ଓଦା ହୋଇଯିବ । ଆପଣମାନଙ୍କ ମଧ୍ୟରୁ କେହି  କେହି ଯଦି ଅମାଲୁ ଚାଖିଥିବେ ମୋ କଥା ନିଶ୍ଚେ ମନକୁ ପାଉଥିବ । ଅମାଲୁ ଛୋଟିଆ ଜନ୍ତୁ ନୁହେଁ । କାହ୍ନୁ ପାଇଁ ତ ନାରାୟଣ ପୂଜା । ଅମାଲୁ କଥାକୁ ଆସିବା ।

କିଛି ପାଠକେ ଏମିତି ଭାବିବେନି “ନଟ ସାର ଭଲ ବନେଇ ଚୁନେଇ ମାଛିକୁ ମାଛ କହିପାରନ୍ତି । ଆମକୁ ବୋକା ଠଉରଉଛନ୍ତି । ଆମେ ଅମାଲୁ ଖାଇଛୁ । କିନ୍ତୁ ନଟ ସାର ଟେକି ଟାକି କହୁଛନ୍ତି ଆମକୁ ତ କାଇଁ ସତ ଲାଗୁନି”। ଆପଣ ମାନଙ୍କ ଭାବନା ଠିକ । ହେଲେ ଆପଣ ଅମାଲୁ ଖାଇନାହାନ୍ତି । ଖାଇଛନ୍ତି ‘ମାଲପୁଆ’ । ଦୋକାନି ମାଲପୁଆକୁ ଅମାଲୁ କହି ଭଲ ବେପାର କରୁଥିବା ଆମ କାନକୁ ଆସିଛି । ହେଲେ କାହିଁ ରାଣୀ କାହିଁ ଚନ୍ଦରକାଣୀ । ଅମାଲୁ ହାଲୋଇ ସମ୍ରାଟ । ଅପେକ୍ଷା କରନ୍ତୁ । ଆପଣମାନଙ୍କୁ ଅମାଲୁ ଖୋଇବା ଯାଏ ମୁଁ ଅଛି । ଯଦି ମୋତେ ଘସିଫଡା ପୁରସ୍କାର ଦେଇନାହାନ୍ତି କ’ଣ ହେଲା ।

ଅମାଲୁ ତିଆରି କରିବା ? ଅମାଲୁ ହାଲୋଇ ସମ୍ରାଟ । ରାଜ ଦରବାରରେ ଦେଖା ଦେବେ । ଏ କଣ ମାମୁଲି କଥା । ବାଜା ବାଜିବ । ତୋପ ଫୁଟିବ । ଆଗରେ ପଛରେ ସୈନ୍ୟ ସାମନ୍ତ  ଘୋଡାରେ ଧୀରେ ଧୀରେ ଚାଲୁଥିବେ । ରାଜା ସଜବାଜ ହୋଇ ସବାରୀରେ ବସିବେ । ସବାରୀରେ ଢଳୁଥିବେ । ବେହେରା ଦରବାର ଫାଟକରେ ସବାରି ଲଗାଇଲେ । ମନ୍ତ୍ରୀ ପାଛୋଟି ନେବେ । ରାଜକୀୟ ଠାଣି ମାଣିରେ ରାଜା ସିଂହାସନରେ ବସିବେ । ଆରେ ଏ ତ ଦମଦାର କାମ । ଆମ ଅମାଲୁର କିଛି ଆଦବ କାଇଦା ଅଛି ନା ! ଦାତେ କମ ବେସି ହେଲେ ଅମାଲୁ ଆଉ ତୁମର ନୁହଁ । ସେ ରାଗି ପଞ୍ଚମ ହୋଇଯିବେ । ଅମାଲୁ ତିଆରି ଗୁରୁଘର ବିଦ୍ୟା । ମୋଟେ ହାଲକା ଭାବିବେନି । ଅମାଲୁତ  ଖାଇବା । ଟିକେ ରହି ସମ୍ଭାଳି ତଇକୁ ଚାହିଁବା । ଟାଉ ଟାଉ ହେଲେ ବିପଦ ! ନାତୁଣିଆ ଖରକୁ କ’ଣ ଦିହୁଡିଆ ଖର । ସବରାତ ଗଛ ନେହୁଆ ଖାଏ । ତରବର ହେଲେ ‘ଛାରପୋକ’ ଦଶା ଭୋଗିପରାନ୍ତି ।

ଛାରପୋକ କଥା କଣ ? ଉକୁଣି ଛାରପୋକ ଉପାଖ୍ୟାନ । ଉକୁଣୀଟିଏ ରାଜାଙ୍କ ଖଟରେ ଲୁଚି ଥାଏ । ରାଜା ଖାଇ ପିଇ ଶୋଇବାକୁ ଆସିଲେ । ସୈନ୍ୟ ,ସାମନ୍ତ ଶୟନ କକ୍ଷ ଚାରି ପଟେ ପହରା ଦେଲେ । ୧୫/୨୦ ମିନିଟ ଗଡପଡ ହୋଇ ଘୁଙ୍ଗୁଡି ଛାଡିଲେ । ଉକୁଣି ଆଉ ୫/୧୦ ମିନିଟ ଥୟ ରହିଲା । ପୁଣି ଘୁଙ୍ଗୁଡି । ଏଥର ଉଙ୍କୁଣି ବାରିଗଲା ରାଜାଙ୍କୁ ଘୋର ନିଦ । ସେ ଧୀରେ ଧୀରେ ବାହାରି ରାଜାଙ୍କ ମୁଣ୍ଡରୁ ରକ୍ତ ଶୋଷିଲା । ରଜା ବାରିପାରନ୍ତି ନି ।

ଅଗଣାରେ ଗୋଟିଏ ଖଟିଆ ପଡିଥାଏ । ମାଳି ଖଟିଆରେ ଶୁଏ । ଦିନ ତମାତ ଖଟିଥାଏ । ସେଜରେ ପଡୁ ପଡୁ ମଲାନିଦ । ଖଟିଆରୁ ଛାରପୋକଟି ବାହାରି ନିସ୍ତୁକ ରକ୍ତ ପିଏ । ଟିଙ୍କ ଭଳି ଫୁଲିଯାଏ । ପୁଣି ନିଜ ଜାଗା ଧରେ । ମାଳିର ହଲ ନାହିଁ କି ଚଲ ନାହିଁ । ହେଲେ ମାଳିର ଭାତ ଡାଲମା ରକ୍ତ । ରାଜାଙ୍କ ମାଛ ,ମାଂସ , କ୍ଷୀର ଖିଆ ରକ୍ତ । ରାଜାଙ୍କ ରକ୍ତ ମାଳି ରକ୍ତ ଠାରୁ ମିଠା ହୋଇଥିବ ! ଟିକେ ରାଜାଙ୍କ ରକ୍ତ ଚଖନ୍ତାକି ! ଉକୁଣିକୁ ଫୁସଲେଇଲା । ଉକୁଣି ବନ୍ଧୁକୁ ହାତ ଦେଲା । ହେଲେ ତାକୁ କିଛି ଆଦବ କାଇଦା ଶିଖାଇଲା । “ଟାଉ ଟାଉ ହବୁନି । ରାଜା ଶୋଇବେ । ଘୁଙ୍ଗୁଡି ମାରିବେ । ୧୫/୨୦ ମିନିଟ ଯିବ । ମଲା ନିଦ ହେଲାତ ମୁଁ ଇସାରା ଦେବି । ତୁ ଯେତେ ପାରିବୁ ରକ୍ତ ପିଇବୁ । ପେଟେ ରକ୍ତ ପିଇ ଚୁପ ଚାପ ତୋ ଖଟିଆକୁ ଚାଲିବୁ”। ଛାରପୋକ ସବୁ ଶୁଣିଲା । ମୁଣ୍ଡ ଟୁଙ୍ଗାରୁ ଥାଏ । ରାଜା ଆସି ଶୋଇଲେ । ଜଗୁଆଳି ମାନେ ପହରା ଦଉଥାନ୍ତି । ରାଜା ଗୋଟେ ଦିଟା ଘୁଙ୍ଗୁଡି ମାରିଛନ୍ତି । ଛାରପୋକ ପାଟିରୁ ଲାଳ ବୋହିଲାଣି । ସେ କି ଆଉ ରହେ । ଉକୁଣି ମନା କରୁଛି । ତା ହାତ ଛିଞ୍ଚାଡି ଦେଇ ରାଜାଙ୍କ ଖଟରେ ହାଜର । କାମୁଡାଏ ଦେଇଛି ତ ରାଜା ଚିଲେଇଲେ । ଆଲୁଅ ଲଗାଇ ସୈନ୍ୟ ସାମନ୍ତ ଦରାଣ୍ଡି ପକାଇଲେ । ଛାରପୋକ ହାବୁଡରେ ପଡିଛି ତ ତାକୁ ଯମପୁରକୁ ପଠାଇଦେଲେ । ତରବର ହୁଅନ୍ତୁ ନି । ଅମାଲୁର ଶହେ ଆଠ ଛଟା । ସୂତାଏ ଉଣା ହେଲେ ସେ ଆଉ ତୁମର ନୁହନ୍ତି । ରାଗୁଛନ୍ତି କି ? କ’ଣ କରିବି । ଅମାଲୁ ମାନ ସମ୍ମାନ ତଳେ ପକାଇଲେ ମୁଁ ଧର୍ମ ଦ୍ରୋହୀ ହେବି । ନର୍କରେ ପଡିବି । ସତେ ନା କ’ଣ ? ଧର୍ମ ,ନର୍କ ,ସ୍ଵର୍ଗ ସବୁ ସମାଜପତି ମାନଙ୍କର ଭିଆଣ । ଗରିବ ଦଳିତ ମାନଙ୍କୁ ଡରେଇ ରଖିବା ଫିକର । ବହୁତ ଅନ୍ୟାୟ କଲିଣି । ଆଉ ଲମ୍ବେଇବାନି । ସିଧା ଆସିବା ‘ଅମାଲୁ’ କୁ ।

ଆମେ ପୁଣି ଥରେ ପାଠକ ବନ୍ଧୁ ମାନଙ୍କୁ ଅନୁରୋଧ କରୁ କି ‘ଅମାଲୁ’ କୁ ହାଲକା ଭାବେ ନେବେନି । ଜଗନ୍ନାଥଙ୍କ ଛପନ ଭୋଗରେ ଅମାଲୁ ସ୍ଥାନ ପାଇଛି । ରସଗୋଲା ପାଇଁ ଖୁବ ଟଣା ଓଟରା ହେଲା ଆମେ ଜାଣିଛେ । ବଙ୍ଗଳା କହେ “ଓଡିଆ ଏକ ସ୍ଵତନ୍ତ୍ର ଭାଷା ନଏ । ଆମାର ବଙ୍ଗଲା ଓଡିଶାର ଭାଷା ହଏ । ଜୟ ଦେବ ଆମାର ହୟ । ରସଗୋଲା ଆମାର ହୟ” । ସବୁଥିରେ ଫେଲ । ନିର୍ଲଜ ଲାଉ ଟେକି ଟାକି ଦେଲେ ଚାଳକୁ ଯାଉ । ଅମାଲୁ ପାଇଁ ବଙ୍ଗଳା ଦାବି କରିବା ଖବର ଆମ ପାଖେ ନାହିଁ । ତେବେ ଆସାମ ,ବଙ୍ଗଳା ଦେଶର ଢାକାରେ ଅମାଲୁ ୨୦୦/୩୦୦ ବର୍ଷ ପୂର୍ବେ ଥିଲା । ନଅଙ୍କ ଦୁର୍ଭିକ୍ଷ ୧୮୬୬ ମସିହା । ସେତିକି ବେଳେ ଓଡିଶାରୁ ବହୁ ଲୋକ ଆସାମ ଚା ବଗିଚା,ଢାକାରେ ଠାକୁର ସେବା କରିବାକୁ ଚାଲିଯାଉଥିଲେ । ସେମାନେ ଅମାଲୁ ବିକାକିଣା ଦେଖିଥିବା ପ୍ରମାଣ ମିଳେ । କିନ୍ତୁ ଜଗନ୍ନାଥଙ୍କ ପାଖେ ୭୦୦/୮୦୦ ବର୍ଷ ପୂର୍ବରୁ ଅମାଲୁ ଭୋଗ କଥା ଲିପିବଦ୍ଧ ଅଛି । ଆଜି ଅମାଲୁ ମହାଶୟ ବଡ ଦେଉଳରେ ନାମକୁ ମାତ୍ର ଭୋଗ । ଓଡିଶାରେ ରାଜ ରାଜୁଡା ତ ବରଗର, ପିଜା, ମେଗି , ଚିପିସ, ଚିକେନ ଚାଓମିନ ପଛରେ ଦୌଡୁଛନ୍ତି । ବିଷ ଖାଉଛନ୍ତି । ରୋଗ କିଣୁଛନ୍ତି । ଅମାଲୁର କେତେ ଛଟା । ଅମାଲୁ କରୁଛି କିଏ କରୁଛି ବା କିଏ?

ଆମ ଗାଁ ନରିଶୋର  ବ୍ରାହ୍ମଣ ଶାସନ । ମକଦ୍ଦମ ମାନେ ଖୁବ ଅୟସ କରନ୍ତି । ରଜା, ଜମିଦାରଙ୍କର ବ୍ରାହ୍ମଣଙ୍କୁ ଡର । ବ୍ରାହ୍ମଣମାନେ ଭଗବାନଙ୍କର ପାଖ ଲୋକ । ବ୍ରାହ୍ମଣଙ୍କୁ ଜମିବାଡି ଦେଲେ ବ୍ରାହ୍ମଣ ଶାନ୍ତି ତ ଭଗବାନ ଶାନ୍ତି । ମକଦ୍ଦମମାନେ ପ୍ରଜାଙ୍କୁ ଚନ୍ଦେଇ ବାଲା ବାଡେଇ ଅମାଲୁ ଖାଆନ୍ତି । ବାହା, ବ୍ରତ ଭୋଜି ଭାତରେ କ୍ଷୀରି ପଛରେ ଅମାଲୁ ଲାଗିବ । ମୋ ପିଲା ବେଳେ ୮୦ ବର୍ଷ ତଳେ ଆମ ଗାଁ ରେ ୫\୭ ଜଣ ଅମାଲୁ କାରିଗର ଥାଆନ୍ତି । ସତିଆ ମଉସା, ବିଦ୍ୟାଧର କକେଇ , ରତ୍ନାକର କକେଇ , ବନମାଳୀ କକେଇ ,ମୋ ନନା  ଏମାନେ ଅମାଲୁ କରିବାରେ ଓସ୍ତାଦ । ଅମାଲୁ ମସଲା ଚିଠା ଦେବେ ।

– ଏକନମ୍ବର ଅଟା ,ଦେଶୀ ଗୁଡ ,ପାଟକପୁରା ପାଚିଲା କଦଳୀ , ଖାଣ୍ଟି ଗୁଆ ଘିଅ ,ଗୋଲମରୀଚ ,ପାନମଧୁରୀ ,ଗୁଜୁରାତି ,ଲବଙ୍ଗ ,ଅଳେଇଚ , କ୍ଷୀର ସବୁ ଏକନମ୍ବର ଜିନିଷ । ୨ ଦିନ ଆଗରୁ ଯୋଗାଡ କରିବାକୁ ହେବ । ଅମାଲୁ ଛଣା ହବ ଗୋଟିଏ ତଇ ,ଜାଲିଚଟୁ , ଲୁହାଖଡିକା ଦରକାର ।

ଉପାଦାନ ଗୁଡିକର ନାମ ଜାଣିଲା ପରେ ଆପଣମାନଙ୍କୁ ମନେ ହୋଇପାରେ ଏଇ ମାମୁଲି ଜିନିଷକୁ ନେଇ କି ଅମାଲୁ ହବ ଯେ ତାକୁ ନଟ ସାର ଏତେ ଟେକୁଛନ୍ତି । ଆମ ଦେଶୀ ଖାଦ୍ୟ ତିଆରି କରିବାରେ ସ୍ଵାଦ । ଆଉ ଡେରି କରିବାନି । ଅମାଲୁ ପାଗ ତିଆରି ହଉ ।

ଆଗ ଦିନ ରାତିରୁ ଅଟା ବତୁରାଇ ଦିଅନ୍ତୁ । ଅଟାକୁ ଭଲ ଭାବେ ଛାଣି ଚୋକଡ ବାହାର କରିଦିଅନ୍ତୁ । ଅମାଲୁ ଚିକ୍କଣ ଚାକ୍କଣ ସୁତୁରିଆ ଜୀବ । ମାପ ଚୁପ ଆମେ ଖୋଲିବୁନି । ଗୁରୁ ଦ୍ରୋହୀ ହବୁ ! ଆଗ ଖାଆନ୍ତୁ ସେ କଥା ପରେ । ଅମାଲୁ ପାଇଁ ନକ୍ସି ଚୁଲି । କାରିଗର ଚୁଲି ମାମଲତ ବୁଝିବେ । ସକାଳ ହେଲା । ସବୁ ମାଲ ଗୋଳିଆ ପୋଳିଆ ହେଲା । କଦଳୀ ଚକଟା ହେଲା । ନିରୁତା କଞ୍ଚା କ୍ଷୀର ଢଳା ହେଲା । ମସଲା ମସଲି ଅଧା ଭଙ୍ଗା ହୋଇ ପଡିଲା । ଚୁଲିରେ ତଇ ବସିଲେ । ୩/୪ ସେର ଘିଅ ପ୍ରଥମ ଖେପରେ ତଇରେ ଢଳା ହେଲା । ସତିଆ ମଉସା ହେଡ ସେଫ। ଦାଢେ ଛାଡିବେନି । ଟିକିଏ କେଉଁଥିରେ ଉଣା ହେଲେ ଗୃହ କର୍ତ୍ତା ଉପରେ ନାଲି । ଚୁଲି ଛାଡି ଭାଗିସ । ଅନ୍ୟ କାରିଗରମାନେ ତାଙ୍କ ବାଗ ଜାଣନ୍ତି। ଅ ଠାରୁ କ୍ଷ ପର୍ଯ୍ୟନ୍ତ ତାଙ୍କ ବରାଦରେ ରଖିଲେ । ଚୁଲି ଲାଗିଲା । କଦଳୀ ପତ୍ର ୫/୭ ଖଣ୍ଡ ଚୁଲି ପାଖରେ ପଡିଛି । ଆଖି ଥିବା ଶଢେଇଟିଏ ଆସିଲା । ଘିଅ ଗରମ ପାଣି ଛାଟି ପରୀକ୍ଷା କଲେ । ଥରେକେ ୪\୫ ଟି ଅମାଲୁ ପଡିଲା । କାଠି ରେ ସେମାନଙ୍କୁ ତଳ ଉପର କଲେ।  ଆରେ ! ଏ କଣ  ଅମାଲୁ ଛିଣ୍ଡି ପଡୁଛି । ଭାଗ ଭୁଲ ।  ଆଉଏ ଟିକେ ଅଟା ପଡି ଗୋଳା ହେଲା । ଏଥର ଅମାଲୁ ମାନେ ନିଖୁଣ ଛଣା ହେଲେ । ପତରରେ ଖେଳା ହେଲା । ଗୁଳାରେ ପଡିଗଲା ତ କାମ ଚାଲିଲା ।

ଆମେ ସାଙ୍ଗ ସାଥି ୪\୫ ଜଣ ନାକେଇଛୁ । ଅମାଲୁ ବାସି ଫଟଉଛି । ପାଟି ଟକଟକ ହେଲାଣି  । ନାଇଁ ରେ ବାପ । ସତିଆ ମଉସା ବିଶ୍ଵାମିତ୍ର ଋଷି । କଥା କଥା କେ ନାକ ଆଗରେ ରାଗ । ବିଦିଆ କକେଇ ଆମ ଦୁଃଖ ବୁଝିଲେ । “ନଟ ତୁମେ ସବୁ ୫/୧୦ ମିନିଟ ଅପେକ୍ଷା କର । ଆଗ ଅଗ୍ନି ପୂଜା ହବ । ତାପରେ ଛିଣ୍ଡା ଛିଣ୍ଡି ଯାହା ବାହାରିବ ତୁମକୁ ଦବା” । ପାଞ୍ଚ ମିନିଟ ଆମକୁ ପାଞ୍ଚ ଯୁଗ ଭଳି ଲାଗିଲାଣି । ସତିଆ ମଉସା ଆସାସ୍ଵନା ବାଣୀ ଶୁଣାନ୍ତି  । “ଏଠୁ ଯାଉଛ କି ଏ ଗରମ ଘିଅ ତୁମ ଉପରକୁ ଛାଟିଦେବି ଯେ ଅମାଲୁ ଖାଉଥବ”। ଅମାଲୁ ,କି ଲୋଭନୀୟ ରୂପ । ନାଲି ,ଧୁସର ରଙ୍ଗ । ଦିହ ଯାକ ଫୁଟି ଫୁଟି ଚିହ୍ନ । କାରିଗରମାନେ ସେ ଚିହ୍ନକୁ ବସନ୍ତ ଚିହ୍ନ ବୋଲି କହୁଛନ୍ତି । ଖାଇନୁ ତ । ଛଣା ଛଣିରୁ ଜଣାଯାଉଛି ଭାରି ନରମ ହୋଇଥିବେ । ମିଠାଳିଆ ଘିଅ ବାସନା ନାକରେ ପସି ଯାଉଥାଏ । ଯମସ୍ୟ କରୁଣା ନାସ୍ତି ।

ସତିଆ ମଉସା ଅଚଳ ମହାମେରୁ । ରତନା କକେଇ ମଝିରେ  ଗୋଟେ ସାରଗର କଲେ । ଅଗ୍ନି ପୂଜା ସରିଥାଏ । ଛିଣ୍ଡା ଅମାଲୁ ୪/୫ ଖଣ୍ଡି ଲେଖାଏଁ ଆମକୁ ମଞ୍ଜୁର ହେଲା । ଆଞ୍ଜୁଳାରେ ଧରି ପାଟିରେ ଏକାଦମରେ ପୁରେଇଦଉ । ହାତରେ ଘିଅ । ପାଟିରେ ଘିଅ । ଘିଅରେ ପାଟି ବାନ୍ଧି ପକାଉଛି । କି ସୁଆଦ ! ଇନ୍ଦ୍ର ଦେବତା ବି ଝୁରିବେ । ସମୁଦ୍ରକୁ ଶଙ୍ଖେ । ଆଉ ନାକେଇଲେ ନାହିଁରେ ବାପ । ରାତିକୁ ସଭାରେ ଲାଗିବ ତ । ମନ ମରିଯାଉଛି । ଫେରୁଛୁ । ବିଦିଆ କକେଇ ପଛେ ପଛେ ଆସନ୍ତି । ସତିଆ ମଉସାଙ୍କୁ ଲୁଚେଇ ୧୦/୧୨ ପଟ ଅମାଲୁ ଆଣିଛନ୍ତି । ଦିପଟ ଲେଖାଏଁ ଧରେଇ ଦେଲେ । ଆମେ କି ଆଉ ରହୁ । ଭାଗିସ ।

ଅମାଲୁ ୧୦୦/୨୦୦ ଭାଡିରୁ ବାହାରିଛି । ସତିଆ ମଉସାଙ୍କ ବରାଦ, “ଆଉ ୨ ସେର ଘିଅ ଆଣ”। ଶଙ୍କର ଦଦେଇ କହିଲେକି , “ଭାଇନା ଘିଅ ତ ସରିନି …..”। “ତୋ ସାତ ପୁରୁଷରେ କିଏ ଅମାଲୁ ଖାଇଥିଲା । ନୂଆ ଡାହାଣୀ ଗୂହ ଖାଉଛି । ତୁ ମତେ ଶିଖେଇବୁ”। ପଞ୍ଚମ ମୁଦ୍ରାରେ । ନନା ବୁଝାଇ ବୁଝାଇ ବସେଇଲେ । ଆଉ ୨ ସେର ଘିଅ ତଇରେ ଢଳାହେଲା । ଶଙ୍କର ଦଦେଇ ମନ ବୁଝିଗଲା । ଆରେ ତେଲ ଘଡିକୁ ଆଶା ଆଡେ ପୁଅ ମୁଣ୍ଡକୁ ଆଶା । ସଭାରେ ଅମାଲୁ ଲଗାଇ ବାହା ବାହା ନେବେ । ଏଣେ ଖର୍ଚ୍ଚକୁ କୁନ୍ତୁ କୁନ୍ତୁ । କଥା କ’ଣ କି, ଘିଅ ନ ବଦଳାଇଲେ ଅମଲୁର ରଙ୍ଗ କଳା ଦିଶିବ । ଅମାଲୁ ଟାଣ ହବ । ସେ କି ଅମାଲୁ ! ଖାଇବା ଲୋକ ଜାଣିଛି। ଭୋଜିରୁ ଫେରିଲେ ବାନ୍ତି ହବାର ସମ୍ଭାବନା ଅଛି । ଏତେ କଥା ସଙ୍କରକୁ କିଏ ବୁଝାଇବ ?

ଘିଅ ବା ତେଲ  ଛଣାଛଣି ପରେ ଯାହା କରେଇରେ ବଳେ ତାକୁ ଆଡତେଲ କହନ୍ତି । ସେ ତେଲ ରୋଷେଇ ପାଇଁ ନୁହେଁ । ମୋବିଲ ସଙ୍ଗେ ସମାନ । ଯେଉଁମାନେ ଖାଇବା ଲୋକ ସେମାନେ ବାରି ଦେବେ । ଘିଅରେ କେତେ ଖଣ୍ଡ ପୂରିବା ଅମାଲୁ ଛଣା ହୋଇଛି । ଜାହାଙ୍ଗୀର ମୋଗଲର ବାଦଶାହା ଥାଆନ୍ତି । ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ବେପାର କରିବ । ସାର ଟମାସୋର ବିଲାତରୁ ଦୁତ ଆସିଲେ । ଜାହାଙ୍ଗୀରଙ୍କ ଦରବାରରେ ଭାବ ଲଗାଇଲେ । ବହୁ ବିଲାତି ବିଳାସ ସାମଗ୍ରୀ ଭେଟି ଦିଅନ୍ତି । ଜାହାଙ୍ଗୀରଙ୍କୁ ମନାଇବେ । ଭାରତରେ ବେପାର ଜମାଇବେ । ଦିନେ ନୈଶ୍ୟ ଭୋଜିର ଆୟୋଜନ କରନ୍ତି । ମୋଗଲ ଦରବାରର ବବୃଚି ଠାରୁ ବାଦଶାହଙ୍କ ଖିଆ ପିଆ ବାଗ ବୁଝିଲେ । ପୁରି ଛଣା ହବ । ବବୃଚି କହିଲା “ବାଦଶାହ ୪ ଖଣ୍ଡ ପୁରି ଖାଇବେ । ସେରେ ଘିଅରେ ଖଣ୍ଡେ ପୁରି ଛଣା ହେବ । ଘିଅ ବଦଳିବ । ପୁଣି ସେରେ ଘିଅ ଢଳା ହେବ । ଦ୍ଵିତୀୟ ଖଣ୍ଡ ଛଣା ହେବ । ୪ ଖଣ୍ଡ ପାଇଁ ୪ ସେର ଘିଅ”। କଥାଟା ଟମାସରୋଙ୍କୁ ଅପସନ୍ଦ ଲାଗିଲା । ହଊ ବରାଦ ମୁତାବକ ରୋଷେଇ ହେଲା । ଦିଖଣ୍ଡ ପୁରି ୨ ସେର ଘିଅରେ ଛଣା ସରିଲାଣି । ତୃତୀୟ ଖଣ୍ଡ ବେଳକୁ ଦୁତ କହିଲେ ସେଇ ଘିଅରେ ଆଉ ଖଣ୍ଡେ ଛାଣ । ଦେଖିବା ତୁମ ବାଦଶାହ କିପରି ଜାଣିପାରିବେ । ସେଇଆ ହେଲା । ପୁଣି ୨ ସେର ଘିଅରେ ଆଉ ୨ ଖଣ୍ଡ ପୁରି ଛଣା ହେଲା । ମୋଟ ପାଞ୍ଚ ଖଣ୍ଡ ।

ବାଦଶାହ ଆସିଲେ । ଖାନାପିନା ଚାଲିଲା । ବାଦଶାହ ୨ ଖଣ୍ଡ ପୁରି ଖାଇଲେ । ତୃତୀୟ ଖଣ୍ଡ ଖାଇଛନ୍ତି ତ ଟେବୁଲ ଉପରେ ଭକ ଭକ । ବବୃଚି ଥରିଲାଣି । ରାଜ ଡାକ୍ତର ଆସିଗଲେଣି । ଏ କି ଅଘଟଣ । ଟମାସୋ ବାଦଶାହଙ୍କ ହାତ ଧରିପକାଇ ନିଜର କୃତ କର୍ମ ପାଇଁ କ୍ଷମା ମାଗିଲେଣି । ପଛ ପୁରି ଦୁଇ ପଟ ଖାଇଲେ । ଭାରତୀୟ ଖାଦ୍ୟ ସଂସ୍କୃତିର ଗଭୀରତା ବିଲାତି ଦୁତ ବୁଝିଗଲେ । ଏଇତ ମାମୁଲି ପୁରି  କଥା । ଅମାଲୁ ସ୍ଥାନ କାହିଁ କେତେ ଉଚ୍ଚରେ । ଶଙ୍କର ଭାଇନା କୁଟି କାଟି ହେଲେ ଅମାଲୁ ଛାଡିବ ନା କ’ଣ । ଘିଅ ମାନେ ଘିଅ । ୪/୫ ଟି ତାଡିଆ ଆସିଲା । ଅମାଲୁ ସଜା ହୋଇ ତାଡିଆରେ ସରି ସରି ରହୁଥିବ । ଉପରେ ଚିନି ଛିଞ୍ଚି ଦଉଥିବେ । ପୁଣି ସରିଏ । ଅମାଲୁକୁ ଅମାଲୁ ଲାଗିଗଲେ ଛିଡିଯିବେ । ତେଣୁ ଚିନି ଛିଞ୍ଚା । ଖାଇବା ଲୋକ ୮/୧୦ ପଟ ଅମାଲୁ ଖାଇଲେ ଜବତ ।

ମାଲପୁଆକୁ କେହି କେହି ଅମାଲୁ କହି ଧରାଇ ଦିଅନ୍ତି । ଅଚଳ ଦୋଣୀ ଚଞ୍ଚଳ ଚଳେ । କହିବୋଲି ପାରିଲା ଯିଏ ଶଢା ଚୁଙ୍ଗୁଡି ବିକିଦେଲା ସିଏ । ମାଲପୁଆ ମଇଦାରେ ତିଆରି । ମଇଦା ,ଚିନି ,କଦଳୀ  ମିଶାଇ ଛାଣିଦେଲେ । କରେଇରୁ ବାହାର କରି ଚିନି ସିରାରେ ପକାଇଲେ । ମାଲପୁଆ ଅମାଲୁର ବୋକଚା ବୁହା । ଲକ୍ଷେ କହିଲେ ଆପଣ ମାନଙ୍କ ମନ କଣ ବୁଝିବ । “the taste of cake is not in making . it is in eating” । ଆପଣମାନଙ୍କୁ ମୁଁ ଅମାଲୁ ଚଖାଇପାରିଲି ନାହିଁ । କ୍ଷମା କରିବେ । ଆଜି ଆମ ଦେଶରେ ଯେପରି ଭାବରେ ବିଦେଶୀ ବିଷ ଖାଦ୍ୟ ସାମ୍ରାଜ୍ୟ ବିସ୍ତାର କରିଛି ବହୁ ଦେଶୀ ଖାଦ୍ୟ ଅଲୋଡା ହୋଇଯାଇଛନ୍ତି । ଅମାଲୁ ଏ ନକଲି ଖାଦ୍ୟ ପ୍ରତିଯୋଗିତାରେ ପଛରେ ପଡିଯାଇଛି । ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ । ୭୦/୮୦ ବର୍ଷର ବୁଢା ବୁଢୀ ମାନେ ଆଜି ଅମାଲୁକୁ ଝୁରୁଛନ୍ତି । ଅମାଲୁ କାରିଗର ମରୁଡି । ଦେଶୀ ଘିଅ କିଲୋ ୧୨୦୦ ଟଙ୍କା । ପୁଅ ଅମାଲୁ ଖାଇବ । ତଥାପି ଓଡିଶାର କେତେକ ଜମିଦାର ଉଆସରେ ,ମକଦ୍ଦମଙ୍କ ଘରେ ବେଳେ ବେଳେ ଅମାଲୁ ଆତ୍ମପ୍ରକାଶ କରୁଛନ୍ତି । ଏବେ ଜଗନ୍ନାଥଙ୍କ ଛପନ ଭୋଗରେ ଅମାଲୁ ନାମକୁ ମାତ୍ର ଭୋଗ ।

ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ତାଙ୍କର ଦେଶୀ ଖାଦ୍ୟ ତାଲିକା ମାନଙ୍କରେ ଥରେ ଅମାଲୁ ରଖନ୍ତୁ, ଦେଖିବେ ପର୍ଯ୍ୟଟକ ମାନେ ଖାଇ ବାଉଳା ହୋଇଯିବେ । ଅମାଲୁ ମରିଯାଇଛି । ଗାଁ ଗଣ୍ଡାରେ ପର୍ବପର୍ବାଣିରେ ଅମାଲୁ ତିଆରି ଆଉ ସମ୍ଭବ ହଉନି । ରସଗୋଲା, ସନ୍ଦେଶ ଆଡୁ ଆଖି ଫେରାଇ ଖାଇଲା ଲୋକେ ଅମାଲୁ ପାଖେ ଭିଡ ଜମେଇବେ । ଶ୍ରୀ ଜଗନ୍ନାଥ ପରିଚାଳନା କମିଟି ଛପନ ଭୋଗରେ ଅମାଲୁ ଅଧିକ ସଂଖ୍ୟାରେ ତିଆରି କଲେ ଭାରତର ବିଭିନ୍ନ ରାଜ୍ୟରୁ ଆସୁଥିବା ଯାତ୍ରୀ ମାନେ ଅମାଲୁ ମାହାତ୍ମ୍ୟ ଜାଣିବେ । ଥରେ ଛଣା ହେଲେ ୮/୧୦ ଦିନ ପର୍ଯ୍ୟନ୍ତ ଅମାଲୁ ସୁସ୍ଥ ରହିବ । ପଞ୍ଚ ତାରକା ହୋଟେଲ ମାନେ ମଧ୍ୟ ପରୀକ୍ଷା ମୂଳକ ଭାବେ ଅମାଲୁ ଦାମିକା ଗରାଖ ମାନଙ୍କୁ ଚଖାନ୍ତୁ । ଥରେ ଆରମ୍ଭ କଲେ ଭିଡ ସମ୍ଭାଳି ପାରିବେନି । ବିଚରା ଅମାଲୁ ପୁନରଜନ୍ମ ପାଇପାରେ ! ହାଲୋଇ ସମ୍ରାଟ ‘ଅମାଲୁ’ କୁ ବଞ୍ଚାନ୍ତୁ ଓଡିଶାର ଖାଦ୍ୟ ସଂସ୍କୃତି ବିଶ୍ଵ ଦରବାରରେ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ପାଉ । ଜୟ ହାଲୋଇ ସମ୍ରାଟ ‘ଅମାଲୁ’ ! ଜୟ ଓଡିଶା ଖାଦ୍ୟ ସଂସ୍କୃତି !

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)