ଚମାଖଣ୍ଡି

1 Min Read

ଧୂସର ଧୂମ୍ର ବଳୟ ଭିତରେ

ହଜିବାର ଭବିଷ୍ୟତ ନେଇ

ଏ ପୃଥିବୀ ପୃଷ୍ଠକୁ ତୁ କଣ

ଆସିଥିଲୁ ଚମାଖଣ୍ଡି?

ତୋର ସବୁଜିମା

ତୋର ରତ୍ନଗର୍ଭା ମାଟି

ତା ଉପରେ

ଖେଳୁଥିବା ପିଲାର ଅଧିକାର

ସବୁକୁ ତୁ ଆଦରିଥିଲୁ

ତୁ ଚମାଖଣ୍ଡି;

ପୁରୁଷ ପୁରୁଷ ଧରି

ତୋ କୋଳରେ ବୁଲୁଥିବା

ମଣିଷକୁ ପରା ଦେଇଥିଲୁ

ଠିକଣା, ତୁ ଚମାଖଣ୍ଡି ।

ତୁ କଣ କେବେ

ସେ ଠିକଣା ନିଶ୍ଚିହ୍ନ ହେବାର

ଭବିଷ୍ୟତ ନେଇ

ଏ ପୃଥିବୀ ପୃଷ୍ଠକୁ

ଆସିଥିଲୁ ଚମାଖଣ୍ଡି?

ତୋ ମାଟିର ମଣିଷକୁ ଠିକଣା ଦେଇଥିଲୁ

ମାଟିରୁ ଦେଇଥିଲୁ

ଧାନ, ମୁଗ, ମାଣ୍ଡିଆ;

ସୁବାସିତ କରିଥିଲୁ ପବନକୁ

ମାଳ ମାଳ ବୁଦାରୁ ଫୁଟିଥିଲା

କିଆ,

ସେ ସବୁ କଣ ହଜିଯିବ?

ଧୂସର ଧୂମ୍ର ବଳୟ ଭିତରେ

ବିଲୁପ୍ତ ହୋଇବ?

Photo credit-https://bit.ly/3wPpC9Y

(ରଚନା ୧୯୯୭)

(ଞ୍ଚଚମାଖଣ୍ଡି ଗଂଜାମ ଜିଲ୍ଲାର ଗୋପାଳପୁର ଠାରେ ପ୍ରସ୍ତାବିତ ଇସ୍ପାତ କାରଖାନା ଇଲାକା ଭିତରେ ଅବସ୍ଥିତ ଏକ ଗାଁ)

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ