Home / ସାହିତ୍ୟ ସଂସ୍କୃତି / ସମୀକ୍ଷା / ଘର ନମ୍ବର ୨୩୪, ବହୁବଜାର ଷ୍ଟ୍ରିଟ, କଲିକତା (ଅସୀମ ବସୁଙ୍କ ଆତ୍ମଜୀବନୀ ‘କଥାରେ କଥାରେ’ରୁ ସଂଗୃହୀତ)

ଘର ନମ୍ବର ୨୩୪, ବହୁବଜାର ଷ୍ଟ୍ରିଟ, କଲିକତା (ଅସୀମ ବସୁଙ୍କ ଆତ୍ମଜୀବନୀ ‘କଥାରେ କଥାରେ’ରୁ ସଂଗୃହୀତ)

Share Samadhwani

                କଲିକତାର ବହୁବଜାର ଷ୍ଟ୍ରିଟ୍ । ସରକାରୀ ନାମ ବଦଳି ଏବେ ବିପିନ ବିହାରୀ ଗାଙ୍ଗୁଲି, ବା ପ୍ରକାରାନ୍ତରେ ବିବି ଗାଙ୍ଗୁଲି ଷ୍ଟ୍ରିଟ । କେନ୍ଦ୍ରିୟ କଲିକତାର ଏହି ରାସ୍ତାଟି ଯୋଡ଼େ, ସିଆଲଦା ଷ୍ଟେସନକୁ କଲିକତାର ବ୍ୟବସାୟିକ କେନ୍ଦ୍ର ବିବିଡ଼ି ବାଗ୍ ସହିତ । ରାସ୍ତାଟିକୁ ଆମହର୍ଷ୍ଟ ଷ୍ଟ୍ରିଟ, କଲେଜ ଷ୍ଟ୍ରିଟ, ଚିତ୍ତରଞ୍ଜନ ଆଭେନ୍ୟୁ ଓ ରବୀନ୍ଦ୍ର ସରଣୀ ଛକି କାଟି ଚାଲିଯାଆନ୍ତି । ୧୯୫୪ ମସିହା । ବହୁବଜାର ଷ୍ଟ୍ରିଟରେ ଛିଡ଼ା ହୋଇଥାଏ ଘର ନମ୍ବର ୨୩୪ । ପୋକ କାଟି ଖାଇ ଯାଇଥିବା ବୁଢ଼ା ଗଛଟିଏ ପରି । ମଲାଗଛର ପତର ଝଡ଼ିଯାଇଥିବା ପରି ଚୂନ ଝଡ଼ିଯାଇଥାଏ । ହେଲେ ମରିଆସୁଥିବା ବରଗଛ ଲକ୍ଷେଜୀବ ପୋଷିଲା ଭଳି, ୨୩୪ରେ ରହୁଥାଆନ୍ତି ଅନେକ କୁଟୁମ୍ବ, ମଣିଷମାନଙ୍କର । ଛାତ ଉପରେ ଟିଣ ଓ କଠା ପଟା ଯୋଡ଼ି ତିଆରି ହୋଇଥାଏ କେତଗୁଡ଼ିଏ କେବିନ । କିଛି କାନ୍ଥ ଟିଣର । କିଛି କାନ୍ଥ ପଟାର । ଆଉ ଛାତ ହେଲା ଟିଣର ।

               ଯିତିକି କେବିନ, ସେତିକି ବସା ଓ ପରିବାର । ସେ କେବିନ ଗୁଡ଼ିକରେ ଥାଆନ୍ତି ମାଇପ ଓ ଛଅଟି ପିଲାପିଚିକାଙ୍କୁ ନେଇ ସଂସାର କରିଥିବା ବଙ୍ଗାଳୀ କାଠ ମିସ୍ତ୍ରୀ, ସିନେମାରେ ଖୁଚୁରା କାମ କରୁଥିବା ଅଭିନେତା, ପିଅନ, ପକେଟମାର, ଓଡ଼ିଆ ଛାତ୍ର, ତଥା ଏକ ମହଲା ଆଉ ଦୁଇ ମହଲାର ଭିତରେ ତ୍ରିଶଙ୍କୁ ଭଳି ଝୁଲିରହିଥିବା ବସାରେ ଅନିନ୍ଦ୍ୟ ସୁନ୍ଦରୀ ସ୍ତ୍ରୀ ସହିତ ରହୁଥିବା ଅସୁନ୍ଦର ଚେହେରାବାଲା ବିହାରୀ କୁଲି । ତଳୁ ଉପରକୁ ଉଠିଲା ବେଳକୁ ନଅଟା ପାହାଚ । ତାହାପରେ ବିହାରୀ କୁଲିର ଘର । ସେଠି ବାଆ’କୁ ମୋଡ଼ି ସାତଟା ପାହାଚ ଟପିଲା ପରେ ଯାଇଁ ଛାତର କେବିନଗୁଡ଼ିକ । ସେଇଠି ଗୋଟିଏ କେବିନରେ ୧୯୫୪ ମସିହାରେ ଆଉ ଚାରିଜଣ ଓଡ଼ିଆ ପିଅନଙ୍କ ସହ ରହିଲେ ଅସୀମ ବସୁ ।

                   ସେ ବାଲେଶ୍ୱର ଛାଡ଼ି କଳାଶିକ୍ଷା ପାଇଁ କଲିକତା ଗଲାବେଳକୁ ହାତରେ ଥିଲା ଟଙ୍କା ଦୁଇକୋଡ଼ି ଓ କେତେଖଣ୍ଡ ବହି। ମହାନଗରରେ ପଞ୍ଚମ ନାମ ଲେଖାଇଲେ କଲିକତା ସରକାରୀ କଳା ମହାବିଦ୍ୟାଳୟରେ । ପ୍ରଥମେ ରହୁଥିଲେ ଗୋଟିଏ ଲୁଗାସଫା ଦୋକାନରେ । କଲେଜ ଥାଏ ସକାଳେ । କଲେଜରୁ ଫେରି ଦେକାନରେ କାମ କରିବାକୁ ପଡ଼େ । ମଇଳା ଲୁଗା ନେଇ ସଫା ଲୁଗା ଗରାଖକୁ ବଢ଼ାଇଦେବାକୁ ହୁଏ । କାମ ବଦଳରେ ନା ଦରମା ମିଳେ ନା ଖୋରାକି । ଖାଲି ଘରଭଡ଼ା ମାଫ ହୁଏ ।

                         ଦିନବେଳେ ପାଇସ ହୋଟେଲରେ ଖା’ପି’ । ଭାତ ଦୁଇ ଅଣାର । ତାହା ସହିତ ଅଣ୍ଡା ଝୋଳ ଖାଇଲେ ଆଉ ତିନି ଅଣା ହାତରୁ ବାଜେ । ମିଲ୍ଟା ସମୁଦାୟ ପାଞ୍ଚ ଅଣା । ରାତିରେ ଜଗିରଖି ଚଳିବାକୁ ପଡ଼େ । ଅଣାକର ମୁଢ଼ି ଓ ମାଗଣା ପାଣିରେ ସବୁଦିନ ରାତିରେ କାମ ଚଳିଯାଏ । କଲେଜରେ ନାଁଲେଖାରେ ଅନେକ ଟଙ୍କା ଶ୍ରାଦ୍ଧ ହୋଇଥାଏ । ମାସଶେଷକୁ ଖୋରାକି ବାବଦକୁ ଖର୍ଚ୍ଚ ଯାଇ ହାତରେ ଆଦୌ ଟଙ୍କା କଉଡ଼ି ନଥାଏ କହିଲେ ଚଳେ । ଏତିକିବେଳକୁ ଘରମାଲିକ ପାଇଖାନା ଓ ଗାଧୁଆଘର ବ୍ୟବହାର ପାଇଁ ଭଡ଼ା ମାଗିଲା ତିନିଟଙ୍କା । ଅନନ୍ୟୋପାୟ ହୋଇ ବସୁ ମହୋଦୟ ବସା ଛାଡ଼ିବାକୁ ବାଧ୍ୟ ହେଲେ ।

                           ରାତିଟିଏ ସିଆଲଦା ଷ୍ଟେସନରେ କଟାଇ ସାରିଲା ପରେ ଅସୀମବାବୁ ଯାଇ ଭେଟନ୍ତି ଗୌରାଙ୍ଗ ପ୍ରେସର ପିଅନ ବସନ୍ତ ବାବୁଙ୍କୁ । ବସାଟିଏ ଯୋଗାଡ଼ କରିବା ପାଇଁ ଅନୁରୋଧ କରନ୍ତି । ବସନ୍ତ ଭେଟାଇ ଦିଅନ୍ତି ଧରଣୀଧର ନାୟକଙ୍କ ସହ । ସେ ମଧ୍ୟ ଜଣେ ପିଅନ । ବିଶ୍ୱବିଦ୍ୟାଳୟରେ । କଲିକତା ବିଶ୍ୱବିଦ୍ୟାଳୟର ବିଶାଳକାୟ କୋଠାର ପଛକୁ ଟିଣ ଛାଉଁଣି ଧାଡ଼ିଏ ଘର । ସେଥିରୁ ଗୋଟିକରେ ବସା ବାନ୍ଧିଥାଆନ୍ତି ଧରଣୀ । ରହନ୍ତି ନିଜର ଦୁଇଜଣ ଭାଇଙ୍କ ସହ । ସେମାନେ ମଧ୍ୟ ପିଅନ। ରହିବା ଶୋଇବା ପାଇଁ ଜାଗାର ଅଭାବ ନାହିଁ । ପୂଜା ଛୁଟି ଯାଏଁ ସେଇଠି ରହିଗଲେ ଅସୀମ । ଟ୍ୟୁସନ କରି ଚଳିବାର ଉପକ୍ରମରୁ ସକାଳେ ଅକ୍ଷର ଶିଖାଇ ଜଳଖିଆ ସାଙ୍ଗକୁ ମାସକୁ ଛଅ ଟଙ୍କା ଓ ସନ୍ଧ୍ୟାରେ ଅଷ୍ଟମ ଶ୍ରେଣୀର ଦୁଇଜଣ ଝିଅଙ୍କୁ ପଢ଼ାଇ ମାସକୁ କୋଡ଼ିଏ ଟଙ୍କା ମିଳିବାକୁ ଲାଗିଲା । କଲିକତାରେ ଜୀବନ ଗୋଟିଏ ରୂପ ନେବାକୁ ଆରମ୍ଭ କଲା । ହେଲେ ଏହି ସମୟରେ ସେ ହଠାତ ନିଜର ଛାତ୍ରୀ ତାଙ୍କ ପାଇଁ ଲେଖିଥିବା ଗୋଟିଏ ପ୍ରେମ ପତ୍ର ତାହାର ବହିରୁ ଆବିଷ୍କାର କଲେ । ଡ଼ର କାରଣରୁ ଟିଉସନ ଛାଡ଼ିଲେ । ଚଳିବାପାଇଁ ବ୍ୟବସ୍ଥା କରିବାକୁ ଘରକୁ ଯାଇ ବାପାଭାଇଙ୍କୁ ବୁଝାଇବାକୁ ଚେଷ୍ଟା କଲେ। ଚିଠିପତ୍ର ଲେଖି ସେ ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କିଛି ବିଶେଷ ଫଳ ଫଳିନଥାଏ । ବାପା ମାସକୁ କୋଡ଼ିଏ ଟଙ୍କାଦେବେ ବୋଲି ଶେଷକୁ ରାଜି ହେଲେ । ଭାଇ ବୁଝେଇଲେ କି ଆର୍ଟ ଗ୍ରାଜୁଏଟ୍ଟିଏ ହୋଇ ମାଷ୍ଟ୍ରଜୀ କଲେ ମିଳିବ ଟଙ୍କା ସତୁରୀ । ପାଠ ନ ପଢ଼ି ସାଙ୍ଗେ ସାଙ୍ଗେ କିରାଣୀଗିରି କଲେ ବି ସେଇ ସତୁରୀ ହିଁ ମିଳିବ । ଏଣୁ ବିଷୟବୁଦ୍ଧି ସମ୍ପନ୍ନ ଭ୍ରାତୃଦେବ ଅନୁଜଙ୍କୁ କିରାଣୀ ବୃତ୍ତି ଆପଣେଇନେବା ସଙ୍ଗେ ପ୍ରବର୍ତ୍ତାଇଲେ । ହେଲେ ଅବୁଝା ଅସୀମ ବାବୁ ଭାବିଚିନ୍ତି ନିଷ୍ପତ୍ତି ନେଲେ କଲିକତା ଫେରିଯିବା ପାଇଁ, କଳା ଶିକ୍ଷା ସାରିବା ନିମନ୍ତେ । ଏଭଳି ଦୃଢ଼ ସଙ୍କଳ୍ପ ଶୁଣି ଭାଇ ବି ଟଙ୍କା ଦଶଟି ଲେଖାଏଁ ଦେବାପାଇଁ ରାଜି ହେଲେ । ପରିବାରରୁ ମାସିକ ତିରିଶ ଟଙ୍କା ପାଇବାର ପ୍ରତିଶ୍ରୁତି ନେଇ କଲିକତା ଫେରିଆସିଲେ ଅସୀମ ବାବୁ ।

             ଧରଣୀଧର ହିଁ ଯୋଗାଡ଼ କରିଦେଲେ ବହୁବଜାର ଷ୍ଟ୍ରିଟର ବସାଟିକୁ । ସାଥିରେ ଦେଲେ ଇକମିକ କୁକର ଗୋଟିଏ, ଆଉ ଆଲୁମିନିଅମର ଥାଳି ଓ ଗିନା ପଟେ । ଏଗୁଡ଼ିକ ସବୁ ଧରଣୀଙ୍କ ପାଖରେ ହିଁ ଥିଲା । ଅସୀମ ବାବୁଙ୍କୁ ନୂଆ ଜାଗାରେ ଥଇଥାନ କରିବାପାଇଁ ଏହା ଅନେକଟା ସାହାଯ୍ୟ କଲା । ଇକମିକ କୁକରର ଉଦ୍ଭାବକ ଥିଲେ ଇନ୍ଦୁମାଧବ ମଲ୍ଲିକ । ଏହି କୁକର ପ୍ରଥମେ ବଜାରକୁ ୧୯୧୦ ମସିହାରେ ଆସିବାକୁ ଆରମ୍ଭ କଲା । ଏଥିରେ ଥିଲା ଚାରୋଟି ଖୋପ । ଚାଉଳ, ଡ଼ାଲି, ପରିବା ଓ ତରକାରୀ ରାନ୍ଧିବା ପାଇଁ । ଗତ ଶତାବ୍ଦୀର ଷଷ୍ଠଦଶକ ବେଳକୁ ଇକମିକ କୁକର କଲିକତାରେ ରନ୍ଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବନିସାରିଥାଏ ।

                                   ବସାଟି ପାଇଁ ମାସକୁ ଘରଭଡ଼ା ଚାରିଟଙ୍କା ଆଠଅଣା । ଅସୀମ ବାବୁଙ୍କର କଲିକତାରେ ତୃତୀୟ ଓ ଶେଷ ବସା, ଯେଉଁଠି ସେ ବିତାଇଦେଲେ କଲିକତାର ସରକାରୀ କଳା ମହାବିଦ୍ୟାଳୟରେ ଛାତ୍ର ଭାବରେ ପାଞ୍ଚ ବରଷ । ବସାରେ ଅସୀମବାବୁଙ୍କୁ ମିଶାଇ ପାଞ୍ଚ ଜଣ ରହୁଥିଲେ । ବାକି ଚାରିଜଣ ଥିଲେ ବିଶ୍ୱବିଦ୍ୟାଳୟରେ ପିଅନ । ସେମାନେ ଘର ଭଡ଼ା ଦେଉଥିଲେ ସତ । ହେଲେ ସମସ୍ତେ ଉପୁରୀ ଦୁଇ ପଇସା ଅରଜିବା ପାଇଁ କଲିକତା ବାବୁମାନଙ୍କ ଘରେ ରୋଷେଇଆ କାମ ମଧ୍ୟ କରୁଥିଲେ । ସକାଳୁ ବାବୁମାନଙ୍କ ଘରେ ରୋଷେଇ ସାରନ୍ତି । କାମ ସାରି, ଖାଇ, ବହୁବଜାର ଷ୍ଟ୍ରିଟର ଘରେ ପହଞ୍ଚନ୍ତି । ଘରୋଇ ଜାମାପଟା ବଦଳାଇ ଦିଅନ୍ତି । ଅଫିସ୍ର ଜାମା ପିନ୍ଧି କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରନ୍ତି । ପୁଣି ଅଫିସରୁ ଫେରି କେବିନରେ ଘରୋଇ ଜାମା ପିନ୍ଧି, ରୋଷେଇ କରିବା ପାଇଁ ବାହାରି ଯାଆନ୍ତି । ଅର୍ଥାତ୍, ରୋଷେଇଆ କାମ ହାତରେ ଥିଲା ପର୍ଯ୍ୟନ୍ତ ପିଅନ ବାପୁଡ଼ାମାନେ ୨୩୪ ବହୁବଜାର ଷ୍ଟ୍ରିଟର କେବିନଟିକୁ ପୋଷାକ ପରିବର୍ତ୍ତନ ନିମନ୍ତେ ହିଁ ବ୍ୟବହାର କରୁଥାଆନ୍ତି ।

                            ତେଣୁ ଅସୀମ ବାବୁ ଘରଟିକୁ ପ୍ରାୟତଃ ନିଜର ଏକେଲା ବ୍ୟବହାର ସକାଶେ ପାଉଥାଆନ୍ତି । ସକାଳୁ ଉଠି ଛଅଟା ବେଳେ ଇକମିକ କୁକରରେ ନିଜପାଇଁ ମୁଠାଏ ଚାଉଳ, କିଛି ଡ଼ାଲି ଓ ଯୋଡ଼ିଏ ଆଳୁ ବସାଇ ଦେଇ ଆର୍ଟ କଲେଜ କ୍ଲାସ ନିମନ୍ତେ ବାହାରି ଯାଆନ୍ତି । କ୍ଲାସ ସରୁସରୁ ଦି’ପହର । ଫେରିଆସି ପ୍ରଥମେ ତରତର ହୋଇ ସେ ଗାଧୋଇ ପଡ଼ନ୍ତି । ତାହା ପରେ ଭାତ, ସିଝା ଡ଼ାଲି ଓ ଆଳୁ ଭରତାର ଦିବ୍ୟ ଭୋଜନ । ଉପରବେଳା କରିବାକୁ କିଛି ପ୍ରାୟ ନଥାଏ । ୨୩୪ ବହୁବଜାର ଷ୍ଟ୍ରିଟରେ ସେତେବେଳେ ମାଇପିମାନଙ୍କର ରାଜୁତି, କାରଣ ମିଣିପମାନେ ସେତେବେଳେ ବାହାରେ ଥାଆନ୍ତି ନାନାଦି ପାଇଟିରେ । ମାସକ ଭିତରେ ଧରଣୀ ଅସୀମଙ୍କ ପାଇଁ ଆଉ ଗୋଟିଏ ଟ୍ୟୁସନ ଯୋଗାଡ଼ କରିଦେଲେ । କୋଡ଼ିଏ ଟଙ୍କିଆ । ଘରୁ ଆସୁଥିଲା ତିରିଶ । ଏହି କୋଡ଼ିଏ ଟଙ୍କା ମିଶି ହେଲା ପଚାଶ । ଅସୀମ ବାବୁଙ୍କୁ ଟିକିଏ ଆରାମ ଲାଗିଲା । ରଙ୍ଗ ତୁଳୀ ମନମୁତାବକ କିଣିପାରିଲେ । ମଝିରେ ମଝିରେ ଥିଏଟର ଯିବା କି ଜଳଖିଆ ଟିକିଏ ଖାଇବା ସମ୍ଭବ ହେଲା ।

୨୩୪ ବହୁବଜାର ଷ୍ଟ୍ରିଟରେ ରହିଲାବେଳେ ଅସୀମ ବାବୁ ‘ତରଙ୍ଗ’ ଓ ‘ସମାବେଶ’ ଆଦି ପତ୍ରିକା ପାଇଁ ଚିତ୍ର ଆଙ୍କିବା ଆରମ୍ଭ କଲେ। ଚଉଧୁରୀ ହେମକାନ୍ତ ମିଶ୍ର, ବିୟତକେଶ ତ୍ରିପାଠୀ, କଣ୍ଡୁରିଚରଣ ଦାସ, ଜଗଦୀଶ ବାବୁ ଆଦିଙ୍କ ସହ ବନ୍ଧୁତା ମଧ୍ୟ ହେଲା । ବିଜ୍ଞାପନ ଶିଳ୍ପରେ କାମ ଆରମ୍ଭ କଲେ । ପାଞ୍ଚ ବର୍ଷର କଳାଶିକ୍ଷା ସରିଲା । ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ଅସୀମ ବସୁ । ଷ୍ଟାଟିଷ୍ଟିକାଲ ବ୍ୟୁରୋର ଚାକିରୀ ପାଇଁ କଟକରେ ସାକ୍ଷାତକାର ନିମନ୍ତେ ଯାଇଁ, ସେ କାମ ଆରମ୍ଭ କଲେ ସୀତାକାନ୍ତ ମହାନ୍ତିଙ୍କର ଅନୁଷ୍ଠାନ, ଓଡ଼ିଶାର ପ୍ରଥମ ବ୍ୟାବସାୟିକ ଷ୍ଟୁଡ଼ିଓ ‘ଶିଳ୍ପପୁରୀ’ରେ । ୨୩୪ ବହୁବଜାର ଷ୍ଟ୍ରିଟ ରହିଗଲା ବହୁ ପଛରେ । ସ୍ମୃତିର ଠିକଣାଟିଏ ହୋଇ ।

ଶୈଳେନ ରାଉତରାୟ

ଲେଖାଟି ମାଧ୍ୟମରେ ଅସୀମ ବସୁଙ୍କ ଆତ୍ମଜୀବନୀରୁ ନିଖୁଣଭାବେ ବାଛି ବାଛି ତାଙ୍କୁ ଜାଣିବାପାଇଁ କିଛିକଥା ପ୍ରକାଶ କରିଛନ୍ତି ଶୈଳେନ ରାଉତରାୟ । କେଉଁଭଳି ପରିସ୍ଥିତିକୁ ସାମ୍ନାକରି ଅସୀମ ବସୁ ନିଜକୁ କଳାକାର ଭାବରେ ତିଆରି କରିଥିଲେ ଲେଖାଟିରେ ଖୁବ୍ କମ ଭାଷାରେ କହିଛନ୍ତି ଲେଖକ । ଅସୀମ ବସୁଙ୍କର ବିୟୋଗରେ ଲେଖାଟି ତାଙ୍କ ସ୍ମୃତିଚାରଣ ପାଇଁ ଏବଂ ତାଙ୍କ ବିଷୟରେ ଅଧିକ ଜାଣିବାପାଇଁ ସୁଯୋଗଟିଏ ସୃଷ୍ଟି କରିପାରିଛି । ଏହିଭଳି କଳାକାରମାନଙ୍କ ଜୀବନୀ ନୂଆ ପିଢ଼ିର କଳାକାରମାନଙ୍କୁ ଅଧ୍ୟବ୍ୟସାୟ ପାଇଁ ଓ ନୂଆକଥାଟିଏ ସୃଷ୍ଟି କରିବାପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା – ସମ୍ପାଦକ

Photo credit – Internet


Share Samadhwani
Support Samadhwani

About ଶୈଲେନ ରାଉତରାୟ

ଗବେଷକ, ଲେଖକ

Check Also

‘ପାଳିଆ’ର ଭାଇଚାରା ସଂସ୍କୃତି

Share Samadhwaniଭଦ୍ରକ ସହର ପାଖରୁ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଗଲେ ପ୍ରାୟ ୧୨ କି.ମି ଦୂରରେ ପଡ଼େ ଅଲ୍ଲିନଗର ଛକ …