[box type=”shadow” align=”” class=”” width=””] ଚିତ୍ରକଳା ଓ ମଣିଷର କଳାତ୍ମକ ଅନୁଭବ ସମ୍ପର୍କରେ ଏଠାରେ ଏକ ଉପସ୍ଥାପନା କରିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ତଥା କଳା ଶିକ୍ଷକ ଶ୍ରୀ ଅଶୋକ କୁମାର ମହାନ୍ତି ଯିଏକି କିଛିଦିନ ତଳେ ଆମ ଗହଣରୁ ବିଦୟ ନେଇଛନ୍ତି। ତାଙ୍କ ମତରେ, “ଆଦିମ ମଣିଷ ପ୍ରଥମେ ପାହାଡ଼ ଗୁମ୍ଫାରେ ବସତି ସ୍ଥାପନ କରୁଥିଲା । ଗୁମ୍ପା ଚିତ୍ରଠାରୁ ଆଜିର କାନ୍ଥ ଚିତ୍ର ଓଡ଼ିଶୀ ଚିତ୍ରକଳାର କ୍ରମବିକାଶ ବୋଲି କୁହାଯାଇପାରେ । ” – ସମ୍ପାଦକ[/box]
କଳା ହେଉଛି ସୌନ୍ଦର୍ଯ୍ୟର ପରିଭାଷା । ଏହି ସୌନ୍ଦର୍ଯ୍ୟକୁ ଗାଁର ସରଳ ନିରାଡ଼ମ୍ବର ଲୋକମାନଙ୍କ ଦ୍ୱାରା ଯାହା ପ୍ରକାଶିତ ହୁଏ, ତାହା ଲୋକକଳା କୁହାଯାଏ । ମୋଟ୍ଉପରେ ଲୋକମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କଳା ହିଁ ଲୋକକଳା କୁହାଯାଇଥାଏ । ଏଥିପାଇଁ ଶିକ୍ଷାର ଆବଶ୍ୟକତା ନଥାଏ । ଏହା ଖାଇବା ପିନ୍ଧିବା ଭଳି ସ୍ୱାଭାବିକ ଭାବେ ଜୀବନଧାରା ସହ ସମ୍ପୃକ୍ତ । ମଣିଷ ତାର ଆବଶ୍ୟକତାକୁ ଅନୁଭବ କରି ଯେତେବେଳେ ମାଟିହାଣ୍ଡି, ପଥର ତିଆରି ବାସନର ପରିକଳ୍ପନା କଲା ସେ ସମୟରୁ ଏବେ ପର୍ଯ୍ୟନ୍ତ ଯାହା କିଛି ଜିନିଷ ମଣିଷ ହାତରେ ତିଆରି କରିଛି ସେ ସମସ୍ତ ଲୋକକଳାରେ ଅନ୍ତର୍ଭୁକ୍ତ କରାଯାଇପାରେ । ମଣିଷ ସୃଷ୍ଟି ଯେପରି ପ୍ରାଚୀନ ଲୋକକଳା ପ୍ରାଚୀନଠାରୁ ପ୍ରାଚୀନତର ହୋଇଥାଏ । ଆଦିମ ମଣିଷ ଜଙ୍ଗଲ ମଧ୍ୟରେ ବୁଲୁଥିବାବେଳେ ଯେଉଁ କଳା ସୃଷ୍ଟି କରିଥିଲା, ସେବେଠାରୁ ଲୋକକଳାର ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ କଳା ସହ ଧର୍ମକୁ ଯୋଡ଼ି ଦିଆଗଲା । ଯାହା ଫଳରେ ଧର୍ମ ସହ କଳା ସେବେଠାରୁ ଜନମାନସରେ ବଞ୍ôଚରହିଆସିଛି ।
ଏହି କଳା ମନ୍ଦିରର ଭାସ୍କର୍ଯ୍ୟ, ଚିତ୍ର ଅନ୍ୟାନ୍ୟ କଳାକୃତି ମଧ୍ୟରେ ସ୍ଥାନ ପାଇଛି । ଯାହା ଫଳରେ ଏ କଳା ଏକ ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି । ଉଦାହରଣସ୍ୱରୂପ ମୋଗଲ, କାଂଘ୍ରାର ଛବି ଅଜନ୍ତାର ବୌଦ୍ଧଧର୍ମକୁ ନେଇ କଳା ସ୍ଥାପତ୍ୟ ଇତିହାସ ସୃଷ୍ଟି କରିପାରିଛି । ସମୟକ୍ରମେ ଯେଉଁ ପରମ୍ପରା ହଜିବାକୁ ବସିଛି, ଆବାଜନମାନସରୁ ଲୋପ ପାଇଯିବାକୁ ବସିଥିବାବେଳେ ଏହା ମଣିଷ ସହ ସଂପର୍କ ହରାଇ ମଠ ମନ୍ଦିର ଇତ୍ୟାଦି ଶୋଭାବର୍ଦ୍ଧନ କରିଆସୁଛି । ପ୍ରାକ୍ ଐତିହାସିକ ଚିତ୍ରକଳା ସୌନ୍ଦର୍ଯ୍ୟ ବୃଦ୍ଧି ଅପେକ୍ଷା ମଣିଷ ଜୀବନ ସଂଗ୍ରାମର ଏକ ଉପାଦେୟ ବସ୍ତୁୁଭାବେ ଇତିହାସର ସ୍ୱାକ୍ଷର ବହନ କରିଆସୁଛି । ଭାରତର ସିଂହନପୁର, ରାୟଗଡ଼, ଭିମବୋଟକା ଓ କୌମୁର ପର୍ବତମାଳାରେ ଥିବା ଗୁମ୍ଫାଚିତ୍ର, ଓଡ଼ିଶାର ସମ୍ବଲପୁର ଜିଲ୍ଲାର ବିକ୍ରମଖୋଲ, ଉଲାପଗଡ଼, ସୁନ୍ଦରଗଡ଼ ଜିଲ୍ଲାର ମାଣିକମୋଡ଼ା ଓ ଉଷାକୋଠୀ, କଳାହାଣ୍ଡି ଜିଲ୍ଲା ଗୁଡ଼ହାଣ୍ଡି ଏବଂ ଯୋଗୀ ମଠ, କଟକର ନରାଜ, ନୂଆପଡ଼ା ଜିଲ୍ଲାର ଘଟଗୁମର, କେନ୍ଦୁଝର ଜିଲ୍ଲାର ବଉଳା ପର୍ବତମାଳା, ମୟୁରଭଞ୍ଜ ଜିଲ୍ଲାର କଇଁପୁର, ନବରଙ୍ଗପୁର ଜିଲ୍ଲାର ମାଣ୍ଡା ଡ଼ଙ୍ଗରୀ ପ୍ରଭୃତିରେ ଯେଉଁ ଗୋଷ୍ଠୀଗତ କଳା ଗୁମ୍ଫାମାନଙ୍କରେ ରହିଛି, ତାହାକୁ ଲୋକକଳା କୁହାଯାଇଥାଏ । ଗୋଷ୍ଠୀଗତ ଚିନ୍ତାର ଆଭାସ ଏଥିରୁ ମିଳିଥାଏ । ଏହି ଚିତ୍ର ଗୁଡ଼ିକ ଗେରୁଆ, କଳା, ଧଳା, ହଳଦିଆ ପ୍ରଭୃତି ରଙ୍ଗରେ ରଙ୍ଗାଯାଇଛି । ଚିତ୍ରଗୁଡ଼ିକ ସରଳରେଖା ଓ ନିଜସ୍ୱ ଭଙ୍ଗୀରେ ଅଙ୍କିତ ହୋଇଥିଲାବେଳେ ଏହା ପ୍ରକୃତିରୁ ନକଲ କରାଯାଇଥିବାର ଜଣାଯାଇଥାଏ । ସାମାଜିକ ବିଷୟବସ୍ତୁକୁ ନେଇ ଅଙ୍କିତ ପଶୁ, ଶିକାରୀ ମଣିଷ, ଶିକାର ଦୃଶ୍ୟ, ଚାଷ କରୁଥିବାର ଦୃଶ୍ୟ ପ୍ରଭୃତି ରେଖାଙ୍କିତ ଓ ସଙ୍କେତଧର୍ମୀଭାବେ ଅଙ୍କନ କରାଯାଇଛି । ଏଗୁଡ଼ିକ ଆମେରିକା, ଏସିଆ, ୟୁରୋପ ଇତ୍ୟାଦି ମହାଦେଶର ଗୁମ୍ଫା ଏବଂ ପାହାଡ଼ ଦେହରେ ଦେଖିବାକୁ ମିଳିଥାଏ । ଅନେକ ଖୋଦିତ ଓ ଅଙ୍କିତ ଚିତ୍ରକଳାରେ ରଙ୍ଗ ବ୍ୟବହାର ହୋଇଥିବାବେଳେ କେତେକ କେବଳ ଖୋଦିତ ଭାବେ ରହିଛି । ଏକ ସ୍ଥାନରେ ଚିତ୍ରର ବିଷୟବସ୍ତୁ ସହ ଅନ୍ୟ ସ୍ଥାନର ଚିତ୍ରକଳାର ବିଷୟବସ୍ତୁର ମେଳ ବେଳେବେଳେ ପରିଲକ୍ଷିତ ହୋଇଥାଏ । ଗବେଷକମାନେ ଏହି ଚିତ୍ରକଳାକୁ ଆଦିମ ପ୍ରସ୍ତର ଯୁଗୀୟ ଏବଂ ଐତିହାସିକ ଏହିପରି ଦୁଇଭାଗରେ ବିଭକ୍ତ କରିଥାନ୍ତି । ଚିତ୍ରକଳାର ଗଠନ ପ୍ରଣାଳୀ ବିଷୟବସ୍ତୁର ପରିପ୍ରକାଶରୁ ଏହା ସହଜରେ ଚିହ୍ନି ହୋଇଥାଏ । ପ୍ରସ୍ତର ଯୁଗର ଚିତ୍ରକଳାର ଗଠନ ପ୍ରଣାଳୀ ରୈଖିକ, ଜ୍ୟାମିତିକ ହୋଇଥିବାବେଳେ ଐତିହାସିକ ଚିତ୍ରକଳାଗୁଡ଼ିକ ମାର୍ଜିତ ଭାବେ ଅଙ୍କିତ କିମ୍ବା ଖୋଦିତ ଏବଂ ଏହାର ପରିପ୍ରକାଶ ସୁସ୍ପଷ୍ଟ । ଅଜନ୍ତା, ଏଲୋରା ଏବଂ ସୀତାବିଞ୍ଜ ଆଦିର ଚିତ୍ରକଳା ଐତିହାସିକ ହୋଇଥିବାବେଳେ ମଧ୍ୟପ୍ରଦେଶର ସିଂହନପୁର, ଓଡ଼ିଶାର ବିକ୍ରମଖୋଲ ଏବଂ ଉଲାପଗଡ଼ ଚିତ୍ରକଳା ପ୍ରାକ୍ ଐତିହାସିକ ପ୍ରସ୍ତର ଯୁଗୀୟ ବୋଲି କୁହାଯାଇଥାଏ ।
ଏହି ଚିତ୍ରକଳା ମଧ୍ୟରୁ ଅନେକଟି ଚିତ୍ରଲିପି ବୋଲି କୁହାଯାଇଥାଏ । ଲିପି ହେଲେ ମଧ୍ୟ କଳାଦୃଷ୍ଟିରୁ ମହତ୍ୱପୂର୍ଣ୍ଣ । ଏହି ଚିତ୍ରାବଳୀ ମଧ୍ୟରେ ଏକ ଛେଳିର ଚିତ୍ର ଦେଖିବାକୁ ମିଳିଥାଏ । ଉଷାକୋଠିର ଥିବା ଚିତ୍ର ମଧ୍ୟରୁ ତିନୋଟି ଗୁମ୍ଫାରେ ମଣିଷ ଏବଂ ଜୀବଜନ୍ତୁଙ୍କ ଚିତ୍ରମାନ ରହିଥିବାବେଳେ ଅନ୍ୟ ଗୁମ୍ଫାମାନଙ୍କରେ କୌଣସି ଚିତ୍ର ନାହିଁ । ଏହି ଚିତ୍ରଗୁଡ଼ିକ ଗେରୁମାଟିର ରଙ୍ଗ ଏବଂ ଅଙ୍କାବଙ୍କା ରେଖା ଦ୍ୱାରା ଅଙ୍କିତ । ଅନେକ ଏହାକୁ ଅନୁଧ୍ୟାନ କରି ମଣିଷମାନେ କୌଣସି ସାମାଜିକ ପର୍ବପର୍ବାଣୀ ପାଳନ କରିବାର ଦୃଶ୍ୟ ବୋଲି କହିଥାନ୍ତି । ଅନେକ ଚିତ୍ରରେ ଝୋଟି ଚିତ୍ର ସାଦୃଶ ଏବଂ ହସ୍ତରେଖା ପରି ମଧ୍ୟ ଜଣାଯାଇଥାଏ । ସେହିପରି ଯୋଗୀମଠ ଛାତରେ ଅଙ୍କିତ ଚିତ୍ରଗୁଡ଼ିକ ଆଦିବାସୀ ଭିତ୍ତିଚିତ୍ର ଭଳି ପ୍ରତୀୟମାନ ହୋଇଥାଏ ।
ଶିଶୁପାଳ ଗଡ଼ରୁ ମିଳିଥିବା ମାଟିପାତ୍ର ଉପରେ ଅଙ୍କା ଯାଇଥିବା ଚିତ୍ରଗୁଡ଼ିକ ଝୋଟି ଭଳି କେତେଗୁଡ଼ିଏ ସରଳରେଖା, ବକ୍ରରେଖା ଏବଂ ବିନ୍ଦୁର ସମଷ୍ଟିରେ ଅଙ୍କିତ । ମାଟିପାତ୍ର ଚିତ୍ରିତ କରିବା ଏକ ପୁରାତନ ପରମ୍ପରା । ପୂଜା ପାଇଁ ବ୍ୟବହୃତ କଳସ, ସରା, ମାଟିହାଣ୍ଡି, ଆକାଶଦୀପ ହାଣ୍ଡି, ବାହାଘରରେ ବ୍ୟବହୃତ ମଙ୍ଗଳହାଣ୍ଡି ଇତ୍ୟାଦିକୁ ଚିତ୍ରିତ କରାଯାଉଥିବା ପ୍ରଥା ଏବେ ବି ରହିଛି । ଏହି କଳାକୁ ଧର୍ମସହ ସହବନ୍ଧିତ କରାଇଥିବାର ଜଣାପଡ଼େ । ଆଜିର ଏ ପରମ୍ପରା ଶିଶୁପାଳଗଡ଼ରୁ ମିଳିଥିବା ମାଟିପାତ୍ରର କ୍ରମବିକାଶ ମାତ୍ର । ଅକ୍ଷୟ ତୃତୀୟା, ବିଷୁବ ସଂକ୍ରାନ୍ତିରେ ଓଡ଼ିଶାର ଛୋଟ ଛୋଟ ଠେକି ଉପରେ ଚିତ୍ରକରି ପୂଜା କରାଯାଏ । ବାଲେଶ୍ୱର ଜିଲ୍ଲା ପାଖରୁ କଲିକତା, ଦକ୍ଷିଣ ଭାରତର ମାଠିଆ, କଳସ ଚିତ୍ରିତ କରି ପୂଜାରେ ବ୍ୟବହାର କରିବା ଏକ ସାଧାରଣ ବିଧି ଓ ପରମ୍ପରା ।
କାନ୍ଥରେ ଚିତ୍ର ଆଙ୍କିବା ଲୋକକଳାର ପ୍ରଧାନ ଅଙ୍ଗ । ଆଦିମ ମଣିଷ ପ୍ରଥମେ ପାହାଡ଼ ଗୁମ୍ଫାରେ ବସତି ସ୍ଥାପନ କରୁଥିଲା । ଗୁମ୍ପା ଚିତ୍ରଠାରୁ ଆଜିର କାନ୍ଥ ଚିତ୍ର ଓଡ଼ିଶୀ ଚିତ୍ରକଳାର କ୍ରମବିକାଶ ବୋଲି କୁହାଯାଇପାରେ । ପ୍ରାଗ୍ଐତିହାସିକ ଚିତ୍ର ଆଜିର କାନ୍ଥ ଚିତ୍ରଠାରୁ ଭିନ୍ନ ହୋଇଥାଏ । ଏହା ଛଡ଼ା ଘର ସଜାଇବା ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ତାର ପ୍ରଚେଷ୍ଟା ପୁରାକାଳରୁ ମଣିଷ ମଧ୍ୟରେ ରହିଆସିଛି । ସମସ୍ତ ପ୍ରକାର ଲୋକଚିତ୍ର ପଛରେ ଯେଉଁ ପ୍ରେରଣା ବିଦ୍ୟାମାନ, ତାହା ନିର୍ଣ୍ଣୟ କରିବା କଠିନ ହେଲେ ହେଁ ଏକଥା ସତ୍ୟ ଯେ ଅତି ଆଦିମ ଅବସ୍ଥାରେ ମନୁଷ୍ୟ ଆପାଣାର ବ୍ୟବହାର୍ଯ୍ୟ ଦ୍ରବ୍ୟ ଏବଂ ପାରିପାଶ୍ୱର୍ିକ ଅବସ୍ଥାକୁ ଅଧିକ ସୁନ୍ଦର ଓ ରମଣୀୟ କରିବାକୁ ଉଦ୍ୟମ କରିଆସିଛି । ଫଳରେ ପ୍ରତି ପଦାର୍ଥରେ ଆବଶ୍ୟକତାକୁ ପଛକୁ ପକାଇ ସେ ପଦାର୍ଥ ମଧ୍ୟରେ ନାନାପ୍ରକାର କାର୍ଯ୍ୟ ସୃଷ୍ଟିରେ ଆନନ୍ଦ ଉପଲବ୍ଧି କରିଆସିଛି । ସେହି ସୃଜନଶୀଳତା ନାନା ପରିବର୍ତ୍ତନ ମଧ୍ୟ ଦେଇ ନୂତନ ଧାରଣା ଓ ଧର୍ମ ଏବଂ ରୀତି ନୀତି ସଂସ୍ପର୍ଶରେ ବିଭବପୂର୍ଣ୍ଣ ହୋଇଉଠିଛି । ଆମ ଦେଶର ଅରଣ୍ୟ ବାସୀ କନ୍ଧ, କୋହ୍ଲ, ସୌରା ପ୍ରଭୃତି ଆଦିବାସୀମାନଙ୍କର ଏହି ପ୍ରବୃତ୍ତିଗତ ମଣ୍ଡନ ସ୍ପୃହା ଏତେ ଅଧିକ ଯେ ସେମାନେ ପ୍ରତି ପଦାର୍ଥକୁ ମନୋନୀତ କରିବା ପାଇଁ ଓ ପରିଧାନ ବସ୍ତ୍ର ଓ ଅଳାଙ୍କାରାଦିକୁ ଅଧିକ ସୁନ୍ଦର ଓ ବର୍ଣ୍ଣିଳ କରିବା ପାଇଁ ରଙ୍ଗୀନ ପଥର, ପକ୍ଷୀମାନଙ୍କର ବର୍ଣ୍ଣମୟ ପର ଇତ୍ୟାଦି ପଦାର୍ଥ ବ୍ୟବହାର କରିଥାନ୍ତି । କର୍ମରତ ପୁରୁଷମାନେ କଠିନ କାର୍ଯ୍ୟରେ ଲିପ୍ତ ଥିବା ସମୟରେ ଗୃହରେ ଦାୟିତ୍ୱରେ ଥିବା ନାରୀମାନେ ପରିଚ୍ଛନ୍ନତା ଦାୟିତ୍ୱ ଆପେ ଆପେ ଗ୍ରହଣ କରି ମଧ୍ୟ ନାନାପ୍ରକାର ଆବଶ୍ୟକୀୟ ଟୋକେଇ, ବିଞ୍ଚଣା, କୁଲା, ବାଉଁଶିଆ, ପାନିଆ ମାଙ୍ଗ ଓ ଅନ୍ୟାନ୍ୟ ପଦାର୍ଥକୁ ମଣ୍ଡିତ ଓ ଅଂଳକୃତ କରିବାରେ ଆତ୍ମନିୟୋଗ କରିଥାନ୍ତି ।
କ୍ରମେ ଆମର ସାମାଜିକ ଜୀବନ ପରିବର୍ତ୍ତନ ହେବାକୁ ଲାଗିଲା । କାଳକ୍ରମେ ଆମର ଧର୍ମ ଓ ଦେବାଦେବୀଙ୍କର ସୃଷ୍ଟି ସହିତ ଏହି ଲୋକଚିତ୍ରରେ ମଧ୍ୟରେ ନାନାପ୍ରକାର ନୂତନ ପ୍ରତୀକ ଦେଖାଦେଲା । ଆଦିବାସୀମାନଙ୍କର ‘କଉଡ଼ି’ ଯେପରି ଶୁଭ ସୂଚକ, ସେହିପରି ଉତ୍ପାଦନ ଓ ପ୍ରାଚୁର୍ଯ୍ୟର ପ୍ରତୀକ ରୂପେ ନାନା ପଦାର୍ଥ ସ୍ଥାନଲାଭ କଲା । ଆମର ସାମାଜିକ ଜୀବନରେ ହାତୀ ଓ ପଦ୍ମ ଏବଂ କଉଡ଼ି ଯଥାକ୍ରମେ ପ୍ରାଚୁର୍ଯ୍ୟ ଓ ପବିତ୍ରତାର ପ୍ରତୀକ ରୂପେ ବ୍ୟବହୃତ ହେଲା ଏବଂ ଏହାହିଁ କାନ୍ଥ ଚିତାଠାରୁ ସକଳ ପ୍ରକାର କଳା ସୃଷ୍ଟି ମଧ୍ୟରେ ପ୍ରତୀକ ମଧ୍ୟରେ ଅପର୍ଯ୍ୟାପ୍ତ ବ୍ୟବହାର କରାଯାଇଛି । ଆଦିବାସୀମାନଙ୍କ ‘ମୟୁର’ ଏକ ସୌନ୍ଦର୍ଯ୍ୟ ଏବଂ ଆନନ୍ଦର ପ୍ରତୀକ ରୂପେ ଧରାଯାଇଛି । ଆମର ସାମାଜିକ ଜୀବନରେ କେବଳ ଶୁଆଶାରୀ କାହିଁକି ସକଳ ପ୍ରକାର ପଶୁପକ୍ଷୀ ଆମ ସହିତ ଏକ ଅବିଚ୍ଛେଦ୍ୟ ସଂପର୍କ ସ୍ଥାପନ କରି ଆମ ସମଗ୍ର କଳାକୁ ଶ୍ରୀମଣ୍ଡିତ କରିଛନ୍ତି । ସେ ଯାହାହେଉ ଚିତା ଲେଖିବା, ମୁରୁଜ ପକାଇବା ଓ ଠା’ ଭାଙ୍ଗି ଅତିଥି ଓ ପୂଜ୍ୟ ଜନଙ୍କୁ ସମ୍ବର୍ଦ୍ଧନା କରିବା ଏପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଯାଇଛି ଯେ ଏହି କାର୍ଯ୍ୟ ନିରବିଚ୍ଛିନ୍ନ ଭାବରେ କଳାସ୍ପୃହାକୁ ଜାଗୃତ ରଖିପାରିଛି । କିନ୍ତୁ କ୍ରମେ ଏହି ଲୋକଚିତ୍ରଗୁଡ଼ିକ ପଲ୍ଲୀ ଜୀବନର ପର୍ବପର୍ବାଣୀ ସହିତ ଜଡ଼ିତ ରହିଥିଲେ ମଧ୍ୟ ସମଷ୍ଟିଗତ ବୃହତ୍ ଚିତ୍ର ଆଉ ଆମ ରାଜ୍ୟରେ ଦେଖାଯାଉନାହିଁ । ସହରରେ କ’ଣ ଗାଁରେ ଘରଗୁଡ଼ିକ ପକ୍କା ହୋଇଥିବାବେଳେ ତାକୁ ମଧ୍ୟ ବିଭିନ୍ନ ପ୍ଲାନିଂ ଓ ଟାଇଲ ଦ୍ୱାରା ସଜାଉଥିବାବେଳେ ଆଦିବାସୀ ସାଧାରଣ ମଣିଷଟିଏ ବିଶେଷ କରି ଆଦିବାସୀ ମହିଳାମାନେ ଘରଗୁଡ଼ିକୁ ବିଭିନ୍ନ ରଙ୍ଗ ମାଟିରେ ଲିପାପୋଛା କରି ସଜ୍ଜିତ କରିଥାଆନ୍ତି । କୋରାପୁଟର ଗଦବାମାନଙ୍କ ଘର, ଗଞ୍ଜାମର ସଉରା ସଂପ୍ରଦାୟ, ମୟୁରଭଞ୍ଜର ଜୁଆଙ୍ଗ, ଫୁଲବାଣୀ ଓ ଗଞ୍ଜାମର କନ୍ଧମାନଙ୍କ ଗୃହକୁ ମଧ୍ୟ ସୁନ୍ଦର ଭାବେ ସଜାଇବାର ଦେଖିବାକୁ ମିଳିଥାଏ । ସେମାନେ କେବଳ ଘରକୁ ନୁହଁ ନିଜକୁ ମଧ୍ୟ ସୁନ୍ଦର ଭାବେ ସଜାଇଥାନ୍ତି । ଦେହରେ ଚିତାକୁଟାଇ, ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥିବାବେଳେ ଶିକାର ଚିତ୍ର ବିଭିନ୍ନ ସ୍ଥାନରେ ଅଙ୍କିତ କରିଥାନ୍ତି । ସାନ୍ତାଳମାନଙ୍କ ବାହାଘରରେ ବ୍ୟବହୃତ ପାଲିଙ୍କିରେ, ମୁରିଆମାନଙ୍କ ଅଳଙ୍କାରରେ ଶିକାର ଓ ପଶୁର ଚିତ୍ର ବ୍ୟବହାର କରାଯାଇଥାଏ । ଚିତ୍ର ସହ ମୂର୍ତ୍ତି ମଧ୍ୟ ଗୃହ ସଜ୍ଜାର ଅନ୍ୟତମ ମାଧ୍ୟମ ପାଲଟିଥାଏ । ଆଦିବାସୀମାନେ ଚିତ୍ର ଏବଂ ମୂର୍ତ୍ତି ବ୍ୟବହାର ଦ୍ୱାରା ଘର ମଧ୍ୟରୁ ଅଶୁଭ ଶକୁନକୁ ଦୂର କରାଯାଇଥାଏ ବୋଲି ବିଶ୍ୱାସ କରିଥାନ୍ତି । ପ୍ରଧାନ ଏବଂ ଗଣ୍ଡମାନେ ଏହାକୁ ବିଶେଷଭାବେ ପ୍ରାଧାନ୍ୟ ଦେଇଥାନ୍ତି । ଗାଁ ଗହଳିରେ ଓ ଆଦିବାସୀ ବସ୍ତିମାନଙ୍କରେ ମଧ୍ୟ ଗେରୁମାଟି ଲଗାଇ ତା’ ଉପରେ ଧଳା ରଙ୍ଗରେ ଚିତ୍ର କରିଥାଆନ୍ତି । ଏହି ଚିତ୍ରଗୁଡ଼ିକ ଆମ ଘରମାନଙ୍କରେ ଏକ ରଙ୍ଗ ବିଶିଷ୍ଟ । ଏହା ସାଧାରଣତଃ ପିଠଉ କିମ୍ବା ଧଳା ଖଡ଼ିରଙ୍ଗ ବ୍ୟବହାର କରାଯାଇଥାଏ । ଚିତ୍ରଗୁଡ଼ିକ ମୁଖ୍ୟତଃ କୃଷିଭିତ୍ତିକ ହୋଇଥାଏ । ଧାନସିଂସା, ଧାନର ବଦାଡ଼ି ଇତ୍ୟାଦି ଶଶ୍ୟର ସାଙ୍କେତିକ ରୂପ ମୁଖ୍ୟତଃ ସ୍ଥାନ ପାଇଥାଏ । ତର୍ଜ୍ଜନି, ଅନାମିକା ଓ ମଧ୍ୟମିକା ଅଙ୍ଗୁଳି ଅଗ୍ରଭାଗକୁ ପିଠଉରେ ବୁଡ଼ାଇ କାନ୍ଥରେ କଉଡ଼ିର ପିରାମିଡ଼ ସାଦୃଶ ଚିତ୍ର ସୃଷ୍ଟି କରାଯାଇଥାଏ । ଡାକୁ ‘ବେଙ୍ଗେଇ ଚିତା’ କୁହାଯାଏ । ଏତଦ୍ବ୍ୟତୀତ ଧାନଗଛ, ଫୁଲଗଛ, ଓଲଟଶୁଆ, ଚଢ଼େଇ, ମୟୁର, ଗାଈ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶଙ୍ଖ, ଚକ୍ର, ଗଦା, ପଦ୍ମ, ଛତ୍ର, ସ୍ୱସ୍ତିକ, କଳସ, ଯୋଡ଼ିମାଛ, ଶାରୀ, ବଣି, ପ୍ରଜାପତି, ବିଭିନ୍ନ ପ୍ରକାର ଫୁଲ, ହସ୍ତୀ ଇତ୍ୟାଦି ଚିତ୍ର ଚିତାରେ ବ୍ୟବହାର କରାଯାଇଥାଏ । ଓଡ଼ିଶାରେ ରଜପର୍ବ ପାଖରୁ ଆରମ୍ଭ କରି ଚନ୍ଦନଯାତ ପର୍ଯ୍ୟନ୍ତ ବିଭିନ୍ନ କୃଷିଭିତ୍ତିକ ପର୍ବପର୍ବାଣୀ ପାଳନ କରାଯାଏ । ପ୍ରତିଟି ଉତ୍ସବରେ ଚିତା ଆଙ୍କିବା ମୁରୁଜ ପକାଇବା ଏକ ପରମ୍ପରାରେ ପରିଣତ ହୋଇଯାଇଛି । ଦକ୍ଷିଣ ଓଡ଼ିଶାରେ ଘରର କବାଟମାନଙ୍କରେ ମାଟିର ପ୍ରଲେପ ଦେଇ ତା’ ଉପରେ ଚିତା ପକାଇଥାନ୍ତି । ହାତର ଅଙ୍ଗୁଳି, କିଆ ଚେର, ବେଣା ଚେର, ଦୁବ ଘାସ, କାଠିରେ କନା ଗୁଡ଼େଇ ତୁଳୀ ଭଳି କରି ଏହାର ଚିତ୍ର ଅଙ୍କନ କରାଯାଏ । ଗାଁ ଗହଳର ଝିଅ ବୋହୂମାନେ ଏଥିପାଇଁ କୌଣସି ଅନୁଷ୍ଠାନରୁ ଶିକ୍ଷାଲାଭ କରିନଥାନ୍ତି । ଏହା ଆପଣଛାଏଁ ନିଜର ମନର ଧାର୍ମିକ ଭାବନାର ପରିପ୍ରକାଶ ମାତ୍ର । ଆଦିମ କାଳରୁ ପିଢ଼ି ପରେ ପିଢ଼ି ଏ କାର୍ଯ୍ୟ କରୁଆସୁଛନ୍ତି । ଆଧୁନିକ ଯୁଗର ନାରୀମାନଙ୍କ ପାଖରେ ଏହାର ଆଦର ବେଶି ପରିମାଣରେ ଲକ୍ଷ୍ୟ କରାଯାଉଛି । ଗାଁ ଗହଳିରୁ ଯାଇ ଏହା ସହରରେ ପୂଜା ପାର୍ବଣ, ମାଙ୍ଗଳିକ କାର୍ଯ୍ୟରେ ବେଶି ପରିମାଣରେ ଦେଖିବାକୁ ମିଳିଲାଣି । ଏଥିପାଇଁ ପ୍ରତିଯୋଗିତା ବିଭିନ୍ନ ଅନୁଷ୍ଠାନରୁ ପୁରସ୍କାରର ବ୍ୟବସ୍ଥା ମଧ୍ୟ ହେଲାଣି । କିଛିବର୍ଷତଳେ ଜଗଦୀଶ କାନୁନଗୋ ସଂପାଦକ ଏବଂ ଅସିତ ମୁଖାର୍ଜୀ ଓଡ଼ିଶା ଲଳିତକଳା ଏକାଡ଼େମୀର ସଭାପତି ଥିବାବେଳେ ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାର ନାରୀମାନଙ୍କ ମଧ୍ୟରେ ଏହି ଝୋଟି ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ଦୁଇଜଣଙ୍କୁ ରାଜଧାନୀର ଏକ ବିଶେଷ ଉତ୍ସବରେ ପୁରସ୍କୃତ କରାଯାଉଥିଲା । ପରବର୍ତ୍ତୀ ସମୟରେ ଅର୍ଥାଭାବ ଦର୍ଶାଇ ଏହାକୁ ବନ୍ଦ କରିଦିଆଯାଇଛି ।
କାନ୍ଥରେ ଅଙ୍କା ଯାଉଥିବା ଚିତା ସବୁବେଳେ ସମାନ ନଥାଏ । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଏହା ଭିନ୍ନ ପ୍ରକାରର ହୋଇଥାଏ । ସ୍ଥଳ ବିଶେଷରେ ଏହାକୁ ରଙ୍ଗିନ ମଧ୍ୟ କରାଯାଏ । ଉଦାହରଣସ୍ୱରୂପ ବିବାହ ଉତ୍ସବରେ ପୂର୍ଣ୍ଣ କୁମ୍ଭ, କଦଳୀଗଛ, ଯୋଡ଼ି ନାଗରା, ପ୍ରଜାପତି, ସବାରି ପାଲିଙ୍କି, ଦୋଳ ମୁକୁଟ, କଜଳପାତି, ଶଙ୍ଖ, ଭାରୁଆ, ବାଜାବାଲା, ଘୋଡ଼ା, କାହାଳିଆ କାହାଳୀ ବଜାଉ ଥିବାର ଦୃଶ୍ୟ ଇତ୍ୟାଦି ଅଙ୍କନ କରାଯାଉଥିବାବେଳେ କାନ୍ଥ ଉପରେ ଘର ବହାରେ କାଠିରେ କନାକୁ ବାନ୍ଧି ପିଠଉ ପାଣିରେ ବୁଡ଼ାଇ ପଟାପଟା ଚିତା ଦେବାର ପରମ୍ପରା ଏବେ ବି ରହିଛି । ବିଶେଷ କରି ରାମସୀତାଙ୍କର ବିବାହ ଚିତ୍ର ଅଙ୍କନ ମଧ୍ୟ କରାଯାଇଥାଏ । ସେହିପରି ଗହ୍ମାପୂର୍ଣ୍ଣମୀ ବା ଲଙ୍ଗଳଧୁଆ ପୂର୍ଣ୍ଣିମା ବା ବଳଭଦ୍ରଙ୍କ ଜନ୍ମୋତ୍ସବରେ ବଳଦ, ହଳ ଲଙ୍ଗଳ, ମଇ ପ୍ରଭୃତି ଗହାଳ ଘରେ ଅଙ୍କନ କରାଯାଉଥିବା ବେଳେ ଧାନ କୁଟିବା ସ୍ଥାନରେ, ଢିଙ୍କି, ଚାଲୁଣି, କୁଲା ଇତ୍ୟାଦିର ଚିତ୍ର ଅଙ୍କନ କରାଯାଇଥାଏ । ଆଧୁନିକ ଯୁଗରେ ଏସବୁ ହଜିଯାଇ ସଂଗ୍ରାହଳୟରେ ଏକ ଦର୍ଶନୀୟ ବସ୍ତୁଭାବେ ସ୍ଥାନ ପାଇଲାଣି । ଯଦିଓ କାଁଭାଁ ଆଦିବାସୀ ବସ୍ତିମାନଙ୍କରେ ଧାନ କୁଟିବା ପାଇଁ ଏହା ବ୍ୟବହାର କରାଯାଉଛି । ଏସବୁ ଦ୍ରବ୍ୟ ହଜିବା ସହ ଏଥିପାଇଁ ଅଙ୍କନ କରାଯାଉଥିବା ଚିତା ମଧ୍ୟ କ୍ରମଶଃ ଲୋପ ପାଇ ପାଇ ଆସୁଛି । ଏବେର ପିଲାମାନେ ଢିଙ୍କି ଏକ ଶବ୍ଦ ଭାବରେ ଅଭିଧାନରେ ପଢ଼ିବେ, ମାତ୍ର ଏହାର ସତ୍ୟତା ଉପଲବ୍ଧି କରିପାରିବେ ନାହିଁ । କାନ୍ଥ ଚିତାରେ ନାଗବନ୍ଧ, ମତ୍ସ୍ୟବନ୍ଧ, ଯୋଡ଼ି ମାଛ, ମୀନକେତନ, ପଦ୍ମଫୁଲ, କଦମ୍ବଗଛ, ନବଗୁଞ୍ଜର ପ୍ରଭୃତି ଚିତ୍ର ମଧ୍ୟ ଅଙ୍କନ କରାଯାଇଥାଏ ।
କାନ୍ଥ ଚିତ୍ର ବ୍ୟତୀତ ଚଟାଣକୁ ଚିତ୍ରତ କରିବା ମଧ୍ୟ ପାରମ୍ପାରିକ ଭାବେ ସମାଜରେ ଚଳିଆସୁଛି । ଉତ୍ତର ଭାରତ ଅପେକ୍ଷା ଦକ୍ଷିଣ ଭାରତର ପ୍ରତିଟି ଘରେ ଘରର ବଧୂମାନେ ସକାଳୁ ଗାଧୋଇ ଚଟାଣକୁ ଧୋଇ କିମ୍ବା ଲିପି ତା’ ଉପରେ ମୁରୁଜ ପକାଇଥାନ୍ତି । ଏହାଦ୍ୱାରା ଘରର ଶୁଭ ହୁଏ ବୋଲି ବିଚାର କରାଯାଏ । ବୈଦିକ ଯୁଗରୁ ଯଜ୍ଞ ଉଦ୍ଦେଶ୍ୟରେ ମଧ୍ୟ ଯଜ୍ଞ ବେଦୀକୁ ବିଭିନ୍ନ ରଙ୍ଗିନ ମୁରୁଜରେ ସଜ୍ଜିତ କରିବା ପରମ୍ପରା ଏବେ ବି ରହିଛି । ପୂଜା ପାଇଁ ମଣ୍ଡଳ କାଟିବା ବିଭିନ୍ନ ପ୍ରତୀକ ଅଙ୍କନ ଇତ୍ୟାଦି ବୈଦିକ ପରମ୍ପରା । ମୂର୍ତ୍ତି ରଖି ପୂଜା କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହେଉନଥିବାରୁ ଏହି ମଣ୍ଡଳର ପ୍ରଚଳନ ତନ୍ତ୍ରଯୁଗରୁ କରାଯାଇଆସୁଛି । ସମସ୍ତ ପ୍ରକାର ବ୍ୟାଧିରୁ ଏବଂ ଅମଙ୍ଗଳକୁ ଏଡ଼ାଇବା ପାଇଁ ଅନେକ ଅଞ୍ଚଳରେ ଘରର କବାଟରେ ଦଶଦିଗପାଳ ଏବଂ ଘଣ୍ଟାକର୍ଣ୍ଣ ଭୈରବଙ୍କୁ ଅଙ୍କନ କରାଯାଇଥାଏ । ଆମ ରାଜ୍ୟରେ ଏ ପରମ୍ପରା ନଥିଲେ ମଧ୍ୟ ଅନ୍ୟ ରାଜ୍ୟରେ ଏହା ଦେଖିବାକୁ ମିଳେ । ନେପାଳରେ ଘଣ୍ଟାକର୍ଣ୍ଣ ଭୈରବ ମନ୍ଦିର ପୃଥିବୀ ପ୍ରସିଦ୍ଧ ।
କାର୍ତ୍ତିକ ମାସକୁ ଆମେ ଧର୍ମମାସ ଭାବେ ଗଣନା କରାଯାଉଥିବାରୁ ଏହି ମାସରେ ଝିଅ, ବୋହୂ ବିଶେଷ କରି ସଧବା ବୋହୂ ଅପେକ୍ଷା ବିଧବା ସ୍ତ୍ରୀଲୋକମାନେ ଚଉଁରା ମୂଳେରେ ମୁରୁଜରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଓ ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରରିବାର ପରମ୍ପରା ରହିଛି । ଏଥିପାଇଁ ଆଗରୁ ହାଣ୍ଡିକଳା କଳା ରଙ୍ଗ ପାଇଁ, ଇଟାକୁ ଚୁର୍ଣ୍ଣ କରି ଲାଲ, ପତ୍ରକୁ ଶୁଖେଇ ଗୁଣ୍ଡ କରି ସବୁଜ, ହଳଦୀକୁ ଚୁର୍ଣ୍ଣ କରି ହଳଦୀ ଓ ଅରୁଆ ଚାଉଳକୁ ଗୁଣ୍ଡ କରି ଧଳା ରଙ୍ଗ ମୁରୁଜ ପାଇଁ ବ୍ୟବହାର କରାଯାଉଥିଲା । ବହୁଳ ପରିମାଣରେ ରାସାୟନିକ ଉପାୟରେ ରଙ୍ଗିନ ଗୁଣ୍ଡ ବଜାର ମାନଙ୍କରେ ଉପଲବ୍ଧି ହେବାରୁ ଏହାକୁ ବ୍ୟବହାର କରାଯାଉଥିବାବେଳେ ପ୍ରାକୃତିକ ରଙ୍ଗ ହଜିଯିବାକୁ ବସିଲାଣି । ଚାଉଳ ଚୁନାରେ ଚିତା ଦେବା, ପଶୁପକ୍ଷୀ, ପିମ୍ପୁଡ଼ି, ଗୁଣ୍ଡୁଚିଙ୍କୁ ଖାଦ୍ୟ ଯୋଗାଇବା ଏହାର ପରୋକ୍ଷ ଉଦ୍ଦେଶ୍ୟ ଥିଲା । ମାତ୍ର ରାସାୟନିକ ଗୁଣ୍ଡ ବ୍ୟବହାର ପରେ ଏହି ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ ।
ଓଡ଼ିଶାର ସମଗ୍ର ଗାଁ ଗହଳିରେ ମାଟି ମା’କୁ ପୂଜା କରିବା ପରମ୍ପରା ଏହି ଚିତା ଅଙ୍କନରୁ ଜଣାପଡ଼ିଥାଏ । ଆଗରୁ ଚୁନ ପଥର, ଶାମୁକାକୁ ଘୋରି ଓ ପିଠଉ ବାଟି ଧଳା ରଙ୍ଗ ପ୍ରସ୍ତୁତ କରାଯାଉଥିଲା । ମାଟି କାନ୍ଥ ଦେହରେ ଚିତା ବଣରେ ମଲ୍ଲିଫୁଲ ଫୁଟି ଦିଶିବା ପ୍ରାୟେ ସୁନ୍ଦର ଦିଶିଥାଏ । ଏହି ଲୋକକଳା ସହ ଓଡ଼ିଶାରେ ସବୁ ଗାଁ ଗହଳରେ ଲୋକ ଗୀତର ପ୍ରଚଳନ ମଧ୍ୟ ରହିଛି । ଏହାକୁ ଧର୍ମ ସହ ଏପରିଭାବେ ଜଡ଼ିତ କରାଯାଇଛି ଇଚ୍ଛା କରି ମଧ୍ୟ ମଣିଷ ଏହା ପାଖରୁ ଦୂରେଇ ଯାଇପାରିବନାହିଁ । ଯଥା – ମାଣବସା ଚିତା ସଂପର୍କରେ ଲକ୍ଷ୍ମୀ ପୁରାଣରେ ଉଲ୍ଲେଖ ରହିଛି ଯେ,
“ଅରୁଆ ଚାଉଳ ଆଣି ଝୋଟି ଯେ ଲେଖିବ
ଲକ୍ଷ୍ମୀ ଦେବୀ ପାଦପଦ୍ମ ଚିତା ଯେ କାଟିବ
ନୂଆମାଣରୁ ଗୋଟିଏ ଯତନେ ଅଣାଇ
ଧୋଇଧୋଇ ଦେବତାକୁ ଖରାରେ ଶୁଖାଇ
ଅରୁଆ ଚାଉଳ ବାଟି ଦେବ ତହିଁ ଚିତା
ଚିତ୍ର ବିଚିତ୍ରରେ ତାକୁ କରିବା ଶୋଭିତା ।” ଇତ୍ୟାଦି
ଲକ୍ଷ୍ମୀ ଦେବୀଙ୍କୁ ପୂଜା କରିବା, ଘରର ଧନଧାନ୍ୟ ବୃଦ୍ଧି କରିବାର ଇଚ୍ଛା ସମସ୍ତଙ୍କ ମନ ମଧ୍ୟରେ ରହିଛି । ତାଙ୍କୁ ପୂଜା କରିବାର ବିଧି ସହ ଚିତା ଆଙ୍କିବା ଓତଃପ୍ରତୋ ଭାବେ ଜଡ଼ିତ । ଏହି ଚିତା ଅଙ୍କନକୁ ପଶ୍ଚିମ ଭାରତରେ ରଙ୍ଗୋଲି, ଦକ୍ଷିଣରେ କୋଲମ ଏବଂ ବଙ୍ଗଳାରେ ଆଲ୍ପନା କହିଥାନ୍ତି । ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ବିଶ୍ୱାସ ମଧ୍ୟ ଏ କଳାକୁ ଜନମାନସରେ ବଞ୍ଚାଇ ରଖିଛି । ଦକ୍ଷିଣ ଭାରତର ସନ୍ତାନ ଜନ୍ମ ପୂର୍ବରୁ ଗର୍ଭବତୀ ମା’ର ପିଠିରେ କୋଲମ ବା ଚିତା ଆଙ୍କିଥାନ୍ତି । ପିଠିରେ ଆଙ୍କିବା ବ୍ୟତୀତ ଘୋରଣା ପଥର ଉପରୋ ମଧ୍ୟ ଚିତା ଆଙ୍କିଥାନ୍ତି । ବିଶ୍ୱାସ ଅଛି ଯେ ଜନ୍ମିତ ସନ୍ତାନ ପଥର ଭଳି ଶକ୍ତ ଓ ଦୀର୍ଘଜୀବୀ ହେବା, ଯୁଗଯୁଗ ଧରି ନାରୀ ମନର ଆବେଗ ଚିତା ପ୍ରତି ରହିଆସିଛି କାରଣ କେତେକ ଚିତା ଓ ମୁରୁଜରେ ପୁତ୍ର ପ୍ରାପ୍ତି ଓ ଧନ ଲାଭ ଏବଂ ସୌଭାଗ୍ୟ ଲାଭର ଆଭାସ ମିଳିଥାଏ । ମନକୁ ପବିତ୍ର କରିଥାଏ । ସନ୍ତାନର ମଙ୍ଗଳ କାମନା କରି ପିଠଉରେ ମାର୍ଗଶୀର ମାସ ପ୍ରଥମାଷ୍ଟମୀରେ ଚିତା ପକାଯାଇଥାଏ । ଏହାକୁ ବଢ଼ିଆଣ ଚିତା କହନ୍ତି । ଆୟତକାର ଆଠଗୋଟି କ୍ଷେତ୍ରକୁ ଉପରୁ କ୍ରମଶ ଛୋଟ ଛୋଟ କରି ଏହି ଚିତା ଅଙ୍କନ କରାଯାଉଥିବାବେଳେ ଷଷ୍ଠୀଘରେ ଷଷ୍ଠୀ ଦେବୀଙ୍କର ପୂଜା ଛଅଟି ଦେବୀ ମୂର୍ତ୍ତି ହଳଦୀ କନାରେ ଗୁଡ଼ାଇ ନୂଆ ଚାଙ୍ଗୁଡ଼ିରେ ରଖି ପୂଜା କରିଥାନ୍ତି । ଏହି ପୂଜାରେ ସନ୍ତାନର ଆୟୁ କାମନା କରାଯାଇଥାଏ ।
Photo Credit- https://bit.ly/3rmQ0E1 ,https://bit.ly/3BWKX21