ଓଡ଼ିଶାର ସାମାଜିକ, ଐତିହାସିକ ଏବଂ ସାସ୍କୃତିକ ଚିତ୍ରଣ ଦୃଷ୍ଟିରୁ ଦେଖିଲେ ଏହି ଲେଖାଟି ଅତୀତର ଏକ ସଂବେଦନଶୀଳ ପ୍ରସଙ୍ଗ ଉପରେ ଆଧାରିତ । ଲେଖକ ବିଶିଷ୍ଟ ଦେଶୀଚାଷୀ ନଟବର ଷଡ଼ଙ୍ଗୀ ଦଳିତ ଲୋକମାନଙ୍କ ଜୀବନର ସଂଘର୍ଷ, ସମାଜର ଅନ୍ତଃସ୍ରୋତ, ଏବଂ ଶ୍ରମଜୀବୀ ଲୋକଙ୍କ ଦୁଃଖ-ଦୁର୍ଦ୍ଦଶାକୁ ଅତି ନିକଟରୁ ଦେଖିଛନ୍ତି ଓ ତାକୁ ହୃଦୟଙ୍ଗମ କରିଛନ୍ତି । ଲେଖକ ଲେଖା ମାଧ୍ୟମରେ ଗତ ଶତାବ୍ଦୀର ଓଡ଼ିଶାର ଗାଁ’ର ଏକ ଚମତ୍କାର ଦର୍ଶନ ପ୍ରକାଶ କରିଛନ୍ତି । ତାହା ସହିତ ଦଳିତ ଜୀବନର ଅନ୍ତର୍ନିହିତ ଦୁଃଖ, ସଂଘର୍ଷର କାହାଣୀ ନୂଆ ପିଢ଼ିକୁ ଜଣେଇବାକୁ ଚେଷ୍ଟା କରିଛନ୍ତି । ସମାଜରୁ ଭେଦଭାବ ଦୂରକରି ଏକ ନୂଆ ସମାଜ ଗଢିବାପାଇଁ ଲେଖା ଭିତରେ ବାର୍ତ୍ତା ଦେଇଛନ୍ତି । – ସ୍ଵୟଂପ୍ରଭା ପାଢୀ (ସମ୍ପାଦକ)
ଉପକୂଳ ଓଡ଼ିଶାରେ ଦଳିତଙ୍କ ଖାଦ୍ୟ
୧୯୪୩-୪୪ । ଗାଁ ଚାରିଆଡ଼େ ଜଙ୍ଗଲ । ଦିନ ଦିପହରେବି ଅନ୍ଧାର । ଜଙ୍ଗଲ ମଝିରେ ମଝିରେ ଗୋଟିଏ ଗୋଟିଏ ସାହି । ବ୍ରାହ୍ମଣ ଶାସନ, ପଧାନ ସାହି,ତେଲି ସାହି, ହାଟୁଆ ସାହି । ନିଗଡ଼ା ଜାଗାରେ ଘର ଦ୍ଵାର କରିଥାନ୍ତି । ବାଉରୀ, ଧୋବା,କଣ୍ଡରା, ଡ଼ମ ଏମାନେ ସବୁ ଅଛୁଆଁ ଜାତି । ସାଆନ୍ତ ମାନଙ୍କର ସିନା ଜାଗା, ଜମି ତୋଟା ବାଡ଼ି ଥାଏ । ଦଳିତ ମାନେ ପୋଖରୀ ହୁଡ଼ା, ଦଣ୍ଡା, ପଡ଼ିଆ ପଦର ସାଆନ୍ତଙ୍କ ଜମିରେ କୁଡ଼ିଆ କରି ଥାନ୍ତି । ବାଟ ଘାଟ ନଥାଏ । ସାପ ଭଳି ବଙ୍କା ଟଙ୍କା ସରୁଆ ଚଲା ରାସ୍ତା । ଗାଁ ରେ ଛତିଶ ପାଟକ ଥାନ୍ତି । ବ୍ରାହ୍ମଣମାନେ ଛତିଶ ପାଟକରେ ଟେକ । ବ୍ରାହ୍ମଣ, କରଣ, ଚଷା,ଖଣ୍ଡାୟତ ଏମାନଙ୍କର ଚାଷ ମୁଖ୍ୟ ଜୀବିକା । ଏମାନେ ଉଚ୍ଚ ଜାତି । ଜମିଦାର, ମକଦ୍ଦମ,ଚାଷୀ ଏମାନେ ଜମି ମାଲିକ । ଦଳିତ ମାନଙ୍କର ବାଡ଼ି ଗୋବରେ ଗୋବେ ଜମି ନଥାଏ । ସେମାନେ ମକଦ୍ଦମଙ୍କ ଘରେ ଚାକିରି, କୋଠିଆ ରହି କାମ କରନ୍ତି । ୪ ସେର ଧାନ ମଜୁରି ଦିନକୁ । ସକାଳ ପହରୁ କାନ୍ଧରେ ଜୁଆଳି ପଡ଼ିବ ତ ସନ୍ଧ୍ୟାରେ ଜୁଆଳି କାଢି ଘରକୁ ଫେରିବେ । ଦିନକୁ ୧୦ ଘଣ୍ଟା ହାଡ଼ ଭଙ୍ଗା ମେହନତ ।
ସାଆନ୍ତଙ୍କ ପଡ଼ିଆରେ ତ କୁଡ଼ିଆ କରି ରୁହନ୍ତି । ପ୍ରତି ପରିବାରରୁ ଜଣେ ସାଆନ୍ତଙ୍କ ଖୁଣ୍ଟରେ ବର୍ଷ ସାରା ବନ୍ଧା । ୭/୮ ବର୍ଷ ପିଲା ଠାରୁ ୧୫/୧୬ ବର୍ଷ ପର୍ଯ୍ୟନ୍ତ ପୁଅମାନେ ଚାକିରି ରୁହନ୍ତି । ମା ମାନେ ସାଆନ୍ତ ଘରେ ଖଲି ବଛା, ଖତ ଖେଳା, ରୁଆଁ, ବଛା, ଧାନ କଟା, ବୁହା, ଅମଳ କାମ କରନ୍ତି । ସମୟ ଦେଖି ବାଡ଼ିଘରୁ ଶାଗ କରନ୍ତି । ଶୁଖିଲା ଡ଼ାଳ, ପତ୍ର ଜାଳ କରନ୍ତି । ଗେଣ୍ଡା, କଙ୍କଡ଼ା, ମାଛ ଧରାଧରି କରନ୍ତି । ଝିଅ ମାନେ ! ବାଉରି ଘର ଝିଅ ଝାଟିକି ଯାଉ ନହେଲେ ମାଟିକି ଯାଉ । ବାର ବାଡ଼ି ବୁଲି ଝାଟି, ଡ଼ାଳ, ପତ୍ର ଟୋକେଇରେ ଭର୍ତ୍ତି କରି ଘରକୁ ନବ । ଚୁଲି ଜଳିବ । ଠେକ ହୋଇଗଲେ ମା ବାପାଙ୍କ ସାଙ୍ଗେ ବିଲ ବାଡ଼ିକୁ ଯାଇ ମାଟି କାଦୁଅ ହୋଇ କାମ କରିବ । ସେମାନଙ୍କର ୨ ସେର ମଜୁରି ।
ଖାଇଲେ ତ ଖଟିବେ । ଦଳିତ ଘରେ ଦାଣ୍ଡରୁ ଆସିଲେ ହାଣ୍ଡିରେ ପଡ଼େ । ୩/୪ ଦିନର ମଜୁରି ସ୍ଵାମୀ ସ୍ତ୍ରୀ ଦିଜଣ କାମ କରୁଥିଲେ ୩/୪ ଗୌଣି ଧାନ । ରାତିରେ ଧାନ ଉସୁଆନ୍ତି । ଦିନେ ଦିଦିନ ଶୁଖାନ୍ତି । ଦଳିତ ସାହି ଭିତରେ ଗୋଟେ ଅଧେ ଢିଙ୍କି ଥାଏ । ପିଲା ଛୁଆ ମିଶି ଧାନ କୁଟି ଚାଉଳ କଲେ ଖାଇବେ । ଭାତ ତ ୩/୪ ଦିନ ପାଇଁ ହେଲା । ଲାଗୁଆଣୀ ! ସକାଳୁ ସକାଳୁ ବିଲ ବାଡ଼ି, ବାଡ଼ିଘର ବୁଲି ଯାଇ ମା’ମାନେ ଶାଗ ଧୁଆରେ ଶାଗ ତୋଳି ଆଣିବେ । ମଦରଙ୍ଗା, କନିସିରି, କଣ୍ଟା ଲେଉଟିଆ, ଖଡ଼ା, ଲେଉଟିଆ ପଞ୍ଚବନି ଶାଗ । ବାପା ମାନେ ପୋଖରୀ, ନାଳ, ନଈ ଧାରରେ ଦରଣ୍ଡା ଦରଣ୍ଡି କରି ଗଣ୍ଠିଆ ଚୁଙ୍ଗୁଡ଼ି, ମହୁରାଡ଼ି, ଗେଣ୍ଡା, କାଳିଆ କଙ୍କଡ଼ା ସେରେ ଅଧସେରେ ନିତି ଆଣିବା ଥୟ । ପଖାଳ ଭାତ, ଶାଗ ଭଜା, ମାଛ କଙ୍କଡ଼ା ପୋଡ଼ା ଖାଇବା ଜମି ଯାଏ । କଙ୍କଡ଼ା ଚଟଣି । ଅଳିଆ ଆଳି ପୁଳାଏ ନିଆଁ ଲଗାଇ କଙ୍କଡ଼ା ମାନଙ୍କୁ ଦାହ କଲ । ପୋଡ଼ିଗଲାତ କାଢି ଖୋଳ ଛଡ଼ାଇଲେ । ଦିଟୋପା ସୋରିଷ ତେଲ । ଦିଟା ସୂର୍ଯ୍ୟମୁଖୀ ଲଙ୍କା । ରସୁଣ ଦିକୋଲା , ମାପରେ ଲୁଣ ପକାଇ ଟାଣ କରି ଚକଟା ଚକଟି କରିଦେଲେ । ବାସନାରେ ତ କଂସାଏ ଭାତ ଉଠିଯିବ । ମାଛପୋଡ଼ା । ମାଛକୁ ବଛା ବଛି କରିଦେଲେ । କଖାରୁ ପତ୍ର ୨/୪ ଟା ଆଣିଲେ । ମାଛରେ ହଳଦୀ, ଲୁଣ, ୨/୩ ଟା ଲଙ୍କା, ତେଲ ୨/୪ ଟୋପା ପକାଇ ବନ୍ଧାବନ୍ଧି କରିଦେଲେ । ଶାଗ ଭଜା ପାଇଁ ତ ଚୁଲି ଜଳୁଛି । ଚୁଲି ଭିତରକୁ ପୁଡ଼ାଟି ପକାଇ ଦେଲେ । ଉପର ସରି କଖାରୁ ପତ୍ର ପୋଡ଼ି ଯାଇଛି । ବାସନା ବାହାରିଲା ତ ପୁଡ଼ାକୁ କାଢି ମାଛ ବାହାର କଲେ । ସରାଟିରେ ଚକଟି ପକାଇଲେ । ସମସ୍ତଙ୍କ ପାଟିରୁ ଲାଳ ଗଡ଼ିଲାଣି । ଶାଗ, କଙ୍କଡ଼ା ଚଟଣି, ମାଛ ଚଟଣି ଯୋଉଦିନ ଯାହା ମିଳିଲା ଲଗାଇ ପଖାଳ ଖାଇ ତୋରାଣି ପିଇ ଦେଲେ ତ କାମକୁ ବାହାରିଲେ ।
ଅଶିଣ କାର୍ତ୍ତିକ ମାସ । ବିଲବାଡ଼ି କାମ ସରିଯାଇଛି । ବାଡ଼ିଘରେ ବାଇଗଣ କିଆରି । କୋଡ଼ା, ଖୁସା, ହୁଡ଼ା ଦିଆ,ସାରୁ କିଆରୀରେ ଗଛମୂଳେ କଞ୍ଚା ଗୋବର ଦିଆହବ, ଧାନ ବିଲରେ ଧାନ ଗଛ ହିଡ଼କୁ ଆଉଜିଛି ଭିତରକୁ ଲେଉଟାଇବା ଭଳି ଛୋଟ ମୋଟ କାମ । ଏସବୁ କାମ ମର୍ଦ୍ଦ ମାନଙ୍କର । ମାଇପେ କଣ କରିବେ ? ଦଳ ଦଳ ହୋଇ ବାହାରି ଯାଆନ୍ତି ଖାଲ ଖମଣାରୁ ମାଛ ଧରିବେ । ମର୍ଦ୍ଦ ମାନଙ୍କର ହାତ ନଲାଗେ ଗୋଡ଼ ନଲାଗେ ଚଟୁ ପିଠା ଖଣ୍ଡି ସୁଆଦ ଲାଗେ । କାମରୁ ଫେରି ଖାଇବାକୁ ବସିପଡ଼ିବେ । ଆରେ ଭାତ ଗଣ୍ଡାକ ସିନା ଅଛି କଣ ଲଗାଇ ଖାଇବେ । ଘରଣୀ ମାନଙ୍କ ଉପରେ ଜାହିର । ବିଚରା ମାଇପିମାନେ ! ଛୁଆଁଙ୍କ ଘର ହଉ ବା ଅଛୁଆଁ ସେମାନେ ନିଆଁରେ ମୁତିଛନ୍ତି । ସବୁ ଅଲେଇ ବଲେଇ ତାଙ୍କ ଉପରେ । ଛିଣ୍ଡା ଖିଅ, ଦାନ୍ତିଆ, ବଜା ଧରି ବାହାରିଲେ ତ ତିନି ଘଡ଼ି କସରତ କରନ୍ତି । ଫେଲ ନାହିଁ । ଛୋଟ ବଡ଼ ମାଛ, ଗେଣ୍ଡା, କଙ୍କଡ଼ା, କୋଚିଆ କିଛି ନା କିଛି ମିଳେ । ଅଣ୍ଟିରେ ସେରେ ଦେଢସେରେ ମାଲ ଧରି ଘରକୁ ଲେଉଟନ୍ତି । ବୋହୁ ହଉ ବା ଶାଶୁ ଭାତ ରାନ୍ଧି ଦେଇ ଥିବେ । ମାଛ କଙ୍କଡ଼ା ବଛା ବଛି ସରିଲା । ତିଅଣ ବସିବ । କୋଚିଆକୁ ଖଣ୍ଡ ଖଣ୍ଡ କାଟିଦେଲେ । ତେଲୁଣିରେ ୨/୪ ଟୋପା ଖାଇବା ମାଲପା ପକାଇ କୋଚିଆ ଖଣ୍ଡ ମାନଙ୍କୁ ୨/୪ ଖରଡ଼ା ଦେଇ ବେସର ଢାଳିଦେଲେ । କୋଚିଆ ମାଛ ଭାରି ଚିକ୍କଣ । ଭାଜିଲେ ତେଲ ବାହାରି ପଡ଼େ । ଟିକେ ଅଧିକା ସିଝିବ । ଦୁଆରେ ବୃସଙ୍ଗ ଗଛଟାଏ ଅଛି । ବୃସଙ୍ଗ ପତ୍ର ୧୦/୧୨ ପକାଇ ଦେଲ ତ ତିଅଣ ଜମି ଗଲା । କାହା ଖଇଞ୍ଚିରେ ବିଶାକାଠିଆ ଚୁଙ୍ଗୁଡ଼ି ଅଧ ସେରେ ପଡ଼ିଯାଇଛି ତ ତାକୁ ସ୍ଵର୍ଗ ଦି ଆଙ୍ଗୁଣ ।ସେଇ ୨/୪ ଟୋପା ତେଲ । ଚୁଙ୍ଗୁଡ଼ି ଭାଜି ଦେଲାତ ନାଲି ପଡ଼ିଗଲା । ବେସର କଞ୍ଚା ଲଙ୍କା ୨/୪ ଟା ଚିରି କରି ଛାଡ଼ି ଦେଲ ତ ଚିଙ୍ଗୁଡ଼ି ଛାତିକୁ ଦଉଡ଼ି ପାଉନି । ମର୍ଦ୍ଦମାନେ ଠା ରେ ବସିଗଲେ । ସବୁ ଗାତରେ କଙ୍କଡ଼ା ନଥାନ୍ତି । ବାଉରି ବାବର ଘରେ ସବୁ ଦିନ କଣ ସୁରୁଖୁରୁରେ ଗଣ୍ଡେ ମିଳେ । ଯୋଉ ଦିନ ମିଳିଲାତ ବାଘର ଆହାର ଯୋଉ ନାହିଁ ତ ପବନ ପିଇ ।
ରାତି । ମାଛ ତିଅଣ ରଖିଥାନ୍ତି । ଗେଣ୍ଡା ଛଡ଼େଇ ଭାଜି ଦିଅନ୍ତି । ଚିକ୍କଣ ସରି ସରି । କଞ୍ଚା ଲଙ୍କା ୨/୪ ଟା ରସୁଣ ଦିକୋଲା ଛେଚି କରି ଯଦି ପକାଇଛନ୍ତି ତା ଲାଞ୍ଜରେ ହାତ ମାରିହବନି । ସେ ଦିନଟା ଭଲରେ ଗଲା । ଆମେ ତ ଆଗରୁ ସୂଚାଇଛୁ କାର୍ତ୍ତିକ ମାସକୁ କାମ ଦାମ ନାହିଁ । ବାଉରି ବାବର ଘରେ ପୁଷ ମାସ ଧାନ ଧରମ କୁଡ଼ିଆରେ ଭର୍ତ୍ତି । ୩/୪ ମାସ ଖିଆ ପିଆ ଭଲ ଚାଲେ । ଗାଁ ଗଣ୍ଡାରେ ସେମାନଙ୍କୁ ନେଇ କଥା ଅଛି “ପୁଷ ମାସ ଭୁସଭାସ, ତିନି ଥର ରାନ୍ଧଣା । ପୁଷ ମାସ ସରିଗଲେ ସୁକୁ ସୁକୁ କାନ୍ଦଣା”। ପୁଷ ମାସରେ ଖାଲି କଣ ଖାଆନ୍ତି । କାଚରା ସାହିକୁ ଆସିବ । କିଣି ପକେଇବେ କାଚ, କସ୍ତା ମନୋହରି ଜିନିଷ । ଧାନ ବଦଳ । ଝିଅ ଘରକୁ ପିଠା ପଣା ଦିଆହବ । ଲୁଗା ପଟା ଦେବେ । ଧାନ ବଦଳ । ତ୍ରିବେଣୀ ଯାତ, ସପ୍ତମୀ ଯାତ, ମାଧବ ଯାତ । ସକାଳୁ ସକାଳୁ ଦଳ ଦଳ ଥୋରିଆ ବଦଳ ବା ଘୋଡ଼ାରେ ଅଖା ଲଦି ବାଉରି ସାହିରେ ଖେଦିଯିବେ । ନକଡ଼ା ଛକଡ଼ା ଧାନ ଲଦିବେ । ପାଞ୍ଚ ତିନି ଟଙ୍କା ଦେଲେ । ପଇସା ତ ସେତେବେଳେ ମହରଗ । ଜିନିଷ ଶସ୍ତା । ମାଇପି ମାନେ ପଇସା ଧରି ଯାତକୁ ଚାଲିଲେ । ବରା ତରକାରୀ ଖାଇବେ । ପାନିଆ, ଦର୍ପଣ, ଅଳତା, ସିନ୍ଦୁର, ହାଣ୍ଡି ମାଠିଆ ପୁଳେ କିଣି ଲେଉଟିବେ । ଦେଖିଲେ ଠୁଳ ବାଣ୍ଟିଲେ ଶୁନ । ପଇସା ଶେଷ । ଫଗୁଣ ମାସରେ ଦୋଳ ଯାତ୍ରା । ହାଣ୍ଡି ମାଙ୍କଡ଼ ଚିତ । ଏଣିକି ମଣ୍ଡିଆ ଯାଉ, ବିରି ଯାଉ, ସୁଆଁ ଯାଉ, ଚିନା ଯାଉ । ମକଦ୍ଦମଙ୍କର ଏସବୁ ଖାଦ୍ୟ ଛିଛାକର । ଅଛୁଆଁ ମାନଙ୍କ ଘରେ ଏମାନେ ଭିଡ଼ ଲଗାନ୍ତି । ମକଦ୍ଦମଙ୍କ ଘରେ ଧାନ କୁଟିଲେ । ଚାଉଳ ତ ସେରେ ଦିସେରେ ପାଆନ୍ତି । ମକଦ୍ଦମୀଆଣି ମାନେ ଖୁଦ ପୁଡ଼ାଟିଏ ଦେଇଥାନ୍ତି । ଯାଉରେ ଖୁଦ ଗଣ୍ଡେ ଗଣ୍ଡେ ବାଣ୍ଟି କରି ପକାଇଲେ । ମାଛ, ଶୁଖୁଆ ଘରେ ଘରେ । ଯାଉ ତେଲୁଣିଏ, ଘଡ଼ି ବା ସରାରେ ମାଛ, ଶୁଖୁଆ ତିଅଣ । ଆପେ ଅର୍ଜିବା କର୍ମ ମାନ ବେଳୁ ହୋଇବ ସାବଧାନ । ସେ ଭାଗବତ ନାହିଁ । ଅଛିତ ଖୋଲା ହାତ ସରିଲା ପର୍ଯ୍ୟନ୍ତ । ନାହିଁ ବାର ଦୁଆର ଶୁଣ୍ଢୀ ପିଣ୍ଡା ।
ଚୈତ୍ର ମାସ । ପାଟୁଆ ଯାତ । ବାଉରି ମାନଙ୍କର ବଡ଼ ପର୍ବ । ସାଆନ୍ତ ଘରକୁ ଗଲେ । ନାହୁଲି ମାହୁଲି ହୋଇ ଠିଆ ହେଲେ । “କିରେ ବୁଧିଆ କଥା କଣ । ଗୋଟେ ଖୁଣ୍ଟଟା ଭଳି ଠିଆ ହୋଇଛୁ । କଣ ପଦି ସାଙ୍ଗେ କଳି ତକରାଳ କରିଛୁ କିରେ”? “ନାଇଁ ସାଆନ୍ତ । ଚଇତ ପରବତ । ଘରେ କିଛି ନାହିଁ । ମୋତେ ୧୦/୧୫ ଗୌଣି ଧାନ ଦେଲେ ମଜୁରୀରେ ସୁଝି ଦିଅନ୍ତି”। “ହଇରେ ତୁତ ଡୋଲିଏ କି ଭରଣେ ଧାନ ପାଇଥିବୁ । ଏତେ ଶୀଘ୍ର ସରିଗଲା”। “ସାଆନ୍ତେ ପିଲା ଛୁଆ ସଂସାର । ତୁମ ଚାକରାଣୀ ତ ଦେଖିଲା ସାପ ଗାତରେ ପୁରାଇ ଦବନି । କିଣା,ବିକା କରି ସବୁ ସାରିଦେଲା । ମେତେ ପଠେଇଛି ସାଆନ୍ତଙ୍କ ଘରୁ ଧାନ ଆଣିବୁ”। “ହଉ, ଧାନ ନବୁ ଯେ ୨୦ ଗୌଣି ଦେବି । ୩୦ ଗୌଣି ମଜୁରୀରେ ଶୁଝିବୁ । “ହଇରେ ରାମା ସେ ବୁଧିଆକୁ କୋଠିରୁ ୨୦ ଗୌଣି ଧାନ ମାପିଦେ” । ସେ ୩୦ ଗୌଣି ମଜୁରୀରେ ଶୁଝିବ”। ବୁଧିଆ ମନେ ମନେ ଖୁସିରେ ଫାଟି ଗଲାଣି । ଧାନ ଅଖା ମୁଣ୍ଡାଇ ଘରକୁ ଲେଉଟିଲା ।
ପାଟୁଆ ଯାତ । ମେରି ପୂଜାକୁ ଚକୁଳି ହବ । ୪/୫ ଗୌଣି ଧାନ ଅରୁଆ ଚାଉଳ କଲେ । ବିରି ଓପଡ଼ା ସରିଥାଏ । ଅଟାରୁ ୫/୭ ଗୌଣି ବିରି ପାଇଛି । ନଡ଼ିଆ ଗଛଟିଏ କୁଡ଼ିଆ ଆଗରେ ଅଛି । ଓଲେଇର ତରତର ଦୁଆର ବୁଲିର ପୋଡ଼ିଯାଉଛି । ନଡ଼ିଆ ସୁଖିବା ଯାଏ ପଦି ରଖେଈ ନଦିଏ ।ଅଧାରୁ ତୋଳା । ଚକୁଳି ପିଠା ପାଇଁ ୩/୪ ଟା ଅଧା ନଡ଼ିଆ, ୨/୩ ଟା ପଇଡ଼ କଳସ ବସିବ ଅରଘ ଦିଆ ହବ । ପଦିର ଟିକେ ଓଲିଆ ଗୁଣ ଅଛି । ଚକୁଳି ତ କଲା । ବିରି, ଚାଉଳ,ନଡ଼ିଆ, ଶିଳରେ ବାଟି ୧୦/୧୫ ଟି ଚକୁଳି ତିଆରି କରେ । ଚାଉଳ ନଡ଼ିଆ ତ ଅଛି । ଧାନ ଗୌଣିଏ ଦୋକାନକୁ ନେଇ ଗୁଡ଼ ବିଶାଏ ଆଣେ । “ପୋଡ଼ ପିଠା କରିବୁ । କଣ ଟିକେ ମସଲା ଦିଅ” । ଦୋକାନୀ ଗୋଲମରିଚ,ଲବଙ୍ଗ ଗୋଟେ ଦିଟା, ଗୋଟେ ଗୁଜୁରାତି କାଗଜରେ ବାନ୍ଧି ଧରାଇ ଦେଲା । ମା, ଝିଅ ଚକିରେ ଅରୁଆ ଚାଉଳ ପେଶି ଦେଲେ । ଛଡ଼ାଟିଏ ଅଛି ଗୋବର ଗୋଟା ଗୋଟି କରି ଘଷି ପାରିଛି । ବ୍ରାହ୍ମଣ ବାଡ଼ିରୁ ଶୁଖିଲା ଆମ୍ବ ଡ଼ାଳ ୨/୩ ଟା ମା ଝିଅ ବୋହି ଆଣିଛନ୍ତି । ହାଣ୍ଡିରେ ଅରୁଆ ଚାଉଳ, ଗୁଡ଼, ନଡ଼ିଆ ପାତି, ଛେଚା ମସଲା ତକ ପକାଇ ମା, ଝିଅ ଖଳି କରି ପକାଇଲେ । ବଡ଼ ଗହିରିଆ ତେଲୁଣିଟିଏ କୁମ୍ବାରୁଣୀ ଠାରୁ ୪ ସେର ଧାନ ଦେଇ କିଣିଥିଲା । କଦଳୀ ପତ୍ର ୨/୩ ସରି ବହଳିଆ କରି ତେଲୁଣିରେ ସଜାଡ଼ି ଦେଲା । ଖଳି ତେଲୁଣିରେ ଢାଳି ଟିକେ ଚକଟା ଚକଟି କରି ଦେଇ ଚୁଲି ଉପରେ ବସାଇଲା । ତେଲୁଣି ଉପରେ ଖଳି କୁ ଲେସି ଦେଇ ପୁଣି କଦଳୀ ପତ୍ର ବହଳିଆ କରି ତେଲୁଣି ଉପରେ ଖଞ୍ଜି ଦେଲା ତ ଚୂଲିରୁ ଦାଉ ଦାଉ କାଠ ନିଆଁ ବହଳିଆ କରି ତେଲୁଣି ଉପରେ ଖେଳେଇ ଦେଲା । ଏବେ ତଳେ ନିଆଁ ଉପରେ ନିଆଁ ମଝିରେ ରହିଛି ବୁଢା ମିଆଁ । ଝିଅ ଭାତ, ବିରି ଡ଼ାଲି କରିଛି । ମାଛ ତୁଅଣ । ପଙ୍ଗତ ପଡ଼ିଗଲା । ରାତି ପହରେ ହେଲାଣି । ବିଲୁଆ ବୋବେଇଲେଣି । ବାପ, ଝିଅ ହେଁସ ଧଇଲେଣି । ପଦି ଚୁଲି ମୁଣ୍ଡେ ଜଗିଛି । ବେସି ଜଳିଲେ ପିଠା ପୋଡ଼ିଯିବ । କମ ସମୟରେ ଓହ୍ଲାଇଲେ କଞ୍ଚା ରହିବ । ସାଆନ୍ତାଣୀଙ୍କ ଠାରୁ ଶିଖିଛି । ଖଡ଼ିକାଟିଏ ଥରକୁ ଥର ପିଠାରେ ଫୋଡ଼ିଦେଇ କଞ୍ଚା ସିଝା ବାରୁଛି । ପିଠା ପଣା ବଡ଼ ନକ୍ସି କାମ । ଖୁବ ମୁଣ୍ଡ ଖର୍ଚ୍ଚ । ଓଡ଼ିଆ ଘର ଝିଅ ବୋହୁ ପିଠା ପଣାରେ ଓସ୍ତାଦ । ବାଉରି ଘର ସ୍ତ୍ରୀ ହେଲେ କଣ ହେଲା । ଦେଖା ଶିଖା ଓଡ଼ିଶା । ସାଆନ୍ତ ଘରକୁ ଯା ଆସରେ ପଦି ଅଧା ପାନ୍ତରିଆ ପିଠା ତିଆରି ଜାଣିଛି । ହେଲେ ମନ ଜଗତି ଉପରେ ଥାଏ କର୍ମ ବିଆଳି ବଛାଉ ଥାଏ । ମନ କାହାର ନାହିଁ । ଧନ ! ତଥାପି ଝଡ଼ ଝଞ୍ଜାକୁ ପିଠିକରି ପଦି ଡ଼ଙ୍ଗା ଚଳେଇଛି । ବାରିଲା ପିଠା ପାକଳ ହେଲାଣି । ବାସିଲାଣି । ଓହ୍ଲାଇ ଚୁଲିମୁଣ୍ଡେ ଥୋଇଦିଏ । ସକାଳୁ ଝଡ଼ା ଝଡ଼ି ହବ । ଦିପହରେ ଖୁଣ୍ଟ ପୂଜା । ଚକୁଳି ପୋଡ଼ ପିଠା ଲାଗି ଦିଆ ହେଲେ ଖିଆ ପିଆ ।
ଦଳିତମାନଙ୍କ ଖରାଦିନିଆ ଖାଦ୍ୟ
ବୈଶାଖ ମାସ । ଜମି ଖରୁଟି ଚାଷ ହବ । କତି ହବ । ଖତ ବୁହା । ଖତ ଖେଳା । ମରଦ ମାଇପିଙ୍କ ପାଇଁ କାମ ମିଳେ । ବୁଧିଆ ମନେ ଭୋର ଭୋରରୁ ହଳ ଯୋଚନ୍ତି । ଆଗ ଗୋଡ଼ିଙ୍ଗ ଲଙ୍ଗଳରେ ପଡ଼ିଆ ଭଙ୍ଗା ହବ । ଦି ତିନି ଓଡ଼ ଗୋଡ଼ିଙ୍ଗିରେ ପଡ଼ିଲା । ଏବେ ଅଧା ଫାଳି ଲଙ୍ଗଳ । ଧାନ ବୁଣା ବେଳକୁ ପଟା ଲଙ୍ଗଳ । ଧରମ ଦେବତା ମୁଣ୍ଡ ଉପରକୁ ଆସିଲେଣି । ବୁଧିଆ ମାନେ ହଳ ଫିଟାଇଲେ । ୫/୬ ଘଣ୍ଟା ହଳ । ୧୦ /୧୨ ଗୁଣ୍ଠ ଜମି ଚାଷ । ଝାଳ ନାଳ ହୋଇ ଘରେ ପହଞ୍ଚନ୍ତି ତ ଖାଇବେ । ଦେଢି ଧାନ ଚାଉଳ ସରିଆସୁଛି । ଘରେ ଭାତ ଗଣ୍ଡେ ରୋଷେଇ କରିଛନ୍ତି । ପେଟ ପୁରିବା ପାଇଁ କୋଳଥ ଯାଉ । ଶାଗ ଭଜା । ଆଜି କେହି ମାଛକୁ ଯାଇନାହାନ୍ତି । ଚଇତ ପରବ ଧୁମ ଧାମ । ବୁଧିଆ ମାନେ ନାଚିଲେ । ୪/୫ ଦିନ ଖିଆ ପିଆ ଜମିଲା । ପୁଣି ଯୋଉ କଥାକୁ ସେଇ କଥା । ହାଣ୍ଡି ମାଙ୍କଡ଼ ଚିତ । ସାଆନ୍ତ ଘରୁ ମୁଗ, ବିରି, କୋଳଥ ଉପାଡ଼ି ଯାହା ସବୁ ଅଟା ଆଣିଥିଲେ ଘରକେ ୫/୧୦ ଗୌଣି ରବି ମିଳିଥିଲା । ଜଗି ରଖି ଖର୍ଚ୍ଚ କରିବା ନାହିଁ । ଥୋରିଆକୁ ସେଥିରୁ କିଛି ବିକି ଚଇତି ପରବରେ ଉଡ଼ାଇଲେ । କୋଳଥ ଯାଉ । ମକଦ୍ଦମ ମାନେ ନାକ ଟେକନ୍ତି । ପେଟ ତ ପୋଡ଼ି ଯାଉଛି । ଦଳିତ ମାନେ ଯାଉରେ ମୁଠେ ଭାତ ଗୋଳେଇ ଖାଇଲେ । କୋଳଥ ଦେହକୁ କେତେ ସଲ ସେମାନେ ଜାଣି ନାହାନ୍ତି । ମକଦ୍ଦମେ ବି ବୁଝି ନାହାନ୍ତି । କୋଳଥ ଡ଼ାଲି, ଯାଉ ମାସକେ 5/7 ଥର ଖାଉଛ ତ ପେଟରେ ପଥର ହେବାର ନାହିଁ ।ଏବେ ଏବେ ଡ଼ାକ୍ତର ମାନେ କୋଳଥ ଡ଼ାଲି ମାହାତ୍ମ୍ୟ କହିଲା ପରେ ଉଚ୍ଚ ଜାତିଙ୍କର ହୋସ ଆସୁଛି । ଆରେ ବାଉରି ବାବର କୋଳଥ ଯାଉ,ଡ଼ାଲି ଖାଇବା ଦ୍ଵାରା ତାଙ୍କର ପେଟ ରୋଗ ନାହିଁ ।
ସାବି ଜାଳ କରିବାକୁ ତୋଟା ବାଡ଼ିକୁ ଯାଏ ତ । ଗାଈଆଳ ପିଲା ଗୋଠ ତୋଟାରେ ପୁରାଇ ଡ଼ାଳି ମାକୁଡ଼ି ଖେଳନ୍ତି । ବଳିଆ ଭୋଇ ପୁଅ ରମେଶ । ବୟସ ୧୭/୧୮ । ଗାଈ ଜଗେ । ସାବି ସାଙ୍ଗରେ ଗେଲ ଟାପରା ହୁଏ । ଝିଅ ପୁଅ କଥା । ଏ ଭିତରେ ରମେଶ ସାବି ପ୍ରେମରେ ପଡ଼ିଯାଏ । ସାଙ୍ଗ, ସାଥି, ପୁଅ ଝିଅ ଟୁପୁର ଟାପୁର ହେଲେଣି । କଥା କାନକୁ ପାଞ୍ଚ କାନ ହୁଏ । ତୁଣ୍ଡ ବାଇଦ ସହସ୍ର କୋଶ ହାଡ଼ି ବାଇଦ କୋଶେ । ଦିହିଙ୍କ ବାପା, ମା ଙ୍କ କାନକୁ ଗଲା । ସାଇ ଭାଇ ଝିଙ୍କାରିଲେଣି । ସମସ୍ତଙ୍କ ଗୋଟେ କଥା “ଆରେ ଗୋଦର ଗୋଡ଼ କଣ୍ଟା ପୋଲେ ପୋଲେ ଯାଉଛି । ବାପା ମା ଙ୍କ ନାଁ ପକେଇଲେ”। ରମେଶ ସାବିକୁ ଧରି ମାଉସୀ ଘରେ ଲୁଚିଲେ । ମୂଲିଆ ଘରତ । କାମ ଦାମ କରି ଖାଆନ୍ତି ପିଅନ୍ତି । ଘର ନିଆଁ ତ । ଅଣ୍ଟିରେ ପୁରାଇଲେ ଅଣ୍ଟି ଜଳିଯିବ । ମିଆଁ ବିବି ରାଜି ତୋ କ୍ୟା କରେଗା କାଜି । ଦୁଇ ବାପା ଯାଇ ପିଲାଙ୍କୁ ଆଣିଲେ । ବାହାଘର ହବ । ଦଳିତ ଘରେ ପୁଅ ବାହା ବା ଝିଅ ବାହା ସାହି ଭାଇଙ୍କ ଦାୟିତ୍ଵ । ପୁଅ ଘର ବୋହୁ ପାଇଁ କସ୍ତା ଖଣ୍ଡେ ଦିଖଣ୍ଡ । ଦିପଟ ପିତ୍ତଳ ଖଡୁ ଯୋଗାଡ଼ କଲେ ହେଲା । ଝିଅ ଘର ଝିଅ ପାଇଁ ଖଣ୍ଡେ କସ୍ତା । ଜ୍ଵାଇଁ ପାଇଁ ଖଣ୍ଡେ ତୁଳସୀପୁର ତନ୍ତ ଲୁଗା, ଖଣ୍ଡେ କଂସା, ପାରିଲା ଯଦି ଜ୍ଵାଇଁ ପାଇଁ ଖଣ୍ଡେ ଥାଳି ଯୋଗାଡ଼ କଲାତ ବଳି ପଡ଼ିଲା । ଭୋଜି ଭାତ, ବନ୍ଧୁ ବାନ୍ଧବ ଚର୍ଚ୍ଚା ସାଇ ଭାଇ ଦେଖିବେ । ବନ୍ଧୁ ବାନ୍ଧବ ମାନେ ଖୁବ ହେମତ ଦିଅନ୍ତି ।
୫୦/୬୦ ବର୍ଷ ତଳେ ସ୍ଵାଧୀନତା ସଂଗ୍ରାମୀ ସାମ୍ୟବାଦି ନେତା ବିପ୍ଳବି କବି ମନମୋହନ ମିଶ୍ରଙ୍କ ସଙ୍ଗେ ଏକାଠି ବସି କଥା ହବାର ସୁଯୋଗ ପାଇଥିଲି । ସେ ଚୀନ ରୁ ଫେରିଥାନ୍ତି । ମୁଁ ତାଙ୍କ ପାଖରେ ବୟସରେ ପିଲା । ମୁଁ ସରଳତାରେ ମୋର ସୀମା ଭୁଲି ଯାଇ ପଚାରି ଦେଲିକି, “ ଆପଣତ ବର୍ଷ ବର୍ଷ ଧରି ଭୂମି ଗତ ହଉଛନ୍ତି ପିଲା ଛୁଆଙ୍କ କଥା କିଏ ବୁଝୁଛି ?” ସେ ଭାରି ସ୍ନେହି ଲୋକ । ମୋତେ ହସି ହସି କହିଲେ, ”ନଟବର, ଜଣେ ବିପ୍ଳବୀକୁ ତା ପରିବାର ବାନ୍ଧି ରଖି ପାରିବ ନାହିଁ । ପିଲା ଛୁଆଙ୍କ କଥା ମୋ ସ୍ତ୍ରୀ ବୁଝନ୍ତି । ପିଲାମାନେ ପଢାଶୁଣା କରିଛନ୍ତି । ନିଜ ଗୋଡ଼ରେ ଠିଆ ହୋଇପାରିବେ ଏ ବିଶ୍ଵାସ ମୋର ଅଛି । ବଡ଼ ଝିଅକୁ ବାହା ଦେଇଛି । ସାନ ଝିଅ ଇଂଗ୍ରାଜୀରେ ଏମ.ଏ କରି ଆନନ୍ଦପୁର ମହିଳା କଲେଜରେ ଅଧ୍ୟାପିକା ଅଛି । ତାକୁ ତ ବାହା ଦବାକୁ ହେବ ….”। ମୁଁ ଟିକେ ବୋକାଳିଆ ପିଲା ତ । ସୀମା ସରହଦ ମୋତେ ମାଲୁମ ପଡୁନି । ତାଙ୍କ କଥା ନସରୁଣୁ ମୁଁ ପଚାରିଦେଲି, ”ଆପଣଙ୍କ ଝିଅ ତ ଉଚ୍ଚ ଶିକ୍ଷିତା । ତାଙ୍କ ପାଇଁ ପୁଅର ଅଭାବ ହବନି । ତା ଛଡ଼ା ଆପଣଙ୍କୁ କେହି ସାହସ କରି ଜାନି ଯୌତୁକ ମାଗିବେ ନାହିଁ” “ନଟବର ତୁମ କଥା ଠିକ । ଆମକୁ କେହି ଯୌତୁକ ମାଗିବେ ନାହିଁ । ମାତ୍ର ଝିଅଟିଏ ଯଦି ବାହା ଦବା ତାକୁତ କିଛି ପାଥେୟ ଦବା”। ଏ ପାଥେୟ କଥା ଟି ମୁଁ ବୁଝି ପାରୁନଥାଏ । ମୋର ହୋସ ନାହିଁ । ଏତେ ବଡ଼ ଲୋକ ଯେମିତି ମୋର ସାଙ୍ଗ ମୁଁ ପୁଣି ପଚାରି ଦେଲି, ”ସାର ଏ ପାଥେୟଟି କଣ” । “ନଟବର ଝିଅ ଟି ଯେତେ ବେଳେ ଅନ୍ୟ ଘରକୁ ଯିବ ସେ ରାତି ପାହିଲେ ରୋଷେଇ କରିବ । ସେ କଣ ଶାଶୁକୁ ଡ଼ାଲି, ଚାଉଳ, ପରିବା ମାଗିବ ? ତାର ଲୁଗା ପଟା ଦିଖଣ୍ଡ ପାଇଁ ସୁଟ କେସ ଖଣ୍ଡିଏ ତ ଦରକାର । ଏଇଆକୁ ପାଥେୟ କହିବା । ଚିନରେ ମୁଁ ବୁଝିଛି ଝିଅ ବାହାଘରରେ ଝିଅ ବାପର ଦ୍ୱାୟିତ୍ଵ କେବଳ ଝିଅ ପାଇଁ ଗୋଟେ ସେଟ ପୋଷାକ ଓ ଜ୍ଵାଇଁ ପାଇଁ ଗୋଟେ ସେଟ ପୋଷାକ ଦବ । ବାକି ଭୋଜି ଭାତ, ପାଥେୟ ବନ୍ଧୁ ଚର୍ଚ୍ଚା କମ୍ୟୁନ ତୁଲାଇବେ । କମ୍ୟୁନର ସବୁ ପରିବାର ସାହାଯ୍ୟ କରିବେ” । ମୁଁ ଭାରତ କଥା କହିପାରିବି ନାହିଁ । ଆମ ଓଡ଼ିଶାରେ ଦଳିତ ମାନେ ଠିକ ଚୀନର କମ୍ୟୁନ ଭଳି ଝିଅ ବାହା ଘର ବା ପୁଅ ବାହାଘରରେ ଖର୍ଚ୍ଚ ବାର୍ଚ୍ଚରେ ଅଣ୍ଟା ଭିଡୁଥିଲେ ।
ଦଳିତମାନଙ୍କ ଝିଅ ବାହାଘର ପର୍ବ
ଜ୍ୟୋତିଷ ଆସିଲେ । ଗଣା ପୋଛା ହେଲା । କନ୍ୟା ଲଗ୍ନରେ ବାହା । ବାଉରି ଘର କଣ ଜାତକ କାହାର ଅଛି ? ଜ୍ୟୋତିଷକୁ ସଞ୍ଚା, ଦକ୍ଷିଣା ଠିକ ଦେଇଛ ତ ସେ ତତକାଳ ଗ୍ରହ, ନକ୍ଷତ୍ର ଠିକ କରି ଗଣନା କରିଦେବେ । ଜ୍ୟୋତିଷ ଏକ ଠକାମି ବ୍ୟବସାୟ । ଏହାର କୌଣସି ବୈଜ୍ଞାନିକ ସ୍ଵିକୃତି ନାହିଁ । ମଣିଷର ଭୟ ଏମାଙ୍କର ଜୀବିକା । ସାଡ଼କୁ ଯିବାନି । ଦିନ ବାର ତ ଠିକ ହୋଇଗଲା । ମକଦ୍ଦମଙ୍କ ଡ଼ିହରେ କୁଡ଼ିଆ । ସମସ୍ତଙ୍କ ବାଡ଼ିରେ ସାରୁ, କଞ୍ଚା କଦଳୀ, ମାଟିଆଳୁ, କଖାରୁ, ବାଇଗଣ କମ ବେସି ଥାଏ । ପୁଅ ଝିଅ ଏକା ସାହିର ତ । ଖୁଣ୍ଟ ବାଉରିକୁ ତାଙ୍କ ସାହି ମୁରବିମାନେ ଠିକ କଲେ ଗୋଟିଏ ଭୋଜି ହବ । ଝିଅ ଘରେ ଭୋଜି ହବ । ସାହି ଭାଇ ବନ୍ଧୁ ବାନ୍ଧବ ମିଶି ୩୦୦/୪୦୦ ଲୋକ । ପୁଅ ଘର ଚାଉଳ ତକ ଦବ । ସାହି ପାର୍ଲାମେଣ୍ଟର ରୁଲିଂ । ସମସ୍ତେ ବନ୍ଧା । ବଳିଆ ବା ବୁଧିଆ କୋଉ ଗାଈର ଗୋବର । ମୌନେ ସମ୍ମତି ଲକ୍ଷଣ ।
ବାହାଘର ଆଗଦିନ ସାହି ମର୍ଦ୍ଦମାନେ ପରିବା ପତ୍ର ବାଡ଼ି ଘରୁ ତୋଳା ତୋଳି କରି ଝିଅ ଘରେ ଗଦା କରନ୍ତି । ବଳିଆ ତା ମକଦ୍ଦମ ଙ୍କ ଘରୁ ଡୋଲିଏ ଧାନ ଦେଢିକି ଆଣେ । ମକଦ୍ଦମେ ବିରି ବିରି ହଉଥିଲେ । ମକଦ୍ଦମୀଆଣି ଓକିଲାତି କଲେ । କହିଲେ ଦେଉଳ ତୋଳା କାମ ତାକୁ ଧାନ ଦିଅ । ସେ କାମରେ ସୁଝିବ । ବଳିଆ କୃତ କୃତ । ମକଦ୍ଦମ, ମକଦ୍ଦମିଆଣି ଙ୍କୁ କୋଠରେ ମୁଣ୍ଡିଆଟିଏ ମାରି ଧାନ ମାପିଲା । ବଳିଆ, ତା ସ୍ତ୍ରୀ ରଙ୍ଗ ଧାନ ମୁଣ୍ଡାଇ ଘରକୁ ଯାଆନ୍ତି । ବାହାଘର ଆଙ୍ଗୁଠି ଗଣତି ୭/୮ ଦିନ ଅଛି । ଲାଗିପଡ଼ି ଧାନ ଉଂଷେଇ କୁଟି ନାଲି ଉସୁନା ଚାଉଳ ୧୨ ଗୌଣି ବଳିଆ ମୁଣ୍ଡାଇ ସମୁଦି ଘରେ ଦାଖଲ କରେ । ପାଠକ ବନ୍ଧୁ ମାନେ ଖା ପିଆ ତ ଅଲବତ ହବ । ଗରିବ ଗୁରୁବା ଙ୍କ ଭୋଜି । ସେମାନେଙ୍କର ଆଁ କଲେ ଅନ୍ତ ଦିଶୁଛି । ବାହାଘର କାମ । ଅ ଠାରୁ କ୍ଷ ପର୍ଯ୍ୟନ୍ତ ଯୋଗାଡ଼ କରିବାକୁ ପଡୁଛି । ଟିକେ ଦଳିତଙ୍କ ଆଡ଼କୁ ଚାହାନ୍ତୁ । ଲାଗିଛନ୍ତି ତ । ଆଉ ତ ୩/୪ ଦିନ । ଭୋଜି ତ ଅଲବତ ହବ । ହେଲେ ବାଉରି ଘର ଭୋଜି । ଅଛୁଆଁ । ଆପଣ ମାନେ ତ ଉଚ୍ଚ ଜାତିର ଲୋକ । ତା ଭୋଜିରେ ଆପଣ ମାନଙ୍କର ନେଣ ଦେଣ ନାହିଁ । ଖାଲି ଜାଣିବେ । ଥୟ ଧରନ୍ତୁ ।
ମକଦ୍ଦମ ମାନଙ୍କ ପଡ଼ିଆ ପଦରରେ ଦଳିତଙ୍କ କୁଡ଼ିଆ । ମକଦ୍ଦମ ମାନଙ୍କର ସେନ ଆଖି । ପିଢାରେ କଖାରୁ କଷି ଦେଖିଲେ ତ ୪ଟା ଆଟିକା କରିଦେବେ । ଜମିଦାର ଘରକୁ ପଠା ହବ । ଟଙ୍କା ପଇସା ତ ଦଳିତ ମାନେ ଦେଇପାରିବେ ନାହିଁ । ଫଳେ ପୁଷ୍ପେ ଦେଲେ ଜମିଦାର ଖୁସି ହୋଇ ଦଳିତ ନାଁ ରେ ଜମି କରିଦେବେ । ମିଛ । ମକଦ୍ଦମେ ନିଜେ ପଣସ ଖାଇ ଜମିଦାର ନାଁ ରେ ଅଠା ବୋଳନ୍ତି । ବ୍ରାହ୍ମଣ । ଲୋଭୀ । ଉପର ହାତ ନାହିଁ । ସବୁବେଳେ ତଳ ହାତ । ୩୦/୪୦ ଦଳିତ ପରିବାରତ । ମକଦ୍ଦମ ମାନେ ନେଲା ପରେ ବି ଯାହା ଥିଲା ଭୋଜି ପାଇଁ ଯଥେଷ୍ଟ । ଭୋଜିରେ ଭାତ ତ ସାଧାରଣ କଥା । ମୁଗ ଡ଼ାଲି, ପରିବା ପତ୍ର ପଡ଼ି ଡ଼ାଲମାଟାଏ ହବ । ମାଛ ମହୁର । ଆମ୍ବୁଲ, ଦହି, ନଡ଼ିଆ, କିଛି ଗୁଡ଼ ପକାଇ ଆମ୍ବିଳ ।
ନଡ଼ିଆ ରସ ଖିରୀ ଆଉ କାକରା । ଗୋପାଳ ଭୋଇ ରୋଷେଇୟା । ବାଉରି ସାହିର ସମସ୍ତଙ୍କ ବାଡ଼ିରେ ୨/୩ ଟା ନଡ଼ିଆ ଗଛ । ମକଦ୍ଦମ ମାନେ ତରାଗଣା । ଆଖି ରଖିଥିବେ । ନଡ଼ିଆ ଶୁଖିଲା ତ ତୋଳାଇଲେ । ବେଲ ପାଚିଲେ କାଉର କି ଯାଏ । ମକଦ୍ଦମ ଗୁଡ଼ାକ ଯମ । ଯମସ୍ୟ କରୁଣା ନାସ୍ତି । ବୁଧିଆ, ବଳିଆ କାର୍ତ୍ତିକା ମାନେ ନଡ଼ିଆ ତୋଳି ଗଦା କରିବେ । ବସ୍ତାରେ ପୁରାଇ ମୁଣ୍ଡାଇ ଚାଲିବେ ମକଦ୍ଦମଙ୍କ ଘରକୁ । ମକଦ୍ଦମ ପରମ ଦୟାଳୁ ! ଗୋଟେ ଦିଟା ନଡ଼ିଆ ବଳିଆ ମାନଙ୍କ ପାଇଁ ଦେଲେ ତ ବଳି ପଡ଼ିଲା । ଅଗସ୍ତି ଦେଲେ ଦାନ ନା ମୂଷା ଲଣ୍ଡି ପରମାଣ । ପଦିମାନେ ରାଗରେ ପାଚିଯାନ୍ତି । ମନେ ମନେ ମକଦ୍ଦମଙ୍କର ସାତ ପୁରୁଷ ଓଝାଳି ପକାନ୍ତି । ପାଟି ଫିଟିବ ! ଓଃ ଲ ବାପା ।
୧୯୪୩/୪୪ ବେଳକୁ ଗାନ୍ଧୀ ନାଁ ଶୁଣା ଗୁଣା ହେଲାଣି । ଗାନ୍ଧୀଙ୍କ କଥା କାନରେ ପଡ଼ିଲାଣି । ଗାନ୍ଧୀ କହୁଛନ୍ତି ଛୁଆଁ ଅଛୁଆଁ ଉଠିଯିବ । ଲଙ୍ଗଳ ଯାହାର ଜମି ତାର । ମକଦ୍ଦମଙ୍କ ପିହ୍ଲେଇ ସରଦ । ଫଅଁ ଟିକେ କମିଯାଇଛି । ଗୋଠ ମାତିଲେ ଖଣ୍ଡିଆ ମାତେ । କାଳେ ଯଦି ବାଉରି ବାବର ମାତନ୍ତି ବରବାଦ କରିଦେବେ । ବାଘର ଫାଗକୁ ଭୟ । ଟିକେ ନରମ ପଡ଼ିଲେଣି । ଭୋଇ ସାହିରୁ ୪/୫ ଆସି ଘରେ ଘରେ କହିଲେ ବାହାଘରକୁ ନଡ଼ିଆ ତୋଳିବେ । ମକଦ୍ଦମ ଗୁଡ଼ାକ ମୁଣ୍ଡ ଟୁଙ୍ଗାରିଲେତ ହନୁମାନ ଦଳ ନଡ଼ିଆ ୪୦/୫୦ ତୋଳି ଗଦା କରିଦେଲେ । ନଡ଼ିଆ ରସ ଖିରୀ । ଚାଖିବେ । କ୍ଷୀର ତିଆରି ଖିରିକି ବଳିପଡ଼ିବ ।
ବାଉଁଶ ଖୁଣ୍ଟ ପୋତି ବାଉଁଶ ଧାରଣା ଦେଇ କଞ୍ଚା ନଡ଼ିଆ ବରଡ଼ା ଛାଉଣି କରିଦେଲେ । ଛୋଟ ଛାମୁଡ଼ିଆଟିଏ ବୁଧିଆ ଦୁଆରେ ଠିଆ କରାଇ ଦେଲେ । ଆଜି ବାହାଘର । ବଇସମ ଆସିବ । ବାହାଘର କରିବ । ଏକା ମାଧିଆ ବାଇଶି ପଳ । ମାଛ । ବାହାରି ପଡ଼ିଲେ ସୈନ୍ୟ ବାହିନୀ । ମର୍ଦ୍ଦ, ମାଇପେ, ପିଲାପିଲି ୩୦/୪୦ । ଖିଅ, ଜାଲ,ଭଉଁରୀ, ଜାଲ ପୋଳୁହ, କାଠି ପୋଳୁହ, ଖଇଞ୍ଚି, ଘୋରଣା ମାଛ ମରା ଯନ୍ତ୍ର ଧରି ପଶିଗଲେ ବଡ଼ ପୋଖରୀରେ । ୧୫ ଏକରର ପୋଖରୀ । ବଢି ପାଣି ପସିଛି । ହାଉଜାଉ ମାଛ ଗୋଟିଏ ଘେରା ତ ବୁଲି ଯାଇଛନ୍ତି । ଗଦା କରିଦେଲେ ୫୦/୬୦ ବିଶା ମାଛ । ସବୁ ମାଛକୁ ୨/୩ ଟା ଜାଲରେ ବାନ୍ଧିବୁନ୍ଧି ଛାତି ଫୁଲାଇ ବୁଧିଆ ଦୁଆରେ ଢାଳି ଦିଅନ୍ତି । ରୋହି, ଭାକୁଡ଼, ମିରିକାଳି,କଳାବଂଶୀ,ବାଳିଆ,ଚିତ୍ତଳ, ଜହ୍ଲା,ଚାନ୍ଦି,ମହୁରାଡ଼ି ଚୂନା ମାଛ ୪/୫ ବିଶା । ପନିକି ୪/୫ ଆଣି ମାଛ କଟା କଟି ବଛା ବଛି କରି ଦିଅନ୍ତି ।
ଘୋ ଘା ଆରମ୍ଭ ହୋଇଗଲାଣି । ଗୋପାଳ ତ ରୋଷେଇୟା । ବଡ଼ ପାଟିଆ । ତା ପାଟି ଚାଲିଥବ । ହତା ଡ଼ାଲି, ତରକାରୀ ଘାଣ୍ଟୁଥିବ । ୪/୫ ଜଣ ଯୋଗାଣିଆ । ଭାତ ରାନ୍ଧି କଦଳୀ ପତ୍ରରେ ଢାଳି ଦେଲେଣି । ଭଜା ମୁଗ ଡ଼ାଲି ୭/୮ ସେର, କଟା ପରିବା ୨/୩ ଟୋକେଇ ଡ଼ାଲମା ପାଇଁ ଥୁଆ ହେଲା । ବଡ଼ ସାଆନ୍ତଙ୍କୁ କହି ବୋଲି ହଣ୍ଡା ୨ ଟି, ବଡ଼ ପିତଳ କଡ଼େଇ, ହତା, ପିତ୍ତଳ ଡ଼ଙ୍କି, ଡ଼ାଲି ଚଟୁ ରୋଷେଇ ସଜ ବୁଧିଆ ମଉସା ଆଣିଛନ୍ତି । ଉଦି ଭାଇନାଙ୍କ ବରାଦରେ ତେଲ ମସଲା କିଣା ହେଇଛି । ସବୁ ମଣିଷର ଜିଭ ତ ସମାନ । ରୋଷେଇ ଭଲ ମନ୍ଦ ବାରିବ । ମାଇପି, ମର୍ଦ୍ଦ,ବାଳବଚ୍ଚା ସମସ୍ତେ ଲାଗିଯାଇଛନ୍ତି । ଡ଼ାଲମା ବସିଲା । ଭାତ ପଛେ ପଛେ ଡ଼ାଲମା ତ ଟିକେ ଚାଖୁଣିଆ ଲାଗିବ । ସମସ୍ତଙ୍କ ଆଖି ମହୁର ଉପରେ । ଗୋପାଳ ଡ଼ାଲମା ଛୁଙ୍କ କରନ୍ତି । ବାଉରି ମୁଣ୍ଡ । ସାଆନ୍ତ ଘର ସିନା ସୋରିଷ ତେଲ ମାଠିଆ ଖଟତଳେ ୪/୫ । ତଥାପି ତେଲ ଅଧ ସେର ଖଣ୍ଡେ ଢାଳି, ନାଲି ଶୁଖିଲା ଲଙ୍କା, ପଞ୍ଚ ଫୁଟଣ, ଜୀରା ଫୁଟାଇ ଡ଼ାଲମା ସିଝାରୁ ୮/୧୦ ହତା କଡ଼େଇରେ ଢାଳି ଦିଅନ୍ତି । ୨/୩ ଫୁଟଣା ଆସିଲା । ଘଡ଼ ଘଡ଼ ଶଦ୍ଦ । ବାସ ଚହଟିଲାଣି । ମୁଗ ଡ଼ାଲମାକୁ ନଡ଼ିଆ ଭାଗ, ଜମି ଯିବ । ନଡ଼ିଆ ୩/୪ ଟା କୋରି ପକାଇ ଦେଇ କରେଇରୁ ହଣ୍ଡାକୁ ଢାଳିଦେଲା । ବହଳିଆ ଡ଼ାଲମା । ମୁଗ ଡ଼ାଲି ସରି ସରି । ସାରୁ, ମାଟିଆଳୁ, କଦଳୀ, ବାଇଗଣ, କଖାରୁତ ପଡ଼ିଛନ୍ତି । ମାଇପେ ଜୀରା ଲଙ୍କା ଚୂନା କରିଥାନ୍ତି । ଚୂଲିରୁ ହଣ୍ଡାକୁ ଓହ୍ଲାଇ ଗୋପାଳ ଜୀରା ଲଙ୍କା ଚୂନା ଛଟାଙ୍କିଏ ଖଣ୍ଡେ ହଣ୍ଡାରେ ବୁଲାଇ ଦିଅନ୍ତି । ଡ଼ାଲମା ଅଥୟ । ମୋତେ ଖାଅ, ମୋତେ ଖାଅ ରଡ଼ିକଲାଣି ।
ମହୁର । ଏକା ମାଧିଆ ବାଇଶି ପଳ । ମାଛ କଡ଼େଇରେ ହାଲକା ଭଜା ହେଇ ୩/୪ ଟା ବାଉଁଶ ଟୋକେଇରେ ଥୁଆ ହେଲାଣି । ଉଦି ଭାଇନା ନାମି ରୋଷେଇୟା । ଗୋପାଳ ତାଙ୍କ ଠାରୁ ମହୁର ରନ୍ଧା ଶିଖିଛି । ଜୀରା, ଲଙ୍କା, ସୋରିଷ, ଅଦା ସେରେ ଦେଢ ସେରେ ବଟା ହୋଇ ହାତ ପାହାନ୍ତାରେ ରଖାଗଲା । ମହୁରରେ ମାଟିଆଳୁ ସାରୁ ଭାଗ ବେଶି । କଞ୍ଚା କଦଳୀ ୨/୩ ଫେଣା କଟା ହୋଇ ହଳଦୀ ପାଣିରେ ପଡ଼ିଛି । ଶୁଖିଲା ରଖିଲେ ମହୁର କଳା ଦେଖାଯିବ । ପାଚିଲା ବୋଇତି କଖାରୁ ଦି ଟା ବି କଟା । ଗୋପାଳ ଡ଼ାଲମାକୁ ହଣ୍ଡାରୁ ମାଟି କୁଣ୍ଡରେ ଢାଳି ଦେଲା । ମହୁର ନୁହେଁ କି ବେସର ନୁହେଁ ଦିଆଡ଼କୁ ପାଇବ । ତିନି ହଣ୍ଡା ହେଲେ ସଭାକୁ ପାଇବ । ମାଛତ ବୁକା । ବନ୍ଧୁ ବାନ୍ଧବ ଘରୁ ପରିବା ଭାର ୪/୫ ଟି ଆଣିଲେଣି । ଖମ୍ବ ଆଳୁ ୧୦/୧୫ ବିଶାର ଗୋଟେ ଭାର ଆସିଛି । ଗୋପାଳ ଦେଖିଲା ବୁଧିଆ ଶଶୁର ଘରୁ ବୁଢା ପାଣି କଖାରୁ ୫/୬ ଟା ଅଂଗେ ଆସିଛି । ଆମ୍ବୁଲ ଖଟାକୁ କାଟି ପାଣିକଖାରୁ ଖଟା ବରାଦ କଲା । ପୁଣି ପରିବା କଟା କଟି ଚାଲିଲା ।
ଦିନ ଦିପହର ହେଲାଣି । ଗୋପାଳକୁ ଖୁଣ୍ଟ ବାଉରି ତାଗିତ କଲେଣି, ”ହାତ ଫୁର୍ତ୍ତି କର । ଜୋଇଁ ପକ୍ଷ ଆସିବା ବେଳ ହେଲାଣି” । ଗୋପାଳ ଟିକେ ଟିଙ୍ଗା । ତା ମୁଣ୍ଡକୁ ପିତ୍ତ ଚହଟି ଯାଏ । ଖୁଣ୍ଟ, ଫୁଣ୍ଟ ନମାନି ଜବାବ ଦିଏ, “ମୁଁ ତ ଗୋଟେ ମଣିଷ । କଣ ଫାଡ଼ି ହୋଇଯିବି । ତୁମେ ଜେଜେ ଥୟ ହୋଇ ବସ । ମୁଁ ବେଳାକୁ ନସାରିଲେ କାର୍ତ୍ତିକା ଭୋଇ ପୁଅ ନୁହେଁ” । ବୁଧିଆ ବରାଦ କଲା । ପାଟକପୁରା କଦଳୀ କାନ୍ଦିଟାଏ ପଚାଇ ଥେଲା । ମାଉସୀ ଘରେ ଗାଈ ଦୁହାଁ । ୨/୩ ସେର କ୍ଷୀର ପଠାଇଛନ୍ତି । କଞ୍ଚା କ୍ଷୀର, କଦଳୀ ୨/୩ ଫେଣା,ଗୁଡ଼ ବିଶାଏ ଚକଟି ଗୋଲମରିଚ ଗୁଣ୍ଡ ଟିକେ ବୁଲାଇ ଦେଲା । ଖୁଣ୍ଟ ମୁରବି, ଗୋପାଳ, ଆଉ ସବୁ ଯିଏ ଖଞ୍ଜାରେ ଥିଲେ ଘଡ଼ିଏ ଘଡ଼ିଏ ପଣା ପାଇ ଦେଲେ । ଗୋପାଳ ଥୟ । ହଣ୍ଡା ବସାଇ ପରିବା ଯୋଗାଡ଼ି ଦେଲା । ପରିବା ଶିଝୁଛି ଆର ଚୂଲିରେ କରାଇ ବସାଇ ତେଲ ଅଧ ସେରେ ଢାଳି ଫୁଟଣଟାଏ କଲା । ଫୁଟଣ ବାସ ଆସିଲାତ ବଟା ମସଲାକୁ ତିନି ଭାଗ କରି ଭାଗେ କରେଇରେ ପକାଇ କସିଲା । ମସଲା ପାଚି ଗଲାତ ପାଣି ମାଠିଆଏ ଢାଳି ଫୁଟାଇଲା । ଭଜା ମାଛକୁ ୩ ଭାଗ କରି ଭାଗେ ପ୍ରାୟ ୧୨/୧୪ ସେର ହବ କରେଇରେ ପକାଇଲା । ୮/୧୦ ଫୁଟଣା ଆସିଲାତ ହଣ୍ଡାରେ ଢାଳି ତେଜପତ୍ର ପୁଳାଏ ଛାଡ଼ିଦେଲା । ମହୁର ମହକରେ ଫଟାଇଲାଣି । ମାଟି କୁଣ୍ଡ ୪/୫ ଟି ତ ଥୁଆ ହୋଇଛି । ମହୁରକୁ ଖଣତାରେ ଘଣ୍ଟା ଘଣ୍ଟି କରି ମାଛକୁ ଭାଙ୍ଗି ଦଉଥାଏ । ଡ଼ାବରେ ମହୁର ନାକ ପାଖକୁ ଆଣି କଣ ବାରିଲା ସପନାକୁ ଡ଼ାକି ହଣ୍ଡା ଓହ୍ଲାଇଲା । ପରିବା ପୁଣି ୪/୫ ଟୋକେଇ କଟା ହେଲାଣି । ଆଉ ଦି ହଣ୍ଡା ମହୁର ତିଆରି କଲା । ଆମେ ତ ଦେଖଣା ହାରି । ଗୋପାଳ କଥା ତାକୁ ଦମମଜାର । ଗାମୁଛାରେ ଝାଳ ପୋଛି ପକାଉ ଥାଏ । ପଦି ପାନ ଭାଙ୍ଗି ଖଞ୍ଜାରେ ସମସ୍ତଙ୍କୁ ଖଣ୍ଡେ ଦିଖଣ୍ଡ ଲଗାଇଲା । କ୍ଷୀର ବସିବ ।
ଜୋଇଁ ଘର ସାହିରୁ ଭିତିରିଆ ଆସି ରୋଷେଇର ଡ଼େରି ସହଳ ଖୁଣ୍ଟ ଭୋଇ ଙ୍କ ଠାରୁ ବୁଝନ୍ତି । “ତୁ ଯାଆ ଆଉ ଦିଘଡ଼ି ଛାଡ଼ି ବାହାରିବ । ଭୋଜି ଭାତ ତରବରିଆ କାମ ନୁହେଁ । ରହି ସମ୍ଭାଳି କରୁଛୁ” । ଗୋପାଳ ବରାଦରେ ଶୁଖିଲା ନଡ଼ିଆ ୨୦’/୨୫ ଟା କୋର ହୋଇ ଥୁଆ ହୋଇଛି । କରେଇରେ ଗରମ ପାଣି କରି ସବୁ କୋରା ନଡ଼ିଆ ପାଣିରେ ପକାଇ ଦିଏ । କରେଇ ଓହ୍ଲାଇ ଦୁଇ ହାତରେ ଚିପୁଡ଼ି ପକାଏ ନଡ଼ିଆ ରସ ୨ ମାଠିଆ ଅନ୍ଦାଜ ମିଳେ । ୧୦/୧୫ ସେର କ୍ଷୀରର ଦଲମ । ବଡ଼ ତାଡ଼ିଆ ଟିଏ ଆର ଚୂଲିରେ ବସିଲା । ଉଦି ଭାଇନାଙ୍କ ଠାରୁ ମାଗି ସେରେ ଦିସେରେ କଳାଜିରୀ ଚାଉଳ ଆଣିଥାଏ । ବାସନା ଚାଉଳ । ଗୋପାଳ ପାଖେ ଥୋଇଦେଲା । ନଡ଼ିଆ ରସ ପାଣି ଫୁଟିଲାତ ଗୋପାଳ ଅନୁମାନରେ ଚାଉଳ ପକାଏ । ସେରେ ଖଣ୍ଡେ ଗୁଡ଼ ଛାଡ଼ିଦେଲା । ତେଜ ପତ୍ର ୮/୧୦ ଟି ପଡ଼ିଲା । ଫୁଟିଲା । ଫୁଟିଲା ଯେ ଚାଉଳ ମିଳେଇ ଗଲା । ଖିରୀ ବହଳିଆ ହୋଇଛି । ମାଟି ତାଡ଼ିଆ ଗାମୁଛାରେ ଧରି ମଳାରେ ଥୋଇଦେଲେ । ନଡ଼ିଆ ବାସନା ଫଟାଇ ଦଉଛି । ଏବେ ନମିଳନ୍ତି । ସଭା ବସିବ ତ ଶେଷରେ ଖିରୀ, ପିଠା ଲାଗିବ ।
ସବୁ ତ ସରୀରେ ଚାଲିଛି । ହଠାତ ଗୋଟେ ବୋମା ଫୁଟିଲାକି । ସମସ୍ତେ ତାଟକା । ବର ଘର ସାହି ସପନାର ପୁଅ ବସୁଆ । ବୟସ ୧୭/୧୮ ବର୍ଷ ହବ । ପାଟି କରି ତ ଫଟାଇଲା । କଥା କଣ ? ଲୋକ ଗଦା ହୋଇ ପଡ଼ିଲେଣି, “ହଇଓ ଜେଜେ । ତୁମେତ ଖୁଣ୍ଟ ମୁରବି । ନକହି ନବୋଲି ପୁଅ ଝିଅ ଦିଟା ୩/୪ ମାସ ଫେରାର ହୋଇଗଲେ । ଏବେ ବାହାଘର । ଜ୍ଵାଇଁ ଆସିବାର ନାହିଁ କି ଆମେ ଭୋଜିରେ ପୁରିବୁନି । ଆଗ କଥା ପଡୁ …”। “ହଇରେ ତୁ କିଏ ବେ ? ତୋର ଗୁହୁ ଡ଼ିମ୍ବ ଭାଙ୍ଗିଲାଣି ? ଗାଲ ଚିପି ଦେଲେ ଦୁଧ ବାହାରି ପଡ଼ିବ । ହେ ଗୋପାଳିଆ ମୋ ଠେଙ୍ଗଟା ଦବୁ ଟି । ମୁଁ ଏ ଟୋକା କୁ ଏମିତି ପାନେ ଦେବି ଯେ ବୋପା ବାହାଘର ମନେ ପଡ଼ିଯିବ । ଆରେ ନୂଆ ଡ଼ାହାଣୀ ଗୂହ ଖାଉଛି” । ବୁଧିଆ ମାଲୋ ଧନଲୋ କରି ବାସୁଆକୁ କୁଡ଼ିଆ ଭିତରକୁ ଟାଣି ନେଲା । ୨ ଟି ପାଚିଲା କଦଳୀ ଧରାଇ ଦେଲା । ବାସୁଆର ମୁଣ୍ଡରୁ ପିତ ଖସି ପଡ଼ିଲାଣି । ଚୋର ପଟିଆ ହୋଇ ବିଲେ ବିଲେ ଦୌଡ଼ିଲାଯେ ଆଖି ପିଛୁଳାକେ ସାହିରେ ହାଜର ।
ପାଣି କଖାରୁ ୪/୬ ଟା କଟା ସରିଛି । ଗୁଡ଼ ବିଶାଏ ଦେଢ ବିଶା, ଆମ୍ବୁଲ ୮/୧୦ ଫଡ଼ା ଆସିଲା । ପାଚିଲା ପାଣି କଖାରୁ । ସିଝିବାକୁ ଟିକେ ସମୟ ଲାଗିବ । ଗୋପାଳ ଟିକେ ଦମ ନେଉଛି । ବିଡ଼ି ଖଣ୍ଡେ ଟାଣିଲାଣି । ଆଲୋ ପଦି ! କାକରା ଛଣା ସରିଲା ତ ? ମୋର ତ ଆଉ ୧୦/୧୫ ମିନିଟରେ କାବାର”। ପଦି କାକରା ଟୋକେଇଏ ଆଣି ଥୋଇଲା । ତେଲ ପାଇନି । ଶୁଖିଲା, ଠାଏ ଠାଏ ପୋଡ଼ି ଯାଇଛି । ଆରେ ମହୁରତ ପାଟି ବାନ୍ଧି ପକାଇବ । ନଡ଼ିଆ ରସ ଖିରୀ । କାକରା ଟିକେ ଊଣା ପଡ଼ିଯିବ । ଯାଉ । ଏତିକି ମିଠା ତ ଖାଇହେବନି । କାକରାକୁ ପଚାରୁଛି କିଏ ।
ଆରେ ଜୋଇଁ ଆସିଲାକି । ନରିଆ ଭୋଇ କଣ ଶଙ୍ଖ ବଜାଇଲାଣି । ହଁ ତ ଜୋଇଁ ଶଗଡ଼ ଗାଡ଼ିରେ ସଲଟଣରେ ଆସୁଛି । ବଳି ବଡ଼ ମକଦ୍ଦମଙ୍କୁ ପାକଳେଇ ଶଗଡ଼, ତାଟ କଇଁ ଫୁଲିଆ ବଳଦ ହଳେ ଯୋଚି ଆଣିଛି । ବେକରେ ଘଣ୍ଟି । ଶବଦ କରୁଛି । ତାଟି ଭିତରେ ରମେଶ ବେସ ପୋଷାକ ହୋଇ ବସିଛି । ବରଯାତ୍ରୀମାନେ ଧାଡ଼ି ଲଗାଇଛନ୍ତି । ପିଲା ଛୁଆ ବଡ଼ ହୋଇ ୧୫୦/୨୦୦ ହେବେ । ବିଲେ ବିଲେ ତ ଶଗଡ଼ ପଛରେ ଧପାଲିଛନ୍ତି । ପଦି ତୁଳସୀପୁର ଖଦି ଖଣ୍ଡେ ପିନ୍ଧିଛି । ନୂଆ ଜୋଇଁ । ଓଢଣା ଟାଣି ଦଉଛି । ସାହି ଝିଅ ସାବିକୁ ନୂଆ କସ୍ତା ପିନ୍ଧାଇ, ଅଳତା ସିନ୍ଦୁର ଦେଇ ସଜ କଲେଣି । ସାବି ମୁରୁକି ମୁରୁକି ହସୁଛି । “ଆରେ ଆମ ବାହା ଘରତ କୋଉ କାଳରୁ ସରିଛି । ଲୋକ ଲଜ୍ଜାକୁ ଏ ଧନ୍ଦାଚାଲିଛି”। ଜୋଇଁକୁ ଆଣି ବେଦିରେ ବସାଇ ଦେଲେ । ବଇସମ ତୟାର, ନାହାକ ପୋଥି ଧରି ବସିଛି । ଗେଁ ଗାଁ ଶ୍ଳୋକ ବୋଲି ବଇସମ ବାହାଘର କର୍ମ ଆରମ୍ଭ କରିଦେଲେ । ଆରେ ସୋରଗରୁ ପଡ଼ି କଣ ଅଧବାଟରେ ଅଟକିବ । ନାଁ କୁ ବାହାଘର । ସେତ ହବ । ବରଜାତି ଚର୍ଚ୍ଚା ବଡ଼ କଥା । ବୁଧିଆ ସାହି ଟୋକା ଠିଆ ହୋଇଗଲେ । ସଭା ବସିଲା । ତୋକ ବେଳ । ମହାଜନ ବସିଗଲେ । ଗୋପାଳ ୟାଭିତରେ ଅଗ୍ନି ପୂଜା କରି ସାରିଲାଣି । ଭାତ, ଡ଼ାଲମା ମହୁର, ଖଟା ତା ପଛକୁ ପଛ ଲଗାଇ ଗଲେ । ମହୁର ଉପରେତ ମାଡ଼ । ଗୋପାଳ ଟିକେ ଲଙ୍କା ଭାଗ ଅଧିକ କରିଦେଇଛି । ସମସ୍ତେ ସୁସା । ହେଲେ ମାଛ ତ ସରି,ସରି । ଦାବିତ ଦେଇ ଯାଉଛନ୍ତି । ଘଡ଼ିରେ ଜଣେ ପାଣି ଲଗାଉଥାଏ । ହାପୁରିତ ଗଲେ । ମହୁର ୩/୪ ହାପୁରାକୁ ପାଣି କଖାରୁ ଆମ୍ବିଳ ଟିକେ ପାଟିରେ ମାରି ଦଉଥାନ୍ତି । ଖିରୀ ବେଳକୁ ପେଟ ଭର୍ତ୍ତି । ଆରେ ଏ କି ଖିରୀ ! ଭିଙ୍ଗାରପୁର ଜମିଦାର ତ ଏ ଖିରୀ ମହିମା ଜାଣିନଥିବେ । କାକରା କାମ କିଛି ନୁହେଁ । ଆକଣ୍ଠ ଭୋଜନ । ଉଠିଲେ । ବାହାଘର ପରେ ବେଦି ମୁହଁ ପୋଡ଼ା । ଏ କଥା ଏଇଠି ରହୁ । ଘୁଷୁରି ମାଉଁସ ଆଡ଼େ ଆଖି ପକାଇବା ।
ବାହାଘର ସରିଗଲା । ବନ୍ଧୁ ବାନ୍ଧବ ଅଛନ୍ତି । ବଳିଆର ହାତରେ ଗୋଡ଼ରେ ଲାଗିଲାନି । ସାହି ଭାଇ ବାହାଘର ଉଠାଇ ଦେଲେ । ବାଉରି ବାବର ଘୁଷୁରି ମାଂସ ଖାଆନ୍ତି । ଉଚ୍ଚ ଜାତି ଲୋକ ଖାଆନ୍ତି କିନ୍ତୁ ଲୁଚା ଛପାରେ । ଘୁଷୁରିଆ ଘୁଷୁରି ପହ୍ଲ ଚରାଉଛି । ବଳି ୨/୩ ଜଣକୁ ସାଙ୍ଗରେ ନେଇ ଗଜା ଘୁଷୁରିଟିଏ ମୂଲ ଚାଲ କଲେ । ତିନି ଟଙ୍କା । ୫/୧୦ ଲୋକ ଲାଗିଗଲେ । ପାଣିରେ ବୁଡ଼ାଇ ବୁଡ଼ାଇ ଘୁଷୁରିକୁ ପଞ୍ଚତ୍ଵ ପ୍ରାପ୍ତି କରାଇଲେ । କଦଳୀ ପତ୍ର ପକାଇ କେଳେଇ ପକାଇଲେ । ଭାତ, ଘୁଷୁରି ମାଂସ । ୧୫/୨୦ ସେର ମାଂସ । ବନ୍ଧୁ ବାନ୍ଧବ ସାହି ମୁରବି ୩୦/୪୦ ଲୋକ । ସେଇ ଗୋପାଳ । ଘୁଷୁରି ମାଂସ ତରକାରୀ ସାଧା ସିଧା । ମାଂସ ଶିଝିଲେତ ତେଲ ସରି ସରି । ସବୁ ମସଲା ବଟା ବଟି କରି ମାଂସରେ ଗୋଳାଇ ଦେଲାତ ଗୋଟିଏ ଧାନ ଉସୁଆଁ ତାଡ଼ିଆରେ ବସାଇ ଜାଳିଲା । ଘଣ୍ଟାକ ଭିତରେ କାମ ଫତେ । ଫୁରୁକୁଟିଆ ବାସି ଫଟାଇଲାଣି । ଦେଶୀ ଆଳୁ କିଛି କାଟି ପକାଇଛି । ବଳି ନୂଆ ସମୁଧିକୁ ନିମନ୍ତ୍ରଣ କରିଛି । ସମସ୍ତେ ବସିଗଲେ । ଗୋପାଳକୁ ଏକା ନିଅଣ୍ଟ । ପରସି ଦେଲା । ବୁକା ମାଉଁସ କେତେ ଖାଇବା ! ଗୋପାଳ ଆଉ ସମ୍ଭାଳି ପାରିଲାନି । ସେରେ ଖଣ୍ଡେ ମାଉଁସ, ନାଁ କୁ ଭାତ ଗଣ୍ଡେ ନେଇ ଚଲେଇ ଦେଲା। ତଥାପି ୪/୫ ସେର ମାଂସର ତରକାରୀ ଥାଏ । ପିଲା ମାଇପେ ଖାଇବେ ।
ଜ୍ୟୋଷ୍ଠ ମାସ । ବିହନ ଅନୁକୂଳ । ଉଦି ଭାଇନା ପାଣି ପାଗ ବୈଜ୍ଞାନିକ । ଭାଗତ ଘରେ ଆଲୋଚନା ହେଲା । ଉଦି ଭାଇନା କୁହନ୍ତି, “ଆରେ ଝିଙ୍କାରିତ ବୋବାଇ ଲାଣି । ଖରାରେ ତା ମୁଣ୍ଡ ଫାଟିଯାଉଛି । ବର୍ଷାର ଆଗା ଜଣା ଯାଉଛି । ବିହନ ପକାଇ ଯିବା । ବିଲରେ ୧୦/୧୫ ଦିନ ପଡୁ । ପହିଲି ଅଶାଢରେ ଫେଣ ଲଗା ଅସରାଏ ବର୍ଷା ହେଲେ ଅଗାଡ଼ି ଫୋଡ଼ ଗଛ”। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଅଖି ତୃତୀୟା । ବିହନ ଅନୁକୂଳ ପର୍ବ । ମାତ୍ର ଉପକୂଳ ଜିଲାମାନଙ୍କରେ ବର୍ଷାତ ଆଶାଢ ମାସରୁ । ସ୍ନାନ ପୂର୍ଣ୍ଣିମାରୁ ହବ । ମାସେ ବିହନ ବିଲରେ ପଡ଼ିଲେ ଖତିରା ହୋଇଯିବ । ଗଜା ମରୁଡ଼ିର ସମ୍ଭାବନା ଥାଏ । ସେଇଥି ପାଇଁ ଡ଼େରିରେ ଜ୍ୟୋଷ୍ଠ ମାସରେ ବୁଣା ବୁଣି । ବାହାଘରୁ ଚାଉଳ, ତେଲ ମସଲା କିଛି ବଳକା ଥାଏ । ବୁଧିଆ ଘରେତ ଏବେ ମାମୁଁ ମାଇଁ ଦୁଇ ପ୍ରାଣୀ । ବାଲା ବାଡ଼େଇ ୧୦/୧୫ ଦିନ ଖିଆ ପିଆ କଲେ । ଏବେ ଯଥା ପୂର୍ବମ ତଥା ପର । ଗଣ୍ଡେ ଦିଗୁଣ୍ଡା ଭାତ ନାଁ କୁ, ମଣ୍ଡିଆ ଯାଉ, କାଞ୍ଜି,ଶାଗ, ମୁଗ । ଓଳିଏ ଖାଇଲେ ଆର ଓଳିକି ନାହିଁ । ଦି ଜଣ କାମକୁ ଯାଉଛନ୍ତି । ସାଆନ୍ତଙ୍କର ୧୦/୧୫ ଏକର ଚାଷ । ହଳ ପାଳ, ଖତ ବୁହା, ଖତ ଖେଳା, କତି କାତି କାମ ମିଳୁଛି । ହେଲେ ବାଉରି ପେଟ ଗଣ୍ଡେ ଖାଇଲେ ଖଟିବେ । କୁଲଉନି । ବୁଧିଆର ଶଶୁର ଘର ଟିକେ ଚଳ ପକ୍ଷ । ଝିଅ ବାହାଘରକୁ ଭଲ ଦିଆନିଆ କରିଥିଲେ । ହେଲେ ଝିଅ ଘର ! ଧାନ ୧୦/୧୫ ଗୌଣି ମୁଣ୍ଡାଇ ବଡ଼ ଶଳା ପହଞ୍ଚେ । ବୁଧିଆର ଖୁସି ଦେଖିବ କଣ ? “ସାବି ମା ! ଦେଖେ ତୋ ଭାଇ ଆସିଛି । କଣ ଆଣିଛି ଦେଖ”। ପଦି ଭାଇକୁ ଦେଖି କୋଟି ନିଧି । ସ୍ନେହ ଶ୍ରଦ୍ଧା ଗରିବ ଧନୀ ମାନେନୀ । ପଦି ବଡ଼ ଭାଇକି କୁଣ୍ଡାଇ ପକାଇ ଗେଲ କରିପକାଏ । ସକାଳେ ମାଣ୍ଡିଆ ଚକୁଳି କରି ଖାଇଥିଲେ । ଦି ତିନିଟା ବଳି ଥିଲା । ଭାଇକୁ ଦିଓଟି ମାଣ୍ଡିଆ ଚକୁଳି ଧରାଇ ଦେଲା । ବୁଧିଆତ କାମରୁ ଫେରିଛି । ବଡ଼ ପୋଖରୀ ଆଡ଼େ ଗଲା । “ଭାଇ ଥା ମୁଁ ଆଉଛି” । ଦଳ ଝାଡ଼ି ପଶା କାଠିଆ ଚୁଙ୍ଗୁଡ଼ି ପାଏ ଖଣ୍ଡେ ଆଣି ପଦି ପାଖେ ଥୋଇଦେଲା । ପଦି ଚାଉଳ ସେରେ ଖଣ୍ଡେ ରାନ୍ଧିଛି । ବିରି ଯାଉ କରିଛି । ମାଛକୁ ଟାଉ ଟାଉ କରି ବାଛି ହଳଦି ପାଣି କରିଦିଏ । ଶଳା, ଭିଣେଇ ଏକାଠି ବସିଗଲେ । ଧାନ ଉସୁଆଁ ଉସିଁ ହେଲା । ୧୫/୨୦ ଦିନ ପାଇଁ ଭାତ ଚିନ୍ତା ନାହିଁ ।
ଟାଣି ଓଟାରି ହୋଇ ଶ୍ରାବଣ ମାସ ଯାଏ ଭିଡ଼ିଲେ । “ଦିଆକୁ ଦିଆ ଅଦିଆକୁ କବାଟ ଦିଆ” । ବୁଧିଆରତ ନିଜ ରକ୍ଷଣ ଅସମ୍ଭବ ସେ କାହୁଁ ପରକୁ ରଖିବ ? ଭୋଇ ବିରାଦରେ ସାମାଜିକ ବ୍ୟବସ୍ଥାକୁ ମାନିବାକୁ ହେବ । ବୁଧିଆ ଝିଅ ବାହାଘର କରିଛି । ସାହି ଭାଇ କିଛି କିଛି ସାହାଯ୍ୟ କଲେ । ଭୋଇ କୁଳରେ କାହାର ବା ସେମିତି ବୁକା ଅଛି ! ପର ଦିଆ ତିଅଣ ସୋଡ଼କେ । ଶହସ୍ର ଅଗମଳିଆରେ ଗୌଣି ପୁରେନି । ବୁଧିଆ ମାନଙ୍କର ବର୍ଷା ଚାରି ମାସ ଖାଇବା ନଖାଇବା ସହ ସମାନ । ପୁଅ ରବି ୧୦/୧୨ ବର୍ଷର ହବ ସାଆନ୍ତ ଖୁଣ୍ଟରେ ବନ୍ଧା । ବର୍ଷକୁ ୧୫ ଟଙ୍କା ଦରମାରେ ଚାକିରି । ପେଜ, ତୋରାଣି, ପଖାଳ, ଗରମ ଯାହାବି ମିଳୁଛି ଖାଉଛି । ତା ଚିନ୍ତା ନାହିଁ । ସ୍ଵାମୀ ସ୍ତ୍ରୀ ଦି ଜଣ ଖଟିବେ । ମୁଠେ ପେଟ ପୁରା ଖାଆନ୍ତେ । ସେତକ ବି ତାଙ୍କ କପାଳକୁ ନାହିଁ ।
ଦଳିତମାନଙ୍କ ବର୍ଷାଦିନିଆ ଖାଦ୍ୟ
ତିନି ଦିନ ହେଲା ଲଗାଣ ବର୍ଷା ଝଡ଼ । ପଞ୍ଚଗ୍ରହ କୁଟ । ବୁଧିଆ, ପଦିଙ୍କର ତିନି ଦିନ ହେଲା ଚୁଲି ଲାଗିନି । କାମତ ବନ୍ଦ । ଖାଡ଼ା ଉପାସ । ଝିପି ଝିପି ବର୍ଷା । ରାତି ଦିପହର ହବ । କିଟିମିଟି ଅନ୍ଧାର । ନିଶା ସାଇଁ ସାଇଁ ଗର୍ଜୁଛି । ଅଣ୍ଡିରା ବିଲୁଆ ମଝିରେ ମଝିରେ ବୋବାଉଛି । ମୁଣ୍ଡରେ ପୁଡ଼ାଟିଏ ମୁଣ୍ଡାଇ ରବି କୁଡ଼ିଆ ତାଟି ତଳେ ମୁଣ୍ଡ ଗୁଞ୍ଜି ଚୁପ ଚୁପ ଡ଼ାକେ,”ବା, ବା, ବୋଉ …..”। ପଦି ଉଠି ତାଟି ପିଠାଇ ଦେଖେତ ପୁଅ ଓଦା ସର ସର । କାନିରେ ପୁଅକୁ ପୋଛି ପକାଏ । ରବି ପୁଡ଼ାଟି ତଳେ ଥୋଇ କହେ “ବୋଉ ଚାଉଳ । ହାଣ୍ଡି ବସା”। ଚାଉଳ ଦେଖି ବୁଧିଆ ଠଉରେଇ ଗଲାଣି । ମୁଣ୍ଡ ଧଇଲା । ସାଆନ୍ତ ମଣିଷ ନୁହେଁ ଠାକୁର । ରବି କଣ ନକଲା ବାପା ମା ଙ୍କ ନାଁ ପକେଇଲ । ଆମ ସାତପୁରୁଷ ସାଆନ୍ତ ଘର ଖୁଣ୍ଟରେ ବନ୍ଧା ।“କିରେ ଏ କଣ କଲୁ। ସାଆନ୍ତ ପେଜ ତୋରାଣିରେ ଆମେ ବଞ୍ଚିଛୁ । ଏ ନିମକ ହାରାମ କାମ ……..”। କଥା ସରିନି ପଦିର ରଙ୍ଗ ଦେଖ “କ’ଣ ଗୁଡ଼େ ବକି ଯାଉଛୁ । ସାଆନ୍ତ ନା ତୋ ମା ଘଇତା । ତିନି ଦିନ ହେଲା କାମ ନାହିଁ । ସାଆନ୍ତ ମଣିଷଟି । ସେ କଣ ଜାଣି ପାରିଲାନି ଆମେ କଣ ଖାଉ । କିମିତି ବଞ୍ଚୁ । ପିଲାଟା ବାପା ମାଙ୍କ ବିକଳ ସହି ନପାରି ଚାଉଳ ଗଣ୍ଡେ ତ ଆଣିଛି । ଟଙ୍କା ସୁନା ତ ନୁହେଁ । ତାକୁ ତୁ ଓଲଟା ଝିଙ୍କାରି ପକାଉଛୁ”। ରବି ଆଡ଼କୁ ଚାହେଁ ତ ଆଉକି ରବି ଅଛି ! ପୁଣି ବର୍ଷା ପବନରେ ଦୌଡ଼ି ଦୌଡ଼ି ସାଆନ୍ତଙ୍କ ଗୁହାଳ ଘରେ ତା ନଡ଼ା ଶେଜରେ ଆଖି ବୁଜି ପଡ଼ିଗଲା । ଧାନ ହେଁସରୁ କୁଆ କେଇ ଥଣ୍ଟ ନେଲେ କଣ ସରିଯାଉଛି । ରବି ବାରିଲା ସାଆନ୍ତ ଘରେ ସମସ୍ତେ ଘୁଙ୍ଗୁଡ଼ି ମାରୁଛନ୍ତି । ବାରଣ୍ଡା ଘୁମରେ ଚାଉଳ । ଜଗି ରଖି ଚାଉଳ ନେଇଛି । ସାଆନ୍ତ ଘରେ କେହି ଜାଣିପାରିଲେ ନାହିଁ । ରବି ନିଃଶ୍ଵାସ ମାରିଲା ।
ସିନ୍ଦୁରା ଫାଟୁଛି । ବୁଧିଆ ରାତିରେ ଗରମ ଭାତ, ଶୁଖୁଆ ପୋଡ଼ା ଲଗାଇ ଗୁଣ୍ଡେ ବୁକାରେ ଖାଇଥିଲା । ତାଟି ଫିଟାଇ ଦୁଆରେ ଦେଖେ ତ ୧୦/୧୫ ଠେକ କଉ ସଲସଲ ହେଉଛନ୍ତି । ବର୍ଷାରେ ବଡ଼ ପୋଖରୀରୁ ଉଠି ଆସିଛନ୍ତି । ଅଜଗରକୁ ଦାତା ରାମ । ମୁଖେ ପଡ଼ିଲେ ରାମ ରାମ । ପିଟଣା ଖଣ୍ଡେ ଆଣି କଉ ଗୁଡ଼ାକୁ ବାଡ଼େଇ ମାଛ ପାଚିଆରେ ରଖେ । ସାବିତ ପର ଗୋତ୍ରୀ ହୋଇଗଲା । ପଦି ଉଠିଛି । ବୁଧିଆର ବରାଦ “ତୁ ମାଛ ବାଛ । ମୁଁ ଦୋକାନରୁ ଆସୁଛି”। ଚାଉଳ ସେରେ ଖଣ୍ଡେ ଗାମୁଛାରେ ବାନ୍ଧି ଚାଲିଲା ଶଙ୍କର ସାହୁ ଦୋକାନକୁ । ବାଟରେ ପଡ଼ିଗଲାକି ବଡ଼ ମକଦ୍ଦମଙ୍କ ନଜର । କିରେ ସକାଳୁ ସକାଳୁ କୁଆଡ଼େ ଧପଲେଇଛୁ । ଚୋର ଯେଉଁଠି ରାତି ପାହୁଛି ସେଇଠି । ବୁଧିଆ ନ ଶୁଣିଲା ଭଳି ଲମ୍ବା ପାହୁଲ ପକାଇ ଭାଗିସ । ଶିଶିରେ ଭଲ ମାଲପା ୪/୬ ପଳା,ବେସର ଛଟାଂକିଏ ହବ ଧରି ବାଡ଼ି ବାଟେ ବାଟେ ଘରେ ପହଞ୍ଚେ । ରାତି ପଖାଳ ଭାତତ ଅଛି । ଭାତ, ମାଛ ଭଜା ଦିହେଁ ଯାଗ ଖାଇ ନିଃଶ୍ଵାସ ମାରିଲେ ।
ପାଗ ଦେଲାଣି । ମେଘ ନାହିଁ । ବୁଧିଆ ସାଆନ୍ତ ଘରକୁ ବାଗେଇଲା । ମକଦ୍ଦମଙ୍କ ସାନ ପୁଅ ଅପର୍ତ୍ତି ଚାଷ ବାସ କଥା ବୁଝନ୍ତି । ୫୦/୬୦ ମାଣ ଜମି । ବୁଧିଆକୁ ଦେଖି କାମ ବରାଦ ହୁଏ । “ଆରେ ବୁଧିଆ । ପଦିର ତୋର ଯିବ । ଆଉ ୫/୬ ଜଣ ମାଇପି ମର୍ଦ୍ଦ ବରାଦ କରି ସେ ବଇକୁଣ୍ଠିଆ ଚକ ବାଛିବ । ଖେରୁଆ ପକେଇବ । ତୁ କତି କରିବୁ । ୨ ମାଣ ବିଲ ତ । ଦିନ ୨/୪ ଘଡ଼ି ଥିବ ସରିଯିବ”। ବୁଧିଆ ମନେ ମନେ ଖୁବ ଖୁସି । ଛାତିକୁ ଦଉଡ଼ି ପାଉନି । ଦିଟା ମରୁଜି ମିଳିବ । ଏଇଲେ ୮/୧୦ ଦିନ କାମ ମିଳିବ । ଦାଣ୍ଡ ଘର କଣୁ କାଙ୍କଟି ଧରି ଚାଲିଲା । ଘଳିଆ ମାରିବ । କୁଡ଼ିଆ ଚାଳରୁ ଦା ଟି ନବ କତି କରିବ ।୭/୮ ଜଣ କାମରେ ଲାଗିଗଲେ । ବୁଧିଆ ମୁଲିଆ ପୁଣି ଜାଣ ଗୁମସ୍ତା । ବଛାଳିଙ୍କୁ ତାଗିତ, “ଆଣ୍ଠୁ ପକାଇ ବାଛ । ଘାସକୁ ବିଣ୍ଡ ଦିଅ । ବୁଦା ଭାଙ୍ଗି ଖେରୁଆ ଦବ” । ସତେ ଯେମିତି ଆଜି ନୂଆ କାମ କରୁଛନ୍ତି । ବୁଧିଆ ଗୋଟେ ମାଗଣା ମାମଲତି କରୁଛି ! କାଦୁଅ ସର ସର ହୋଇ କାମରୁ ଉଠିଲେ । ପାଇଟି ସାରି ବସିବ ଭଗାରି ସାଧି ହସିବ । ମକଦ୍ଦମଙ୍କ ବରାଦ ମୁତାବକ ବୈକୁଣ୍ଠ ବଛା ସରିଗଲା ।
ଖଟିବେ ଖାଇବେ । ଦଳିତ ମାନଙ୍କର ନୀତି ଦିନର ଜୀବନ ଶୈଳି । ସକାଳୁ ପଖାଳ ଗଣ୍ଡେ ଖାଇଥିଲେ । ପଣା ହୋଇଗଲାଣି । ମରଦ ମାନେତ ବରାଦ କରିବା ଲୋକ । ଦିହେଁ ଖଟିଛନ୍ତି । ହେଲେ ପଦି ମାନଙ୍କର ବୋଝ ଉପରେ ଲଳିତା ବିଡ଼ା । ରୋଷେଇ କରିବେ । ମର୍ଦ୍ଦଙ୍କୁ ବାଢିବେ । ମୁଣ୍ଡ ବିକିଛନ୍ତି ତ । ଉଁ ଚୁଁ ହେଲେ ବିଧା, ଗୋଇଠା ନହେଲେ ଠେଙ୍ଗା । ବିଲ ବାଛି ସମସ୍ତେ ଅଣ୍ଟିଏ ଲେଖାଏ ଗେଣ୍ଡା ଆଣିଛନ୍ତି । ଖତ ମାଟି ଜମି ତ । ଗେଣ୍ଡା ମାନେ ଖୁବ ସୁସ୍ଥ ସବଳ । ଭାତ ବସାଇ ଗେଣ୍ଡା ଛଡ଼ାଇ ଗଲେ । ପ୍ରାୟ ସମସ୍ତଙ୍କ ଦୁଆରେ ଲଙ୍କା ଗଛ । ଲଙ୍କା ୫/୭ ବେସର ମୁଠାଏ ବାଟିପକାନ୍ତି । ତେଲୁଣିରେ ତେଲ ୨/୪ ଟୋପା ପକାଇଲେ ତ ଢେର । ଗେଣ୍ଡା ଭାଜିବତ ତେଲ ଉପରକୁ ଉଠିବ । ବେସର ପାଣି ଦେଇ ୪/୬ ଫୁଟଣା ପରେ ଓହ୍ଲାଇ ଦିଅନ୍ତି । ଗେଣ୍ଡା ତରକାରୀ ବୋଲି ନାକ ଟେକୁଛନ୍ତି କି ? ଭଲ ଗେଣ୍ଡା ଖୁବ ପୃଷ୍ଟିକର ଖାଦ୍ୟ । କେତେବେଳେ ଦଳିତ ଗେଣ୍ଡା ଖାଉଥିଲେ ବୋଲି ଉଚ୍ଚ ଜାତି ଗେଣ୍ଡାଳ କହୁଥିଲେ । ସମୟ ବଦଳି ଗଲାଣି । ଆଜି ଗେଣ୍ଡା ପାଞ୍ଚ ତାରକା ହୋଟେଲରେ ଆଗ ଧାଡ଼ିର ଆଇଟମ । ବଡ଼ ଲୋକଙ୍କର ପସନ୍ଦ । ବେଙ୍ଗ କହେ ବେଙ୍ଗୁଲିଲୋ ପୃଥିବୀ କ୍ଷଣ କ୍ଷଣକେ ଆନ । ପାଣି କାଦୁଅ କାମ । ଦହଡ଼ା ଭାତ, ଗେଣ୍ଡା ତୁଅଣ ଗ୍ରାସେ ଲେଖାଏଁ ମାରି ଉଠନ୍ତି । ରାତିକି ! ସ୍ତ୍ରୀ ଲୋକ ମାନେ ମଣିଷଟି ! କେତେ ଖଟିବେ । ବଳଦକୁ ବିଶ୍ରାମ ଅଛି । ମର୍ଦ୍ଦମାନେ କେହି କେହି ତାସ ବାଡ଼ଉଛନ୍ତି । ସ୍ତ୍ରୀଲୋକମାଙ୍କର ପୁଣି ଖଟଣି । ହେଲେ ରାତିକୁ ପଖାଳ । ଗେଣ୍ଡା ତରକାରୀ ରଖିଥାନ୍ତି । ଗରମ କଲେ ହେଲା ନହେଲେବି କଞ୍ଚା ଲଙ୍କା ଗେଣ୍ଡା ତରକାରୀ ଲଗାଇ ପଖାଳ ଖାଇଲେ । ଦିନକର କାମ ସରିଲା । ଚକେ ଗଲେ ବାର ମାସ । ଶୋଇବେ । ରାତି ପାହିଲେ ପୁଣି ଖଟଣି । ଥୋରିଆ ବଳଦ ଠାରୁ ଦଳିତ ଘର ସ୍ତ୍ରୀ ଲୋକ ମାନଙ୍କର ଜୀବନ ହୀନ ।
ଶ୍ରାବଣ ଭାଦ୍ରବ । ବର୍ଷା ମାସ । ନଈ ବଢି । ପ୍ରାଚୀରେ ବଢିତ ଗାଁ ଦାଣ୍ଡରେ ଡ଼ଙ୍ଗା ଚାଲିବ । ତୋଟା, ବାଡ଼ି, ଧାନ ବିଲ ସବୁଠି ଅଣ୍ଟେ ଛାତିଏ ପାଣି । ନଇରେ ଡଙ୍ଗା ସୁଅ ପଡ଼ିଥିବ । ଅକାତ କାତ ପାଣି । ଚାରି ଆଡ଼ ଜଙ୍ଗଲିଆ ତ । ପାଣି ଠିଆ ହେଲାତ ଜନ୍ତୁମାନେ ପ୍ରାଣ ବିକଳରେ ଉଚ୍ଚା ଜାଗାରେ ଆଶ୍ରୟ ନିଅନ୍ତି । ବାଘ ଗଛକୁ ଚଢିଯାନ୍ତି । ଉଈ ହୁଙ୍କା ମାଳ ମାଳ । ହୁଙ୍କାରେ କଣ୍ଟା ବୁଦା । ଶହ ଶହ ଠେକୁଆ । ପ୍ରାଣ ବିକଳରେ ହୁଙ୍କା ଉପରେ ଅଖିଆ ଅପିଆ ୫/୭ ଦିନ କଟାନ୍ତି । ବଢି ଛାଡ଼ିଲେ ତଳକୁ ଆସିବେ । ଠେକୁଆ ମାଂସକୁ ଦଳିତ ! ବିଲେଇ କପାଳକୁ ଶିଖା ଛିଣ୍ଡିଛି । ଚାରି ଆଡ଼େତ ଜଳାର୍ଣ୍ଣବ । ଠେଙ୍ଗା,ବାଡ଼ି, ଫାସ ଧରି ଦଳିତ ମାନେ ହୁଙ୍କା ଚାରିପଟେ ଘେରିଯାନ୍ତି । ବିଚରା ଠେକୁଆ ! ତାର ତାକତ କେତେ । ଚାରିଆଡ଼େ ପାଣି । ଏ କଂସେଇ ଗୁଡ଼ାଙ୍କ ଠାରୁ ବଞ୍ଚିବ କେମିତି । ଛୋଟିଆ ଜୀବ ଟିଏ । କି କଉତିକିଆ ଚେହେରା । ଖାସି ମାଉଁସ, ମେଣ୍ଢା ମାଉଁସ ପାଇଁ ଦଳିତ ଭାର୍ଜନ ନୁହେଁ । ମାଂସ ଟିକେ ବର୍ଷକରେ ଥରେ ଖାଇବନା ଦୟା ଦେଖେଇବ । ଖେପେକେ ୪/୫ ଠେକୁଆ ଶିକାର କରନ୍ତି । ୫୦/୬୦ ମର୍ଦ୍ଦ । ତଡ଼ା ଅଗରେ ଠେକୁଆକୁ ଝୁଲେଇ ଗାଁ ଦାଣ୍ଡରେ ଯାଉଥିବେ ତ ସ୍ଵର୍ଗ ଦିଅଙ୍ଗୁଳ । ସେତେ ବେଳେ ନଟ ସାର ତ ୮/୧୦ ବର୍ଷର ପିଲା । ମୋତେ ୩୦/୪୦ ବର୍ଷ ପର୍ଯ୍ୟନ୍ତ ପ୍ରାଚୀ ବଞ୍ଚିଛି । ବଢି ବେଳେ ଠେକୁଆ ଅଭିଯାନ ମୁଁ ଦେଖେ । ଆରେ ୫୦/୬୦ ଲୋକ ୪/୫ ଠେକୁଆ । କେତେ ମାଂସ ହବ କାହାକୁ ପାଇବ ? ମୁଁ ପଚାରି ଦିଏ । “ତୁମେ ବାବୁ ଜାଣିନ । ୫/୬ ଟା ହଊ ବା ଗୋଟେ ଦି ଟା ହଊ କେଳିଆ କେଳି କରି ବାଣ୍ଟି ଦେଲେ ଜଣକେ ଅଧ ସେରେ ମାଉଁସ”। ଆରେ ଠେକୁଆଟେ ଖୁବ ବେଶୀରେ ୩/୪ ସେର ମାଉଁସ ହେବ । ୫୦/୬୦ ଲୋକ । ଭାଗକେ ଅଧ ସେରେ କେମିତି ପଡ଼ିବ । ନଟ ସାରଙ୍କ ଅଙ୍କ ଭଲ ହୁଏ । ସେ ହିସାବ ପାଆନ୍ତିନି । ଅଧ ସେର ହଉବା ପାଏ ହଉ ଦଳିତ ମଉସା ମାନଙ୍କର ଯେଉଁ ଆନନ୍ଦ ଗରିବ ଲୋକଟି ପାଇଁ ଲକ୍ଷେ । ଘରେ ଘରେ ମାଉଁସ । ଠେକୁଆ ମାଂସ ଟିକେ ଚେମେଡ଼ା । ଶ୍ରାବଣ, ଭାଦ୍ରବକୁ ତ ଜ୍ଞାନ ମଞ୍ଜି ଦଳିତ ପାଖେ ନାହିଁ । ତେଲ ମସଲା କଥା କିଏ ପଚାରେ । ତଥାପି ଶଙ୍କର ସାହୁ ଦୋକାନରେ ଆଣ୍ଠୁ ଭାଙ୍ଗି ଠିଆ ହୁଅନ୍ତି । ଭଲ ତେଲ, ମସଲା ମସଲି କହି ବୋଲି ବାକିରେ ଆଣିବେ । ଧାନ କାଟିଲେ ଦୋକାନରେ ମାପିଦେବେ । ଶଙ୍କର ସାହୁ ଭଲ ଲୋକ । ଜଣକେ ଟଙ୍କାକର ବାକି ଦେଲେ ୫ ଟଙ୍କାର ଧାନ ଅସୁଲ କରିବ । ତିନି ମାସ ସତାର କରିବା । ଗୋପାଳ ଭଳି ସମସ୍ତେତ ରୋଷେଇର ଭାଗ ମାପ ପାଇନାହାନ୍ତି । ପୁଣି ମାଉଁସ ରୋଷେଇ । ହାଣ୍ଡିରେ ପାଣି ଫୁଟାଇ ମାଉଁସକୁ ପକାଇଦେଲେ । ଶିଝେଇଲେ, ଶିଝେଇଲେ ମାଂସ ତୁଳା । ମାଇପିଙ୍କ ଦ୍ଵାରା ମାଉଁସ ରୋଷେଇ ନୁହେଁ । ମରଦ ମାନେ ଅଣ୍ଟା ଭିଡ଼ନ୍ତି । ହାଣ୍ଡି ଓହ୍ଲାଇ ତେଲୁଣିରେ ଜୀରା, ଲଙ୍କା ଫୁଟାଇ ବଟା ଜୀରା ଲଙ୍କା, ସୋରିଷକୁ ପକେଇ ଦେଲେ । ୨/୪ ଫୁଟଣା ଆସିଲାତ । ଗରମ ମସଲା ଗୁଣ୍ଡ କରି ଛାଡ଼ି ଦେଲେ । ମାଇପେ ବଢା ବଢି କଲେ । ପତରରେ ଭାତ ବଢା ହେଲା । ମଳା କରି ମାଉଁସ ତରକାରୀ ୩/୪ ଡ଼ଙ୍କା ଢାଳିଦେଲେ । “ଆରେ ଏ କଣ ମାଉଁସ ମଳାରେ ଝୋଳ ଧାର ଲାଗି ଦୁଆରେ । ଝୋଳ ମାଟିରେ ଭେଦି ଯିବା ପୂର୍ବରୁ ଟାଊ ଟାଉ କରି ମାଟି ମିଶା ଝୋଳ ହାପୁରି ପକାନ୍ତି । ପାଠକେ ଆମେ ଉଚ୍ଚ ଜାତି ଦଳିତଙ୍କ ପାଇଁ କେଡ଼େ ନିଷ୍ଠୁର । ଜମି ବାଡ଼ି ଆମର, ତୋଟା ବାଡ଼ି ଆମର । ସେମାନେ ଖଟିଲେ । ଆମେ ଅଉଲ ଖାଇଲେ । ତାଙ୍କ ଖିଆ ପିଆ ଦେଖି ଆମେ ଥଟ୍ଟା କରିବା । ସେମାନଙ୍କୁ ସବୁବେଳେ ଛୋଟ ଆଖିରେ ଦେଖୁଛୁ । ଦଳିତର ଦିହ ସୁହା ହୋଇଗଲାଣି । ତଥାପି ସେ ଠେକୁଆ ତରକାରୀ ଦଳିତ ପାଇଁ ସ୍ଵର୍ଗ ସୁଖ ।
ଅଶିଣ କାର୍ତ୍ତିକ । ଖୁବ ତିରୋଟ ମାସ । ଦଳିତଙ୍କ ଘରେ ଚୁଲିରେ ହାଣ୍ଡି ବସିବା ପାଇଁ ଚାଉଳ ନାହିଁ । ମକଦ୍ଦମଙ୍କ ଘରେ କାମ ବି ନାହିଁ । ସେମାନଙ୍କର କାନ୍ଥ ଅଲୁଗୁଣି ଅଣ୍ଟା ସିନ୍ଦୁକ । ପେଟ ତ ସେ କଥା ବୁଝିବନି । ସାଆନ୍ତ ଘରକୁ କେତେ ଦେଢି ପାଇଁ ଯିବ । ବୋପା ରାଣ ଢିଙ୍କି ଗିଳ । କୁଆଡ଼େ ଆଖି ବୁଲାଇବାକୁ ନାହିଁ । ବୁଧିଆମାନେ ସାଆନ୍ତ ମାନଙ୍କ ଦାଣ୍ଡରେ ଠିଆ । ଧାନ ଡୋଳିଏ ଭରଣେ ଦେଢିରେ ନେବେ । ପୁଷ ମାସରେ ଧାନ କଟା କଟି ହେଲେ ସାଆନ୍ତଙ୍କ ଖଳା ବାଡ଼ିରୁ ଦେଢି ଧାନ ମାପିଦେବେ । କଥା କଣ କି ବୁଧିଆ ମାନେ କଟା ହଳା ସାଆନ୍ତ ବାଡ଼ିକୁ ଆଣନ୍ତି । ଅମଳ କଲେ । ସାଆନ୍ତଙ୍କ ଧାନ ମାପି ଦେଇ ଫଳେ ପୁଷ୍ପେ ଯାହା ବାଳିଲା ମୁଣ୍ଡେଇ ସାହିକୁ ଗଲେ । ଋଣଂ କୃତ୍ଵା ଘୃତଂ ପିବେତ । ଯାବତ୍ ଜୀବନ ସୁଖଂ ଭବେତ୍ । ଦଳିତ ବି ଚାର୍ବାକ ବାଟ ଧରନ୍ତି । ଧାନ ଚାଉଳ କରି ତ ଖାଇଲେ । ଭୋଜି ଭାତ କରିବେନି ? ମଉଜ ମଜଲିସ କଣ ଉଚ୍ଚ ଜାତିଙ୍କର ଏକଚାଟିଆ । କାର୍ତ୍ତିକ ପୂର୍ଣ୍ଣିମା ଆସିଲା । ଭୋଇ ବିରାଦଙ୍କର ବଣ ଭୋଜି । ୪ ସାହି ଭୋଇ ଏକାଠି ହୋଇ ଭୋଜି କରିବେ । ଗାଁ ଗାଁ ରେ ତ ବଡ଼ ବଡ଼ ଆମ୍ବ ତୋଟା । ଉସୁନା ଚାଉଳ ଘରକେ ସେରେ, ବାଡ଼ି ଘରୁ ପରିବା ଗଦା କରିଦେଲେ । ଗୋପାଳ ସାଫ । ପିଲାଛୁଆ, ମାଇପି, ମର୍ଦ୍ଦ ହୋଇ ଅଢେଇ ଶହ ତିନି ଶହ । ଦିନ ବେଳା ଭୋଜି । ତୋଟାକୁ ଲାଗି ପ୍ରାଚୀ । ନଇରୁ ମାଠିଆରେ ପାଣି ବୋହି ଆଣିଲେ । ମାଇପି ମାନେ ପରିବା କାଟିପକେଇଲେ । ବଳିଆର ଟିକେ ଚଳ ପକ୍ଷ । ଚାଉଳତ ଦେଇଛି । ଭଜା ମୁଗ ଡ଼ାଲି ୨/୩ ସେରେ ଦେଇଛି । ସେମାନଙ୍କ ସାମାଜିକ ସଂପର୍କକୁ ମାନିବାକୁ ହେବ । କିଏ କଣ ଦେଲା ଧରି ସାରଣା ନାହିଁ । ସପନା ଦୁଆରେ ଓଉ ଗଛ । ଓଉ ୧୫/୨୦ ଟି ଆଣିଛି ।
ଭାତତ ମାମୁଲି କଥା । ହବ । ଡାଲି, ପରିବା, ମାଛ ପଡ଼ି ଗୋଟେ ଝଡ଼ା ବେସର ହବ । ଓଉ ଖଟା । ତୋଟାରେତ ଭୋଜି । ଶୁଖିଲା ଡ଼ାଳ ହାଣି ଗଦା କରିଦେଲେ । ମକଦ୍ଦମଙ୍କ ତୋଟା । ହେଲେ ଉଁ ଚୁଁ ନାହିଁ । ମକଦ୍ଦମମାନେ ଜାଣିଛନ୍ତି ନାଗ ସାପ ଲାଞ୍ଜରେ ହାତ ମାଇଲେ ଚୋଟ ଖାଇବେ । ଗୋଠ ମାତିଲେ ଖଣ୍ଡିଆବି ମାତିଯିବେ । ଗୋପାଳ ବାବୁ ଭାତ ବସେଇଲେ । ପଲଟନ ଜାଲ,ପୋଳୁହ,ଭଉଁରୀ ଧରି ପ୍ରାଚୀରେ ପସିଲେ । ପଥର ପଡ଼ିଆ ଠାରୁ ସିଂହ ସାହି ପର୍ଯ୍ୟନ୍ତ ଘାଣ୍ଟିଲେ ତ ୩୦/୪୦ ସେର ମାଛ । ଶ୍ରାବଣ, ଭାଦ୍ରବରେତ ନଇରେ ବଢି । ମାଛ ଜାଆଁଳ ଭର୍ତ୍ତି । ୨/୩ ମାସ ଭିତରେ ପାଏ ଦୁଇ ପା ଲେଖାଏଁ ବଢିଯାଇଛନ୍ତି । ଗଜା ଭାକୁଡ଼, ରୋହି, ବାଳିଆ ଚୁଟା, ଚିତ୍ତଳ ଯାହା ଧରିଥିଲେ ରୋଷେଇ ପାଖେ ଗଦା କରିଦେଲେ । ପାଣିରୁ ଉଠିଛନ୍ତି । ଶିତୁଆ ଲାଗୁଛି । ବିଡ଼ି ଖଣ୍ଡେ ଲେଖାଏଁ ଟାଣି ଧୂଆଁ ଛାଡ଼ି ଦଉଛନ୍ତି । ଗଡ଼ ଜିଣିଛନ୍ତିତ । ସେଇ ମାଇପିଙ୍କୁ ବରାଦ, ମାଛ ବାଛ । ମର୍ଦ୍ଦଙ୍କର ହାତ ନଲାଗେ । ଗୋଡ଼ ନଲାଗେ ଚଟୁ ପିଠା ଖଣ୍ଡି ସୁଆଦ ଲାଗେ । ମାଛ ବଛା କାବାର ।
ବିଚରା ମାଇପେ । ଚାଉଳ ପକେଇଛନ୍ତି ଯିବେ କୁଆଡ଼େ । ବେସର ବଟା । ସୋରିଷ, ଜୀରା, ରସୁଣ, ଅଦା ଉଦି ଭାଇନାଙ୍କ ବରାଦରେ ଖାସା ମସଲା ଆଣିଛନ୍ତି । ଗରମ ମସଲା, ତେଜ ପତ୍ର ବି ଆସିଛି । ଗୋପାଳ ! ଅପାଳକ ରାଇଜକୁ ବିଜୁଳି ଲକ୍ଷେ ଟଙ୍କା । ଗୋପାଳ ରୋଷେଇୟା । ତାର ଛାତି କୁଣ୍ଢେ ମୋଟ । ବରାଦ କଲେ । ବଡ଼ ମକଦ୍ଦମଙ୍କୁ ସାଉଁଳେଇ ହଣ୍ଡାଟିଏ ଆଣିଛନ୍ତି । ଭାତ ୨/୩ ହଣ୍ଡା ଉଠି କଦଳୀ ପତ୍ରରେ ଢଳା ହେଲାଣି । ୨/୩ ଟା ମାଟି ନନ୍ଦିଆ ଆସିଛନ୍ତି । ବେସର ଢଳା ହବ । ନିତି ଦିନିଆ ଖିଆପିଆ ତ ବାହାଁଚ, ବେଟିଚ । ଭୋଜିଟା ଗୋଟେ ଭୋଜି ଭଳି କରିବା ନା । ବର୍ଷକେ ଥରେ ତ । ବର୍ଷକେ ଥରେ ଖା ମୁହଁ ମାଡ଼ି ପଡ଼ିଥା । ଗୋପାଳ କରେଇରେ ମାଛ ହାଲକା ଭାଜନ୍ତି । ଘଣା ସୋରିଷ ତେଲ ଶଙ୍କରା ମହାଜନ ଦୋକାନରୁ କହିବୋଲି ୨ସେରେ ଆଣିଛନ୍ତି । ଗଜା ମାଛ ତ । ବୁଡ଼ା ତେଲ ନହେଲେ ଗୁଣ୍ଡ ହୋଇଯିବ । ମାଛ ଭାଜି ୨/୩ ଟୋକେଇ ଭଜା ମାଛ ଥୋଇଦେଲେ । ଝଡ଼ା ବେସର । ମାଟିଆଳୁ ୨ ଭାଗ,କଖାରୁ ଭାଗେ, ଡ଼ାଲି ଭାଗେ ଦେଲେ ବୁଡ଼ି ପଡ଼ିବ । ଦାତାର ଘିଅ ସରିବ ବ୍ରାହ୍ମଣର ସୁହା କରିବାରେ ଅସୁବିଧା କଣ । ଗୋପାଳ ତେଲ ଫୁଟଣ ପାଗ କରି ମସଲା ତିନି ହାଣ୍ଡିକୁ ବାଣ୍ଟି ପକାଇଦିଅନ୍ତି । ମସଲା ବାସିଲାତ ସିଝା ପରିବା, ମୁଗ ଡ଼ାଲି ଅନୁମାନରେ ୩ ଭାଗ କରି ଭାଗେ ଢାଲିଦିଅନ୍ତି । ଭଜା ମାଛ ପକାଇ ହତାରେ ୮/୧୦ ଥର ଘାଣ୍ଟି ହେଲେତ ବେସର କାମ ଫତେ । ଗରମ ମସଲା ଗୁଣ୍ଡ ପକାଇ ମାଟି କୁଣ୍ଡରେ ଢାଳିଦେଲେ । ଧାରାତ ଗୋଟିଏ । ଆଉ ଦିହଣ୍ଡା ବେସର ହେଲା । ଓଉ ଖଟା । କସି ଓଉ । ଗୋପାଳ କଟା ଓଉକୁ ହାଲକା ଛେଚି ଦେଲେ । ତେଲ ଫୁଟଣ ପାଗ କରି ଓଉକୁ କସିଲେ କସିଲେ ତ ଓଉ ବାଦାମ ରଙ୍ଗ ଦେଖାଗଲା । ଗୁଡ଼ ବିସାଏ, କୋରା ନଡ଼ିଆ, ଲଙ୍କା, ସୋରିଷ ବଟା କିଛି ଦେଇ ୪/୬ ଫୁଟଣା ଦେଲେତ ଖଟା ଉଠିଲା । ନିଆଁରେ ତରକାରୀ ପତ୍ର ଟିକେ ଟିକେ ପକାଇ ସଭା ବସିବାକୁ ସବୁଜ ସଂକେତ ଦିଅନ୍ତି ଗୋପାଳ । ନରିଆ ଭୋଇ ଚାଖୁଣିଆ । ତାକୁ ନକହିଲେ ସଜ ମାଉଁସରେ ପୋକ ପକେଇଦବ । ପତ୍ର ପକାଇ ଗୋପାଳ ସବୁ ସବୁରୁ ଜଣେ ଲୋକର ଖୋରାକି କାଢି ଚାଖିବାକୁ ଦିଅନ୍ତି । ନରିଆ ପତ୍ର ଚାଟି ଦେଇ ୨/୩ ଟା ହାକୁଟି ମାରି ରାୟ ଦିଏ, “ ଗୋପାଳ ଭାଇ, ରୋଷେଇ ! ତୋ ହାତକୁ ମାନିବାକୁ ହବ । ସବୁ ଏକ ନମ୍ବର । କାହାକୁ ଖୁଣିବାକୁ ନାହିଁ । ଚାଖିବା କଥା ତ ! ସଭା ବସିଲେ ପେଟ ପୁରା ଖାଇବା” । ବଳିଆ ଭୋଇ ଦାନ୍ତ କଟ ମଟ କରୁଛି । ମନେ ମନେ କହୁଛି “ଆରେ ନରିଆତ ପେଟେ ଖାଇଲା । ତାର କଣ ପେଟ ନା ହାଇ କୋର୍ଟ । କହୁଛି ଚାଖିବା କଥା । ଶଳାର ଘରେ ବାସି ଓଳିକ ଦାନା ନାହିଁ । ଫୁଟାଣି କାଢୁଛି”। ଦିନ ଗଡ଼ି ଗଲାଣି । ପଙ୍ଗତ ବସିଲା । କାମ ସରୁ ସରୁ ସଂନ୍ଧ୍ୟା ।
କାର୍ତ୍ତିକ, ମାର୍ଗଶିର ମାସ । ଆଗକୁ ଧାନ କଟା । ବାଉରୀ ସାହିରେ ଗହଳ ଚହଳ । କାଚରା ଆସିଲେ । ଖଦି କସ୍ତା, ଶଙ୍ଖା,ସିନ୍ଦୁର, କାଚ ଲଗାଇ ଦେଇ ଗଲେ । ଧାନ କଟା କଟି ହେଲେ ଆସିବେ । ଧାନରେ ବାକି ଅସୁଲ କରିବେ । ତେଲୁଣି ବୁଢୀ ପସରା ନେଇ ସାହି ସାହି ରେ ବୁଲିଲା । ଡ଼ାଲି, ତେଲ, ମସଲା ଲଗାଇ ଦେଇ ଗଲା । ଧାନ ଅମଳ ହେଲେ ବାକି ଆଦାୟ କରିବ । ଗୁଡ଼ିଆ ଘର ବୁଢୀ ଆସିଲା । ଦିନେ ଛାଡ଼ି ଦିନେ । ମୁଢି, ଉଖୁଡ଼ା, ଜଲପି,ମିଠେଇ, ବରା ଗୁଲୁଗୁଲା ୨ ଟା କହିଲେ ୫ ଟା ଧରେଇ ଦେଲା । ଧାନ ଅମଳ ହେଲେ ଅସୁଲ ନବ । କୁମ୍ଭାରୁଣୀ ଆସିଲା । ହାଣ୍ଡି ମାଠିଆ, ଠେକି ଘରେ ଘରେ ଥୋଇ ଗଲା । ଧାନ ଅମଳ ହେଲେ ଆଦାୟ କରିବ । ତୁଳସୀ ପୁର ତନ୍ତି ମାନେ ଗହଳି କଲେ । ତନ୍ତ ବୁଣା ଶାଢୀ । ଧୋତି ଗାମୁଛା ଖଣ୍ଡେ ଜାଗାରେ ତିନି ଖଣ୍ଡ ମଡ଼େଇ ଦେଲେ । ବିଚରା ଦଳିତ ପୁରୁଷ ଟି କିଛି ବୁଝି ପାରୁନି । ସ୍ତ୍ରୀ ଲୋକ ଟି ବିକାଳିଙ୍କ କଥାରେ ଭଳି ଯାଉଛି । ଧାନ କେତେ ପାଇବ । ଏମାନଙ୍କୁ କେତେ ଅସୁଲ ଦବ । ଖାଇବତ ପୁଣି ୨/୪ ମାସ । କେତେ ରଖିବ । ଦେଉଳକୁ ମୁଖଶାଳ ବଳିପଡ଼ିଲାଣି । ହୋସ ନାହିଁ । ଗେଣ୍ଡା ଧୋଉ ଧୋଉ ନିର୍ବାଳ । କିନ୍ତୁ କାହାକୁ ଠକିବାର ନାହିଁ । ପାପ ହବ । ନର୍କରେ ପଡ଼ିବ । ମକଦ୍ଦମମାନେ ହୁଟ ହେଲେ ପାପ, ପୂଣ୍ୟ ନର୍କ କଥା କହି ଏମାନଙ୍କୁ ଡ଼ରାଇ ରଖିଥାନ୍ତି । ମନକୁ ବୁଝାନ୍ତି । କଣ ଗାନ୍ଧୀ କିଏ ବାହାରିଛି । ସେ ଛୁଆଁ ଅଛୁଆଁ ଉଠାଇ ଦବ । ଲଙ୍ଗଳ ଯାହାର ଜମି ତାହାର । ଆମକୁ ଜମି ମିଳିବ ! ଆମେ ଦେଉଳରେ ପସି ପାରିବୁ ! ରହରେ ଛୁଆଁ ଜାତି । ସମୟ ବଦଳୁଛି । ଆଗକୁ ଆମ ପାଳି । ଏତେ ସପନକୁ ରାତି ନାହିଁ ।
ଦଳିତଙ୍କ ଘରେ ପୁଷ ମାସ
ଦଳିତ ବି ଦିନ ଗଣିପାରେ । ପୁଷ ମାସ ଆସିଛି । ଧାନ କଟା କଟି ଚାଲିଲା । ବୁଧିଆ ମାନେ ମାଇପି ମାନଙ୍କୁ ସାଙ୍ଗରେ ନେଇ ଶୀତରେ ଥରି ଥରି ସାଆନ୍ତଙ୍କ ଧାନ କାଟନ୍ତି । କାକରରେ କାଟିଲେ ବେସି ଜମି କାଟି ହବ । କଚଡ଼ା ପକାଇଗଲେ । କଅଁଳ ଗାଧୁଆ ବେଳକୁ ଶୀତ ଦିନ ଖରା ଧାନ ଛିଣ୍ଡିଲା । ଆଉ କଟା ନୁହେଁ ଘରକୁ ଫେରିଲେ । ପୁଷ ମାସରେ ବାଉରୀ ହାଣ୍ଡିରେ ଭାତ । ରାତିକୁ ପଦି ମାନେ ଭାତ ରାନ୍ଧି ପଖାଳିଛନ୍ତି ଲାଗୁଆଣୀ କଣ । ବୁଧିଆ ମଉସା ଖୁବ ତରକା । ଆଗ ଦିନ ସନ୍ଧ୍ୟାରେ ଗୋଟେ ଭଙ୍ଗା ବାଉଁଶ ଟୋକେଇରେ ଶୁଖିଲା ସାହାଡ଼ ଡ଼ାଳ ଖଞ୍ଜି ଦେଲା । ଭାତ ଅଞ୍ଜୁଳାଏ ଟୋକେଇରେ ପକାଇ ବଡ଼ ପୋଖରୀ କୂଳରେ ପାଣି ଭିତରେ ରଖିଦେଇଛି । ସକାଳୁ ବିଲରୁ ସିଧା ବଡ଼ ପୋଖରୀରେ ପସି ଟୋକେଇଟି ପଦାକୁ ଆଣିଛି ତ ଟୋକେଇ ଭିତରେ ଗହଳ । ଟୁପୁର ଟାପର । ୧୦/୧୨ ଦଶରଥ ତଳ ଉପର କସରତ କରୁଛନ୍ତି । ବୁଧିଆ ମଉସା ସେମାନଙ୍କୁ ଟୋକେଇରୁ ଉଦ୍ଧାର କରି ଗାମୁଛାରେ ବାନ୍ଧି ଘରେ ହାଜର । ପିଟଣାଟିରେ ଗୋଟି ଗୋଟି କରି ପିଟି ଗଲେ । ଧାନ କଟା ବେଳ ତ । ନଡ଼ା ୨/୩ ବୋଡ଼ି ଘରୁ ଆଣିଛନ୍ତି । ନଡ଼ା ଜାଳି କଙ୍କଡ଼ା ମାନଙ୍କୁ ପୋଡ଼ା ପୋଡ଼ି କଲେ । କାଳିଆ କଙ୍କଡ଼ା ପୋଡ଼ାରୁ ବାସନା । ଖୋଳପା ଛଡ଼ା ଛଡ଼ି କରି ଶିଳ ଉପରେ ରଖନ୍ତି । ଦୁଆରୁ ୫/୭ ଟି କଞ୍ଚା ଲଙ୍କା ଆଣନ୍ତି । ତେଲୁଣିତ ଭଲ ତେଲ ଦେଇ ଯାଇଛି । ତେଲ ଉଭାଉପରେ ପକେଇ ଶିଳ ପୁଆରେ ଛେଚି ପକାଇଲେ । କଙ୍କଡ଼ା ଚଟଣି, ପଖାଳ ଭାତ ଜମି ଗଲା ।
ଆଗ ଦିନରୁ ମାଣେ ବିଲ କଚଡ଼ା ପଡ଼ିଥିଲା । ବାହାରିଲେ ଅଗ କାଟିବେ । ତିନି ଅଟଙ୍ଗାରେ ଚୋପେ । ୪ ଚୋପରେ ଗୋଟିଏ ମାଳେଇ ହଳା । ୧୦ ଟା ମାଳେଇ ହଳାରେ ୨ ଟା କଟା ହଳା । କଟା ହଳା ବନ୍ଧା ଟିକେ ଅଲଗା । ୪ ଅଟଙ୍କାରେ ଗୋଟେ ଚୋପ । ୫ ଚୋପରେ ଗୋଟେ କଟା ହଳା । ଦାବି ଦୁବି ହଳାଟି ବାନ୍ଧି ଦେଲତ ଗୋଟେ ଦନୁଜ । ପାଇ ନପାଇ ଦି ଗୌଣି (୫ କି) ଧାନ ହବ । ଜମି ମାଲିକ ଟିକେ ମୁରାଟ ଦେଖାଏ । କଟା ହଳା ଫିଟାଇ ଅଟଙ୍ଗା ଗଣେ । ୧୨ ଅଟଙ୍ଗାରେ ଗୋଟେ ମାଳେଇ ହଳା ହେଉଥିବା ବେଳେ କଟା ହଳା ଟି କୋଡ଼ିଏ ଅଟଙ୍ଗା । ଗୁଡ଼ାଏ ତଙ୍ଗି ତୋଫାନ କରେ । ମାଲିକତ ବୁଝେନି ବର୍ଷକ ୪ ସେର ମଜୁରୀରେ (କି ୧୬୦୦ ଧାନ, ଆଜିକା ସର୍ବନିମ୍ନ ସହାୟକ ମୂଲ୍ୟ ହିସାବରେ ୩୨ ଟଙ୍କା ) କାମ କରାଇଛି । ଦବା ମରିବାକୁ କିଏ ବା ଭଲ ପାଏ । ତଥାପି ଥମ ପଡ଼ିଯାଏ । ଯଦି ବୁଧିଆ ରାଗି ବିଲ ବାଡ଼ି ଛାଡ଼ି ଚାଲିଯାଏ ବାଟ ? ଆଉ କେହି ମାଲିକ ପାଖରେ ଠିଆ ହେବେନି । ସେତେବେଳେ ଦଳିତ ମାନଙ୍କ ଭିତରେ ମେଳି ଥିଲା । ଗୁଡ଼ାଏ ଶୁଖିଲା ପାଟି ତୁଣ୍ଡ କରି ମାଲିକ କାନ ମୁଣ୍ଡା ଆଉଁସି ଆଉଁସି ଘରକୁ ଫେରେ । ଗୁଡ଼ିଆ ଟୋକେଇରେ ମୁଢି ଉଖୁଡ଼ା ମୁଣ୍ଡାଇ ବୁଧିଆ ବିଲରେ ଅଣ୍ଟା ଲାଗି ଗଲାଣି । ପଖାଳ ପାଣି ହୋଇଗଲା । ପେଟ କଁ କଁ ଡ଼ାକ ଦେଲାଣି । ହଳା ୪/୫ କାଢି ଦିଏ । ଗୁଡ଼ିଆ ଭାଇ ଗୋଡ଼ରେ ମକଚି ମାଣରେ ମାପ କଲା । ମୁଢି ଉଖୁଡ଼ା ବୁଧିଆ ଗାମୁଛାରେ ମାପିଦେଲା । ଅଗ ମଳିଆ ତକ ଗୁଡ଼ିଆକୁ ଦେଇଦିଏ । ମାଲିକ ଦେଖିଲେ ପୁଣି ବିରି ବିରି ହବ । ମାଲିକ ଆଗରେ ଦାଢେ ଛାଡ଼ିବନି । ପଛରେ କଛା କାଟି ନେଲେ ଜାଣିପାରିବନି । ବୁଧିଆ ମାନେ ମାଲିକ ମାନଙ୍କୁ ହାଡ଼େ ହାଡ଼େ ଚିହ୍ନି ଥାନ୍ତି ।
ବୁଧିଆ ମୁଢି ଉଖୁଡ଼ା ପାଟିରେ ପକାଇ ପକାଇ ଘରକୁ ଲେଉଟେ । ପଦିକି ମୁଢି ଉଖୁଡ଼ା ବଳକା ତକ ଧରେଇ ଦିଏ । ଖାଇବ ! ପଦି ଦୁଆରେ ସଜନା ଗଛ । ଗଛେ ଛୁଇଁ ଡ଼ାଳ ଭାଙ୍ଗି ପକାଉଛି । ମକଦ୍ଦମ ମଝିରେ ମଝିରେ ଆସି ଆଟିକା କରେ । ସଜନା ଛୁଇଁ, ସାରୁ, ମାଟିଆଳୁ ପକାଇ ତରକାରି କରିଛି । ଗରମ ଭାତ, ତରକାରି । ଆଉତ ଝିଅ ନାହିଁ । ରବି ତ ମକଦ୍ଦମଙ୍କ ଘରେ । ମାମୁଁ, ମାଇଁ ଦି ପ୍ରାଣୀ । ବସିଗଲେ । ଧାନ କଟା ଖେତ ବଢିଲା । ମାଲିକ ପୂଜା ପୂଜି କଲା । ଗୋଟେ କଣରେ ଧାନ ଥାଏ । ଲୋକ ବାକ ମୁଢି ଉଖୁଡ଼ା ଖାଇବେ । ବୁଧିଆ, ପଦି ଆଜି ଭାରି ଖୁସି । ଧାନ କଟା କଟିତ ସରିଲା । ତାଙ୍କ କଟା ହଳା । ହେତା ବିଲ ୨୦ ଗୁଣ୍ଠ । ଗହିର ପାଣି ଗଇଁଆ ଜମି । ଗୁଣ୍ଠକୁ ୫/୬ ଗୌଣି ଫଳିଲେ ଢେର । ହଳା ସାଆନ୍ତଙ୍କ ଖଳାରେ । ସାଆନ୍ତଙ୍କ ରୁମ ମୂଳେ ବୁଦ୍ଧି । ବୁଧିଆ ତା ହଳା ସାହିକୁ ନେଇ ଅମଳ କଲେ ଦେଢି ଧାନ ଦବାରେ କୁନ୍ତୁକୁନ୍ତୁ ହବ । ତାଙ୍କ ନିଜ ଖଳାରେ ରଖିଲେ ଅମଳ କରିବ । ଖଳାରେ କରଜ ଧାନ ମାପି ଦବ । ତା ଧାନ ଘରକୁ ନବ । ବୁଧିଆ ଚୁଟି ସାଆନ୍ତଙ୍କ ହାତରେ । ଯିବ କୁଆଡ଼େ ।
୫/୭ ଦିନ ବୁଧିଆ, ପଦି ଦମ ନିଅନ୍ତି । ମାସ ମାସ ଧରି ଧାନକଟା, ବୁହା ହାଡ଼ ଭଙ୍ଗା ଖଟଣି । ଧାନ ତ ସାଆନ୍ତଙ୍କ ଖଳାରେ ଅଛି । ଯିବା, ଅମଳ କରିବା ଘରକୁ ଆଣିବା । ବୁଧିଆ ମୁଣ୍ଡକୁ ଚାହିଁ ଖାଇବା ପିଇବା ଜୋର ଦାର ଚାଲିଲା । ପୁଷ ମାସ ଖାଇବାନିତ କଣ ତିରୋଟ ମାସରେ ଖାଇପାରିବା । ପଦି ପୁଡ଼ାରେ ବାନ୍ଧି ମାଣ୍ଡିଆ,ସୁଆଁ, ଚିନା ରଖିଛି । ଚକିରେ ମାଣ୍ଡିଆ ଚୁରେ । ମାଣ୍ଡିଆ ଚୂନା,ଗୁଡ଼, ଶୁଖିଲା ନଡ଼ିଆଟେ ସାଆନ୍ତ ବାଡ଼ିରେ ଜାଳ କରି ଆଣିଥିଲା ନଡ଼ିଆ କୋରି ପିଠଉ ଗୋଳାଏ । ମାଣ୍ଡିଆ ଚକୁଳି, କାଳିଆ କଙ୍କଡ଼ା ଚଟଣି ସକାଳୁ ଗ୍ରାସେ ଦାବିଦିଏ । ଦ୍ଵିପହରେ ଭାତ । ବାହାଘରୁ ଖେଣ୍ଟୀ ଜାକି ଥିଲା ମୁଗ ଡ଼ାଲି । ୨/୩ ଟା ଅଣ୍ଡା ଭଜା । ପଦିର ଶାଶୁ ଥିଲା ବେଳେ କୁକୁଡ଼ା ପାଳି ଥାଏ । ବଖରାଏ ତ କୁଡ଼ିଆ । ହାଣ୍ଡି ସେଇଥିରେ । ଶୁଆ, ବସା ପାଇଁ ୪ ହାତରେ ୪ ହାତ ଜାଗା । ଗୋଟେ କଣରେ ଗୋଟେ ଛୋଟିଆ କୁକୁଡ଼ା ଟୁଙ୍ଗି । ଶାଶୁ କୁକୁଡ଼ା ପାଳନ୍ତି । ମକଦ୍ଦମଙ୍କ ଘର ତ ବ୍ରାହ୍ମଣ । କୁକୁଡ଼ା ଅଣ୍ଡା କି କୁକୁଡ଼ା ଛୁଇଁବେନି । ମାତ୍ରିକ । ଚଷା, ଖଣ୍ଡାୟତ ବେଳେ ବେଳେ ଅଣ୍ଡା ନିଅନ୍ତି । ଗାଈ, ବାଛୁରୀକୁ ଟୋଲକା ହେଲେ ସାଆନ୍ତ ମାନେ ଅଣ୍ଡା ଖୋଜନ୍ତି । କଞ୍ଚା ଅଣ୍ଡା ୨ ଟା ପାଟିରେ ଗଳେଇ ଦେଲେ ଟୋଲକା ଜବତ । ପେଣ୍ଠି, ଗଞ୍ଜା ବିକି ଯାହା ପଇସା ପାଆନ୍ତି ପିକା କିଣି ଟାଣନ୍ତି । ପଦି ତ ଶାଶୁ ଠାରୁ ଶିଖିଛି । କୁକୁଡ଼ା ଦେଖା ଶୁଣା ତାର ବେପାର ପଇସା ପତ୍ର ତାର, ଧୂଆଁ ପତ୍ର ପିକା ବି ଟାଣେ । ଭାତ, ଡ଼ାଲି, ଅଣ୍ଡା ଭଜା ଦିହେଁ ଯାକ ଖିଆ ପିଆ ସାରନ୍ତି । ବୁଧିଆ ବରାଦ କଲା “ ରାତିକି ଚିନା ଖିରୀ କର । ଯାହା ତ ଏଇ ମାସେ ୧୫ ଦିନି ଖାଇଯିବା” । “ ନଡ଼ିଆ” । ବୁଧିଆ ଏଣେ ତେଣେ ଚାହିଁ ହନୁଭଳି ଦୁଆର ନଡ଼ିଆ ଗଛରେ ଚଢିଯାଏ । ୨/୪ ଶୁଖିଲା ନଡ଼ିଆ ପାରିଦେଲା । ଗୋଟିଏ ଛଡ଼ାଇ ପଦିକି ଧରାଇ ଦେଇ ବାକିତକ କୁକୁଡ଼ା ଟୁଙ୍ଗି ଭିତରେ ଲୁଚାଇ ଦେଲା । କାଳେ ମକଦ୍ଦମ ଦେଖିଦବ । “ଶଳା ମକଦ୍ଦମ କେଞ୍ଚଉଛି । ଆମେ ଜଗିବୁ ରଖିବୁ ତା ମନ କହିବନି ଆମକୁ ଗୋଟେ ଅଧେ ଦବାକୁ”। ପଦି ନଡ଼ିଆ କୋରି ଚିନା ଯାଉରେ ପକାଇଲା । ବାହାଘର ବେଳୁ ଗୁଡ଼ ଟିକିଏ ଥେଲା । ଗୁଡ଼ ପାଏ ଖଣ୍ଡେ ଛାଡ଼ିଦିଏ । ତେଜ ପତ୍ର ୨ ଟି ପକାଇଛି । ଶୀତଳ ଆମ୍ବିଳ ଦହଡ଼ ଖିରୀ । ରାତି ୨ ଘଡ଼ି ହେଲାଣି । ହୁ ହା ହୋଇ ଆଡ଼େଇ ଆଡ଼େଇ ପେଟେ ଲେଖାଏଁ ଯାଉ ଉଠେଇ ଦେଲେ ।
ଶୋଇଛନ୍ତି । ପତା ପଡ଼ିନି । କେତେ ଦିନରେ ଆଜି ହସ ଖୁସି । ଗପ ଟପ । ପଦି ଦେଖିଲା ମର୍ଦ୍ଦ ମୁଣ୍ଡ ଠିକ ଅଛି । ବରାଦ ଚଳେଇଲା । “ ବାହାଘର ୪/୬ ମାସ ହେଲାଣି । ନୂଆ ଜୋଇଁ ଡ଼ାକରା କରିବୁନି । ଝିଅବିତ ଆସିବ । ଲୁଗା ପଟା ନେବେ । ବଳିଆ ଥଟାରିଆକୁ ବରାଦ କରି ଖଣ୍ଡେ ଥାଳି ଗୋଟେ କଂସାତ ଦବା । କଣ ଶୁଭୁଛି ଟି ?” ବୁଧିଆ “ ତୁ ତ କହୁଛୁ । ବିଧିତ । କରିବା” । କହି ଗୋଡ଼ ହାତ ପଦି ଉପରେ ଲଦି ଲାଣି । “ତୋର ତ କଥା କଥାକେ ମୁଣ୍ଡକୁ ପୋକ ଉଠିଯିବ । ଭାଉଜ କହୁଥିଲା ବୋହୁର କୁଆଡ଼େ ପିଲା ଝିଲା ହବ । ପହିଲି ପୋଖତି । ସାଧ ଦବାନି ?” “ଆଲୋ ପଦି ତୁ ଏଇ ଧାନ ଗଣ୍ଡାକୁ ଚାହିଁ ସବୁ ମେଲେଇ ଯାଉଛୁ । ଦେଖିଲେ ଠୁଳ, ବାଣ୍ଟିଲେ ଶୁନ । ଧାନ ଦେଢ ଭରଣ ଦିଇ ଭରଣେ ପାଇବା । କାଚରା, ଥୋରିଆ ତେଲି, ତେଲୁଣି ଠୁ କେତେ ବାକି କରିଛୁ । ତାକୁ ସବୁ ଦବା । ତୁ ତ ବରାଦ କରିବୁ ତ୍ରିବେଣୀ ଯାତ, ସପ୍ତମୀ ଯାତ ସବୁ ଆଡ଼କୁ ଯିବୁ”। ବୁଧିଆରବି ପ୍ରବଳ ଇଚ୍ଛା । ଖାଲି କଣ ଗଧ ଭଳି ଖଟୁଥିବେ । ଟିକେ ଖୁସିବାସୀ କରିବାନି ! ଶୋଇପଡ଼ିଲେ । ରାତି ପାହିଲେ ସାଆନ୍ତ ବାଡ଼ିକୁ ଯିବେ । ଧାନ ଅମଳ କରି ଘରକୁ ଆଣିବେ ।
ରାତି ପାହିଲା । ପଖାଳ, ଶୁଖୁଆ ଚଟଣି ନାକରେ କାନରେ ପୁରାଇ ଦିଗୁଣ୍ଡା ଲେଖେ ଖାଇଦେଲେ । ବେଙ୍ଗଳା କାମ । ଦିନ ତମାମ ଲାଗିବ ସାଆନ୍ତ ଘରେ କେହି ପେଟ ଚିହ୍ନି ବାକୁ ନାହିଁ । ଖାଲି ଯଦି ଉଁ ଚୁଁ ନକରି କାମ କରୁଛ ତେବେ ସୁନା ପିଲା । ମନ ଉଡୁଛି । ଧାନ ଅମଳ କରି ଘରକୁ ଆଣିବେ । ଏଥିରେ ଭୋକ ଶୋଷ କଣ । ମେରି ଚାରିପଟେ ହଳା ବେଙ୍ଗଳେଇ ଦେଲେ । ପଦି ହଳା ସଜାଡ଼ି ରଖୁଥାଏ । ବୁଧିଆ ନାଡୁକା କାଟିଯାଉଥାଏ । ସାଆନ୍ତ ଘର ତ ୭ ହଳ ବଳଦ । ବଳଦ ୪/୫ ଟି ଆଣି ଦାଉଣିରେ ଯୋଚିଦେଲା । ପଦି ପାଞ୍ଚଣ ଧରି ବଳଦ ଉଡ଼ାଇଲା । ବୁଧିଆ ଲେଉଟାଇଲା, ପଣିଲା । ବେଙ୍ଗଳା କାମ ବଡ଼ ଲଟରା । ସଂହାତି କାମ ତ । ବଳଦ ଫିଟାଇ କୁଟା ଦିହେଁ ଯାକ ଝାଡ଼ିଲେ । ଶୋଷ । ସାଆନ୍ତାଣୀ ଢାଳରେ ପାଣି ଆଣିଲେ ଦିହେଁ ଅଞ୍ଜୁଳା କଲେତ ସାଆନ୍ତାଣୀ ଦୁରଛାଡ଼ିଆ ହୋଇ ପାଣି ଢାଳିଲେ । କାଳେ ହାତକୁ ଢାଳ ଲାଗିଯିବ । ଛୁଆଁ ହେବେ ! ପୁଣି ଥରେ ଗାଧେଇବାକୁ ପଡ଼ିବ !
ଦିନ ଦିପହର । ଧାନକୁ ମେରି ମୂଳେ ଗଦା କରିଦେଲେ । ଧାନ ଦେଖିତ ପେଟ ପୁରି ଯାଉଛି । ହବନି । ପେଟକୁ ସମ୍ଭାଳି ହବନି । ଦିହେଁ ଘରକୁ ଫେରନ୍ତି । ଦିହ ଯାକ ଧୁସ । ଝଡ଼ା ଝଡ଼ି ହୋଇ ବଡ଼ ପୋଖରୀରେ ଡୁବ ମାରିଲେ ତ କୁଡ଼ିଆକୁ ଫେରି ଖାଇବା । ପଦି ଜାଣିଲା ଭଳି ବହକା ରାନ୍ଧିଥିଲା । ପଖାଳ ଥାଏ । ସଜନା ଗଛରୁ ଶାଗ ପୁଳାଏ ଛିଣ୍ଡାଇ ଆଣି ଖରଡ଼ି ଦେଲା । ଖାଇବା ନଖାଇବା ସମାନ । ତୋରାଣି ପିଇ ଚାଲିଲେ ଧାନ ଉଡ଼ିବ । ଫଗୁଣ ମାସ । ଚୋରା ବସନ୍ତ ପଡ଼ିଲାନି । ଦକ୍ଷିଣା ପବନରେ ଧାନ ଉଡ଼ାଇ ଗଦା କରିଦେଲେ । ବୁଧିଆ ମନ କୁଣ୍ଢେ ମୋଟ । ଧାନ ଘରକୁ ନବ । ଅସଲ ବେଳକୁ ସାଆନ୍ତ ପହଞ୍ଚି ଗଲେ । ମୁହେଁ ମୁହେଁ ହିସାବ । “ଆରେ ବୁଧିଆ ତୁ ଏ ସାଲ ତିନି ଥର ଧାନ ନେଇଛୁ । ଏ ସାଲରେ ଭରଣେ । ମାପିବୁ ଦେଢ ଭରଣ । ଗଲା ବର୍ଷରୁ ବକେୟା ଧାନ ଢୋଲିଏ । ସେ ବର୍ଷକୁ ୬୦ ଗୌଣି । ଏ ବର୍ଷର ସୁଧ ୩୦ ଗୌଣି । ମୋଟ ଭରଣେ ୧୦ ଗୌଣି । ଦୁଇ ବର୍ଷର ମୋ ପାଉଣା ୨ ଭରଣ ୧୦ ଗୌଣି । ଆଗ ମୋ ଧାନ ମାପିଦେ । ବାକି ଧାନ ଘରକୁ ନେବୁ । ବୁଧିଆ ମୁଣ୍ଡ ବୁଲି ଯାଉଛି । ହଁ ସେ ଧାରିଛି । ସୁଧ କଳନ୍ତର କରି ଶୁଝିବ । ହେଲେ ଧାନ ତ ପାଇବନି । ସାଆନ୍ତ ଆଣ୍ଠେଇ ପଡ଼ି ଗୌଣି ରେ ଦାବି ଦୁବି ଧାନ ମାପିଲେ । ସାଆନ୍ତ ତାଙ୍କ ଧାନ ମାପିସାରନ୍ତି ତ ଆଉ ୨୫/୩୦ ଗୌଣି ଧାନ ଖଳାରେ । ବୁଧିଆ ହାଁ କରି ଚାହିଁଛି ।“ମନ ଜଗତି ଉପରେ ଥାଏ କର୍ମ ବିଆଳି ବଛାଉଥାଏ” । କେତେ ଦେଣି ଅଛି । କେତେ କଥା କରିବ ପଦି କହିଛି । ବୁଧିଆ ଚାରିପଟ ଦୁନିଆଟା ସତେ ଯେମିତି ବୁଲୁଛି । ପଦି ତ ମାଇପି ଲୋକ । ସିଧା ସାଧା । “ଆରେ ଏ ସାଆନ୍ତ ହିସାବ ଯୋଡ଼ି ଯାଡ଼ି ମୋ ଧାନ ତକତ ନେଇଗଲା । ଏଇଟା କଣ ମଣିଷ ନ ରାକ୍ଷସ” । ସମ୍ଭାଳି ପାରିଲାନି, ସାଆନ୍ତ ମୁଲିଆ ତା ମୁଣ୍ଡରେ ନାହିଁ । କଞ୍ଚା ଆଇଁସିଣିଆ କରି ଗାଳି ତ ପକାଇଲା । ଥେଲା ଥେଲା ବୁଧିଆ ତଡ଼ା ଧରି “ ହେ ବଜାତ ମାଇକିନିଆ । ସାଆନ୍ତ ଠାକୁର । ତୁ କ’ଣ କହିଯାଉଛୁ …” ପଦି ଅଣ୍ଟା କୁ ଠେଙ୍ଗାଏ ଦେଲାତ “ ଆରେ ମତେ ମାରି ଦେଲାରେ ! ହେ ସାଆନ୍ତ ତତେ ଧରମ ସହିବନିରେ ..” । ମାଲିକ ଆଉ ଅଛି ନା କ’ଣ । କାନ ପହରେଇ ଦେଇ ମାଲିକ ଭାଗିସ । ବୁଧିଆ ସାଆନ୍ତ ଉପର ରାଗ ପଦି ଉପରେ ଶୁଝୁଛି । ମୁହଁ ଲୁଚାଇ ସେ ବି ସୁକୁ ସୁକୁ କାନ୍ଦୁଛି । ତା ଛୋଟ କପାଳକୁ ଧିକ୍କାର କରୁଛି । ପୁଅ ରବି ଗାଈ ଗୋଠରୁ ଖାଇବାକୁ ଆସିଛି । ମା କୁ ଦେଖି ଭୋ ଭୋ କାନ୍ଦି ପକାଇଲା । ମା, ବାପା, ପୁଅ ତିନିହେଁ ଖଳାରେ ଘଡ଼ିଏ ଥକ୍କା ହୋଇ ବସିଗଲେ । ଦୁଇ ଅଖାରେ ବାକି ଧାନ ତକ ମୁଣ୍ଡାଇ କୁଡ଼ିଆକୁ ଫେରନ୍ତି ।
ସବଳର ଦୁର୍ବଳ ଉପରେ ଅତ୍ୟାଚାର ! ପଦିର ଆଖିରୁ ଲୁହ ଶୁଖିଗଲାଣି । ବୁଧିଆ ମନେ ମନେ ନିଜକୁ ଧିକ୍କାର କରୁଛି । ପଦିକି କାହିଁକି ମାରିଲା । ପଦି ଅଣ୍ଟା କୁ ଆଉଁସି ପକାଉଛି । ରାତି ଘଡ଼ିଏ କେତେ ବେଳେ ହେଲାଣି । ଦିହିଁକି ନିଦ ଲାଗି ଯାଇଛି । କୁକୁଡ଼ା ବୋବାଇଲା ତ ପଦି ଉଠି ପଡ଼ିଛି । ପଛେ ପଛେ ବୁଧିଆ ଉଠୁଛି । ବୁଧିଆ ପଦିକୁ ଆଶ୍ଵାସନା ଦଉଛି, “ରବି ମା ମତେ ଯେତେ ଗାଳି ଦବୁ ଦେ । ସାଆନ୍ତମାନେ ପଥର । ଆମେ ପରା ଅଛୁଆଁ/ଦଳିତ ! ଜୀବନ ଅଛି । ପେଟ ପାଇଁ ଆମେ ତାଙ୍କ ପାଖେ ଖଟୁଛୁ, ଖଟୁଥିବା … । ପଦି ମନକୁ ବୁଝାଉଛି । ରାତିରେ ଦିହେଁ ଖାଡ଼ା ଉପାସ । ରବି ବା ଟା ଭୋକ ଆତୁରିଆ । ଚଞ୍ଚଳୀ ଭାଉଜ ଅରୁଆ ଚାଉଳ ଖୁଦ ସେରେ ଖଣ୍ଡେ ଦେଇଥେଲେ । ପଦି ଖୁଦ ଭାଜି ଗୋଟେ ପୁଡ଼ାରେ ରଖିଥିଲା । ଖୁଦ ପୁଡ଼ା ଆଣି ବୁଧିଆକୁ କୁହେ “ ଅଣ୍ଟି ଦେଖା । ଖୁଦ ଭଜା, ଦି ଟା ଚୋବାଇ ଦେଇ ପାଣି ପିଇ ଦବୁ । ଜୀବନ ତ ଅଛି । ମୁଁ ଚୁଲି ଲଗାଉଛି । ଘଡ଼ିକେ ଭାତ ହୋଇଯିବ । ତୁ ଦେଖେ ଯଦି କଙ୍କଡ଼ା କି ଗେଣ୍ଡା ଦି ଟା ପାଇବୁ । ଭାତ ପଖାଳି ଦେବି । ତତେ ପଖାଳ ଭାତ, କଙ୍କଡ଼ା ଚଟଣି ଦେଲେ ମୁଁ ଜାଳକୁ ଯିବି । ୧୯୪୩ -୪୪ ! ଦଳିତଙ୍କ କିଲି ବିଲିଆ ଜୀବନର ଏକ ହୃଦୟ ବିଦାରକ ଚିତ୍ର !