ଅନେକ ସମୟରେ ହାତକୁ ଏପରି ଖଣ୍ଡିଏ ବହି ଆସେ ଯାହାକୁ ଦେଖି, ପଢ଼ି ସାରିଲାପରେ ମଣିଷ ଖଣ୍ଡେ ସମୟ ଫକାଶ ମାରିବାପାଇଁ ବସେ, ଆଉ ତା’ପାଖେ ଇଚ୍ଛା ହୁଏ କୋଡ଼ିଏ ତିରିଶ ଖଣ୍ଡ କିଣି ଆଣି ନିଜ ଭାଇ, ବନ୍ଧୁ, ପ୍ରିୟଜନମାନଙ୍କ ଭିତରେ ବାଣ୍ଟିବାପାଇଁ । ଧରନ୍ତୁ ଭୁବନେଶ୍ୱରରେ ସଦ୍ୟ ତିଆରି ହେଉଥିବା ପିଚୁ ଓ କଙ୍କ୍ରିଟର ମରୁଭୂମି ଭିତରେ ରାସ୍ତା କଡ଼ରେ, ୩୦ ଟଙ୍କିଆ ପିଆଜର ଯୁଗରେ ଆପଣ ଗୋଟେ ଠେଲା ଗାଡ଼ିରେ ମୁସ୍ମୁସିଆ, ଲତ୍ଲତିଆ ପିଆଜରେ ତିଆରି ସ୍ୱର୍ଗୀୟ ଦୋପିଆଜି ଗଣ୍ଡାଏ ଖାଇବାକୁ ପାଇଲେ । କ’ଣ କରିବେ? ଭାଇ, ବନ୍ଧୁ, କୁଟୁମ୍ବକୁ ଡ଼ାକୁ ଓ କିଣି ନେଇ ସେ ପିଆଜ ଖୁଆଇବେ କି ନାହିଁ? ଏ ବହିଟି ସେ ଜାତୀୟ ପଦାର୍ଥ । ଖାଲି ନିଜେ ପଢ଼ିଲେ ମନ ପୁରିବ ନାହିଁ। ଡ଼ାକି ହାକି ତାର ସୁଆଦ ବାଣ୍ଟିବାପାଇଁ ମନ କହିବ ।
ବହିଟି ନାଁକୁ ମାତ୍ର ‘ପୁଞ୍ଜିକୟାଁ’ର ଫକୀର ଅର୍ଥାତ ପ୍ରସିଦ୍ଧ, ଚିତ୍ରକର ଓ କଳା ଐତିହାସିକ ଦୀନନାଥ ପାଠୀଙ୍କର ସ୍ୱର୍ଗବାସୀ ପିତା ଶ୍ୟାମ ପାଠୀଙ୍କର ବିଷୟରେ ଦୀନନାଥ ବାବୁଙ୍କର ସ୍ମୃତି•ରଣ । ଶ୍ୟାମ ପାଠୀ ଜାତିରେ ବ୍ରାହ୍ମଣ, ବୃତ୍ତିରେ ଚିତ୍ରକର, ଆଉ ଚିତ୍ତରେ ଓ ଜୀବନରେ କବି; ସେ କାଳର ଜଣେ ‘ସାଧାରଣ’ ଲୋକ, ହେଲେ ନିଜର କବିତ୍ତ୍ୱର ପ୍ରାଣଶୀଳତାରେ, କଳାର ଲୋକାଭିମୁଖତାରେ ଅସାଧାରଣ । ମାତ୍ର ଅସଲ ଅର୍ଥରେ ଏହା ହଜି ଯାଉଥିବା ଆଉ ଲଦି ଆସୁଥିବା ଏକ ସମାଜର ରେଖାଚିତ୍ର । ଆଜିକାଲି ଇତିହାସ ଚର୍ଚ୍ଚାରେ ମାଇକ୍ରୋ-ହିସ୍ଟ୍ରୀ ଅର୍ଥାତ୍ ସ୍ଥାନୀୟ- ଇତିହାସକୁ ନେଇ ଅନେକ କୋଳାହଳ । ବିଶେଷ କିଛି ହଇଚଇ ନକରି, ତାତ୍ତ୍ୱିକତାର ବିଶେଷ ଆଟୋପ ନଥାଇ ‘ପୁଞ୍ଜିକୟାଁର ଫକୀର’ ବହିଟି ଅନେକ ଦୃଷ୍ଟିରୁ ଗଡ଼ ଦିଗପହଣ୍ଡି ଓ ତାହାର ଆଖପାଖ ଅଞ୍ଚଳର ଅତୀତର ଏକ ପ୍ରାଣୋଚ୍ଛକ ଆଲେଖ୍ୟ ।
ଭାରତରେ ଇଂରେଜମାନେ ଆସିବା ପୂର୍ବରୁ ତଥା ଇଂରେଜମାନେ ଶାସନ କରୁଥିବା ସମୟରେ ବ୍ରିଟିଶ ଶାସନ ଅଞ୍ଚଳରେ ତଥା ରାଜରାଜୁଡ଼ା ଶାସନ ଅଞ୍ଚଳରେ ଅନେକ ଶୋଷଣ ତଥା ବ୍ୟଭି•ର ଥିଲା । ମାତ୍ର ତା’ସହିତ ସମାଜ ଶାସ୍ତ୍ରୀ ଜେମ୍ସ୍ ସ୍କସ୍ କହିଲା ଭଳି ‘ୱେପନ୍ସ୍ ଅସଂଦ ୱୀକ୍’ ଅର୍ଥାତ୍ ସରକାରୀ ସମ୍ପତ୍ତିର ଖୁଚୁରା େ•ରୀ, ଗୁଜବ, ସରକାରୀ କର୍ମ•ରୀମାନଙ୍କୁ ହଇରାଣ କରିବା ଇତ୍ୟାଦି ଦୁର୍ବଳର ଅସ୍ତ୍ରମାନ ବ୍ୟବହାରକରି ସାଧାରଣ ଲୋକେ ଅନ୍ୟାୟ ଅନା•ର ବିରୁଦ୍ଧରେ ଲଢ଼ୁ ମଧ୍ୟ ଥିଲେ । ଏହି ବହିରେ ମଧ୍ୟ ଆମେ ଏହାର ଉଦାହରଣ ପାଉ । ଭାଲୁ ଶିକାର ଅଭିଳାଷୀ ଅତ୍ୟା•ରୀ ‘ଟିପ୍ପଣୀ’ ସାହିବକୁ ଶ୍ୟାମ ପାଠୀଏ ପାଣି ପିଏଇ ଏପରି ଆକ୍ରାନ୍ତ କରି ଛାଡ଼ିଲେ ଯେ ସାହିବ ଓଡ଼ିଶା ଭୁଖଣ୍ଡ ଛାଡି଼ ଛୁ ମାରିଲା । ଶ୍ୟାମ ପାଠୀଏ ଖାଲି ସାହିବମାନଙ୍କୁ ପାଣି ପଆଉ ଥିଲେ ତା’ନୁହେଁ ଖଦଡ଼ ପିନ୍ଧୁଥିଲେ, ଆୟୁର୍ବେଦର ମଧ୍ୟ ପ୍ରସାର କରୁଥିଲେ ।
କିନ୍ତୁ ଏ ଦେଶୀଆ ପଣରେ ଅନ୍ଧ ରକ୍ଷଣଶୀଳତା ନଥିଲା । ବୃତ୍ତିରେ କଳାକାର ଥିବାରୁ ନାନାପ୍ରକାରର ପରୀକ୍ଷା କରିବାକୁ ସେ ଅବଲୀଳାକ୍ରମେ କରିଯାଉଥିଲେ । ଦିଗପହଣ୍ଡିର ଠାକୁରାଣୀ ଯାତ୍ରା ସମୟରେ ବର୍ଷେ ପାଠୀ ମହାଶୟ କଙ୍କାଳ ଓ କାଠ କଣ୍ଢେଇମାନଙ୍କ ସାହାଯ୍ୟରେ ଏକ ଭୂତକେଳିର ଆୟୋଜନ କଲେ । ସେହିପରି ଆଉ ଥରେ ଯାତ୍ରା ସମୟରେ ଜିଅନ୍ତା ମଣିଷକୁ ଯୀଶୁଙ୍କ ଆକାରରେ ସଜେଇ, ରଥାଋଢ଼ କରି ଯୀଶୁରଥ ମଧ୍ୟ ବାହାର କଲେ । ଦୀନନାଥ ପାଠୀ ମହାଶୟ କୁହନ୍ତି ଯେ ଏହି ଦୁଇ ପରୀକ୍ଷାକୁ ଆମେ ଓଡ଼ିଶାରେ ଅଧିଷ୍ଠାନ କଳା ତଥା ଅଭିନୟ କଳାର ଆଦ୍ୟ ରୂପ ଭାବରେ ଦେଖିପାରିବା । ମାତ୍ର ଏହା ସହିତ ଆମକୁ ଆମର ଶିଳ୍ପ-ସଂସ୍କୃତିର ‘ପାରମ୍ପରିକତା’ ବିଷୟରେ ମଧ୍ୟ ନୂଆ ଆଖିରେ ଦେଖି ଭାବିବାକୁ ପଡ଼ିବ । ଆମର ଶିଳ୍ପ ପରମ୍ପରା ଚିର ପରିବର୍ତ୍ତନଶୀଳ; ଏଣୁ କୌଳିକ ଆଧୁନିକତାର ଆଶିଂକ ପାଇଁ ଆମକୁ ପଶ୍ଚିମ ଦିଗକୁ ଯେ ତାଟକା ହୋଇ •ହିଁବା ଯେ ଦରକାର ନାହିଁ, “ପୁଞ୍ଜିକୟାଁର ଫକୀର”ରେ ପାଠୀ ମହାଶୟଙ୍କର ପରୀକ୍ଷାମାନ ସେ ବିଷୟରେ ସଚେତନ କରନ୍ତି ।
ସବୁଠାରୁ ବଡ଼ କଥାହେଲା ଯେ ଅତୀତରୁ ଜାଣିବାପାଇଁ ଇତିହାସ ଯେ ଏକମାତ୍ର ଉପାୟ ନୁହେଁ । ସେ ବିଷୟରେ ଏ ବହି ଆମକୁ ସଚେତନ କରାଏ । ଶ୍ୟାମ ପାଠୀ ମହାଶୟ କବିତା ମଧ୍ୟ ଲେଖୁଥିଲେ । କବିତାର ଭାଷା ଓ ରୂପ ଲୋକାଭିମୁଖୀ ହୋଇଥିବାରୁ କବିତା ଗୁଡ଼ିକ ଏବେ ମଧ୍ୟ ଲୋକ ମୁଖରେ ବଞ୍ଚି ରହିଛି । ହେଲେ ଅଧିକାଂଶ ଲୋକେ କବିତା ଗୁଡ଼ିକର କବି ଜଣକ ଯେ କିଏ, ଉଣା ଅଧିକେ ତାହା ପାଶୋରୀ ଗଲେଣି । କହିବାର ଉପଲକ୍ଷ୍ୟ ହେଲା ଯେ ଅତୀତକୁ ହେଜିବାର ଏହା ହିଁ ବୋଧହୁଏ ଭାରତୀୟ ଉପାୟ; ଶୈଳ୍ପିକ ହେଲେ ନୈର୍ବ୍ୟକ୍ତିକ । ଏ ବହିଟିର ସବୁଠାରୁ ବଡ଼ ଅବଦାନ ହେଲା ଏଇଆ ଯେ ଏହା ଆମ ପାଇଁ ଅତୀତ ନାମକ ଦେଶରୁ ଅନେକ ନିଟୋଳ ପୋଷ୍ଟକାର୍ଡ଼ ପଠାଏ; କାଠ ପଟାରେ ତିଆରି ବସ୍, ବାଉରୀ ଜାତିର ସ୍ତ୍ରୀଲୋକଙ୍କଠାରୁ ଗାଳି ଶୁଣିବାର ରସିକତା କରୁଥିବା ଫରେଷ୍ଟ ଗାର୍ଡ, ଅନ୍ଧାରରେ ମହୁ ଫଣାରେ ହାତମାରି କ୍ଷତବିକ୍ଷତ ଭାଲୁ, ଗଞ୍ଜେଇର ରସ କାଟି ନିଗାଡ଼ୁଥିବା ପ୍ରେମକଟାରୀ ଛୁରୀ…
ବହିଟିର ଅଙ୍ଗେ ଅଙ୍ଗେ ହାସ୍ୟମୟୀ ଚିତ୍ର । ପ୍ରଚ୍ଛଦଟି ମଧ୍ୟ ଓଡ଼ିଆ ପ୍ରକାଶନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ଦାବୀ କରେ । ପାଠକେ! ବହିଟିକୁ ଦୟାକରି ଲୋଡ଼ନ୍ତୁ, କିଣନ୍ତୁ, ପଢ଼ନ୍ତୁ ଆଉ ପଢ଼ାନ୍ତୁ ।
ସମୀକ୍ଷକ – ଶୈଲେନ ରାଉତରାୟ
ଗବେଷକ ଓ ଲେଖକ