“ଗୋପୀନାଥ ମହାନ୍ତିଙ୍କ ଲୋକ-ଉପାଦାନ ଆଧାରିତ ଉପନ୍ୟାସ ଓ ନାରୀ ଜୀବନଚିତ୍ର”

ଯୁଗେ ଯୁଗେ ସମାଜ ଓ ସାହିତ୍ୟ ପ୍ରାଚୀନ ସଂସ୍କୃତି ସହିତ ସଂପୃକ୍ତ। ଆଜି ବିଜ୍ଞାନ ଯୁଗରେ ଉଚ୍ଚଶିକ୍ଷିତ ସଭ୍ୟସମାଜ ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ସେ ଲୋକ ଉପାଦାନକୁ ବଞ୍ଚେଇ ରଖିଛି।

ଅଶ୍ମିତା ମିଶ୍ର
86 Views
14 Min Read

 

Support Samadhwani

ସାରାଂଶ :

ଆଦିବାସୀ ଜୀବନକୁ ଆଧାର କରି ଓଡ଼ିଆ ଉପନ୍ୟାସ ଜଗତରେ ପ୍ରତିଷ୍ଠା ଅର୍ଜନ କରିଥିବା ଔପନ୍ୟାସିକ ହେଉଛନ୍ତି ଗୋପୀନାଥ ମହାନ୍ତି। ସେ ଅବହେଳିତ ଓ ଅନାଲୋଚିତ ଲୋକଙ୍କୁ ନାୟକ ନାୟିକାର ସ୍ଥାନ ଦେଇଛନ୍ତି। ସେଇ ଉପନ୍ୟାସ ମଧ୍ୟରେ ଦାଦିବୁଢ଼ା, ପରଜା, ଅମୃତର- ସନ୍ତାନ, ଶିବଭାଇ ଓ ଅପହଞ୍ଚ ଉଲ୍ଲେଖନୀୟ। ସରଳ ଜୀବନଯାପନ କରୁଥିବା ଆଦିବାସୀ ଜୀବନରେ ବହୁ ଲୋକଉପାଦାନ ଭରି ରହିଛି। ପ୍ରାଚୀନ ପରମ୍ପରା, ଧର୍ମଧରା, ବିଶ୍ୱାସବୋଧ, ଆଦିବାସୀ ସମାଜର ବର୍ଣ୍ଣିଳଚିତ୍ର ଓ ନାରୀ ଜୀବନକୁ ଔପନ୍ୟାସିକ ସରସ-ରୂପ ଦେଇଛନ୍ତି। ‘ଦାଦିବୁଢ଼ା’ ଉପନ୍ୟାସରେ ଦାଦିବୁଢ଼ାର ସ୍ୱରୂପ ଥୁଣ୍ଟା ଖଜୁରୀଗଛ, କନ୍ଧ ସମାଜରେ ଡୁମାରେ ବିଶ୍ୱାସ, ବଳିପ୍ରଥା ପାରମ୍ପରିକ ପୂଜାବିଧି ଆଦି ଲୋକଉପାଦାନ ଚିତ୍ରଣ ହୋଇଛି। ‘ପରଜା’ରେ ପର୍ବତ, ଜଙ୍ଗଲ ଦେବତା, ଝାଙ୍କର ଦେବତା, ବଣ ଦେବତା, ମାଟି ଦେବତାଙ୍କୁ ଆହ୍ୱାନ କରିଥାନ୍ତି। ପୁୟୁର ସ୍ୱାଭିମାନ ସ୍ୱଚ୍ଛନ୍ଦ ଜୀବନଚିତ୍ର ତଥା ଜିଲି ଓ ବିଲିର ସଂଘର୍ଷମୟ ଜୀବନ ଚିତ୍ରକୁ ଔପନ୍ୟାସକ ମାର୍ମିକ ଭାବରେ ଚିତ୍ରଣ କରିଛନ୍ତି।

ପ୍ରମୁଖ ଶବ୍ଦାବଳୀ : ଲୋକବିଶ୍ୱାସ, ଲୋକଉପାଦାନ, ସଂସ୍କୃତି, ଆଦିବାସୀ, ନୃତତ୍ତ୍ୱଧର୍ମୀ, ଦଳିତ, ଦାଦିବୁଢ଼ା, ପରଜା, ଅମୃତର ସନ୍ତାନ, ଦେବତା, ଗୋଠରକ୍ଷକ, ଡୁମା।

Support Samadhwani

ଯୁଗେ ଯୁଗେ ସମାଜ ଓ ସାହିତ୍ୟ ପ୍ରାଚୀନ ସଂସ୍କୃତି ସହିତ ସଂପୃକ୍ତ। ଆଜି ବିଜ୍ଞାନ ଯୁଗରେ ଉଚ୍ଚଶିକ୍ଷିତ ସଭ୍ୟସମାଜ ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ସେ ଲୋକ ଉପାଦାନକୁ ବଞ୍ଚେଇ ରଖିଛି। ପ୍ରାଚୀନ ଲୋକବିଶ୍ୱାସ, ଲୋକ ପରମ୍ପରାକୁ ସମ୍ମାନ ଦେଇ ଆସିଛି। ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠେ ଲୋକ କହିଲେ କ’ଣ? ଏ ସମ୍ପର୍କରେ ବହୁ ଆଲୋଚକ ଭିନ୍ନ ରୂପରେ ଆଲୋଚନା କରିଛନ୍ତି, ତେବେ ଆମେ କହିପାରିବା “ଲୋକ” କହିଲେ ଯିଏ ସମ୍ପୂର୍ଣ୍ଣ ରୂପରେ ପ୍ରାଚୀନ ଲୋକବିଶ୍ୱାସ ପରମ୍ପରାରୁ ନିଜକୁ ମୁକୁଳାଇ ପାରିନାହିଁ। ଗୋଟିଏ ଗୋଷ୍ଠୀ ବା ସମୂହ ଅର୍ଥରେ “ଲୋକ” ଶବ୍ଦର ଅର୍ଥକୁ ଆମେ ଗ୍ରହଣ କରିପାରିବା। ଏଣୁ ଲୋକମାନସ ନିୟନ୍ତ୍ରିତ ହୋଇଥାଏ ଗୋଟିଏ ଗୋଷ୍ଠୀ ବା ମନୁଷ୍ୟ ସମାଜ ନେଇ। ଲୋକର ପ୍ରତ୍ୟେକ ବ୍ୟବହାର୍ଯ୍ୟ ବସ୍ତୁ, ପରମ୍ପରା, ବିଶ୍ୱାସ, ଲୋକାଚାର, କଳା, ନୃତ୍ୟ, ମଞ୍ଚ, ଲୋକଗୀତ, ଲୋକୋକ୍ତି, ଶୁଭ-ଅଶୁଭ ବିଶ୍ୱାସ ବୋଧ, ଦେବାଦେବୀ ପୂଜାବିଧି ଆଦି ବହୁ ବିଷୟକୁ ଆମେ ଲୋକ ଉପାଦନ ମଧ୍ୟରେ ଅନ୍ତର୍ଭୁକ୍ତ କରିପାରିବା। ଏଇ ଲୋକ ଉପାଦାନକୁ ଆଧାର କରି ସବୁ ଭାଷା ସାହିତ୍ୟରେ ବହୁ କୃତି ରଚିତ ହୋଇଅଛି। ଆଧୁନିକ ସାହିତ୍ୟରେ ମିଥ୍ ଚିତ୍ରକଳ୍ପ ଓ ପ୍ରତୀକ ମାଧ୍ୟମରେ ଏହାର କଳାତ୍ମକ ବ୍ୟବହାର ଓ ପ୍ରୟୋଗ ସାହିତ୍ୟ କୃତିର ଗୌରବକୁ ପୁନଃ ସୃଜନରେ ଗୌରବାନ୍ୱିତ କରୁଛି। ସାହିତ୍ୟର ପ୍ରତ୍ୟେକ ପ୍ରଭାଗ କାବ୍ୟ-କବିତା, ନାଟକ-ଏକାଙ୍କିକା ତଥା ଉପନ୍ୟାସ ଗଳ୍ପ ଆଦି ପ୍ରତି ବିଭବରେ ଏହାର ସଫଳ ପ୍ରୟୋଗରେ କୃତିରାଜି ଉଚ୍ଚକୋଟୀର ହୋଇଛି।

ଓଡ଼ିଆ ଉପନ୍ୟାସରେ ଲୋକ-ଉପାଦାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉମେଶ ଚନ୍ଦ୍ର ସରକାରଙ୍କ ରଚିତ ପଦ୍ମମାଳୀଠୁ (୧୮୮୮) ଆରମ୍ଭ କରି ଅଦ୍ୟାବଧି ଲୋକ-ଉପାଦାନର ଉଦ୍ଦେଶ୍ୟ ଓ ଆବଶ୍ୟକତା ପ୍ରତି ଔପନ୍ୟାସିକଙ୍କ ଦୃଷ୍ଟି ଆକର୍ଷିତ କରିଛି। ଏଇ ପରିପ୍ରେକ୍ଷୀରେ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସଗୁଡ଼ିକରେ ଲୋକ ଉପାଦାନର ଭୂମିକା ଏକ ଆଲୋଚନାର ବିଷୟ। ଓଡ଼ିଆ ଉପନ୍ୟାସର ବିକାଶ ଧାରାରେ ଫକୀର ମୋହନଙ୍କ ପରବର୍ତ୍ତୀ ସମୟରେ ଗୋପୀନାଥ ମହାନ୍ତିଙ୍କ ଲେଖନୀ ହୁଏ ଚଳଚଞ୍ଚଳ। ସମାଜର ବାସ୍ତବ ରୂପକୁ ଚିତ୍ରଣ କରିବାରେ ସେ ସିଦ୍ଧହସ୍ତ। ପ୍ରତ୍ୟକ୍ଷ ଅନୁଭବ ଜଗତରୁ ଉପାଦାନ ନେଇ ଉପନ୍ୟାସଗୁଡ଼ିକ କଳାତ୍ମକ ରୂପ ପାଇଥିବାରୁ ତାହା ଉଚ୍ଚକୋଟୀର ହୋଇଛି। ଗୋପୀନାଥଙ୍କ ରଚନାରେ ପ୍ରକୃତି, ପରମ୍ପରା, ନାରୀ ଓ ଆର୍କିଟାଇପର ବିଶେଷ ଭୂମିକା ରହିଛି।

ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିକୋଣରୁ ବିଚାର କଲେ ତାଙ୍କ ପ୍ରାୟ ସମସ୍ତ ଉପନ୍ୟାସ ଉଚ୍ଚକୋଟୀର। ତାଙ୍କ ରଚନା ମଧ୍ୟରୁ ନଗରକୈନ୍ଦ୍ରିକ, ଗ୍ରାମ୍ୟ ଜୀବନଭିତ୍ତିକ, ବ୍ୟକ୍ତି କୈନ୍ଦ୍ରିକ ଓ ମନସ୍ତାତ୍ତ୍ୱିକ ଉପନ୍ୟାସ ଅପେକ୍ଷା ଆଦିବାସୀ ଜୀବନମୂଳକ ନୃତତ୍ତ୍ୱଧର୍ମୀ ଉପନ୍ୟାସଗୁଡ଼ିକ ପାଠକର ଅଧିକ ଆଦୃତ ହୋଇଥାଏ। ଉପନ୍ୟାସର ଚିରାଚରିତ ବିଷୟ ଓ ଶୈଳୀ ତାଙ୍କ ଲେଖନୀର ଧାରା ପରିବର୍ତ୍ତନ କରିଛି। ଆଦିମଲୋକ ଜୀବନକୁ ଆଧାର କରି ରଚିତ ହୋଇଥିବା ଉପନ୍ୟାସ ମଧ୍ୟରେ ‘ଦାଦିବୁଢ଼ା’, ‘ପରଜା’, ଅମୃତର ସନ୍ତାନ, ଶିବଭାଇ, ଅପହଞ୍ଚ, ଜାନକାମ୍ମା ଓ ହରିଜନ ଉଲ୍ଲେଖନୀୟ। ଏମାନଙ୍କ ଜୀବନ ସରଳ। ସମାଜର ଅବହେଳିତ ଓ ଦଳିତ ଗୋଷ୍ଠୀ ସଭ୍ୟ ଶିକ୍ଷିତ ସମାଜ ଦୂରରେ ରହିଥିବା ସେଇ ଶୋଷିତ ଗୋଷ୍ଠୀଙ୍କୁ ସେ ଉପନ୍ୟାସର ମୁଖ୍ୟ ଚରିତ୍ର ଭାବରେ ଗ୍ରହଣ କଲେ। କୋରାପୁଟରେ (୧୯୩୯) ମସିହାରେ ସବ୍‌ଡେପୁଟି କମିଶନର ଭାବରେ ଯୋଗଦେବା ପରେ ଆଦିବାସୀମାନଙ୍କ ସହ ଅବସର ସମୟ ଅତିବାହିତ କରୁଥିଲେ। ସେମାନଙ୍କ ଭାଷାକୁ ବୁଝିବାପାଇଁ ବହୁ ପ୍ରୟାସକରି ଶିଖିଥିଲେ। ତାଙ୍କ ଜୀବନଧାରା ସହିତ ଏକାତ୍ମ ହୋଇ ତାଙ୍କ ସହ ମାଣ୍ଡିଆଜାଉ, ସୁଆଁଜାଉ, ଶାଗ କନ୍ଦମୂଳ ଖାଇ ଆଦିବାସୀଙ୍କ ଲୋକସମାଜ ଜୀବନ, ପରମ୍ପରା, ଧର୍ମଧାରା, ଜାନିଯାତ୍ରା, ପର୍ବପର୍ବାଣୀ, ପ୍ରେମ, ବିବାହ, ଦାମ୍ପତ୍ୟ ଜୀବନ, ସଂସ୍କାର, ଶୃଙ୍ଖଳାବୋଧ ଆଦି ବହୁ ବିଷୟ ଅନୁଶୀଳନ କରି, ସେଇ ଗଭୀର ଅନୁଭବକୁ ଶୃଙ୍ଖଳାବୋଧ ଆଦି ବହୁ ବିଷୟ ଅନୁଶୀଳନ କରି, ସେଇ ଗଭୀର ଅନୁଭବକୁ ଉପନ୍ୟାସଗୁଡ଼ିକରେ ତାର ପ୍ରତ୍ୟକ୍ଷ ପ୍ରତିଫଳନର ଚିତ୍ର ଆଙ୍କିଛନ୍ତି। ବାହ୍ୟ ପ୍ରକୃତି ସହ ମନୁଷ୍ୟର ପ୍ରକୃତିର ଚିତ୍ରକୁ ଚିତ୍ରକଳ୍ପ ମାଧ୍ୟମରେ ବେଶ ସରସ ରୂପ ଦେଇଛନ୍ତି। ତାଙ୍କ ରଚିତ ପ୍ରାୟ ସମସ୍ତ ଉପନ୍ୟାସରେ ଲୋକ-ଉପାଦାନ ଓ ବାସ୍ତବ ଜୀବନର ରୂପ ଦେଖିବାକୁ ପାଉଁ। କଳ୍ପନାର କଳାତ୍ମକ ରୂପ ଅପେକ୍ଷା ବାସ୍ତବତାର ନିଚ୍ଛକ ପ୍ରତିବିମ୍ବକୁ ସେ ଗୁରୁତ୍ୱ ଦେଇଛନ୍ତି। ତାଙ୍କ ରଚିତ ଆଦିବାସୀମୂଳକ ଉପନ୍ୟାସଗୁଡ଼ିକରେ ପ୍ରଚୁର ପରିମାଣରେ ଲୋକ-ଉପାଦାନ, ଲୋକ ଜୀବନର ଚିତ୍ର ଓ ସଂସ୍କୃତିର ସ୍ୱର ଦେଖିବାକୁ ପାଇବା। ଲୋକ ଉପାଦାନ ଆଧାରିତ ଉପନ୍ୟାସ ମଧ୍ୟରେ ମୁଖ୍ୟତଃ ଦାଦିବୁଢ଼ା, ପରଜା ଓ ଅମୃତର ସନ୍ତାନ ଏଇ ଉପନ୍ୟାସ ତ୍ରୟରେ ଲୋକ ଉପାଦାନର ପ୍ରୟୋଗ ନ ଖୋଜି ବରଂ ଏହାକୁ ସମ୍ପୂର୍ଣ୍ଣ ରୂପରେ ଲୋକ-ଉପାଦାନ ଆଧାରିତ ଉପନ୍ୟାସ ବୋଲି କହିପାରିବା।

“ଦାଦିବୁଢ଼ା” (୧୯୪୪) ସମ୍ପୂର୍ଣ୍ଣ ରୂପରେ ଆଦିବାସୀମାନଙ୍କ ଧର୍ମବିଶ୍ୱାସ, ଲୋକଜୀବନଧାରା ସାମାଜିକ ଚଳଣି ତଥା ସଂସ୍କୃତି ସଭ୍ୟତାର ପ୍ରବାହରେ ତତ୍‌କାଳୀନ ପାହାଡ଼ୀ ମଣିଷର ଦୁଃଖ ଯନ୍ତ୍ରଣାର ସ୍ୱର ଉପରେ ଆଧାରିତ ଏକ ଭିନ୍ନ ସ୍ୱାଦର ଉପନ୍ୟାସ। ‘ପରଜା’ ବା ଅମୃତର ସନ୍ତାନ ଉପନ୍ୟାସ ଭଳି ଏଥିରେ ସାମାଜିକ ସଂଘର୍ଷର ଚିତ୍ର ନାହିଁ। ‘ଦାଦିବୁଢ଼ା’ ଉପନ୍ୟାସ ଆକାର ଆୟତନ ଦୃଷ୍ଟିରୁ ବିଚାର କଲେ ମାତ୍ର (୮୬) ପୃଷ୍ଠାର ଉପନ୍ୟାସ ଖଣ୍ଡେ, ମାତ୍ର ଏହାର ପାଠକୀୟ ଆବେଦନ ଉଚ୍ଚକୋଟୀର। ଉପନ୍ୟାସର ନାମକରଣ ‘ଦାଦିବୁଢ଼ା’ ଏକ ଲୋକ-ଉପାଦାନ। ଆଦିବାସୀ ଲୋକଜୀବନ ଓ ସଂସ୍କୃତିର ଏକ ବର୍ଣ୍ଣିଳ ସାମାଜିକ ଚିତ୍ର ହେଉଛି ‘ଦାଦିବୁଢ଼ା’ ଉପନ୍ୟାସ। ମୁରାନ୍ ନଈ କୂଳେ ସ୍ଥାପିତ ପାହାଡ଼ ଘେରା ଲୁଲ୍ଲାଗାଁ ଲୋକ ବିଶ୍ୱାସର ଦେବତାର ରୂପ ହେଉଛି ଦାଦିବୁଢ଼ା, ଯାହାକି ଛିଡ଼ା ହୋଇଥିବା ଏକ ଥୁଣ୍ଟା ଖଜୁରୀ ଗଛ। ‘ଦାଦିବୁଢ଼ା’ର ଅର୍ଥ ହେଉଛି ଆଦିପୁରୁଷ ବା ପୂର୍ବପୁରୁଷ। ବାପାଙ୍କର ବାପା। କନ୍ଦ ଭାଷାରେ ବୁଢ଼ାର ଅର୍ଥ ବାପର ବାପ। କୋରାପୁଟର ଅଧିବାସୀ ପରଜାମାନେ ଦାଦି କହିଲେ ବାପର ବାପକୁ ବୁଝନ୍ତି। ଏହି ପରି ଦାଦିବୁଢ଼ା ପୂର୍ବ ପୁରୁଷର ପ୍ରତୀକ। ତାଙ୍କ ସମାଜରେ ଯାହା ଘଟଣ ଅଘଟଣ ଘଟିଯାଏ ସବୁ ଏଇ ଦାଦିବୁଢ଼ା ପାଇଁ। ସେ ସୃଷ୍ଟି କର୍ତ୍ତା, ପାଳନ କର୍ତ୍ତା। ସେ ସୃଷ୍ଟି ସର୍ଜନାର ପ୍ରତୀକ। ଯୁଗ ଯୁଗଧରି ବଦଳି ପାରିନଥିବା ଲୋକବିଶ୍ୱାସ, ଧର୍ମଧାରଣା, ପୂଜାବିଧି, ସ୍ୱାଧୀନ ଭାବରେ ଉଭୟ ନାରୀ ଓ ପୁରୁଷର ବିବାହ ପରମ୍ପରା, ନାରୀ ସମ୍ମାନ ଓ ସାମାଜିକ ସ୍ଥିତି, ଜାତିପ୍ରଥା ଓ ଜୀବନର ସୁଖ-ଦୁଃଖର ଚିତ୍ର ଏହି ଉପନ୍ୟାସରେ କଳାତ୍ମକ ରୂପ ନେଇଛି।

ଦାଦିବୁଢ଼ାକୁ କେନ୍ଦ୍ର କରି ଉପନ୍ୟାସର ନାମକରଣ, ଆରମ୍ଭ ଗତିଶୀଳ ଓ ପରିସମାପ୍ତି ହୋଇଛି। ଘଞ୍ଚ ଅରଣ୍ୟ ମଧ୍ୟରେ ବାସ କରୁଥିବା ଆଦିବାସୀମାନଙ୍କର ସରଳ ବିଶ୍ୱାସବୋଧ, ଧାର୍ମିକ ଭାବ ଆଦିବାସୀ ଜୀବନର ଏକ ଆଲେଖ୍ୟ। ସମ୍ପୂର୍ଣ୍ଣ ରୂପରେ ଲୋକ-ଉପାଦାନରେ ପର୍ଯ୍ୟବସିତ ହୋଇଛି।

ଦାଦିବୁଢ଼ା ବଡ଼ ସୁଧାରଠାକୁର। ଅତିବିରକ୍ତ ନ ହେଲେ ସେ କୋପ ହୁଏ ନାହିଁ। ଗାଁର ସବୁ ଲୀଳାଖେଳା ତାରି ବାଟ ଦେଇ ଗାଁର ଯାନିଯାତ୍ରା, ବାହାଘର ଶୁଭ ମାଙ୍ଗଳିକ କାମ ସବୁକିଛି ତାକୁ ସାକ୍ଷୀ ରଖି। ସେ ଏଇ ସୃଷ୍ଟିକୁ ସର୍ଜନା କରେ, ପାଳନ କରେ ପୁଣି ତାହାକୁ ଧ୍ୱଂସ ମଧ୍ୟ କରେ। ଦାଦିବୁଢ଼ାକୁ ନ ମାନିଲେ ତା ପ୍ରତି ଅନ୍ୟାୟ ହେଲେ ସେ ଆଦିବାସୀଙ୍କ ଉପରେ କୋପ କରି କହେ “ମୁଁ ଦାଦିବୁଢ଼ା, ତୁମ ସମସ୍ତଙ୍କୁ ସର୍ଜନା କରିଛି ମୁଁ। ମତେ ତୁମେ ମାନୁ ନାହିଁ। ସବୁ ଗାଁରେ ଦାଦିବୁଢ଼ା ପୂଜା ତୁମ ଗାଁରେ ନାହିଁ। ତୁମେ ମତେ କୁକୁଡ଼ା ଦେଲ ନାହିଁ, ପାରା ଦେଲ ନାହିଁ, ଛେଳି ଦେଲ ନାହିଁ, ପାଣି ଦେଲ ନାହିଁ, ଭୋକ ଶୋଷରେ ଦରମରା ହୋଇ ମୁଁ ଡୁଙ୍ଗରେ ଡୁଙ୍ଗରେ ବୁଲି ବୁଲି ମରୁଛି। ତାଗିଦ୍ ଦେଲି ଆଉ ତିନି ଦିନ ଅନେଇବି ତା ପରେ ଖାଇବି ଖାଇବି।” (୧)

ଆଦିବାସୀ ଲୋକଭାଷା, ପରଜା ଓ କନ୍ଧମାନଙ୍କ ଲୋକଗୀତ, ଡମଢ଼ୋଲ, ଡୁଙ୍ଗଡୁଙ୍ଗା ବାଦ୍ୟ, ନୃତ୍ୟ, ବ୍ୟବହୃତ ଅଳଙ୍କାର ଆଭୁଷଣ, ବେଶ ପୋଷାକ, ଖାଦ୍ୟପେୟ, ଯାନିଯାତ୍ରା, ପର୍ବପର୍ବାଣୀ, କାଳିଶୀ ଲାଗି ନୃତ୍ୟଗୀତ ମାଧ୍ୟମରେ ଭବିଷ୍ୟତ ପ୍ରତି ସତର୍କ କରାଇବା ଆଦି ବହୁ ବିଷୟ ଲୋକ ଉପାଦାନ ଉପରେ ସମ୍ପୂର୍ଣ୍ଣ ରୂପରେ ସଂଶ୍ଲିଷ୍ଟ। ବିବାହ ସମୟରେ ଝୋଲାଟଙ୍କା ପୁଅଘରୁ ଝିଅଘରକୁ ଦେବା ପରମ୍ପରା, ଉଦୁଲିଆ ବିବାହ ପ୍ରଥା, ନାରୀ ପୁରୁଷର ସ୍ୱାଧୀନ ବିବାହ ପ୍ରଥା, ଦାମ୍ପତ୍ୟ ଜୀବନ ବ୍ୟାଘାତ ହେଲେ ମୁକ୍ତ କଣ୍ଠରେ ସେମାନେ କହି ପାରନ୍ତି ତୁମ ପାଖରେ ମୋର ମନ ନାହିଁ ଓ ମୁକ୍ତ ହୋଇଯାଆନ୍ତି। ବଳି ପ୍ରଥା, ଆଦିବାସୀ ପୁଅ ବା ଝିଅ ଡମ ବା ଅନ୍ୟ ଜାତି ବାହାଲେ ଜାତି ହୋଇ ପ୍ରାୟଶ୍ଚିତ ଭୋଜି ଦେବା ପ୍ରଥା, ବଘେଇ ଲାଗିବା, ଗାଈଗୋରୁ ପଶୁପକ୍ଷୀଙ୍କୁ ରୋଗଲାଗିବା, ଟାଙ୍ଗିଆର ବ୍ୟବହାର, ପରଜା ଉପନ୍ୟାସରେ ମାଘ, ଫଗୁଣ, ଚୈତ୍ର, ବୈଶାଖ ଚାରୋଟି ପର୍ବର ଅପୂର୍ବ ଚିତ୍ରଣ ସହ ଲୋକ ଉପାଦାନର ବହୁଳ ବ୍ୟବହାର, ଭୂମି ଦେବତା ପାଖେ ଗୀତରେ ଗୀତରେ କଥାଭାଷା, ଚଇତ ଦେବତାର ଉଦ୍ ବୋଧନ, ଆରେ ଚଇତ ଦେବତା ଗୀତ ଗାଆନ୍ତି, ଦେବତା ବଣରେ ଥାଏ। ଝାଙ୍କର ଦେବତା, ବାଘ ଦେବତା, ବସୁମତୀ ଦେବତା ଆଦି ଅନେକ ଦେବତା ଉପରେ ଲୋକବିଶ୍ୱାସ, କନ୍ଧ ଦିଶାରି ରାତିରେ ତାରାଗଣେ, ଭଲମନ୍ଦ ଆଗତ ଭବିଷ୍ୟତ କଥା କହିବା, ଅମୃତର ସନ୍ତାନରେ ଝଙ୍କାଳିଆ ବରଗଛ ତଳେ ପୂଜା କରିବା, ବଳିଦେବା, ବଣ ଦେବତାର ପୂଜାର୍ଚ୍ଚନା କରି ସନ୍ତୁଷ୍ଟ କରିବା, ସନ୍ତାନ ଜନ୍ମ ହେଲେ ବିଭିନ୍ନ ସଂସ୍କାର କରି ସଂସ୍କୃତିର ପାଳନ କରିବା, ବେଜୁଣୀକୁ ଡାକି ନାମକରଣ କରାଇବା, ବେଜୁଣୀକୁ କାଲିଶି ଲାଗିବା, ନାଲି ଓ ଧଳା ମାଟିରେ ଘର ଲିପାପୋଛା କରି ଶାଳପତ୍ର ଝୁଲାଇ ଘର ଅଗଣା ସଜାଇବା, ମଉଳା ଘରକୁ ନାହିଁ ପଡ଼ିଲେ ଖବର ଦେଇ ଆମନ୍ତ୍ରଣ କରିବା, ଗାଁ, ମା, ଆତ୍ମୀୟ ସ୍ୱଜନର ଉପସ୍ଥିତିରେ ପିଲାର ଶୁଭ କାମନା କରିବା ଆଦି ବହୁ ବିଷୟ ଲୋକ ଉପାଦାନ ଭାବରେ ଆଲୋଚନା କରିପାରିବା।

ଦାଦିବୁଢ଼ା ସମ୍ପୂର୍ଣ୍ଣ ରୂପରେ ଆଦିବାସୀ ଗୋଷ୍ଟୀଗତ ଜୀବନର ସୁଖ ଦୁଃଖର ଚିତ୍ର। ରାମନାଇକର ପୁଅ ଠେଙ୍ଗା ଡମ ଜାତିର ଝିଅ ସନ୍ତୋଷ କୁମାରୀକୁ ନେଇ ଆସାମ ଚାଲିଯାଇଛି। ଯାହାକି ଆଦିବାସୀ ବିବାହ ପ୍ରଥାରେ ସମ୍ମତ ନୁହେଁ। ଏଣୁ ଗଭୀର ଦୁଃଖ କ୍ରମଶଃ ବଢ଼ିଯାଇଛି। ଗୋଟିଏ ସଭ୍ୟତା ସତେ ଯେପରି ଛିନ୍‌ଛତର ହୋଇଯାଇଛି। ଗୋଠରକ୍ଷକ ଦାଦିବୁଢ଼ାର ଅବସାନ ହୋଇ ଲୁଲ୍ଲାଗାଁ ଧ୍ୱଂସ ପ୍ରାପ୍ତ ହୋଇଛି ଠିକ୍ ସେପରି ଅମୃତର ସନ୍ତାନ ମଧ୍ୟ କନ୍ଧ ଜନଜାତିର ଜୀବନର ଆଲେଖ୍ୟ। କନ୍ଧମାନଙ୍କର ଧର୍ମବିଶ୍ୱାସ, ସାମାଜିକ ରୀତିନୀତି, ସୌନ୍ଦର୍ଯ୍ୟବୋଧ, ନାରୀଜୀବନର ସ୍ଥାନ ଓ ମହନୀୟତା, ପ୍ରକୃତିରାଣୀ ଅପାର ସୌନ୍ଦର୍ଯ୍ୟବୋଧର ଏକ ଗାଥାକାବ୍ୟ କହିପାରିବ। ଔପନ୍ୟାସିକ କନ୍ଧ ସଭ୍ୟତାକୁ କହିଛନ୍ତି ଅମୃତର ସନ୍ତାନ ସ୍ୱରୂପ ଦୁଃଖ ରୂପକ ବିଷକୁ ପାନ କରି ସେମାନେ ନୀଳକଣ୍ଠ ସାଜିଛନ୍ତି। ସରଳ ନିରାଡମ୍ବର ଜୀବନ ଯାପନ କରୁଥିବା ଏଇ ଛଳନାହୀନ ଆଦିମଅଧିବାସୀ ପ୍ରକୃତି କୋଳର ସନ୍ତାନ। ନିଷ୍କପଟ ଉଦାର ଜୀବନକୁ ପ୍ରେମମୟ ରୂପରେ ବଞ୍ଚିବା ଏମାନଙ୍କୁ ବେଶ ଜଣା। ଦୀର୍ଘ ଜୀବନ ବଞ୍ôଚଲେ କନ୍ଧପୁଅ ଖୁସିହୁଏ। କହେ ତାର ପୁନର୍ଜନ୍ମ ହେବ। ସେ ଭଲ ଡୁମା ନେଇ ଜନ୍ମ ହୋଇଛି ବୋଲି ମଣିଷ ଜନ୍ମ ପାଇଛି। ସରବୁ ସାଓଁତା ପାଚିଲା ଭ୍ରୁଲତା ସାନ ଆରିସିରେ ଦେଖି ଆନନ୍ଦିତ ହୁଏ। ପରଜନ୍ମରେ ବିଶ୍ୱାସ ରଖେ। ଅଶୀବର୍ଷର ସବୁ ସାରବୁ ଆପଣାର ବୟସକୁ ଅଣ୍ଡାଳି ଅଣ୍ଡାଳି ଖୁସି ହୁଏ। ତାର କନ୍ଧ ଦର୍ଶନ ଅନୁସାରେ ସେ ଭାବି ବସେ ଖରାପ ଲୋକର ଆତ୍ମାର ପରଜନ୍ମ ହୋଇଥିଲେ ସେ ଚଞ୍ଚଳ ମରିଥାନ୍ତା। କେବଳ ଭଲ ଲୋକର ଆତ୍ମାର ପରଜନ୍ମ ହିଁ ଦୀର୍ଘ ଆୟୁଷ ପାଏ। ଝଙ୍କା ବରଗଛ ତଳେ ସେ କେତେ ପୂଜାର୍ଚ୍ଚନା କରିଛି। ରନ୍ଧାମଦ, ମୂଷାର ରକ୍ତ, କୁକୁଡ଼ା, ପାରାବଳୀ ଦେଇଛି। ଦର୍ମୁ ଦରତନୀର ପୂଜା କରିଛି। ଗାଁର ଯାନି (ପୁରୋହିତ) ମନ୍ତ୍ର ଉଚ୍ଚାରଣ କରି ସମସ୍ତଙ୍କୁ ଖୁସି କାମନା କରିଥାଏ। ସମସ୍ତେ ଖୁସିରେ ଥାଆନ୍ତୁ, ଫସଲ ଭଲ ହେଉ, ମେଘ ପାଳୁ, ବାଘ ନ ଖାଉ, ରୋଗ ନ ହେଉ, ଭୂତ ପ୍ରେତ ଡାଆଣିଙ୍କ ଅଶୁଭ ଦୃଷ୍ଟି ନ ପଡୁ। କେବଳ ଶୁଭ କାମନା ଜାଂଗଳିକ ପ୍ରକୃତିର ଅକୃତ୍ରିମ ଶୋଭା ଏବଂ ତା କୋଳରେ ବଂଚୁଥିବା ମଣିଷମାନଙ୍କ ଜୀବନଚର୍ଯ୍ୟା ଓ ମୂଲ୍ୟବୋଧର ଚିନ୍ତାତ୍ମକ ଓ କାବ୍ୟିକ ଉପସ୍ଥାପନ ଏହି ଉପନ୍ୟାସକୁ ଏକ କ୍ଲାସିକ ଗଦ୍ୟ ମହାକାବ୍ୟର ଗୌରବ ପ୍ରଦାନ କରିଥାଏ। ପୁଣି ପରଜା ପୁଅର ବିପ୍ଲବର ମାର୍ମିକ ଚିତ୍ର ସହ ସେମାନଙ୍କ ଜୀବନର ସରଳତାର ଚିତ୍ର “ପରଜା’ ଉପନ୍ୟାସରେ ପ୍ରତିଫଳିତ ଚାରୋଟି ପର୍ବ ସହ ଉପନ୍ୟାସର କଥାବସ୍ତୁ ଗତି କରିଛି। ସେମାନେ ଏଇ ପର୍ବରେ ଜଙ୍ଗଲ ଦେବତା, ଝାଙ୍କର ଦେବତା, ବଣ ଦେବତା, ମାଟି ଦେବତା ଆଦିଙ୍କୁ ଆହ୍ୱାନ କରିଥାନ୍ତି। ପରଜା ସାହୁକାରର ଅନେକ ନିର୍ଯ୍ୟାତନା ସହିଛି। ମାତ୍ର ମା ଭଉଣୀଙ୍କ ମାନସମ୍ମାନରେ ଯେତେବେଳେ ବାଜି ଆସୁଛି ସେ ମୁହଁ ଖୋଲି ପ୍ରତିଶୋଧ ନେଇଛି। ସେ ନାରୀମାନଙ୍କୁ ସମ୍ମାନ ଦେବା ଶିଖିଛି। ଆଦିବାସୀ ନାରୀର ଜୀବନ ସ୍ୱାଧୀନ। ସେମାନେ ପୁରୁଷ ସମାଜର କଳୁଷିତ ଦୃଷ୍ଟିରୁ ନିଜକୁ ଅସହାୟ ମନେ କରନ୍ତି ନାହିଁ। ଆଦିବାସୀ ସମାଜରେ ଶିଷ୍ଟାଚାରର ଅଭାବ ନାହିଁ। ଯେଉଁ ଝୋଲାରେ ନାରୀମାନେ ସ୍ନାନ କରନ୍ତି ସେ ପଟେ ପୁରୁଷମାନେ ଚାଲିଗଲେ ମଧ୍ୟ ତାଙ୍କ ପ୍ରତିଦୃଷ୍ଟି ଦିଅନ୍ତି ନାହିଁ। ସେମାନଙ୍କ ଉଲଗ୍ନ ହୋଇ ଗାଧୋଇବା ପରମ୍ପରା ସହ ପୁରୁଷର ଶିଷ୍ଟ ବ୍ୟବହାର ପରମ୍ପରା ମଧ୍ୟ ସଂଶ୍ଲିଷ୍ଟ। ପୁରୁଷମାନଙ୍କ ଧାଂଡ଼ାବସା ଭଳି ନାରୀମାନଙ୍କ ମଧ୍ୟ ଧାଂଡ଼ୀବସା ରହିଛି। ପୁରୁଷର ଡୁଙ୍ଗାଡୁଙ୍ଗା ବାଦ୍ୟ ତାଳେ ତାଳେ ଗୀତରେ ଉତ୍ତର ଦେବା ନାରୀମାନଙ୍କୁ ବେଶ ଜଣା। ନାରୀ ଭୋଗବିଳାସ ବା ସନ୍ତାନ ଉତ୍ପାଦନର ସାମଗ୍ରୀ ନୁହେଁ। ତାର ଭୂମିକା ପ୍ରତି ଆଦିବାସୀ ପୁରୁଷର ସମ୍ମାନବୋଧ ରହିଛି। ଗାଁରେ ସାମୂହିକ ଆଲୋଚନା ସଭାରେ ଅବିବାହିତା, ବିବାହିତା, ମା’ମାନଙ୍କର ମଧ୍ୟ ପରାମର୍ଶର ଆଲୋଚନାରେ ଭୂମିକା ରହିଥାଏ। ବିବାହ ସମୟରେ ସେ ମୁକ୍ତ ଭାବରେ ନିଜ ଇଚ୍ଛା ଅନିଚ୍ଛା କଥା ପ୍ରକାଶ କରିପାରେ, ଯେପରି ଦାଦିବୁଢ଼ା ଉପନ୍ୟାରେ ହରିଜାନିର ଝିଅ ସାରିଆ ଦାନକୁ ପାଞ୍ଚ ପଞ୍ଚାୟତ ଆଗରେ ଠେଙ୍ଗାଜାନିର ମାଗୁଣି ପାଇଁ ଆସିଛନ୍ତି। ହରିଜାନି ଝିଅକୁ ସ୍ପଷ୍ଟ ଭାବରେ ସମସ୍ତଙ୍କ ଆଗରେ କହିଛି- ଆଲୋ ଝିଅ ଏ ଜାଗାରେ ନାଇକ ତା’ର ପୁଅ ଠେଙ୍ଗାଜାନି ପାଇଁ ତତେ ମାଗୁଣି କରି ଆସିଛି। ଆମେ ପରଜା ଜାତି। ଆମର ମନଟା ଯୁଗେ ଯୁଗେ କାହାରି ଗୋତି ନୌକର ନୁହେଁ। ତୋର ଇଚ୍ଛା ହେଲେ ତୁ ଯିବୁ, ନ ହେଲେ ନାହିଁ ମନା କରିଦେବୁ, ଏବେ ହାତକୁ ହାତ ତାର, ମଦ ଲନ୍ଧା ସବୁ ଫେରାଇ ଦେବା। ତୋର ମନର କଥାତୁ କହିଦେ, ଠେଙ୍ଗାଜାନି ଗାଁର ପିଲାତ, ତୋର କିଛି ଅଚିହ୍ନା ନୁହେଁ। (୨) ପୁଣି ନାରୀ ଚରିତ୍ର ମଧ୍ୟରେ ପରଜା ଉପନ୍ୟାସର ଜିଲି, ବିଲିର ସଂଘର୍ଷମୟ ଜୀବନଚିତ୍ର ଓ ଅମୃତର ସନ୍ତାନ ଉପନ୍ୟାସରେ ପୁୟୁ, ପୁବୁଲିର ମାତୃତ୍ୱ, ପାରିବାରିକ ଜୀବନରେ ନାରୀ ଭୂମିକା ମହନୀୟତା ବେଶ ଉଚ୍ଚକୋଟୀର ହୋଇଛି। ପୁୟୁର ଦାମ୍ପତ୍ୟ ଜୀବନର ଅସାରତାରେ ହାର ମାନି ନାହିଁ। ସେ ସାଜିଛି ବିପ୍ଲବିନୀ ପୁଅ ହାକିନାକୁ ନେଇ ବଞ୍ଚିବାର ରାହା ଖୋଜିଛି। ସଉତୁଣୀର ପ୍ରବେଶରେ ମଧ୍ୟ ଜୀବନର ଅମୃତମୟ ସୋପାନର ଯାତ୍ରୀ ହୋଇଛି। ଗୋପୀନାଥଙ୍କ ଭାଷାରେ- “ଟିକି ଚଢ଼େଇର ବସାଅଛି, ପିମ୍ପୁଡ଼ିର ଅଛି ଆଧାର, ତାକୁ ରହିବାକୁ ଥାନ ନାହିଁ? ଆନନ୍ଦ ପାଇଁ ମଣିଷର ଜନ୍ମ। ତେଣୁ ସକଳ ଦୁଃଖ ଓ ଦୈନ୍ୟ ମଧ୍ୟରେ ସେ ସେହି ସ୍ୱପ୍ନ ଦେଖିଛି – ଜୀବନରେ ସୁଆଦ ଅଛି, ମରଣ ନାହିଁ, ଦୁଃଖ ନାହିଁ।”(୩)

କେଉଁ ଅସରନ୍ତି ଅତୀତର ଆଦିବାସୀ ଲୋକ ଜୀବନର ଚିତ୍ର ହେଉଛି – ଦାଦିବୁଢ଼ା, ପରଜା ଓ ଅମୃତର ସନ୍ତାନ। ଏହି ଉପନ୍ୟାସତ୍ରୟ ଜୀବନର ନିଚ୍ଛକ ପ୍ରତିବିମ୍ବରେ ପ୍ରତିବିମ୍ବିତ। ଔପନ୍ୟାସିକଙ୍କ ରଚନାଗୁଡ଼ିକରେ ଭରି ରହିଛି ଜୀବନ ବଞ୍ଚିବାର ଉପାଦାନ। ମଣିଷ ଜୀବନର ଅନୁପମ ଉପଲବ୍‌ଧି ମଧ୍ୟରେ ସେ ଅମୃତର ସନ୍ତାନ ସଭ୍ୟ ଜଗତରେ ଲୁଚି ରହିଥିବା ଆଦିମାନବଙ୍କ ଜୀବନ କାହାଣୀକୁ ଖୋଲା ପୃଷ୍ଠାରେ ଆଣି ପାଠକ ପାଖରେ ତାଙ୍କ ଲେଖନୀର ଅନନ୍ୟ ମହକ ସେ ଛାଡ଼ି ଯାଇଛନ୍ତି। ସମ୍ପୂର୍ଣ୍ଣ ରୂପରେ ଲୋକମାନଙ୍କ ଜୀବନର କାହାଣୀ ଉପରେ ଏଇ ତିନି ଉପନ୍ୟାସର ବିଷୟ ଓ ମୂଳଦୁଆ ସ୍ଥାପିତ ହୋଇଛି।

ଏଣୁ ଆଦିବାସୀ ଜୀବନକୁ ଆଧାର କରି ଏହି ତିନି ଉପନ୍ୟାସ ରଚିତ ହୋଇଥିଲେ ମଧ୍ୟ ଏଥିରେ ଚିତ୍ରିତ ବହୁ ଲୋକ ଉପାଦାନରୁ ଆମେ ମୁକ୍ତ ହୋଇପାରିନାହୁଁ।

 

ପାଦଟୀକା :

୧- ଦାଦିବୁଢ଼ା- ପୃ.-୯

୨-ଦାଦିବୁଢ଼ା- ପୃ.-୫୦

୩- ଅମୃତର ସନ୍ତାନ, ପୃ.-୫୬୦

 

ସହାୟକ ଗ୍ରନ୍ଥସୂଚୀ :

ମହାନ୍ତି, ଗୋପୀନାଥ : ଦାଦିବୁଢ଼ା, ବିଦ୍ୟାପୁରୀ, କଟକ, ୧୯୮୪।

ମହାନ୍ତି, ଗୋପୀନାଥ : ପରଜା, ବିଦ୍ୟାପୁରୀ, କଟକ, ୧୯୮୩।

ମହାନ୍ତି, ଗୋପୀନାଥ : ଅମୃତର ସନ୍ତାନ, ଜଗନ୍ନାଥ ରଥ, କଟକ, ୧୯୬୫।

ପଟ୍ଟନାୟକ, ପଠାଣି (ସମ୍ପାଦନା) ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ (୧୯୫୦ ମସିହା ପରବର୍ତ୍ତୀ) ଓଡ଼ିଶା ବୁକ୍‌ଷ୍ଟୋର, କଟକ, ୧୯୯୮।

ପ୍ରଧାନ, କୃଷ୍ଣଚନ୍ଦ୍ର : ଓଡ଼ିଆ ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି, ବିଦ୍ୟାପୁରୀ, ୧୯୯୫।

ମିଶ୍ର, ଅଜୟ କୁମାର : ଓଡ଼ିଆ ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି, ବିଜୟ,୨୦୧୩।

 

ଅସ୍ମିତା ମିଶ୍ର, ଗବେଷିକା, ଓଡ଼ିଆ ବିଭାଗ

ଜାମଶେଦପୁର ମହିଳା ବିଶ୍ୱବିଦ୍ୟାଳୟ,

ଜାମେଶଦପୁର (ଝାରଖଣ୍ଡ)

ଡ. ସୁଧୀର କୁମାର ସାହୁ

ଏସୋସିଏଟ୍ ପ୍ରୋଫେସର୍‌, ଓଡ଼ିଆ ବିଭାଗ

ଜାମଶେଦ୍‌ପୁର ମହିଳା ବିଶ୍ୱବିଦ୍ୟାଳୟ

ଜାମଶେଦପୁର (ଝାରଖଣ୍ଡ)।

Share This Article
(ଓଡ଼ିଆ ଅଧ୍ୟାପିକା ସୋହେଲା କଲେଜ, ବରଗଡ଼)