ଅଲୋଡ଼ା (ଗୋପିନାଥ ମହାନ୍ତି)

Chief Editor
Chief Editor 129 Views
20 Min Read

Support Samadhwani

(ଗୋପୀନାଥ ମହାନ୍ତି ଓଡ଼ିଆ ଭାଷା ଓ ସାହିତ୍ୟ ଜଗତର ଏକ ପ୍ରାତଃସ୍ମରଣୀୟ ନାମ । ନିଜର କର୍ମମୟ ଜୀବନରେ ଅନେକବାର ମାଟିର ମଣିଷମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ସେ ଅମରକୃତି ଭାବେ ଭାଷା ସାହିତ୍ୟର ଭଣ୍ଡାରକୁ ଦେଇଯାଇଛନ୍ତି ଅନେକ ଅମୂଲ୍ୟ ଗ୍ରନ୍ଥ, ଯାହାକି ଜ୍ଞାନପୀଠ ପୁରସ୍କାର ପାଇବାରେ ସଫଳ ହୋଇପାରିଥିଲା ।  ୧୯୭୮ ମସିହାର ‘ସମାବେଶ’ ପତ୍ରିକାରେ ପ୍ରକାଶିତ ଗୋପୀନାଥ ମହାନ୍ତିଙ୍କ ନିୟମଗିରି ସମ୍ପର୍କିତ ଉକ୍ତ ଲେଖା “ଅଲୋଡ଼ା”ର ପ୍ରାସଙ୍ଗିକତା ଆଜି ମଧ୍ୟ ଅନୁଭୂତ ହୁଏ ।)

ଜଣାନାହିଁ ସେମାନେ କୁଆଡ଼େ ଗଲେ ।

ଥିଲେ ବୋଲି ବି କେବେ ପଦ ପଡ଼ନ୍ତା ନାହିଁ ଯଦି ନ କହନ୍ତା ବିଷମ କଟକ ମହାନଗରୀର ‘ମାଳିମା’ ଦେଉଳର ବୁଢ଼ା ପଣ୍ଡା, ବୟସ ଅଶୀ ଟପିବଣି, ତଥାପି ଟାଣଅଛି ମଧୁ ପଣ୍ଡା । ପାକୁଆ ପାଟି ହସରେ ଫାଟିଯାଏ, କହେ ତାଙ୍କ ପାଟିରେ ‘ଧ’ ଟା ‘ଦ’ ହୋଇଯାଏ, ମତେ ଡାକୁଥିଲେ ‘ମଦୁଆ’ପଣ୍ଡା ।

Support Samadhwani

ପାଞ୍ଚଲକ୍ଷ ଲୋକ ରହୁଥିବା ବିଷମକଟକ ମହାନଗରୀ ଲମ୍ବହୋଇ ବିଛେଇ ହୋଇଛି ତିରିଶ ମାଇଲ୍ ଯାକେ ଠିକ୍ ଏକ ବହୁମୂଲ୍ୟ ପାହାଡ଼ର କରେ କରେ, ଥେରୁବେଲି, ବିଷମକଟକ, ମୁନିଗୁଡ଼ା ଏମିତି ତିନୋଟି ରେଳଷ୍ଟେସନ ସେଠି, ବିଷମକଟକ ସିଟି ଷ୍ଟେସନ ହିଁ ମୁଖ୍ୟ, ଆକାରରେ ପ୍ରକାଣ୍ଡ । ଭାରତର ବହୁ ପ୍ରଦେଶର ଲୋକେ ସେଠି ରହନ୍ତି, କାମ କରନ୍ତି, ଓଡ଼ିଶାବାସୀ ସେଥିରୁ ପଚାଶ ହଜାର ହେବେ, ବେଶି ନୁହନ୍ତି । ଜକାଜକି ସହର, ଗିଳି ପକାଇଲା ଭଳି ସହର, ପାଞ୍ଚ ମହଲାରୁ ସାନ କୋଠା ନାହିଁ । କିନ୍ତୁ ସେ କିଛି ନୁହେଁ, କୋଠାଠୁ ବଳି କାରଖାନାମାନ, ଲାଗିଛି ମାଳହୋଇ; ଆଉ ହାର ଭିତରେ ମୁକ୍ତା ପଦକ ପରି ପ୍ରଧାନ ତହିଁରୁ ‘ଆଣବିକ ଧାତୁ କାରଖାନା ।’ ଦେଖିବାକୁ ବିଚିତ୍ର ଆକୃତି, ପ୍ରକାଣ୍ଡ ପ୍ରକାଣ୍ଡ କୋଠାଘର ସବୁ, ବହୁତ ଉଚ୍ଚକୁ ଗୋଜ ଗୋଜ ହୋଇ ଉଠିଛି; ବିସ୍ତୃତ ଅଞ୍ଚଳ, ତାକୁ ଘେରି ତିନିପରସ୍ତ ହୋଇ ଉଚ୍ଚ ପାଚିରି, ଜଗିବାକୁ ସୈନ୍ୟ ଥାଟ । ରାତିଯାକ ଆଲୁଅ ଝଲଝଲ ମହାନଗରୀ, ହଜାର ହଜାର ବିଜୁଳି ଆଲୁଅ ଜଳୁଥାଏ ।

କିନ୍ତୁ ସବୁଠୁ ସୁନ୍ଦର ଦିଶେ ସେହି ପାଞ୍ଚହଜାର ଫୁଟ ଭଳି ପାହାଡ଼ଟି ନିଜେ । ତାର ତଳୁ ଉପରଯାକ ଥାକ ଥାକ ହୋଇ ସାନ ସାନ ସହର, ଯେଉଁଠି ସହର ନାହିଁ, ସେଠି ଥାକ ଥାକ ହୋଇ ମେଞ୍ଚା ମେଞ୍ଚା ବସ୍ତି, ସୁନ୍ଦର ସୁନ୍ଦର କୋଠାଘର । ପଶ୍ଚିମପଟେ ମୁନିଗୁଡ଼ା ଷ୍ଟେସନରୁ ଅନାଇଲେ ଯେତେ ଦିଶେ ସବୁ ସରକାରୀ ବସ୍ତି, ସହର, ଆଣବିକ ଧାତୁ ଲାଗି ମାଟି ଖୋଳିବା ସମ୍ପର୍କରେ ତାର ଉତ୍ପତ୍ତି । ସେପଟେ ଗୋଟିଏ ରେଳଲାଇନ ବୁଲି ବଙ୍କେଇ ପାହାଡ଼ ଉପରେ ସାପେଇ ସାପେଇ ଚଢ଼ିଯାଇଛି ନିୟମଗିରି ପର୍ବତର ଶିଖ ଯାକେ, ତା’କରେ କରେ ସଡ଼କ ଚାଲିଛି । ପଶ୍ଚିମପଟେ ଅନ୍ୟାନ୍ୟ ଧାତୁ ଦ୍ରବ୍ୟର ଖଣିମାନ ବିଭିନ୍ନ ଧନୀ ବ୍ୟବସାୟୀଙ୍କର, ସେହି ଖଣିକୁ ଆଶ୍ରା କରି ନାନା ବସ୍ତି, ସାନ ସହର, ନେଳି ରାଜପଥ ଉଠିଛି ପୂର୍ବପଟେ, ଜଳପ୍ରପାତମାନଙ୍କ କରେ କରେ, ଖୁବ୍ ଫରଚା, ବହୁତ ବାଙ୍କ, ଚାରିହଜାର ଫୁଟ ଉଠି ଆରପାଖକୁ ଗଡ଼ିପଡ଼ିଛି ଧାମଣପାଙ୍ଗା ସହରରୁ ଚାଲିଗଲା ନାଗାବଳି ଟପି କଲ୍ୟାଣସିଂହପୁର ସହରକୁ ଯେଉଁଠି ଲକ୍ଷେ ଲୋକଙ୍କ ବାସ । ଆଉ ସାନ ବଡ଼ କେତେ ରାସ୍ତା ପାହାଡ଼ ଉପରକୁ ଉଠିଛି, ଯାଇଛି ଖଣିମାନଙ୍କୁ । ଲମ୍ବାପାହାଡ଼ର ତୀଖ ଅତଡ଼ା ତଳେ ସମାନ୍ତରାଳ ଭାବରେ ଚାଲିଛି ଖଣି ରେଳଲାଇନ୍ । ରାଜପଥ, ରେଳଲାଇନର ମାଇଲିଏରୁ ଚାରି ମାଇଲ୍ ଦକ୍ଷିଣକୁ  ବିଷମକଟକ ଷ୍ଟେସନରେ ମିଶିଛି । ଖଣି ରେଳଲାଇନ୍ ଉପରେ ଲମ୍ବା ଲୁହା ପୋଲ ଉପରେ କେତେ କଣ ଯନ୍ତ୍ର ଖଞ୍ଜା ହୋଇଛି, ପାହାଡ଼ରୁ ଲାଗି ଆସିଛି । ସ୍ଥାନେ ସ୍ଥାନେ ଖଣିର ଜିନିଷ ତିନିମାଇଲ୍ ଚାରିମାଇଲ୍ ଦୂରରୁ ଯନ୍ତ୍ରବାଟେ ବୁହାହୋଇ ଗଡ଼ି ଗଡ଼ି ଆସେ, ଉପରୁ ଅଜାଡ଼ି ହୋଇ ପଡ଼େ ତଳେ ଠିଆହୋଇ ଥିବା ରେଳଗାଡ଼ିର ଖୋଲାଡବା ଭିତରେ । ଏଠି ବିଜ୍ଞାନର ଅନେକ ନୂଆ ନୂଆ ପ୍ରୟୋଗ ଦେଖିବାକୁ ମିଳେ । ରାତି ହେଲେ ଦିଶେ ବିଜୁଳି ଆଲୁଅର ରୋଶ୍ନି – ସେ ତିରିଶମାଇଲ ଲମ୍ବା ଆଉ ପାଞ୍ଚହଜାର ଫୁଟ ଉଚ୍ଚ । ତା’ତଳେ ଧାଡ଼ି ହୋଇ ଏଠି ସେଠି କାରଖାନାର ଉଚ୍ଚ ଚିମ୍ନି ବାଟେ ଘଡ଼ିବାଣ ଫୁଟିଲା ପରି ନିଆଁଝୁଲ ଛାଟି ହେଉଥାଏ ।

କିନ୍ତୁ ଗରମରେ ଛଟପଟ ଲାଗେ । ପବନରେ ନାନା ପ୍ରକାର ଧୂଳି ଧୂଆଁର ବହଳ ପଟୁ । ନିଃଶ୍ୱାସ ନେବାକୁ ପବନ ଓଜନ ଲାଗେ । ଏତେ କୋଠାମୟ ହୋଇ ସୁଦ୍ଧା ଦିନରେ ପର୍ବତଟା ଦିଶେ ଅଲକ୍ଷଣା, ହତଶ୍ରୀକ – ଖାଲି ଲଣ୍ଡା ଟାଙ୍ଗର, ଗୋଟିଏ ବି ଗଛ ନାହିଁ । ସ୍ଥାନେ ସ୍ଥାନେ ଖଣି ଗାଡ଼ର ବିକଟ ହାଉଁ । ନାଲିଚା ଘା’ ପରି । ଶାଳ ବଣ ନୁହେଁ, ତାର ଖୁଣ୍ଟର ବଣ ପରି ଦିଶେ । ଏଠି ସେଠି ନାନାପ୍ରକାର ଯନ୍ତ୍ର । ପାହାଡ଼ରେ ବହୁତ ଅଞ୍ଚଳର ପାଖ ମାଡ଼ିବା ବି ନିଷିଦ୍ଧ । ତାର ଘେର ଉପରେ ନାନା ଭୟଙ୍କର ଚିତ୍ର ଟାଙ୍ଗି ତା’ବୁଝେଇ ଦିଆ ହୋଇଛି । ବିପଦଘଣ୍ଟା ବାଜେ । ତା’ପରେ ଖଣିରେ ଘଡ଼ଘଡ଼ି ଓ ଚଡ଼ଚଡ଼ିର ଶବ୍ଦ ଲାଗିରହେ କିଛିବେଳ, ପାହାଡ଼ରୁ ଖଣ୍ଡ ଖଣ୍ଡ ଛିଣ୍ଡି ଉପରକୁ ଛିଞ୍ଚାଡ଼ି ଫୋପଡ଼ା ହୁଏ, ପୁଣି ଆସି ତଳେ ପଡ଼େ । ସେହି ବିସ୍ଫୋରଣରେ ବେଳେ ବେଳେ ଦୁର୍ଘଟଣା ବି ଘଟେ । ମଣିଷ ମରନ୍ତି । କିନ୍ତୁ ପ୍ରତିଦିନ ବିଷମକଟକ ମହାନଗରୀରେ ଯେତେ ଲୋକ ମଟର ଦୁର୍ଘଟଣାରେ ସଡ଼କ ଉପରେ ଛେଚା ହୋଇ, ବଟା ହୋଇ ଖଣ୍ଡିଆ ଖାବରା ହୋଇ ମରନ୍ତି ତା’ଠୁ ବହୁତ ଅଳ୍ପ ।

ବିଷମକଟକ ଏକେ ତ ଓଡ଼ିଶାର ଆଧୁନିକତମ ଜିଲ୍ଲା । – ତା ଆଗରୁ ସେ ଥିଲା ରାୟଗଡ଼ା ଜିଲ୍ଲାରେ – ତା ଆଗରୁ କୋରାପୁଟ ଜିଲ୍ଲାରେ, – ତା ଆଗରୁ ମାନ୍ଦ୍ରାଜ ପ୍ରଦେଶର ବିଶାଖାପାଟଣା ଜିଲ୍ଲାରେ । ତହିଁରେ ପୁଣି ମହାନଗରୀ ବିଷମ କଟକ ସବୁ ବିଷୟରେ ଭାରତର ଗୋଟିଏ ଅତି ଆଧୁନିକ ସହର । ତାର ସଡ଼କ, ତାର କୋଠାର ଗଢ଼ଣ, ତାର ଡାକ୍ତରଖାନାମାନଙ୍କର ଯନ୍ତ୍ରପାତି ଓ ଅନ୍ୟାନ୍ୟ ବ୍ୟବସ୍ଥା, ତାର ହାଟ ବଜାର, ବେଶଭୂଷା, ହୋଟେଲ, ଚାଲିଚଳନ, ରୀତିନୀତି ସବୁଥିରେ ଯନ୍ତ୍ରବିଜ୍ଞାନ, ଶିଳ୍ପ ଯୁଗର ଦ୍ୱିପ୍ରହରର ତେଜ ଝଟକୁଛି । ପୁରୁଣା ସଭ୍ୟତାକୁ ସେ ଆଖି ଟେକି, ନାକ ଟେକି ଅନାଏଁ । – ଯେମିତି କଟକ ସହରକୁ – ବିଷମ କଟକ ଭାବେ କେଡ଼େ ରକ୍ଷଣଶୀଳ କେଡ଼େ ମାନ୍ଧାତା ଅମଳର ସେ । ନୂଆ ଫେସନ, ନୂଆ ଷ୍ଟାଇଲ୍, ନୂଆ ବାଗର ବଡ଼େଇ କରି ସେ ପୁରୁଣାକୁ ତୁଚ୍ଛ ତାଚ୍ଛଲ୍ୟ କରେ । ଆଉ ନିଜେ ସେ ଅତି ତରତର ହୋଇ ବଦଳେ, ତାର ଆଜି ଯାହା ନୂଆ, କାଲିକି ସେ ହୁଏ ତା’ପାଇଁ ବାସି, ପୁରୁଣା ।  ଅଥଚ ପଚାଶବର୍ଷ ବି ପୂରିନାହିଁ, ସେଇଠି ଥିଲେ ସେମାନେ ଯାହାଙ୍କର ଆଜି ପତ୍ତା ନାହିଁ । ସେମାନେ କନ୍ଧ ଜାତିର ଆଦିବାସୀ । ବିଷମକଟକ ସେହି ଜାତିର ଲୋକଙ୍କ ବସତିର ପେଣ୍ଠ ଥିଲା । ସେ କାଳର ସାଧାରଣ ଲୋକଙ୍କ ତୁଳନାରେ ସେମାନେ ଥିଲେ ସବୁଠୁ ଅଶିକ୍ଷିତ, କୁସଂସ୍କାରାଚ୍ଛନ୍ନ, ଦରିଦ୍ର, ଶୋଷିତ । ତାଙ୍କ ଭାଷାର ନାଁ ‘କୁଭି’ । ତାର ଅକ୍ଷର ନାହିଁ । ଫୁରୁ ଫୁରୁ ମୁଣ୍ଡ । ଫୁଙ୍ଗା ଦେହରେ କୌପୁନୀ ଖଣ୍ଡେ । ମୁହଁଯାକ ରୁଢ଼ ବଢ଼ିଥାଏ ଭାଲୁ ପରି । ବଡ଼ ବଡ଼ ନଖ, ତା’ତଳେ ଅସନା । ବର୍ଷକେ ଚାରିମାସ ତେନ୍ତୁଳି ମଞ୍ଜି, ଆମ୍ବ ଟାକୁଆ, ଶଳପ କାଠର ଗୁଣ୍ଡ, ବଣର ପତ୍ର ଆଉ ବଣୁଆ କନ୍ଦା,-ଏଇଆ ଫଳ ଆହାର । ଚାରିଆଡ଼େ ବଣ ସେଥିରେ ବାଘ, ହାତୀ । ତାଙ୍କ ଭିତରେ ଯେ ଆହୁରି ଅନୁନ୍ନତ, ଆହୁରି ଶୋଷିତ, ଯାହାଙ୍କ ରହିବା, ଚଳିବା ଦେଖିଲେ ଲାଗେ ଯେ ଅତୀତର କେଉଁ ହଜିଲା ଅନ୍ଧାରି ଯୁଗର, ହାବଭାବରେ ଜନ୍ତୁପରି ପୁରୁଷମାନେ ସବୁବେଳେ ମଦ ନିଶାରେ ମାତିଥାନ୍ତି । ନିଶ ତଳେ ପିନ୍ଧିଥାନ୍ତି ନୋଲକ, କାନରେ ଫାସିଆ, ସେମାନେ ଥିଲେ ଏ ନିୟମଗିରି ପର୍ବତର ବାସିନ୍ଦା, ‘ଡଂଗ୍ରିଆ କନ୍ଧ’ । ଗୋଟିଏ ଭଲ ଗୁଣ ଥିଲା, ସେମାନେ ଫଳଚାଷ କରିବାକୁ ଭଲ ପାଉଥିଲେ, ଏ ପର୍ବତ ଗୋଟାକଯାକ କରି ରଖିଥିଲେ ଫଳବଗିଚା । ହଜାର ହଜାର ପଣସ ଗଛ, ମାଇଲ୍ ମାଇଲ୍ କମଳା ତୋଟା, ଗୋଟା ଗୋଟା ପାହାଡ଼ଯାକ କଦଳୀ ବଗିଚା ଏକର ଏକର ସପୁରି କ୍ଷେତ, ଏଇଆ ଥିଲା ଏ ପର୍ବତ । ଅନେକ ପ୍ରକାର ଫସଲ କରୁଥିଲେ । ତହିଁରୁ ଗୋଟିଏ ଥିଲା ରକ୍ତ ପରି ନାଲି ହଳଦୀ, ସେପରି ହଳଦୀ ଆଉ କେଉଁଠି ହୁଏ ନାହିଁ । କିନ୍ତୁ ଉତ୍ପାଦନ କରିବା ହିଁ ସେମାନଙ୍କୁ ଆନନ୍ଦ ଦେଉଥିଲା । ଲାଭ ପାଉଥିଲେ ଡମ୍ବଜାତିର ବେପାରିମାନେ । ବୋତଲରେ ମଦପିଆଇ ଦେଲେ ବର୍ଷକ ଭୋଗଦଖଲ କରିବାକୁ କନ୍ଧଠୁ ଗୋଟାଏ କମଳା ଗଛ କି ଚାରିଟା ପଣସ ଗଛ ବି ମିଳି ଯାଉଥିଲା ।

ବଡ଼ ଅଦ୍ଭୁତଥିଲା ତାଙ୍କ ଆଚାର ବ୍ୟବହାର, ରୀତିନୀତି, ସାମାଜିକ ଅନୁଷ୍ଠାନ ଓ ସାମାଜିକ ବିଶ୍ୱାସମାନ ।

କିନ୍ତୁ ସେମାନେ ଏଠି ଥିଲେ, ଆଉ ନାହାନ୍ତି । ଖାଲି କନ୍ଧଟିଏ ଦେଖିବି ବୋଲି କେହି ଭାବିଲେ ଏବେ ସେଠୁ ପଚାଶ ମାଇଲ୍ ଉତ୍ତରକୁ ଯିବାକୁ ପଡ଼ିବ, ସେଠି ବି କିଏ କନ୍ଧ, କିଏ ନୁହେଁ ତା ବାରି ହେବନାହିଁ, ଏକା ଭାଷା – ଓଡ଼ିଆ, ଏକା ପୋଷାକ, ଲୁଗା କାମିଜ୍, ଏକା ଧର୍ମ – ହିନ୍ଦୁ ବା ଖ୍ରୀଷ୍ଟିଆନ୍, ଏକାପରି ଶିକ୍ଷିତ, ଏକାପ୍ରକାର ବୃତ୍ତି, ଆର୍ଥିକଅବସ୍ଥା ସବୁ । ତଥାପି, ସେହି ଉତ୍ତରରେ କେହି କହି ପାରନ୍ତି ତାଙ୍କ ପୂର୍ବପୁରୁଷମାନେ କନ୍ଧଜାତିର ବୋଲି।

ଏଠି ତା’ ବି ନାହିଁ ।

‘ତୁମର ପୂର୍ବପୁରୁଷ ମଇଁଷି ବଳି ଦେଉଥିଲେ, ତା’ ନାଁ ଜୁରୋ ପର୍ବ । ମଇଁଷିଟା ଧାଇଁଥାଏ, ସେମାନେ ତା’ ଦେହରୁ ଛେଲା ଛେଲା ମାଂସ କାଟି ନେଉଥାନ୍ତି, କଞ୍ଚା କଞ୍ଚା ପାଟିରେ ପୂରେଉଥାନ୍ତି । ପୁଣି କାଢ଼ୁଥାନ୍ତି -’

କାହାକୁ କହିବା ୟେ କଥା?

‘ତୁମର ପୂର୍ବପୁରୁଷ ଲାଜସରମ ରଖୁ ନଥିଲେ, ଗାଁର ଧାଂଡ଼ାବସା ଘରେ ଏକା ବଖରାରେ ଚଟାଣରେ ଏକାଠି ଶୋଇ ପଡ଼ୁଥିଲେ ବହୁତ ଯୁବକଯୁବତୀ-’

କାହା ଆଗରେ କୁହାଯିବ?

ଶହ ଶହ ବର୍ଷ ବିତି ଯାଇଥିବ, ସେମାନେ ବଦଳି ନ ଥିଲେ । ନିୟମଗିରିଯାକ ଦୁର୍ଭେଦ୍ୟ ବଣ, ବାଟ ନଥାଏ । କନ୍ଧ ଫସଲ ଉପୁଜାଏ, ଡମ୍ବ ତାକୁ ନେଇ ପଳାଏ । କନ୍ଧ ମଦ ପିଏ, ମଇଁଷି ମାଉଁସ ଖାଏ, ନାଚେ, ଗୀତ ଗାଏ, ଅନ୍ୟ ଗାଁର ଧାଂଡୀମାନଙ୍କ ସଙ୍ଗେ ନାଚିବା ବୋଲି ଏକା ରାତିକେ ଦଶମାଇଲ୍ ପନ୍ଦର ମାଇଲ ବି ଚାଲି ଚାଲି ଯାଏ, କେତେବେଳେ ଅନ୍ୟ ଗାଁର ଧାଂଡ଼ୀ ପଲ ବୁଲି ଆସନ୍ତି ଆଉ କେଉଁ ଗାଁର ଧାଂଡ଼ୀମାନଙ୍କ ସଙ୍ଗେ ନାଚିବେ ବୋଲି । ଡମ୍ବ ଆଣି ଯୋଗାଇଦିଏ ମଦ ଆଉ ମାଉଁସ ପାଇଁ ମଇଁଷି । ପର୍ବତକୁ ହାତରେ ହାଣି ତାଡ଼ି ଫଳଗଛ ଲଗାଇବା, ହଳଦୀ, ମାଣ୍ଡିଆ, ସୁଆଁ, କାନ୍ଦୁଲ, ମକା, ବାଜ୍ରା ଲଗାଇବା, ଅରମା ସଫା କରିବା, ଦିନ ଦିନ ରାତି ରାତି ପର୍ବତ କ୍ଷେତକୁ ଆବୋରି ରହିଥିବା, ବେଳ ମିଳିଲେ ଗୀତ, ନାଚ ଯଥାସମ୍ଭବ ଅନବରତ ମହୁଲ ମଦ, ସଳପ ମଦ, ବର୍ଷଯାକ ନାନା ପୁଣ୍ୟ-ପର୍ବ, ସେ ଖାଲି ଦେବତାମାନଙ୍କୁ ଖୁସି କରିବା ପାଇଁ । ତାହାରି ଭିତରେ ପରିବାରରେ ଗାଁଆରେ ବାନ୍ଧି ହୋଇ ରହିଛି ସାମାଜିକ ଘରକରଣାର ସୁଖ, ଦୁଃଖ ।

ଶହଶହ ବର୍ଷଯାକେ ଏଇଆ ଥିଲା ସେମାନଙ୍କ ଜୀବନର ଧାରା । ସେମାନେ ଲୋଡ଼ୁ ନଥିଲେ, ପାଠ ପଢ଼ିବେ, ପୋଷାକ ପିନ୍ଧିବେ, ଭଲ ଘରେ ରହିବେ, ସଫା ସୁତୁରା ହେବେ । ଏପରି କି ଦାନ୍ତଘଷିବେ କି ଛଞ୍ଚି ହେବେ ବୋଲି ।

‘ଏଇ ପର୍ବତରେ ଆମ ଜନ୍ତୁ, ଏଇ ଆମ ଘର, ଆଉ କାହା ସଙ୍ଗେ ଆମର ପ୍ରୟୋଜନ କ’ଣ?’ ବାହାର ଦୁନିଆକୁ ଏଇଆ ଥିଲା ସେମାନଙ୍କ ଉତ୍ତର । ସେମାନେ କହୁଥିଲେ, ‘ଆମେ ଆମ ଦୁଃଖକଷ୍ଟରେ ପଡ଼ିଛୁ । କିନ୍ତୁ ଆମେ ଚାହୁଁ ନାହିଁ ଆଉ କିଏ ଆସି ଆମର କିଛି କରୁ । ଆମ ବିଚାର ଆମକୁ ଠିକ୍ । ଆମେ ଅନ୍ୟ କାହାଠ଼ୁ ବିଚାର ନେବୁ ନାହିଁ । ଆମେ ଆମପିଲାଙ୍କୁ ପାଠ ପଢ଼ାଇବୁ ନାହିଁ । ପାଠ ପଢ଼ିଲେ ସେମାନେ କ’ଣ ଏ ପର୍ବତରେ କମଳା, ହଳଦୀ, ସପୁରୀ, କଦଳୀ ଚାଷ କରିବାକୁ ମନଦେବେ? ସେମାନେ କ’ଣ ଆମ ପରି ଚଳିବାକୁ ମନ କରିବେ? କେବେ ନୁହେଁ । ସେମାନେ ପର ହୋଇଯିବେ ।’

ପର୍ବତକୁ ବେଢ଼ି ରହିଛନ୍ତି ପାହାଡ଼ୀ ନଈମାନ, ଅତଡ଼ା ଖଣ୍ଡି, ଗହୀରରେ ପାଣି, ବର୍ଷାଦିନେ ପ୍ରବଳ ସୁଅ, ଶୀତଦିନେ ଗୋଡ଼ କୋଲ ମାରିଯିବ ।

ସେ ଅର୍ଗଳ ଟପିଲେ, ନିବିଡ଼ ବଣ, ଛୁଆଣି ହୋଇ କାନ୍ଥ ପରି ପର୍ବତ, ତା’ଉପରେ ତା’ଉପରେ ବିମାନ ପରି, ମହାବଳ ରଡ଼ି ଶୁଭୁଥିଲା । ଅନ୍ଧାର ବିଲ୍ ବିଲ୍ । ତାରି ସନ୍ଧିରେ ପର୍ବତରୁ ଗଡ଼ି ଆସିଥିବା ପାତାଳୀ ଝରଣା ଦାଢ଼େ ଦାଢ଼େ ସରୁ ଖସଡ଼ା ବାଟରେ ଗୁରୁଣ୍ଡି, ଘୁସୁରି ଉଠି ପଡ଼ି ପାହାଡ଼ ଚଢ଼ିବାକୁ ହୁଏ, ସବୁବେଳେ ବାଘକୁ ଭୟ ।  ସେମିତି କେଉଁ ପାହାଡ଼ କାଖରେ, କେଉଁ ପାହାଡ଼ କାନ୍ଧରେ କେଉଁ ଟିକି ଗାଁଟି । ହେଇତି କହି ଚଢ଼ୁ ଚଢ଼ୁ ହଂସା ଉଡ଼େ । କେତେବେଳେ ସେହି ପର୍ବତ ଉପରକୁ ଚଢ଼ୁ ଚଢ଼ୁ ହଠାତ୍ ମାଡ଼ିଆସି ପିଟେ ମେଘ ତୋଫାନ, କୁଆପଥର, ସେ କାଳରେ ନିୟମଗିରିରେ ସବୁଦିନେ ବର୍ଷା । ସବୁଠି ସବୁଦିନେ ଶୀତଳ ଝରଣା, ଗ୍ରୀଷ୍ମଋତୁ ନଥାଏ । ଶୀତଦିନେ ଗୁଣ୍ଡା ବରଫ ଝଡ଼େ ।

ଗାଁରେ ପହଞ୍ଚିଲେ ରହିବାକୁ ସ୍ଥାନ ଖାଲି ଡଂଗ୍ର୍ରିଆ କନ୍ଧର ପିଣ୍ଡାରେ, ଚାଳ ଲାଗୁଛି ଭୂଇଁ ପାଖକୁ, ତଳେ ବସିପଡ଼ି ଘୁସୁରି ଘୁସୁରି ପଶିଗଲେ ଠିଆହୋଇ ହେବ, ପିଣ୍ଡାରେ କାନ୍ଥ, ସେଠି ତା’ର କୁକୁର, କୁକୁଡ଼ା, ଛେଳି । ତାଙ୍କରି ସାଙ୍ଗରେ ସାନ ଦଉଡ଼ିଆ ଖଟ ଉପରେ ଶୋଇ ଚଳିହେବ, ନାକଫଟା ଧୂଆଁ । ଅସୁଖ ନ ପାଇଲେ, ଅସନା, ଅଳିଆ, ଅଖଳା ମଣଷଙ୍କୁ ଆପଣାର ଭାବିପାରିଲେ, ଅସୁବିଧା ସହି ପାରିଲେ – ସେଠି ମଣିଷ ସଙ୍ଗରେ ମଣିଷ ରହିପାରିବ । କିନ୍ତୁ ଏତେକଥା କେହି କରିପାରିଲେ ତ? ସେମାନେ ତାଙ୍କର ରହୁଥିଲେ ପର୍ବତରେ । ତଳୁ ଜଣାପଡ଼େ ନାଇଁ । ବୁଧବାର ହେଲେ ଚାରିକଣା ହାଟକୁ, ହାଟ ମୁନିଗୁଡ଼ା ହାଟକୁ ଓହ୍ଲାନ୍ତି । ଚାହୁଁ ଚାହୁଁ କ’ଣ କିଣାବିକା କରି ଲେଉଟି ଯାଆନ୍ତି । ଦଶରାକୁ ଓହ୍ଲାଇ ଆସନ୍ତି ବିଷମକଟକ ଆଉ ଭୈରଗଡ଼ । ସେଠି ତାଙ୍କର ମଇଁଷି ବଳି ପର୍ବ । ମଦ ପିଇ ମାତି ବହୁତ ବୀଭତ୍ସ ହୁଅନ୍ତି । ଠାକୁରାଣୀଙ୍କ ବଳି ଦିଆଯାଉଥିବା ମଇଁଷି ଦେହରୁ ଛେଲାଏ ଛେଲାଏ ନେଉ ନେଉ ନିଜେ ହଣାହଣି ହୁଅନ୍ତି । ଗୀତ, ନାଚ, କୁହାଟ, ବାଜାରେ ଦାଣ୍ଡ କମ୍ପେଇ ପୁଣି ଲେଉଟି ଯାଆନ୍ତି ପର୍ବତକୁ । ସେମାନେ ଯାହା ନୁହନ୍ତି, ତା’କହି ତାଙ୍କ ବିଷୟରେ ଭୀତପ୍ରଦ ଧାରଣା ପ୍ରଚାର କରି କରି ବୁଲନ୍ତି ତାଙ୍କ ପର୍ବତର ବେପାରୀ ଡମ୍ବ ଲୋକେ, ଯେପରି ଅନ୍ୟମାନେ ତାଙ୍କ ବିଷୟରେ କିଛି ଜାଣିବା ଲାଗି ଆଗ୍ରହୀ ନ ହେବେ, ତାଙ୍କ ଅଞ୍ଚଳକୁ ଯିବାକୁ ଡରିବେ । ଶୋଷଣ – ବେପାରର ଗୁମର ପଦାରେ ନ ପଡ଼ିବ । ବାହାର ଦୁନିଆଁ ସଙ୍ଗେ ସେମାନଙ୍କର ସବୁ ସମ୍ପର୍କ ଚାଲେ ଡମ୍ବମାନଙ୍କ ଜରିଆରେ, ଆଉ ଡମ୍ବର ସେମାନେ ନେଉଟିଆ ପଟାଳି ହୋଇ ରହିଥାନ୍ତି, ସେ ଥରେ ବୋତଲେ ମଦ ଦେଲେ ବର୍ଷକ ପାଇଁ ଗୋଟାଏ କମଳା ଗଛର ଫଳ ଭୋଗ କରେ । କୋଡ଼ିଏ ଟଙ୍କା ଦେଲେ ଏକ ଏକର ସପୁରୀ କ୍ଷେତର ସବୁତକ ସପୁରୀ ନେଇଯାଏ । ଟଙ୍କାଏ ଦି’ଟଙ୍କାକୁ ନିଏ ଗୋଟାଏ ଗୋଟାଏ କଦଳୀ ବାରି; ମନ ଇଚ୍ଛା ।  ଯେ ତାଙ୍କୁ ଲୁଟୁ ଯେମିତି, ସେମାନେ ସେଠି ଥିଲେ । ଭାବୁଥିଲେ ସେ ଖଣ୍ଡକ ତାଙ୍କର, ଆଉ କାହାରି ନୁହେଁ । କଠିନ ଦେହ, ମେହନତ କରି, ଫଳ, ମାଂସ ଖାଇ, ମେଲା ଖୋଲାରେ ଚଳି ଖୁବ୍ ତାଗଡ଼ା ହୋଇଥିଲେ । ଦୁନିଆ ଜାଣୁଥିଲା ସେମାନେ କୁସଂସ୍କାରାଚ୍ଛନ୍ନ, ସବୁଠୁ ଅନୁନ୍ନତ ଆଦିବାସୀ । ସେମାନ ଭାବୁଥିଲେ ସେମାନେ ସଭ୍ୟତମ ମଣିଷ । ସବୁଠୁ ବେଶି ବୁଦ୍ଧିଆ । ସଭ୍ୟଲୋକର ସବୁ ବିଚାର ସବୁ କ୍ରିୟାକଳାପକୁ ସେମାନେ ବେପସନ୍ଦ କରନ୍ତି ।

ସେମାନେ କହନ୍ତି – ‘କେଡ଼େ ଦୁଃଖୀ ଏମାନେ । ସରଳ ସୁଖର ମଣିଷ ଜୀବନକୁ କେଡ଼େ ଜଟିଳ, କେଡ଼େ ଦୁଃଖମୟ କରି ପକାଇଛନ୍ତି ।  କେତେ ଅଜ୍ଞ ଏମାନେ, ଏମାନେ ଜାଣନ୍ତି ନାହିଁ ଯେ, ରୋଗର କାରଣ ମୋଟେ ଦୁଇଟାରୁ ଗୋଟିଏ, ହୁଏ ତ କେଉଁ ଦେବତାର କୋପ, ନ ହେଲେ କେଉଁ ଗୁଣିଆର ଦୁଷ୍ଟାମି । ଗୁଣିଆ ପରା ବାଣ ମାରି ମଣିଷ ପିଠିରେ ଗୋଜିଆ ହାଡ଼ ଆଉ ଲୁହାକଣ୍ଟା ପୂରେଇ ଦେଇପାରେ । ଏମାନେ ଜାଣନ୍ତି ନାହିଁ ଯେ ସାପର ଡିମ୍ବରୁ ହିଁ ବେଙ୍ଗ ଆଉ ଝିଟିପିଟି ଜନ୍ମ ।’ ଡମ୍ବ ବେପାରି ଦାଉ ବଳେଇଲା, ଡକାଡକି ହୋଇ ପଦାରୁ ଆସିଲେ ଆହୁରି ଡମ୍ବ ବେପାରୀ । ଗଛରୁ ଫଳ କାଟିନେଲେ, ପାରିନେଲେ, କ୍ଷେତରୁ ତାଡ଼ିନେଲେ ହଳଦୀ । କହିଲେ, ‘ୟେ ତୁମର ହାତତିଆରି ନୁହେଁ ୟେ ଈଶ୍ୱର ସର୍ଜନ । ଯେ ନେଇପାରେ, ପ୍ରତିବାଦ କଲେ ଡରେଇଲେ । ଆଗର ଡମ୍ବ, ଗାଁର ପୁରୁଣା ଡମ୍ବ ତାଙ୍କ ଉପରେ ଚଳୁଥିଲା ସତ, କିନ୍ତୁ ତାଙ୍କୁ ଭାବୁଥିଲା ଆପଣାର ବୋଲି । ନୂଆ ଆଗନ୍ତୁକ ଆସିଲା ଖାଲି ନିଜର ସୁବିଧା କରିବ ବୋଲି ।  ତା’ପରେ ଆସିଲେ ସରକାରୀ କର୍ମୀ । ସେମାନେ କନ୍ଧକୁ ବିନା ସୁଧରେ ଋଣ ଦେଲେ, ଡମ୍ବ ବେପାରୀଙ୍କ ଋଣ ସୁଝାଇଲେ, କ୍ଷେତ, ତୋଟା, ଫଳଗଛ ସବୁ ବନ୍ଧାରୁ ମୁକୁଳାଇଲେ । ପେଣ୍ଠ ଖୋଲି କନ୍ଧର ସବୁ ଆବଶ୍ୟକ ଦ୍ରବ୍ୟ ତାକୁ ସୁଲଭ ମୂଲ୍ୟରେ ବିକିଲେ, ବଜାର ଦରରେ କନ୍ଧର ସବୁ ଜିନିଷ କିଣିଲେ । କନ୍ଧ ଶହ ଶହ ଟଙ୍କା ପାଇଲା । ଡମ୍ବ ବେପାରୀ ବି ଜିନିଷ କିଣିଲା କିନ୍ତୁ ଆଗପରି ନୁହେଁ, ଦାମ୍ ଦେଲା, ଅଳ୍ପ ଦାମ୍ ଦେଲେ ବେଶି ଖୁସାମତ କଲା । ଜୁଲମ୍ ବନ୍ଦ ହେଲା । ବେସରକାରୀ ନାରୀ କର୍ମୀମାନେ ଆସିଲେ, କନ୍ଧକୁ ସଭ୍ୟ ଶିକ୍ଷିତ କରାଇବାରେ ଲାଗିପଡ଼ିଲେ । ସାନ ଡାକ୍ତରଖାନାଟିଏ ବସିଲା । କନ୍ଧ ଔଷଧ ପାଇଲା । କେତେ କନ୍ଧ ପିଲା ପାଠ ପଢ଼ିଲେ । କନ୍ଧ ଆଗଠୁ ଧନୀ ହେଲା, ବାହାର ଦୁନିଆ ସଙ୍ଗେ ନିର୍ଭୟରେ ମିଶିଲା । ପାହାଡ଼ ଉପରକୁ ଖଣ୍ଡେ ବାଟ ପଡ଼ିଗଲା, ଗୋଟିଏ ଗାଡ଼ିଯିବା ସଡ଼କ । ଦେଶବିଦେଶର ବହୁ ଗବେଷକ ବହୁ ଶୁଭାର୍ଥୀଙ୍କ ପାଇଁ ଡଂଗ୍ରିଆ କନ୍ଧ ହେଲେ ଗୋଟିଏ ଆକର୍ଷଣୀୟ ଗୋଷ୍ଠୀ । ନାନାପ୍ରକାର ଉନ୍ନତିର ବାଟ ଖୋଲିଗଲା । ଡଂଗ୍ରିଆ କନ୍ଧ ଦେଖିଲେ ବଡ଼ ବଡ଼ ସହର । କେହି କେହି ନିଜେ ସାନ ସାନ କୋଠାଘର କଲେ ।

ବଡ଼ ସହରର ଲୋକ ଦେଖିଲେ ଡଂଗ୍ରିଆ କନ୍ଧର ଦେଶ । ଅତି ରମ୍ୟ ଦିଶୁଥିବା ସ୍ଥାନ ଦେଖି ଡାକବଙ୍ଗଳା ଓ ପାନ୍ଥନିବାସ ତୋଳା ହେଲା । ଖରାଦିନେ ସବୁବେଳେ ଭର୍ତ୍ତିି । ଏତେ ସୁନ୍ଦର ଜଳବାୟୁ, ଏତେ ଜଳପ୍ରପାତ, ଏତେ ସୁନ୍ଦର ଦୃଶ୍ୟ । ଏତେ ବଡ଼ ବଡ଼ କମଳା ତୋଟା, ପଣସ ତୋଟା, ସପୁରୀ ବଗିଚା, ପାହାଡ଼ ପାହାଡ଼ ବ୍ୟାପୀ ଜାତି ଜାତି କଦଳୀ ଆଉ କେଉଁଠି ମିଳିବ? ଅସଂଖ୍ୟ ଫଟୋରେ, ନାନା ଫିଲ୍ମରେ ଉଠିଗଲା ନିୟମଗିରି ପର୍ବତ ଓ ସେଠିକା ଲୋକଙ୍କ ଜୀବନର ଛବି । ନାନା ଅନୁଷ୍ଠାନ ପାଇଁ କୋଠା ତୋଳା ହେଲାବେଳେ ଡଂଗ୍ରିଆ କନ୍ଧ ତାଙ୍କ ଇତିହାସରେ ପ୍ରଥମଥର ବୁଝିଲେ ଯେ, ନିୟମଗିରି ପର୍ବତର ସବୁଯାକ ସେମାନଙ୍କର ନୁହେଁ । ସରକାରୀ ଖାତାରେ ତାଙ୍କ ଅଧିକାର ଲେଖା ହୋଇନାହିଁ । ସେମାନେ ତା’ ମାନିବାକୁ ରାଜି ନଥିଲେ । ପର୍ବତର କେଉଁ ଖଣ୍ଡକ, କେଉଁ ଗୋତ୍ରର କନ୍ଧଙ୍କର ସେପରି ଧାରଣା ବହୁ ଯୁଗରୁ ସେମାନେ ସମସ୍ତେ ମାନି ଆସୁଥିଲେ । ‘ସରକାର ଏତେ ଉପକାର କଲାଣି ନଉ ଏ ଟିକିକ ।’ ଏମିତି ମନକୁ ବୁଝେଇଲେ ସେମାନେ, ବ୍ରାହ୍ମମୁହୂର୍ତ୍ତ ବେଳେ ଗାଁ ମଝିରେ ସାନ ଠାକୁର ମେଲାର ପଙ୍ଗବ ନିତିଦିନିଆ ପଙ୍ଗତ ବେଳେ, କଳିଗୋଳ କଲେ ନାହିଁ । ତା’ପରେ ଆସିଲା ସରକାରୀ ଫାର୍ମ ଗଢ଼ି ବ୍ୟାପକ ଫଳଚାଷ ଯୋଜନା, ଚାରୋଟି ବଡ଼ ବଡ଼ ଚକଡ଼ା ନିଆଗଲା, ଲାଗିଲା କଫି, ଅଙ୍ଗୁର, ସେଓ, ବଡ଼ ଜାତି କମଳା, ବଡ଼ ଜାତି ସପୁରୀ, କଦଳୀ ନାନା ଫଳ । ଆମର ବୋଲି କହି କନ୍ଧ କଳିଗୋଳ କଲେ, ସେମାନେ ସେଠି କେବେ କେବେ ଚାଷ କରୁଥିଲେ ହଳଦୀ, ସୁଆଁ, ବାଜରା, କଦଳୀ । ଆପତ୍ତି ଶୁଣାଗଲା ନାହିଁ , ସେତେବେଳକୁ ଥାନା ବି ବସିଲାଣି ।

ଡମ୍ବ ହସିଥିଲେ ।  ଫଳ ଫାର୍ମ ବଢ଼ି ଚାଲିଲା । ସରକାର ଯାଚିଲେ – କନ୍ଧ ହେଉ, ଡମ୍ବ ହେଉ, ବାହାରର ଲୋକ ହେଉ, ଯେ ଚାହିଁବ ସେ ଟଙ୍କା ଦେଇ ତିଆରି ତୋଟାକୁ ପାଞ୍ଚବର୍ଷ ଯାଏଁ ପଟ୍ଟା ନେଇପାରିବ । ତାକୁ ଶୁଣି ଭାରତର ବହୁତ ଆଡ଼ୁ ଫଳଚାଷୀ ପହଞ୍ôଚ ଯାଇଥିଲେ । କନ୍ଧ ଆହୁରି ଦୁଃଖିତ ହେଲା, ଆହୁରି ଗୋଳମାଳ ଲଗାଇଲା, ତା’ପରେ ଦଣ୍ଡ ଭୋଗି କର୍ମକୁ ଆଦରି ସଙ୍କୁଚିତ ହୋଇ ରହିଲା । ବାହାରର ଲୋକେ ବହୁତ ଦାମ୍ ଦେଇ କନ୍ଧଠୁ, ଡମ୍ବଠୁ କେତେ କେତେ ପାହାଡ଼ିଆ ଜମି ନେଇ ନୂଆ ନୂଆ ତୋଟା ଲଗାଇଲେ । ନିୟମଗିରି ପର୍ବତ ଫଳଚାଷ ପାଇଁ ବିଖ୍ୟାତ ହେଲା । ଚାରିଆଡ଼େ ଖାଲି ମୂଲ୍ୟବାନ ଫଳ । ସଭ୍ୟ ପାଲଟିଥିବା ଡଂଗ୍ରିଆ କନ୍ଧ ମାନଙ୍କ ଭିତରୁ କେହି କେହି ସରକାରୀ ଫାର୍ମରେ ଓ ପରଲୋକଙ୍କ ଫାର୍ମରେ ମୂଲ ଲାଗିଲେ । କେତେ ଲୋକ କୁଲିଗିରି କରିବାକୁ ତଳକୁ ଓହ୍ଲେଇ ଗଲେ ।  ପର୍ବତ ଉପରେ ଆଦିବାସୀ ପିଲାଙ୍କ ପାଇଁ ହାଇସ୍କୁଲ, ବଡ଼ ଡାକ୍ତରଖାନା, ଥାନା, ଡାକଘର, ନାନା ଅଫିସ, ସଡ଼କ ଯାଇଛି, ଟେଲିଫୋନ ଖଞ୍ଜା ହୋଇଛି । ସ୍ଥାନେ ସ୍ଥାନେ ସ୍ୱାସ୍ଥ୍ୟନିବାସ, ପାନ୍ଥନିବାସ, ଫଳ ବଗିଚା, ଗୋଲାପ ଫୁଲ ବଗିଚା । ଏଠି ସେଠି ପୁରୁଣା ଗାଁରେ ଡଂଗ୍ରିଆ କନ୍ଧ ।

ଆଗ ପୂର୍ବପଟେ ବାହାରିଲା ତମ୍ବା ଓ କ୍ରୋମିୟମ୍ । ଦୁଷ୍ପ୍ରାପ୍ୟ ଧାତୁ ଯୋଡ଼ିଏ । ଚାହୁଁ ଚାହୁଁ ଖଣିମାନ ପଟ୍ଟା ଦିଆଗଲା । କୁଆଡ଼େ ଉଭେଇ ଗଲା ସେପଟୁ ଫଳଚାଷ, ତୋଟା, କ୍ଷେତ, ଗାଁଗଣ୍ଡା । ପୂର୍ବପଟର ଡଂଗ୍ରିଆ କନ୍ଧ ଛତର ଛାଉଳ ହୋଇଗଲେ । କେତେ ଲୋକ ପାହାଡ଼ର ପଶ୍ଚିମ ପଟେ ମାଗି ଯାଚି ନ ହେଲେ ଟାଙ୍ଗର ଉପରେ ବସ୍ତି କରି ରହିଥିଲେ । କେତେ ଲୋକ କୁଲିକାମ କରିବେ ବୋଲି ତଳକୁ ଚାଲିଗଲେ । ତଳେ ବି ଆଖପାଖରେ ଜାଗା ମିଳିଲା ନାହିଁ । ପାହାଡ଼ରେ ଖଣି କାମ ତ ତଳେ କାରଖାନା କାମ, ସହର ବଢ଼ିଲା । ମାଳ ହୋଇ ଲମ୍ବେ ଲମ୍ବେ ପାହାଡ଼ ଯାକ ଖଣି, ତଳେ ଲମ୍ବିଛି କାରଖାନା ।

ତଥାପି ତାଙ୍କର ପଶ୍ଚିମ ପଟ ଥିଲା, ବହୁତ ଫଳଚାଷ ହେଉଥିଲା । କିନ୍ତୁ ଫଳ ତୋଟାର ବେଶି ଭାଗ ଆଉ କନ୍ଧ ହାତରେ ନଥାଏ, ଅନ୍ୟମାନେ ନେଇସାରିଥାନ୍ତି । ତଥାପି ଅଳ୍ପ କିଛି ତୋଟା କନ୍ଧଙ୍କର ବି ଥାଏ । ସେମାନେ ଫଳ ବୋଝ ବୋହି ବିକିବାକୁ ତଳକୁ ଆଣନ୍ତି । ଆଉ ଆଣନ୍ତି ଶିଆଳି ପତ୍ର, ଭୁର୍ଶୁଙ୍ଗ ପତ୍ର, ଛତୁ, ବାଉଁଶ କରଡ଼ି, ପନିପରିବା, ଘର ଲିପିବାକୁ ନାଲିମାଟି । ଘର ଲିପା ମାଟି ଅତି ଚିକ୍କଣ, ଶୁଖିଲାରେ ବୋଳିଦେଲେ ଦିଶିବ ତେଲ ଜିକି ଜିକି ହେଲାପରି । ଅଧସେରିଆ ପତ୍ର ପୁଡ଼ିଆଟିଏ ହେଲେ କନ୍ଧ ବିକିବ ତିନି ନୂଆ ପଇସାକୁ ।

ସେତେବେଳେ କାହାରିକି ଜଣା ନଥିଲା ଯେ ସେହି ରଙ୍ଗମାଟି ପୁଡ଼ିଆ ଭିତରେ ହିଁ ଥିଲା ନିୟମଗିରି ପର୍ବତକୁ ଓ କନ୍ଧଙ୍କୁ ଗୁଣ୍ଡ କରିନେବା ସକାଶେ ବିସ୍ଫୋରକ ଦ୍ରବ୍ୟ । କେହି ଜାଣି ନଥିଲେ ଯେ, ଦିନେ ଯେଉଁ ବିଦେଶୀ ପରିବ୍ରାଜକ ଅତି ଶରଧାରେ ତହିଁରୁ ଦୁଇ ପୁଡ଼ିଆ ମାଟି ଘେନି ଯିବେ, ସେଥିରୁ ଗୋଟିଏ ପଡ଼ିଯିବ ତାଙ୍କ ପରମାଣୁ – ବିଜ୍ଞାନ ବିଶାରଦ ବନ୍ଧୁଙ୍କ ନିଘାରେ । ସେ ତାକୁ ଗବେଷଣାଗାରରେ ବୈଜ୍ଞାନିକ ବିଶ୍ଳେଷଣ କରିବେ ଓ ତହିଁରୁ ପାଇବେ ଅତି ଦୁଷ୍ପ୍ରାପ୍ୟ ଆଣବିକଶକ୍ତି ଉତ୍ପାଦନକାରୀ ଧାତୁ ଦ୍ରବ୍ୟ ଓ ତା ଉପରେ ଗୋଟିଏ ଅନୁସନ୍ଧାନମୂଳକ ବୈଜ୍ଞାନିକ ଗବେଷଣା ହେବ ।

ଗବେଷଣା ହୋଇଥିଲା । ନିୟମଗିରି ପର୍ବତର ସମୁଦାୟ ପଶ୍ଚିମପଟ, ଉତ୍ତର ଆଡ଼ୁ ଦକ୍ଷିଣ ଆଡ଼ଯାକେ ସେହି ଆଣବିକ ଶକ୍ତି ଉତ୍ପାଦନକାରୀ ଧାତୁର ବିରାଟ ଭଣ୍ଡାର । ଏଡ଼େ ବଡ଼ ଭଣ୍ଡାର ପୃଥିବୀର ଆଉ କେଉଁଠି ଦିଶି ନାହିଁ । ଯେତେଠି ଯେତେ ଖଣ୍ଡି ଅଛି ସବୁ ମିଶାଇଲେ ଯେତିକି ହେବ, ଏକା ନିୟମଗିରିର ଖଣି ଓ ତା’ପାଞ୍ଚ ଗୁଣରୁ ଟିକିଏ ଅଧିକ ।

ତା’ପରେ ସତେ କି ନଈବଢ଼ିର ଶେଷ ଆଗୁଳ ପରି ଯେଉଁ ପୁରୁଣା ବନ୍ଧ ଥିଲା ତା’ହଠାତ୍ ଭୁଷୁଡ଼ି ପଡ଼ିଲା । ଯାନ୍ତ୍ରିକ ସଭ୍ୟତା ମାଡ଼ି ଆସି ଘୋଟିଗଲା, ସତେ କି ପ୍ରଳୟ, ଦି’ଦିନରେ ବିଚିତ୍ର ପରିବର୍ତ୍ତନ ।

ଆଉ ସେ ଅଞ୍ଚଳ ଚିହ୍ନି ହେଲାନାହିଁ ।

ଲେଖକ – ସୁରସିଂ ପଟ୍ଟନୟକ

Photo credit- Wikimedia commons

ସୌଜନ୍ୟ – ସମଦୃଷ୍ଟି

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Cultural Researcher and Samadhwani Cultural Magazine (Print and Digital) Editor. She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people. She founded "The Samadhwani Cultural Organization" and "The Samadhwani Centre for Cultural Research" with the help of some like-minded culture loving people.