କି କଥା? ନଦୀ କଥା

ଭାସ୍କର ପରିଚ୍ଛା
ଭାସ୍କର ପରିଚ୍ଛା 167 Views
6 Min Read

ଭୂଗୋଳ ଏଭଳି ଏକ ବିଷୟ ଯେଉଁଥିରେ ପୃଥିବୀର ଉପର ଭାଗ ଓ ପ୍ରାକୃତିକ ସମ୍ବଳ ଯଥା ଦେଶ, ଦୁନିଆଁ, ମହାଦେଶ, ନଗର, ନଦୀ ଝରଣା, ସମୁଦ୍ର, ପାହାଡ଼ ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦି ପଢ଼ାଯାଏ। ଆହୁରି ମଧ୍ୟ,ଭୂଗୋଳ ଏକମାତ୍ର ବିଷୟ ଯାହା ଧରାତଳର ସ୍ଥାନୀୟ ବିନ୍ୟାସକୁ ବୁଝିବାରେ ସହାୟତା କରିଥାଏ। ସମସ୍ତ ପ୍ରାକୃତିକ ଓ ମାନବିକ ବିଜ୍ଞାନକୁ ଗୋଟିଏ ମଞ୍ଚକୁ ଆଣିବାରେ ଭୂଗୋଳର ଅବଦାନ ଅନସ୍ବୀକାର୍ଯ୍ୟ।

ଓଡ଼ିଶାରେ କିନ୍ତୁ ଭୂଗୋଳ ଅଧ୍ୟୟନ , ଗବେଷଣା ଓ ରଚନା ଆଜି ବି ଅପରିପକ୍ବ ଅବସ୍ଥାରେ ରହିଛି । ସ୍କୁଲରେ ହିଁ ଯାହା ଆମେ ଇତିହାସ ସହିତ ଭୂଗୋଳ ପଢ଼ିଥାଉ। ପରବର୍ତ୍ତୀ ସ୍ତରରେ ଏହି ବିଷୟ ପ୍ରତି ପ୍ରାୟ କାହାର ଆଗ୍ରହ ପ୍ରକାଶ ପାଇନଥାଏ। ସ୍ବଭାବତଃ,ଭୌତିକ ଭୂଗୋଳ ହେଉକି, ମାନବ ଭୂଗୋଳ ହେଉ କି ପ୍ରାଦେଶିକ ଭୂଗୋଳ ହେଉ ଏ ସମ୍ପର୍କରେ ଭଲ ପୁସ୍ତକ ଖଣ୍ଡିଏ ଖୋଜି ପାଇବା କଷ୍ଟ ।ଏନବିଟି ଦ୍ବାରା ପ୍ରକାଶିତ ବିଏନ୍ ସିହ୍ନାଙ୍କ ‘ଜିଓଗ୍ରାଫି ଅଫ ଓଡ଼ିଶା’ ହିଁ ଏ ଦିଗରେ ଏ ପର୍ଯ୍ୟନ୍ତ ଏକ ନିର୍ଭରଯୋଗ୍ୟ ପୁସ୍ତକ ରହି ଆସିଛି ।ଡ ରଞ୍ଜନ ପ୍ରଧାନଙ୍କ ଆଲୋଚ୍ୟ ପୁସ୍ତକ ‘ଓଡ଼ିଶାର ନଦନଦୀ ‘ ସେହି ମୂଳ ଅଭାବକୁ ଅନେକାଂଶରେ ପୂରଣ କରିଛି ବୋଲି ଧାରି ନେବାକୁ ହେବ।

ଲେଖକଙ୍କ ସମ୍ପର୍କରେ ପ୍ରକାଶକ ଲେଖିଛନ୍ତି: ‘କାହାଣୀ ହେଉ ବା କବିତା, ଅଥବା ଗବେଷଣା- ସବୁ କ୍ଷେତ୍ରରେ ନିଜର ସୃଜନକୁ ନେଇ ବେଶ୍ ପ୍ରତିବଦ୍ଧ ଡ. ରଞ୍ଜନ ପ୍ରଧାନ । ଜଣେ କଥାଶିଳ୍ପୀ ଭାବରେ ପ୍ରାୟ-ଅଛୁଆଁ ପ୍ରସଙ୍ଗ ସବୁକୁ ନେଇ କାହାଣୀ ରଚନାରେ ସେ ଯେମିତି ସାହସୀ, ଗବେଷଣା କ୍ଷେତ୍ରରେ ତାଙ୍କର ପରିଶ୍ରମ ଓ ପ୍ରୟାସ ମଧ୍ୟ ଅନୁରୂପଭାବେ ଉଦାହରଣୀୟ । ଜଣେ ପ୍ରକୃତିପାଗଳ ଲେଖକ ଭାବେ ଜଣାଶୁଣା ରଞ୍ଜନଙ୍କୁ ସହରର ଚାକଚକ୍ୟ ଓ ସୁବିଧାସୁଯୋଗ ଅଣନିଶ୍ୱାସୀ କରେ, ବରଂ ସେ ପାହାଡ଼ ଜଙ୍ଗଲର ଶାନ୍ତ-କୋମଳ କୋଳକୁ ନିଜର କର୍ମକ୍ଷେତ୍ର ଭାବେ ଅଧିକ ପସନ୍ଦ କରନ୍ତି । ପାହାଡ଼ୀ ପରମ୍ପରା ଓ ସଂସ୍କୃତି, ଜଙ୍ଗଲରେ ରହୁଥିବା ମଣିଷ ଓ ପାହାଡ଼ରୁ ବହି ଆସୁଥିବା ନଦନଦୀ ପାଲଟିଯାଆନ୍ତି ତାଙ୍କର ଗବେଷଣାଗାର । ଆଦିବାସୀ ସଂସ୍କୃତିଠାରୁ ଆରମ୍ଭ କରି ପ୍ରକୃତି, ପର୍ଯ୍ୟଟନ, ଐତିହ୍ୟ ଓ ପ୍ରତ୍ନତତ୍ତ୍ୱ ସମ୍ପର୍କିତ ୧୧ଟି ଗବେଷଣାଗ୍ରନ୍ଥ ଏଯାବତ୍ ରଚନା କରି ସାରିଛନ୍ତି ଡ. ରଞ୍ଜନ ପ୍ରଧାନ।’

‘ଓଡ଼ିଶାର ନଦନଦୀ’ ପୁସ୍ତକର ମୁଖବନ୍ଧ ‘ନଈବାୟାର ଡ଼ାଏରୀ’ରେ ଲେଖକ ପୁସ୍ତକର ଉଦ୍ଦେଶ୍ୟ ବ୍ୟତୀତ କେତୋଟି ଗୁରୁତ୍ବପୂର୍ଣ୍ଣ ଓ ବିବାଦୀୟ ପ୍ରସଙ୍ଗ ଉଠାଇଛନ୍ତି। ସେଥି ମଧ୍ୟରୁ ଗୋଟିଏ ହେଉଛି କୋଷ୍ଟାଲ ହାଇୱେ ବା ଉପକୂଳ ରାଜପଥ। ସେହିଭଳି ଋଷିଆର ଡ୍ୟାମ ବିଶେଷଜ୍ଞ ଯାଶନ ରେନିଙ୍କ କଥା କହିଛନ୍ତି ଯିଏ ଘୋଷଣା କରିଥିଲେ ଯେ ଡ୍ୟାମ ହି ଗୋଟିଏ ନଦୀର ମୃତ୍ୟୁର କାରଣ। ଏଥି ସହିତ ରଞ୍ଜନ ପ୍ରଧାନଙ୍କ କହିବା ଅନୁସାରେ ଯାବତୀୟ ବ୍ୟବହାର ପରେ ବି କିଛି ମାତ୍ରାରେ ବଳକା ନଦୀଜଳ ସମୁଦ୍ରକୁ ଛଡାଯିବା ଦରକାର କାରଣ ଏହା ନଦୀ ଓ ସମୁଦ୍ରର ସଙ୍ଗମ ସ୍ଥଳରେ ଏକ ପତଳା ଆସ୍ତରଣ ସୃଷ୍ଟି କରିଥାଏ ଯାହାକି ମୁହାଣ ନିକଟରେ କିଛି ନିର୍ଦ୍ଦିଷ୍ଟ ଜଳଚର ପ୍ରାଣୀମାନଙ୍କ ଜୀବସତ୍ତାକୁ ସାହାଯ୍ୟ କରିଥାଏ ।

ପୁସ୍ତକରେ ଓଡ଼ିଶାର କୋଡ଼ିଏଟି ବଡ଼ ନଦୀ ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି। ଇତିହାସ, ଭୂଗୋଳ, ଜୀବନ ଧାରା, ନଦୀ କଡ଼ରେ ଗଢ଼ି ଉଠିଥିବା ଧାର୍ମିକ ବିଶ୍ଵାସ, ସଂସ୍କୃତି ଓ ପରମ୍ପରା, ମଠ ମନ୍ଦିର, ଲୋକକଥା,ଭୂତତ୍ତ୍ଵ ଆଦି ସାମଗ୍ରିକ ଦୃଷ୍ଟିକୋଣରୁ ଏହି ପୁସ୍ତକଟି ଲେଖା ହୋଇଛି। ଏଥିରେ ଅନେକ ରୋଚକ କାହାଣୀ ଓ ତଥ୍ଯ ବି ରହିଛି।

ଉଦାହରଣ ସ୍ୱରୂପ କବିଗୁରୁ ରବୀନ୍ଦ୍ରନାଥ ଠାକୁର ସୁବର୍ଣ୍ଣରେଖା ନଦୀକୁ ଖୁବ୍ ଭଲ ପାଉଥିଲେ ଓ ରିତ୍ୱିକ ଘଟକ ୟା ଉପରେ ଚିତ୍ରଟିଏ ବି ନିର୍ମାଣ କରିଛନ୍ତି। ସେହିଭଳି ମହାନଦୀର ପୌରାଣିକ ନାମ ହେଲା ‘ସୁକାନ୍ତିତନୟା।’ ଭୁବନେଶ୍ବର ଉପକଣ୍ଠରେ ବହି ଯାଇଥିବା ମଲାଗୁଣି ନଦୀର ପ୍ରକୃତ ନାମ ହେଲା ମନ୍ଦାକିନୀ। ରାମାୟଣରେ ଇନ୍ଦ୍ରାବତୀ ନଦୀର ବର୍ଣ୍ଣନା, କବି ତାରିଣୀ ଚରଣ ରଥଙ୍କ ଋଷିକୂଲ୍ୟା ନଦୀ କାବ୍ୟ, କାଂଶବାଂଶ ନଦୀର ଉତ୍ପତ୍ତି, କୁଆଁରିଆ ନଦୀ କେଉଁଠାରୁ ବାହାରି କେଉଁଠି କାହା ସହିତ ମିଶିଛି ଆଦି ଅଜ୍ଞାତ ତଥ୍ୟ ଓ ବିବରଣୀରେ ସମୃଦ୍ଧ ଏହି ପୁସ୍ତକ। ଓଡ଼ିଶାର ନଦୀ ଗୁଡ଼ିକର ପରିଚୟ ଦେବା ପାଇଁ ରଞ୍ଜନ ପ୍ରଧାନ ଏକ ଭ୍ରମଣ ସୂଚୀ ପ୍ରସ୍ତୁତ କରିଥିଲେ – କେଉଁଦିନ କେଉଁ ନଦୀକୁ ଭେଟିଲେ ଓ କଣ ସବୁ ବିବରଣୀ ସଂଗ୍ରହ କଲେ।

ଓଡ଼ିଶାର ନଦୀମାନଙ୍କ ଉପରେ ଚାରି ଶହ ପୃଷ୍ଠାର ଏକ ପୁସ୍ତକ ପରିକଳ୍ପନା କରିବା ଯେତିକି ଆୟାସସାଧ୍ୟ ସେତିକି ରୋମାଞ୍ଚଚକ ମଧ୍ୟ। ଦିନ ଦିନ ଧରି ନିଜେ ବୁଲି ନଦୀ ଉପରେ ତଥ୍ଯ ସଂଗ୍ରହ କରିବା ଏକ ବିରଳ ଅଙ୍ଗୀକାରବଦ୍ଧତାର ପରିଚୟ ଦିଏ। ଓଡ଼ିଶାର ବାରଟି ବଡ଼ ନଦୀ ଏବଂ ହଜାରେ ପାଖାପାଖି ଛୋଟ ନଦୀ ଓ ନାଳର ଜୀବନବୃତ୍ତାନ୍ତ ଜରିଆରେ ଲେଖକ ପ୍ରଧାନ ଏକ ମହନୀୟ କାର୍ଯ୍ଯ କରିଛନ୍ତି ଏଥିରେ ଭିନ୍ନମତ ନାହିଁ।

ପ୍ରଧାନଙ୍କ ଆଲୋଚ୍ୟ ପୁସ୍ତକଟି ଏଥିପାଇଁ ଉପାଦେୟ ଯେ ଓଡ଼ିଶାର ଛୋଟବଡ଼ ଶତାଧିକ ନଦୀର ଉତ୍ପତ୍ତିସ୍ଥଳ, ଭୌଗୋଳିକ ଅବସ୍ଥିତି, ତତ୍‌ସମ୍ପର୍କିତ ଆଖ୍ୟାନ, ଲୋକକଥା, ପରମ୍ପରା, ବାଣିଜ୍ୟିକ ଇତିହାସ ଓ ନଦୀକୂଳିଆ ମଣିଷଙ୍କ ସଂଘର୍ଷ ଆଉ ସଫଳତା ସମ୍ବଳିତ ଅନେକ କଥା ଏଥିରେ ରହିଛି। ନଦୀ ଉପରେ ଏହି ଗବେଷଣା ଗ୍ରନ୍ଥଟି ଓଡ଼ିଆ ଭାଷାରେ ଏକ ଅଭିନବ ପ୍ରୟାସ । ଯେହେତୁ ଲେଖକ ନିଜେ ରାଜ୍ୟର ନଦୀ ଅବବାହିକାଗୁଡ଼ିକର ଭ୍ରମଣ କରିଛନ୍ତି ଓ ସେହି ସବୁ ଉପଲବ୍ଧିଗୁଡ଼ିକୁ ଏକାଠି କରିଛନ୍ତି ସେହି କାରଣରୁ ପୁସ୍ତକଟି ପ୍ରାମାଣିକ ହେବା ବ୍ୟତୀତ ଆମ ନଦୀଗୁଡ଼ିକର ବାସ୍ତବ ସ୍ଥିତିକୁ ମଧ୍ୟ ସାମ୍ନାକୁ ଆଣିଛି।

ଓଡ଼ିଶା ଏକ ନଦୀ ବହୁଳ ରାଜ୍ୟ ଏକଥା ଯେତିକି ସତ ,ନଦୀମାନେ ଓଡ଼ିଶାର ଲୋକଙ୍କ ସୁଖ ଓ ସମୃଦ୍ଧିର କାରଣ ନହୋଇ ଦୁଃଖ ଓ ଦୁର୍ଦ୍ଦଶାର କାରଣ ହୋଇଛନ୍ତି ତାହା ବି ସମାନ ଭାବରେ ସତ। ଓଡ଼ିଶାର ମୋଟ ଭୌଗୋଳିକ ଅଞ୍ଚଳର ଏକ ପଞ୍ଚମାଂଶ ବନ୍ୟା-ପ୍ରବଣ ଓ ଏହାର କାରଣ ଛୋଟ ବଡ଼ ସଂଖ୍ୟାଧିକ ନଦୀ। ମୌସୁମୀ ଆଗମନ ସହିତ ଜୁଲାଇ/ଅଗଷ୍ଟ ମାସରୁ ହିଁ ନଦୀରେ ବନ୍ୟା ଆସିବା ଆରମ୍ଭ ହୁଏ ଏଵଂ ଅଧିକାଂଶ ଜିଲ୍ଲାରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି। ନିରନ୍ତର ବନ୍ୟା ବ୍ୟତୀତ ନଦୀ ଜଳ ବଣ୍ଟନକୁ ନେଇ ପଡ଼ୋଶୀ ରାଜ୍ୟ ମାନଙ୍କ ସହ ସୃଷ୍ଟି ହୋଇଥିବା ବିବାଦ ମଧ୍ୟ ନଦୀ ପ୍ରସଙ୍ଗରେ ଏକ ବଡ଼ ସମସ୍ୟା ଭାବରେ ଛିଡ଼ା ହୋଇଛି। ଏହିସବୁ କାରଣରୁ ଓଡ଼ିଶାର ନଦୀ, ଏଥିରେ ପ୍ରବାହିତ ଜଳ ଓ ତାହାର ଉପଯୋଗ ଉପରେ ଗଣମାନସରେ ପୁନଃଅବଲୋକନ ଓ ପୁନଃଚିନ୍ତନର ଆବଶ୍ୟକତା ରହିଛି। ନଦୀଗୁଡିକୁ ଆମକୁ ନିଜର କରିବାକୁ ପଡ଼ିିବ, ଏହା କେବଳ ସରକାରଙ୍କ ଦାୟିତ୍ଵ ନୁହେଁ।

ଯେଉଁମାନେ ଓଡ଼ିଶାର ନଦୀଗୁଡ଼ିକ ସମ୍ପର୍କରେ ଅଧିକ ଜାଣିବା ପାଇଁ ଆଗ୍ରହୀ ସେମାନଙ୍କ ବ୍ୟତୀତ ନଦୀ ପରମ୍ପରା ସଭ୍ୟତା ଓ ସଂସ୍କୃତିକୁ ଯେଉଁ କୌତୁହଳୀ ପାଠକ ଓ ଗବେଷକ ବୁଝିବାକୁ ଚାହାଁନ୍ତି ଏହି ଗ୍ରନ୍ଥଟି ସେମାନଙ୍କୁ ଆମୋଦ ଦେବା ସହ ବୌଦ୍ଧିକ ପୋଷଣ ଯୋଗାଇବାରେ ମଧ୍ୟ ସାହାଯ୍ୟ କରିବ ।

ଓଡ଼ିଶାର ନଦନଦୀ
ଡ ରଞ୍ଜନ ପ୍ରଧାନ
ପେନ୍ ଇନ୍ ବୁକ୍ସ
ଭୁବନେଶ୍ବର

Photo credit : https://images.app.goo.gl/QuVcWsUuztdSyfUC7

Share This Article