ଆମ ସଂସ୍କୃତିରେ ଦଣ୍ଡଯାତ୍ରା

ଚିନ୍ମୟରଞ୍ଜନ ମିଶ୍ର
ଚିନ୍ମୟରଞ୍ଜନ ମିଶ୍ର 671 Views
9 Min Read

ଅଧିକାଂଶ ପର୍ବପର୍ବାଣୀ ଅନେକଦିନ ଧରି ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହିସାବରେ ରହିଆସିଛି । ସେ ଭିତରୁ କିଛି ଜାତି, ଧର୍ମ, ସାମାଜିକ ତଥା ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ସବୁ ଲୋକଙ୍କ ଦ୍ୱାରା ଆଦୃତ ହେଉଥିବା ବେଳେ ଆଉକିଛି ସମାଜର ତଳସ୍ତରରେ ଥିବା ସମୁଦାୟମାନେ ପାଳନ କରିଆସିଛନ୍ତି । ଦଣ୍ଡନାଚ ଏଭଳି ଏକ ପର୍ବ ଯାହା ସାମାଜିକ ଖସଡ଼ାର ତଳ ପାହାଚରେ ଥିବା ଲୋକେ ନିଷ୍ଠାର ସହିତ ପାଳନ କରିଆସିଛନ୍ତି ଯଦିଓ ଏଥିରେ ନିଜର ବିଶ୍ୱାସ ଏବଂ ଆବେଗକୁ ଭିତ୍ତି କରି ନିମ୍ନମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ ‘ମାନସିକ’ ପୂରଣ କରିବା ନାଁ’ରେ ଏହି ପର୍ବରେ ସାମିଲ ହୋଇଥାନ୍ତି । ମୁଖ୍ୟତଃ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ବ୍ୟାପକଭାବରେ ପାଳନ କରାଯାଉଥିବା ଏହି ପର୍ବଟି ପର୍ଯ୍ୟାୟକ୍ରମେ ନୟାଗଡ଼, ପୁରୀ ଏବଂ ଫୁଲବାଣି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଦଣ୍ଡନାଚର ଏକ ସାମାଜିକ ମୂଲ୍ୟାୟନ କରିବା ପାଇଁ କେବେ କେଉଁଠି କିଏ ପ୍ରୟାସ କରିଛି ଆମ ପାଖରେ ସେଭଳି ସୂଚନା ନାହିଁ । ଏଠି ଲେଖକ ଦଣ୍ଡନାଚକୁ ଆମ ସଂସ୍କୃତିର ଏକ ଅଂଶ ହିସାବରେ ଯାହା ଉପସ୍ଥାପନ କରିଛନ୍ତି ତାହା ଯେ ଏକ ସାମାଜିକ ମୂଲ୍ୟାୟନ ଏକଥା ଆମେ କହୁନାହୁଁ । ତେବେ ଆମେ ଆହ୍ୱାନ କରିବୁ ପାଠକମାନେ ଏଭଳି ପର୍ବପର୍ବାଣୀର ସାମାଜିକ ମୂଲ୍ୟାୟନ ପାଇଁ ଆଗଭର ହେବେ, ଫଳରେ ଏଭଳି ପର୍ବପର୍ବାଣିଗୁଡ଼ିକୁ ବୁଝିବା ପାଇଁ ସମସ୍ତଙ୍କ ପାଇଁ ଅଧିକ ସହଜ ହେବ । – ସମ୍ପାଦକ

Support Samadhwani

କୃଷିକୁ କେନ୍ଦ୍ର କରି ଗଢ଼ିଉଠିଥିବା ଆମ ସଭ୍ୟତା କୃଷି ଓ କଳାର ଅପୂର୍ବ ତାଳମେଳ ଯୋଗୁଁ ଆଜି ଉନ୍ନତ ସୋପାନରେ ପହଞ୍ôଚପାରିଛି । ଗୋଟିଏ ପଟେ ଆମର ସଭ୍ୟତା ଉନ୍ନତିର ଚରମ ସୋପାନକୁ ଛୁଇଁଥିବାବେଳେ ଯେଉଁ କୃଷକ, ଖଟିଖିଆ, ମୂଲିଆଙ୍କ ଝାଳ, ରକ୍ତବୁହା ଉତ୍ପାଦନ ଆମ ମନ ପ୍ରାଣକୁ ପରିପୁଷ୍ଟ କରିଛି ସେହିମାନଙ୍କ ପ୍ରତି ଜାତିଆଣା ଭେଦଭାବ ଏବେବି ଆମ ସମାଜରେ ଜାରିରହିଛି । ଭେଦଭାବର ଶିକାର ହୋଇଆସିଥିବା ଲୋକମାନେ ଉଚ୍ଚବର୍ଗର ତାଡ଼ନା, ନିର୍ଯାତନା ଓ ଶୋଷଣ ସତ୍ତେ୍ୱ ନିଜ ଭିତରେ ସୃଜନଶୀଳତାକୁ ପ୍ରତିବାଦ ମାଧ୍ୟମରେ ହେଉ ବା ସକାରାତ୍ମକ ଅଭ୍ୟାସ ମାଧ୍ୟମରେ ହେଉ ବଞ୍ଚାଇ ରଖିଆସିଛନ୍ତି । ସେ ଭିତରୁ କିଛି ପର୍ବପର୍ବାଣୀ ନାଁ’ରେ ପରିଚିତ । ଏହିଭଳି ପର୍ବପର୍ବାଣୀ ମଧ୍ୟ ଦେଇ ଓଡ଼ିଶାର ଲୋକକଳା ଓ ସଂସ୍କୃତିର ଉଦ୍ଭବ ହୋଇଛି । ଏହିସବୁ ଲୋକକଳା, ନାଟକ ଭିତରେ ସ୍ଥାନିତ ହୋଇଛି ଘୋଡ଼ାନାଚ, ଗୋଟିପୁଅ, ଛଉ, ଦଣ୍ଡନାଚ, ପ୍ରହ୍ଲାଦ ନାଟ, ଧନୁଯାତ୍ରା, ରାମଲୀଳା, ପାଲା, ଦାସକାଠିଆ ଇତ୍ୟାଦି । ଏହିସବୁ ଲୋକନାଟକ ମଧ୍ୟରୁ ଦଣ୍ଡନାଚ ଅନ୍ୟତମ ନାଚ ଅଟେ ।

ଦକ୍ଷିଣ ଓଡ଼ିଶାରେ  ଏକ ନିର୍ଦ୍ଦିଷ୍ଟ ସମୟରେ ଆୟୋଜିତ ହେଉଥିବା ଏହି ଦଣ୍ଡନାଚରେ ସାଧାରଣତଃ ଦଳିତ ପରିବାରର ଲୋକମାନେ ଅଂଶଗ୍ରହଣ କରିଥାନ୍ତି । ଏହି ନାଚ କେବଳ ନାଚ ଭିତରେ ସୀମିତ ନହୋଇ ଏକ ଦୀର୍ଘ ଯାତ୍ରାରେ ପରିଣତ ହୋଇଛି । ଏହି ଯାତ୍ରା ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳନ ହେବା ସହିତ ସମସ୍ତଙ୍କୁ ଆକର୍ଷିତ କରିପାରିଛି । ଏହି ଦଣ୍ଡନାଚ ବା ଦଣ୍ଡନୃତ୍ୟ ସମ୍ପର୍କରେ ଅନେକଗୁଡ଼ିଏ ମତବାଦ ଓ କିମ୍ବଦନ୍ତି ରହିଛି । କିନ୍ତୁ କେତେକ ଆଜିଯାଏଁ ଲୋକଲୋଚନର ଆଢ଼ୁଆଳରେ ରହିଛି । ସେ ଭିତରୁ ଅନେକ ରହସ୍ୟମୟ ଭଳି ମନେହୁଏ ।

ଦଣ୍ଡନାଚର ପରମ୍ପରା:-

Support Samadhwani

ଦଣ୍ଡ ଶବ୍ଦର ଅର୍ଥ ‘ଦଣ୍ଡି’ ବା ‘ଦଣ୍ଡ’ ଯାହା ଶରୀରର ପିଡ଼ା ସହିତ ସଂଯୁକ୍ତ । ଏହା ପୁଣି ଯଷ୍ଠି ଅର୍ଥରେ ବୁଝାଯାଏ । ତୃତୀୟତଃ ଏହା ଶିବ ଓ ତାଣ୍ଡବର ଉଦଣ୍ଡ ନୃତ୍ୟକୁ ବୁଝାଏ । ଦଣ୍ଡଯାତ୍ରାରେ ‘ଦଣ୍ଡ’ ଶିବଙ୍କ ପ୍ରତୀକ ବିଭିନ୍ନ ରଙ୍ଗିନ ପୁଷ୍ପଗୁଚ୍ଛରେ ଶୋଭିତ ହୋଇ  ପୂଜା ପାଇଥାନ୍ତି । ଦଣ୍ଡିଆଙ୍କ ଅଭିଷ୍ଠ ଫଳବତି ହେବାପାଇଁ ଏହି ଦଣ୍ଡନାଚ ରୂପି ମହାଦେବଙ୍କୁ ପୂଜା, ଉପବାସ, ନୃତ୍ୟ, ସଙ୍ଗୀତ ସହ ବିଭିନ୍ନ ଶାରୀରିକ ଦଣ୍ଡ ଯଥା: ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଓ ଦଣ୍ଡ ନୃତ୍ୟକରି କାମନା ସିଦ୍ଧି କରନ୍ତି ବୋଲି ଏକ ବିଶ୍ୱାସ ଲୋକମାନଙ୍କର ରହିଆସିଛି । ଲୋକଙ୍କ ମାନସିକତାରେ ଦଣ୍ଡ ନପାଇଲେ ଶିବଙ୍କ କରୁଣା ପ୍ରାପ୍ତି କରିହେବ ନାହିଁ କିମ୍ବା କୌଣସି ଅଭିଷ୍ଠ ପୂରଣ ହୋଇପାରିବ ନାହିଁ । ଶରୀରକୁ କଷ୍ଠ ଦେଇ ଦଣ୍ଡିଆମାନେ ନିଷ୍ଠା ସହକାରେ ୧୩,୧୮,୨୧ ଦିନଧରି ଦଣ୍ଡ କାଳୀ ଓ ରୂଦ୍ର ମହାଦେବଙ୍କୁ ଧ୍ୟାନ କରିବା ସମୟରେ ଋଷିଙ୍କ ପରି ବୈରାଗ୍ୟ ଧାରଣ କରିବାକୁ ପଡ଼ିଥାଏ । ସାଧାରଣତଃ ମାନସିକଧାରୀଙ୍କ ଠାରେ ବା କାମନାଧାରୀଙ୍କ ଘରଠାରୁ ଦଣ୍ଡଯାତ୍ରା ପ୍ରଦର୍ଶନ ଆରମ୍ଭ ହୁଏ । କାଳୀଙ୍କ ଚିତ୍ରପଟ୍ଟ(ପ୍ରଭା) ମହାଦେବଙ୍କ ପ୍ରତୀକ ନାଗମୂର୍ତ୍ତି, ମୟୂର ପୁଚ୍ଛ, ସାହାନାଇ, ଘଣ୍ଟ ଆଦି ପାରମ୍ପାରିକ ବାଦ୍ୟର ତାଳେ ତାଳେ ନଗର ପରିକ୍ରମା କରାଯାଏ । ଦଣ୍ଡଯାତ୍ରାର ନିୟମ ଅନୁଯାଇ ପ୍ରତ୍ୟେକ ଦିନ ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ ଓ ମଧ୍ୟରାତ୍ରୀରେ ଦଣ୍ଡ ସୁଆଙ୍ଗ ପ୍ରଦର୍ଶନ କରାଯାଏ । ପ୍ରଭାତରେ ଜଳ ରୋପଣ କରିବା ପରେ ନିକଟସ୍ଥ ଆଶ୍ରୟସ୍ଥଳୀରେ ବିଶ୍ରାମ କରନ୍ତି । ମଧ୍ୟାହ୍ନରେ ପ୍ରଚଣ୍ଡ ରୌଦ୍ରତାପରେ ଧୂଳିଦଣ୍ଡ ପରିବେଷଣ ହୁଏ । ଦଣ୍ଡଯାତ୍ରାରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଧୂଳିଦଣ୍ଡ । (ଧୂଳିଦଣ୍ଡ ହିଁ ଦଣ୍ଡଯାତ୍ରାକୁ କୃଷିଭିତ୍ତିକ ପର୍ବର ମର୍ଯ୍ୟାଦା ଦେବାରେ ବିଶେଷ ଭୂମିକା ନିର୍ବାହ କରେ । ବର୍ଷଯାକର ଅକ୍ଳାନ୍ତ ପରିଶ୍ରମ ପରେ ଚାଷୀକୂଳ ଓ କୃଷିଶ୍ରମିକ ଫୁର୍ସତ ପାଇଥାଏ । ତେଣୁ ସମୟକ୍ରମେ ଚୈତ୍ରମାସର ଆରମ୍ଭରେ ଦଣ୍ଡଯାତ୍ରା ଆରମ୍ଭ ହୁଏ । ଏହା କୃଷକ ଓ ଶ୍ରମିକମାନଙ୍କର ମୁଖ୍ୟ ପୃଷ୍ଠପୋଷକତାରେ ଚାଲୁଥିବା ହେତୁ ଧୂଳିଦଣ୍ଡ ବେଳେ ହଳକରିବା , ମନ୍ଦିର ଗଢ଼ିବା, ଚାଷକରିବା, ବଳଦ କିଣିବା, ଲୁଗା ବୁଣିବା ଓ ଚାଷୀକୂଳର ରମଣୀମାନଙ୍କ ଦ୍ୱାରା କ୍ଷେତକୁ ଖାଇବା ନେଇ ଯିବା(ଘୋଟଣା)ର ଅପୂର୍ବ ଦୃଶ୍ୟଗୁଡ଼ିକୁ ବନ୍ଦ କରାଯାଇଥାଏ । କୃଷି ସହିତ ଏହି ପର୍ବର ଅତୁଟ ସମ୍ପର୍କକୁ କେହି ଅସ୍ୱୀକାର କରିପାରିବେ ନାହିଁ ।)

ଧୂଳିଦଣ୍ଡ ପରେ ନିକଟସ୍ଥ ପୋଖରୀରେ କିମ୍ବା ନଦୀରେ ପାଣିଦଣ୍ଡର ପର୍ବ ଅନୁଷ୍ଠିତ ହୁଏ । ଛଅ ଆଙ୍ଗୁଳି ଲମ୍ବର ଆମ୍ବଡ଼ାଳରେ ଦାନ୍ତ ଘସି ସ୍ନାନକରିବା ପରେ ତେରଥର ବୁଡ଼ି ତେର ଆଞ୍ଜୁଳା ବାଲି ଆଣି ଦଣ୍ଡୁଆମାନେ ଶିବ ଲିଙ୍ଗ ସ୍ଥାପନା କରନ୍ତି । ତା’ପରେ ବିଭିନ୍ନ ଉପଚାରରେ ଛତ୍ରପୂଜା, ଶିବ କାଳୀଙ୍କ ଆରାଧନା ହୁଏ । ଦଣ୍ଡ ଅବସ୍ଥାନ କରୁଥିବା ସ୍ଥାନରେ ସ୍ୱତନ୍ତ୍ର ଚୂଲା ପ୍ରସ୍ତୁତ ହୋଇ ଯଜମାନ ଘରୁ ଆସୁଥିବା ଚାଉଳ, ପରିବା ଓ ଡାଲିରେ ଖାଦ୍ୟ ପ୍ର୍ରସ୍ତୁତ ହୁଏ । ମଧ୍ୟରାତ୍ରୀର ନିଃଶବ୍ଦ ପ୍ରହରୀରେ ଅବଶ ଓ ଅଫୁଟାଭାବେ ପ୍ରସ୍ତୁତ କରାଯାଇଥିବା ହବିଷାନ୍ନ କାଳୀଙ୍କୁ ଭୋଗକରିବା ପରେ ଢୋଲ, ଘଣ୍ଟ, ଝାଞ୍ଜର ଶବ୍ଦରେ ଭୋକ୍ତାମାନେ ଭୋଜନ କରନ୍ତି । ଏହି ସମୟରେ ବାହାରର ଶବ୍ଦ ନଶୁଭିବା ପାଇଁ ବାଦ୍ୟ ବାଦନ କରାଯାଇଥାଏ । ମଧ୍ୟରାତ୍ରରେ ମହୁରୀ, କାହାଳୀ, ଘଣ୍ଟ ଓ ଢୋଲର ତାଳେ ତାଳେ ଅଗ୍ନିଦଣ୍ଡ ଧରି ଝୁଣାମାରି ଅଗ୍ନିଖେଳ କରି ଯଜମାନ ଗୃହକୁ ଯାଆନ୍ତି । ସେଠାରେ ସ୍ୱପ୍ନାଦେଶ ହୋଇଥିବା ଦଣ୍ଡୁଆ ଜଣଙ୍କୁ କଳାପୋଷାକ ପିନ୍ଧାଇ କାଳୀପ୍ରଭା ଧାରଣ କରାଯାଏ । ପରେ କାଳୀପ୍ରଭା ସହ ଭକ୍ତଙ୍କର ଉଦଣ୍ଡ ନୃତ୍ୟ ସାଙ୍ଗକୁ ଢୋଲର ଗୁରୁଗମ୍ଭୀର ଲାଳିତ୍ୟରେ ଭୋକ୍ତା ଜଣକ ଚେତାଶୂନ୍ୟ ହୁଅନ୍ତି । ଅନ୍ୟ ଭୋକ୍ତାଙ୍କ ଦ୍ୱାରା ତାଙ୍କ ସଂଜ୍ଞାକୁ ଫେରିପାଆନ୍ତି । ଦଣ୍ଡସୁଆଙ୍ଗ କାର୍ଯ୍ୟକ୍ରମରେ ବୀଣାକାର-କାରୁଆଣୀ, ଚଢ଼େୟା-ଚଢ଼େୟାଣୀ, ସାପୁଆ-ସାପୁଆଣୀ ଆବିର୍ଭାବ ହୁଅନ୍ତି । ଲୋକଗୀତ ଲୋକ ନାଟକର ଭାବ, ରସର ଫେଣ୍ଟାଫେଣ୍ଟି ଆବେଗ ଜନମାନସକୁ ଆହ୍ଲାଦିତ କରାଏ । କାଳୀଙ୍କ ନୃତ୍ୟ ପରେ ଚଢ଼େୟାର ଅଳ୍ପ କେତେପଦ ଗୀତ ଆବୃତ୍ତି ହୁଏ । ଯେମିତି କି:-

“ଆଉ ଶୁଭୁନାହିଁ କରପତ୍ର ଶିରେ ଦେଇ,

କହଇ ଚଢ଼େୟା ବିନୟ ହୋଇ,

ବିନୟ ହୋଇ ଯେ କର କୃପାବାରେ

ପାର୍ବତୀ ଦେବୀ ଗୋସାଇଁ ।”

ମାନସିକଧାରୀଙ୍କ ଗୃହ ସମ୍ମୁଖରେ ଯଥାବିଧି ଦଣ୍ଡ ପରିବେଷଣ କରି ବିଣାକାର ମାନସିକ କର୍ତ୍ତାଙ୍କଠାରୁ ମେଲାଣି ମାଗନ୍ତି ଏବଂ ଯଜମାନର ଉତ୍ତରୋତ୍ତର ଉନ୍ନତି କାମନା କରିଥାନ୍ତି । ଏହି ବିଣାକାର/ ଗାୟକ ଘାଗୁଡ଼ି ଖଚିତ ଧନୁକୁ ବାଦ୍ୟଯନ୍ତ୍ର ଭାବରେ ବ୍ୟବହାର କରି ଆଶୁ କବି ଭଳି ସମାଜରେ ଘଟୁଥିବା ବିଭିନ୍ନ ଘଟଣାକୁ ନିଜସ୍ୱ ଶୈଳୀରେ ଗାନ କରିଥାନ୍ତି । ଯାହା ହୃଦୟଗ୍ରାହୀ ହୋଇଥାଏ । ହରକାଳୀଙ୍କ ଆଶିର୍ବାଦ ଭିକ୍ଷାକରିବା ସହ ଯଥୋଚିତ ମେଲାଣୀ ପାଇବା ପରେ ଯଜମାନଙ୍କ ଠାରୁ ବିଦାୟ ନିଅନ୍ତି ।

୧୩/୧୮/୨୧ ଦିନର ବିଭିନ୍ନ ସ୍ଥାନ ଭ୍ରମଣ କରିବାପରେ ସଂକ୍ରାନ୍ତି ଦିନ କାମନା ଘର ବା ତୋଟାରେ ମେରୁ ପାଳନ କରିଥାନ୍ତି । ମେରୁକୁଣ୍ଡର ଦୁଇପାର୍ଶ୍ୱରେ ବେଲକାଠ ନିର୍ମିତ ଦୁଇଟି ମେରୁଖୁଣ୍ଟି ପୋତାଯାଏ । ଦୁଇଟି କାଠର ଉପର ଅଂଶକୁ ମେରୁକୁଣ୍ଡର ଦୁଇପାଶ୍ୱର୍ରେ ଅନ୍ୟ ଏକ କାଠ ସଂଯୋଗ କରି ବାନ୍ଧିଦିଆଯାଏ । ପରମ୍ପରା ଅନୁଯାୟୀ କୁଣ୍ଡରେ ଯଜ୍ଞ ଓ ପୂଜାବିଧି କରାଯାଏ । ଯଜ୍ଞ ଆରମ୍ଭ ହେବା ପରେ ପାଟ ଦଣ୍ଡୁଆ ପୂଜାଅର୍ଚ୍ଚନା ସାରି ସଫାବସ୍ତ୍ରରେ ପ୍ରଭୂଙ୍କ ଦର୍ଶନ କରନ୍ତି । ତାଙ୍କ ଉପରେ କାଳୀ ପ୍ରସନ୍ନ ହେବାପରେ ଅନ୍ୟମାନେ ତାଙ୍କୁ ନିୟନ୍ତ୍ରଣ କରନ୍ତି । ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମ୍ମୁଖରେ ପାଟ ଦଣ୍ଡୁଆକୁ ମେରୁଖୁଣ୍ଟରେ ମୁଣ୍ଡ ତଳକୁ କରି ଝୁଲାଇ ଦିଅନ୍ତି । ମେରୁକୁଣ୍ଡରେ ବାରମ୍ବାର ଝୁଣା ନିକ୍ଷେପ କରାଯିବା ଫଳରେ ଝାସ ପାଟ ଦଣ୍ଡୁଆଙ୍କ ମୁଣ୍ଡକୁ ସ୍ପର୍ଶ କରେ । ତାଙ୍କ ନାକରୁ ତିନି ଟୋପା ରକ୍ତ ଝରିପଡ଼େ । ପାଟ ଭୋକ୍ତା ଅଚେତ ଅବସ୍ଥାରେ ଝୁଲି ରୁହନ୍ତି । ତାଙ୍କୁ ନିକଟସ୍ଥ ଜଳାଶ୍ରୟକୁ ନେଇ ଶାନ୍ତ କରାଯାଇ ଦଣ୍ଡିଆମାନେ ଚେତା ଫେରାଇଆଣନ୍ତି । ଯଜ୍ଞ ମଣ୍ଡପରେ ବନ୍ଧାଯାଇଥିବା ବିଭିନ୍ନ ଫଳଗୁଡ଼ିକୁ ବାହାରକୁ ଭକ୍ତଗଣଙ୍କ ପାଖକୁ ଫିଙ୍ଗାଯାଏ ।

ଏହିଭଳି ଅନେକ ପ୍ରଥା ଏବଂ ଦଣ୍ଡକୁ ସ୍ୱୀକାର କରି ଦଣ୍ଡନାଚ ଆୟୋଜନ କରାଯାଇଥାଏ । ଏହାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ନେଇ କେବେ କେହି ପ୍ରଶ୍ନ କରିନାହାଁନ୍ତି । କିନ୍ତୁ ଏକଥାଟି ସତ୍ୟ ଯେ ପ୍ରତିଷ୍ଠିତ ବ୍ରାହ୍ମଣସମାଜ ବିରୁଦ୍ଧରେ ଏହା ଏକ ପ୍ରତିବାଦ ବୋଲି ସମାଜ ଏହାକୁ ଗ୍ରହଣ କରିଛି । ଭଗବାନଙ୍କ ପ୍ରତି ନିଜର ନିଷ୍ଠାକୁ ପ୍ରମାଣ କରିବାକୁ ଏହି ଦଣ୍ଡନୃତ୍ୟକାରୀମାନେ ଏଭଳି ଅନେକ ଲୋମହର୍ଷଣକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇଥାଆନ୍ତି ।

ବୌଦ୍ଧ, କନ୍ଧମାଳ, ନୟାଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, କଟକ, ପୁରୀ, ଢେଙ୍କାନାଳ ଇତ୍ୟାଦି ଜିଲ୍ଲାମାନଙ୍କରେ ଦଣ୍ଡନାଚ ଦେଖିବାକୁ ମିଳୁଥିଲେ ମଧ୍ୟ ଏହା ଗଞ୍ଜାମରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ । ଗଞ୍ଜାମରେ ପ୍ରଦର୍ଶିତ ହେଉଥିବା ଦଣ୍ଡନାଚକୁ ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଛି । ଅନେକ ଲୋକନୃତ୍ୟ ଏବଂ ଲୋକପରମ୍ପରା ଭଳି ଦଣ୍ଡନାଚର ପରମ୍ପରାକୁ ବଞ୍ଚାଇବା ଏକ ପ୍ରଶ୍ନବାଚୀ ହୋଇଯାଇଛି । ବଜାରୀକରଣର ପ୍ରଭାବରେ ଦଣ୍ଡନାଚରେ ମଧ୍ୟ ବ୍ୟବସାୟିକ ମନୋବୃତ୍ତି ପ୍ରବେଶ କରିସାରିଲାଣି । ତେବେ ଏହାର ଅନ୍ତ ସେତିକିରେ ହୋଇନାହିଁ । ଦଣ୍ଡନାଚ ଆୟୋଜନ ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବ ନୁହେଁ ।  ବ୍ୟୟବହୁଳ ଆୟୋଜନ ତଥା ପ୍ରତିଦ୍ୱନ୍ଦ୍ୱି ମନୋଭାବ ଯୋଗୁଁ ଏହା ସାଧାରଣ ଲୋକଙ୍କ ଠାରୁ ଦୂରେଇବାରେ ଲାଗିଛି । ଦଣ୍ଡନାଚରେ ନୃତ୍ୟ ଗୋଷ୍ଠି, ଅଭିନେତ୍ରୀ, ସାଜସଜ୍ଜା ତଥା ଆନୁଷଙ୍ଗୀକ ବ୍ୟବସ୍ଥାର ଅବାଧ ପ୍ରବେଶ ଯୋଗୁଁ ଏବେ ଏହା ବ୍ୟବସାୟୀଙ୍କୁ ବେଶ ରୋଜଗାର ଯୋଗାଇଛି ।

 

photo credit – https://bit.ly/2O8sYRu

Share This Article