ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର ନିବନ୍ଧ ପ୍ରକାଶିତ ହୋଇଛି । ଏଭଳି ଜଣେ ଗାନ୍ଧିବାଦୀ ବ୍ୟକ୍ତିତ୍ୱଙ୍କ ସହିତ ‘ସମଦୃଷ୍ଟି’ର ସମ୍ପାଦକ ତଥା ବିଶିଷ୍ଟ ସମାଜବିଜ୍ଞାନୀ ସୁଧୀର ପଟ୍ଟନାୟକ ଯେଉଁ ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପିତ କରାଯାଇଛି । ଜଗନ୍ନାଥ ସଂସ୍କୃତି ଏବଂ ବର୍ତ୍ତମାନ ସମୟରେ ଏହାସହିତ ଯୋଡ଼ି ହୋଇଥିବା ବିଭିନ୍ନ ପ୍ରସଙ୍ଗ ଏହି ଆଲୋଚନାର ମୁଖ୍ୟ ବିଷୟ । – ସମ୍ପାଦକ
ଜଗନ୍ନାଥ ହିଁ ଜଗତର ନାଥ ଏକଥା ପ୍ରକୃତରେ କିଏ କହିଛନ୍ତି?
ଭଗବତ ପ୍ରସାଦ – ସେଇଟା ତ ଗବେଷଣାର ବିଷୟବସ୍ତୁ ହୋଇପାରେ । ଜଗନ୍ନାଥଙ୍କର ଯେଉଁ ରୂପଟା ଆପଣ ଦେଖୁଛନ୍ତି ଶବରମାନଙ୍କର ଦେବତା ହିସାବରେ ଆଦିବାସୀର ସେହିଭଳି କଳ୍ପନା ଥିଲାବୋଲି ମଧ୍ୟ କୁହାଯାଏ । ତେଣୁ ଜଗନ୍ନାଥ ସଂସ୍କୃତି ଭିତରେ ବହୁତ ପ୍ରାଚୀନ ଜିନିଷଗୁଡ଼ିକ ଅଛି । ଉପନିଷଦରେ – ଗୋଟିଏ ଶ୍ଳୋକ ଅଛି ‘ସର୍ବେ ଭବନ୍ତୁ ସୁଖିନଃ’ । ଗୀତାରେ ପାଇବେ ସର୍ବଭୂତ ହିତେ ରତାଃ । ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତେ ସୁଖି ହୁଅନ୍ତୁ, ଏହି ଭାବନାଟା ଭାରତରେ ଥିଲା । ସେହି ଭାବନାର ଏକ ପରିପ୍ରକାଶ ହେଉଛନ୍ତି ଜଗନ୍ନାଥ କାରଣ ‘ସର୍ବେ ଭବନ୍ତୁ ସୁଖିନଃ’ – ସେଇଟା ଅନ୍ୟ କୌଣସି ଧର୍ମରେ ଦେଖିବାକୁ ମିଳିବନି । ଯେହେତୁ ଲୋକଙ୍କ ଭିତରେ ଏହା ପ୍ରଚଳିତ ଥିଲା ତା’କୁ ପଣ୍ଡାମାନେ କାଟିପାରିଲେନି ।
ଆଦିମ ସମ୍ପ୍ରଦାୟରେ ଅହିଂସା କିଛି ମାତ୍ରାରେ ରହିଛି, କିନ୍ତୁ ଅହିଂସାଟାକୁ ମୂଲ୍ୟବୋଧ ଭିତରେ ଏକ ନିର୍ଦ୍ଦିଷ୍ଟ ରୂପ ଦେବା ଏବଂ ସର୍ବୋଚ୍ଚ ସ୍ଥାନରେ ରଖିବା ଏଇଟା ଭାରତବର୍ଷରେ ଥିଲା । ଅହିଂସାକୁ ଯଦି ଆପଣ ସର୍ବୋଚ୍ଚ ସ୍ଥାନ ଦେଲେ ଆପେ ଆସିଯାଉଛି ସର୍ବ ଭୂତଃ ହିତେ ରତାଃ – ଅର୍ଥାତ୍ ସମସ୍ତଙ୍କ ଭିତରେ ଭଗବାନ ବିଦ୍ୟମାନ ତେଣୁ ସମସ୍ତଙ୍କୁ ଆପଣ ସମାନ ରୂପେ ଦେଖିବେ । ସର୍ବେ ଭବନ୍ତୁ ସୁଖିନଃ – ଅର୍ଥାତ୍ ସମସ୍ତେ ସୁଖରେ ରହନ୍ତୁ ।
ଯେତେବେଳେ ଦେବତାର କଳ୍ପନାଟି ସେ ସମୟରେ କରାଯାଇଛି ତାଙ୍କୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଦେବତା ନକହି ଜଗତର ନାଥ ବା ଜଗନ୍ନାଥ ବୋଲି କୁହାଯାଇଛି । ସର୍ବେ ଭବନ୍ତୁ ସୁଖିନଃ ଯେଉଁ ଚିନ୍ତାଧାରା, ସର୍ବ ଭୂତ ହିତେ ରତାଃ ଯେଉଁ ଚିନ୍ତାଧାରା ସେହି ଚିନ୍ତାଧାରା ସହିତ ଜଗନ୍ନାଥ ଦର୍ଶନଟି ମିଶିଯାଉଛି ଯେ ସିଏ ଜଗତର ସବୁ ଜୀବଙ୍କର ନାଥ । ଖାଲି ମଣିଷ ନୁହନ୍ତି ଜୀବଜନ୍ତୁ ସବୁ ଜୀବନର ସେ ନାଥ ।
photo credit – https://bit.ly/3ft7UAp